spot_img
Home Blog Page 6679

ସଚିନଙ୍କ ଘର ୱାପସୀ କେମିତି ହେଲା,ଜାଣନ୍ତୁ ଇନସାଇଡ୍ ଷ୍ଟୋରୀ..

ଜୟପୁର: ଶେଷରେ ରାଜସ୍ଥାନ ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ହୃଦୟ ମିଳୁ କି ନମିଳୁ କିନ୍ତୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପରସ୍ପରକୁ ଆଲିଙ୍ଗନ କରିବାର ସ୍କ୍ରିପ୍ଟ ଲେଖାସରିଛି । ଆଉ ସ୍କ୍ରିପ୍ଟ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧି । ସଚିନ ଯେଉଁ ଦିନ ଦିଲ୍ଲୀ ଯାଇଥିଲେ ସେଦିନ ତାଙ୍କ ସହିତ ୨୫ ବିଧାୟକ ଥିଲେ । ଜୁଲାଇ ୧୨ ତାରିଖ ଦିନ ସଚିନ ପାଇଲଟ୍ ଅଶୋକ ଗହଲୋତ ସରକାର ପାଖରେ ସଂଖ୍ୟାବଳ ନାହିଁ ବୋଲି ଘୋଷଣା ମଧ୍ୟ କରିଦେଲେ । ଏମିତିକି ସେ କଂଗ୍ରେସ ସରକାରକୁ ଭାଙ୍ଗିବା ସଂକେତ ମଧ୍ୟ ଦେଇଥିଲେ ।

ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ । ତେଣୁ ସେ ବିଜେପି ସହ ମଧ୍ୟ ହାତ ମିଳାଇବାକୁ ପ୍ରସ୍ତୁତ ଥିଲେ । ସଚିନ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା କୁହାଗଲା । ଏହାରି ଭିତରେ କିନ୍ତୁ ଗୋଟିଏ ବଡ ଘଟଣା ଘଟିଲା ଯାହା ସଚିନଙ୍କୁ ବ୍ୟାକଫୁଟକୁ ନେଇ ଯାଇଥିଲା । ସଚିନଙ୍କ ତିନି ଜଣ ସାଥୀ ରୋହିତ ବୋହରା,ଦାନିଶ ଅବରାର ଓ ଚେତନ ଡୁଡି ଦିଲ୍ଲୀର ପଣ୍ଡାର ରୋଡ୍ ଥାନାକୁ ଯାଉଛୁ କହି ଜୟପୁର ଛୁ’ ମାରିଥିଲେ । ସେଠାରେ ସେମାନେ ଅଶୋକ ଗହଲୋତଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ । କହିଥିଲେ,ସଚିନ ବିଜେପି କୋଳରେ ବସିବାକୁ ଚାହୁଁଛନ୍ତି  । ତେଣୁ ଆମେ ତାଙ୍କୁ ଛାଡି ଆପଣଙ୍କ ପାଖକୁ ଆସିଲୁ । ଏହା ପରଠାରୁ ସବୁ ଖେଳ ବଦଳିବାକୁ ଲାଗିଲା । ସଚିନଙ୍କ ଖେଳ ଯଦି ବିଗିଡିଲା,ଅଶୋକ ଫ୍ରଣ୍ଟଫୁଟକୁ ଆସିଗଲେ । ରାଜନୀତିର ପୋଖତ ଖେଳାଳୀ ଅଶୋକ ସଚିନଙ୍କୁ ଚେକ୍ ମେଟ୍ କରିବାର କୌଣସି ମୌକା ଛାଡିଲେ ନାହିଁ ।

କଂଗ୍ରେସ ଏହି ଖବର ପ୍ରଚାର କରିବାରେ ଲାଗିଲା ଯେ, ସଚିନ ବିଜେପିରେ ସାମିଲ ହେଉଛନ୍ତି । ଏଥିପାଇଁ ସେ ଅମିତ ଶାହ ଓ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି । ଶେଷରେ ସଚିନଙ୍କୁ ଏହି ଖବରକୁ ଖଣ୍ଡନ କରିବାକୁ ପଡିଲା । ତାଙ୍କୁ ଆଗକୁ ଆସି କହିବାକୁ ପଡିଲା, ନାଁ ମୁଁ କଂଗ୍ରେସରେ ଅଛି । ବିଜେପିକୁ ଯାଉନି । କିନ୍ତୁ ତାଙ୍କ କୈଫତ ପଲିଟିକାଲ୍ ପ୍ଲାନକୁ ପୁଣି ସଜାଡି ପାରିନଥିଲା । ଯାହା କ୍ଷତି ହେବାର ଥିଲା ହୋଇସାରିଥିଲା । ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଏବେ ସଚିନଙ୍କ ପାଖରେ କମ ବିକଳ୍ପ ଥିଲା । କାରଣ ବସୁନ୍ଧରା ରାଜେ ନିରବ ଥିଲେ । ସେ ସଚିନଙ୍କ ବିଜେପି ଆଗମନକୁ ନେଇ ଅସହଜ ଥିଲେ ।

