spot_img
Home Blog Page 6563

ଲଘୁଚାପ ପ୍ରଭାବରେ ୧୯ ସନ୍ଧ୍ୟାରୁ ବର୍ଷା…

ଭୁବନେଶ୍ୱର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ବର୍ଷା ଆଶଙ୍କା ବଢିଛି ।  ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ପ୍ରଭାବରେ ୧୯ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ । ବିଶେଷକରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  । ରାଜ୍ୟରେ ବର୍ଷା ଏ ନେଇ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାକୁ କରାଯାଇଛି ଆଲର୍ଟ । ପରିସ୍ଥିତିକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କଲା ଡିସି, ୧୪ ପଏଣ୍ଟ ରେ ଆଗୁଆ ଦିଲ୍ଲୀ କ୍ୟାପିଟାଲ

ଦୁବାଇ: ଆଇପିଏଲର ୧୩ ତମ ସିଜନର ୩୪ ତମ ମ୍ୟାଚକୁ ଦିଲ୍ଲୀ କ୍ୟାପିଟାଲ ହାତେଇ ନେଇଛି। ଶନିବାର ରାତିରେ
ଶାରଜାଠାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କୁ ୫ ୱିକେଟରେ ପରାସ୍ତ କରିଛି ଡିସି । ଦିଲ୍ଲୀ ୧୯.୦୫ ଓଭରରେ ୧୮୫/୫ ରନ୍ ସ୍କୋର କରି ବିଜୟ ଲକ୍ଷ୍ୟ ହାସଲ କରିଛି । ଶିଖର ଧାୱନ ଚେନାଇ ବିପକ୍ଷରେ ୫୮ ବଲରେ ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୫ଟି ବଲରେ ୨୧ ରନ କରି ତିନିଟି ଛକା ମାରି ଜିତାଇଥିଏ।

ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ ପୁଣି ଥରେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚି ଶକ୍ତି ସହିତ ଆଗକୁ ବଢ଼ିଛି । ୭ ଟି ବିଜୟ ସହିତ ଡିସି ୧୪ ପଏଣ୍ଟ ହାସଲ କରିଛି। ଚେନ୍ନାଇର ମ୍ୟାଚ୍‌ରେ ଏହା ଷଷ୍ଠ ପରାଜୟ ଥିଲା ।

ନବୀନ ଆସିଲେ ବିକାଶ ଦେଖିଲେ, ଘଣ୍ଟାଏ କାଳ ବୁଲି ବୁଲି ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କଲେ

ଭୁବନେଶ୍ୱର: ନବୀନ ଆସିଲେ ବିକାଶ ଦେଖିଲେ । ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆଜି ଅପରାହ୍ନରେ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି । ଅଚାନକ ଗସ୍ତ କରି ପୁରୀରେ ପହଞ୍ଚି ପ୍ରଥମେ ସେ ସିଂହଦ୍ୱାରରୁ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାପରେ ସେ ଶ୍ରୀମନ୍ଦିର ଚାରିକଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣର ତଦାରଖ କରିଥିଲେ ।

ବିଶେଷକରି ୭୫ମିଟର ଉଚ୍ଛେଦ କାମ କେତେ ବାଟ ଆଗେଇଛି ସେ ନେଇ ସମୀକ୍ଷା କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରୁ ବୁଲିବା ଆରମ୍ଭ କରି ବାକି ତିନି ଦ୍ୱାର ବୁଲିବା ସହ ପ୍ରକଳ୍ପ କାମ ବାବଦରେ ପଚାରି ବୁଝିଥିଲେ ।

ଏହି ସମୟରେ ତାଙ୍କ ସହ ଉପସ୍ଥିତି ଥିଲେ ୫-T ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପ କାମ ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ । ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ୫୯୦ କୋଟିର ୭ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଆଗକୁ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର । ଜେଲରୋଡ ଓ ମୁନିସିପାଲିଟି ମାର୍କେଟର ଏକ୍ସଟେନସନ କାମ ଆରମ୍ଭ ହୋଇଯାଇଛି । ଏହାସହ ପ୍ରସ୍ତାବିତ ଶ୍ରୀସେତୁ, ମହାବୋଧି ମାର୍କେଟ, ମୂଷାନଈର ସୌନ୍ଦର୍ଯ୍ୟକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ରିଷନ କୁମାର । କରୋନା ଯୋଗୁଁ ପୁରୀରେ ପ୍ରକଳ୍ପ କାମ ବନ୍ଦ ରହିଥିଲା ।

