spot_img
Home Blog Page 6753

ରାଜସ୍ଥାନ ପଲିଟିକାଲ୍ ଡ୍ରାମା : ପୁଣି ମନ୍ତ୍ରୀ ପରିଷଦ ବୈଠକ, ବିଧାନସଭା ଅଧିବେଶନ ପାଇଁ କସରତ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭା ଅଧିବେଶନ ବସାଇବା ଜିଦ୍ଦିରେ ଅଟଳ ରହିଛନ୍ତି । କରୋନା ମହାମାରୀ ସମୟରେ ମଧ୍ୟ ସଚିନ ପାଇଲଟଙ୍କୁ ରାଜନୀତିକ ସ୍ତରରେ ମାତ୍ ଦେବା ସହ ନିଜ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ସେ ପାରୁ ପର୍ଯ୍ୟନ୍ତ ପ୍ରୟାସ କରୁଛନ୍ତି । ଏହି ବାବଦୀୟ ଆଲୋଚନା ପାଇଁ ଗତ ୧୨ ଘଣ୍ଟା ମଧ୍ୟରେ ସେ ୨ୟ ଥର ପାଇଁ କ୍ୟାବିନେଟ୍ ବୈଠକର ଡାକରା ଦେଇ ସାରିଛନ୍ତି । ପୂର୍ବରୁ ରାଜ୍ୟପାଳ  କଲରାଜ ମିଶ୍ର କରୋନା ବେଳେ ବିଧାନସଭା ଅଧିବେଶନକୁ ନେଇ ପ୍ରଶ୍ନ ଉଠାଇଥିବା ହେତୁ ବାଧ୍ୟ ହୋଇ ରାଜସ୍ଥାନ ସରକାର ପୁଣି ଥରେ କ୍ୟାବିନେଟ ବୈଠକ ବସାଇ ଏନେଇ ଆଲୋଚନା କରୁଥିବା ଜଣାପଡିଛି ।   ତେବେ ବୈଠକରେ କ୍ୟାବିନେଟ ସାନି ଏକ ପ୍ରସ୍ତାବକୁ ମଞ୍ଜୁର କରି ରାଜ୍ୟପାଳଙ୍କ ପାଖକୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ଗୁରୁବାର ଦିନ ରାତ୍ରିରେ ଅଶୋକ ଗେହଲଟଙ୍କ ବାସଭବନରେ କ୍ୟାବିନେଟ୍ ବୈଠକ ବସିଥିଲା  । ରାତ୍ରି ୯ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଆଲୋଚନା ଶେଷ ନହୋଇ ପାରିବାରୁ ଗେହଲଟ୍ ବାଧ୍ୟ ହୋଇ ଆଜି ୪ଟା ବେଳେ ପୁଣି ଥରେ କ୍ୟାବିନେଟ ବୈଠକ ବସାଉଛନ୍ତି । ସୂଚନା ଅନୁଯାୟୀ, ବୈଠକରେ ପ୍ରସ୍ତୁତ ହୋଇଥିବା ସଂଶୋଧିତ ପ୍ରସ୍ତାବ ରାଜ୍ୟପାଳଙ୍କ ପାଖକୁ ପଠାଇ ପୁଣି ଥରେ ବିଧାନସଭା ଅଧିବେଶନ ପାଇଁ ଅନୁମତି ମଗାଯିବ । ତେବେ ଆଶୋକ ଗେହଲଟ ନିଜ ସଂଖ୍ୟା ଗରିଷ୍ଠତା ଦର୍ଶାଇବା ପାଇଁ ବିଧାନସଭା ଅଧିବେଶନ ପାଇଁ ଅଡି ବସିଛନ୍ତି । ତେବେ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, କଂଗ୍ରେସ ବିଧାନସଭା ଅଧିବେଶନରେ ହ୍ୟୁପି ଜାରି କରିପାରେ । ଏଭଳି ହେବା ଦ୍ୱାରା ଦଳ ବିରୁଦ୍ଧରେ ଭୋଟ ଦେବା କିମ୍ୱା ଭୋଟ ପାଇଁ ଅନୁପସ୍ଥିତ ରହିବା ନେତାଙ୍କ ବିରୋଧରେ ରାଜ୍ୟ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ହେବା ସହଜ ହେବ ।