ପାଇଲଟଙ୍କ ଶ୍ୱସୁରଙ୍କ ଏଣ୍ଟ୍ରି

sachin with abdullha

ପାଇଲଟ ରାଗରେ ବିଜେପିର ନିକଟତର ହୋଇଥିଲେ । କିନ୍ତୁ ନା ଦିଲ୍ ମିଳିଥିଲା ନା ଡିଲ୍ ହୋଇଥିଲା । ଅଶୋକ ଗହଲୋତ ତାଙ୍କ ରାଜନୈତିକ ଶତ୍ରୁଥିଲେ । କଂଗ୍ରେସ ନୁହେଁ । ତେଣୁ ବିଜେପି ନିକଟତର ହୋଇ ମଧ୍ୟ ସେ କେବେ ବି କଂଗ୍ରେସକୁ ଛାଡିନଥିଲେ । ଏହାକୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଠିକ୍ ବୁଝିଥିଲା । ତେଣୁ ଆରମ୍ଭ ହୋଇଥିଲା ମିଶନ ଘରୱାପସି । ଏଥିପାଇଁ ସଚିନଙ୍କ ଶ୍ୱଶୁରଙ୍କ ସହ ଯୋଗାଯୋଗ କରିଥିଲେ କଂଗ୍ରେସ ହାଇକମାଣ୍ଡ୍ । ପ୍ରିୟଙ୍କା ଗାନ୍ଧୀ ଏହି ଦାୟିତ୍ୱ ନେଇଥିଲା । ସଚିନଙ୍କ ଶ୍ୱସୁର ଓ ଶଳାଙ୍କ ସହ ଯୋଗାଯୋଗ କରିଥିଲେ ପ୍ରିୟଙ୍କା । ସଚିନଙ୍କ ଶ୍ୱସୁର ହେଉଛନ୍ତି  ଫାରୁକ ଅବଦୁଲା । ଧାରା ୩୭୦ ଉଛେଦ ପରଠାରୁ ବିଜେପି ଉପରେ ରକ୍ତଚାଉଳ ଚୋବାଉଥିବା ଫାରୁକ ଓ ତାଙ୍କ ପୁଅ ଉମର ଅବଦୁଲା ମଧ୍ୟ ସଚିନଙ୍କ ବିଜେପି ଶିବିରକୁ ଯିବା ନାପସନ୍ଦ କରୁଥିଲେ । ଏମିତି କରି ପ୍ରିୟଙ୍କା ସଚିନଙ୍କ ପାଇଁ ରାସ୍ତା ଖୋଲି ଦେଇଥିଲେ । ଏହାସହ ସଚିନ ପାଇଲଟଙ୍କ ମା ରମା ପାଇଲଟଙ୍କ ସହ ମଧ୍ୟ ପ୍ରିୟଙ୍କା ଯୋଗାଯୋଗ କରିଥିଲେ ।  ଗାନ୍ଧି ପରିବାର ସହ ପୁରୁଣା ଦିନର ସଂପର୍କ କଥା ରମାଙ୍କୁ ମନେ ପକାଇ ଦିଆଯାଇଥିଲା । ମାନେ କଂଗ୍ରେସ ହାଇକମାଣ୍ଡ ସଚିନଙ୍କୁ କଂଗ୍ରେସକୁ ଫେରାଇ ଆଣିବାକୁ  ପଲିଟିକାଲ କାର୍ଡ ସହ ଇମୋସନାଲ କାର୍ଡ ମଧ୍ୟ ଖେଳିଥିଲା ।

ସଚିନ ପରିବାରକୁ ନିଜ ରାଜନୈତିକ ଭବିଷ୍ୟତର ରୂପରେଖ କହି ବୁଝାସୁଝା କରିଥିଲେ ସତ କିନ୍ତୁ ତା’ପରଠାରୁ ସେ ଦୁର୍ବଳ ହୋଇଥିଲେ । ଏହମଧ୍ୟରେ ଅଶୋକ ଗହଲୋତ ନିଜ ଦୁର୍ଗର ସୁରକ୍ଷାକୁ ଅଧିକ କଡାକଡି କରିଥିଲେ । କଂଗ୍ରେସ ମଧ୍ୟ ସଚିନଙ୍କ ସହ କଥାବାର୍ତ୍ତାକୁ ଆଗକୁ ନେଇଥିଲା । ଦିପେନ୍ଦ୍ର ହୁଡା ରାହୁଲଙ୍କ ସହ କଥା ହୋଇ ସଚିନଙ୍କୁ ଦଳକୁ ଫେରାଇ ଆଣିବା ଦାୟିତ୍ୱ ନେଇଥିଲେ । ରାହୁଲ ମଧ୍ୟ ନିଜ ପୁରୁଣା ମିତ୍ର ଭଂବର ଜିତେନ୍ଦ୍ର ସିଂହଙ୍କୁ ପାଇଲଟଙ୍କୁ ବୁଝାଇବା ଦାୟିତ୍ୱ ଦେଇଥିଲେ ।

କଂଗ୍ରେସ ହାଇକମାଣ୍ଡ ସଚିନଙ୍କ ଘର ୱାପସି ଉଦ୍ୟମ କରୁଥିବା ବେଳେ ଅଶୋକ ଗହଲୋତ କିନ୍ତୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ସେ ସଚିନଙ୍କ ବିରୋଧରେ ନିଜ ଭାଷାକୁ ଅତ୍ୟଧିକ ବିଶାକ୍ତ କରିବାରେ ଲାଗିଥିଲେ । ଗୋଟିଏ ପଟେ ଆଲୋଚନା ,ଆରପଟେ ଆକ୍ରମଣ । ଏମିତିରେ କିଛି ସମୟ ପାଇଁ ସଚିନଙ୍କ ସହ କଥାବାର୍ତ୍ତା ଡିରେଲ୍ ହୋଇଯାଇଥିଲା । କାରଣ ସଚିନଙ୍କୁ ଲାଗିଲା ଯେ, କଂଗ୍ରେସ ତାଙ୍କ ସହ ଗେମ୍ ଖେଳୁଛି । କିନ୍ତୁ ସତ ଏହା ମଧ୍ୟ ଥିଲା ଯେ, ସଚିନ ବି ତାଙ୍କ ଚାଲ୍ ଚଳାଉଥିଲେ । ସେ ବିଜେପିକୁ ଯିବାକୁ ମନରୁ ଚାହୁଁନଥିଲେ କିନ୍ତୁ ଅଶୋକ ଗହଲୋତଙ୍କ ପ୍ରତି ତାଙ୍କ ଘୃଣା ତାଙ୍କୁ ବିଜେପି ଆଡକୁ ଟାଣିଥିଲା । ଏମିତିରେ କଂଗ୍ରେସ ହାଇକମାଣ୍ଡଙ୍କୁ ଅଶୋକଙ୍କୁ ଲଗାମ ଲଗାଇବାକୁ ପଡିଥିଲା ।

 ସଚିନଙ୍କ ବନ୍ଧୁ ମଧ୍ୟ ଆଲୋଚନାରେ ସାମିଲ ଥିଲେ

ଏହାମଧ୍ୟରେ କଂଗ୍ରେସ ନେତା କପିଲ ସିବ୍ବଲଙ୍କ ଟ୍ୱିଟ୍ ଆସିଲା । ଯେଉଁଥିରେ ସେ କହିଥିଲେ,ଅସ୍ତବଲରୁ ସବୁ ଘୋଡା ଚାଲିଗଲା ପରେ କଣ କଂଗ୍ରେସ ନିଦରୁ ଉଠିବ ? କୁହାଯାଉଛି ଯେ, ଏହାପରେ ପ୍ରିୟଙ୍କା କପିଲଙ୍କୁ ଯୋଗାଯୋଗ କରିଥିଲେ । ଆଉ କହିଥିଲେ,ଆପଣ ତାଙ୍କ ସହ କଥା ହୁଅନ୍ତୁ । କିନ୍ତୁ ଏସବୁ ଭିତରେ ସଚିନ କଂଗ୍ରେସ ନେତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏଥର ସଚିନଙ୍କ ସହ ପୁଣି ସଂପର୍କ ସ୍ଥାପନ ପାଇଁ ଗାନ୍ଧି ପରିବା କିର୍ତ୍ତି ଚିଦାମ୍ବରମଙ୍କୁ ଧରିଥିଲା । କାରଣ କିର୍ତ୍ତି ଚିଦାମ୍ବରମ ସଚିନଙ୍କ ପୁରୁଣା ମିତ୍ର । ରାଜନୀତିକୁ ଆସିବା ପୂର୍ବରୁ ଉଭୟ ମିଶିକରି ଗୋଟିଏ ମେଡିକାଲ କଂପାନୀ ଖୋଲିଥିଲେ

କିର୍ତ୍ତି ସଚିନଙ୍କ ସହ କଥା ହେବା କାଳରେ ହିଁ ଅଶୋକ ଗହଲୋତ ପୁଣିଥରେ ତାଙ୍କ ହମଲା ତୀବ୍ର କରିଥିଲେ । ଏହା ସହ ସେ ଗୋଟିଏ ଅଡିଓ ସିଡି ମଧ୍ୟ ଲିକ୍ କରିଥିଲେ । କଥାବାର୍ତ୍ତା ପୁଣିଥରେ ଭାଙ୍ଗି ଯାଇଥିଲା । ଏସବୁ ଭିତରେ ସଚିନ ପାଇଲଟ୍ ଦୁର୍ବଳ ହେବାକୁ ଲାଗିଥିଲେ । ତାଙ୍କ ସମର୍ଥକଙ୍କ ମଧ୍ୟରେ ବି ସନ୍ଦେହ ସୃଷ୍ଟି ହୋଇଥିଲା । ସରକାର ବଂଚିବ କି ଭାଙ୍ଗିବ ଏହାକୁ ନେଇ ସଚିନଙ୍କ ସମର୍ଥକ ସନ୍ଦିହାନ ହୋଇପଡିଥିଲେ ।  ବହୁଜନ ସମାଜ ପାର୍ଟି ବିଧାୟକଙ୍କ ଭୋଟିଂ ଅଧିକାର ଉପରେ ବ୍ୟାନ୍ ଲାଗିବାରେ ହିଁ ସରକାର ବଂଚିବା କିମ୍ବା ଭାଙ୍ଗିବା ନିର୍ଭର କରୁଥିଲା  ।  ବିଜେପି ସଚିନଙ୍କୁ ବିଏସପି ବିଧାୟକଙ୍କୁ ନେଇ ଆଶ୍ୱାସନା ଦେଇଥିବା କୁହାଯାଉଛି । କିନ୍ତୁ ଏହା ମଧ୍ୟ କୁହାଯାଉଛି ଯେ, ନିଷ୍ପତି ବିଜେପି ପକ୍ଷରେ ଆସିବ ବୋଲି ମଧ୍ୟ ବିଜେପି କୌଣସି ଗ୍ୟାରେଣ୍ଟି ଦେଇନଥିଲା ।

ଗତ ରବିବାର ଦିନ ପୁଣିଥରେ ଗାନ୍ଧି ପରିବା ଅବଦୁଲା ପରିବାର ଜରିଆରେ ସଚିନଙ୍କ ସହ ସଂପର୍କ ସ୍ଥାପନ କରିଥିଲା । ଅଶୋକ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ବନ୍ଦ କରିବାକୁ ସ୍ପଷ୍ଟ ଭାବେ କୁହାଗଲା । ଏବେ ସଚିନ୍ ନିଜ ବନ୍ଧୁ ଓ ପରିବାର ଜରିଆରେ କଂଗ୍ରେସକୁ ସମ୍ମାନଜନକ ପ୍ରତ୍ୟାବର୍ତ୍ତନର ରାସ୍ତା ଖୋଜୁଥିଲେ ।

ମାନୁ ନଥିଲେ ଅଶୋକ

sachin vs ashok

ରାଜସ୍ଥାନରେ ତୃତୀୟ ମୋର୍ଚ୍ଚାର କୌଣସି ରାଜନୈତିକ ଭବିଷ୍ୟ ନାହିଁ । ଏଣେ ବିଜେପି ସହ ମନ ମିଶୁନଥିଲା । ତେଣୁ ସଚିନ କଂଗ୍ରେସକୁ ଫେରିବା ପାଇଁ ମନସ୍ଥିର କରିସାରିଥିଲେ । ତେବେ ସେ ଚାହୁଁଥିଲେ ସମ୍ମାନଜନକ ପ୍ରତ୍ୟାବର୍ତ୍ତନ ।  ଅଗଷ୍ଟ ୯ କ୍ରାନ୍ତି ଦିବସରେ ସେ କଂଗ୍ରେସକୁ ଫେରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।  ସେହିଦିନ କଂଗ୍ରେସର ଫାଷ୍ଟ ଫ୍ୟାମିଲି ସହ ସାକ୍ଷାତ ପରେ ରାଜନୈତିକ ଘଟଣାକ୍ରମ ଉପରେ ଯବନିକା ଟାଣିବା ଥିଲା ସଚିନଙ୍କ ଉଦ୍ଦେଷ୍ୟ । କିନ୍ତୁ ପୁରା ଦିନ ରାଜନୈତିକ ସୌଦାବାଜୀରେ କଟିଥିଲା । ଏଣେ କଂଗ୍ରେସ ହାଇକମାଣ୍ଡଙ୍କ ଅଶୋକଙ୍କୁ ଶକ୍ତ ନିର୍ଦ୍ଦେଶ ଜାରି କରିଥିଲେ । ସଚିନଙ୍କ ଉପରେ ଅଧିକ ଆକ୍ରମଣକୁ ହାଇକାଣ୍ଡ ପସନ୍ଦ କରୁନାହାନ୍ତି ।  ଏହାସହ ଅଶୋକ ଗହଲୋତଙ୍କୁ ତତ୍କାଳିକ ରାଜନୈତିକ ଫାଇଦା ଅପେକ୍ଷା ଦଳର ଦୀର୍ଘକାଳୀନ ସ୍ୱାର୍ଥକୁ ଦେଖିବାକୁ କୁହାଯାଇଥିଲା । ଅର୍ଥାତ ଗହଲୋତଙ୍କୁ ବୁଲେଇ ବଙ୍କେଇ କୁହାଯାଇଥିଲା ଯେ, ଦଳ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବ । ଏବେ ଅଶୋକଙ୍କ ପାଖରେ ଦଳର ଆଦେଶ ମାନିବା ଛଡା ଅନ୍ୟ ବାଟ ନଥିଲା ।

ଅଶୋକ ଗହଲୋତ ସଚିନଙ୍କୁ ନେଇ ମନସ୍ଥିର କରିପାରୁନଥିଲେ କିନ୍ତୁ ପ୍ରିୟଙ୍କା ଆଗକୁ ବଢିବା ପାଇଁ ନିଷ୍ପତି ନେଲେ । ସେ ସଚିନଙ୍କୁ ସାକ୍ଷାତକାର ପାଇଁ ନିମନ୍ତ୍ରଣ ଦେଇଥିଲେ । ସଚିନ,ରାହୁଲଙ୍କ ଘରେ ପହଂଚିଥିଲେ । ଏହାସହ ନିଜ ସମର୍ଥକଙ୍କୁ ବୁଝାଇଥିଲେ ଯେ, ଯଦି ସରକାର ଭାଙ୍ଗି ପାରୁନେ ତେବେ ଫାଲତୁ ଝଗଡା କରି ଲାଭ ନାହିଁ । ଆପଣ ମାନଙ୍କ ପାଇଁ ସମ୍ମାନଜନକ ସ୍ଥାନ ଲାଗି ମୁଁ କଂଗ୍ରେସ ହାଇକମାଣ୍ଡ୍ ସହ ଆଲୋଚନା କରିବି । ଏମିତି କହି ସଚିନ ନିଜ ସମର୍ଥକଙ୍କୁ ବୁଝାଇଥିଲେ ।

ଆଲୋଚନାରେ କ’ଣ ହେଲା ?

sachin priyanka

କୁହାଯାଉଛି ଯେ, ଦୁଇ ବନ୍ଧୁ ରାହୁଲ ଓ ସଚିନ ପରସ୍ପର ଆଗରେ ନିଜ ନିଜ ଅଭିଯୋଗ ରଖିଥିଲେ । ପ୍ରିୟଙ୍କା ମଧ୍ୟ ଆଲୋଚନା କାଳରେ ଉପସ୍ଥିତ ଥିଲେ । ସେ ସଚିନଙ୍କୁ କହିଥିଲେ ଯେ,‘ ଯେଉଁ ପାର୍ଟି ଆପଣଙ୍କୁ ଏତେ ଦେଇଛି ତାକୁ କେମିତି ଛାଡିବା କଥା କହୁଛନ୍ତି ? ଉତ୍ତରରେ ସଚିନ କହିଥିଲେ ‘‘ଯେତେବେଳେ ଉପ ମୁଖ୍ୟମନ୍ତ୍ରୀ କରି ଆପଣ ପଠାଇଥିଲେ ସେତେବେଳେ କହିଥିଲେ ମିଶିକରି ସରକାର ଚଳାଇବେ । କିନ୍ତୁ ସେଠାରେ ମୋ ସ୍ଥିତି କେବଳ ଜଣେ ସାଧାରଣ ବିଧାୟକ ହୋଇ ରହିଗଲା’’

ଏହାପରେ ତିନି ଜଣଙ୍କ ମଧ୍ୟରେ ଅନେକ କଥା ହୋଇଥିଲା । ଏହା ଭିତରେ ଉଭୟ ପରିବାରର ସଂପର୍କ ବାବଦରେ ବି ଆଲୋଚନା ହୋଇଥିଲା । ଭାବନାତ୍ମକ ସଂପର୍କକୁ ନେଇ ଅନେକ ସମୟ ଆଲୋଚନା ହୋଇଥିଲା ।

ଶେଷରେ ଏହା ନିର୍ଧାରିତ ହୋଇଥିଲା ଯେ, କିଛି ଦିନ ଅପେକ୍ଷା କରିବାକୁ ପଡିବ । ସଚିନଙ୍କ ଅଭିଯୋଗକୁ ରାହୁଲ ଓ ପ୍ରିୟଙ୍କା ଗ୍ରହଣ କରିଥିଲେ । କିନ୍ତୁ କହିଥିଲେ ଯେ, ଯଦି ତୁରନ୍ତ ତାଙ୍କ ଦାବିକୁ ମାନି ନିଆଯାଏ ତେବେ ପଂଜାବରୁ ଛତିଶଗଡ ଓ ମହାରାଶ୍ଟ୍ରରେ ମଧ୍ୟ ବିଦ୍ରୋହର ନିଆଁ ଜଳିବ । ତେଣୁ ସଚିନଙ୍କୁ ଅପେକ୍ଷା କରିବାକୁ କୁହାଗଲା । ସଚିନଙ୍କୁ କୁହାଗଲା ଯେ, କିଛିଦିନ ଅପେକ୍ଷା କରନ୍ତୁ  । ଆମେ ଆପଣଙ୍କ ପାଇଁ କଂଗ୍ରେସରେ ସମ୍ମାନଜନକ ସ୍ଥାନ ତିଆରି କରିବୁ ଓ ଏହା ସହିତ ଆପଣଙ୍କ ବିଧାୟକଙ୍କ ମାନ ସମ୍ମାନ ରଖିବୁ ।

ଏହାସହ ଏହି ନିଷ୍ପତି ନିଆଯାଇଥିଲା ଯେ, ପ୍ରିୟଙ୍କା ସଚିନଙ୍କ ସମର୍ଥକ ବିଧାୟକଙ୍କ ସହ ମଧ୍ୟ ସାକ୍ଷାତ କରିବେ  । ଯେମିତି ସେମାନଙ୍କୁ ଲାଗିବ ନାହିଁ ଯେ,ତାଙ୍କ ଯୁବନେତା ଖାଲି ହାତରେ ଆତ୍ମସମର୍ପଣ କରି ଦିଲ୍ଲୀରୁ ଫେରି ଆସିଲା । ତେବେ ଏହା ସହଜ ନୁହେଁ । କାରଣ ଅଶୋକ ଗହଲୋତଙ୍କ ସମର୍ଥକ କହୁଛନ୍ତି ଯେ, ବାଧ୍ୟ ହୋଇ ସଚିନ ଫେରିଛନ୍ତି । ତାଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇନି ।

ଦିଲ୍ ମିଳିନି କିନ୍ତୁ ଡିଲ୍ ହୋଇଛି

ଅଶୋକ ଓ ସଚିନଙ୍କ ଦିଲ୍ ମିଳିନି ସତ କିନ୍ତୁ କଂଗ୍ରେସକୁ ଏମିତି ଗୋଟେ ଡିଲ୍ ମିଳିଛି ଯାହା ଦ୍ୱାରା ଏହା ନିଜର ଘର ସଜାଡି ପାରିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ପରସ୍ପରକୁ ଆଲିଙ୍ଗନ କରିବେ ଏଥିରେ ସନ୍ଦେହ ନାହିଁ । କିନ୍ତୁ କଂଗ୍ରେସକୁ ନିଜ ରାଜନୈତିକ ଅସ୍ତିତ୍ୱ ବଂଚାଇବା ପାଇଁ ଏହାଠାରୁ ଭଲ ଡିଲ୍ ନିଶ୍ଚିତ ଭାବେ ମିଳିନଥାନ୍ତା । ତେବେ ସତ ହେଲା ଦୁଇ ନେତାଙ୍କ ରାଜନୈତିକ ଅହଂ ଏତେ ବଡ ଯେ,ଏହାକୁ କେବଳ ଯୁଦ୍ଧ ବିରାମ କୁହାଯାଇ ପାରିବ । ସ୍ଥାୟୀ ଶାନ୍ତି ହୁଏତ ଏବେ କଂଗ୍ରେସ ଭାଗ୍ୟରେ ନାହିଁ ।