କଟକଣା କୋହଳ ହେଲା ପରେ ଏବେ ହେରିଟେଜ ବିକାଶ କାମ ଦ୍ରୁତଗତିରେ ଆଗେଇ ଚାଲିଛି  । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ୱାରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଡଗ ସ୍କ୍ୱାଡ, ବମ ସ୍କ୍ୱାଡ ମୁତୟନ ହୋଇଥିଲା ।

ଶସ୍ତା ହେଲା ୫,୦୦୦mAh ବ୍ୟାଟେରୀ ବିଶିଷ୍ଟ Vivo Y30, ଏବେ ମାତ୍ରା ୧୩,୯୯୦ରେ କିଣନ୍ତୁ ଏହି ଫୋନ

ଭାରତରେ Vivo Y30 ମୋବାଇଲର ଦାମ ୧୦୦୦ ଟଙ୍କା କମ କରାଯାଇଛି । ଗ୍ରାହକ ନୂଆ ଦାମକୁ ଆମାଜନ ଏବଂ Vivo ଇଣ୍ଡିଆର ୱେବସାଇଟରେ ଦେଖିପାରିବେ । ଏହି ଫୋନ ସିଙ୍ଗଲ ରାମ ଅପସନ ଏବଂ ଦୁଇଟି କଲର ଅପସନରେ ଆସୁଛି । ଏହି ଅପସନସ୍ ଏମରାଲ୍ଡ ବ୍ଲାକ ଏବଂ ଡେଜଲ ବ୍ଲୁରେ ଆସିବ ।

Vivo Y30ର ଦାମ ଏବେ ୧୪,୯୯୦ ଟଙ୍କାକୁ କମିଯାଇ ୧୩,୯୯୦ ଟଙ୍କା ହୋଇଯାଇଛି । Vivo ଇଣ୍ଡିଆ ସାଇଟ ଦ୍ୱାରା ଫୋନରେ କିଛି ଅଫର୍ସ ମଧ୍ୟ ଦିଆଯାଇଛି । ଗ୍ରାହକଙ୍କୁ ICICI ବ୍ୟାଙ୍କ କ୍ରେଡିଟ କାର୍ଡ EMI ଉପରେ ୧୦ ପ୍ରତିଶତ କ୍ୟାଶବ୍ୟାକ, କୋଟକ ମହିନ୍ଦ୍ରା ବ୍ୟାଙ୍କ କ୍ରେଡିଟ କାର୍ଡ EMI ଉପରେ ୧୦ ପ୍ରତିଶତ କ୍ୟାଶବ୍ୟାକ ଏବଂ ଅନ୍ୟ ବ୍ୟାଙ୍କ କ୍ରେଡିଟ କାର୍ଡ ଉପରେ ୧୨ ମାସ ପର୍ଯ୍ୟନ୍ତ ନୋ କାଷ୍ଟ EMI ପ୍ଲାନ ଅଫର ଦିଆଯାଉଛି ।

 Vivo Y30ର ସ୍ପେଶିଫିକେସନ

ଡୁଆଲ ସିମ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ ଏଣ୍ଡରଏଡ ୧୦ ବେଷ୍ଟ FuntouchOS ରେ ଚାଲିଥାଏ ଏବଂ ଏଥିରେ ୬.୪୭ ଇଞ୍ଚ HD+ (720×1,560 ପିକ୍ସେଲ ) LCD ଡିସପ୍ଲେ ଦିଆଯାଇଛି । ଏଥିରେ 4GB ରାମ ସହିତ ଅକ୍ଟା- କୋର MediaTek Helio P35 ପ୍ରୋସେସର ରହିଛି ।

