spot_img
Home Blog Page 6685

ଖୁଦୁରୁକୁଣି ଓଷାରେ ସାମାଜିକ ଦୂରତ୍ୱ କଥା ଉଠାଇବା ମହିଳାଙ୍କୁ ପଡିଲା ମହଙ୍ଗା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ସୁବୁଦ୍ଧିପୁରରେ ଅଭାବନୀୟ ଘଟଣା । ମାନବିକତାକୁ ପଛରେ ପକାଇ ମହିଳାଙ୍କୁ ଉଲଗ୍ନ କରିଛନ୍ତି ମହିଳାମାନେ । ଏଥିରେ ଯଦିଓ ପୁରୁଷମାନଙ୍କର କିଛି ଭୂମିକା ନାହିଁ କିନ୍ତୁ ଜଣେ ମହିଳାଙ୍କ ପ୍ରତି ମହିଳାମାନଙ୍କର ଏଭଳି କାର୍ଯ୍ୟକଳାପ ବହୁ ନିନ୍ଦନୀୟ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଦେଖାଯାଇଛି ଯେ, ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରାଯାଇଛି ।

ସୂଚନା ଅନୁସାରେ, କରୋନାର କାରଣରୁ ସାମାଜିକ ଦୂରତା ରକ୍ଷା ଉପରେ ମହିଳା ଜଣକ ଗୁରୁତ୍ୱ ଦେଉଥିଲେ ।  ସେହି ଅଞ୍ଚଳରୁ ଜଣେ କରୋନା ଆକ୍ରନ୍ତ ମଧ୍ୟ ଚିହ୍ନଟ ହୋଇଥିଲେ । ତେଣୁ ମହିଳା ଜଣଙ୍କ ଏସବୁ ଦୃଷ୍ଟିରେ ରଖି ସେ ତାଙ୍କ ପିଲାମାନଙ୍କୁ ଖୁଦୁରୁକୁଣି ଓଷା ଯିବାକୁ ବାରଣ କରିଥିଲେ । କିନ୍ତୁ ଏହାକୁ ଗ୍ରହଣ କରିପାରି ନଥିଲେ କିଛି ମହିଳା । ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ, ପ୍ରଥମେ ସାହିଲୋକେ ବଚସା କରିଥିଲେ ତାପରେ ମହିଳାଙ୍କୁ ଘରୁ ଟାଣି ଆଣି ଉଲ୍ଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଘଟଣା ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି  ପୋଲିସ ।

ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା :ବୋର୍ଡର ଏହି ୱେବସାଇଟରେ ମିଳିବ ଅନଲାଇନ ଫର୍ମ ଓ ସବିଶେଷ ତଥ୍ୟ

ଭୁବନେଶ୍ୱର: ଗତ ମାସରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ଫର୍ମପୂରଣ କରାଯିବ । ଅନଲାଇନ ଯୋଗେ ବୋର୍ଡ ୱେବସାଇଟରେ ଫର୍ମପୂରଣ ବ୍ୟବସ୍ଥା କରାଯାଇଛି। ୧୮ ତାରିଖ ରାତି ୧୧ଟା ୪୫ ମିନିଟ ଯାଏ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଅନଲାଇନ ଫର୍ମ ଓ ସବିଶେଷ ତଥ୍ୟ ଉପଲବ୍‌ଧ ରହିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ଜୁଲାଇ ୨୯ରେ ମାଟ୍ରିକ ରେଜଲ୍‌ଟ ପ୍ରକାଶ ପାଇଥିଲା । ତେବେ ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଥିଲା । ଚଳିତ ବର୍ଷ ଏସଏମଏସରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହୋଇଥିଲା । ଏବଂ ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଥିଲା । ତେବେ ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬  ପ୍ରତିଶତ ରହିଛି ଯାହା ଗତ ବର୍ଷ ଠାରୁ ଅଧିକ ରହିବା ସହ ପାସ ହାରରେ ପୁଅଙ୍କୁ ପଛରେ ପକାଇଥିଲେ ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି ।

ଏହି ରାଶିର ଲୋକଙ୍କର କର୍ମକ୍ଷେତ୍ରରେ ହେବ ଅବନତୀ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

୧୦/୦୮/୨୦୨୦ ସୋମବାର, ୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ଭାଦ୍ରବ କୃଷ୍ଣ ୭ମୀ, କର୍କଟ ୨୬ଦିନ

– ମେଷ ଚନ୍ଦ୍ର ଅହୋରାତ୍ର
– ଅଶ୍ୱିନୀ ରାତ୍ର ୧୦:୦୫ଗତେ ଦ୍ୱିଜା ନକ୍ଷତ୍ର
– ଘାତ ଚନ୍ଦ୍ର – ମେଷ ରାଶିର
– ଘାତ ବାର – ମିଥୁନ ରାଶିର
– ଯୋଗିନି – ବାୟବ୍ୟେ ଅହୋରାତ୍ର
– ପୁଷ୍କର ଦୋଷ – ୧ପାଦ ଅହୋରାତ୍ର

– ଶୁଭ ସମୟ –
ଦିବା ୧୦:୩୫ ରୁ ୦୧:୦୯
ଦିବା ୦୪:୩୯ ରୁ ୦୫:୨୩
ସଂଧ୍ୟା ୭ଟା ରୁ ୦୯:୧୪
– ଅଶୁଭ ସମୟ –
ଦିବା ୧୦:୩୫ ରୁ ୦୧:୦୮
ସଂଧ୍ୟା ୦୭ଟା ରୁ ୦୯:୧୪

ମେଷ ରାଶି
ଅଶ୍ୱିନୀ ନକ୍ଷତ୍ର –
କିଛି କିଛି ସରକାରି ସହାୟତା ମିଳିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ ।

ଦ୍ୱିଜା ନକ୍ଷତ୍ର –
ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଦୂରରେ ରହୁଥିବା କୌଣସି ବନ୍ଧୁପରିଜନଙ୍କର ସ୍ୱାସ୍ଥ୍ୟଗତ ଅସୁବିଧାର ଖବର ମନକୁ କିଛିକିଛି ଦୁର୍ବଳ କରିଦେବ ।

କୃତ୍ତିକା ନକ୍ଷତ୍ର –
– ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର କରିବା ଶୁଭ ଦାୟକ ହେବ, ମାତୃ ବର୍ଗରେ କାହାର ସ୍ୱାସ୍ଥ୍ୟହାନି ହେବ  ।

– ଶୁଭ ରଙ୍ଗ – ଧଳା, ହଳଦିଆ
– ହନୁମାନ ବାଣ ପାଠ କରନ୍ତୁ ।

ବୃଷ ରାଶି
କୃତ୍ତିକା ନକ୍ଷତ୍ର –
କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ  ।

ରୋହିଣି ନକ୍ଷତ୍ର –
ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପ ଡୋସିଙ୍କର ସେବାରେ ବ୍ୟସ୍ତ ରହି ମାନସିକ ଆତ୍ମତୃପ୍ତି ବଢିବ ।

ମୃଗଶିରା ନକ୍ଷତ୍ର –
– ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ବଢିବ,ନିଜ ଅଞ୍ଚଳରେ କିଛି କଲ୍ୟାଣମୂଳକ କାମକରି ସମ୍ମାନର ପାତ୍ର ହେବେ॥

– ଶୁଭ ରଙ୍ଗ – ସବୁଜ
– କଳା ଜୀବଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ମିଥୁ ରାଶି
ମୃଗଶିରା ନକ୍ଷତ୍ର –
ବାହାରକୁ ବାହାରିବେ ନାହିଁ କାରଣ ପ୍ରତି ମୂହୁର୍ତ୍ତରେ ନକରାତ୍ମକ ପ୍ରଭାବ ରହିବ, ଟଙ୍କପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ, ବିବାହ କିମ୍ବା ନୂତନ ବ୍ୟବସାୟର ସମ୍ଭାବନା ଷୃଷ୍ଟି ହେବ ।

ଆର୍ଦ୍ରା ନକ୍ଷତ୍ର –
ଆଜି କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ, ମନ ମଧ୍ୟରେ ଭଲ ଲାଗୁଥିବା ଭଗବାନଙ୍କର ସୁମରଣାକରି ଦିନ କାଟନ୍ତୁ  ।

ପୂନର୍ବସୁ ନକ୍ଷତ୍ର –
ମାନସମ୍ମାନ ଲାଭ, ଆର୍ଥିକ ଉର୍ଣ୍ଣତି ହେବ, କୌଣସି ସମାଜକଲ୍ୟାଣ ସେବାକରି ସମ୍ମାନିତ ହେବେ,ବହୁଦିନର ଇଛା ପୁରଣ ହେବ, ପାରିବାରିକ ନିବିଡତା ବୃଦ୍ଧି ହେବ  ।

ଶୁଭ ରଙ୍ଗ – କମଳା
ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ ।

କର୍କଟ ରାଶି
ପୂନର୍ବସୁ ନକ୍ଷତ୍ର –
ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ,ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ।

ପୂଷ୍ୟା ନକ୍ଷତ୍ର –
କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ବଢିବ, ଅର୍ଥଚିନ୍ତା, ଭୁଲ ନିଷ୍ପତିର ଶିକାର ହେବେ ।

ଅଶ୍ଲେଷା ନକ୍ଷତ୍ର –
ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର, ଅର୍ଥଚିନ୍ତା ବଢିବ, ମନ ଦୋଦୁଲ୍ୟମାନ ପତିସ୍ଥିତି ମଧ୍ୟରେ ଭୁଲ ନିଷ୍ପତି ନେଇ ଦଣ୍ଡିତ ହେବେ  ।

ଶୁଭ ରଙ୍ଗ – ଲାଲ
କୌଣସି ଦେବୀଶକ୍ତିଙ୍କର ଅଭିଷେକ କରାନ୍ତୁ ଏବଂ ଅସହାୟକୁ ଷୋରିସ ତେଲ ଦାନ କରନ୍ତୁ ।

ସିଂହ ରାଶି
ମଘା ନକ୍ଷତ୍ର –
ବହୁଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ ।

ପୂର୍ବାଫାଲଗୁନି ନକ୍ଷତ୍ର –
ବିଦେଶ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ପରିବାର ଠାରୁ ଦୂରରେ ରହିବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗ ରୁ ସାହାର୍ଯ୍ୟ ମିଳିବ।

ଉତ୍ତରାଫାଲଗୁନୀ ନକ୍ଷତ୍ର –
ମନମୁତାବକ ଦ୍ରବ୍ୟ ମାହୁଳିଆ ପ୍ରାପ୍ତ ହେବ,କୌଣସି ପାରିବାରିକ କିମ୍ବା ପୂରୁଣା କିଛି ସମସ୍ୟାରୁ ମୁକ୍ତି ପାଇବେ, କିନ୍ତୁ ଅର୍ଥଚିନତା ବଢିବ ।

ଶୁଭରଙ୍ଗ – ଧଳା
ଗାୟତ୍ରୀ ମନ୍ତ୍ର ୧୦୮ଥର ଜପ ଶୁଭପ୍ରଦ

କନ୍ୟା ରାଶି
ଉତ୍ତରାଫାଲଗୁନୀ ନକ୍ଷତ୍ର –
ଗୃହନିର୍ମାଣ କାର୍ଯ୍ୟରେ ଅର୍ଥବ୍ୟୟ ହେବ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ,ଟଙ୍କାପଇସାର ସାହାର୍ଯ୍ୟ ସହଯୋଗ ମିଳିବ ।

ହସ୍ତା ନକ୍ଷତ୍ର –
ଆର୍ଥିକ ଅଭିବୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପରିବାରର ସହଯୋଗରେ ମନୋବଳ ବୃଦ୍ଧି ହେବ ।

ଚିତ୍ରା ନକ୍ଷତ୍ର –
ପାରିବାରିକ ନିବିଡତା ବଢିବ, ସମୁହ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରିବେ, ସନ୍ତାନସନ୍ତତି ବର୍ଗରେ ବିକାଶ ହେବ,ସରକାରଙ୍କର ଯୋଜନା ଲାଭ ହେବ ।

ଶୁଭ ରଙ୍ଗ – ହଳଦିଆ, କମଳା
ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପୂଜା ସହିତ ବିଷ୍ଣୁସହସ୍ରନାମ ପାଠ କରନ୍ତୁ॥

ତୁଳା ରାଶି
ଚିତ୍ରା ନକ୍ଷତ୍ର –
କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡତା ବଢିବ ।

ସ୍ୱାତୀ ନକ୍ଷତ୍ର –
କୌଣସି ଧାର୍ମିକ ଭାବନାରେ ବୁଡି ରହିବେ, ପିଲାମନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର –
ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ୱାସ୍ଥ୍ୟପିଡା ରହିବ ମାତ୍ର ଆଥିକ ଦିଗଟି ସ୍ୱଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ  ।

ଶୁଭ ରଙ୍ଗ – ଇଷତ୍ ଲାଲ
ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ  ।

ବିଛା ରାଶି
ବିଶାଖା ନକ୍ଷତ୍ର –
ଭାଷାଗତ ଜ୍ଞାନ ବୃଦ୍ଧିହେବ, ଧର୍ମଚର୍ଚ୍ଚା ବଢିବ, ମାନସିକ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ  ।

ଅନୁରାଧା ନକ୍ଷତ୍ର –
ପାରିବାରିକ ମାନସିକଚାପ ବଢିବ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, ଆର୍ଥିକ ଅନାଟନ ବଢିବ  ।

ଜ୍ୟେଷ୍ଠା ନକ୍ଷତ୍ର –
ଜୀବନ ଯୁର୍ଦ୍ଧରେ ସଂଘର୍ଷ ବଢିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ  ।

ଶୁଭ ରଙ୍ଗ – ଲାଲ
ବଗଲାମୂଖୀ ସ୍ତ୍ରୋତ୍ର ଜପ କରନ୍ତୁ  ।

ଧନୁ ରାଶି

ମୂଳା ନକ୍ଷତ୍ର –
ସାହାର୍ଯ୍ୟ ସହଯୋଗ କରି ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ,ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ ।

ପୂର୍ବଷାଢା ନକ୍ଷତ୍ର –
ବିକାଶମୂଳକ କାର୍ଯ୍ୟ ହାତକୁ ନେବେ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ, ପାରିବାରିକ ସୁଖ ବଢିବ  ।

ଉତ୍ତରାଷାଢା ନକ୍ଷତ୍ର –
ମାନସିକ ଚାପ କିଛି କିଛି ରହିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ, କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ।

ଶୁଭ ରଙ୍ଗ – ନିଳ ରଙ୍ଗ
ଓଁ ମା ଦୁର୍ଗାଦେବୀ ଶରଣଂ ଜପ ସହିତ ଚଉରା ମୂଳରେ ଜଳ ଅର୍ପଣ କରିବେ ।

ମକର ରାଶି
ଉତ୍ତରାଷାଢା ନକ୍ଷତ୍ର –
ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମୀକ ଜ୍ଞାନ ବଢିବ, ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ,ଆର୍ଥିକ ଅଭାବ କିଛି ଷୃଷ୍ଟି ହେବ  ।

ଶ୍ରବଣା ନକ୍ଷତ୍ର –
ନୂଆ କିଛି ବିଦ୍ୟା ଆହରଣ କରିବେ,ନିଜ ପାଖପଡିସା ଏବଂ ବନ୍ଧୁପରିଜନରେ ସାହାଯ୍ୟ ସହଯୋଗ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, କର୍ମଗତ ଶୁଭଫଳ ପାଇବେ ।

ଧନିଷ୍ଠା ନକ୍ଷତ୍ର –
ସ୍ୱାସ୍ଥ୍ୟଗତ ଅସୁବିଧା ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, ଅର୍ଥାଭାବ ରହିବ, କିଛି ଋତୁଫଳ ଖାଇବାକୁ ମିଳିବ।

ଶୁଭ ରଙ୍ଗ – ସବୁଜ
ଜିବଜନ୍ତୁଙ୍କୁ ଖାଇବାକୁ ଦିଅନ୍ତୁ
୨୭ଥର “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ନମୋ ନମଃ” ଜପ କରନ୍ତୁ

କୁମ୍ଭ ରାଶି
ଧନିଷ୍ଠା ନକ୍ଷତ୍ର –
ଜୀବନସାଥି ସହ ମତାନ୍ତର ମନାନ୍ତର ହୋଇପାରେ,ଭାଗିଦାରିରେ ଅସହଯୋଗ ମିଳିବ, କୃତିମ ଆର୍ଥିକ ଅଭାବ ଷୃଷ୍ଟି ହେବ, ମନ ଦୁର୍ବଳ ରହିବ  ।

ଶତଭିଷା ନକ୍ଷତ୍ର –
କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ, ବିଷୟ ସୁଖ ପ୍ରାପତ ହେବ, ନୂଆ ସଂପର୍କ ଯୋଡି ହେବ ।

ପୂର୍ବଭାଦ୍ର ନକ୍ଷତ୍ର –
ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ପରିବାର ମଧ୍ୟରେ ଏକତା ବଜାୟ ରହିବ, ଅଟକିଥିବା କିଛି କାର୍ଯ୍ୟ ପୂରଣ ହେବ, ଭଲକାମ କରି ସମ୍ମାନିତ ହେବେ ।

ଶୁଭ ରଙ୍ଗ – ମାଟିଆ
ବିଷ୍ଣୁସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ

ମୀନ ରାଶି
ପୂର୍ବଭାଦ୍ର ନକ୍ଷତ୍ର –
– ସ୍ୱାସ୍ଥ୍ୟ ଜନିତ କ୍ଷୟକ୍ଷତି ରହିବ, ବିନା ଦୋଷରେ ଅପମାନିତ ହେବେ, ପ୍ରସାଶନର ଆକ୍ରୋସର ଶିକାର ହେବେ ତେଣୁ ଆଜି ସତର୍କ ରହିବେ ।

ଉତ୍ତରଭାଦ୍ର ନକ୍ଷତ୍ର –
ନିଜର କୌଣସି ଗୃହପାଳିତ ଜିବ କିମ୍ବା ନିଜ ମା’ଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ ।

ରେବତୀ ନକ୍ଷତ୍ର –
ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମୀଳନ ବଢିବ ।

ଶୁଭ ରଙ୍ଗ – ସୁନେଲି
ଦେବୀ ଦୁର୍ଗାଙ୍କର କବଚ ଜପ କରନ୍ତୁ  ।

 

ଗର୍ଗ ଜ୍ୟୋତିଷ
ଜ୍ୟୋତିରବିଦ୍ ଶ୍ରୀପତି ଆଚାର୍ଯ୍ୟ

କାଳିଆ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ରହିଲା କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା । ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଟଙ୍କା ଫେରସ୍ତ ଉପରେ ରହିତାଦେଶ ଲଗାଯାଇଛି । କୋଭିଡ୍‌ ପରିସ୍ଥିତି ଓ ଖରିଫ ଚାଷ ଚାଲିଥିବାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ସାରା ରାଜ୍ୟରେ କୋରାନା ମହାମାରୀ ସମୟରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ବୋଝ ନଲଦିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ।

ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ଯାଏଁ ବର୍ତ୍ତମାନର ନିର୍ଦ୍ଦେଶ ପାଳନ କରିବା ଲାଗି ବିଭାଗୀୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୫୧ ଲକ୍ଷ ଚାଷୀଙ୍କୁ ୨ଟି ପର୍ଯ୍ୟାୟରେ କାଳିଆ ଟଙ୍କା ଦିଆଯାଇଥିଲା । ତେବେ ଏଥିରୁ ପ୍ରାୟ ୧ ଲକ୍ଷ ୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୫ ହଜାର ଅଯୋଗ୍ୟ ହତାଧୀକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ଚିଠି ଲେଖିଥିଲା ବିଭାଗ ।

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୪୩, ସମୁଦାୟ ସଂଖ୍ୟା ୩୧,୭୮୪

ଭୁବନେଶ୍ୱର : ଆଜି ରାଜ୍ୟରେ ୧୫୪୩ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମରୁ ୪୦୨, ଖୋର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ୱରରୁ ୮୩, ଯାଜପୁରରୁ ୫୮, ସମ୍ୱଲପୁରରୁ ୪୯, ମାଲକାନଗିରିରୁ ୪୭, କନ୍ଧମାଳରୁ ୪୬, ରାୟଗଡ଼ାରୁ ୩୫, ନୟାଗଡ଼ରୁ ୩୩, ଭଦ୍ରକରୁ ୩୧, ଜଗତସିଂହପୁରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଢେଙ୍କାନାଳରୁ ୨୧, ନବରଙ୍ଗପୁର ଓ ମୟୂରଭଞ୍ଜରୁ ୧୫ ଲେଖାଏଁ, ପୁରୀରୁ ୧୪, ବଲାଙ୍ଗିର ଓ  କେନ୍ଦ୍ରାପଡ଼ାରୁ ୧୦ ଲେଖାଏଁ, ସୁନ୍ଦରଗଡ଼ରୁ ୪, ଝାରସୁଗୁଡ଼ାରୁ ୫, ସୋନପୁରରୁ ୭, ବରଗଡ଼ରୁ ୨ ଓ ଅନୁଗୁଳରୁ ଜଣେ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏଯାବତ୍ ସଂଖ୍ୟା ୩୧ହଜାର ୭୮୪ରେ ପହଞ୍ଚି ସାରିଲାଣି  ।

କୁକୁର ଖାଦ୍ୟକୁ ବେସନ କହି ବିକୁଥିଲେ ଦୋକାନୀ, ପଚାରିବାରୁ କହିଲେ, ‘ ଡିଲର ବିକୁଛି ଆମେ କିଣୁଛୁ ‘

0

କଟକ: କୁକୁର ଖାଦ୍ୟ କୁ ବେଶନ କହି ଗାଁ ଗହଳିର ଛୋଟ ଛୋଟ  ଦୋକାନରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଆମେରିକୀୟ କମ୍ପାନୀର ଏହି କୁକର ଖାଦ୍ୟ ପ୍ୟାକେଟ କିଭଳି ଗ୍ରାମଞ୍ଚଳରେ ପହଁଚିଲା ଏହାକୁ କେଉଁ ଏଜେନ୍ସି ବିତରଣ କରୁଛି ତାହାକୁ ନେଇ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ଏଭଳି ସାଙ୍ଘାତିକ ଘଟଣା ନଜର କୁ ଆସିଛି କଟକ ସାଲେପୁର ପାଇକରାପୁର ଗାଁରୁ । ପ୍ୟାକେଟ ତଳେ  ଲେଖାରୁ ଏହା ସ୍ପଷ୍ଟ  ଯେ ଏହା ଆମେରିକାର କମ୍ପାନୀ ପ୍ରସ୍ତୁତ କୌଣସି ଗୁଣ୍ଡ ଖାଦ୍ୟ । ଉପରେ ଲେଖାଅଛି 100% natural true chews  ଏବଂ 100% natural dog treat ।

ଗାଁ ଗହଳିରେ ଲୋକ ମାନଙ୍କ ପାଇଁ ଏହା ଏବେ ବେଶନ କୁହାଯାଇ ବିକ୍ରି କରୁଛନ୍ତି  ଦୋକାନୀ । ଅନେକ ଲୋକ ଅଜାଣତରେ ଏହି ପ୍ୟାକେଟ କୁ ନେଇ ଘରେ ମଧ୍ୟ ବେସନ ଭାବେ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏବେ ଏହା ବେସନ ନୁହେଁ ଏହା କୁକୁର ଖାଦ୍ୟ ବୋଲି ଗ୍ରାମବାସୀ ଜାଣିବା ପରେ ଏବେ ଗାଁ ଲୋକଙ୍କ ହୋସ ଉଡି ଯାଇଛି ।  ଏହା ଉପରେ ପ୍ରଶାସନ ଖୋଲତାଡ଼ କରି ଏଭଳି ଖାଦ୍ୟ ପଦାର୍ଥ  କିଭଳି ବଜାରରେ ବିକ୍ରି କରାଯାଉଛି ତାହା ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏଭଳି ସାଙ୍ଘାତିକ ତଥ୍ୟ ଗ୍ରାମବାସୀ ଆଣିବା ପରେ ଦୋକାନୀ ଜଣକ ମଧ୍ୟ ସଫା ସଫା ମାନି ଯାଇଛନ୍ତି । ସେ ନିଜେ ପାଠ ପଢି ନାହାଁନ୍ତି  ଓ ପ୍ୟାକେଟ ଉପରେ ଇଂରାଜୀ ରେ ଲେଖା ହୋଇଥିବାରୁ ତାଙ୍କ ହୋଲସେଲର ବେସନ କହି ଦେବାରୁ ସେ ଗାଁରେ ଆଣି ବିକ୍ରି କରିଥିଲେ । ଏବେ ଜାଣିବା ପରେ ସେ ବିକ୍ରି ବନ୍ଦ କରୁଦେଇଥିବା କହିଛନ୍ତି । ଅନ୍ୟପଟେ ଯଦି ଏଭଳି କୁକର ବେସନ ଖାଇ କୌଣସି ଲୋକ ଅସୁସ୍ଥ ହୁଅନ୍ତି ସେ ହୋଲସେଲରଙ୍କ ନାମରେ ଏତଲା ଦେବେ ବୋଲି ପାଲଟା କହିଛନ୍ତି । ପ୍ରକୃତରେ ଏଭଳି ଖାଦ୍ୟ ପ୍ରଦାର୍ଥ କୁକୁର ଙ୍କ ପାଇଁ ପ୍ରଯୁଜ୍ୟ ଲେଖା ହୋଇଥିବା ବେଳେ ଏହା ସାଧାରଣ ଲୋକଙ୍କୁ କେମିତି ବିକ୍ରି ହେଉଛି ,ଏହା ପଛରେ କେଉଁ ରାକେଟ ସକ୍ରିୟ ଅଛନ୍ତି ଏହା ର ଖୋଲତାଡ଼ କରିବା ନିହାଁନ୍ତି ଆବଶ୍ୟକ ।

୭.୨ କୋଟି ଭ୍ୟୁ ପାଇଁ ଖର୍ଚ୍ଚ କରିଥିଲେ ୭୨ ଲକ୍ଷ ଟଙ୍କା, ଯାଞ୍ଚ ପରେ ସ୍ୱୀକାର କଲେ ରାପର ବାଦଶାହ

ମୁମ୍ବାଇ: ବିଗତ କିଛି ଦିନ ହେବ ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ଫେକ୍ ଫଲୋଅର୍ସ ଏବଂ ଟଙ୍କା ଦେଇ ଲାଇକ୍ସ କିଣୁଥିବା ମାମଲା ଉପରେ ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାରେ ରାପର ଆଦିତ୍ୟ ପ୍ରତୀକ ସିଂହ ସିସୋଦିଆ ଉର୍ଫ ବାଦଶାହଙ୍କୁ ପଚରାଉଚରା କରୁଛି ମୁମ୍ବାଇ ପୋଲିସ । ଏବେ ବାଦଶାହ ସ୍ୱୀକାର କରିଛନ୍ତି ଯେ, ସେ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ସ ବଢ଼ାଇବା ପାଇଁ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ମାମଲାରେ ଏଯାବତ ବାଦଶାହାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ମୁମ୍ବାଇ ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟର ଅଧିକାରୀ କହିଛନ୍ତି ଯେ, ବାଦଶାହ ସୋସିଆଲ ମିଡିଆରେ ୭.୨ ମିଲିୟନ ଭ୍ୟୁ କିଣିବା ପାଇଁ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବାଦଶାହଙ୍କ ପ୍ରସିଦ୍ଧ ଗୀତ ପାଗଲ ହେ… ଗୀତକୁ ବିଶ୍ୱ ରେକର୍ଡରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଭ୍ୟୁ କିଣାଯାଇଥିଲା । ଗତ ବର୍ଷ ମଧ୍ୟ ବାଦଶାହ ଦାବି କରିଥିଲେ ଯେ ତାଙ୍କ ଗୀତ ୨୪ ଘଣ୍ଟା ମଧ୍ୟରେ ୭୫ ମିଲିୟନ ଭ୍ୟୁ ହୋଇଥିଲା ବୋଲି ।ତେବେ ଗୁଗୁଲ ଏବଂ ୟୁଟ୍ୟୁବର ମାଲିକାନା କମ୍ପାନୀ ଆଲଫାବେଟ୍ ଦ୍ୱାରା ତାଙ୍କର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି ଯେ, ବାଦଶାହାଙ୍କ ଏହି ଗୀତ ବ୍ୟତୀତ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଅନ୍ୟ ଗୀତ ଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ । ଜଣାଇ ରଖୁଛୁ ଯେ, ଜୁଲାଇ ୧୫ ତାରିଖରେ ଇଣ୍ଟରନ୍ୟାସନାଲ ରାକେଟ କଥା ସାମ୍ନାକୁ ଆସିଥିଲା ଯିଏ ଟଙ୍କା ଦେଇ ସୋସିଆଲ ମିଡିଆରେ ଭ୍ୟୁ, ଫଲୋଅର୍ସ ଏବଂ ଲାଇକ୍ସ ବିକ୍ରି କରୁଥିଲା । ଏହି ମାମଲା ସେତେବେଳେ ସାମାନକୁ ଆସିଲା ଯେତେବେଳେ ଗାୟିକା ଭୂମି ତ୍ରୀବେଦୀ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ନାମରେ ଏକ ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ କରି ତାର ଅପବ୍ୟବହାର କରୁଛି ।

ମୃତ ଦେହକୁ ପୋତିବା ପୂର୍ବରୁ କ୍ଲାନ୍ତ ହୋଇ ଭୂଇଁରେ ଶୋଇଲେ ସ୍ୱାସ୍ଥ୍ୟକର୍ମୀ, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢିବାରେ ଲାଗିଛି ତା ସହିତ ସୁସ୍ଥତା ହାର ମଧ୍ୟ ବଢ଼ୁଛି । କିନ୍ତୁ ଏଥି ମଧ୍ୟରେ ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକ କରୋନା ଯୋଗୁଁ ମୃତ୍ୟୁବରଣ କରିସାରିଲେଣି । ଏହି ମହାମାରୀ ସମୟରେ ସ୍ୱାସ୍ଥକର୍ମୀମାନେ ଆଗଧାଡ଼ିରେ ଠିଆ ହୋଇ ମାନବ ସମାଜକୁ ଏହି ଭୟଙ୍କ ମହାମାରୀରୁ ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।  ନିଜ ଜୀବନକୁ ବାଜି ଲଗାଇ, ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି । ଇତିମଧ୍ୟରେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟକର୍ମୀ ମାନେ କ୍ଲାନ୍ତ ଏବଂ ହତାଶ ହୋଇପଡ଼ୁଥିବା ଚିତ୍ର ଆମେ ଦେଖିବାକୁ ପାଇଛେ । ତଥାପି ନିଜ କର୍ତ୍ତବ୍ୟ କରିବାରେ ପଛାଇ ନାହାନ୍ତି ଏହି ଆଗ ଧାଡ଼ିର କରୋନା ଯୋଦ୍ଧା ମାନେ ।

ବର୍ତ୍ତମାନ ସୋସିଆଲ ମିଡିଆରେ କରୋନା ଯୋଦ୍ଧାଙ୍କର ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ପିପିଇ କିଟ୍ ପିନ୍ଧି ଭୂଇଁରେ ଶୋଇରହିଛନ୍ତି ଯୋଦ୍ଧା ଜଣଙ୍କ । ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କରୋନାରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କର ମୃତ ଦେହକୁ ପୋତିବା ପୂର୍ବରୁ ଟିକିଏ ବିଶ୍ରାମ କରୁଥିବା ନଜର ଆସିଛନ୍ତି । ଏହି ଫଟୋକୁ ରଟୟର୍ସ ଫଟୋଗ୍ରାଫର ଅଦନାନ୍ ଅବିଦୀ ନିଜ କ୍ୟାମେରାରେ କଏଦ କରିଛନ୍ତି  ଯାହାକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଉଛି ।

ଯୋଗଦାନକୁ ସର୍ବଦା ମନେ ରଖାଯିବ

ଏହି ଫଟୋକୁ ଆଇଏଏସ ଅବନିଶ ଶରଣ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ସେ କହିଛନ୍ତି ଯେ, କରୋନାରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ମୃତଦେହକୁ ପୋତିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କ୍ଲାନ୍ତ ଅବସ୍ଥାରେ ବିଶ୍ରାମ ନେଉଛନ୍ତି । କରୋନା ୱାରିୟର ମାନଙ୍କର ଏହି ଯୋଗଦାନ କେବଳ ଆଜି ନୁହେଁ ବରଂ ଯୁଗ ଯୁଗ ଧରି ମନେ ରଖାଯିବ । ଏହି ଫଟୋଟି ଦିଲ୍ଲୀର ଅଟେ । ଏହାକୁ ଫଟୋଗ୍ରାଫର ଅଦନାନ ଅବିଦୀ ଉଠାଇଛନ୍ତି ।

ଯୋଶ୍ , ସାହସ ଏବଂ ମାନବିକତାକୁ ପ୍ରଣାମ !

 

ସମସ୍ୟା, ହତାଶ ଏବଂ କ୍ଲାନ୍ତ

ଜଣାଇ ରଖୁଛୁ ଯେ ଭାରତରେ ରେକର୍ଡ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତ ମୋଟ ସଂଖ୍ୟା ୨୧ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୫୩ ହଜାର ୦୧୧ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪୩,୩୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୬୪ ହଜାର ୩୯୯ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା  ବେଳେ ୮୬୧ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁ ହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

 

 

 

ଭୁବନେଶ୍ୱରରେ ୧୧୩ ସୁସ୍ଥ, ୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ…..

ଭୁବନେଶ୍ୱର ସହରରେ ଆଜି ସମୁଦାୟ ୧୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ୯୮ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୬୮ ଜଣ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ।

ଭୁବନେଶ୍ୱରର ପ୍ରାୟ ସବୁ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷରେ ଆଜି ରାଜଧାନୀରେ ୧୧୩ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ଏଯାବତ୍ ୩୯୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୪୭୩ ଜଣ ସୁସ୍ଥ ହୋଇ ସାରିଲେଣି ।

ସେହିଭଳି ଏବେ ୧୪୩୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିସାରିଛି । ତେବେ ଅଧିକ ସଂଖ୍ୟକ ରୋଗୀ ରାଜଧାନୀରେ ସୁସ୍ଥ ହୋଇ ଫେରୁଛନ୍ତି । ବିଏମସି ସଂକ୍ରମଣକୁ ରୋକିବା ସହ ସଂକ୍ରମିତଙ୍କ ସ୍ୱାସ୍ଥଜନିତ ସମସ୍ୟା ଉପରେ ଧ୍ୟାନ ଦେଉଛି ବୋଲୁ ଜଣାଇଛି ।

ମାମଲା ତୁଳନାରେ କମ୍ ପଡ଼ୁଛି କୋର୍ଟ, ୬୫ଟି ନୂଆ କୋର୍ଟ ପାଇଁ ତଥ୍ୟ ମାଗିଲେ ହାଇକୋର୍ଟ…..

ରାଜ୍ୟର ବିଭିନ୍ନ ସ୍ଥାନରେ ୬୫ଟି ନୂଆ କୋର୍ଟ ପ୍ରତିଷ୍ଠା ହେବ । ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । କରୋନା କଟକଣା ସମୟରେ ବିଶେଷ ବାଧାପ୍ରାପ୍ତ ହୋଇଛି ବିଚାର ପ୍ରକ୍ରିୟା । ଏଣୁ ନ୍ୟାୟ ବ୍ୟବସ୍ଥାକୁ ତ୍ଵରାନ୍ୱିତ କରିବା ପାଇଁ ୬୫ଟି ନୂଆ ସିଭିଲ ଜଜ୍ -ଜୁନିଅର ଡିଭିଜନ୍ ତଥା ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କେସ୍‌ ତୁଳନାରେ କୋର୍ଟ କମ୍‌ । ମନ୍ଥର ଗତିରେ ଚାଲିଛି ବିଚାର ପ୍ରକ୍ରିୟା  । ବିଳମ୍ବିତ ହେଉଛି ନ୍ୟାୟ ।

ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ୬୫ଟି ନୂଆ ସିଭିଲ ଜଜ୍ – ଜୁନିଅର ଡିଭିଜନ୍ ତଥା ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ବାବଦରେ ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ଚିଠି ଲେଖାଯାଇଛି । ନୂଆ କୋର୍ଟ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଶୀଘ୍ର ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ,  କେନ୍ଦୁଝର ଜିଲ୍ଲାରେ ୫, ସୁନ୍ଦରଗଡ଼ ଜିଲ୍ଲାରେ ୬, ପୁରୀ ଓ କଳାହାଣ୍ଡି ଜିଲ୍ଲାରେ ୪ଟି ଲେଖାଏଁ, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଯାଜପୁର, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ୩ଟି ଲେଖାଏଁ, ମାଲକାନଗିରି, ବାଲେଶ୍ବର, ଅନୁଗୁଳ, ନବରଙ୍ଗପୁର ଜିଲ୍ଲାରେ ୨ଟି ଲେଖାଏଁ, ଭଦ୍ରକ, ନୟାଗଡ଼, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ନୂଆକୋର୍ଟ ପ୍ରତିଷ୍ଠା ହେବ ।

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ଡମପଡ଼ା, ମାହାଙ୍ଗା ଓ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବାଲିଅନ୍ତା, ବୋଲଗଡ଼, ବାଲିପାଟଣା ଏବଂ ଚିଲିକାରେ ସିଭିଲ ଜଜ୍ -ଜୁନିଅର ଡିଭିଜନ୍ ତଥା ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି  । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୫ ଲକ୍ଷରୁ ଅଧିକ କେସ ବିଚାର ଅପେକ୍ଷାରେ ଅଛି । ନୂଆ କୋର୍ଟ ପ୍ରତିଷ୍ଠା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।