ନାଲି ଆଖି ଦେଖାଉଛନ୍ତି ପୋଲିସ ବାବୁ: ଅଭିଯୋଗ କଲେ ଅଭିଯୋଗକାରୀଙ୍କ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ: ନାଲି ଆଖି ଦେଖାଉଛନ୍ତି ପୋଲିସ ବାବୁ । ଫୋନରେ ଦେଉଛନ୍ତି ଧମକ ପରେ ଧମକ । ଖୁଲ୍ଲମଖୁଲା ଦାଦାଗିରି କରୁଛନ୍ତି ପୋଲିସ ବାବୁ । ଅଭିଯୋଗ କଲେ ଅଭିଯୋଗକାରୀଙ୍କ ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚାଲିଛି ଏଭଳି ପୋଲିସ ଜୁଲୁମ । କାମାକ୍ଷାନଗରର ତୁମୁସିଙ୍ଗା ଥାନାର ସବ-ଇନ୍ସପେକ୍ଟର ଫୋନରେ ଦେଉଛନ୍ତି ଧମକ ।

କଣ୍ଟାପାଳ ଗାଁର ଶରଣ ବେହେରାଙ୍କ ଲାଗିଛି ଭାଇଭାଗ ଗଣ୍ଡଗୋଳ  । ପୈତୃକ ସମ୍ପତ୍ତିରେ ଶରଣ ରହି ଆସୁଥିବାବେଳେ ଅନ୍ୟ ୩ ଭାଇ ତାଙ୍କୁ ଘର ଛାଡିବାକୁ ବାଧ୍ୟ କରୁଛନ୍ତି  । ଅଭିଯୋଗ ପରେ ଓଲଟା ଶରଣଙ୍କୁ ଥାନାକୁ ଡକାଇ ଧମକାଉଛନ୍ତି ପୋଲିସ ବାବୁ  ।  ଘର ଛାଡୁନଥିବାରୁ ପଘା ଲଗାଇ ଘୋଷାରିବାକୁ ଫୋନରେ ଦେଇଛନ୍ତି ଧମକ  ।

କେବଳ ଏହି ଜଣେ ପୋଲିସ ବାବୁ ନୁହଁନ୍ତି, କଙ୍କଡାହାଡ଼ ଥାନାବାବୁ ବି ଖାକି ବର୍ଦ୍ଦିର ଅପବ୍ୟବହାର କରୁଥିବା ଅଭିଯୋଗ ଆସିଛି  । ସ୍ଥାନୀୟ ଖରଖରି ଗାଁର ସର୍ଦ୍ଦାର ମୁର୍ମୁ ଓ ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକେ ଆକ୍ରମଣ କରିଥିବା କଙ୍କଡାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସର୍ଦ୍ଦାର  । କଙ୍କଡାହାଡ ଥାନା ପୋଲିସ ଶୁଣୁନଥିବାରୁ ଢେଙ୍କାନାଳ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ସର୍ଦ୍ଦାର ।

ତେବେ ନ୍ୟାୟ ପାଇବା ପରିବର୍ତ୍ତେ ଓଲଟା ଜେଲ ଗଲେ ସର୍ଦ୍ଦାର ଓ ତାଙ୍କ ସ୍ତ୍ରୀ । କଙ୍କଡାହାଡ ଥାନା ପୋଲିସ ଆଉ ଏକ ମାମଲାରେ ତାଙ୍କୁ ଦାୟୀ କରି ଗିରଫ କରିଥିଲା । ଏହା ବିରୋଧରେ କଙ୍କଡାହାଡ ଥାନା ଘେରାଉ କରିଥିଲେ ଗ୍ରାମବାସୀ । ଏହି ଦୁଇ ଘଟଣାରେ ପୋଲିସର ଜୁଲୁମ ଜଳଜଳ ହୋଇ ଦେଖାଯାଉଛି । ତେବେ ବରିଷ୍ଠ ପୋଲସି ଅଧିକାରୀ ଏହାର ଯାଞ୍ଚ କରି ଦୋଷୀଙ୍କୁ ଦଣ୍ଡ ଦେବା ସହ ନିର୍ଦ୍ଦୋଷଙ୍କୁ ନ୍ୟାୟ ଦେବା ପାଇଁ ବ୍ୟବସ୍ଥା କରିବେ ତ ?

କରୋନା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ମହାମାରୀ କୋରାନା ବିପକ୍ଷରେ ଲଢେଇ ଜାରି ରଖିଛି ସାରା ଦେଶ । ସଟଡାଉନ, ଲକଡାଉନ ଓ ଅନଲକ ସତ୍ତ୍ୱେ ବି କରୋନା କାୟା ବିସ୍ତାର କରିବାରେ ଲାଗିଛି । ସ୍ଥିତି ଏଭଳି ହୋଇଛି କି ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ କନଫରେସିଂ ଜରିଆରେ ହୋଇଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାବ, ବିହାର, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜୁରାଟ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସାମିଲ ହୋଇଥିଲେ । ରାଜ୍ୟରେ ବଢିଚାଲିଥିବା ସଂକ୍ରମଣକୁ ନେଇ ମତ ରଖିଥିଲେ ମୁଖ୍ୟମନ୍ତ୍ରୀମାନେ। କରୋନା ବିପକ୍ଷରେ ଆଉ କଣ ପଦକ୍ଷେପ ନିଆଯିବ । ଅଧିକ ସଂକ୍ରମିତ ଜିଲ୍ଲାରେ କଣ ରହିବ ରଣନୀତି ସେ ନେଇ ଆଲୋଚନା ହୋଇଛି । ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ, ଗୃହ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ଏଥିସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ଟେଷ୍ଟ ହେଉଥିବାରୁ ବଢୁଛି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସମ୍ଭବ ହେଉଛି । ଆଜି ଗୋଟିଏ ଦିନରେ ଦେଶରେ ୫୩ ହଜାର ୬୦୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୮୭୧ ଜଣଙ୍କ ଜୀବନ ନେଇଛି ମହାମାରୀ ।

ଭାରତରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୬କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୪୫ ହଜାର ୨୫୭କୁ ବଢିଛି । ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୮୩ ହଜାର ୪୯୦ ଜଣ ସୁସ୍ଥ ହୋଇଥିବାବେଳେ ୬ ଲକ୍ଷ ୩୯ ହଜାର ୯୨୯ ଜଣ ଆକ୍ଟିଭ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବିଭ୍ରାନ୍ତିକର କରୋନା ଖବର ପ୍ରସାରଣ ମାମଲା: ପୋଲିସ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ 

ଭୁବନେଶ୍ୱର: ଏକ ଘରୋଇ ଟିଭି ଚ୍ୟାନେଲରେ କୋଭିଡ୍‌ ହସ୍‌ପିଟାଲ ସଂପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣ ମାମଲାରେ ପୋଲିସ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ  । ଦୁଇ ଅଭିଯୁକ୍ତ ହେଲେ ଓର୍‌ଟେଲ କମୁନିକେସନ୍‌ସର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ବନ୍ଧୁ ବିଶ୍ୱଜିତ୍ ମହାନ୍ତି । ଗତକାଲି ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 

ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିଲେ । ସେମାନଙ୍କୁ ତିନିଦିନିଆ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଥିଲେ । ଆଜି କ୍ୟାପିଟାଲ ଥାନା ପୋଲିସ ରିମାଣ୍ଡରେ ନେଇଛି । ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କୁ ପୋଲିସ ତିନିଦିନ ଧରି ଜେରା କରିବ । ଲକ୍ଷ୍ମୀକାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଥିଲେ । ସୁସ୍ଥ ହୋଇ ଫେରିବା ପରେ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କ ବାର୍ତ୍ତଆଳାପର ଅଡିଓ ବିଶ୍ୱଜିତ ଭାଇରାଲ୍ କରିଥିଲେ ।

ଏକ ଘରୋଇ ଟିଭି ଚ୍ୟାନେଲର ଡିଜିଟାଲ ପ୍ଲାଟ୍‌ଫର୍ମରେ ଏହି ବିଭ୍ରାନ୍ତିକର ଭାଇରାଲ ଅଡିଓ ପୋଷ୍ଟ ହୋଇଥିଲା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ଓର୍‌ଟେଲ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ବନ୍ଧୁ ବିଶ୍ୱଜିତ ମହାନ୍ତିଙ୍କୁ ପୋଲିସ ଗିରଫ କରଥିଲା। ଆଜି ତିନିଦିନିଆ ରିମାଣ୍ଡରେ ନେଇଛି । ଉଭୟଙ୍କୁ ପୋଲିସ ତିନିଦିନ କାଳ ପଚରାଉଚରା କରିବ ।

ମହଙ୍ଗା ପଡିଲା ଫେକ୍ ନ୍ୟୁଜ୍: ନ୍ୟୁଜ୍ ଚ୍ୟାନେଲ୍ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ଦୁଇ ହସ୍ପିଟାଲ

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।  ଆର୍ମୀ ହସପିଟଲରେ ତାଙ୍କ ବ୍ରେନ ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ମସ୍ତିଷ୍କରେ ରକ୍ତ ଜମିଥିବାରୁ ତାଙ୍କର ଅପରେସନ କରାଯାଇଥିଲା । ପରେ ଅବସ୍ଥା ବିଗିଡିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

ଗତକାଲି ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ କରୋନା ପଜିଟିଭ ଥିବା ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ପ୍ରଣବ ମୁଖାର୍ଜୀଙ୍କ ବୟସ ବର୍ତ୍ତମାନ ୮୪ ବର୍ଷ । କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ୨୦୧୨ରୁ ୨୦୧୭ ମଧ୍ୟରେ ସେ ରାଷ୍ଟ୍ରପତି ଥିଲେ । ୨୦୧୯ରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ ।

ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଆର ଏଣ୍ଡ ଆର ହସ୍ପିଟାଲ ପରିଦର୍ଶନ କରିଛନ୍ତି ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ରାଜନୈତିକ ନେତା ୮୪ ବର୍ଷିୟ ମୁଖାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୁଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ, କାମନା କରୁଛୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କୋଭିଡରୁ ଶୀଘ୍ର ଆରୋଗ୍ୟ ହୁଅନ୍ତୁ । ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସ ନେତା ଅଭିଜିତ୍ ମୁଖାର୍ଜୀ ଟୁଇଟ୍ କରି କହିଛନ୍ତି, “ମୁଁ ମୋର ପିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ! ବାପାଙ୍କର ଶୀଘ୍ର ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାକୁ ମୋର ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ।”

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମୁଁ ଚିନ୍ତିତ । ତାଙ୍କ ଆଶୁ ଆରୋଗ୍ୟ କାମନା କରନ୍ତୁ।”

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଚ୍ୱିଟ କରି କହିଛନ୍ତି ଯେ, ମୁଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ତାଙ୍କୁ ଆଶୁ ଆରୋଗ୍ୟ ପାଇଁ ମୁଁ କାମନା କରୁଛି ।

ଭାରତର ୧୩ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପୂର୍ବରୁ ମୁଖାର୍ଜୀ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ। ସେ ଜୁଲାଇ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୧୦ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୯୬ରେ ପହଞ୍ଚିଛି । ଗଂଜାମରୁ ୩, ଖୋର୍ଦ୍ଧାରୁ ୪, ବାଲେଶ୍ୱର, ସୁନ୍ଦରଗଡ଼, ପୁରୀ ଏବଂ ରାୟଗଡ଼ାରେ ଜଣେ ଲେଖାଏ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ମଙ୍ଗଳବାର ଦିନ ଗଞ୍ଜାମରେ ୩ ଜଣ ସଂକ୍ରମିତ ୭୨ ବର୍ଷିୟ ପୁରୁଷ, ୬୪ ବର୍ଷିୟ ପୁରୁଷ, ୫୨ ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି  । ଏହାସହ ଖୋର୍ଦ୍ଧାରୁ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୮୦ ବର୍ଷିୟ ପୁରୁଷ, ୫୫ ବର୍ଷିୟ ମହିଳା ଓ ୨୬ ବର୍ଷିୟ ମହିଳା । ସେହିପରି ବାଲେଶ୍ୱରରୁ ୫୮ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ରୁ ୫୭ ବର୍ଷିୟ ମହିଳା, ପୁରୀରୁ ୫୬ ବର୍ଷିୟ ପୁରୁଷ ଏବଂ ରାୟଗଡ଼ାରୁ ୪୭ ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ।  ତେବେ ଏସମସ୍ତ ଆକ୍ରାନ୍ତ ଉଚ୍ଚରକ୍ତଚାପ, ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।

ସେହିପରି ମଙ୍ଗଳବାର ରାଜ୍ୟରେ ୧୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୪୧ କରୋନା ସଂକ୍ରମିତ ଏବେ ଚିନ୍ତା ବଢାଇଛି । ଏଥିମଧ୍ୟରୁ ୮୧୮ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୨୩ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ରାଜ୍ୟରେ ଆଉ ୧୩୪୧ ସଂକ୍ରମିତ ଚିହ୍ନଟ,୫୨୩ ସ୍ଥାନୀୟ ସଂକ୍ରମଣ ମାମଲା

ଭୁବନେଶ୍ୱର: ପ୍ରତିଦନି ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ରାଜ୍ୟରେ ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମଙ୍ଗଳବାର ରାଜ୍ୟରେ  ୧୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୪୧ କରୋନା ସଂକ୍ରମିତ ଏବେ ଚିନ୍ତା ବଢାଇଛି । ଏଥିମଧ୍ୟରୁ ୮୧୮ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୨୩ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଗଞ୍ଜାମରୁ ୨୨୭, ଖୋର୍ଦ୍ଧାରୁ ୨୧୮, ଅନୁଗୁଳରୁ ୪, ବାଲେଶ୍ୱରରୁ ୫୪, ବରଗଡ଼ରୁ ୫୬, ଭଦ୍ରକରୁ ୮୩, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୧୦, କଟକରୁ ୭୬, ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୬୭, କଳହାଣ୍ଡିରୁ ୨୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୭, କେଉଁଝରରୁ ୨୩, କୋରାପୁଟରୁ ୪୫, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୫୭, ନୂଆପଡ଼ାରୁ ୭, ପୁରୀରୁ ୧୬, ରାୟଗଡ଼ାରୁ ୭୫, ସମ୍ବଲପୁରରୁ ୨୬, ସୋନପୁରରୁ ୨୬, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

୨୯ଟି ଜିଲ୍ଲାରୁ ୧୩୪୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୮୧୮ ଓ ଲୋକାଲ କେସ ୫୨୩ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬ ରେ ପହଞ୍ଚିଛି । ରାଜ୍ୟରେ ଆଜି ୧୦ ଜଣ ସଂକ୍ରମିତ କରୋନାରେ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩୩୦୨୦ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୪୨୭ଟି ସକ୍ରିୟ ମାମଲା ରହିଛି ।

ଆଜିଠୁ ଢେଙ୍କାନାଳ ଭୁବନ ଏନଏସି ସଟଡାଉନ

ଢେଙ୍କାନାଳ: ଆଜିଠୁ ଢେଙ୍କାନାଳ ଭୁବନ ଏନଏସି ସଟଡାଉନ । ଭୁବନ ବ୍ଲକରେ ଭୟଙ୍କର ହେବାରେ ଲାଗିଛି ମହାମାରୀ। ଶହେ ସାତ ପଜିଟିଭ ମଧ୍ୟରୁ କେବଳ ଭୁବନ ଏନଏସିରୁ ୯୦ ଚିହ୍ନଟ ହୋଇଥିବା ବେଳେ ବ୍ଲକରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଖ୍ୟା ୬୬୫ରେ ପହଁଚିଛି । ତେବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୧ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ।

ତେବେ ୯୭ କରୋନା ପଜିଟିଭ୍ ଚିହ୍ନଟ ପରେ ମଧ୍ୟ ପରିବା ମାର୍କେଟରେ ଗହଳି ଦେଖିବାକୁ ମିଳିଛି। ଫଳରେ ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ତିନିଦିନ ଯାଏ ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ବାକି ସବୁ ବନ୍ଦ ରହିଛି।

ସେହିପରି ଭାବରେ ରାଜ୍ୟରେ ସୋମବାର ଦିନ ୧୫୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଏଥିମଧ୍ୟରୁ ୯୪୮ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୮୦ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।