ଫଟୋଗ୍ରାଫୀ ହିସାବରେ ଏଥିରେ କ୍ୱାର୍ଡ କ୍ୟାମେରା ସେଟଅପ ଦିଆଯାଇଛି । ଏହାର ପ୍ରାଇମର କ୍ୟାମେରା ୧୩ ମେଗା ପିକସେଲର ଅଟେ । ଏହା ବ୍ୟତୀତ ଏଥିରେ ୮ ଏମପି ସେକେଣ୍ଡାରୀ କ୍ୟାମେରା, ୨ ଏମପି କ୍ୟାମେରା ଏବଂ ୨ ଏମବି ଡେପଥ୍ ସେନସର ମିଳିଥାଏ । ସେଲ୍ଫୀ ପାଇଁ ଏଥିରେ ୮ ଏମପି କ୍ୟାମେରା ରହିଛି ।

Vivo Y30 ର ଇଣ୍ଟରନାଲ ମେମୋରୀ ୧୨୮ ଜିବିର ଅଟେ । ଯାହାକୁ କାର୍ଡ ସାହାଯ୍ୟରେ ୨୫୬ ଜିବି ଯାଏ ବଢ଼ାଯାଇପାରିବ । ଏହାର ବ୍ୟେଟେରୀ ୫,୦୦୦mAh ର ରହିଛି ।

କଙ୍ଗନାଙ୍କ ବିରୋଧରେ ବାନ୍ଦ୍ରା ଥାନାରେ FIR, ଧର୍ମନିରପେକ୍ଷ ମାହୋଲ ବିଗାଡିବା ନେଇ ହୋଇଛି ଅଭିଯୋଗ

ପୁଣି ଫସିଲେ କଙ୍ଗନା ରାଣାୱତ । ଧର୍ମନିରପେକ୍ଷ ମାହୋଲ ବିଗାଡିବା ପାଇଁ ଅପଚେଷ୍ଟା କରୁଥିବାରୁ ତାଙ୍କ ବିରୋଧରେ ରୁଜୁ ହେଲା ମାମଲା । ଏନେଇ ମହାରାଷ୍ଟ୍ରର ବାନ୍ଦ୍ରା କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଅଯଥା ଟୁଇଟ କରି ସେ ମାହୋଲକୁ ବିଗାଡିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଥିସହ ସେ ବଲିଉଡକୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ବଲିଉଡ କଳାକାର ।

ବିବାଦ କଙ୍ଗନାଙ୍କ ପିଛା ଛାଡୁନି । ପଛକୁ ପଛ ବିବାଦ ଆସି ଅଭିନେତ୍ରୀ କଙ୍ଗନା ରାଣାୱତ ଆଇନକାନୁନର ଫନ୍ଦି ଭିତରେ ଫସେଇ ଦେଉଛନ୍ତି । ଏଥର କିନ୍ତୁ ଆସିଛି ସାଂଘାତିକ ଅଭିଯୋଗ । କଙ୍ଗନା ଦେଶର ଧର୍ମନିରପେକ୍ଷ ମାହୋଲକୁ ଉସକେଇଲା ଭଳି ଟୁଇଟ କରିଛନ୍ତି । ଏଭଳି ଅଭିଯୋଗକୁ ମହାରାଷ୍ଟ୍ରର ବାନ୍ଦ୍ରା କୋର୍ଟ ଗୁରୁତର ସହ ନେଇଛନ୍ତି । କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲା ।

ବଲିଉଡର କାଷ୍ଟିଂ ଡାଇରେକ୍ଟର ସାହିଲ ଅସରଫ ପୂର୍ବରୁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ମାମଲା ରୁଜୁ କରିବା ପାଇଁ ଯାଇଥିବା ପୋଲିସ ତାଙ୍କ ଅଭିଯୋଗ ରଖିନଥିଲା । ଯାହାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅସରଫ । ଅଭିଯୋଗ ଅନୁସାରେ କଙ୍ଗନା ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁ ଓ ମୁସଲିମ କଳାକାରଙ୍କ ଭିତରେ ଫାଟ ସୃଷ୍ଟି କରିବା ପାଇଁ କଙ୍ଗନା ଗୋଟିଏ ପରେ ଗୋଟିଏ ଟୁଇଟ କରୁଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ବଲିଉଡ କଳାକାର ।

