spot_img
Home Blog Page 668

ପୁଣି ରିଲିଜ୍ ହେବେ ‘ଶୋଲେ’,ଏଥର ଗବ୍ବରକୁ ମାରିବ ଠାକୁର

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ, ବ୍ଲକବଷ୍ଟର ଓ କଲ୍ଟ ଫିଲ୍ମ ‘ଶୋଲେ’ର ୫୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଫିଲ୍ମ ୧୯୭୫ ମସିହା ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା। ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଜୟା ବଚ୍ଚନ, ହେମା ମାଳିନୀ, ସଞ୍ଜୀବ କୁମାର ଓ ଅମଜଦ ଖାନ ଅଭିନୀତ ‘ଶୋଲେ’ର ୫୦ ବର୍ଷ ପୂରଣ ଅବସରରେ ଏହାକୁ ପୁନର୍ବାର ରିଲିଜ କରାଯାଉଛି। ବିଶେଷ କଥା ହେଉଛି, ଫିଲ୍ମଟିକୁ ଅନକଟ ସଂସ୍କରଣ ସହ ରିଲିଜ କରାଯିବ। ଶୋଲେକୁ ରମେଶ ସିପ୍ପୀ ନିର୍ଦ୍ଦେଶନା ଦେଇଥିଲେ। ଏବେ ୨୭ ଜୁନରେ ଏହାର ପ୍ରିମିୟର ଇଟାଲୀର ବୋଲୋଗ୍ନାରେ ହେବ।

ଭାରତର ଏହି କଲ୍ଟ ଫିଲ୍ମକୁ ଇଟାଲୀର ‘ଇଲ ସିନେମା ରିଟ୍ରୋଭେଟୋ ଫେଷ୍ଟିଭାଲ’ରେ ପ୍ରଦର୍ଶିତ କରାଯିବ। ଏହାର ବିଶେଷ ସ୍କ୍ରିନିଂ ପିୟାଜା ମାଜିଓରେ ହେବ। ଏହି ସ୍ଥାନ କ୍ଲାସିକ ଫିଲ୍ମର ସ୍କ୍ରିନିଂ ପାଇଁ ପ୍ରସିଦ୍ଧ। ଏହି ଅନକଟ ସଂସ୍କରଣର କ୍ସାଇମାକ୍ସରେ ଗବ୍ବର ସିଂକୁ ଠାକୁର ମାରୁଥିବାର ଦୃଶ୍ୟ ରହିଛି। ଏହି ଦୃଶ୍ୟଟିକୁ ସିବିଏଫସିର ନିର୍ଦ୍ଦେଶ ଅନୁସାରେ ମୂଳ ଥିଏଟର ରିଲିଜରୁ ହଟାଇ ଦିଆଯାଇଥିଲା। ଏଥିରେ ପୂର୍ବରୁ କେବେ ନ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ମଧ୍ୟ ଅନକଟ୍ ଭର୍ସନରେ ସାମିଲ ଅଛି, ଯାହାକୁ ସିବିଏଫସିର କହିବା ଅନୁସାରେ କିମ୍ବା ନିର୍ମାତାମାନେ ନିଜ ଇଚ୍ଛାରେ ଏଡିଟିଂ ସମୟରେ ହଟାଇ ଦେଇଥିଲେ।

ଫିଲ୍ମ ହେରିଟେଜ ଫାଉଣ୍ଡେସନ ଓ ସିପ୍ପୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏକ ଯୌଥ ପ୍ରୋଜେକ୍ଟ ରୂପେ ଏହି ଅନକଟ ସଂସ୍କରଣକୁ ରିଲିଜ କରିବାର ଉଦ୍ଦେଶ୍ୟ ହେଉଛି ଫିଲ୍ମକୁ ମୁଳ ରୂପରେ ଦେଖାଇବା, ଯେପରି ‘ଶୋଲେ’ ପ୍ରଥମେ ନିର୍ମାଣ କରାଯାଇଥିଲା। ଅମିତାଭ ଫିଲ୍ମଟି ପୁନର୍ବାର ରିଲିଜ ହେବା ଉପରେ ଖୁସି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ, ଧର୍ମେନ୍ଦ୍ର ଏହି ଫିଲ୍ମକୁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି ଅଭିହିତ କରିଛନ୍ତି।

ଅମିତାଭ ବଚ୍ଚନ କହିଛନ୍ତି, “ସେହି ସମୟରେ ମୋତେ ଆଦୌ ଆଭାସ ନଥିଲା ଯେ ଏହା ଭାରତୀୟ ସିନେମା ପାଇଁ ଏକ ମାଇଲଖୁଣ୍ଟ ହେବ। ଏହାକୁ ଫ୍ଲପ୍ ଘୋଷଣା କରାଯିବାରୁ ଆରମ୍ଭ କରି ବକ୍ସ ଅଫିସରେ ରେକର୍ଡ୍ ତୋଡ ରନ ପର୍ଯ୍ୟନ୍ତର ନାଟକୀୟ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ ରୋଲରକୋଷ୍ଟର ଥିଲା… ମୁଁ ଆଶା କରୁଛି ଯେ ୫୦ ବର୍ଷ ପରେ ମଧ୍ୟ, ଏହି ଫିଲ୍ମ ବିଶ୍ୱଭରର ନୂଆ ଦର୍ଶକଙ୍କ କଳ୍ପନାଶକ୍ତିକୁ ଆକର୍ଷଣ କରିବ।”

ଧର୍ମେନ୍ଦ୍ର ଶୋଲେକୁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଫିଲ୍ମଟି ଅନକଟ ସଂସ୍କରଣ ସହ ରିଲିଜ ହେଉଥିବା ଶୁଣି ମୋତେ ବହୁତ ଖୁସି ଲାଗୁଛି ଏବଂ ମୋର ବିଶ୍ୱାସ ଯେ ଏହା ୫୦ ବର୍ଷ ପୂର୍ବ ପରି ସଫଳତା ପାଇବ। କେହି ସଲିମ-ଜାବେଦଙ୍କ ସଂଳାପ ଓ ରମେଶ ସିପ୍ପୀଙ୍କ ନିର୍ଦ୍ଦେଶନାକୁ ଭୁଲି ପାରିବେ କି? ଭାରତୀୟ ସିନେମାର ଇତିହାସରେ ଅନେକ ଦୃଶ୍ୟ ସ୍ଥାନ ପାଇଛି ଏବଂ ପ୍ରତ୍ୟେକ ଚରିତ୍ର ଷ୍ଟାର ହୋଇଛନ୍ତି । କିନ୍ତୁ ଆସଲ ନାୟକ ଥିଲା ମୁଦ୍ରା… ମୋର ପ୍ରିୟ ଦୃଶ୍ୟ ଟାଙ୍କି ଦୃଶ୍ୟ, ମନ୍ଦିର ଦୃଶ୍ୟ ଓ ଆହୁରି ଅନେକ ଦୃଶ୍ୟ ଥିଲା, କିନ୍ତୁ ସବୁଠାରୁ ଶକ୍ତିଶାଳୀ ଦୃଶ୍ୟ ମୋ ପାଇଁ ଜୟର ମୃତ୍ୟୁ ଦୃଶ୍ୟ, ଯାହା ଏବେ ମଧ୍ୟ ମୋ ମନରେ ରହିଛି।”

