spot_img
Home Blog Page 6627

ଭୂତାଣୁ ଓ ଭୋକ ଲଢ଼େଇରେ କଳାକାର: ସହାୟତାର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

ଭୁବନେଶ୍ୱର: କରୋନା ଉଜାଡି ଦେଇଛି ଜୀବନ ଜୀବୀକା । ରାସ୍ତାକୁ ଆସି ପରିବା ବିକୁଛନ୍ତି ସେଲିବ୍ରିଟି । ଏଭଳି ଖବର ଗଣମାଧ୍ୟମର ପ୍ରମୁଖ ଖବର ହୋଇଥିଲା । କରୋନା ସମୟରେ ଜଣେ ଆଲବମ୍ ଅଭିନେତ୍ରୀ ଏବଂ ଆଉ ଜଣେ ପର୍ବତାରୋହୀ କିଭଳି ସଂଘର୍ଷ କରୁଛନ୍ତି ସେନେଇ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଦୁହିଁଙ୍କ ସଂଘର୍ଷର କାହାଣୀ ବଖାଣିବାକୁ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ଆଲୋଚନା କରାଗଲା ।

ଯାହାର ଶୀର୍ଷକ ଥିଲା ‘ରାସ୍ତାକଡରେ ସେଲିବ୍ରିଟି’  । ଏଥିରେ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ୍‌ ରିଙ୍କି ଏବଂ ପର୍ବତାରୋହୀ ନୀଳାଚଳ ପରିଡାଙ୍କ ସମେତ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ସାମିଲ ହୋଇଥିଲେ । ଆଲୋଚନା ପରେ ଉଭୟଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ନନ୍ଦିଘୋଷ ଟିଭି ମଧ୍ୟ ଦୁଇ ଜଣଙ୍କୁ ସହାୟତାର ହାତ ବଢାଇଛି ।

ରାସ୍ତାକଡରେ ଫଳ-ପରିବା ବିକୁଥିବା ସେଲିବ୍ରିଟିଙ୍କୁ ସବ୍ୟଙ୍କ ସହାୟତା । ନନ୍ଦିଘୋଷ ଷ୍ଟୁଡିଓରୁ ବାହାରିବା ପରେ ସହଯୋଗ ପାଇଁ ପ୍ରତିଶ୍ରୁତି । କରୋନା ଭୟାବହତା ପର୍ଯ୍ୟନ୍ତ ଆର୍ଥିକ ଏବଂ ମାନସିକ ଭାବେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

ଆଲବମ୍ ତଥା ଯାତ୍ରା ଅଭିନେତ୍ରୀ  ପ୍ରତିଭା ମହାରଣା ଓରଫ୍‌ ରିଙ୍କି ଏବଂ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସହଯୋଗ କରିବେ । ପ୍ରଥମ ପର୍ଯ୍ୟାୟରେ ରିଙ୍କିଙ୍କ ଘରକୁ ସମସ୍ତ ପ୍ରକାର ରାସନ ସାମଗ୍ରୀ ପହଞ୍ଚାଇଥିବା ବେଳେ ତାଙ୍କ ବାପା ଓ ମା‘ଙ୍କ ଔଷଧ ଖର୍ଚ୍ଚ ବାବଦକୁ କିଛି ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି  । ଏହାସହ ପର୍ବତାରୋହୀ ନୀଳାଚଳଙ୍କୁ ଓପନ ଅଫର ଦେଇଛନ୍ତି ସବ୍ୟସାଚୀ ।  ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇବା ସହ ଏକ ସ୍ମାଇଲ୍ ଫୋର୍ସ ଗଠନ କରି ଅସହାୟଙ୍କୁ ସହଯୋଗ କରିବାକୁ ଘୋଷଣା କରିଛନ୍ତି ।

ସେପଟେ ଷ୍ଟୁଡିଓରେ ଆଲୋଚନା ସମୟରେ ଅଭିନେତ୍ରୀ ରିଙ୍କି ଏବଂ ନୀଳାଚଳ ସେମାନଙ୍କ କୋହ ସମ୍ବରଣ ପରିପାରି ନଥିଲେ । କରୋନା ସମୟରେ ରୋଜଗାର ହରାଇ ରାସ୍ତାକୁ ଚାଲି ଆସିଥିବା କହିଛନ୍ତି ଦୁଇ ସେଲିବ୍ରିଟି ।

ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସବ୍ୟସାଚୀ ସହାୟତାର ହାତ ବଢାଇଥିବାରୁ ତାଙ୍କ ପରିବାର ପାଇଁ ସେ ମଣିଷ ରୂପି ଭଗବାନ ବୋଲି ଅଭିହିତ କରିଛନ୍ତି । ଯାତ୍ରା ବନ୍ଦ ହୋଇଯିବାରୁ ରିଙ୍କିଙ୍କ ଜୀବୀକା ଠପ୍ ହୋଇଯାଇଥିଲା । ଫଳରେ ସେ ରାସ୍ତାକଡରେ ପରିବା ବ୍ୟବସାୟ କରି ଚଳୁଛନ୍ତି । ସେହିପରି ନୀଳାଚଳ ମଧ୍ୟ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ପରିବା ଦୋକାନ ଦେଇଛନ୍ତି । ସହାୟତା ମିଳିବା ପରେ କ’ଣ କହୁଛନ୍ତି ଦୁଇ ସେଲିବ୍ରିଟି ଶୁଣନ୍ତୁ । କରୋନା କେବଳ ରିଙ୍କି ଓ ନୀଳାଚଳଙ୍କ ରୋଜଗାର ଛଡାଇ ନେଇଛି ତାହା ନୁହେଁ  । ଏମିତି ଅନେକ କଳାକାର ଏବେ ଭୋକ ସହ ସଂଘର୍ଷ କରୁଛନ୍ତି । କେବେ ସ୍ଥିତି ସ୍ୱାଭାବିକ ହେବ ତାହା  ଜଣାନାହିଁ । ଏଭଳି ସମୟରେ ସମସ୍ତେ ସହାୟତାର ହାତ ବଢାଇଲେ ଗରିବ ସେଲିବ୍ରିଟି ରାସ୍ତା ଉପରକୁ ଚାଲି ଆସିବେ ନାହିଁ ।

https://www.facebook.com/NandighoshaTV/videos/576330023248293/

ଜେଲ୍ ଭିତରେ ଖୁଲମ୍‌ଖୁଲା ଚାଲିଛି ମୋବାଇଲ୍ ବ୍ୟବହାର: ଭିଡିଓ ଭାଇରାଲ୍

ଭୁବନେଶ୍ୱର: ପୁଣି ଥରେ ଭୁବନେଶ୍ୱର ଝାରପଡା ଜେଲରୁ ଭିଡିଓ ଭାଇରାଲ । ଜେଲ ଭିତରେ ଖୁଲମଖୁଲା ମୋବାଇଲ ଧରି କଥା ହେଉଛନ୍ତି ଅପରାଧୀ । ୨୯ ସେକେଣ୍ଡରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ଭିଡିଓରେ ୧୦ରୁ ଅଧିକ ଅପରାଧୀ ଜେଲ ଭିତରେ ଥିବା ଖୋଲା ପଡ଼ିଆରେ ଚଲାବୁଲ କରୁଥିବା ବେଳେ ଆଉ କିଛି ଅପରାଧୀ ଖଟି କରୁଥିବା ଜଣାପଡ଼ିଛି  ।

ଭିଡିଓଟି କେବେକାର ଜାହା ଜଣାପଡିନି । ତେବେ ଭିଡିଓ ଭାଇରାଲ ପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଜେଲ ଡିଜି । ତଦନ୍ତ ରିପୋର୍ଟି ଆସିବା ପରେ  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜି ସନ୍ତୋଷ ଉପାଧ୍ୟାୟ  । ଅନ୍ୟପଟେ ଜେଲ ଭିତରକୁ ମୋବାଇଲ କିପିର ଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏ ନେଇ ଜେଲ ବିଭାଗର ପ୍ରତିକ୍ରିୟା ମିଲିପାରନି ।

ସଂଗ୍ରହ ହୋଇପାରୁନି ରକ୍ତ, ଜୀବନ ବଞ୍ଚାଉଛି ଜୀବନବିନ୍ଦୁ

ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ପଡ଼ିଛି ବ୍ଲଡ୍‌ବ୍ୟାଙ୍କ ଉପରେ । ୪ ମାସ ହେଲା ମେଗା  ଶିବିର ଆୟୋଜନ କରିବା ଉପରେ ପ୍ରତିବନ୍ଧକ ଥିବାରୁ ରକ୍ତ ଅଭାବ ଦେଖାଦେଇଛି । ତେବେ ସମସ୍ୟା ସମାଧାନରେ ବେଶ୍ ସହାୟକ ହୋଇଛି ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ।

ରାଜ୍ୟରେ ବର୍ଷକୁ ଆବଶ୍ୟକ ପ୍ରାୟ ୪ ଲକ୍ଷ ୟୁନିଟ ରକ୍ତ । ପୂର୍ବରୁ ରକ୍ତଦାନ ଶିବିର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ରକ୍ତ ବଦଳ ବ୍ୟବସ୍ଥାରେ ବର୍ଷକୁ ପ୍ରାୟ ୪ ଲକ୍ଷ ୩୦ ହଜାର ୟୁନିଟ ରକ୍ତ ସଂଗୃହୀତ ହେଉଥିଲା । ଏବେ କିନ୍ତୁ ସ୍ଥିତି ଅସ୍ୱାଭାବିକ । କୋଭିଡ କଟକଣା ଯୋଗୁ ସର୍ବାଧିକ ୨୦ ଜଣଙ୍କୁ ନେଇ ରକ୍ତଦାନ ଶିବିର କରିବା ପାଇଁ କଟକଣା ରହିଛି ।

ଗୁରୁତର ରୋଗୀଙ୍କ କ୍ଷେତ୍ରରେ ରକ୍ତ, ପ୍ଲାଜମା, ପ୍ଲାଟଲେଟ ଆଦିର ଅଭାଵ ଅନୁଭୂତ ହେଲାଣି । ଥଲାସେମିଆ ପୀଡିତଙ୍କୁ ରକ୍ତ ଯୋଗାଣ କ୍ଷେତ୍ରରେ ସମସ୍ୟା ଉପୁଜୁଛି । କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ବ୍ୟଙ୍କରୁ ଦୈନିକ ୫୦ରୁ ୭୦ ୟୁନିଟ ରକ୍ତ ଦିଆଯାଉଥିବା ବେଳେ ଏବେ ୨୦ରୁ ୨୫ ୟୁନିଟ ରକ୍ତ ଦେବା କଷ୍ଟକର ।

ରକ୍ତଭଣ୍ଡାର ମୁଖ୍ୟତଃ ବିଜେଡିର ଜୀବନବିନ୍ଦୁ, କମିଶନରେଟ ପୋଲିସର ଜୀବନ ଆଲୋକ, ମାରୱାଡି ଯୁବାମଞ୍ଚ, ରୋଟାରୀ କ୍ଲବ ସମେତ ଅନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ରକ୍ତ ସଂଗହ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟରେ ରକ୍ତ ଅଭାବର ଆଶଙ୍କା କରି ଦଳୀୟ ନେତାଙ୍କୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଜୀବନବିନ୍ଦୁ କାର୍ଯ୍ୟକ୍ରମ ରକ୍ତାଭାବ ସମସ୍ୟା ସମାଧାନରେ ବେଶ୍ ସହାୟକ ହୋଇଛି ।

ରାଜ୍ୟର କିଛି ରକ୍ତଭଣ୍ଡାର କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଘଟଣା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ତେବେ ରକ୍ତ ସଂଗ୍ରହରେ ବେଶ୍‌ ସହାୟକ ହୋଇଛି ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ।

ରାଜଧାନୀରେ ସ୍ତ୍ରୀକୁ ମାରି ସ୍ୱାମୀ ହାଜତରେ ଭର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱର କାର୍ଗିଲ ବସ୍ତିରେ ହତ୍ୟାକାଣ୍ଡ । ପତ୍ନିଙ୍କୁ ମାରିଲା ସ୍ୱାମୀ ହାଜତରେ ଅଟକ । ମୃତ ମହିଳା ଶକୁନ୍ତଳା ମାଝୀ । ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିଛି ପୋଲିସ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ ଝଗଡାରୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏୟାପୋର୍ଟ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଭୁବନେଶ୍ୱର ଡିସିପି ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେଲେ କରୋନା ପାଇଁ କିଛି ଦିନ ହେଲା ଶାନ୍ତ ଥିବା ରାଜଧାନୀ ପୁଣି ଅଶାନ୍ତି ହୋଇଛି । ଛିନତାଇ ଠାରୁ ହତ୍ୟା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଡିସିପି ମଧ୍ୟ ହତ୍ୟା ନେଇ ଟ୍ୱିଟ୍‌ କରିଛନ୍ତି ।

ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିବା ସୂଚନା ମିଳିଛି । ତେବେ ଆଜି ସନ୍ଧ୍ୟାରେ ପୂର୍ବ ଭଳି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ସ୍ଥାନୀୟ ଲୋକେ କହିଥିଲେ । ତେବେ ଏଭଳି ଝଗଡ଼ାରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ପ୍ରହାର କରିଥିଲା ସ୍ୱାମୀ । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ମହିଳାଙ୍କ ଚିତ୍କାର ଶୁଣି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ଘଟରା ସ୍ଥଳରେ ଏୟାର ପୋର୍ଟ ପୋଲିସ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବ୍ୟକ୍ତିକୁ ଅଟକ ରଖିଛି । ମୃତ ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।

(ଅରୁଣ କୁମାର ସାହୁ)

’କାଳିଆ’ ଟଙ୍କା ଫେରାଇବାକୁ ଚିଠି: ମାତ୍ର ଦୁଇ ପ୍ରତିଶତଙ୍କୁ ଭୁଲରେ ମିଳିଛି ଅର୍ଥ

ଭୁବନେଶ୍ୱର, ବଲାଙ୍ଗୀର: ଚିହ୍ନଟ ହେଲେ ଅଯୋଗ୍ୟ କାଳିଆ ହିତାଧିକାରୀ । ତୁରନ୍ତ ଟଙ୍କା ଫେରସ୍ତ କରିବାକୁ କୃଷି ବିଭାଗ ପକ୍ଷରୁ ଏମାନଙ୍କୁ ପତ୍ର ଲେଖାଯାଇଛି । ଗତ ବର୍ଷ କାଳିଆ ଟଙ୍କା ମିଳିଥିବା ସମୟରେ ଏପରି କିଛି ଚାଷୀ ଥିଲେ, ଯେଉଁମାନଙ୍କୁ ଟଙ୍କା ମିଳିବାର ନଥିଲା । ହେଲେ ପଞ୍ଜିକରଣ ବେଳେ ସେମାନଙ୍କ ନାଁ ଥିବାରୁ ଟଙ୍କା ପାଇଥିଲେ । ସାରା ରାଜ୍ୟରେ ଏପରି ମାତ୍ର ଦୁଇ ପ୍ରତିଶତ ଚାଷୀ ଅଛନ୍ତି ଯେଉମାନେ ଟଙ୍କା ଫେରାଇବେ ।

ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସହନ ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ସବୁ ବର୍ଗର ଚାଷୀ ତାଲିକାରେ ରହି ୫୧ଲକ୍ଷ ୫ ହଜାର ୨୯୦ ଚାଷୀ ଏହି ଯୋଜନାର ଲାଭ ପାଇଲେ । ରବି ଓ ଖରିଫ ଋତୁ ପାଇଁ ୫ ହଜାର ଟଙ୍କା ଲେଖାଏଁ ଟଙ୍କା ମିଳିଲା । ହେଲେ ଏହି ତାଲିକାରୁ ୨ ପ୍ରତିଶତ ଚାଷୀ ଅଯୋଗ୍ୟ ବାହାରିଛନ୍ତି ।

ଏମାନେ ପୂର୍ବରୁ ଚାଷୀ ଭାବେ ପଞ୍ଜିକରଣ ହୋଇଥିଲେ । କାଳିଆ ଯୋଜନା ସମୟରେ ସୋମନଙ୍କ ସ୍ଥିତି ସୁଧୁରିଥିଲା । ହେଲେ ପାଖାପାଖି ୧ଲକ୍ଷ ୬ ହଜାର ୬୩୧ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା କାଳିଆ ଟଙ୍କା ଚାଲିଯାଇଛି । ଯାହାକୁ ଫେରାଇବା ପାଇଁ କୃଷି ବିଭାଗ ପକ୍ଷରୁ ଚିଠି ସହ ରିଫଣ୍ଡ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପଠାଯାଇଛି ।

କଳାହାଣ୍ଡ, ବଲାଙ୍ଗୀର, ବରଗଡ଼ ପରି ସାରା ରାଜ୍ୟରେ ଏପରି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ ଏମାନଙ୍କ ସୂଚନା ଦିଆଯାଇଛି । ଚିଠି ତଳେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ସେମାନେ ଟଙ୍କା ଫେରାଇବେ । ଏ ନେଇ ଏକ ପୋର୍ଟାଲ କରାଯାଇଛି । ଚିଠି ମିଳିବାର ଏକ ମାସ ଭିତରେ ଟଙ୍କା ଫେରାଇବା ପାଇଁ କୃଷି ବିଭାଗ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଡେଡଲାଇନ ସ୍ଥିର କରିଛନ୍ତି । ଏହା ପରେ ଜିଲ୍ଲା କୃଷି ଅଧିକାରୀଙ୍କୁ ତଥ୍ୟ ସହ ଫେରସ୍ତ ସଂପର୍କରେ ଅବଗତ କଲେ, ତାଲିକାରୁ ନାଁ କାଟ ହେବ ।

ସୁସ୍ଥ ହେଲେ ପ୍ରଥମ କରି ପ୍ଳାଜ୍‌ମା ନେଇଥିବା କରୋନା ରୋଗୀ

କଟକ: କରୋନା ମହାମାରୀକୁ ମାତ ଦେବାକୁ ଆଶାର କିରଣ ସାଜିଛି ପ୍ଲାଜମା ଥେରାପି । ମାତ୍ର ୧୦ ଦିନରେ ସରକାରଙ୍କୁ ମିଳିଛି ସଫଳତା  । ପ୍ଲାଜମା ପ୍ରୟୋଗରେ କଟକରେ ପ୍ରଥମେ ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ମୃତ୍ୟୁ ମୁଖରୁ ବର୍ତ୍ତି ପୁନର୍ଜନ୍ମ ପାଇଥିବା ମହିଳା ଜଣଙ୍କ ଡାକ୍ତର ଓ ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେହି ମହିଳା ।

ସେହିପରି ରାଜ୍ୟ ସରକାର ପ୍ଲାଜମା ଥେରାପି ପକ୍ରିୟା ଆରମ୍ଭ କରିଥିବାରୁ କରୋନା ଗୁରୁତର ରୋଗୀଙ୍କୁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ଡାକ୍ତର । ଅନ୍ୟପଟେ ରାଜ୍ୟରେ ଅନ୍ୟ ୧୩ ଜଣ ରୋଗୀ ପ୍ଲାଜମା ନେବା ପରେ ଦ୍ରୁତ ସୁସ୍ଥ ହେଉଥିବା ଜଣାପଡିଛି  ।

ବହୁ ଆଶା ନେଇ ଗତ ୧୫ ତାରିଖରେ ଓଡିଶାରେ ଆରମ୍ଭ ହୋଇଥିଲା ପ୍ଲାଜମା ଥେରାପି । ଆଉ ମାତ୍ର ୧୦ ଦିନ ଭିତରେ ମିଳିଛି ଖୁସି ଖବର । ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ପୁରୁଣା ରାଉସାପାଟଣା ଅଞ୍ଚଳର ୪୮ ବର୍ଷୀୟା ମହିଳା ମମତା ସେନ୍ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।

ମମତାଙ୍କ ସହିତ ତାଙ୍କ ୩ ପୁଅ ବି କରୋନା ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଆଠଗଡ କୋଭିଡ କେୟାର ପରେ ଗୁରୁତର ଅବସ୍ଥାରେ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ ମମତା । ଏପରିକି ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରହିବାକୁ ପଡିଥିଲା  । ଗତ ୧୫ ତାରିଖ ରାତିରେ ହିଁ ମମତାଙ୍କ ଶରୀରରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ଲାଜମା ପାଇବା ପରେ ମମତା ଆଜି କରୋନାକୁ ହରାଇ ନୂଆ ଜୀବନ ପାଇଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି  ।

ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣ ଓ ମୃତ୍ୟୁ ହାରକୁ ଦୃଷ୍ଟି ରଖି ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏସ ସି ବିରେ ଆରମ୍ଭ କରିଥିଲେ ପ୍ଲାଜମା ଚିକିତ୍ସା । ଏହି ବ୍ୟାଙ୍କରୁ ସଂଗୃହୀତ ପ୍ଲାଜମା ୧୩ ଜଣ ରୋଗୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ସମସ୍ତେ ଏବେ ଦ୍ରୁତ ସୁସ୍ଥତା ଆଡକୁ ମୁହାଁଇଛନ୍ତି  । ବେଶ ଗୁରୁତର ସ୍ଥିତିରେ ଥିବା ମମତାଙ୍କୁ ପ୍ଲାଜମା ପ୍ରଦାନ ପରେ ଖୁବଶୀଘ୍ର ସୁସ୍ଥ ଅନୁଭବ କରିଥିଲେ । ଆଡମିଟ ହେବାର ୧୦ ଦିନ ଭିତରେ ସଂପୂର୍ଣ୍ଣ ସୁସ୍ଥ ହେବା ଚିକିତ୍ସା କ୍ଷେତ୍ରରେ ଏକ ଶୁଭଙ୍କର ଖବର ।

ବାଲିଗାଡ଼ି ଅଟକାଇ ଚାନ୍ଦା ମାଗିଲେ ପୋଲିସ କର୍ମଚାରୀ: ଭିଡିଓ ଭାଇରାଲ୍

ଖୋର୍ଦ୍ଧା: କରୋନା କଟକଣାର ଫାଇଦା ଉଠାଉଛି ପୋଲିସ । ଖୋର୍ଦ୍ଧାରେ ଲକଡାଉନ ଥିବାବେଳେ ଜାତୀୟ ରାଜପଥରେ ସାଦା ପୋଷାକରେ ପୋଲିସ୍ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହାର ଏକ ଭିଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି । ଗତକାଲି ରାତିରେ ଜଣେ ପୋଲିସ ସାଧା ପୋଷାକରେ ବାଲିଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିଲେ ।

ଗାଡ଼ି ଚାଳକ ଏହାକୁ ବିରୋଧ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଡାକିଥିଲେ । କୋଭିଡ ଗାଡିରେ ଆସି ପୋଲିସ ମଧ୍ୟ ଲୋକଙ୍କ ବିରୋଧର ସମ୍ମୁଖିନ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଏସପି କାର୍ଯ୍ୟାଳୟ ଠାରୁ ଟାଉନ ଥାନା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।

ଏହି ସମୟରେ ଜନସାଧାରଣଙ୍କୁ ପୋଲିସ୍ ସେବା ଏକପ୍ରକାର ବନ୍ଦ ହୋଇଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଏନେଇ ତଦନ୍ତ ଚାଲିଛି, ସତ୍ୟତା ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ।

ଭୂତାଣୁ ଭୟରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ: ଘର ସାମ୍ନାରେ ପହଞ୍ଚିଲା ଦୋକାନ

ଦିଗପହଣ୍ଡି,(କାଳୁ ଚରଣ ନାହାକ) : ଅଦୃଶ୍ୟ ମହାମାରୀ ସହ ଲଢୁଛି ସାରା ରାଜ୍ୟ । ସଂକ୍ରମଣ ରୋକିବାକୁ ସବୁଠି ଲକଡାଉନ, ସଟଡାଉନ ସହ ଜାରି ରହିଛି କଣ୍ଟେନମେଣ୍ଟ କଟକଣା । ଆଉ ଏହି ସମୟରେ ଲୋକଙ୍କ ଯାତାୟାତ ଉପରେ ମଧ୍ୟ ଲାଗିଛି କଟକଣା । ଏହି ସମୟରେ ଲୋକଙ୍କ ଘର ନିକଟରେ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ରାଜମିସ୍ତ୍ରୀ ଆରମ୍ଭ କରିଛନ୍ତି ଟେଲି ରାସନ୍ ବ୍ୟବସ୍ଥା ।

ତେଲ, ପିଆଜଠାରୁ ଆରମ୍ଭ କରି ସବୁକିଛି ଘର ସମ୍ମୁଖରେ ପାଉଛନ୍ତି ଲୋକେ । ସାନଖେମୁଣ୍ଡିର ରାଜମିସ୍ତ୍ରୀ ବିଜୟ କୁମାର ମହାରଣା କାମ ଛାଡି ଗାଡିରେ ଦୋକାନ କରି ଗାଁ ଗାଁ ବୁଲି ଖାଦ୍ୟ ସାମଗ୍ରୀ ଓ ରାସନ ସାମଗ୍ରୀ ବିକ୍ରି କରୁଛନ୍ତି । ତେବେ ଏହି ସମୟରେ ସାମାଜିକ ଦୂରତା ଓ ସାନିଟାଇଜକୁ ଗୁରୁତ୍ୱ ଦେଉଛନ୍ତି । ଘରେ ନ ବସି ଏଭଳି ନିଆରା ରୋଜଗାର ପନ୍ଥାକୁ ଆପଣାଇଛନ୍ତି ବିଜୟ । ଗୋଟେ ଫୋନ କଲରେ ସବୁ ରାସନ ସାମଗ୍ରୀ ଘରେ ପହଞ୍ଚାଇଦେଉଛନ୍ତି ।

ଲକଡାଉନ ସମୟରେ ଦୋକାନ କମ୍ ସମୟ ଖୋଲା ରହୁଥିବାରୁ ଦୋକାନ ସମ୍ମୁଖରେ ଲମ୍ବା ଲାଇନ ଲାଗିଥାଏ । ଏପରିକି ଲମ୍ବା ଲାଇନ ପାଇଁ ଗୋଷ୍ଠୀ ସଂକ୍ରମଣ ବି ଭୟ ରହିଛି । ତେବେ ହାତ ପାହାନ୍ତରେ ସବୁ ପ୍ରକାର ସାମଗ୍ରୀ ହାତ ପାଆନ୍ତରେ ମିଳିବାରୁ ଖୁସି ପ୍ରଘଟ କରିଛନ୍ତି ଗୃହିଣୀ । ଆଗକୁ ପାସର ବ୍ୟବସ୍ଥଆ ମିଳିଲେ ସବୁଠି ପହଞ୍ଚିପାରନ୍ତା ବିଜୟଙ୍କ ଏହି ଟେଲି ରାସନ ଗାଡି ।

 

ପ୍ଳାଜ୍‌ମା ଦାନକୁ ଉତ୍ସାହିତ କରିବାକୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ: ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ପ୍ଳାଜ୍‌ମା ଥେରାପିର ଫଳାଫଳ ଉତ୍ସାହ ଜନକ ରହିଛି ।  ଏହି ଚିକିତ୍ସା ପଦ୍ଧତି ଦ୍ୱାରା କଟକର ଜଣେ ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ପ୍ଳାଜ୍‌ମା ଥେରାପି । ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ପ୍ଳାଜ୍‌ମା ଦାନକୁ ଅଧିକ ପରିବ୍ୟାପ୍ତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପୂର୍ବରୁ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ଳାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ୍ ହୋଇଥିବାବେଳେ ଅନ୍ୟ କିଛି ସ୍ଥାନରେ ମଧ୍ୟ ଏହି ବ୍ୟାଙ୍କ ଖୋଲଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହି ପ୍ଳାଜ୍‌ମା ଦାନକୁ ଉତ୍ସାହିତ କରିବା ନେଇ ଜିଲ୍ଲାଓ୍ୱାରୀ ବିଭିନ୍ନ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ: ନିରଞ୍ଜନ ପୂଜାରୀ

କନ୍ଧମାଳ, ଗଞ୍ଜାମ: ବିକ୍ରମ କେଶରୀ ଆରୁଖ

ବରଗଡ଼: ପ୍ରଫୁଲ୍ଲ କୁମାର ମଲ୍ଲିକ

ଭଦ୍ରକ,କେନ୍ଦ୍ରାପଡ଼ା: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଝାରସୁଗୁଡ଼ା, ବୌଦ୍ଧ: ପଦ୍ମନାଭ ବେହେରା

ମୟୂରଭଞ୍ଜ ଓ କଟକ: ପ୍ରତାପ ଜେନା

ନୟାଗଡ଼ ଓ ଖୋର୍ଦ୍ଧା: ଅରୁଣ କୁମାର ସାହୁ

ସୋନପୁର: ସୁଦାମ ମାର୍ଣ୍ଡୀ

ବଲାଙ୍ଗୀର ଓ ସମ୍ୱଲପୁର: ସୁଶାନ୍ତ ସିଂହ

କଳାହାଣ୍ଡି ଓ ନୂଆପଡ଼ା: ନବ କିଶୋର ଦାସ

ଦେବଗଡ଼ ଓ ସୁନ୍ଦରଗଡ଼: ଟୁକୁନି ସାହୁ

ଗଜପତି ଓ କୋରାପୁଟ: ଜଗନ୍ନାଥ ସାରକା

ଢେଙ୍କାନାଳ: ଦିବ୍ୟଶଙ୍କର ମିଶ୍ର

ଅନୁଗୁଳ: ଅଶୋକ ଚନ୍ଦ୍ର ପଣ୍ଡା

ଯାଜପୁର: ସମୀର ରଞ୍ଜନ ଦାସ

ବାଲେଶ୍ୱର: ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

କେନ୍ଦୁଝର :ପ୍ରେମାନନ୍ଦ ନାୟକ:

ନବରଙ୍ଗପୁର, ଜଗତସିଂହପୁର: ରଘୁନନ୍ଦନ ଦାସ

ରାୟଗଡ଼ା : ପଦ୍ମିନୀ ଦିଆନ

ମାଲକାନଗିରି: ତୁଷାରକାନ୍ତି ବେହେରା

ସୂଚନା ଯୋଗ୍ୟ ଯେ,  ଗତସପ୍ତାହରୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଳାଜ୍‌ମା ଥେରାପି । କଟକରେ ପ୍ଳାଜ୍‌ମା ବ୍ୟାଙ୍କ୍ ଉଦ୍‌ଘାଟନ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ’ମୋ ପାଇଁ ପ୍ରତିଟି ଲୋକଙ୍କ ଜୀବନ ମୂଲ୍ୟବାନ । ଓଡ଼ିଶାବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ମୋର ଲକ୍ଷ୍ୟ’ । ପ୍ଳାଜ୍‌ମା ଥେରାପି ଏ ଦିଗରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶରେ ପ୍ଳାଜ୍‌ମା ଥେରାପି ଚିକିତ୍ସା ସୁବିଧା ମିଳୁଥିବା ଅଳ୍ପ କେତୋଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ।

କଟକର ଏସ୍‌ସିବି ଓ ରାଉରକେଲା ଆଇଜିଏଚ୍‌ରେ ପ୍ଳାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହେବା ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଛି ପ୍ଳାଜ୍‌ମା ବ୍ୟାଙ୍କ ଥେରାପି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ମଧ୍ୟ ପ୍ଳାଜ୍‌ମା ବ୍ୟାଙ୍କ କରାଯିବା ପାଇଁ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବଦେନ କ୍ରମେ କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିମାନେ ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସୁଛନ୍ତି ।

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଜଣେ କୋଭିଡରୁ ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଳାଜ୍‌ମା ଦାନ କରିପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଏକାଧିକବାର (ପ୍ରତି ଦୁଇ ସପ୍ତାହରେ ଥରେ) ପ୍ଳାଜ୍‌ମା ଦେଇପାରିବେ । ଗୋଟିଏ ୟୁନିଟ୍ ପ୍ଳାଜ୍‌ମା ଦ୍ୱାରା ଦୁଇ ଜଣଙ୍କୁ ଚିକିତ୍ସା କରାଯାଇପାରିବ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଆଜି ଦିନକ ମଧ୍ୟରେ ୮୦୮ ଜଣ ରୋଗୀ କୋଭିଡ ଆରୋଗ୍ୟ ଲାଭ କରିଥଇବା ବେଳେ ସମୁଦାୟ ୧୫ହଜାର ୨୦୦  ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସାରେ ପ୍ଳାଜ୍‌ମା ଥେରାପିର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପ୍ଳାଜ୍‌ମା ଦାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀମାନେ ସେମାନଙ୍କ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଭ କରିଥିବା କୋଭିଡ ରୋଗୀମାନଙ୍କ ସହିତ ଯୋଗାଯୋଗ ରଖି ସେମାନଙ୍କୁ ପ୍ଳାଜ୍‌ମା ଦାନ ପାଇଁ ଉତ୍ସାହିତ କରିବେ ଏବଂ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିବେ । ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ପ୍ଳାଜ୍‌ମା ଦାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି କହିଛନ୍ତି ।

 

ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮୦୮ ଜଣ ସର୍ବାଧିକ କରୋନା ରୋଗୀ, ସୁସ୍ଥତା ହାର ୧୫ ହଜାର ପାର

ଭୁବନେଶ୍ୱର: କରୋନା ମହାମାରୀକୁ ମାତ ଦେବାକୁ ଲାଗିଛି ରାଜ୍ୟ । ଦିନକୁ ଦିନ ରାଜ୍ୟରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ଦିନକରେ ସର୍ବାରଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ଦିନକରେ ସର୍ବାଧିକ ୮୦୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୧୫ ହଜାର ୨ ଶହରେ ପହଞ୍ଚିଛି । ସର୍ବାଧିକ ୫୩୦ ଜଣ ସଂକ୍ରମିତ ଗଞ୍ଜାମରୁ ସୁସ୍ଥ ହୋଇଛନ୍ତି ।

ରାୟଗଡ଼ାରୁ ୬୧, କଟକରୁ ୩୫, ମାଲକାନାଗିରିରୁ ୩୦, ଗଜପତିରୁ ୨୨, ବାଲେଶ୍ୱରରୁ ୧୯, ଖୋର୍ଦ୍ଧା ୧୯, ବରଗଡ଼ରୁ ୧୮, ଭଦ୍ରକରୁ ୧୮, ବୌଦ୍ଧରୁ ୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝରରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରୁ ୫, ନବରଙ୍ଗପୁରରୁ ୪, ସୁନ୍ଦରଗଡ଼ରୁ ୩, ଅନୁଗୁଳ/ଯାଜପୁର/ପୁରୀରୁ ୨ ଜଣ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । କୋରାପୁଟ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।

ତେବେ ଆଜି ରାଜ୍ୟରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ୧୫୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୬୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ସଂଖ୍ୟା ୧୫ ଜାର ୨୦୧ରେ ପହଞ୍ଚିଛି ।