ଶୁଣାଣି ବେଳେ କଙ୍ଗନା କରିଥିବା କିଛି ଟୁଇଟକୁ ଆବେଦନକାରୀ କୋର୍ଟରେ ଉପସ୍ଥାପନ କରିଥିଲେ । ସିଆରପିସି ଧାରା ୨୯୫ (ଏ)  ୧୨୪ (ଏ)  ଅନୁସାରେ କଙ୍ଗନାଙ୍କ ଉପରେ ମାମଲା ରୁଜୁ ହୋଇଛି । ଏଥିସହ ତାଙ୍କୁ ଖୁବଶୀଘ୍ର ପଚରାଉଚରା ମଧ୍ୟ କରାଯିବ । ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିଲେ କଙ୍ଗନା ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଭାରତରେ ଋଷିଆ ଟିକାର ହ୍ୟୁମାନ୍ ଟ୍ରାଏଲକୁ ଅନୁମତି…

ନୂଆଦିଲ୍ଲୀ: ସ୍ପୁଟିନିକ୍-ଭି ପରୀକ୍ଷଣକୁ ଗ୍ରୀନ ସିଗ୍‌ନାଲ । ଭାରତରେ ଋଷିଆ ଟିକା ସ୍ପୁଟିନିକ୍‌-ଭି’ର ହ୍ୟୁମାନ ଟ୍ରାଏଲକୁ ମିଳିଲା ଅନୁମତି । ଡିସିଜିଆଇ ପକ୍ଷରୁ ଏହାର ପରୀକ୍ଷଣ ନେଇ ଅନୁମତି ମିଳିଛି । ଡକ୍ଟର ରେଡି ଫାର୍ମା କମ୍ପାନୀ ପକ୍ଷରୁ ଭାରତରେ ରଷିଆ ଭ୍ୟାକସିନ ସ୍ପୁଟିନିକ-ଭିର ପରୀକ୍ଷଣ କରାଯିବ । ୪୦ ହଜାର ଲୋକଙ୍କୁ ନେଇ ଡକ୍ଟର ରେଡି ଲ୍ୟାବ ଭାରତରେ ସ୍ପୁଟିନିକ-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବ ।

ଭ୍ୟାକସିନର ନିରାପତ୍ତା ଓ କାର୍ଯ୍ୟକାରିତା ନେଇ ପରୀକ୍ଷା କରିବା ପୂର୍ବରୁ ସ୍ପୁଟିନିକ ଭ୍ୟାକସିନକୁ ନେଇ ବିବାଦ ଦେଖାଦେଇଥିଲା, ଯାହାଫଳରେ ଏହାର ପରୀକ୍ଷଣ ଉପରେ ରୋକ ଲଗାଇଥିଲା ଡିସିଜିଆଇ । ସ୍ପୁଟିନିକ-ଭି ବିଶ୍ବର ପ୍ରଥମ କୋଭିଡ ଭ୍ୟାକସିନ । ଏହି ଭ୍ୟାକସିନ ସମସ୍ତ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିନଥିବାକୁ ଏହାର ବ୍ୟବହାରକୁ ନେଇ ସାରା ବିଶ୍ବରେ ବିବାଦ ଦେଖା ଦେଇଥିଲା । ଅନେକ ବୈଜ୍ଞାନିକ ଏହାର ପରୀକ୍ଷଣ ନେଇ ପ୍ରଶ୍ନ ଉଠାଇଥିଲେ ।