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ; ଆସନ୍ତା ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ବିଜେଡି । ନାରୀ ସୁରକ୍ଷାକୁ ନେଇ ସମସ୍ତ କଲେଜ କ୍ୟାମ୍ପସରେ ପ୍ରତିବାଦ କରାଯିବ। ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ମୋହନ ସରକାରଙ୍କ ବିରୋଧରେ । ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର ସଂଗଠନକୁ ଆହ୍ଵାନ ଦେଇଛି ଛାତ୍ର ବିଜେଡି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ଅଭିଯୋଗ କରିଛନ୍ତି, ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢ଼ିଛି ଦୁଷ୍କର୍ମ। ଚୋରୀ, ଡକାୟତି, ରାହାଜାନୀ ବଢ଼ିଛି । ପ୍ରତ୍ୟେକ ଦିନ ୧୫ଟି ଦୁଷ୍କର୍ମ ହେଉଛି। ଗୋପାଳପୁର ଗଣଦୁଷ୍କର୍ମ ଓଡ଼ିଶାର ବିଶ୍ୱରେ ନିନ୍ଦିତ କରିଛି। ଗଣଦୁଷ୍କର୍ମ ଉପରେ ଉତ୍ସବ ପାଳନ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଛାତ୍ର ଓ ଯୁବ ବିଜେଡି ଚୁପ୍ ହୋଇ ବସିବ ନାହିଁ। ସେଥିପାଇଁ ଆସନ୍ତା ୨୫ ତାରିଖରେ ଆନ୍ଦୋଳନର ଡାକରା ଦିଆଯାଇଛି ।

ପୁଅ ସହ ବାଇକକୁ ଦେଲେ ସମାଧି ; କ’ଣ ପାଇଁ ଏମିତି କଲେ ପରିବାର ?

ନନ୍ଦିଘୋଷ ବ୍ୟୁରୋ: ବାଇକ ସହିତ ପୁଅକୁ କବର ଦେଲେ ପରିବାର । ଗୁଜୁରାଟର ନାଡିଆଡରେ ପରିବାର ଏକ ଅନନ୍ୟ ଉପାୟରେ ପୁଅର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏକ ବାଇକ୍ ଦୁର୍ଘଟଣାରେ ୧୮ ବର୍ଷୀୟ କ୍ରିଶ ପରମାରଙ୍କ ମୃତ୍ୟୁ ପରେ, ପରିବାର ତାଙ୍କୁ ତାଙ୍କ ପ୍ରିୟ ବାଇକ୍ ସହିତ କବର ଦେଇଛନ୍ତି ।

ଗୁଜୁରାଟର ନଦିଆଦ ଜିଲ୍ଲାର ଉତ୍ତରସଣ୍ଡା ଗ୍ରାମରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ନିଆରା ଡଙ୍ଗରେ ଏକମାତ୍ର ପୁଅକୁ ଅନ୍ତିମ ବିଦାୟ ଦେଇଛନ୍ତି ପରିବାର ଲୋକ । ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଧାର ଧାର ହେଇ ଲୁହ ଗଡିଯିବ । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୮ବର୍ଷୀୟ ଯୁବକ କ୍ରିସ ପରମାର । କ୍ରିସ ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ ଏବଂ ତାଙ୍କ ମୃତ୍ୟୁ କେବଳ ପରିବାରକୁ ନୁହେଁ ସମଗ୍ର ଗାଁକୁ ଶକ୍ତ ଧକ୍କା ଦେଇଛି  ।

କ୍ରିସ ବାଇକ ଚଲାଇବାକୁ ବହୁତ ପସନ୍ଦ କରୁଥିଲେ। ସେ ତାଙ୍କ ବାଇକକୁ କେବଳ ପସନ୍ଦ ନୁହେଁ ବରଂ ଏକ ବନ୍ଧୁ ବୋଲି ମାନୁଥିଲେ। ଗାଁର ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ପ୍ରିୟ ବାଇକରେ ବୁଲୁଥିବାର ଦେଖିଥିଲେ। ସେ କହୁଥିଲେ ଯେ ବାଇକ ହେଉଛି ତାଙ୍କର ପ୍ରକୃତ ସ୍ୱାଧୀନତା।

ପ୍ରାୟ ଦଶ ଦିନ ପୂର୍ବେ, କ୍ରିସ ତାଙ୍କ ବାଇକ୍ ଯୋଗେ ଗାଁ ଦେଇ ଯାଉଥିଲେ। ହଠାତ୍ ତାଙ୍କ ବାଇକ୍ ଏକ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ କ୍ରିସଙ୍କ ମୁଣ୍ଡ ଏବଂ ଶରୀରରେ ଗମ୍ଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ୧୨ ଦିନର ଚିକିତ୍ସା ପରେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।

କ୍ରିସଙ୍କ ଅକାଳ ମୃତ୍ୟୁ ସମଗ୍ର ପରିବାରକୁ ଦୁଃଖ ସାଗରରେ ଭସାଇ ଦେଇଥିଲା। ତାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ, ପରିବାର ଏକ ନିଷ୍ପତ୍ତି ନେଇଥିଲା ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ପରିବାର ନିଷ୍ପତ୍ତି ନେଇଥିଲା ଯେ କ୍ରିସଙ୍କୁ ତାଙ୍କ ସବୁଠାରୁ ଭଲ ପାଉଥିବା ବାଇକ୍ ସହିତ କବର ଦିଆଯିବ।

କେବଳ ବାଇକ ନୁହେଁ, କ୍ରିସଙ୍କ କିଛି ପ୍ରିୟ ଜିନିଷ ମଧ୍ୟ ତାଙ୍କ ସହିତ କବର ଦିଆଯାଇଥିଲା। ତାଙ୍କ ଶେଷ ଯାତ୍ରାରେ ତାଙ୍କ ପ୍ରିୟ ପୋଷାକ, ଘଣ୍ଟା ଏବଂ କିଛି ସ୍ମାରକୀ ମଧ୍ୟ ତାଙ୍କ ସହିତ ରଖାଯାଇଥିଲା। ଏହି ସବୁ ତାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ଏକ  ପ୍ରୟାସ ଥିଲା।

କ୍ରିସଙ୍କ ବାପା ସଞ୍ଜୟଭାଇ ପରମାର କହିଛନ୍ତି, “ମୋ ପୁଅ ବାଇକ ପାଇଁ ପାଗଳ ଥିଲା। ତାଙ୍କ ପାଇଁ ବାଇକ କେବଳ ମେସିନ୍ ନଥିଲା, ସେଗୁଡିକ ତାଙ୍କର ସ୍ୱପ୍ନ ଥିଲା। ଯେତେବେଳେ ଆମେ ତାଙ୍କୁ ଶେଷ ବିଦାୟ ଦେଇଥିଲୁ, ଆମେ ଭାବିଥିଲୁ ଯେ ତାଙ୍କର ସବୁଠାରୁ ମୂଲ୍ୟବାନ ଜିନିଷ ସେ ଯେଉଁଠାରେ ଯାଉଥିଲେ ମଧ୍ୟ ତାଙ୍କ ସହିତ ରହିବା ଉଚିତ।”

କ୍ରିସଙ୍କ ମୃତ୍ୟୁ ପରେ ଉତ୍ତରସଣ୍ଡା ଗାଁରେ ଶୋକର ଛାୟା । ଗାଁରେ ଏପରି କେହି ନାହାନ୍ତି ଯିଏ ବାଇକ୍ ଚଲାଉଥିବା ସମୟରେ ତାଙ୍କ ହସ ଏବଂ ମୁହଁକୁ ଭୁଲି ପାରୁଛନ୍ତି। ଗାଁ ଲୋକମାନେ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ବିଦାୟ ଦେଇଥିଲେ।

ଇସ୍ରାଏଲ-ଇରାନ ଯୁଦ୍ଧ ଅପଡେଟ୍ : ଇରାନର ୬ ବାୟୁସେନା ଘାଟି ଉପରେ ଇସ୍ରାଏଲର ଜୋରଦାର ଡ୍ରୋନ୍ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଇରାନର ୬ଟି ବାୟୁସେନା ଘାଟି ଉପରେ ଜୋରଦାର ଡ୍ରୋନ ଆକ୍ରମଣ କରିଛି । ଇସ୍ରାଏଲ ପଶ୍ଚିମ, ପୂର୍ବ ଓ ମଧ୍ୟ ଇରାନରେ ଏହି ଆକ୍ରମଣଗୁଡ଼ିକ କରିଛି । ଆଇଡିଏଫ ସୋମବାର ଏହାର ସୂଚନା ଦେଇ ଦାବି କରିଛି ଯେ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୫ଟି ଇରାନୀ ଯୁଦ୍ଧବିମାନ, ଅନେକ ହେଲିକପ୍ଟର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଧ୍ୱଂସ କରାଯାଇଛି । ଇସ୍ରାଏଲ ଡ୍ରୋନ ମାଧ୍ୟମରେ ଏହି ଆକ୍ରମଣ କରିଛି, ଯାହା ଫଳରେ ଇରାନର ବାୟୁସେନା ଘାଟିଗୁଡ଼ିକରେ ବହୁତ କ୍ଷୟକ୍ଷତି ହୋଇଛି । ଏହା ଉପରେ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆଇଡିଏଫ ଅନୁସାରେ, ତାଙ୍କ ଡ୍ରୋନ ଆକ୍ରମଣର ଲକ୍ଷ୍ୟ ଇରାନୀ ସେନା ଓ ଶାସନର ବିମାନଗୁଡ଼ିକ ଥିଲା। ଏହା ମଧ୍ୟରେ ଏଫ-୧୪ ଓ ଏଫ-୫ ଯୁଦ୍ଧବିମାନ ଏବଂ ଏଏଚ-୧ ହେଲିକପ୍ଟର ସାମିଲ ଥିଲା । ଏକ ରି-ଫୁଏଲିଂ ବିମାନକୁ ମଧ୍ୟ ନିଶାନା କରାଯାଇଥିଲା। ଆକ୍ରମଣରେ ରନୱେ, ଭୂଗର୍ଭସ୍ଥ ହ୍ୟାଙ୍ଗାର ଓ ଅନ୍ୟ ମୌଳିକ ଭିତ୍ତିଭୂମିରେ କ୍ଷୟକ୍ଷତି ହୋଇଛି। ଆଇଡିଏଫ ଇସ୍ରାଏଲୀ ଅଭିଯାନ ବିରୋଧରେ ବ୍ୟବହୃତ ହେଉଥିବା ବିମାନଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଡ୍ରୋନ ବ୍ୟବହାର କରିଛି ।

ଇରାନୀ ଯୁଦ୍ଧବିମାନ ଉଡ଼ାଣ କରିପାରୁନାହାନ୍ତି !
ଆଇଡିଏଫ ତା’ ବୟାନରେ ଦାବି କରିଛି ଯେ, ଡ୍ରୋନ ଆକ୍ରମଣ ଇରାନୀ ବିମାନବନ୍ଦରଗୁଡ଼ିକରେ ଉଡ଼ାଣ କ୍ଷମତାକୁ ବାଧାପ୍ରାପ୍ତ ହୋଇଛି । ଏହା ଦ୍ୱାରା ଇରାନୀ ସେନାରୁ ବାୟୁ ଅଭିଯାନ ଆରମ୍ଭ କରିବାରେ ଅସୁବିଧା ହେଉଛି । ଆଇଡିଏଫ ଦାବି କରିଛି ଯେ ଇରାନ ଉପରେ ଏହି ନୂଆ ଡ୍ରୋନ ଆକ୍ରମଣ ତେହରାନର ଚିନ୍ତା ବଢ଼ାଇ ଦେଇଛି କାରଣ ଛଅଟି ବିମାନବନ୍ଦର ଉପରେ ଆକ୍ରମଣ ଦ୍ୱାରା ଇରାନୀ ବାୟୁସେନାର ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଦଶ ଦିନ ଧରି ଚାଲିଛି ଯୁଦ୍ଧ

ଇରାନ ଓ ଇସ୍ରାଏଲ ମଧ୍ୟରେ ଗତ ଦଶ ଦିନ ଧରି ଯୁଦ୍ଧ ଚାଲିଛି। ଉଭୟ ଦେଶ ସୋମବାର ଏକାଦଶ ଦିବସରେ ମଧ୍ୟ ପରସ୍ପର ବିରୋଧରେ ଆକ୍ରମଣ ଜାରି ରଖିଛନ୍ତି। ଏହି ଯୁଦ୍ଧର ଆରମ୍ଭ ୧୩ ଜୁନରେ ହୋଇଥିଲା, ଯେତେବେଳେ ଇସ୍ରାଏଲ ଇରାନ ଉପରେ ଜୋରଦାର ଆକ୍ରମଣ କରି ତାର ଅନେକ ସୈନ୍ୟ ଅଧିକାରୀ ଓ ପରମାଣୁ ବୈଜ୍ଞାନିକମାନଙ୍କୁ ହତ୍ୟା କରିଥିଲା। ଏହା ପରେ ଇରାନ ମଧ୍ୟ ଇସ୍ରାଏଲର ପ୍ରମୁଖ ସହରଗୁଡ଼ିକ ଉପରେ ମିସାଇଲ ଆକ୍ରମଣ କରିଛି।

ଆମେରିକା ମଧ୍ୟ ଯୁଦ୍ଧରେ ସାମିଲ
ଇସ୍ରାଏଲକୁ ସମର୍ଥନ ଦେଇ ଆମେରିକା ମଧ୍ୟ ଏହି ଯୁଦ୍ଧରେ ପ୍ରବେଶ କରିଛି। ଆମେରିକୀୟ ବାୟୁସେନା ରବିବାର ସକାଳେ ଶହ ଶହ ଯୁଦ୍ଧବିମାନ, ବୋମାବର୍ଷକ ଓ ବଙ୍କର ବଷ୍ଟର ବୋମା ସହ ଇରାନର ପରମାଣୁ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଛି। ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ସେନାର ଆକ୍ରମଣରେ ଇରାନକୁ ବହୁତ କ୍ଷୟକ୍ଷତି ହୋଇଛି ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଧ୍ୱଂସ ହୋଇଯାଇଛି। ଇରାନ ଆମେରିକୀୟ ଆକ୍ରମଣର ନିନ୍ଦା କରି ଏହାର ଜବାବ ଦେବା ବୋଲି ଧମକ ଦେଇଛି ।

ଅଲ୍ଲୁ ଅର୍ଜୁନ ନୁହେଁ ରଣବୀର ସିଂ ହେବେ ‘ଶକ୍ତିମାନ’ !

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଇଣ୍ଟରନେଟରେ ଗୋଟିଏ ଚର୍ଚ୍ଚା ‘ଶକ୍ତିମାନ’ ଚଳଚ୍ଚିତ୍ରର କିଏ ହେବ ହିରୋ ? ପ୍ରତିଦିନ ସୋସିଆଲ ମିଡିଆରେ ଲିଡ୍ ହିରୋକୁ ନେଇ କଳ୍ପନା ଜଳ୍ପନା । ନିକଟରେ ଅଭିନେତା ମୁକେଶ ଖାନ୍ନା ଅଲ୍ଲୁ ଅର୍ଜୁନଙ୍କ ଅଭିନୟକୁ ପ୍ରଶଂସା କରିଥିବା ବେଳେ ଏନେଇ ପ୍ରଶଂସକଙ୍କ ଭିତରେ ନୂଆ ଗୁଜବ ସୃଷ୍ଟି କରିଥିଲା । ‘ଶକ୍ତିମାନ’ ଫିଲ୍ମରେ ଅଲ୍ଲୁ ଅର୍ଜୁନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପ୍ରଶଂସକ ଚର୍ଚ୍ଚା କରୁଥିବା ବେଳେ ଏହାକୁ ନିର୍ଦ୍ଦେଶକ ଖଣ୍ଡନ କରିଛନ୍ତି । ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି ଯେ ଏପରି କୌଣସି କାଷ୍ଟିଂର ଅପଡେଟ୍ ନାହିଁ। ‘ଶକ୍ତିମାନ’ ଚଳଚ୍ଚିତ୍ର ଫିଲ୍ମ ନିର୍ମାତା ବାସିଲ ଜୋସେଫଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ସେ ରଣବୀର ସିଂହଙ୍କୁ ମୁଖ୍ୟ ଭୂମିକାରେ ନେବା ପାଇଁ ଆରମ୍ଭରୁ କହିଛନ୍ତି। ଏତେ ବଡ଼ ପ୍ରୋଜେକ୍ଟ ବିଷୟରେ ଗୁଜବ ବାରମ୍ବାର ଆସୁଥିବା ବେଳେ ପ୍ରଯୋଜନା ସଂସ୍ଥା ଏହି ଗୁଜବକୁ ଖାରଜ କରିଛନ୍ତି ।

ରଣବୀର ସିଂ ଶକ୍ତିମାନ ହେବେ

ଏକ ରିପୋର୍ଟ ଅନୁଯାୟୀ “ଶକ୍ତିମାନ ଆଉ କେହି କରୁନାହାଁନ୍ତି ଏହା ରଣବୀର ସିଂ କରୁଛନ୍ତି। ଅର୍ଥାତ୍ ଏପରି କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣ ବିରାମ ଲଗାଇଛନ୍ତି ନିର୍ଦ୍ଦେଶକ ।   ବାସିଲ୍ ଯୋସେଫ୍ କହିଛନ୍ତି, “ଶକ୍ତିମାନ କେବଳ ରଣବୀର ସିଂହଙ୍କ ସହିତ ନିର୍ମିତ ହେବ।”

ଅଲୁ ଅର୍ଜୁନଙ୍କୁ ମୁକେଶ ଖାନ୍ନାଙ୍କ ସମର୍ଥନ

ମୁକେଶ ଖାନ୍ନା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବିବୃତ୍ତି ଦେଇଥିଲେ। କାହାକୁ ଆନୁଷ୍ଠାନିକ ଭାବରେ ସମର୍ଥନ ନକରି, ମୁକେଶ ଖାନ୍ନା ସୁପରହିରୋ ଭୂମିକାରେ ଅଲୁ ଅର୍ଜୁନଙ୍କ ବିଷୟରେ କହିଥିଲେ ଏବଂ କହିଥିଲେ, ‘ମୁଁ ପ୍ରତିଶ୍ରୁତି ଦେଉନାହିଁ, କହୁନାହିଁ, ବିଚାର ମଧ୍ୟ କରୁନାହିଁ, କିନ୍ତୁ ସେ ଶକ୍ତିମାନ ହୋଇପାରିବେ । ତାଙ୍କର ସେ କ୍ଷମତା ଅଛି। ବାସ୍ତବ ଜୀବନରେ ମଧ୍ୟ ତାଙ୍କର ଏକ ଭଲ ଲୁକ୍ ଅଛି, ତାଙ୍କର ଏକ ଭଲ ଉଚ୍ଚତା ଅଛି… ମୁଁ କହୁନାହିଁ ଯେ, ସେ ଏମିତି କିଛି ଯୋଜନା କରୁଛନ୍ତି କି ଆଉ କ’ଣ। ମୁଁ କେବଳ ପରାମର୍ଶ ଦେଉଛି ଯେ, ଏହି ଚରିତ୍ରରେ ସେ ଭଲ ଲାଗିବେ। ଏହି ଚରିତ୍ର ପାଇଁ ସେ ଉପଯୁକ୍ତ ବ୍ୟକ୍ତିତ୍ବ।’’

ଅଲୁ ଅର୍ଜୁନଙ୍କ ‘ପୁଷ୍ପା 2’

ମୁକେଶ ଖାନ୍ନା ମଧ୍ୟ ଅଲୁ ଅର୍ଜୁନଙ୍କ ଅଭିନୟ ଏବଂ ପୁଷ୍ପା -୨ କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘କେବଳ ଟଙ୍କା ପକାଇ ଫିଲ୍ମ ତିଆରି ହୁଏ ନାହିଁ। ପ୍ରତ୍ୟେକ ଫ୍ରେମ୍ ଦେଖାଉଛି ଯେ ସେମାନେ ଭଲ କାମ କରିଛନ୍ତି। ଯେତେବେଳେ ଆପଣଙ୍କର ନିଜ ଉପରେ ଆତ୍ମବିଶ୍ୱାସ ଥାଏ, ଆପଣ ଦର୍ଶକଙ୍କୁ ମଧ୍ୟ ମନାଇ ପାରନ୍ତି ।’ ଆହୁରି ମୁକେଶ କହିଥିଲେ ଯେ, ‘‘ଜଣେ ଅଭିନେତା ସମସ୍ତ ପ୍ରକାର ଭୂମିକାରେ ଅଭିନୟ କରିପାରେ, କିନ୍ତୁ ଶକ୍ତିମାନ କୌଣସି ଭୂମିକା ନୁହେଁ। ଶକ୍ତିମାନ ଚରିତ୍ରରେ ଅଭିନୟ କରିବା ପାଇଁ କେବଳ ଅଭିନେତା ହେବା ଯଥେଷ୍ଟ ନୁହେଁ। ଆପଣଙ୍କର ସଠିକ୍ ଚେହେରା ଥିବା ଆବଶ୍ୟକ।

ପାକ୍-ଆଫଗାନିସ୍ତାନ ସୀମାରେ ରହସ୍ୟମୟୀ ଶବ୍ଦହିନ ‘ଉଡ଼ନ୍ତା ଥଳିଆ’କୁ ରେକର୍ଡ କଲା ଆମେରିକୀୟ ସେନା

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ଆମେରିକୀୟ ସେନା ଦ୍ୱାରା ରେକର୍ଡ କରାଯାଇଥିବା ଏକ ରହସ୍ୟମୟ ଫୁଟେଜ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଫୁଟେଜ କୌଣସି ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ, ବରଂ ଏହା ଯେତିକି ବାସ୍ତବ ଏବଂ ସେତିକି ଭୟଙ୍କର। ଏହି ଭିଡିଓରେ ଏକ ଅଜଣା ଉଡ଼ନ୍ତା ଥଳିଆ ବା ୟୁଏଫଓ (ଯାହାକୁ ଆମେରିକୀୟ ସେନା ଏବେ ‘ୟୁଏପି’ ବୋଲି କହୁଛି) ଆକାଶରେ ଦୃଶ୍ୟମାନ ହୋଇଛି। ଏହାର ଆକାର ସମ୍ପୂର୍ଣ୍ଣ ଗୋଲାକାର, ଅର୍ଥାତ୍ ଏକ ‘ଡିସ୍କ’ ପରି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ୟୁଏଫଓ ବିନା କୌଣସି ଇଞ୍ଜିନର ଶବ୍ଦ, ବିନା କୌଣସି ତାପ ସହ ଆକାଶରେ ନିର୍ବିଘ୍ନରେ ଉଡ଼ୁଥିବା ଦେଖାଯାଇଛି।

ଏହି ଭିଡିଓକୁ ସ୍ୱାଧୀନ ଅନୁସନ୍ଧାନୀ ସାମ୍ବାଦିକ ଜେରେମୀ କର୍ବେଲ ନିଜର ସୋସିଆଲ ମିଡିଆରେ ଲିକ୍ କରିଛନ୍ତି। ତାଙ୍କ ଦାବି ଅନୁସାରେ, ଏହି ଫୁଟେଜ ୨୦୨୦ ନଭେମ୍ବରରେ ଆମେରିକୀୟ ସେନା ଦ୍ୱାରା ରେକର୍ଡ କରାଯାଇଥିଲା ଏବଂ ଏହା ହାସଲ କରିବା ପାଇଁ ତାଙ୍କୁ ୫ ବର୍ଷ ଲାଗିଛି। କର୍ବେଲଙ୍କ ମତରେ, ଆମେରିକୀ ସାମରିକ ଅଧିକାରୀମାନେ ନିଜେ ସ୍ୱୀକାର କରିଛନ୍ତି ଯେ ଏହା ଏକ ଡିସ୍କ ଆକାରର ବସ୍ତୁ, ଯାହାର ଉତ୍ପତ୍ତି ଅଜଣା। ସେନା ଅଧିକାରୀମାନେ କହିଛନ୍ତି ଯେ ଏହି ବସ୍ତୁ ଏପରି ଉଡ଼ୁଥିଲା ଯେମିତି କେହି ଏହାକୁ ଭିତରୁ ବା ଦୂରରୁ ନିୟନ୍ତ୍ରଣ କରୁଛି, ଅର୍ଥାତ୍ ଏହା ନିଜେ ନିଜେ ଉଡ଼ୁ ନଥିଲା।

କୌଣସି ଶବ୍ଦ ନାହିଁ… ତଥାପି ତୀବ୍ର ଉଡ଼ାଣ
ଏହି ୟୁଏଫଓ ଆକାଶରେ ଡାହାଣକୁ ଗଲା ଏବଂ ତା’ପରେ ହଠାତ୍ ଦିଗ ପରିବର୍ତ୍ତନ କରି ବାମକୁ ମୋଡ଼ି ଗଲା। ତାହା ମଧ୍ୟ ବିନା କୌଣସି ବାଧା କିମ୍ବା ଗତି କମାଇ। କୌଣସି ସାଧାରଣ ବିମାନ କିମ୍ବା ଡ୍ରୋନରେ ଏପରି କରିବା ଅସମ୍ଭବ। ବିଶେଷକରି ଯେତେବେଳେ କୌଣସି ଇଞ୍ଜିନ କିମ୍ବା ଥର୍ମାଲ ପ୍ରୋପଲସନ ସିଷ୍ଟମ ଉପସ୍ଥିତ ନଥାଏ। ସବୁଠାରୁ ରହସ୍ୟମୟ କଥା ହେଉଛି ଯେ ଏହି ୟୁଏଫଓରୁ କୌଣସି ତାପ ନିର୍ଗତ ହେଉ ନଥିଲା। ଅର୍ଥାତ୍, ଏହା କୌଣସି ଜଣାଶୁଣା ପ୍ରଯୁକ୍ତି ଦ୍ୱାରା ଉଡ଼ୁଥିବା ଦେଖାଯାଉ ନଥିଲା। ତେବେ କ’ଣ ଏହା ଏପରି କିଛି ଯାହା ଆମର ପୃଥିବୀର ପ୍ରଯୁକ୍ତିଠାରୁ ମଧ୍ୟ ଆଗରେ ଅଛି?

ଗୁଇନ୍ଦାଗିରି ନା ଭବିଷ୍ୟତ ଯୁଦ୍ଧର ପ୍ରସ୍ତୁତି ?
କର୍ବେଲଙ୍କ ଦାବି ଅନୁସାରେ, ଏହି ଭିଡିଓକୁ ଜାଣିଶୁଣି ଲୁଚାଯାଇଥିଲା ଯାହା ଦ୍ୱାରା ସରକାରମାନେ ଏହି ପ୍ରଯୁକ୍ତିକୁ ବୁଝି ତାହାକୁ ସୈନ୍ୟ ଅସ୍ତ୍ରରେ ରୂପାନ୍ତରିତ କରିପାରିବେ। ତାଙ୍କ କହିବା ଅନୁସାରେ, ୟୁଏଫଓର ଉପସ୍ଥିତିକୁ ବହୁ ବର୍ଷ ଧରି ଲୁଚାଯାଇଛି ଯାହା ଦ୍ୱାରା ଏଥିରୁ ମିଳୁଥିବା ବୈଜ୍ଞାନିକ ଓ ସାମରିକ ଲାଭଗୁଡ଼ିକୁ ଚୁପଚାପ ନିଜ ପାଖରେ ରଖାଯାଇପାରିବ। କିନ୍ତୁ ଏବେ ଯେତେବେଳେ ଏହି ଭିଡିଓ ସାମ୍ନାକୁ ଆସିଛି, ପ୍ରଶ୍ନ ଉଠୁଛି ଯେ କ’ଣ ଏଲିୟନମାନେ ପୃଥିବୀକୁ ଆସିସାରିଛନ୍ତି ଏବଂ ମଣିଷର କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି?

କର୍ବେଲଙ୍କ ଅନୁସାରେ, ସେ ସେହି ସୈନିକମାନଙ୍କ ସହ କଥା ହୋଇଛନ୍ତି ଯେଉଁମାନେ ଏହି ଫୁଟେଜକୁ ନିଜେ ଦେଖିଛନ୍ତି ଓ ରେକର୍ଡ କରିଛନ୍ତି। ସେମାନେ ଚାହୁଁଛନ୍ତି ଯେ ଆମେରିକୀୟ କଂଗ୍ରେସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ଜନସାଧାରଣ ସାମ୍ନାରେ ସତ୍ୟତା ଆଣୁ। ତାଙ୍କ କହିବା ଅନୁସାରେ, ଅନେକ ‘ହ୍ୱିସଲବ୍ଲୋଅର’ ଏବେ ସାକ୍ଷ୍ୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।

ଆମକୁ ଏହାର ଅଭ୍ୟାସ କରିବାକୁ ହେବ – କର୍ବେଲ
କର୍ବେଲ କହିଛନ୍ତି, “ଏହି ଭିଡିଓ କେବଳ ଏକ ଉଡ଼ନ୍ତା ଥଳିଆକୁ ଦେଖାଉ ନାହିଁ, ବରଂ ଏହା ଏକ ସଙ୍କେତ ଯେ କୌଣସି ଶକ୍ତି ଆମ ଉପରେ ନଜର ରଖୁଛି। ଯଦି ଆମେ ଏହାକୁ ଅଣଦେଖା କରୁ, ତେବେ ଆମେ ସେହି ଦିନ ପାଇଁ ପ୍ରସ୍ତୁତ ରହିବୁ ନାହିଁ ଯେତେବେଳେ ଏହି ଶକ୍ତିଗୁଡ଼ିକ ସାମ୍ନାକୁ ଆସିବ।” କର୍ବେଲଙ୍କ ଏହି କଥା ଭୟପ୍ରଦ ତଥା ଚେତାବନୀ ମଧ୍ୟ ଦେଉଛି।

ଇରାନ ଯୁଦ୍ଧ ପରେ ପେଟ୍ରୋଲିୟମ ଦର ବୃଦ୍ଧିର ଆଶଙ୍କା ..

ନନ୍ଦିଘୋଷ ବ୍ୟୁରୋ: ଇରାନ ଯୁଦ୍ଧ ପାଇଁ ସାରା ବିଶ୍ଵ ଚିନ୍ତାରେ । କାରଣ ଏହା ଦ୍ଵାରା ବିଶ୍ଵ ବଜାରରେ ତେଲ ଦର ବଢ଼ିବାର ଆଶଙ୍କା ଅଛି । ଇରାନ ହେଉଛି ବିଶ୍ଵର ଅନ୍ୟତମ ପ୍ରମୁଖ ତେଲ ରପ୍ତାନୀକାରୀ ଦେଶ । ଏହା ସହିତ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଇରାନ । ଏହା ଦ୍ଵାରା ଅଶୋଧିତ ତେଲ ଦର ପରିବହନ ବାଧାପ୍ରାପ୍ତ । ବିଶ୍ଵର ବହୁ ଦେଶ ଏହି ପ୍ରଣାଳୀ ଦେଇ ଅଶୋଧିତ ତେଲ ପରିବହନ କରନ୍ତି।  ଭାରତକୁ ମଧ୍ୟ ଅଶୋଧିତ ତେଲ ଆସେ । ହୋର୍ମୁଜ ପ୍ରଣାଳୀ ବନ୍ଦ ହେଲେ ପରିବହନ ବାଧାପ୍ରାପ୍ତ ହେବ କିମ୍ଵା ଲମ୍ବା ଜଳପଥ ବ୍ୟବହାର କରିବାକୁ ପଡ଼ିବ। ଏହା ଦ୍ଵାରା ବିଶ୍ଵ ବଜାରରେ ପେଟ୍ରୋଲିୟମ ଦର ବୃଦ୍ଧି ପାଇବାର ଆଶଙ୍କା ଅଛି ।

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଯୁଦ୍ଧକୁ ନେଇ କିଛି କହିହେବ ନାହିଁ। ତେବେ ତେଲ ଦର ବଢ଼ିଲେ ବିକଳ୍ପ ପଦକ୍ଷେପ ନିଆଯିବ। ବର୍ତ୍ତମାନ ପାଇଁ ଆମ ପାଖରେ ଯଥେଷ୍ଟ ପେଟ୍ରୋଲିୟମ ମହଜୁଦ ଅଛି। ତେଲ ଦାମ ଯେମିତି ନ ବଢ଼ିବ, ସେ ଦିଗରେ ପଦକ୍ଷେପ ନିଆଯିବ। ସେଟେ ଇରାନ ଯୁଦ୍ଧରେ ଆମେରିକାର ପ୍ରବେଶ ଯୋଗୁଁ ବିଶ୍ଵର ପ୍ରମୁଖ ମାର୍କେଟ ଖସିଛି । ସେନସେକ୍ସ ୮ ଶହ ପଏଣ୍ଟ ଓ ନିଫଟି ୨ ଶହ ପଏଣ୍ଟ ଖସିଛି ।

ଇରାନ ଯୁଦ୍ଧ ପରେ ଗ୍ୟାସ ଦର ବୃଦ୍ଧି ଆଶଙ୍କା !

ନନ୍ଦିଘୋଷ ବ୍ୟୁରୋ: ଇରାନ ଯୁଦ୍ଧ ପାଇଁ ସାରା ବିଶ୍ଵ ଚିନ୍ତାରେ। କାରଣ ଏହା ଦ୍ଵାରା ବିଶ୍ଵ ବଜାରରେ ଗ୍ୟାସ୍ ଦର ବଢ଼ିବାର ଆଶଙ୍କା ଅଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଆପଣଙ୍କ ରୋଷେଇ ଘରେ ମଧ୍ୟ ଦେଖିବାକୁ ମିଳିବ। ଆଗାମୀ ସମୟରେ ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ସିଲିଣ୍ଡରର ମୂଲ୍ୟ ଉପରେ ଦେଖାଯାଇପାରେ କାରଣ ଦେଶରେ ପ୍ରତି ୩ଟି ଏଲପିଜି ସିଲିଣ୍ଡର ମଧ୍ୟରୁ ୨ଟି ପଶ୍ଚିମ ଏସିଆରୁ ଆସିଥାଏ ।

ଏକ ରିପୋର୍ଟ ଅନୁଯାୟୀ ଇରାନର ପରମାଣୁ ସ୍ଥାନ ଉପରେ ଆମେରିକାର ଆକ୍ରମଣ ଯୋଗୁଁ ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦନକାରୀ କ୍ଷେତ୍ର ପଶ୍ଚିମ ଏସିଆରୁ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଇରାନ ହେଉଛି ବିଶ୍ଵର ଅନ୍ୟତମ ପ୍ରମୁଖ ତେଲ ରପ୍ତାନୀକାରୀ ଦେଶ। ଏହା ସହିତ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଇରାନ। ଏହା ଦ୍ଵାରା ଅଶୋଧିତ ତେଲ ଦର ପରିବହନ ବାଧାପ୍ରାପ୍ତ । ଯଦି ଆମେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଏଲପିଜି ବ୍ୟବହାର ଦେଖିବା ତାହେଲେ ଏହା ଦୁଇଗୁଣରୁ ଅଧିକ ହୋଇଛି, ବର୍ତ୍ତମାନ ଏଲପିଜି ୩୩ କୋଟି ଲୋକଙ୍କ ଘରେ ପହଞ୍ଚିଛି । ପ୍ରାୟ ୬୬% ଏଲପିଜି ବିଦେଶରୁ ଆସେ ଏବଂ ଏହାର ୯୫% ସାଉଦି ଆରବ, ୟୁଏଇ ଏବଂ କତାର ପରି ପଶ୍ଚିମ ଏସୀୟ ଦେଶଗୁଡ଼ିକରୁ ଆସେ। ପେଟ୍ରୋଲିୟମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ଏଲପିଜି ସଂରକ୍ଷଣ କେବଳ ୧୬ ଦିନର ବ୍ୟବହାର ପାଇଁ ଥାଏ ଯାହା ଆମଦାନୀ ଟର୍ମିନାଲ, ରିଫାଇନାରୀ ଏବଂ ବଟଲିଙ୍ଗ ପ୍ଲାଣ୍ଟରେ ସୁରକ୍ଷିତ ରହିଥାଏ।

ଅଧିକ ପେଟ୍ରୋଲ କିଣିବାର ଆବଶ୍ୟକତା ନାହିଁ

ତଥାପି, ପେଟ୍ରୋଲ ଏବଂ ଡିଜେଲ କ୍ଷେତ୍ରରେ ଭାରତର ସ୍ଥିତି ବହୁତ ଭଲ। ଭାରତ ଉଭୟର ଏକ ନିଟ୍ ରପ୍ତାନିକାରୀ, ଅର୍ଥାତ୍, ଆମେ ଉତ୍ପାଦିତ ପେଟ୍ରୋଲର ୪୦% ଏବଂ ଡିଜେଲର ୩୦% ରପ୍ତାନି କରିଥାଉ। ଆବଶ୍ୟକ ହେଲେ, ଏହି ରପ୍ତାନି ପରିମାଣକୁ ଘରୋଇ ବଜାରକୁ ସ୍ଥାନାନ୍ତରିତ କରାଯାଇପାରିବ। ରିଫାଇନାରୀ, ପାଇପଲାଇନ, ଜାହାଜ ଏବଂ ନ୍ୟାସନାଲ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ (SPR) ରେ ଅଶୋଧିତ ତେଲ ପାଇଁ ୨୫ ଦିନର ଷ୍ଟକ୍ ଅଛି।

ସତର୍କ ରହିବାର ଆବଶ୍ୟକତା ଅଛି

ଏହି ପରିସ୍ଥିତିରେ ଯଦିଓ ଆପଣ ଏବେ ଅର୍ଡର କରନ୍ତି, ତେବେ ଡେଲିଭରି ଆସନ୍ତା ମାସରେ କିମ୍ବା ପରେ ଆସିବ। ଆମର ଅତିରିକ୍ତ ସଂରକ୍ଷଣ କ୍ଷମତା ମଧ୍ୟ କମ୍ ଅଛି। ଯେତେବେଳେ ବାଧାପ୍ରାପ୍ତ ହେବାର ଆଶଙ୍କା କମ୍ ଥାଏ, ସେତେବେଳେ ଅଧିକ କିଣିବା ଏବଂ ଟଙ୍କା ବିନିଯୋଗ କରିବାର କୌଣସି ଅର୍ଥ ନାହିଁ । ସତର୍କ ରହିବା ଏବଂ ଘରୋଇ ଗ୍ରାହକମାନଙ୍କୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ଅଟେ । ତୈଳ ମୂଲ୍ୟ ବୃଦ୍ଧି ସ୍ୱଳ୍ପକାଳୀନ ସମୟରେ ରିଫାଇନର୍ସଙ୍କ ମାର୍ଜିନକୁ ପ୍ରଭାବିତ କରିପାରେ, କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ ପରିବର୍ତ୍ତନ ହେବାର ଆଶା କରାଯାଉ ନାହିଁ। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ଗତ ୩ବର୍ଷ ଧରି ମୂଲ୍ୟ ସ୍ଥିର ରଖିଛନ୍ତି ଏବଂ ବିଶ୍ୱ ବଜାରରେ ଉତ୍ଥାନ-ପତନ ସତ୍ତ୍ୱେ ଏହା ଜାରି ରହିବ।

ଆସୁଛି ଘୂର୍ଣ୍ଣିବଳୟ ; ୨୬ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ବର: ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ୨୫ ଜୁନ ପାଖାପାଖି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳରେ ଏକ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଯାହାର  ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୩୫ରୁ ୫୫ କିମି ବେଗରେ ପବନ ବ‌ହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ  । ରାଜ୍ୟର କିଛି ଜିଲ୍ଲାକୁ ୨୫ ଓ ୨୬ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ  । କେନ୍ଦୁଝର, ମୟୂରଭଞ୍ଜ  ଓ ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ,  କଳାହାଣ୍ଡି, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଅଧିକ  ବର୍ଷା ହୋଇପାରେ ।

୨୫ ତାରିଖ ବେଳକୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସାରା ଓଡିଶାରେ ଆହୁରି ୪ ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ବି ଜାରି ରହିବ  । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ସେହିଭଳି ଉପକୂଳ ଓ ଆଭ୍ୟନ୍ତୀରଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ଆଜି ହୋଇପାରେ ସିନ୍ ରିକ୍ରିଏସନ !

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲା । ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗୋପାଳପୁର ଗଣଦୁଷ୍କର୍ମର ଆଜି କ୍ରାଇମ୍ ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ। ଟିଆଇ ପ୍ୟାରେଡ ହେବାର କିଛି ଦିନ ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ହୋଇଥାଏ । ତେଣୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ହୋଇଥିବା ଟିଆଇ ପରେଡରେ ଅଭିଯୁକ୍ତଙ୍କୁ ଚିହ୍ନିଥଲେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ।

ଗତ ରବିବାର ରଜ ସଂକ୍ରାନ୍ତି ସଂଧ୍ୟାରେ ପୀଡ଼ିତା ତାଙ୍କ ସାଙ୍ଗଙ୍କ ସହିତ ଗୋପାଳପୁର ବେଳାଭୂମିରେ ବୁଲୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଆଗରୁ ଡିଏନଏ ଟେଷ୍ଟ ପାଇଁ ଅଭିଯୁକ୍ତଙ୍କ ସାମ୍ପୁଲ ବି ସଂଗ୍ରହ କରାଯାଇଥିଲା। ନମୁନାକୁ ଭୁବନେଶ୍ବର ରାଜ୍ୟ ଫରେନ୍‌ସିକ ଲ୍ୟାବକୁ ପଠାଯିବା ସହ ଆରଏଫଏସ୍‌ଏଲକୁ ମଧ୍ୟ ପଠାଯାଇଛି ।

ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଗୋପାଳପୁର ବେଳାଭୂମିରେ କ’ଣ ଘଟିଥିଲା ଛାନ୍‌ଭିନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଗଣଦୁଷ୍କର୍ମ ମାମଲାରେ ସମସ୍ତ ସାକ୍ଷ୍ୟପ୍ରମାଣ ଯୋଗାଡ଼ କରୁଛି ଟିମ୍‌ । ଅଭିଯୁକ୍ତମାନେ କେତେବେଳେ ବେଳାଭୂମିରେ ପହଞ୍ଚିଥିଲେ ଓ ସେମାନଙ୍କୁ କେଉଁମାନେ ଦେଖିଥିଲେ ଏପିରିକି ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ ସବୁ ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କର ଗିତିବିଧିକୁ ଜାଣିବା ପାଇଁ ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି । ଅଭିଯୁକ୍ତମାନେ ଘଟଣା ପରେ କିଭଳି  ପୁଣି ଗାଁକୁ ଫେରିଥିଲେ ଏବଂ ଅପରାଧ ଘଟାଇବା ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ ।