spot_img
Home Blog Page 6712

ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ରୋଗୀ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥଙ୍କ ସଂଖ୍ୟା । କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ହାର । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଆଜି ୧୧୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ୨୩ ହଜାର ୦୭୩ ଜଣ ମୋଟ ରୋଗୀ ସୁସ୍ଥ ହୋଇଛନ୍ତି । ୨୩ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି କରୋନା ରୋଗୀ ।

 

ଗଞ୍ଜାମରୁ ସର୍ବାଧିକ ୩୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୯୭ ଜଣ, ଗଜପତିରୁ ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡ଼ରୁ ୩୭, ରାୟଗଡ଼ାରୁ ୩୫, ପୁରୀରୁ ୩୧, ବାଲେଶ୍ୱରରୁ ୩୦, ମୟୂରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂହପୁରରୁ ୨୭, ଢ଼େଙ୍କାନାଳରୁ ୨୪, ସୁନ୍ଦରଗଡ଼ରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗିରରୁ ୧୬, ସମ୍ବଲପୁରରୁ ୧୬, ମାଲକାନାଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୧, ଅନୁଗୁଳ ଏବଂ କୋରାପୁଟର ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେପଟେ ବରଗଡ଼ରୁ ୪, ସୋନପୁରରୁ ୩, ଝାରସୁଗୁଡ଼ାରୁ ୧ ସୁସ୍ଥ ହୋଇଛନ୍ତି ।

ଯୋଗ ପ୍ରତିଷ୍ଠାନ ଏବଂ ଜିମ ପାଇଁ ଜାରି ହେଲା ନୂଆ ଗାଇଡଲାଇନ, ଜାଣନ୍ତୁ ନିୟମ

ଭୁବନେଶ୍ୱର: ଅନଲକ ୩ରେ ଫିଟନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୫ ତାରିଖରେ ଖୋଲିବ ଦେଶର ବିଭିନ୍ନ ସ୍ଥାନରେ ଯୋଗକେନ୍ଦ୍ର ଏବଂ ଜିମ । ତେବେ ଖୋଲିଲେ ମଧ୍ୟ କୋଭିଡ କଟକଣାକୁ ବଳବତର ରଖିବାକୁ ନିରର୍ଦ୍ଦେଶ ଦିଆଯାଇଛି । ଏନେଇ ଯୋଗ ପ୍ରତିଷ୍ଠାନ ଏବଂ ଜିମ ପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯୋଗ କେନ୍ଦ୍ର ଭିତରେ ଏବଂ ଜିମ ମଧ୍ୟରେ କେହି କାହା ସଂସ୍ପର୍ଶରେ ଆସିବେ ନାହିଁ ।

ସାମାଜିକ ଦୂରତା ଏବଂ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଭିତରେ ଯୋଗ କେନ୍ଦ୍ର ଓ ଜିମ୍ ଚାଲିପାରିବ । ପରସ୍ପର ଭିତରେ ଅତି କମରେ ୬ଫୁଟ ଦୂରତା ବଜାୟ ରହିବ । ଜିମ ଏବଂ ଯୋଗ କେନ୍ଦ୍ର ଭିତରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି । ଜିମ ମଧ୍ୟରେ ବ୍ୟାୟାମ ସରିବା ପରେ ସମସ୍ତ ସାମଗ୍ରୀ ବିଶୋଧନ ହେବା ସୁନିଶ୍ଚିତ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଗାଇଡଲାଇନରେ ବୟଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଯୋଗ କେନ୍ଦ୍ର ଏବଂ ଜିମ ମଧ୍ୟରୁ ୧୦ ଏବଂ ୬୫ ବର୍ଷର ବ୍ୟକ୍ତିଙ୍କୁ ଜିବାକୁ ବାରଣ କରାଯାଇଛି ।  ସାନିଟାଇଜର ଏବଂ ମାସ୍କକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଯୋଗ ପାଇଁ ମ୍ୟାଟକୁ ବାରଣ କରାଯାଇଛି । ସେପଟେ ଏହି ସବୁ କଟକଣା ମଧ୍ୟରେ ଖୋଲିବ ଯୋଗ କେନ୍ଦ୍ର ଏବଂ ଜିମ ।

ଜନତା ନୁହଁନ୍ତି ଏବେ ଛାନିଆ ହେଲେଣି ନେତା, ଜେଡ୍ ସିକ୍ୟୁରିଟି ଡେଇଁ କରୋନା ହାଇପ୍ରୋଫାଇଲ୍ ନେତାଙ୍କ ଘରେ

ଭୁବନେଶ୍ୱର: କରୋନା ଜାଲରେ ଦେଶର ଟପ୍ ନେତା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ବହୁ ରାଜ୍ୟରେ ମନ୍ତ୍ରୀ, ବିଧାୟକ, ସାଂସଦମାନେ ସଂକ୍ରମିତ ହେବା ପରେ ନେତାଙ୍କ ଚିନ୍ତା ବଢିଛି । ନିଜର ସୁରକ୍ଷା ଚିନ୍ତା କରିବା ସହ ଅମାନିଆ ନେତାମାନେ ସାମାଜିକ ଦୂରତା ଓ କୋଭିଡ ଗାଇଡଲାଇନକୁ ମାନିବାକୁ ରାଜ୍ୟର ପ୍ରମୁଖ ଦଳର ନେତାମାନେ ଅପିଲ୍ କରିଛନ୍ତି ।

ଜନତା ନୁହଁନ୍ତି ଏବେ ଛାନିଆ ହେଲେଣି ନେତା । କରୋନା କାହାକୁ ଛାଡ଼ୁନି । ପ୍ରତିପତ୍ତି କ୍ଷମତାକୁ ବି ମାନୁନି । ଜେଡ୍ ସିକ୍ୟୁରିଟି ଡେଇଁ କରୋନା ପହଞ୍ଚୁଛି ହାଇପ୍ରୋଫାଇଲ୍ ନେତାଙ୍କ ଘରେ । ଗୃହମନ୍ତ୍ରୀ ଅମିତ୍ ଶାହା ସଂକ୍ରମିତ ହେବା ପରେ ଏବେ ରାଜ୍ୟ ନେତାଙ୍କ ମନରେ ଛନକା । କାରଣ ମହାମାରୀର ଅସମୟରେ ଜନତାଙ୍କୁ ସେବା ଯୋଗାଇ ଦେବା ନେତାଙ୍କ କାମ । ନହେଲେ ଭୋଟ୍ ରାଜନୀତିରେ ପଛରେ ପଡିଯିବେ । ତେବେ କଟକଣା ଭିତରେ କେମିତି କରିବେ ରାଜନୀତି । ସାମାଜିକ ଦୂରତା ରଖି କେମିତି କରିବେ ସେବା । ରାଜ୍ୟ ବିରୋଧୀ ଦଳ ନେତା କହିଛନ୍ତି, ଏବେ ସଭା ସମିତି, ଉଦ୍‌ଘାଟନ ଠାରୁ ନେତାଏ ନିଜକୁ ଦୂରେଇ ରଖିବା ଆବଶ୍ୟକ । ବିଜେଡି ଉପ ସଭାପତିଙ୍କ ମତ କଟକଣା ଭିତରେ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରି ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । କଂଗ୍ରେସ ମଧ୍ୟ ସମାନ ମତ ଦେଇଛି ।

ହେଲେ ସଂକ୍ରମଣର ଏ ଭୟ ଭିତରେ ରାଜ୍ୟବାସୀ କିନ୍ତୁ ଦେଖୁଛନ୍ତି କିଛି ଅମାନିଆ ନେତାଙ୍କ ବେଖାତିର୍ ମନୋଭାବକୁ । ଆତ୍ମପ୍ରଚାର ଓ ଅହଂକାର ପାଇଁ ଏମାନେ ଅନ୍ୟର ଜୀବନକୁ ବାଜିରେ ଲଗାଉଛନ୍ତି । ଶହଶହ କର୍ମୀଙ୍କୁ ନେଇ ବାହାରି ଯାଉଛନ୍ତି ବାହାରକୁ । କେତେବେଳେ ସାମାଜିକ ଦୂରତାକୁ ମାନୁ ନାହାଁନ୍ତି ତ ପୁଣି କେତେବେଳେ ମାସ୍କ ପିନ୍ଧିବାକୁ ଭୂଲି ଯାଉଛନ୍ତି । ତେବେ ଗୃହମନ୍ତ୍ରୀଙ୍କୁ କରୋନା ହେବା ବା ୟୁପି ମନ୍ତ୍ରୀଙ୍କ ମୃତ୍ୟୁ ଏବେ ଏମାନଙ୍କ ପାଇଁ ନିଶ୍ଚୟ ଏକ ଚେତାବନୀ ।

ନିକଟରେ କରୋନର ଲମ୍ବା ଲଢେଇକୁ ମୁକାବିଲା କରିବା ପାଇଁ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସାମାଜିକ ଦୂରତା ଓ କୋଭିଡ କଟକଣା ମାନିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ବି ବାରମ୍ବାର ଅପିଲ କରୁଛନ୍ତି । ହେଲେ  ଅମାନିଆ ନେତାଏ କିନ୍ତୁ ଏସବୁକୁ ମାନିବାକୁ ନାରାଜ ।

(ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ର) 

ଇଫ୍‌କୋ ପାରାଦୀପ ୟୁନିଟ୍‌ରେ ଉଦ୍‌ଘାଟିତ ହେଲା ୩୬ଟି ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର

ପାରାଦୀପ: ପାରାଦୀପରେ ଖୁବ୍‌ କମ ସମୟ ମଧ୍ୟରେ ୩୬ଟି ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟିତ ହୋଇଛି । ଏହି ସେଣ୍ଟରକୁ ଉଦଘାଟନ କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ଡା. କାହ୍ନୁ ଚରଣ ଧୀର୍ (ଏଡିଡିଏଲ), ପାରାଦୀପ ଏବଂ ଇଫକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଜେ ପଟେଲ । ଚିକିତ୍ସାଳୟ କର୍ମଚାରୀ ଏବଂ ପରିଚାରକଙ୍କ ଦ୍ୱାରା ଏହା ସ୍ଥାପନ ହୋଇଛି । ସମସ୍ତ କୋଭିଡ୍‌ ନିର୍ଦ୍ଦେଶାବଳୀ, ଉପଯୁକ୍ତ ସାନିଟାଇଜେସନ, ସ୍ୱଚ୍ଛତା କକ୍ଷ, ପରିଷ୍କାର ଏବଂ ନିରାପଦ ପରିବେଶରେ ରୋଗୀଙ୍କୁ ସେବା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ଇଫକୋ ।

Paradip Covid Care Centre

ଏହି ଅବସରରେ ସୁରେଶ ଗୋୟଲ, ଜେନେରାଲ ମ୍ୟାନେଜର (ଫାଇନାନ୍ସ), ଏସ୍‌.ଡି ଶର୍ମା, ଜେନେରାଲ ମ୍ୟାନେଜର (କାର୍ଯ୍ୟନିର୍ବାହୀ), ଏ.କେ.ମଲ, ଜେଟି.ଜେନେରାଲ ମ୍ୟାନେଜର (ପି ଏବଂ ଏ), ଡା.ପୁଷ୍ପା ମହାନ୍ତି, ଚିଫ୍ ମେଡିକାଲ ଅଫିସର, ଜି.ସି.ଆଚାର୍ଯ୍ୟ, ଡିଜିଏମ୍ ‌(ଏଚ୍‌ଆର୍‌),  ମଙ୍ଗଲ ମୂର୍ତ୍ତି, ସଭାପତି, ଇଫକୋ ଅଫିସର୍ସ ଆସୋସିଏସନ୍‌, ଶୁବାଶିଷ ମିଶ୍ର, ଜେନେରାଲ ସେକ୍ରେଟାରୀ ଇଫକୋ ଆେସାସିଏସନ, ଶୁଭେନ୍ଦୁ ମାଝୀ, ସଭାପତି, ଇଫକୋ ଅଧିକାରୀ ସଙ୍ଘ, ଟି.ଆର ପୁହାନ୍ ‌(ସାଧାରଣ ସଚିବ) ଏବଂ ଇଫକୋର କମର୍ଚାରୀମାନେ ଉପସ୍ଥିତ ଥିଲେ ।

ଦ କପିଲ ଶର୍ମା ସୋ’ରେ ସୋନୁ ସୁଦଙ୍କ ଖୁଲାସା, କହିଲେ କିପରି କଲେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ

ନୂଆଦିଲ୍ଲୀ: କପିଲ ଶର୍ମାଙ୍କ ଚର୍ଚ୍ଚିତ କମେଡୀ ସୋ ‘ଦ କପିଲ ଶର୍ମା ସୋ’ ପୁଣି ଥରେ ଲୋକମାନଙ୍କୁ ହସାଇବା ଆରମ୍ଭ କରିଦେଇଛି । କରୋନା ମହାମାରୀ ଯୋଗୁଁ ସମସ୍ତ ସୋ’ ବନ୍ଦ ହୋଇଯାଇଥିବା ବେଳେ କପିଲ ଶର୍ମା ସୋ’ର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଥିଲା । ଯେହେତୁ ଦେରେ ଅନଲକର ପ୍ରକ୍ରିୟା ଜାରି ରହିଛି ତେଣୁ କପିଲ ଶର୍ମା ସୋ ପୁଣି ଥରେ ଲୋକମାନଙ୍କୁ ହସାଇବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଦ କପିଲ ଶର୍ମା ସୋର ପ୍ରଥମ ଏପିସୋଡରେ କରୋନା କାଳରେ ଲୋକମାନଙ୍କୁ ଭଗବାନ ସଦୃଶ ସାହାଯ୍ୟ କରିଥିବା ସୋନୁ ସୁଦ୍ ଅତିଥି ହୋଇ ପହଞ୍ଚିଛନ୍ତି । ଏହି ଅବସରରେ ଅଭିନେତା ଜଣଙ୍କ କରୋନା କାଳ ମଧ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ତାଙ୍କ ଘରକୁ ପଠାଇବାର କାହାଣୀ ବଖାଣି ଥିଲେ ।

https://www.instagram.com/p/CDY0ipQnV_U/?utm_source=ig_embed

ସୋନୁ ସୁଦ କିପରି ଲୋକମାନଙ୍କର ସାହାଯ୍ୟ କରିଥିଲେ ତାହା କହିଥିଲେ । ସେ କହିଛନ୍ତି ଯେ, ଆମେ ତାଙ୍କୁ ପଚାରିଥିଲୁ ଯେ ସେ କୁଆଡ଼େ ଯାଉଛନ୍ତି ? ସେମାନେ କହିଲେ ଦୟାକରି ଆମ ପାଇଁ ୧୦ ଦିନର ଖାଦ୍ୟ ପ୍ୟାକ କରିଦିଆନ୍ତୁ, ଆମେ ଚାଲି ଚାଲି ଆମ ଘର କର୍ଣ୍ଣାଟକ ଯାଉଛୁ ।‘ ମୁଁ ଦେଖିବାକୁ ପାଇଲି ଯେ ତାଙ୍କ ଛୁଆ ମାନେ ଖୁବ ଛୋଟ ଥିଲେ । କେହି କେହି ତ ଏକ ମାସରୁ ବି କମ ବୟସର ଥିଲେ । ମୁଁ ତାଙ୍କୁ ପଚାରିଲି, ଆପଣ ମାନେ ଛୁଆଙ୍କୁ ନେଇ କେମିତି ଯାଉଛନ୍ତି । ଆଉ ସେମାନେ କହିଲେ ଯେ, ଆମେ ୮ରୁ ୧୦ ଦିନ ମଧ୍ୟରେ ଆମ ଘରେ ପହଞ୍ଚି ଯିବୁ ଆପଣ ଖାଲି ଆମ ଖାଇବା ବ୍ୟବସ୍ଥା କରିଦିଆନ୍ତୁ । ତା ପରେ ସୋନୁ କହିଥିଲେ ଯେ, ମତେ ୨ ଦିନ ସମୟ ଦିଅନ୍ତୁ ମୁଁ ଆବଶ୍ୟକ ଅନୁମତି ସହିତ କେମିତି ବ୍ୟବସ୍ଥା କରିପାରିବି ।

ଏହାପରେ ସୋନୁ ସୁଦ କହିଛନ୍ତି ଯେ, ଆମେ ପ୍ରଥମ ଥର ୩୫୦ ଲୋକଙ୍କୁ କର୍ଣ୍ଣାଟକ ପହଞ୍ଚାଇବା ପାଇଁ ୧୦ଟି ବସର ବ୍ୟବସ୍ଥା କରିଥିଲୁ । ଆମେ କେବେ ଶିଖି ନଥିଲୁ କିନ୍ତୁ ବୋଧେ ଭଗବାନ ଆମକୁ ବାଛିଥଲେ ଏ କାମ କରିବା ପାଇଁ । ସୋ’ ରେ ଲୋକମାନଙ୍କର ଭଲପାଇବା ଏବଂ ସମ୍ମାନ ଦେଖି ଇମୋସନାଲ ମଧ୍ୟ ହୋଇଥିଲେ ସୋନୁ  ।

ହଜି ଯାଇଥିବା କୁନି ବନ୍ଧୁ ଆଜି ଘରକୁ ଲେଉଟିଛି, ପୁଣି ସୁଭିଛି ଘର ଆଗରେ କିଚିରି ମିଚିର ଶବ୍ଦ

ବରଗଡ଼: ପୁଣି ଶୁଭିଛି କିଚିରି ମିଚିରି ଶବ୍ଦ । କଂକ୍ରିଟ ଜଙ୍ଗଲରେ ହଜିଯାଇଥିବା କୁନି ବନ୍ଧୁର ଆଜି ଲେଉଠାଣି ହୋଇଛି । ଉଦାସିଆ ମନ ଆଜି ପୁଣି ତାଙ୍କ ସ୍ୱର ଶୁଣି ତାଜା ହୋଇଛି । ହଜିଥିବା କୁନି ବନ୍ଧୁ ଉଡ଼ିଆସିି ପୁଣି ଘର ଆଗରେ ବସୁଛି । କାହିଁ କେଉଁ କାଳରୁ ମଣିଷ ସହ ସଂପର୍କ ତାର । ପରିବାରର ସଦସ୍ୟ ପରି ସେ । ତାର ସ୍ଥାନ ଘରର ଆଗରେ ଥିବା ଚାଳିଆର ଫାଙ୍କ କି ଆଜବେଷ୍ଟ ତଳେ କୁନି କୁଡ଼ିଆ । ଘରର ଆଗରେ ରହୁଥିବାରୁ ନାଁ ତାର ଘରଚଟିଆ । ବଦଳୁଛି ସମୟ, ଆଉ ନାହିଁ ସେଇ ଚାଳଛପର ଘର କି ବଡ଼ବଡ଼ ତାଳଗଛ । ଚାରିଆଡେ କଂକ୍ରିଟର ଜଙ୍ଗଲ । ତେବେ ଏହାରି ଭିତରେ ଲୋପ ପାଇଗଲେଣି ଅନେକ ପ୍ରଜାତିର ପ୍ରାଣୀ । ସେଥିମଧ୍ୟରୁ ଘର ଚଟିଆ ହେଉଛି ଅନ୍ୟତମ ।

କିନ୍ତୁ କରୋନା ମହାମାରୀ ପ୍ରକୃତି ଓ ପରିବେଶ ପାଇଁ ସାଜିଛି ବରଦାନ । ଦୀର୍ଘ ମାସ ଧରି ଲାଗିରହିଥିବା ଲକଡାଉନ ଯୋଗୁଁ ଅସଂଖ୍ୟ ଯାନବାହାନ ଓ କଳକାରଖାନା ବନ୍ଦ ହୋଇପଡିଥିଲା । ସେଥିପାଇଁ ଜଳ ଓ ବାୟୁ ପ୍ରଦୂଷଣ ବହୁତ କମ ହୋଇଯାଇଛି । ଯାହାଫଳରେ ବହୁ ବର୍ଷ ପରେ ଶୁଣିବାକୁ ମିଳିଛି କିଚିରିମିଚିରି ଶବ୍ଦ । ବିଲୁପ୍ତ ପ୍ରାୟ ଘର ଚଟିଆଙ୍କୁ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ମାତ୍ରାଧିକ ନହେଲେ ମଧ୍ୟ ଅଳ୍ପ ସଂଖ୍ୟକ ଘର ଚଟିଆ ବରଗଡ ଜିଲ୍ଲା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛନ୍ତି । ଯାହାକୁ ଦେଖି ପରିବେଶ ପ୍ରେମୀଙ୍କ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି । ତାଙ୍କରି କିଚିରି ମିଚିରି ସ୍ଵରରେ ପରିବେଶ ହୋଇଉଠୁଥିଲା ଚଳଚଞ୍ଚଳ ।

ଆଜି କିନ୍ତୁ ମଣିଷ ଜୀବନର ପରିବର୍ତ୍ତନ ଯୋଗୁଁ ମଣିଷ ଠାରୁ ଦୂରେଇ ଯାଇଛନ୍ତି ଏହି ଘରଚଟିଆ । ଚାଷବାସରେ ଅଧିକ ମାତ୍ରାରେ କୀଟନାଶକ ବ୍ୟବହାର କାରଣରୁ କୀଟ ଓ ପୋକ ଅଭାବ ହେବାରୁ ଖାଦ୍ୟ ମିଳିଲା ନାହିଁ ଘରଚଟିଆକୁ । ଅନ୍ୟପଟେ  ଚାଳ ଘରରୁ ପକ୍କା ଘର ପରିବର୍ତ୍ତନ  ।  ଅତ୍ୟଧିକ ଯାନବାହାନ ଚଳାଚଳ ଏବଂ ମୋବାଇଲ ଟାୱାର ର କୁପ୍ରଭାବ ସହିତ ବିଭିନ୍ନ କଳ କାରଖାନାରୁ ନିର୍ଗତ ଧୂଆଁ ଯୋଗୁଁ ଯେଉଁଥିପାଇଁ ଆଗପରି ଆଉ ଘରଚଟିଆ ଦେଖିବାକୁ ମିଳୁନାହାନ୍ତି । ହୁଏତ ମଣିଷର ଆଧୁନିକତା କୁ ନାପସନ୍ଦ କରି ମଣିଷ ଠାରୁ ନିଜକୁ ଦୂରେଇ ନେଇଛନ୍ତି ଏହି ଘର ଚଟିଆ ହଜାର ହଜାର ପ୍ରଥମେ ସହରାଞ୍ଚଳରେ ଉଭାନ ହେବା ପରେ ଧୀରେ ଧୀରେ ଗ୍ରାମାଞ୍ଚଳ ମାନଙ୍କରୁ ମଧ୍ୟ ସଂପୂର୍ଣ୍ଣ ଉଭାନ ହୋଇଯାଇଥିଲେ  ।

ରାଜଧାନୀରେ ୩ ହଜାର ପାର କରୋନା ସଂଖ୍ୟା, ଜାଣନ୍ତୁ କେଉୁଁଠୁ କେତେ ଲୋକାଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୋମବାର ରାଜଧାନୀରୁ ୮୯ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମଣ ଚିହ୍ନଟ ହେବା ସହ ଭୁବନେଶ୍ୱରରେ ମୋଟ କରୋନା ସଂଖ୍ୟା ରହିଛି ୩୦୬୮ । ତେବେ ଆଜି ସୁସ୍ଥ ସଂଖ୍ୟା ୧୭୯୮ରେ ପହଞ୍ଚିଛି । ସେହିଭଳି କରୋନାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୫୦ ଜଣ ଏବେ ସକ୍ରିୟ ରହିଛନ୍ତି ।

ସେପଟେ କଟକରୁ ମଧ୍ୟ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୬ ଜଣ ହୋମ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୨ ଜଣ ପେଡ଼ କ୍ୱାରେଣ୍ଟାଇନ ଏବଂ ୧ ଆନୁଷ୍ଠାନିକ କ୍ୱାରେଣ୍ଟାଇନରେ ରହିଛନ୍ତି । ୮୭ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । କଟକରେ ଏବେ ପର୍ଯ୍ୟନ୍ତ ମୋଟ ୧୦୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୮୦ ଜଣ ସୁସ୍ଥ ହୋଇଥିବା ବେଳେ ୫୦୧ ଏପର୍ଯ୍ୟନ୍ତ ସକ୍ରିୟ ରହିଛନ୍ତି । ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ଶନିବାରରେ ୧୩୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୮୪ ଜଣ ସଂକ୍ରମିତ । ଏଥିମଧ୍ୟରୁ ୮୭୩ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୧୧ ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ହାତର ଯାଦୁ ଆଗରେ ହାର ମାନିଛି ଅକ୍ଷମତା, ଆଖି ସାମ୍ନାରେ ଆଙ୍କୁଛନ୍ତି ଅବିକଳ ନକଲ

ଜୟପୁର: ସାଧନା ପାଖରେ ହାର ମାନିଛି ଅକ୍ଷମତା । ସେ ନିଜେ ସ୍ପଷ୍ଟ କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ । ହେଲେ ଅଳ୍ପ ସମୟରେ ଏମିତି ଚିତ୍ର ଆଙ୍କିଦିଅନ୍ତି ଯାହା ଜୀବନ୍ତ ମନେ ହୁଏ । ଅବୁଝା ଅକୁହା ମଣିଷର ଏ ଜିବନ୍ତ ଚିତ୍ର ଦେଖିବାକୁ ମିଳିଛି ଜୟପୁର ବାରିଣିପୁଟ ଗ୍ରାମର ଦିବ୍ୟାଙ୍ଗ ସୁଧାକରଙ୍କ ନିକଟରେ ।

ଚିତ୍ରକଳାରେ ଜୀବନ୍ତ କାରୁକାର୍ଯ୍ୟ । ଥରେ ଦେଖିଲେ ଆଖି ଫେରେନାହିଁ । ପେନସିଲ ଆର୍ଟଠୁ ଆରମ୍ଭ କରି କଲର ଆର୍ଟ ବା ପଟ୍ଟଚିତ୍ର ଓ ଥ୍ରିଡି ଆର୍ଟ ଭଳି ପ୍ରତିଟି ଚିତ୍ର ବେଶ ଆକର୍ଷଣିୟ । କେତେବେଳେ ରାସ୍ତା କଡ଼ କାନ୍ଥରେ ତ କେତେବେଳେ ମନ୍ଦିର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିପାରୁଛନ୍ତି । ଆମେ କହୁଛୁ ଜୟପୁର ବାରିଣିପୁଟର ଦିବ୍ୟାଙ୍ଗ ସୁଧାକରଙ୍କ କଥା । ଦୁଇ ମିନଟ ମଧ୍ୟରେ ଆଖି ସାମ୍ନାରେ ଆଙ୍କିଦେଇପାରନ୍ତି ଅବିକଳ ନକଲ । କେବଳ ସେତିକି ନୁହେଁ କାଠ ଓ ସୋଲୋରେ ବି ତିଆରି କରନ୍ତି ଅନେକ ଚିତ୍ର । ୪୦ ପ୍ରତିଶତ ମୁକ ଓ ବଧିର ହୋଇଥିଲେ ବି ନିଜ ଚିତ୍ରକଳା ଆଗରେ ହାର ମାନିଛି ତାଙ୍କ ସବୁ ଅକ୍ଷମତା । ଯାହାକି ତାଙ୍କୁ ସ୍ୱାବଲମ୍ଭୀ କରିଛି ।

ଦିବ୍ୟାଙ୍ଗ ସୁଧାକର ଯେତେବେଳେ ପଞ୍ଚମ ପାଠ ପଢୁଥିଲେ ସେତେବେଳେ ଏକ ଅଜଣା ରୋଗରେ ପୀଡ଼ିତ ହୋଇ ନା ଠିକରେ କଥା କହିପାରିଲେ ନା ଶୁଣିପାରିଲେ । କିନ୍ତୁ ଭଲ ଚିତ୍ର ଆଙ୍କିପାରୁଥିବାରୁ ଘରେ ଚୁପ ନବସି ନିଜର କଳା ଉପରେ ଅଧିକ ଫୋକସ କରି କଳାକେନ୍ଦ୍ରରେ ଶିକ୍ଷା ଗ୍ରହଣ କଲେ । ନିଜର ଏହି ପ୍ରତିଭାକୁ ନେଇ ଚର୍ଚ୍ଚା ସାଙ୍ଗକୁ ଜିନ ପରିବାରକୁ ଚଳେଇ ସ୍ୱାବଲମ୍ଭୀ ହୋଇପାରିଛନ୍ତି ସୁଧାକର । ଦିବ୍ୟାଙ୍ଗ ହୋଇ ହାରିନାହାନ୍ତି  ବରଂ ନିଜେ ସୁନ୍ଦର ଚିତ୍ର କରି ନିଜେ ସ୍ୱାବଲମ୍ଭୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସୁଧାକର ।

(ଜୟପୁରରୁ ହୃଷୀକେଶ ମିଶ୍ର)

ରାକ୍ଷୀ ପୂର୍ଣ୍ଣିମାରେ ଭାବ ବିହ୍ୱଳ ହୋଇ ମୃତ ଭାଇ ସୁଶାନ୍ତଙ୍କୁ ମନେ ପକାଇଲେ ଭଉଣୀ ନୀତୁ

ଆଜି ସାରା ଦେଶ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଉତ୍ସବ ମୁଖର ଥିବା ବେଳେ ଭାଇ ସୁଶାନ୍ତ ସିଂ ରାଜପୂତଙ୍କୁ ମନେ ପକେଇଛନ୍ତି ଭଉଣୀ ନୀତୁ । ତାଙ୍କର ସେ ଭାବ ବିହ୍ୱଳ ଶବ୍ଦକୁ ପଢିବା ପରେ କେହି ମଧ୍ୟ ଲୁହକୁ ଅଟକେଇ ପାରିବେନି । ନୀତୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, “ଆଜି ତୋର ଦିନ, ଆଜି ଆମର ଦିନ, ଆଜି ରାକ୍ଷୀ ପୂର୍ଣ୍ଣିମା । ୩୫ ବର୍ଷ ପରେ ଆଜି ଏହା ପ୍ରଥମ ଥର । ପୂଜା ଥାଳି ସଜେଇ ହୋଇଛି, ଦୀପର ଆଳତୀ ମଧ୍ୟ ଜଳୁଛି, ଆଜି ସେ ଚେହେରା ନାହିଁ ଯାହାର ଆଳତୀ କରିପାରିବି । ସେ ହାତ ନାହିଁ ଯାହାକୁ ମୁଁ ରାକ୍ଷୀ ବାନ୍ଧି ପାରିବି । ସେ ମୁହଁ ନାହିଁ ଯାହାକୁ ମିଠା ଖୁଆଇ ପାରିବି । ସେ ମଥା ନାହିଁ ଯାହାକୁ ଚୁମ୍ବନ ଦେଇ ପାରିବି । ସେ ଭାଇ ନାହିଁ ଯାହାକୁ କୁଣ୍ଢେଇ ପାରିବି । ଯେତେବେଳ ତୁ ଆମ ଜୀବନରେ ଆସିଥିଲୁ ଆମ ଜୀବନ ଚମକି ଉଠିଥିଲା । ଜୀବନ ଉଜ୍ୱଳମୟ ଥିଲା । ଏବେ ଯେବେ ତୁ ନାହୁଁ ତ ବୁଝି ପାରୁନି କ’ଣ କରିବି । ତୋ ବିନା ମୁଁ ବଂଚିବା ଜାଣିନି । କେବେ ଭାବି ନଥିଲି ଦିନେ ଏମିତି ବି ହେବ, ଏ ଦିନ ଥିବ ଆଉ ତୁ ନଥିବୁ । ଯଥେଷ୍ଟ ସମୟ ଆମେ ଏକା ସାଙ୍ଗରେ ବିତେଇଛେ । ତୋ ବିନା ବଂଚିବା ମୁଁ କେମିତି ଶିଖିବି? ତୁ କହ । ତୋ ରାନୀ ଦିଦି” ।

 

ରକ୍ଷା ବନ୍ଧନର ଦିନେ ପୂର୍ବରୁ ଆମେରିକାରେ ଥିବା ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ତାଙ୍କ ଭାଇଙ୍କ ମୃତ୍ୟୁରେ ନ୍ୟାୟ ମିଳୁ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ।

ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରାଘାତରେ ଗଲା ୪ ଜଣଙ୍କର ଜୀବନ

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ବର୍ଷା ସମୟରେ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଚାନ୍ଦବାଲି ଥାନା ଅଧିନସ୍ଥ ବାଲିଗାଁରେ ଜଣଙ୍କର ଜୀବନ ଯାଇଛି । ବଜ୍ରାଘାନରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣେ ହେଉଛନ୍ତି ଜଣେ କୃଷକ । ମୌସୁମୀ ବର୍ଷା ହେବା ସମୟରେ ଚାଷୀ ଜଣଙ୍କ ବିଲରେ କାମ କରୁଥିଲେ । ସେହି ସମୟରେ ପ୍ରବଳ ଘଡ଼ଘଡ଼ି ମାରିଥିଲା । ଯାହାପରେ ଚାଷୀ ଜଣକ ଅଚେତ ହୋଇପଡ଼ିଥିଲେ ।

ନିକଟରେ ଥିବା କେତେକ ଚାଷୀ ଧାଁ ଦୌଡ କରି ମଥୁରାଙ୍କୁ ବିଲରୁ ଆଣିବା ସହ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି  କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ଗାଁରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରାହକ ସରୋଜ ଚାନ୍ଦବାଲି ବଜାରରେ ଘର ତିଆରି ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମଣ୍ଡ ଗାଁ ରେ ଆଜି ଅପରାହ୍ନ ରେ ବଜ୍ରା ଘାତରେ ଦୁଇ ଜଣଙ୍କ ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରକ୍ଷୀ ବାନ୍ଧିବାକୁ ଭାଇ ପାଖକୁ ଯାଇଥିବା ବେଳେ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଭାସ୍କର ବେହେରାଙ୍କ ୧୨ ବର୍ଷ ର ଝିଅ ଆଶା ବେହେରା ଏବଂ ନିରଞ୍ଜନ ଦଳେଇ ଙ୍କ ର ୧୫ବର୍ଷର ପୁଅ ସୁଶାନ୍ତ ଦଳେଇଙ୍କର ମୃତ୍ୟୁ ହୋଇଛି । ଏହି ବଜ୍ରାଘାତରେ ଅନ୍ୟ ଦୁଇ ଜଣ ରଙ୍ଗଲତା ପ୍ରଧାନ ଓ ସ୍ୱାମୀ ବିଜୟ ପ୍ରଧାନ ଆହତ ହୋଇ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ  ଚିକିସ୍ଥିତ ହୋଇଛନ୍ତି ।