ପୂଜା ମଣ୍ଡପରେ ଦେବୀ ଦୂର୍ଗାଙ୍କ ସ୍ଥାନରେ ପୂଜା ପାଇବ ପ୍ରବାସୀ ମହିଳାଙ୍କ ପ୍ରତିମୂର୍ତ୍ତି

କୋଲକାତା: କରୋନା ସମୟରେ ଯଦି କେହି ଅଧିକ କଷ୍ଟ ସହିଥାଏ, ସେ ହେଉଛନ୍ତି ପ୍ରବାସୀ ଶ୍ରମିକ । ଗାଡ଼ି ମଟର ଚଳାଚଳ ବନ୍ଦ ଏମାନଙ୍କ ପାଇଁ ଥିଲା ବୋଝ ଉପରେ ନଳିତା ବିଡ଼ା । ଲୁହଲହୁକୁ ଏକାଠି କରି ଚାଲିଚାଲି ନିଜ ରାଜ୍ୟକୁ ଫେରିବାକୁ ସେମାନେ ଅଣ୍ଟା ଭିଡ଼ିଥିଲେ । ସେଇ ଚିତ୍ର ସବୁ ଆଗକୁ ମଧ୍ୟ ଆମ ସ୍ମୃତିରେ ତାଜା ହୋଇ ରହିବ । ଲକଡାଉନ୍ କରୋନାକୁ ପ୍ରତିହତ କରିବା ପାଇଁ ଥିଲା । କିନ୍ତୁ ଲକଡାଉନ୍ ଅନେକଙ୍କ ଜୀବିକାକୁ ଲକ୍ କରିଦେଇଥିଲା । ଭୋକ ଭୂତାଣୁ ଭୟ ଉପରେ ଭାରି ପଡିଥିଲା । ଭୋକ ଦାଉରେ ପାଦ ଭିଟାମାଟି ଆଡକୁ ଚାଲିଥିଲା । ହଜାର ହଜାର କିଲୋମିଟର । ଉଦୁଉଦିଆ ଦି’ପହର । କିଛି ମଧ୍ୟ ଅଟକାଇ ପାରିନଥିଲା ସେମାନଙ୍କୁ । ନା ପୋଲିସର ମାଡ ନା ଭୂତାଣୁର ଡର । କେଉଁଠି ମା’ ପିଲାକୁ କାନ୍ଧରେ ପକାଇ, କେଉଁଠି ଟ୍ରଲି ଉପରେ ଶୋଇଥିବା ପିଲାକୁ ଭିଡିଭିଡି ନିଜ ମାଟି ମୁହାଁ ହୋଇଥିଲେ ପ୍ରବାସୀ ଶ୍ରମିକ । ସେ ଚିତ୍ର ସବୁ ମନରୁ କେବେ ଲିଭିବାର ନାହିଁ । ଚିତ୍ର ଯାହା ସାମୁହିକ ସ୍ମୃତି ପଟଳରେ ସବୁଦିନ ପାଇଁ ଅଲିଭା ହୋଇ ରହିଯିବ ।

ଦିନ କେଇଟା ପରେ ପୂଜା ମଣ୍ଡପରେ ପୂଜା ପାଇବେ ଜଗତଜନନୀ ମା ଦୂର୍ଗା । ସେଇ ପ୍ରବାସୀ ଶ୍ରମିକଙ୍କ ସଂଘର୍ଷ ବିଶେଷକରି ମା’ମାନଙ୍କର ପ୍ରତିକୂଳ ପରିସ୍ଥିତିରେ ନିଜ ପିଲାଙ୍କ ପାଇଁ ମମତାର କାହାଣୀକୁ ଏଥରକ ମନେ ପକାଉଛି କୋଲକାତାର ଏକ ପୂଜା ମଣ୍ଡପ । କୋଲକାତାର ଏକ ପୂଜା ମଣ୍ଡପରେ ମା ଦୂର୍ଗାଙ୍କ ପରିବର୍ତ୍ତେ ପୂଜା ପାଇବ ମହିଳା ପ୍ରବାସୀ ଶ୍ରମିକଙ୍କ ପ୍ରତିମୂର୍ତ୍ତି । ଯେଉଁଥିରେ ନଜର ଆସିବ କରୋନା ସମୟର ସଂଘର୍ଷର କାହାଣୀ । ଉଦୁଉଦିଆ ଖରାବେଳେ କୁନି ଶିଶୁକୁ କାନ୍ଧରେ ଧରି କିଭଳି ନିସହାୟ ମା ସଂଘର୍ଷ କରୁଥିଲା ତାହା ପ୍ରତିମୂର୍ତ୍ତି ମାଧ୍ୟମରେ ଦେଖିବାକୁ ପାଇବେ ଭକ୍ତ । ତେବେ ’ଚାଲିବାକୁ ଅଛି ରାସ୍ତା ବହୁ ଦୂର’ ଥିମ ସହିତ ଏହି ମୂର୍ତ୍ତି ନିର୍ମାଣ ହୋଇଛି । ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ରହିଛି । ତେବେ ପ୍ରତ୍ୟେକ ମା ଯେ ଜଣେ ଦେବୀ ଏଥିରେ କୌଣସି ସନ୍ଦେହ ନାହିଁ ।

ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୮୪୨ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ତେବେ କରୋନା ସଂକ୍ରମଣ ଭିତରେ ଆଶ୍ୱସ୍ତି ଦେଉଛି କରୋନା କରୋନାରୁ ସୁସ୍ଥ ସଂଖ୍ୟା । ଆଜି ୨୮୪୨ ଜଣ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂଆ କରୋନା ରୋଗୀ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୪୪ ହଜାର ୨୨୭ ରହିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୪ ଜଣ ସୁସ୍ଥ ହୋଇଛନ୍ତି । କଟକରୁ ୨୩୭, ନୂଆପଡ଼ାରୁ ୧୬୧, ପୁରୀରୁ ୧୪୮, ସମ୍ବଲପୁରରୁ ୧୩୬, ଅନୁଗୁଳରୁ ୧୧୯, କଳାହାଣ୍ଡିରୁ ୧୧୭, ଝାରସୁଗୁଡ଼ାରୁ ୧୦୮, ଯାଜପୁରରୁ ୧୦୦, ମୟୂରଭଞ୍ଜରୁ ୯୨, ସୁନ୍ଦରଗଡ଼ରୁ ୯୧, ଜଗତସିଂହପୁରରୁ ୮୫, ନୟାଗଡ଼ରୁ ୭୮, କେନ୍ଦୁଝରରୁ ୬୮, ଢ଼େଙ୍କାନାଳରୁ ୬୦, ବଲାଙ୍ଗିରରୁ ୫୮, ନବରଙ୍ଗପୁରରୁ ୫୩, କନ୍ଧମାଳରୁ ୫୦, ସୋନପୁରରୁ ୪୮, କୋରାପୁଟରୁ ୪୧, ମାଲକାନାଗିରିରୁ ୪୧, ଗଞ୍ଜାମରୁ ୩୦, ବାଲାଶ୍ୱରରୁ ୨୭, ଭଦ୍ରକରୁ ୯୪, ବରଗଡ଼ରୁ ୯୩, ବୌଦ୍ଧରୁ ୨୧, ରାୟଗଡ଼ାରୁ ୧୮, ଦେଓଗଡ଼ରୁ ୧୭, ଗଜପତିରୁ ୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

 

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପତ୍ନୀ ଯୋଗିତାଙ୍କ ଉପରେ ଧମକ ଆରୋପ

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ଉପରେ ଦୁଷ୍କର୍ମ ଏବଂ ଜୋର ଜବରଦସ୍ତି ଗର୍ଭପାତ କରାଇବାର ଅଭିଯୋଗ ଆସିଛି । ଜଣେ ୩୮ ବର୍ଷିୟା ମହିଳା ମିଥୁନଙ୍କ ପୁଅ ବିରୋଧରେ ଗୁରୁବାର ରାତିରେ ଓଶିବାର ପୋଲିସ ଷ୍ଟେସନ FIR ଦାଖଲ କରିଛନ୍ତି । FIRରେ ମିଥୁନଙ୍କ ସ୍ତ୍ରୀ ଯୋଗିତା ବାଲିଙ୍କ ନାଆ ମଧ୍ୟ ଉଲ୍ଲେଖ କରାଯାଇଛି । ତାଙ୍କ ଉପରେ ପୀଡ଼ିତାଙ୍କୁ ଧମକାଇବାର ଅଭିଯୋଗ ରହିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ଖେଳି ଯାଇଛି ।

 ମିଥୁନଙ୍କ ପୁଅ ଉପରେ ଦୁଷ୍କର୍ମର ଅଭିଯୋଗ

ଦାଖଲ କରାଯାଇଥିବା FIR ମୁତାବକ ମହାକ୍ଷୟ ଚକ୍ରବର୍ତ୍ତୀ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆସିଛି । ପୀଡ଼ିତାଙ୍କ କହିବା ଅନୁଯାୟୀ ୨୦୧୫ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ମହାକ୍ଷୟ ସହିତ ରିଲେସନସିପରେ ଥିଲେ । ତାଙ୍କ କହିବା ଅନୁଯାୟୀ, ୨୦୧୫ ମସିହାରେ ସେ ଯେତେବେଳେ ମହାକ୍ଷୟଙ୍କ ଅନ୍ଧେରୀରେ ଥିବା ଘର ଦେଖିବାକୁ ଯାଇଥିଲେ, ସେତେବେଳେ ତାଙ୍କ ଡ୍ରିଙ୍କସରେ କିଛି ମିଶା ଯାଇଥିଲା ଏବଂ ପରେ ତାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରାଯାଇଥିଲା । ଏହାପରେ ପୀଡ଼ିତା ଗର୍ଭବତୀ ହୋଇଯାଇଥିଲେ ଏବଂ ମହାକ୍ଷୟ ତାଙ୍କୁ ଗର୍ଭପାତ କରିବା ପାଇଁ କହିଥିଲେ । ପୀଡ଼ିତାଙ୍କ କହିବା ଅନୁଯାୟୀ ତାଙ୍କୁ ନଜଣାଇ କିଛି ଔଷଧ ଖୁଆଇ ତାଙ୍କର ଗର୍ଭପାତ କରାଯାଇଥିଲା ।

 ସ୍ତ୍ରୀ ଯୋଗିତା ମଧ୍ୟ ଫସିଛନ୍ତି

FIR ଉଲ୍ଲେଖ କରାଯାଇଛି ଯେ, ଏହି ଘଟଣା ପରେ ପୀଡ଼ିତା ଏବଂ ମହାକ୍ଷୟଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା । କିନ୍ତୁ ଏହି ସମୟରେ ଯେତେବେଳେ ପୀଡ଼ିତା ମହାକ୍ଷୟଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ମିଥୁନଙ୍କ ସ୍ତ୍ରୀ ଯୋଗିତା ତାଙ୍କୁ ଧମକ ଦେଇଥିଲେ । FIRରେ ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଯୋଗିତା ବାଲିଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଯାଇଛି । ପୀଡ଼ିତାଙ୍କ କହିବା ଅନୁଯାୟୀ, ପୀଡ଼ିତା ନିଜ ସହିତ ହୋଇଥିବା ସମସ୍ତ ଘଟଣା ଯୋଗିତାଙ୍କ ସହ ସେୟାର କରିଥିଲେ କିନ୍ତୁ ଯୋଗିତା ତାଙ୍କୁ ଧମକ ଦେବା ସହ ମାମଲା ରଫା ଦଫା କରିବାକୁ କହିଥଲେ । ପୀଡ଼ିତା ତା ପରେ ଦିଲ୍ଲୀ ଫେରିଯାଇ ଏ ବାବଦରେ ବେଗମପୁର ପୋଲିସ ଷ୍ଟେସନରେ FIR ଦେଇଥିଲେ । ସେହି ପୋଲିସ ଷ୍ଟେସନରେ ମହାକ୍ଷୟ ଏବଂ ତାଙ୍କ ମାଆଙ୍କ ବିରୋଧରେ ଧାରା ୩୭୬ (ଦୁଷ୍କର୍ମ) ଏବଂ ୩୧୩ ଆଧାରରେ ଅଭିଯୋଗ ଦାଖଲ କରାଯାଇଛି । ପରେ ସେହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଗଲା । କିନ୍ତୁ ସେ ସମୟରେ ଦିଲ୍ଲୀ ହାଇକୋର୍ଟ ତରଫରୁ ମହାକ୍ଷୟ ଏବଂ ତାଙ୍କ ମାଆଙ୍କୁ ଆଗ୍ରିମ ଜମିନ ଦିଆଯାଇଥିଲା ।

ଏହାପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ କୋର୍ଟ ପକ୍ଷରୁ ପୀଡ଼ିତାଙ୍କୁ ସେହି ସ୍ଥାନରେ FIR ଦାଖଲ କରିବାକୁ କୁହାଗଲା ଯେଉଁ ସ୍ଥାନରେ ଘଟଣା ଘଟିଥିଲା । ଏମିତିରେ ପୀଡ଼ିତା ସେହି ବର୍ଷ ଜୁଲାଇରେ ମୁମ୍ବାଇର ଓଶିବାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ  IPC ଧାରା ୩୭୬, ୩୭୬ (୨), ୩୨୮, ୪୧୭, ୫୦୬ ଏବଂ ୩୪ ଅଧିନରେ ମାମଲା ଦାଖଲ କରାଯାଇଥିଲା । ଦୁଷ୍କର୍ମଠାରୁ ଆରମ୍ଭ କରି ଠକାମି ପର୍ଯ୍ୟନ୍ତ, ମହାକ୍ଷୟଙ୍କ ଉପରେ ଅନେକ ଅଭିଯୋଗ ରହିଛି ।

କରୋନା ବୋଝ ଉପରେ ନଳିତା ବିଡ଼ା, ବ୍ୟାଙ୍କ ଉଠା ଦୋକାନୀଙ୍କୁ ୠଣ ଦେଉନଥିବା ଅଭିଯୋଗ

ସମ୍ବଲପୁର: ସହଜ ଜୀବନ ହୋଇପଡିଛି ଅସହଜ । ମହାମାରୀ ପାଇଁ ରାସ୍ତା କଡ଼ରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଜୀବିକା ନିର୍ବାହ କରୁଥିବା ଉଠା ଦୋକାନୀଙ୍କ ବ୍ୟବସାୟ ଠପ ହୋଇଯାଇଛି । ଉଠା ଦୋକାନୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ରିହାତି ଦରରେ ୠଣ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି । ହେଲେ ସମ୍ବଲପୁରରେ ଥିବା ଅଧିକାଂଶ  ବ୍ୟାଙ୍କ ଉଠା ଦୋକାନୀଙ୍କୁ ୠଣ ଦେଉନଥିବା ଅଭିଯୋଗ ହୋଇଛି ।

ଅସହ୍ୟ ହୋଇପଡିଲାଣି ବଞ୍ଚିବା । ଜୀବିକା ବଞ୍ଚାଇବାକୁ ଚାଲିଛି ରିତିମତ ସଂଘର୍ଷ । ବ୍ୟବସାୟ ଠପ୍ ପରେ ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ବ୍ୟବସାୟୀ । ରାସ୍ତା କଡ଼ରେ ଦୋକାନ କରି ପରିବାର ପୋଷଣ କରୁଥିବା ଉଠା ଦୋକାନୀଙ୍କ ବ୍ୟବସାୟରେ ଗତ କିଛି ମାସ ହେବ ବ୍ୟବସାୟରେ ପଡିଛି ତାଲା । ଉଠା ଦୋକାନୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ରିହାତି ଦରରେ ୠଣ ବ୍ୟବସ୍ଥା ନେଇ ଘୋଷଣା  କରିଥିଲେ । ହେଲେ ସମ୍ବଲପୁରରେ ଥିବା ୧୮ ଟି ମୁଖ୍ୟ ବ୍ୟାଙ୍କ ମଧ୍ୟରୁ ମାତ୍ର ୧୪ଟି ବ୍ୟାଙ୍କ ଉଠା ଦୋକାନୀଙ୍କୁ ୠଣ ଦେଉନଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୩୮ ଶହ ପଞ୍ଜୀକୃତ ଉଠା ଦୋକାନୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ଚାରି ଶହ ୨୦ ଜଣଙ୍କୁ ରିହାତି ୠଣ ମିଲିପାରିଛି । ଅନ୍ୟମାନେ ବ୍ୟାଙ୍କ ଗୁଡ଼ିକୁ ଦଉଡ଼ି ହଇରାଣ ହେଉଛନ୍ତି । ତେବେ ଏନେଇ ବ୍ୟାଙ୍କ ଅଧିକାରୀଙ୍କୁ ଡ଼ାକି ଆଲୋଚନା କରିବା ପାଇଁ ସମ୍ବଲପୁର ମହାନଗର କମିଶନର କହିଛନ୍ତି । ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ସତ୍ୱେ ବ୍ୟାଙ୍କ ଗୁଡ଼ିକ ଅସହଯୋଗ କରିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ।