spot_img
Home Blog Page 6550

କଟକଣା ଭିତରେ ନିଆରା ପ୍ରୟାସ, ଭର୍ଚୁଆଲ ଦାଣ୍ଡିଆ ଉତ୍ସବ କରିବାକୁ ନିଷ୍ପତ୍ତି ନେଲା ପ୍ରୟାସ ଫାଉଣ୍ଡେସନ

ଭୁବନେଶ୍ୱର: ଦିନକ ପରେ ଧରାପୃଷ୍ଠରେ ଦର୍ଶନ ଦେବେ ଦେବୀ ଦୁର୍ଗା । ଆଉ ଏଥିପାଇଁ କଟକଣା ଭିତରେ ଚାଲିଛି ପୂଜା ପ୍ରସ୍ତୁତି । ହେଲେ ନବରାତ୍ରୀରେ ରାଜଧାନୀରେ ଧୁମ ମଚାଉଥିବା ଦାଣ୍ଡିଆ ନାଚ ଏବର୍ଷ ଦେଖିବାକୁ ମିଳିବନି । ଖୋଲା ଆକାଶ ତଳେ ହେଉଥିବା ଏହି ନାଚ ଉପରେ ବି କୋଭିଡ କଟକଣା ଜାରି ହୋଇଛି ।

ପ୍ରତି ବର୍ଷ ନବରାତ୍ରରେ ଦେଖିବାକୁ ମିଳିଥାଏ ଦାଣ୍ଡିଆ ଧୁମ । ଯୁବପୀଢ଼ିଙ୍କ ଦାଣ୍ଡିଆରେ ଦୁଲୁକୁଥିଲା ପୂରା ରାଜଧାନୀ । ଗରବା ଗୀତରେ ମସଗୁଲ ହୋଇ ପଡୁଥିଲେ ସଭିଏଁ । ହେଲେ ଚଳିତ ବର୍ଷ ଏଥିରେ ଲାଗିଛି ବ୍ରେକ୍ । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାଜଧାନୀରେ ହେବ ଅନଲାଇନ ଦାଣ୍ଡିଆ ଉତ୍ସବ । ଭର୍ଚୁଆଲ ଦାଣ୍ଡିଆ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି ପ୍ରୟାସ ଫାଉଣ୍ଡେସନ ।

ଏହି ଅନଲାଇନ ଦାଣ୍ଡିଆ ଡାନ୍ସ ପାଇଁ ଏକ ସ୍ୱତନ୍ତ୍ର ଷ୍ଟୁଡିଓ କରାଯାଇଛି ଯେଉଁଠାରେ ପର୍ଯ୍ୟାୟ କ୍ରମେ ଡାନ୍ସ ଯୋଡିକୁ ଏଣ୍ଟ୍ରି କରାଯିବ । ଗୋଟିଏ ବ୍ୟାଚରେ ୫ଟି ଯୋଡ଼ି ମାନେ ୧୦ ଜଣ ଲୋକ ଏକ ଘଣ୍ଟା ପାଇଁ ନାଚିବେ । ଏହା ସହ ସେହି ଦାଣ୍ଡିଆକୁ ଫେସବୁକ ଭଳି ସୋସିଆଲ ସାଇଟରେ ଲୋକେ ଲାଇଭ ଘରେ ଦେଖି ମଜା ନେବେ ।

୮୦ ପାର୍‌ ହେଲାଣି, ଦେଖାଯାଉନି କି ଶୁଣାଯାଉନି ! ତଥାପି ହାରମନିୟମ ଧରି ଶିଖାଉଛନ୍ତି ସଂଗୀତ

କେନ୍ଦ୍ରାପଡ଼ା: ପରିଣତ ବୟସରେ ସଙ୍ଗୀତ ପ୍ରେମ । ବୟସ ୮୦ ବର୍ଷ ପାର୍‌ ହୋଇଥିଲେ ବି କମିନି ସଂଗୀତ ପ୍ରତି ରୁଚି । ନିଜେ ଗୀତ ଗାଇବା ସହ ଛୋଟ ଛୋଟ ପିଲାମାନଙ୍କୁ ଶିଖାଉଛନ୍ତି ସଙ୍ଗୀତ । ତାଙ୍କ ସଂଗୀତ ରୁଚିକୁ ଦେଖି ପ୍ରଶଂସା କରୁଛି ସମାଜ ।

Old Singer

ଆଖିରେ ନାହିଁ ଉଜ୍ୱଳତା । କାନରେ ନାହିଁ ଆଉ ଶ୍ରବଣର ଶକ୍ତି । ତଥାପି ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁକିଛି । କେନ୍ଦ୍ରାପଡ଼ା ଜିଲ୍ଲା ଅଠରବାଟିଆ ଗାଁର କୋଇଲି ମହାରଣା । ଆଉ ହାରମୋନିୟମର ତାଳେ ତାଳେ ନିଜେ ଗୀତ ଗାଇବା ସହ ଛୋଟ ଛୋଟ ପିଲାମାନଙ୍କୁ ଶିଖାଉଛନ୍ତି ସଂଙ୍ଗୀତ ।

Old Singer

ସଂଗୀତରେ ରୁଚି ରଖିଥିବା କୋଲଇି ମାଉସୀ ଏବେବି ପୁରାତନ କଳା ସଂସ୍କୃତିକୁ ବଜାଇ ରଖିଛନ୍ତି । ଓଡ଼ିଶୀ, ଚମ୍ପୁ, ଛାନ୍ଦ, ରାମାୟଣ ଓ ମହାଭାରତର ସଂଗୀତରେ ବେଶ ପାରଙ୍ଗମ ସେ । ହେଲେ ବୟସର ଅପରାହ୍ଣରେ ପହଞ୍ଚିସାରିଥିବା ବେଳେ ମଧ୍ୟ ତାଙ୍କୁ ଏଯାଏଁ କୌଣସି ସମ୍ମାନ କି ସରକାରୀ ପ୍ରୋତ୍ସାହନ ମିଳିନଥିବା ଅଭିଯୋଗ କରିଛିନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ । କୋଇଲି ମାଉସୀଙ୍କୁ ସରକାରୀ ସହାୟତା ନିତ୍ୟାନ୍ତ ଜରୁରୀ ବାଲି ସ୍ଥାନୀୟବାସିନ୍ଦା କହିଛନ୍ତି ।

ସରିଲା ସମୟ ଟାଳିବାର ଡ୍ରାମା, ଏଥର OTV MD ଜଗି ନିଜେ ହାଜର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସରିଲା ସମୟ ଟାଳିବାର ଡ୍ରାମା । ଭୁବନେଶ୍ୱର ଇନଫୋସିଟି ଗଣଦୁର୍ଷ୍କମ ମାମଲାରେ ଓଟିଭିର ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସମେତ ୩ ଜଣଙ୍କୁ ସାନି ସମନ ଜାରି କରିଛନ୍ତି ରାଜ୍ୟ ମହିଳା କମିଶନ । ଏଥର କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ପୂର୍ବରୁ ଜଗି ଓକିଲ ଏବଂ ପିଆରଓଙ୍କ ଜରିଆରେ ନିଜ ପକ୍ଷ ରଖିଥିଲେ । ଏଣିକି ଆଗକୁ ଆଉ ଦିନ ଗଡ଼ାଇ ପାରିବେନି କି ବାହାନା ଦେଖାଇ ସମୟ ଟାଳି ପାରିବେନି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ।

jagi mangat Panda

ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଜଗିମଙ୍ଗତ ପଣ୍ଡାଙ୍କୁ ପୂର୍ବରୁ ବାରମ୍ବାର ସମନ ଜାରି କରିଥିଲେ ରାଜ୍ୟ ମହିଳା କମିଶନ । ହେଲେ ବିଭିନ୍ନ ଆଳ ଦେଖାଇ ସେ ମହିଳା କମିଶନଙ୍କ ନିକଟରେ ହାଜର ହେଉଥିଲେ । ତେବେ ଆସନ୍ତା ୨୧ ତାରିଖରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ୩ ଜଣଙ୍କୁ ସାନି ସମନ ଜାରି ହୋଇଛି । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ପରେ ଓଟିଭି ଅଫିସ୍‌ର ଆଭ୍ୟନ୍ତରୀଣ କମିଟି କଣ ପଦକ୍ଷେପ ନେଇଥିଲା, ସେ ବିଷୟରେ ଜାଣାଇବାକୁ ମଧ୍ୟ ସମନ ଜାରି ହୋଇଛି ।

File Photo

ଅନ୍ୟପଟେ କ୍ରାଇମବ୍ରାଞ୍ଚ୍‌ ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର ଗ୍ରହଣ କରିବା ପରେ ଏଯାଏଁ ଓଟିଭିର ତିନି ଜଣ ଅଧିକାରୀଙ୍କୁ ଜେରା କରିସାରିଛି । ଖୁବ୍‌ଶୀଘ୍ର କ୍ରାଇମ୍‌ବ୍ରାଞ୍ଚ୍‌ ସତ୍ୟର ପର୍ଦ୍ଦାଫାସ କରିବ ବୋଲି ନାବାଳିକାଙ୍କ ପରିବାର ଲୋକ ଆଶା ବାନ୍ଧିଛନ୍ତି ।

ଗରିବଙ୍କୁ ସାହାଯ୍ୟ ବଦଳରେ ଟିକସରେ ରିହାତି ଦେବାକୁ SBIର ସରକାରଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ: କରୋନାରେ ପ୍ରଭାବିତ ହୋଇଥିବା ଗରିବ ପରିବାରଙ୍କ ପାଇଁ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ଯଦି ଏହି ପଦକ୍ଷେପ କାର୍ଯ୍ୟକାରୀ ହୁଏ, ତେବେ ଏକାଧିକ ଗରିବ ପରିବାର ଲାଭବାନ ହୋଇପାରିବେ । କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଗରିବ ପରିବାର ଗୁଡ଼ିକୁ ଉପଯୁକ୍ତ ଆର୍ଥିକ ସହାୟତା ଦେବା ପାଇଁ ‘ପୋଷ୍ୟ ପରିବାର’ ସ୍କିମ ଘୋଷଣା କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏହି ସ୍କିମ  କିପରି ଲାଗୁ କଲେ ସଫଳତା ମିଳିବ ତାହା ମଧ୍ୟ ଷ୍ଟେଟ ବ୍ୟାଙ୍କ ଜଣାଇଛି  ।

ପ୍ରସ୍ତାବ ଅନୁସାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାର୍ଷିକ ଆୟ କରୁଥିବା ଧନୀ ଟିକସ ଦାତା ମାନେ ଗୋଟିଏ ଲେଖାଏଁ ଗରୀବ ପରିବାରକୁ ପୋଷ୍ୟ ଭାବରେ ଗ୍ରହଣ କରିବେ । ସେହି ପରିବାରକୁ ସେମାନେ ୫ ହଜାର ଟଙ୍କା ଦେବେ । ଏହିଭଳି ଭାବରେ ବର୍ଷକୁ ଗରିବ ପରିବାରଟି ୬୦ ହଜାର ଟଙ୍କା ପାଇପାରିବ । ସରକାରଙ୍କୁ ଏଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ କିମ୍ବା ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ ନାହିଁ ବୋଲି SBI ଇକୋରାପ ରିପୋର୍ଟ ରେ କୁହାଯାଇଛି । ତେବେ ଏହି ସ୍କିମକୁ ଇଚ୍ଛାଧିନ ରଖିବାକୁ କୁହାଯାଇଛି । ମାତ୍ର ଏହାମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯଦି ଟିକସ ଦାତା ମାନଙ୍କୁ ପ୍ରୋତ୍ସାହନ ଦିଆନଯିବ ତେବେ ଏହି ସ୍କିମ ସଫଳ ହେବ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ, LPG Give Up ସ୍କିମ ଇଚ୍ଛାଧିନ ଥିଲା । ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଟିକସ ଦାତାଙ୍କୁ LPG ସବସିଡି ପରିହାର କରିବାକୁ କୁହାଯାଇଥିଲା । ପ୍ରାୟ ୩୦ କୋଟି ଟିକସ ଦାତା ସବସିଡି ପରିହାର କରିବାକୁ ଯୋଗ୍ୟ ଥିଲେ । ବହୁପ୍ରଚାର ସତ୍ତ୍ୱେ ଏକ କୋଟି ଲୋକ LPG ସବସିଡି ଛାଡିଛନ୍ତି । ତେଣୁ ଏହି ସ୍କିମରେ ରହିଥିବା ତୃଟିକୁ ନ ଦୋହରାଇ ଟିକସଦାତା ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ହିସାବ ଜରିଆରେ ଷ୍ଟେଟ ବ୍ୟାଙ୍କ ବୁଝାଇବାକୁ ପ୍ରୟାସ କରିଛି ଯେ, ଦେଶରେ ୭୦ ଲକ୍ଷ ଟିକସ ଦାତା ଅଛନ୍ତି ଯେଉଁମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ । ଯଦି ଏହି ସ୍କିମ ୧୦ ପ୍ରତିଶତ ସଫଳ ହେବ ତେବେ ୭ ଲକ୍ଷ ପରିବାର ବା ୨୮ ଲକ୍ଷ ପରିବାର ସଦସ୍ୟ ଏହାଦ୍ୱାରା ଉପକୃତ ହୋଇପାରିବେ । ଟିକସ ଦାତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କୁ ଆୟକର ନିୟମର ୮୦ ସି ରେ ମିଳୁଥିବା ଛାଡ଼ ଉପରେ ଆଉ ୫୦ ହଜାର ଟଙ୍କାର ଲାଭ ଦେବାକୁ ପଡ଼ିବ । ଏହି ସୁବିଧା ଦେଲେ ସରକାର ବର୍ଷକୁ ୧ ହଜାର ୫୦ କୋଟି ଟଙ୍କା ହରାଇବେ । ମାତ୍ର ୭ ଲକ୍ଷ ପରିବାରକୁ ସରକାର ଯଦି ବାର୍ଷିକ ୫୦ ହଜାର ଟଙ୍କାର ସହାୟତା ଦେଇଥାନ୍ତେ ତେବେ ସେ ବାବଦରେ ସରକାରଙ୍କୁ ଯଥେଷ୍ଟ ଅଧିକ ଅର୍ଥାତ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା ।

ବିଭିନ୍ନ ଗଣପର୍ବ ପୂର୍ବରୁ ଦେଶବାସୀଙ୍କୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୧୫ ଦିନରେ ନମୋଙ୍କ ୧୭ ତମ ଉଦବୋଧନ

ନୂଆଦିଲ୍ଲୀ: କରୋନା ସାରା ବିଶ୍ୱକୁ କବଳିତ କରିଛି । ଏହା ଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି । ଏ ସବୁ ପରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପରିଶ୍ରମ ଏବଂ ଜନସାଧାରଣଙ୍କ ସହଯୋଗ କାରଣରୁ କରୋନାକୁ ନିୟନ୍ତ୍ରଣରେ ରଖାଯାଇଛି । ହେଲେ ଏଥିରେ ଖୁସି ହେବାର କାରଣ ନାହିଁ । କରୋନା ରୋଗର ନିରୂପଣ ପାଇଁ କୌଣସି ଔଷଧ ଆସିନାହିଁ  ।ତେଣୁ ଢିଲା ନ କରି ଅଧିକ ସତର୍କ ରହିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଗତ ୨୧୫ ଦିନ ମଧ୍ୟରେ ୧୭ ଥର ପାଇଁ ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ।

ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି ଏହି କଥା କହିଛନ୍ତି । ନିଜ ବକ୍ତବ୍ୟରେ ମୋଦି ସନ୍ଥ କବୀର ଏବଂ ରାମ ଚରିତ ମାନସର ଉଦାହରଣ ଦେଇଥିଲେ । ସେ କବୀରଙ୍କ ପ୍ରସିଦ୍ଧ ପକ୍କି କ୍ଷେତି ଦେଖ କେ ଗରବ କିୟା କିଷାନକୁ ମନେ ପକାଇଥିଲେ । କହିଥିଲେ ବେଳେ ବେଳେ କ୍ଷେତରେ ପୂର୍ଣ୍ଣ ଫସଲ ଦେଖି କୃଷକ ଖୁସି ହୋଇ ଯାଇଥାଏ । ହେଲେ ଏହା ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ନଷ୍ଟ ମଧ୍ୟ ହୋଇ ଯାଇଥାଏ । ତେଣୁ ଅମଳ ହୋଇଥିବା ଫସଲ ଯେ ପର୍ଯ୍ୟନ୍ତ ଘରକୁ ନ ଆସିଛି, ସେ ପର୍ଯ୍ୟନ୍ତ ସତର୍କ ରହିବା ଉଚିତ । ଠିକ୍ ସେହିପରି ଯେ ପର୍ଯ୍ୟନ୍ତ କରୋନାର ପ୍ରକୋପ ସମ୍ପୂର୍ଣ୍ଣ କମିଯାଇନାହିଁ । ଏହାର ପ୍ରତିଷେଧକ ଟୀକା ତଥା ଔଷଧ ବାହାରି ନାହିଁ ।  ସେ ଯାଏଁ ସତର୍କତାକୁ ଜାରି ରଖାଯାଉ ବୋଲି ନରେନ୍ଦ୍ର ମୋଦି କହିଛନ୍ତି । ଦେଶରୁ ଲକ୍ ଡାଉନ ସରିଛି, ହେଲେ କରୋନା ଭୂତାଣୁ ଯାଇନାହିଁ ବୋଲି କହି ମୋଦି କୋଭିଡ଼ ଭୟାବୟତା ସମ୍ପର୍କରେ ଗୁରୁତ୍ୱର ସହ ଉଲ୍ଲେଖ କରିଛନ୍ତି ।

ସେହିପରି ଭାରତ ସମେତ ଅନେକ ଦେଶ କରୋନା ଭ୍ୟାକସିନ୍ ନେଇ ପରୀକ୍ଷଣ ଜାରି ରଖିଛନ୍ତି । ଏ ଦିଗରେ ସକରାତ୍ମକ ଖବର ମଧ୍ୟ ଆସିବାରେ ଲାଗିଛି । ଅନୁରୂପ ଭାବେ ଭ୍ୟାକସିନ୍  ବାହାରିଲେ, ତାହା କିପରି ପ୍ରତିଟି ଭାରତୀୟ ପାଖରେ ପହଞ୍ଚିବ । ସେଥିପାଇଁ ସମସ୍ତେ ଧ୍ୟାନ  ଦେବା ଉଚିତ । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱସନା ଦେଇଛନ୍ତି।

ସେହିପରି ରାମଚରିତ ମାନସରେ ଶତ୍ରୁ, ଗତି ଏବଂ ବେମାରି(ରୋଗ)କୁ କଦାପି ହାଲୁକାରେ ନେବା ଉଚିତ ନୁହେଁ ବୋଲି କୁହାଯାଇଛି । ମାସ୍କ ପିନ୍ଧିବା ସହ ମାତ୍ର ୨ ଗଜର ଦୂରତା ଆମକୁ ମହାମାରୀ ଠାରୁ ଦୂରରେ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ନବରାତ୍ର ପୂଜା ଜାରି ରହିଛି । ଆଗକୁ ଦଶହରା ଆସୁଛି । ଶାରଦୀୟ ପୂଜା ପରେ ଦୀପାବଳି ମଧ୍ୟ ଆସିବ । ବିହାରର ପ୍ରସିଦ୍ଧ ଛଟ୍ ପର୍ବ ମଧ୍ୟ ଆଗକୁ ଆସିବ । ସେହିପରି ଗୁରୁନାନକ ଜୟନ୍ତୀ ମଧ୍ୟ ଆଗକୁ ଆସିବ । ଏହାକୁ କୋଭିଡ଼ କଟକଣା ମଧ୍ୟରେ ପାଳନ କରିବା ସହ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି ଚେତାଇ ଦେଇଛନ୍ତି ।

କରୋନା ମୁକାବିଲା ପାଇଁ ଦେଶରେ ୯୦ ଲକ୍ଷ ଶର୍ଯ୍ୟା ପ୍ରସ୍ତୁତ ହୋଇ ରହିଛି । ପ୍ରାୟ ୧୨,୦୦୦ କ୍ୱାରଣ୍ଟାଇନ ସେଣ୍ଟରରହିଛି । ୨୦୦୦ ଲ୍ୟାବ୍ ରେ ଟେଷ୍ଟି ଚାଲିଛି । ଆଗାମୀ ଦିନରେ ଟେଷ୍ଟିଂ ସଂଖ୍ୟା ୧୦ କୋଟି ଛୁଇଁବାକୁ ଯାଉଛି । ସେବା ହିଁ ପରମ ଧର୍ମ । ଏହି ଥିରେ ବ୍ରତୀ ହୋଇ ସ୍ୱାସ୍ଥ୍ୟ କର୍ମୀ ସଫଳତାର ସହ କୋଭିଡ ମୁକାବିଲା କରିଥିବା ମୋଦି କହିଥିଲେ ।

 

ଆଉ ଦିନକ ପରେ ଜଣା ପଡ଼ିବ ଆଗ ଆସିବ କାହା ଭ୍ୟାକ୍ସିନ…

ନୂଆଦିଲ୍ଲୀ: ସାରା ବିଶ୍ୱ ଏକ ଅଜଣା ଭୂତାଣୁ ସହ ଅହରହ ଲଢ଼ୁଛି । ଏ ଯୁଦ୍ଧ ମଣିଷ ମଣିଷ ମଧ୍ୟରେ ନୁହେଁ  । ଏ ଯୁଦ୍ଧ ହେଉଛି ମଣିଷ ସହ ଏକ ଅଜଣା ଭୂତାଣୁର । ଏହି ଭୂତାଣୁ ହେଉଛି କରୋନା । ଏବଂ ଏହାକୁ ହରାଇବାର ଏକ ମାତ୍ର ଅସ୍ତ୍ର ହେଉଛି ଏହାର ପ୍ରତିଷେଧକ ଟିକା । କିନ୍ତୁ ଏପର୍ଯ୍ୟନ୍ତ ବୖଜ୍ଞାନିକ ମାନେ ଶତ ଚେଷ୍ଟା ପରେ ମଧ୍ୟ ସଠିକ ଟିକା ତିଆରି କରିପାରି ନାହାନ୍ତି । ତେବେ ୨୨ ଅକ୍ଟୋବର ହେଉଛି ସେହି ତାରିଖ ଯେଉଁଦିନ ବିଶ୍ୱର ବୃହତ୍ତମ ଫାର୍ମା କମ୍ପାନୀଗୁଡ଼ିକ ସେମାନଙ୍କର କରୋନା ଟିକାର ତଥ୍ୟ ପ୍ରକାଶ କରିବେ ।

ପ୍ରଭାବଶାଳୀ ଟିକା ପ୍ରସ୍ତୁତିରେ ଅକ୍ଟୋବର ୨୨ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଏହି ଟିକାକୁ ନେଇ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ ସେବେ ଜାଣିବା କେଉଁ କମ୍ପାନୀର ଟିକା କରୋନା ଭୂତାଣୁ ବିରୁଦ୍ଧରେ କେତେ ପ୍ରଭାବଶାଳୀ ରହିବ । ଗୁରୁବାର ଦିନ ଆମେରିକାର ମାଡର୍ନା ଏବଂ ଫାଇଜର ସହିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକା ସମ୍ବନ୍ଧୀୟ ତଥ୍ୟ ଆସିପାରେ । ଏଥିମଧ୍ୟରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ତଥ୍ୟ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହାର ପରୀକ୍ଷା ଭାରତରେ ଚାଲିଛି । ଆଇସିଏମ୍ଆର ତତ୍ତ୍ୱାବଧାନରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଭିନ୍ନ ସ୍ଥାନରେ ‘କୋଭିସିଲ୍ଡ’ ଟିକାର ପରୀକ୍ଷଣ ଚାଲିଛି ।

ନିକଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତ ବାୟୋଟେକ୍ ସହିତ ସେମାନଙ୍କର ଟିକା ପରୀକ୍ଷଣ ଏବଂ ବିତରଣର ସ୍ୱାକ୍ଷର କରିଛି । କମ୍ପାନୀ ଏହା ବ୍ୟତିତ ନୋଭାଭାକ୍ସ ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ସହିତ ମଧ୍ୟ ଡିଲ ସ୍ୱାକ୍ଷର କରିଛି । ଭରତ ବାୟୋଟେକ୍ ସହିତ ହୋଇଥିବା ଚୁକ୍ତି ହେଉଛି ନାସାଲ୍ ଟିକା ପାଇଁ । ମିଳିତ ଭାବରେ, ସେମାନେ ୩ୟ ପର୍ଯ୍ୟାୟ ପରୀକ୍ଷା କରିବେ । ଅନ୍ୟପକ୍ଷରେ, ଭରତ ବାୟୋଟେକ ଏକ ଆମେରିକୀୟ କମ୍ପାନୀ ସହିତ ଯଡ଼ିତ ହୋଇଛି । ଯାହା ଦ୍ୱାରା ଆମେରିକାରେ ମଧ୍ୟ ଏହି ଟିକା ପରୀକ୍ଷା କରାଯାଇପାରିବ । ଖବର ଅନୁଯାୟୀ ଆସନ୍ତା ବର୍ଷ ଦ୍ୱିତୀୟ ତ୍ରୟ ମାସିକରେ ଏହି ଟିକା ବାହାରିବ ବୋଲି ଆଶା କରାଯାଉଛି ।

ଆମେରିକୀୟ କମ୍ପାନୀ ଫାଇଜର ଜର୍ମାନର ବାୟୋଏନ୍‌ଟେକ୍ ସହଯୋଗରେ ଏହି ଟିକା ପ୍ରସ୍ତୁତ କରିଛି । ନଭେମ୍ବର ସୁଦ୍ଧା ଜରୁରୀକାଳୀନ ବ୍ୟବହାର ପାଇଁ ଟିକା ଅନୁମୋଦନ କରିବାକୁ କମ୍ପାନୀ ଚେଷ୍ଟା କରୁଛି । କମ୍ପାନୀ ଅକ୍ଟୋବର ୨୨ ରେ ୪୪,୦୦ ଲୋକଙ୍କ ଉପରେ ହୋଇଥିବା ପରୀକ୍ଷାର ସୁରକ୍ଷା ତଥ୍ୟ ପ୍ରକାଶ କରିବ । ତେବେ ଟିକା କେବେ ଉପଲବ୍ଧ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । କମ୍ପାନୀର ମୂଲ୍ୟ ନୀତି ଯୋଗୁଁ ଏହି ଟିକା ବହୁତ ମହଙ୍ଗା ହେବ । ତେବେ ଗତ ସପ୍ତାହରେ ଜନସନ ଆଣ୍ଡ ଜନସନର ଟିକା ପରୀକ୍ଷା ବନ୍ଦ ହୋଇଯାଇଥିଲା କାରଣ କିଛି ସ୍ୱାଚ୍ଛାସେବୀଙ୍କଠାରେ କିଛି ‘ରୋଗ’ ଦେଖାଯାଇଥିଲା ।

ଆମେରିକୀୟ ହିନ୍ଦୁଙ୍କୁ ପସନ୍ଦ ଆସିଲାନି କମଲାଙ୍କ ଦୁର୍ଗାବତାର ,ଟ୍ୱିଟ୍ କରି ଅଡୁଆରେ ଝିଆରି

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ନିର୍ବାଚନରେ ଡେମୋକ୍ରେଟିକ ପାର୍ଟି ତରଫରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା କମଲା ହୈରିସଙ୍କ ବଢ଼ିଛି ଅଡ଼ୁଆ । ଭାରତୀୟ ବଂଶୋଦ୍ଭବ କମଲା ହୈରିସଙ୍କ ଝିଆରୀ ଏକ ଫଟୋ ଟ୍ୱିଟ କରିଥିଲେ ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ତାଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛି । ଟ୍ୱିଟରେ କମଲାଙ୍କୁ ମାଆ ଦୁର୍ଗାଙ୍କ ରୂପରେ ଦର୍ଶାଯାଇଥିବାବେଳେ ଡୋନାଲ୍ଟ ଟ୍ରମ୍ପଙ୍କୁ ମହିଷାସୁର ଏବଂ ବିଡେନଙ୍କୁ ମାଆ ଦୁର୍ଗାଙ୍କ ବାହନ ରୂପେ ଦର୍ଶାଯାଇଥିଲା ।

ତେବେ ଟ୍ୱିଟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରିବାପରେ କମଲା ହୈରିସଙ୍କ ଝିଆରୀ ମୀନା ହୈରିସ ଟ୍ୱିଟକୁ ଡିଲଟ୍ କରିଦେଇଥିଲେ । ୩୫ ବର୍ଷିୟା ମୀନା ହୈରିସ ପେଶାରେ ଜଣେ ଓକିଲ ଅଟନ୍ତି ଏବଂ Phenomenon Women Action Campaignର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ତେବେ କମଲା ହୈରିସଙ୍କ ସମର୍ଥନରେ ସେ ଲଗାତାର ଭାବେ ଟ୍ୱିଟ କରିଆସୁଛନ୍ତି ।

ଧାର୍ମିକ ଫଟୋକୁ ନେଇ ଦିଶା ନିର୍ଦ୍ଦେଶ

ମୀନାଙ୍କ ଏହି ଟ୍ୱିଟର ଜବାବ ଦେଇ ହିନ୍ଦୁ ଆମେରିକା ଫାଉଣ୍ଡେସନର ସୁହାଗ ଏ ଶୁକ୍ଲା ଲେଖିଛନ୍ତି ଯେ, ‘ଆପଣ ମାଆ ଦୁର୍ଗାଙ୍କ ଯେଉଁ ଫଟୋକୁ ସେୟାର କରିଛନ୍ତି ଏବଂ ସେଥିରେ ମାଆଙ୍କ ମୁହଁରେ ଅନ୍ୟ କାହାର ମୁହଁ ଯୋଡ଼ାଯାଇଛି, ଏଥିରେ ବିଶ୍ୱବ୍ୟାପି ହିନ୍ଦୁ ସମୁଦାୟର ଅନେକ ଲୋକ ବ୍ୟଥିତ ଅଟନ୍ତି । ’ ଏହା ବ୍ୟତୀତ Hindu Against Defamation ର ଅଜୟ ଶାହା ଏକ ବୟାନରେ କହିଛନ୍ତି ଯେ, ଏହି ଫଟୋଟି ଆପତ୍ତିଜନକ ଅଟେ ଏବଂ ଏଥିପାଇଁ ଧାର୍ମିକ ଅନୁଷ୍ଠାନ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ଆମେରିକାରେ ବାସ କରୁଥିବା ହିନ୍ଦୁମାନଙ୍କର ଏହି ସଂଗଠନ ଦେବତା କିମ୍ବା ଧର୍ମ ସହ ଜଡିତ କୌଣସି ଚିତ୍ରର ବ୍ୟବସାୟିକ ବ୍ୟବହାର ସମ୍ବନ୍ଧରେ ନିର୍ଦ୍ଦେଶ ଜାରି କରିଛି । ଅନ୍ୟପଟେ ଆମେରିକା ପଲିଟିକାଲ ଆକ୍ସନ କମିଟିର କହିବା ଅନୁଯାୟୀ ଏହି ଫଟୋ କମଲା ହୈରିସ ପ୍ରସ୍ତୁତ କରିନାହାନ୍ତି ଏବଂ ଏହା ପୂର୍ବରୁ ହ୍ୱାଟସଆପରେ ଭାଇରାଲ ହୋଇଥିଲା । ସେ ଏହାମଧ୍ୟ କହିଛନ୍ତି ଯେ, ବିଡେନଙ୍କ ନିର୍ବାଚନୀ ଅଭିଯାନରୁ ଜଣାପଡୁଛି ଯେ, ଏହି ଫଟୋଟି ତାଙ୍କ ତରଫରୁ ପ୍ରସ୍ତୁତ କରାଯାଇନାହିଁ ।

ବିକାଶ ଦିଗରେ ସ୍ୱାଭିମାନ ଅଞ୍ଚଳ, ବିଚ୍ଛିନ୍ନାଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳରେ ଗଡ଼ିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ସେବାକୁ ଉଦ୍‌ଘାଟନ କଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା । ଦୀର୍ଘଦିନର ଦାବି ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସ ଯୋଡ଼ାଆମ୍ବ ହସ୍ପିଟାଲରେ ରହି ସ୍ଥାନୀୟ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବ । ପୂର୍ବରୁ ଏହି ଅଞ୍ଚଳରେ ରୋଗୀମାନଙ୍କୁ ଖଟିଆ ଓ ବାଉଁଶ ଭାରରେ ମେଡିକାଲ ନିଆଯାଉଥିଲା । ଫଳରେ ଅଧିକାଂଶ ସମୟରେ ଚିକିତ୍ସା ବିନା ପ୍ରାଣ ହରାଉଥିଲେ ରୋଗୀ । ତେବେ ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ଦ୍ୱାରା ରୋଗୀ କମ ସମୟରେ ହସ୍ପିଟାଲ ପହଞ୍ଚି ନିଜର ଚିକିତ୍ସା କରାଇ ପାରିବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ୨୦୧୯ ଡିସେମ୍ବର ୧୯ରେ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିଲା ୧୦୮ ବୋଟ ଆମ୍ବୁଲାନ୍ସ ସେବା । ରାଜ୍ୟ ସରକାରଙ୍କ ତରଫରୁ ଏହି ସେବାକୁ ଉଦଘାଟନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହି ବୋଟ ଚାଲିବା ଦ୍ୱାରା ୫ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକଙ୍କୁ ସେବା ଯୋଗାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳର ଉନ୍ନତି ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ସ୍ୱାଭିମାନ ଅଞ୍ଚଳ ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇଛି । ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଦୁଃଖକଷ୍ଟରେ ଜୀବନ ବିତାଉଥିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳବାସୀ । ପ୍ରାୟ ୭୦ ବର୍ଷ ହେବ ଭୋଗୁଥିଲେ ଜଳବନ୍ଦୀ କଷ୍ଟ । ମାଓ ଭୟ କାରଣରୁ ନାଁ ପହଞ୍ଚିପାରୁଥିଲା ସରକାରୀ ସେବା ନାଁ ମିଳିପାରୁଥିଲା ମୌଳିକ ସୁବିଧା । ସାଧାରଣ ସୁବିଧାରୁ ବଞ୍ଚିତ ହେଉଥିଲେ ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗାଁର ବାସିନ୍ଦା । ହେଲେ ୨୦୧୮ ମସିହା ସେମାନଙ୍କ ପାଇଁ ପାଲଟିଲା ବିକାଶର ବର୍ଷ । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ଭାବେ ଗଢି ତଳିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଖୁବ୍ ଶୀଘ୍ର ବିଦା ହେବେ ୟେଦୁରପ୍ପା! ଜାଣନ୍ତୁ କାହିଁକି ….

ବେଙ୍ଗଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଖୁବ୍ ଶୀଘ୍ର ବିଦା ହେଉଛନ୍ତି । କର୍ଣ୍ଣାଟକର ସଂଖ୍ୟାଧିକ ବିଧାୟକ ଏବଂ ଶୀର୍ଷ ଭାଜପା ନେତୃତ୍ୱ ତାଙ୍କ ଉପରେ ଖୁସି ନାହାନ୍ତି । ତେଣୁ କିଛିମାସ ମଧ୍ୟରେ ବି.ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରିତ କରାଯିବ । ଆଉ ଜଣେ ଉତ୍ତର କର୍ଣ୍ଣାଟକ ବରିଷ୍ଠ ନେତାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଖୋଦ୍ ଭାଜପା ନେତା କହି ବୁଲିଲେଣି ।  ଏହି କାରଣରୁ ନିକଟରେ ୟେଦୁରପ୍ପା ନୂଆଦିଲ୍ଲୀ ଗସ୍ତ କରିବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ପରୋକ୍ଷରେ ଏ ନେଇ ନଡ୍ଡା ତାଙ୍କୁ ପରବର୍ତ୍ତୀ ରାଜନୈତିକ ପଦକ୍ଷେପର ସୂଚନା ଦେଇଥିବା ବିଜେପି ସୂତ୍ରରୁ ଖବର ମିଳିଛି ।

ଭାଜପା ବିଧାୟକ ବସନଗୌଡ଼ ୟାଟନାଲ ଖୋଲାଖୋଲି ଏହି କଥା ଗଣମାଧ୍ୟମରେ କହି ବୁଲୁଛନ୍ତି । ଏପରିକି ଆସନ୍ତା ବର୍ଷ ମାର୍ଚ୍ଚମାସ ପୂର୍ବରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବେ ବୋଲି ସେ କହିଛନ୍ତି । ବିଜେପି ସାଧାରଣତଃ ୭୫ ବର୍ଷ ଯାଏ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରଖିଥାଏ । ଏହି ନିୟମ ଆଧାରରେ ଅତୀତରେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ କ୍ୟାବିନେଟରୁ ଅପସାରିତ କରାଯାଇଛି । ସେହି ଦୃଷ୍ଟିରୁ ଦେଖିଲେ ୟେଦୁରପ୍ପାଙ୍କ ବୟସ ୭୭ ଛୁଇଁଲାଣି । ତେଣୁ ତାଙ୍କୁ ସମ୍ମାନପୂର୍ବକ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ କୁହାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି ।  କେବଳବସନଗୌଡ଼ ନୁହଁନ୍ତି  ଉମେଶ କଟି ମଧ୍ୟ ସମାନ ମନ୍ତବ୍ୟ ରଖିଛନ୍ତି । ଏ ସମ୍ପର୍କିତ ବସନଗୌଡ଼ଙ୍କ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

କେତେକ କୁହନ୍ତି ଯେ, କର୍ଣ୍ଣାଟକରେ ଭାଜପାର ଅଭ୍ୟୁଦୟ ପଛରେ ୟେଦୁରପ୍ପାଙ୍କ ଭୂମିକା ରହିଛି । ତେଣୁ ତାଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ ଭାବେ ମଧ୍ୟ ନିୟୋଜିତ କରାଯାଇପାରେ । ସେହିପରି ତାଙ୍କ ପୁଅ ବି.ୱାଇ ବିଜେନ୍ଦ୍ରଙ୍କୁ ମଧ୍ୟ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ ବୋଲି ଆଲୋଚନା ହେଉଛି ।

ଉତ୍ତରପ୍ରଦେଶର ଏହି ମନ୍ଦିରରେ ପୂଜା ପାଆନ୍ତି ଉଭୟ ରାମ ଓ ରାବଣ, ଜାଣନ୍ତୁ କ’ଣ ରହିଛି ଏହି ବିରଳ କାହାଣୀ

ନୋଏଡ଼ା: ଶିବପୁରାଣରେ ଗୌତମ ବୁଦ୍ଧ ନଗରର ବିସରଖ ଗାଁ ବିଷୟରେ ବର୍ଣ୍ଣନା ହୋଇଛି । କୁହାଯାଏ, ବିସରଖ ଗାଁରେ ଋଷି ବିଶ୍ରବାଙ୍କର ଏକ ପୂତ୍ର ସନ୍ତାନ ଜନ୍ମ ହୋଇଥିଲା, ଯାହାର ନାମ ଥିଲା ରାବଣ । ବିଶ୍ରବା ଋଷି ଗାଁରେ ଏକ ଅଷ୍ଟଭୂଜୀ ଶିବଲିଙ୍ଗ ସ୍ଥାପନ କଲେ । ଏହା ଆଜି ମଧ୍ୟ ପୂରା ବୈଭବ ସହିତ ସେଠାରେ ବିଦ୍ୟମାନ । ଗାଁରେ ରାମ ଏବଂ ରାବଣଙ୍କୁ ପୂଜା ତ କରାଯାଏ, କିନ୍ତୁ ରାମଲୀଳାର ଆୟୋଜନ କରାଯାଏ ନାହିଁ । ପ୍ରତିବର୍ଷ ଭଳି ଏହିଥର ଦଶହରାରେ ରାମ ଏବଂ ରାବଣଙ୍କୁ ପୂଜା କରାଯିବ ।

 

ଶ୍ରୀ ମୋହନ ଯୋଗ ଆଶ୍ରମ ଟ୍ରଷ୍ଟ ବିସରଖ ଧାମର ଟ୍ରଷ୍ଟି ଆଚାର୍ଯ୍ୟ ଅଶୋକାନନ୍ଦ ମହାରାଜ କହିଛନ୍ତିଯେ, ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାମ ଓ ରାବଣଙ୍କ ଖାସ ପୂଜା କରାଯିବ । ପୂଜା ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ ସମସ୍ତ ନିୟମ ପାଳନ କରାଯିବ । ଦଶହରା ଦିନ ପୂଜାର୍ଚ୍ଚନା କରିବା ପାଇଁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସନ୍ତି । ତେବେ ଏହା ପ୍ରଥମ ମନ୍ଦିର ଯେଉଁଠି ରାମ ଓ ରାବଣ ପୂରା ବୈଭବ ସହିତ ବିଦ୍ୟମାନ ହୋଇଥିବା କହିଛନ୍ତି ଟ୍ରଷ୍ଟିର ଆଚାର୍ଯ୍ୟ ।

ଏଠାରେ ନା ରାମଲୀଳା ହୁଏ ନା ରାବଣ ପୋଡ଼ି । ଅବଶ୍ୟ ବହୁ ବର୍ଷ ପୂର୍ବେ ଗାଁରେ ରାମଲୀଳାର ଆୟୋଜନ କରାଯାଉଥିଲା । ସେହି ସମୟରେ ଗାଁରେ ଜଣଙ୍କର ମୃତ୍ୟୁ ହୋଇଗଲା । ଯେଉଁଥିପାଇଁ ରାମଲୀଳା ଅଧା ରହିଗଲା । ଦ୍ୱିତୀୟ ଥର ପାଇଁ ଗାଁ ଲୋକ ରାମଲୀଳାର ଆୟୋଜନ କରିଥିଲେ, କିନ୍ତୁ ପୂର୍ବଥର ଭଳି ସେହିଥର ମଧ୍ୟ କୌଣସି କାରଣରୁ ତାହା ସଂପୂର୍ଣ୍ଣ ହୋଇପାରିଲା ନାହିଁ । ବାରମ୍ବାର ବିଘ୍ନ ଘଟୁଥିବାରୁ ସେହି ଦିନଠାରୁ ରାମଲୀଳା ବନ୍ଦ ହୋଇଗଲା ।

ବିସରଖ ଗାଁରେ ଏକ ଶିବମନ୍ଦିର ରହିଛି । କୁହାଯାଏ, ସେଠାରେ ଥିବା ଅଷ୍ଟଭୂଜୀ ଶିବଲିଙ୍ଗକୁ ରାବଣଙ୍କ ବାପା ସ୍ଥାପନ କରିଥିଲେ । ତାହାର ଗଭୀରତା କେତେ ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅଶୋକ ମହାରାଜଙ୍କ କହିବା ଅନୁସାରେ ରାବଣ ମଧ୍ୟ ଏହି ଅଷ୍ଟଭୂଜୀ ଶିବଲିଙ୍ଗକୁ ପୂଜା କରୁଥିଲା । ରାବଣର ପୂଜାରେ ଖୁସି ହୋଇ ପ୍ରଭୁ ଶିବ ତାକୁ ବୁଦ୍ଧିମାନ ଏବଂ ପରାକ୍ରମୀର ହେବାର ଦେଇଥିଲେ । ତେବେ ଖୋଳିଲେ ଆଜି ମଧ୍ୟ ସେଠାରେ ଶିବଲିଙ୍ଗ ବାହାରେ ବୋଲି ଏଠାରେ ପୂଜା କରିବାକୁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ।