spot_img
Home Blog Page 6713

ରାଜଧାନୀରେ ପୁଣି ଏକାଧିକ ସ୍ଥାନୀୟ ଲୋକ କରୋନା ସଂକ୍ରମିତ, ସିଲ୍‌ ହେଲା ଆରଟିଓ ଅଫିସ୍‌..

ଭୁବନେଶ୍ୱର: ଭୁବନେଶ୍ୱରରେ ବଢିବାରେ ଲାଗିଛି କରୋନା ଗ୍ରାଫ୍‌ । ଭୁବନେଶ୍ୱର ଆରଟିଓ-୧ରୁ ୪ ପଜିଟିଭ୍‌ ଚିହ୍ନଟ ପରେ ଆରଟିଓ ଅଫିସକୁ ସିଲ କରାଯାଇଛି । ସେହିପରି କଟକରୋଡ୍‌ ଆଇସିଆଇସିଆଇ ବ୍ରାଞ୍ଚ ଏବଂ ଶ୍ରୀୟା ଛକ ମେନ୍ ବ୍ରାଞ୍ଚରୁ ୧୫ ପଜିଟିଭ୍‌ ଚିହ୍ନଟ ପରେ ଉଭୟ ଶାଖା ବନ୍ଦ ରଖାଯାଇଛି ।

ଅନ୍ୟପଟେ ନଖରା ସ୍ଥିତ ଗତି ଗୋଦାମରୁ ୨ ପଜିଟିଭ ଚିହ୍ନଟ ପରେ ତାକୁ ମଧ୍ୟ ସିଲ କରିଛି ବିଏମ୍‌ସି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୩୭ ପଜିଟିଭଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ମଙ୍ଗଳବାର ୨୯ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭୯ରେ ପହଁଚିଛି ।

ମଙ୍ଗଳବାର ଚିହ୍ନଟ ୨୯ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧା ଏବଂ ଅବଶିଷ୍ଟ ୧୪ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଭୁବନେଶ୍ୱରରୁ ଆଜି ୩ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରର ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୭ରେ ପହଁଚିଛି । ଏବେ ୧୯୫ଟି ସକ୍ରିୟ ମାମଲା ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ରେ ସ୍ଥିର ଅଛି ।

୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭବନା ଅଛି । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏହାସହ ମନସୁନ୍ ଟ୍ରଫ୍ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ରହିବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନ୍‌ ୧ରୁ ଜୁଲାଇ ୭ ମଧ୍ୟରେ ରାଜ୍ୟରେ ୩୨୧.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଝାରସୁଗୁଡ଼ା ଏବଂ ମାଲକାନଗିରିରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ୮ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ୬ ଜିଲ୍ଲାରେ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି । ଖୋର୍ଦ୍ଧା, ପୁରୀ, ଯାଜପୁର, କଟକ, ବାଲେଶ୍ୱର, କେନ୍ଦ୍ରାପଡାରେ କମ୍ ବର୍ଷା ହୋଇଛି ।

କରେନା ସଂକ୍ରମଣ ପାଇଁ ଛାନିଆ ହେଲେଣି ନେତା ? ସମସ୍ତଙ୍କୁ ଘାରିଲାଣି କରୋନା ଭୟ…

ଭୁବନେଶ୍ୱର: ନେତାଙ୍କୁ ଘାରିଲା ସାମାଜିକ ଦୂରତା ନିୟମ ପାଳନ ଚିନ୍ତା । ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସବୁ ଦଳକୁ ଚିନ୍ତା ଘାରିଛି । କୋଭିଡ୍‌ ନିୟମ ମାନିବା ପାଇଁ ବିଜେପି ନେତାଙ୍କୁ ବିରୋଧୀ ଦଳ ନେତା ଅପିଲ କରିଛନ୍ତି । ସେହିପରି ଜନପ୍ରତିନିଧିମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ କଂଗ୍ରେସ ଦାବି କରିଛି ।

ବିଧାୟକଙ୍କୁ କରୋନା ଓ କ୍ୱାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ପ୍ରଥମ ଥର ଲାଗି ଜଣେ ନିର୍ବାଚିତ ପ୍ରତିନିଧିଙ୍କ କରୋନା ପଜିଟିଭ୍‌ ଆସିବା ପରେ ରାଜନେତାମାନଙ୍କ ମନରେ ଏବେ ଛନକା ପଶିଛି । ସାମାଜିକ ଦୂରତାକୁ କିପରି ବଜାୟ ରଖିହେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଯେଉଁ ଦଳର ନେତାମାନେ ନିୟମ ଉଲଘଂନ କରୁଥିଲେ ସେ ଦଳର ନେତା ବିଧାୟକ, ସାଂସଦ ଓ କର୍ମୀଙ୍କ ନିୟମ ମାନିବାକୁ ଅପିଲ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ବଞ୍ଚିବା ପାଇଁ ସମସ୍ତେ ନିୟମ ମାନିବା ଉଚିତ୍‌ । ଆମେ ସଂକ୍ରମିତ ହେବା ନାହିଁ, କି ଅନ୍ୟକୁ ସଂକ୍ରମଣ କରିବା ନାହିଁ । ସେପଟେ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ କରୋନା ଗାଇଡ୍‌ଲାଇନ୍‌ ଆଣିବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।

Ashok Panda

ସେପଟେ ଶାସକ ଦଳ ମଧ୍ୟ କରୋନା ନେଇ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ଗାଇଡ୍‌ ଲାଇନକୁ ମାନିବାକୁ ପୁଣି ଅନୁରୋଧ କରିଛନ୍ତି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକଜୁଟ୍‌ ନହେବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ଜନଗହଳି ନକରିବା ପାଇଁ ଯେଉଁ ଗାଇଡ଼ଲାଇନ୍‌ ଅଛି ତାହା ସମସ୍ତଙ୍କ ପାଇଁ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ତେଣୁ ରାଜନେତା ପାଇଁ ନୂଆ ଗାଇଡ୍‌ଲାଇନ କାହିଁକି ଅଣାଯିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ଜଳପଥରେ ସାମିଲ ହେବ ଦ୍ୱିତୀୟ ବୃହତ୍ତମ ଖରସ୍ରୋତା ନଦୀ

ଢ଼େଙ୍କାନାଳ: ଜଳପଥରେ ସାମିଲ ହେବ ଦ୍ୱିତୀୟ ବୃହତ୍ତମ ଖରସ୍ରୋତା ନଦୀ  । ବ୍ରାହ୍ମଣୀରେ ଚାଲିବ ଦେଶ ବିଦେଶର ଜାହାଜ । ଅନୁଗୁଳ ସମଲ ବ୍ୟାରେଜରୁ ଢେଙ୍କାନାଳ ଦେଇ ପାରଦ୍ୱୀପ, ଧାମରାକୁ ଯିବ ଜଳମାର୍ଗ । ଶିଳ୍ପାନୁଷ୍ଠାନ ସହ କୃଷି କ୍ଷେତ୍ରରେ ହେବ ବିକାଶ । ଦେଶ ବିଦେଶକୁ ପରିବହନ ହେବ କୋଇଲା, ସାର, ଆଇରନ ଓ ଷ୍ଟିଲ୍ ଢେଙ୍କାନାଳ, ଯାଜପୁର, ଅନୁଗୁଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦିରେ ହେବ ରାଷ୍ଟ୍ରୀୟ ଜଳମାର୍ଗ । ଏହି ମାର୍ଗ ଦେଇ ଦେଶ ବିଦେଶରୁ ଚଳାଚଳ କରିବ ଜାହାଜ ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯିବ । ଗତବର୍ଷ ସାରଙ୍ଗଧର ଷ୍ଟାଡିୟମରେ ଭିତ୍ତିପ୍ରସ୍ତର ସମୟରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା କରିଥିଲେ । ଏବେ ଏହାର କାର୍ଯ୍ୟକ୍ଷମ ନେଇ କେନ୍ଦ୍ରକୁ ପତ୍ର ଲେଖାଯାଇଥିବା କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ୍ ।

ଜଳପଥ ହେଲେ ରାସ୍ତାରେ ଟ୍ରାନ୍ସପୋର୍ଟିଂ ଅପେକ୍ଷା ଜଳପଥରେ ଶୀଘ୍ର ହେବ । ଖର୍ଚ୍ଚ ମଧ୍ୟ ବହୁତ କମ୍ ପଡିବ ବୋଲି କହିଛନ୍ତି ବିଶିଷ୍ଟ ଶିଳ୍ପପତି ଓ ଉଦ୍ୟୋଗପତି । ଏହାସହ ପ୍ରଦୂଷଣ, ଦୁର୍ଘଟଣା କମିବ ଓ ସ୍ଥାନୀୟ ନିଯୁକ୍ତି ବଢିବ । କେବଳ ସେତିକି ନୁହେଁ ବ୍ରାହ୍ମଣୀ ନଦୀ କୂଳରେ ଥିବା ମାଛଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ସରକାରୀ କର୍ମଚାରୀଙ୍କ ଉପରେ ସରକାରଙ୍କ ଛାଟ, ମନଇଚ୍ଛା କରିପାରିବେନି ସୋସିଆଲ ମିଡିଆର ବ୍ୟବହାର

ସରକାରୀ ଚାକିରିଆଙ୍କୁ ସରକାରଙ୍କ ଛାଟ୍‌ । ଏଣିକି ମନ ଇଚ୍ଛୋ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ଏନେଇ ଆଜି ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Government Servant

ସରକାରୀ କର୍ମଚାରୀଙ୍କ ସରକାର ଜାରି କରିଛନ୍ତି ସୋସିଆଲ ମିଡିଆ ଗାଇଡ୍‌ ଲାଇନ୍‌ । ଚାକିରି ସମ୍ବନ୍ଧୀୟ କୌଣସି ସମସ୍ୟା ନେଇ କୌଣସି ବି ସରକାରୀ କର୍ମଚାରୀ ସୋସିଆଲ ମିଡିଆରେ ଆଲୋଚନା କରିପାରିବେ ନାହିଁ । ଏହା ସରକାରୀ ଚାକିରି ନିୟମର ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି ।

Government Servantଗଭର୍ଣ୍ଣମେଣ୍ଟ ସର୍ଭିସ କଣ୍ଡକ୍ଟ ରୁଲ୍‌ ୭ ଓ ୨୩କୁ ଉଲ୍ଲଂଘନ କରୁଛି ସୋସିଆଲ ମିଡିଆର ଏଭଳି ବ୍ୟବହାର । ନିଯୁକ୍ତି, ଦରମା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ପର୍କରେ ବାହାରେ ଆଲୋଚନା କରିବା ନିୟମ ଅନୁଯାୟୀ ଅପରାଧ । ଉଭୟ ଚୁକ୍ତିଭିତ୍ତିକ ଓ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଏହା ପ୍ରଯୁଜ୍ୟ ।

Government Servant

କିଛି କର୍ମଚାରୀ ସୋସିଆଲ ମିଡିଆରେ ଚାକିରି ଓ ଦରମା ବାବଦରେ କହିବା ସହ ଉପରିସ୍ଥ ଅଧିକାରୀଙ୍କ ବାବଦରେ ବି ବିବୃତି ରଖୁଛନ୍ତି । ଏହାକୁ ନଜରରେ ରଖି ଗୃହ ବିଭାଗ ଏଭଳି ନିର୍ଦେଶନାମା ଜାରି କରିଛି । ଏନେଇ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବଙ୍କୁ ଗୃହ ସଚିବ ସଂଜୀବ ଚୋପ୍ରା ଚିଠି ଲେଖିଛନ୍ତି ।

କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଏସପି ପ୍ରତୀକ ସିଂହଙ୍କ ସହ ଫୋନରେ କଥା ହୋଇଛନ୍ତି । ଜିଲ୍ଲା ପୋଲିସ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏସପି ଓ ତାଙ୍କ ଟିମ୍ ଜିଲ୍ଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଓଡ଼ିଶା ପୋଲିସ ମାଓବାଦୀ ବିରୋଧୀ ଅପରେସନ କ୍ରମରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଜଙ୍ଗଲରେ ୪ ଜଣ ହାର୍ଡକୋର ମାଓବାଦୀଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିଲେ । ଏହି ଅପରେସନରେ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଥିଲା ।

ପୂର୍ବରୁ ଫିରିଙ୍ଗିଆ ଥାନା କ୍ଷେତ୍ର ଭିତରେ ଆସୁଥିବା ସୁମରବନ୍ଧ ଜଙ୍ଗଲରେ ଥିବା ମାଓବାଦୀ କ୍ୟାମ୍ପକୁ ଓଡ଼ିଶା ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପ୍ ଧ୍ୱଂସ କରିଥିଲା । ସେଠାରୁ ମଧ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ଓଡ଼ିଶାରେ ରହିଛି ୪ ପ୍ରକାର କରୋନା, ମହାରାଷ୍ଟ୍ର-ତାମିଲନାଡ଼ୁରୁ ବି ଆସିଛି କ୍ଷତିକାରକ ଭୂତାଣୁ

ଭୁବନେଶ୍ୱର: ଦେଶରେ ମୁଖ୍ୟତଃ ୪ ପ୍ରକାରର କରୋନା ଭୂତାଣୁର ସ୍ଥିତି ସ୍ପଷ୍ଟ ହୋଇଛି । ରାଜ୍ୟରେ ସଂକ୍ରମଣ କରୁଥିବା ଭୂତାଣୁ କେଉଁ ବର୍ଗର ତାହା ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୂର୍ବରୁ କରୋନା ଭୂତାଣୁ ବାୟୁରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ଭୂତାଣୁ ବାୟୁରେ ସଂକ୍ରମଣ ହେବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ କମ୍‌ ସମୟରେ ପରୀକ୍ଷା ରିପୋର୍ଟ ପାଇଁ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହୋଇଛି ।

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଚିନ୍ତା କରିବାର କିଛି ନାହିଁ । ଅଧିକ ସଂଖ୍ୟାରେ ନମୂନା ପରୀକ୍ଷା ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି । ତେବେ କମ୍‌ ସମୟରେ ଅଧିକ ସଂଖ୍ୟକ ନମୂନା ପରୀକ୍ଷା କରିବା ସହିତ କମ୍‌ ଖର୍ଚ୍ଚରେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୫ହଜାର ଓ ପରେ ଅଧିକ ୨୦ହଜାର କିଟ୍‌ ଜରିଆରେ ପରୀକ୍ଷା କରାଯିବ । ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା ଗଂଜାମ ଓ କଟକ ରହିଛି ଫୋକସ୍‌ରେ ।

ତେବେ ସବୁଠାରୁ ବଡକଥା ହେଲା ଦେଶରେ ୪ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ତାମିଲନାଡୁ ଓ ମହାରାଷ୍ଟ୍ରରୁ ଚିହ୍ନଟ ଭୂତାଣୁଙ୍କ ଲକ୍ଷଣ ଅନ୍ୟ ରାଜ୍ୟ ତୁଳନାରେ ସମ୍ପୂର୍ଣ ଭିନ୍ନ । ଉଭୟ ରାଜ୍ୟର ଫେରନ୍ତା ଆମ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ସମସ୍ତ ୪ ପ୍ରକାରର ଭୂତାଣୁ ଥିବା ଆଶଙ୍କା କରାଯାଉଛି । ଏନେଇ ଅଧିକ ପରୀକ୍ଷା ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଇଏଲଏସ୍‌ର ନିର୍ଦେଶକ ।

କରୋନା ଭୁତାଣୁର ଆକାର ବଡ଼ ଓ ଭାରି । ଏହା ସାଧାରଣତଃ ନିମ୍ନଭାଗରେ ରହିଥାଏ ଏବଂ ବାୟୁରେ ଅଧିକ ସମୟ ରହିପାରେ ନାହିଁ । କରୋନା ଭୁତାଣୁର ଲକ୍ଷଣ ନେଇ ପୂର୍ବରୁ ଏଭଳି ସୂଚନା ମିଳିଥିଲା । ତେବେ ବର୍ତ୍ତମାନ ଭୁତାଣୁର ଲକ୍ଷଣରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହା ବାୟୁରେ ମଧ୍ୟ ସଂକ୍ରମଣ କରିପାରେ । ଏଥିପାଇଁ ଆବଦ୍ଧ କୋଠରୀରେ ନରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଖୋଲା ସ୍ଥାନରେ ରହିବା ଓ ଦୂରତା ରକ୍ଷା କଲେ ବାୟୁ ସଂକ୍ରମଣ ସମ୍ଭବପର ନୁହେଁ ବୋଲି ମତ ଦେଇଛନ୍ତି କିମ୍ସର ପ୍ରୋ ଭାଇସ୍‌ ଚାନ୍‌ସେଲର ।

କରୋନା ଭୁତାଣୁ ବାୟୁରେ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପର୍ଯ୍ୟନ୍ତ ଗ୍ରୀନ୍‌ ସିଗନାଲ ଦେଇନାହିଁ । ଏନେଇ WHOର ନିଷ୍ପତ୍ତି ଓ ICMRର ଅନୁମତି ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

(ଶକ୍ତିଧର ରାଜଗୁରୁ)

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢିଯାଇଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଲକଡାଉନ୍ କାରଣରୁ ରୋଜଗାର ହରାଇଥିବା ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ଅନ୍ୟପକ୍ଷରେ ଲକଡାଉନ୍ ଓ ସଟ୍ ଡାଉନ୍ କାରଣରୁ ସରକାରଙ୍କୁ ରାଜସ୍ୱ ହରାଇବାକୁ ପଡିଛି । ଆଗକୁ କରୋନା ମୁକାବିଲା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖର୍ଚ୍ଚ କାଟ ପାଇଁ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମରେ ଆଗାମୀ ଦୁଇ ବର୍ଷ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଛାଡିଦେଲେ ଅନ୍ୟ ବିଭାଗରେ ନୂଆ ନିଯୁକ୍ତି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ନୂଆ ନିଯୁକ୍ତି ବ୍ୟତିତ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାର ଆହୁରି କିଛି ନିଷ୍ପତ୍ତି ନେଇଛନ୍ତି ।

ଗସ୍ତ ଓ ବାହାନ ଖର୍ଚ୍ଚକାଟ

ନୂଆ ଗାଡି କିଣିବା ଉପରେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲାଗୁ କରାଯାଇଛି । ସରକାରୀ ଅଧିକାରୀଙ୍କୁ ଗସ୍ତରେ ନଯିବାକୁ ପରାମର୍ଶ ଦିଆଯାଇଛି । ଗସ୍ତ ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରିବାକୁ କୁହାଯାଇଛି । ବିଦେଶ ଗସ୍ତକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ସରକାରୀ ଅଧିକାରୀ ପ୍ରଥମ ଶ୍ରେଣୀ ଏସିରେ ଟ୍ରେନ୍ ଯାତ୍ରା କରିପାରିବେ ନାହିଁ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଗସ୍ତରେ ଯାଉଥିବା ଅଧିକାରୀଙ୍କ ହୋଟେଲ ଖର୍ଚ୍ଚ ସରକାର ଦେବେ ନାହିଁ । ଅଧିକାରୀଙ୍କୁ ସେହି ସ୍ଥାନରେ ଥିବା ଓଡ଼ିଶା ଭବନରେ ରହିବାକୁ ପଡିବ ।

କେବଳ ସ୍ୱାସ୍ଥ୍ୟ ବିଭାଗ, ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଏହି ସମୟସୀମା ମଧ୍ୟରେ ନୂଆ ଉପକରଣ କିଣା ଯାଇପାରିବ ।  ସରକାରୀ ଅଫିସ ସାଜସଜା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ମିଟିଂ, ସେମିନାର, ୱାର୍କସପ୍ ଓ ଅଫିସିଆଲ ଲଂଚ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।  ସରକାରୀ କର୍ମଚାରୀଙ୍କୁ ଘର,କମ୍ପ୍ୟୁଟର ଆଦି କିଣିବା ପାଇଁ କୌଣସି ପ୍ରକାରର ଆଡଭାନ୍ସ ଦିଆଯିବ ନାହିଁ ।  ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ LTC ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ରହିବ ।

ନୂଆ ନିଯୁକ୍ତିକୁ ନା

କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡିଦେଲେ ଅନ୍ୟ କୌଣସି ବିଭାଗ ଆସନ୍ତା ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି କରିପାରିବେ ନାହିଁ । ୫ବର୍ଷ ଧରି ଖାଲି ପଡିଥିବା ପଦବୀ ଆପେ ଆପେ ବିଲୋପ ହେବ । ପରାମର୍ଶଦାତ୍ତା, ଆଉଟସୋର୍ସିଂ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ନୂଆ ନିଯୁକ୍ତି ପାଇଁ  ଅର୍ଥ ବିଭାଗର ଆଗୁଆ ଅନୁମତି ଆବଶ୍ୟକ ହେବ ।

ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ, ପୁରୀକୁ ଯାଇପାରିବନି ମୃତଦେହ..!

ବୁଧାବାରଠାରୁ ବାହାର ଲୋକଙ୍କୁ ପୁରୀ ମନା ! କରୋନା ମହାମାରୀ କାରଣରୁ ରଥଯାତ୍ରା ପାଇଁ ପୁରୀ ସହର ଚାରିପଟୁ ସିଲ୍‌ ହୋଇଥିଲା ବେଳେ ଏବେ ରଥଯାତ୍ରା ପରେ ମଧ୍ୟ ସହର ବାହାର ଲୋକଙ୍କୁ ପୁରୀକୁ ବାରଣ କରାଯାଇଛି । ତେବେ ପୁରୀ ସହରକୁ ସମ୍ପୂର୍ଣ୍ଣ ବାରଣ ହୋଇନଥିବା ବେଳେ ସ୍ୱର୍ଗ ଦ୍ୱାରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

 ବାହାର ଜିଲ୍ଲାର କୌଣସି ମୃତ ଲୋକଙ୍କୁ  ପୁରୀ ସ୍ୱର୍ଗଦ୍ୱାରରେ ପୋଡ଼ିବାକୁ ସମ୍ପୂର୍ଣ୍ଣ ବାରଣ କରିଛି ପ୍ରଶାସନ । ସ୍ୱର୍ଗଦ୍ୱାରରେ ପୁରୀ ବାହାରର କେହିବି ଶବ ସତ୍କାର କରିପାରିବେ ନାହିଁ । କୋଭିଡ୍‌ କଟକଣା ଓ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ କରୋନା ଭଳି ବିଷମ ପରିସ୍ଥିତିରେ ଏହି ସବୁକୁ ବାରଣ କରାଯାଇଛି । ବୁଧବାରଠାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।

କରୋନା ପରିସ୍ଥିତି ସୁଧୁରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ।

ଏହାସହ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି, ପୋଲିସ ବିଭାଗ ଓ ମେଡିକାଲକୁ ଛାଡିଦେଲେ ଆସନ୍ତା ୧୫ ଦିନ ପାଇଁ ଜିଲ୍ଲାର ସମସ୍ତ ଅଫିସ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ । ନିଜ ନିଜ ତହସିଲ, କିମ୍ବା ବିଡ଼ିଓଙ୍କୁ ଜରୁରୀ କାମ ଥିଲେ ଫୋନ ଯୋଗେ ଯୋଗାଯୋଗ କରି କାର୍ଯ୍ୟ କରନ୍ତୁ । ନିକଟ ଅତୀତରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା କିମ୍ବା ସରକାରୀ ଅଫିସ ବା ଅଗ୍ନିଶମ ବିଭାଗର କେସ୍‌ ହେଉ, କୋଭିଡ୍‌ ଯୋଗୁଁ ବିଗତ ଦିନରେ ସିଲ ହୋଇଛି ।

Puri-Collector

ଯଦି କାହାପାଖରେ କରୋନାର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଆଶା ଦିଦିକୁ କଣ୍ଟାକ୍ଟ କରି ଏ ବିଷୟରେ ଜଣାନ୍ତୁ । ବୁଧବାରଠୁ ସହରରେ ସୋସିଆଲ ଡିଷ୍ଟାନ୍ସ ଓ ମାସ୍କ ଉପରେ କଡ଼ାକଡ଼ି ନଜର ଦିଆଯିବ । ସମସ୍ତେ ନିଜର ଟ୍ରାଭେଲ୍‌ ହିଷ୍ଟ୍ରୀ ମେଣ୍ଟେନ କରନ୍ତୁ ଓ ଅତ୍ୟାବଶ୍ୟକ ନହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

Puri Medical

କପଡ଼ା ମାସ୍କ କି ଷ୍ଟାଇଲ ମାସ୍କ ଆପଣଙ୍କୁ କରୋନାରୁ ବଞ୍ଚାଇ ପାରିବ ନାହିଁ !

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିଶ୍ୱରେ ବଢ଼ିବାରେ ଲାଗିଛି । ଦେଶରେ ମଧ୍ୟ ଥମିବାରେ ନାଁ ଧରୁନି କରୋନା । ଭାରତରେ କରୋନା ଭାଇରସ ସଂକ୍ରମଣର ମୋଟ ମାମଲା ୭ ଲକ୍ଷ ୨୦ ହଜାରରୁ ଅଧିକ । ଦିଲ୍ଲୀରେ ଏହି ସଂଖ୍ୟା ଏକ ଲକ୍ଷ ପାଖାପାଖି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ  । ଏଥିରୁ ଦୁରେଇ ରହିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି । କିଛି ଦିନ ପୂର୍ବରୁ କରୋନା ଭାଇସର ନେଇ ଏହା ମଧ୍ୟ ଖୁଲା ହୋଇଛି କି ବାୟୁ ଦ୍ୱାରା ମଧ୍ୟ ଏହା ବ୍ୟାପିଥାଏ । ଏବେ ଆପଣ ଜାଣିବା ଉଚିତ୍ କି କେଉଁ ପ୍ରକାରର ମାସ୍କ ପିନ୍ଧିବେ ।

ଯେତେବେଳେ ବିଶ୍ୱର ୨୩୯ ବୈଜ୍ଞାନିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଲେଖିଛନ୍ତି ଯେ କରୋନା ଭୂତାଣୁ ବାୟୁ ଦ୍ୱାରା ବ୍ୟାପିପାରେ । ଯେଉଁଥିପାଇଁ ତା’ପରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଯାଏ । କିନ୍ତୁ କୌଣସି ପ୍ରକାରର ମାସ୍କ ଆପଣଙ୍କ ପାଇଁ ସୁରକ୍ଷିତ ନୁହେଁ । ଆପଣ ଜାଣିବା ଉଚିତ୍ କେଉଁ ପୋଷାକ ଏବଂ କେଉଁ ସାଇଜ୍ ମାସ୍କ ଆପଣଙ୍କୁ କୋଭିଡ ୧୯ ରୁ ରକ୍ଷା କରିବାରେ ପ୍ରଭାବଶାଳୀ ହେବ ।

ଯେହେତୁ ସମସ୍ତଙ୍କର N-95 ମାସ୍କ ବ୍ୟବହାର କରିବାର ସୁବିଧା ନାହିଁ । ଏପରି ପରିସ୍ଥିତିରେ, ସୁରକ୍ଷା ପାଇଁ କେଉଁ ପ୍ରକାରର ମାସ୍କ ଭଲ ତାହା ଆପଣ ବୁଝିବା ଜରୁରୀ । ତଥାପି, ଏହାର ଅନେକ ଦିଗ ଉପରେ ଅନୁସନ୍ଧାନ କରାଯାଉଛି । ଫ୍ଲୋରିଡା ଆଟଲାଣ୍ଟିକ୍ ୟୁନିଭରସିଟି ନିକଟରେ ମାସ୍କର ପ୍ରଭାବ ଉପରେ ଏକ ଅନୁସନ୍ଧାନ କରିଥିଲା । ​​ଏବଂ ଏହା ଜାଣିବାକୁ ପାଇଲା କେଉଁ ପ୍ରକାରର ମାସ୍କ ଆପଣଙ୍କୁ କାଶ ବା ଛିଙ୍କରୁ ରକ୍ଷା କରିପାରବ ।

ଏହି ଗବେଷଣାରେ ଯାହା ମିଳିଲା ତାହା ଫିଜିକ୍ସ ଅଫ୍ ଫ୍ଲୁଇଡ୍ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା  । ଏହା ଅନୁଯାୟୀ, ଘରେ ତିଆରି ହୋଇଥିବା ଏକ ମାସ୍କ ଆଗରୁ ଆସୁଥିବା ତରଳ ବୁନ୍ଦା ରୋକିବାରେ ପ୍ରଭାବଶାଳୀ । କିନ୍ତୁ ଏହା ଉପରୁ ପ୍ରଭାବଶାଳୀ ଦେଖାଯାଏ ନାହିଁ, ଯାହା ନାକରୁ ପାଟି ପର୍ଯ୍ୟନ୍ତ ଫାଙ୍କା ହୋଇଥାଏ ।

* ଯେଉଁ ମାସ୍କରେ କପଡ଼ାର ଏକାଧିକ ଫୋଲ୍ଡ ଅଛି, ଏକ କୋଣ ଆକୃତି ଏବଂ ମୁହଁରେ ଭଲ ଫିଟ୍, ସହି ମାସ୍କ ସକ୍ରିୟା ବୁନ୍ଦା ରୋକିବାରେ ପ୍ରଭାବଶାଳୀ ।

* ରୁମାଲକୁ ଫୋଲ୍ଡିଂ ଭଳି ବାନ୍ଧିବା ଷ୍ଟାଇଲରେ ଯେଉଁ ମାସ୍କ ସବୁ ତିଆରି କରାଯାଇଥିଲା ସେହି ମାସ୍କ ଗୁଡ଼ିକ ତରଳ ବୁନ୍ଦା ରୋକିବାରେ କମ୍ ପ୍ରଭାବଶାଳୀ ଦେଖାଯାଉଥିଲା ।

* ଘରେ ତିଆରି କୋନ ଆକୃତିର ମାସ୍କ ରେ କପଡ଼ାର ଗୁଣ ଅନୁଯାୟୀ କିଛି ଲିକେଜ୍ ଦେଖା ଯାଇଥିଲା ।

ଅନୁସନ୍ଧାନକାରୀମାନେ ଏକ ମାସ୍କ ପିନ୍ଧିବାର ପ୍ରଭାବ ଖୋଜିବା ପାଇଁ ଏକ ପରୀକ୍ଷା କରିଥିଲେ । ଯେଉଁଥିରେ ଜଣାପଡ଼ିଥିଲା କାଶିବା କି ଛିଙ୍କିବା ପରେ ଏହାର ତରଳ ବୁନ୍ଦା ମୁକ୍ତ ହୋଇଥାଏ । କୁହୁଡ଼ି / ଧୂଆଁ ଆକାରର ଏହି ବୁନ୍ଦା ଗୁଡିକ ତରଳିବା ଏବଂ ବାୟୁରେ ପ୍ରବାହିତ ହେଉଥିବା ଦେଖାଗଲା । ତା’ପରେ କେଉଁ ମାସ୍କ ଏହି ବୁନ୍ଦା ଗୁଡିକୁ ରୋକିପାରେ ତାହା ମଧ୍ୟ ଦେଖାଗଲା ।

ଏହି ପରୀକ୍ଷଣରେ, ଏହା ଦେଖାଗଲା ଯେ ରୁମାଲ ଏବଂ ବାନ୍ଧିବା ଶୈଳୀ ଏହା ରୋକିବାରେ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇନାହିଁ ଏବଂ ବୁନ୍ଦା ଏହିପରି କଭରକୁ ସହଜରେ ଭେଦ କରିପାରେ । ଏକାଧିକ ଫୋଲ୍ଡ ସହିତ ମୋଟା କିମ୍ବା କୋନ ଆକୃତିର ମାସ୍କଗୁଡିକ ବୁନ୍ଦା ରୋକିବାରେ ଅଧିକ ପ୍ରଭାବଶାଳୀ ଦେଖାଯାଉଥିଲା ।