ବିଦାୟୀ ତହସିଲଦାରଙ୍କୁ ଥାନାରେ ଦୀର୍ଘ ସମୟ ଧରି ଜେରା, ମାଲିକ ଓ ମ୍ୟାଡାମଙ୍କ ଭାଇରାଲ ଅଡିଓ ଯାଞ୍ଚ ପାଇଁ ଗଲା କୋଲକାତା

ମୟୂରଭଞ୍ଜ: ବେତନଟୀରେ ତହସିଲଦାର-ଖଣିମାଫିଆ ଲିଙ୍କ ଘଟଣାରେ ବଢ଼ିଲା ବିଦାୟୀ ତହସିଲଦାରଙ୍କ ଅଡ଼ୁଆ । ବେତନଟୀ ଓ ବୈଶିଙ୍ଗା ଥାନାରେ ଦୀର୍ଘ ସମୟ ପଚରାଉଚୁରା କରାଯାଇଛି । ତହସିଲଦାରଙ୍କ ମଧ୍ୟସ୍ଥି ଅଭିଜିତଙ୍କ ଘର ଯାଞ୍ଚ କଲା ପୁଲିସ। ଭାଇରାଲ ଅଡିଓ ଯାଞ୍ଚ ପାଇଁ କୋଲକାତା ପଠାଯାଇଛି । ଘଟଣାରେ ତଦନ୍ତ କରୁଥିବା ଅଧିକାରୀଙ୍କ ବଦଳି ହୋଇଛି ।

ତଦନ୍ତ ଅଧିକାରୀ ଏଆଇ ଅନନ୍ତ ଚରଣ ନାୟକ ଘଟଣାର ତଦନ୍ତ ଭାର ସମ୍ଭାଳିଥିବା ବେଳେ ଏବେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କୁ ତଦନ୍ତର ଭାର ଦେଇଛନ୍ତି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ। ଦଲାଲକୁ ମାଧ୍ୟମ କରି ତହସିଲଦାର ଟ୍ରକ୍ ମାଲିକଙ୍କୁ ଲାଞ୍ଚ ମାଗିଥିଲେ । ଯାହାର ଏକ ଅଡିଓ ଟେପ୍ ଭାଇରାଲ ହୋଇଥିଲା ।

ଏହାକୁ ମିଛ ବୋଲି ଦର୍ଶାଇ ତହସିଲଦାର ଥାନାରେ ଏତଲା ଦେଇଥିବା ବେଳେ ହାଇଓ୍ୱା ମାଲିକ ମଧ୍ୟ ତହସିଲଦାରଙ୍କ ବିରୋଧରେ ଏତଲା ଦେଇଥିଲେ । ତେବେ ଘଟଣାର ତଦନ୍ତ ଚାଲିଥିବା ବେଳେ ସତ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ କହିଛି ।

ସହକର୍ମୀ ଓ ସାମ୍ବାଦିକଙ୍କ ସହଯୋଗରେ ପୁଅ ଉଠାଇଲେ ଶବ

ଗଞ୍ଜାମ: ଶେଷରେ ଉଠିଲା ମୃତଦେହ । ଦୁଇ ଜଣ ସାମ୍ବାଦିକ, ଜଣେ ପୋଲିସ କର୍ମଚାରୀଙ୍କ ସହାୟତାରେ ପୁଅ ଉଠାଇଲେ ଏଏସ୍‌ଆଇ ବାପାଙ୍କ ମୃତଦେହ । କୋଦଳା ତହସିଲଦାର, ବିଡିଓ ଓ ପୁରୁଷୋତ୍ତମପୁର ଏସଡିପିଓଙ୍କ ଉପସ୍ଥିତିରେ ଉଠିଲା ଶବ । ଏସ୍‌ପି ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦିଆଯାଇ ଶେଷକୃତ୍ୟୁ ସମ୍ପନ୍ନ କରାଯିବ ।

କାର୍ଯ୍ୟରତ ଏଏସ୍‌ଆଇଙ୍କ ମୃତ୍ୟୁ ପରେ କେହି କାନ୍ଧ ନଦେବାରୁ ଦୀର୍ଘ ସମୟ ଧରି ମେଡିକାଲ ବାହାରେ ପଡିରହିଥିଲା ମୃତଦେହ । କରୋନା ସନ୍ଦେହରେ ଏପରିକି ପରିବାର ଲୋକ ଶବକୁ ଛୁଇଁନଥିବା ବେଳେ ସଂପର୍କୀୟ ବି ଆସିନଥିଲେ  । ଫଳରେ କୋଦଳା ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଶବ ପଡିରହିଥିଲା । ମୃତ ଏଏସଆଇ ଗଞ୍ଜାମ ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ।

ଭୂତାଣୁ ଭୟ : ପଡ଼ି ରହିଛି କରୋନା ଯୋଦ୍ଧାଙ୍କ ଶବ ପାଖକୁ ଆସୁ ନାହାଁନ୍ତି ସ୍ତ୍ରୀ ପିଲା

ଆପଣଙ୍କୁ କହି ରଖୁଛୁ ଯେ, ଗତ ୪ ଦିନ ରବୀନ୍ଦ୍ରନାଥଙ୍କୁ କାଶ ଓ ଥଣ୍ଡାରେ ପୀଡିତ ଥିଲେ । ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ କରୋନା ସନ୍ଦେହରେ ତାଙ୍କ ଶବକୁ କେହି ବି ଛୁଇଁନଥିଲେ । ତେଣୁ ସଙ୍ଗେ ସଙ୍ଗେ ଶବ ସଂସ୍କାର କରାଯାଇ ପାରିନଥିଲା । ଏପରିକି ତାଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଶବକୁ ଛୁଉଁନଥିଲେ । ବହୁସମୟ ଧରି ଶବ ପଡ଼ି ରହିଥିଲା । ଏହାପରେ ସହକର୍ମୀ ଓ ସାମ୍ବାଦିକଙ୍କ ସହଯୋଗରେ ପୁଅ ପିପିଇ କିଟ୍ ପିନ୍ଧି ଶବ ଉଠାଇଛନ୍ତି ।

ଅପେକ୍ଷାର ଅନ୍ତ, ୩୧ ସୁଦ୍ଧା ମାଟ୍ରିକ୍‌ ଫଳାଫଳ

ଭୁବନେଶ୍ୱର: ଆଗାମୀ ୩୧ ତାରିଖ ସୁଦ୍ଧା ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ । ଏନେଇ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶନର ତାରିଖ ପ୍ରକାଶ ପାଇବ । ହେଲେ ୩୧ ତାରିଖ ସୁଦ୍ଧା ମାଟ୍ରିକ୍‌ ଫଳାଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ବୋର୍ଡ ଓ୍ୱେବ୍‌ସାଇଟ୍‌ରେ ସମସ୍ତଙ୍କ ମାଟ୍ରିକ୍‌ ଫଳାଫଳ ପ୍ରକାଶ କରାଯିବ । ଛାତ୍ରଛାତ୍ରୀ ଘରେ ବସି ଓ୍ୱେବ୍‌ସାଇଟ୍‌ ମାଧ୍ୟମରେ ନିଜ ରେଜଲ୍ଟ ଦେଖିପାରିବେ ବୋଲି କହିଛନ୍ତି ବୋର୍ଡ ସଭାପତି । ଅନ୍ୟପଟେ ରେଜଲ୍ଟ ପ୍ରକାଶ ପାଇବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୁଇ ଦିନ ମଧ୍ୟରେ ରେଜଲ୍ଟ ଡେ’ର ତାରିଖ ପ୍ରକାଶ କରାଯିବ ।

ତେବେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ମଧ୍ୟରେ ଗୋଟିଏ ପରେ ଗୋଟିଏ ରେଜଲ୍ଟ ପ୍ରକାଶ ପାଉଛି । ଏହା ପୂର୍ବରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇସାରିଛି । ଆଉ ସବୁ କ୍ଷେତ୍ରରେ ଛାତ୍ରୀମାନେ ଆଗରେ ରହିଛନ୍ତି । ସେହିଭଳି ମାଟ୍ରିକ୍‌ ପରୀକ୍ଷାରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।

ବିନା ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ୨୫.୭.୨୦୨୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ଏକଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କରିଛନ୍ତି ।

ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ ଗୋଟି ପୁସ୍ତକ ଏବଂ ଗୋଟିଏ ତ୍ରୈମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପିତ ହୋଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ୬୩ତମ ସ୍ୱନକ୍ଷେତ୍ର ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର, ଅତିବଡ଼ୀ ପୁରସ୍କାର ପ୍ରାପ୍ତ ଲେଖକ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ କବି ରମାକାନ୍ତ ରଥ, ଏକାଡେମୀର ପୂର୍ବତନ ସଭାପତି ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବିଶିଷ୍ଟ କବି ହୁସେନ୍ ରବିଗାନ୍ଧୀ, ଏକାଡେମୀର ପୂର୍ବତନ ଉପସଭାପତି ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ଉଦ୍‌ଗାତା, ପୂର୍ବତନ ଉପସଭାପତି ତଥା ସଚିବ ବିଶିଷ୍ଟ କଥାକାର ଚନ୍ଦ୍ରଶେଖର ଦାସବର୍ମା, ପୂର୍ବତନ ସଚିବ ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ର, ପୂର୍ବତନ ସଚିବ ତଥା ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ପୂର୍ବତନ ସଚିବ ତଥା ବିଶିଷ୍ଟ କଥାକାର ଜୟନ୍ତୀ ରଥ ଏବଂ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ କୈଳାସଚନ୍ଦ୍ର ଟିକାୟତରାୟ, ବିଶିଷ୍ଟ ସାହିତ୍ୟିକ ତଥା କବି ପ୍ରତିଭା ଶତପଥୀ, ବିଶିଷ୍ଟ କଥାକାର ଗୌରହରି ଦାସ ଓ ବିଶିଷ୍ଟ କଥାକାର ସୁସ୍ମିତା ବାଗଚୀ ପ୍ରମୁଖ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି କରୋନା ମହାମାରୀ ଜନିତ ସଂକ୍ରମଣ ପାଇଁ ଉତ୍ସବ ଭିତ୍ତିକ କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ପ୍ରସାରଣ ପାଇଁ ଏକାଡେମୀ ନିଷ୍ପତ୍ତି ନେଇଥିଲା ।

ସର୍ଟ ଡ୍ରେସ ପିନ୍ଧି ମନ୍ଦିରକୁ ଗଲେ ଅମିଷା, ହେଲେ ଟ୍ରୋଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ତାଙ୍କ ବୋଲ୍ଡ ଅନ୍ଦାଜ ଯୋଗୁଁ ଅନେକ ସମୟରେ ଖବରରେ ଥାଆନ୍ତି । ସେ ଇଷ୍ଟାଗ୍ରାମରେ ଖୁବ ଆକ୍ଟିଭ ଥିବା ଦେଖିବାକୁ ମିଳେ । ନିକଟରେ ଅମିଷାଙ୍କୁ ଏକ ଶିବ ମନ୍ଦିର ବାହାରେ ଦେଖିବାକୁ ମିଳିଥିଲା । ଯେଉଁଠାରୁ ତାଙ୍କର କିଛି ଫଟୋ ଏବଂ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓ ଦେଖିବା ପରେ ଅମିଷାଙ୍କୁ ଟ୍ରୋଲ କରୁଛନ୍ତି । ଲୋକମାନେ କହିଛନ୍ତି ଯେ ଅମିଷା ଏପରି ପୋଷାକ ପିନ୍ଧି ମନ୍ଦିରକୁ ଯିବା ଉଚିତ୍ ନୁହେଁ ।

https://www.instagram.com/p/CC6Hbf3gCL3/?utm_source=ig_embed&utm_campaign=embed_video_watch_again

ସୂଚନା ପାଇଁ ଜଣାଇ ରଖୁଛୁ ଯେ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି ଏବଂ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଅମିଷା ମନ୍ଦିର ବାହାରେ ନଜର ଆସିଥିଲେ । ସେ ମନ୍ଦିର ବାହାରେ ଭଗବାନଙ୍କୁ ଦର୍ଶନ କରି ଚାଲିଯାଇଥିଲେ ।  ଦେଶରେ COVID-19 ଲକଡାଉନ ଯୋଗୁଁ ସମସ୍ତ ମନ୍ଦିର ବନ୍ଦ ରହିଛି ।

ଜଣାଇ ରଖୁଛି ଯେ, ପୂର୍ବରୁ ଅମିଷା ତାଙ୍କର କିଛି ଫଟୋ ସେୟାର କରି ସୋସିାଲ ମିଡିଆରେ ଧମାଲ ମଚାଉଥିଲେ । ଏହି ଫଟୋ ଗୁଡ଼ିକରେ, ୪୪ ବର୍ଷିୟ ଅମିଷା ରଙ୍ଗୀନ ବିକିନି ଏବଂ ଡେନିମ୍ ସର୍ଟସରେ ନଜର ଆସିଛନ୍ତି । ଏହି ଚିତ୍ରଗୁଡ଼ିକରେ, ଅମିଷା ହଟନେସର ସବୁ ସୀମା ପାର କରିଥିଲେ । ଅମିଷା ବାଲକୋନୀରେ ଠିଆ ହୋଇ ପୋଜ ଦେୁଥିବାର ଦେଖିବାକୁ ମିଳିଥିଲା।

ଉଲ୍ଲେଖନୀୟ କଥା ହେଉଛି, ଆମିଷା ପଟେଲ ‘କାହୋ ନା ପ୍ୟାର ହୈ’ ରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ | ଏହି ଚଳଚ୍ଚିତ୍ର ଦ୍ୱାରା ଅମିଷା ରାତାରାତି ପ୍ରସିଦ୍ଧ ହୋଇଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବଡ଼ ହିଟ୍ ଦେଇଥିଲା ଏବଂ ଦର୍ଶକ ଅମିଷା ପଟେଲଙ୍କ ଫ୍ୟାନ ହୋଇଯାଇଥିଲେ । ଏହି ଚଳଚ୍ଚିତ୍ର ପରଠାରୁ ଆମିଷା ପଟେଲ ନିଜ ପାଇଁ ଏକ ଅଦ୍ଭୁତ ପରିଚୟ ସୃଷ୍ଟି କରିଛନ୍ତି ।

୪୦୦ ବର୍ଷ ପୁରୁଣା ଗଛ ବଞ୍ଚାଇବାକୁ ନିତିନ ଗଡକରୀ ବଦଳାଇଲେ ହାଇୱେର ନକସା

ମହାରାଷ୍ଟ୍ର: ସାଙ୍ଗଲୀ ଜିଲ୍ଲାର ଭୋସେ  ଗାଁର ୪୦୦ ବର୍ଷ ପୁରୁଣା ବରଗଛ ଏବେ ସୋଲିଆଲ ମିଡ଼ିଆରେ  ଚର୍ଚ୍ଚାରେ ରହିଛି । ନିର୍ମାଣଧିନ ହାଇୱେର ସର୍ଭିସ୍ ରୋଡ଼ ଏହି ବରଗଛ ପାଖ ଦେଇ ଯିବାର ଥିଲା । ତେଣୁ ଏହି ଗଛଟିକୁ  କାଟି ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରିବେଶବିତ୍ ଏହାର ବିରୋଧ କରିଥିଲେ ।

ବିରୋଧ ବଢିବାରୁ ଯେତେବେଳେ ଗଛ ବିଷୟରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଅବଗତ କରାଗଲା ସେତେବଳେ ସେ  କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ସହ କଥାବାର୍ତ୍ତା କରି ଏହି ଗଛଟିକୁ ନକାଟିବାକୁ ଅନୁରୋଧ କରିଥିଲେ । ଆଦିତ୍ୟ ଠାକରେଙ୍କ ସହ କଥା ହେବା ପରେ ହିଁ ନିତିନ ଗଡ଼କରୀ ଏହି ଗଛଟିକୁ ବଞ୍ଚାଇବା ପାଇଁ ହାଇୱେର ନକସାରେ ପରିବର୍ତ୍ତନ କରି ଏହି ପ୍ରୋଜେକ୍ଟ ପୂରା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗଡକରୀଙ୍କୁ ଏହି ପୁରୁଣା ବରଗଛକୁ ବଞ୍ଚାଇବାକୁ ଅନୁରୋଧ କରାଯାଇଥିଲା

ରତ୍ନାଗିରି, ନାଗପୁର ହାଇୱେ ୧୬୬ ନମ୍ବର ସାଙ୍ଗଲୀ ଜିଲ୍ଲାର ଭୋସେ ଗାଁ ପାଖ ଦେଇ ଏହି ସର୍ଭିସ ରୋଡ୍ ଯିବାର ଥିଲା ।  ସାଙ୍ଗଲୀ ପରିବେଶବିତ୍ ଗଛ କାଟିବାକୁ ବିରୋଧ କରଥିଲେ । ଏହି ବିରୋଧ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମୁଖ୍ୟସ୍ରୋତ ଗଣମାଧ୍ୟମ ଏହାକୁ ଖବର କରିଥିଲା, ଶେଷରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ । ସେ କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସହ କଥା ହୋଇ ଏହି ଗଛଟିକୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ ।ନିତିନ ଗଡକରୀ ତାଙ୍କ ବିଭାଗର ଅଧିକାରୀଙ୍କ ସହ କଥା ହୋଇ ଏହି ୪୦୦ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବାକୁ କହିଥିଲେ ଏବଂ ଶେଷରେ ଏହି ଗଛଟିକୁ ବଞ୍ଚାଇ ଦିଆଯାଇଥିଲା ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତରେ ବ୍ରେକ୍ ଲଗାଇଲା କରୋନା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ତଦନ୍ତରେ ଲାଗିଲା ବ୍ରେକ୍ । ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଉପରୁ ପରଦା ଉଠିବା କାଠିକର ପାଠ ହେଲାଣି । କିନ୍ତୁ ଘଟଣାକୁ ନେଇ ସବିଶେଷ ତଥ୍ୟ ବାହାରି ପାରୁନାହିଁ । ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ କରୋନା ତଦନ୍ତରେ ବାଧା ସୃଷ୍ଟି କରିଛି ।

ଭୁବନେଶ୍ଵର ରେଳବାଇ ଥାନାରୁ ଜଣେ ସବ୍ ଇନ୍ସପେକ୍ଟର କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତ ଥାନା କର୍ମଚାରୀଙ୍କୁ ହୋମ କ୍ଵାରେନଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ ଏସପି  । ସବ୍ ଇନ୍ସପେକ୍ଟର ଜଣକ କିଛି ଦିନ ତଳେ କଟକରୁ ବଦଳି ହୋଇ ଭୁବନେଶ୍ଵର ଆସିଥିଲେ । ୪ରୁ ୫ ଦିନ ପୂର୍ବରୁ ତାଙ୍କୁ ଜ୍ଵର ହୋଇଥିଲା  । ସେ ମେଡିସିନ ଖାଇ ଥାନାକୁ ଡ୍ୟୁଟିକୁ ଆସୁଥିଲେ । ଗତକାଲି  ତାଙ୍କର ପଜିଟିଭ ବାହାରିବା ପରେ ଥାନାରେ ଆତଙ୍କ ଦେଖାଦେଇଛି ।

ସବୁ  କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି । ଫଳରେ ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି  । ତଦନ୍ତ ପାଇଁ ରେଳବାଇ ପୋଲିସ ଆଉ କିଛି ସାକ୍ଷୀଙ୍କୁ ଜେରା କରିଥାନ୍ତା । ଅନ୍ୟପଟେ ତଦନ୍ତକାରୀ ଅଫିସର ଘରେ ରହି କାଗଜପତ୍ର କାମ କରୁଥିବା ଜଣାପଡିଛି ।

( ଭୁବନେଶ୍ୱରରୁ ଅରୁଣ ସାହୁ )

ଦେଶୀ ଭ୍ୟାକସିନର ମାନବ ପରୀକ୍ଷଣ ଜାରି: କେଉଁଠି ହେଉଛି ପରୀକ୍ଷଣ ଓ କଣ ରହିଛି ସାଇଡ ଇଫେକ୍ଟ, ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ: କରୋନାଭାଇରସର ଭାରତୀୟ ଟିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଚାଲିଛି । ଇଣ୍ଡିଆ ବାୟୋଟେକ୍ ଏବଂ ଜାଇଡସ୍ କ୍ୟାଡିଲାର ଟିକାର ବର୍ତ୍ତମାନ ବିଭିନ୍ନ ରାଜ୍ୟର ୬ ଟି ସହରରେ ମାନବ ପରୀକ୍ଷା ଉପରେ ପରୀକ୍ଷଣ ଚାଲିଛି। ଅକ୍ସଫୋର୍ଡ ୟୁନିଭରସିଟିର ଟିକା ଭଲ୍ୟୁଣ୍ଟରଙ୍କ ଉପରେ ଶୀଘ୍ର ପରୀକ୍ଷା  ଆରମ୍ଭ ହୋଇପାରେ। ତେବେ ଜାଣନ୍ତୁ ଘରୋଇ ଟିକା ତିଆରି କରିବାର କାର୍ଯ୍ୟ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚିଛି । କେଉଁ ସହରଗୁଡିକରେ ମାନବ ପରୀକ୍ଷଣ ଚାଲିଛି ଏବଂ ଏହାର ଫଳାଫଳ କଣ ରହିଛି ।

ଭାରତ ବାୟେଟେକ, ଜାଇଡିସର ଭ୍ୟାକସିନର ଚାଲିଛି ହ୍ୟୁମାନ ଟ୍ରାୟଲ

ଭାରତ ବାୟୋଟେକ ଏବଂ ଜାଇଡସ ଦୁହିଁଙ୍କୁ କ୍ଲିନିକାଲ ଟ୍ରାୟଲର ଫେଜ୍-୧ ଏବଂ ଫେଜ୍-୨ର ମଞ୍ଜୁରୀ ମିଳିସାରିଛି । ଦୁହେଁ ଜୁଲାଇ ୧୫ରେ ଭଲ୍ୟୁଣ୍ଟିୟର୍ସଙ୍କୁ ନିଜ ନିଜ ଭ୍ୟାକସିନ କ୍ୟାଣ୍ଡିଡେଟର ପ୍ରଥମ ଡୋଜ ଦେଇଥିଲେ । ସମ୍ଭାବିତ ଭ୍ୟାକସିନକୁ କ୍ୟାଣ୍ଡିଡେଟ କୁହାଯାଉଛି । ଯେଉଁ ଭ୍ୟାକସିନ କ୍ୟାଣ୍ଡିଡେଟ ସବୁ ପ୍ରକାର ଟ୍ରାୟଲକୁ ପାସ କରିବ ଏବଂ ସବୁ ଔପଚାରିକତା ପରେ ତାକୁ ଫାଇନାଲ ମଞ୍ଜୁରୀ ମିଳିଲେ ହିଁ ତାକୁ ଭ୍ୟାକସିନ ବୋଲି କୁହାଯାଇପାରିବ ।

ଦିଲ୍ଲୀ AIIMS ରୁ ଟିକା ବିଷୟରେ ଏକ ଖୁସି ଖବର

ଦେଶର ଲାଟେଷ୍ଟ ସବଜେକ୍ଟ (ଯାହାକୁ ପରୀକ୍ଷା ପାଇଁ ଟିକା ଦିଆଯାଏ) ହେଉଛନ୍ତି ଦିଲ୍ଲୀର ଜଣେ ୩୦ ବର୍ଷ ବୟସ୍କ ଯୁବକ ଯିଏକି ଶୁକ୍ରବାର ଦିନ AIIMS ରେ ଇଣ୍ଡିଆ ବାୟୋଟେକ୍ ର କୋଭାକ୍ସାଇନ୍ ଟିକା ଇଞ୍ଜେକ୍ସନ ନେଇଥିଲେ। ଦିଲ୍ଲୀର ଏହି ଯୁବକ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କୁ ପରୀକ୍ଷା ପାଇଁ ୦.୫ ମିଲି ଲିଟର ଟିକା ଇଞ୍ଜେକ୍ସନ ଦିଆଯାଇଥିଲା । ଦିଲ୍ଲୀ AIIMS ର ଭ୍ୟାକ୍ସିନ୍ ଟ୍ରାଏଲ୍ ପ୍ରୋଜେକ୍ଟର ମୁଖ୍ୟ ଅନୁସନ୍ଧାନକାରୀ ଡ. ସଞ୍ଜୟ ରାୟ କହିଛନ୍ତି ଯେ, ‘ଆମେ ତାଙ୍କୁ (30 ବର୍ଷର ସବଜେକ୍ଟ) ୨ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖିଲୁ । ତତକ୍ଷଣାତ୍ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲାନାହିଁ । ‘ ସେ କହିଛନ୍ତି ଯେ ବର୍ତ୍ତମାନ ସମ୍ପୃକ୍ତ ସ୍ୱେଚ୍ଛାସେବୀଙ୍କୁ ଘରକୁ ପଠାଯାଇଛି । ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟପରିକ୍ଷା ପୁଣିଥରେ କରାଯିବ ଓ  ଆବଶ୍ୟକ ଡାକ୍ତରୀ ଯାଞ୍ଚ କରାଯିବ ।

ଅକ୍ସଫୋର୍ଡ ୟୁନିଭରସିଟିର ଟିକା ପରୀକ୍ଷା ଅନୁମୋଦନକୁ ଅପେକ୍ଷା

ବିବି ଏବଂ ଜାଇଡସ୍ ବ୍ୟତୀତ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ତୃତୀୟ ଟିକା କ୍ୟାଣ୍ଡିଡେଟ୍  ପ୍ରସ୍ତୁତ କରିଛି ଯାହାର ପରୀକ୍ଷା ଖୁବ ଶୀଘ୍ର ଭାରତରେ ହେବ । ଏହି ଟିକା ପ୍ରସ୍ତୁତ କରିବା ପାଇଁ ବ୍ରିଟେନର ଆଷ୍ଟ୍ରା ଜାନେକା ସହ ସହଭାଗୀ ହୋଇଥିବା ସିରମ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ଭାରତରେ ଆବଶ୍ୟକ ଅନୁମୋଦନ ପାଇବା ମାତ୍ରେ ମାନବ ପରୀକ୍ଷା ଆରମ୍ଭ ହେବ ।

୧୨ ସହରର ୧୨ଟି ଡାକ୍ତରଖାନାରେ ଭାରତ ବାୟୋଟେକ୍ କୋଭାକ୍ସିନ୍ ପରୀକ୍ଷା

ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ର ସହଯୋଗରେ ଭାରତ ବାୟୋଟେକ୍ ର ଟିକା କୋଭାକ୍ସିନ୍ ପ୍ରସ୍ତୁତ କରାଯାଉଛି। କୋଭାକ୍ସିନ୍ AIIMS, ଦିଲ୍ଲୀର PGI ରୋହତକ ଏବଂ ପାଟନା ସମେତ ୧୨ଟି ସହରର ୧୨ଟି ଡାକ୍ତରଖାନାରେ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ୫୦୦ ସ୍ୱେଚ୍ଛାସେବୀ ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ୧୮ ରୁ ୫୫ ବର୍ଷ ବୟସ ମଧ୍ୟରେ ରହିବେ ଏବଂ ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବେ, ଯେଉଁମାନଙ୍କର ପୂର୍ବରୁ କୌଣସି ଗୁରୁତର ରୋଗ ନଥିବ । ଜାଇଡସ୍ ଟିକା କ୍ୟାଣ୍ଡିଡେଟ୍ ଜାଇକୋଭିଡ୍ (ZyCoV-D) ବର୍ତ୍ତମାନ ଅହମ୍ମଦାବାଦର ରିସର୍ଚ୍ଚ ସେଣ୍ଟରରେ ସୀମିତ ଅଛି, ଯାହା ବିଭିନ୍ନ ସହରକୁ ସ୍ଥାନାନ୍ତରିତ ହେବ ।

ଏହି ସହରଗୁଡିକରେ ଚାଲିଛି ମାନବ ପରୀକ୍ଷଣ

ହାଇଦ୍ରାବାଦ, ପାଟନା, କାଞ୍ଚିପୁରମ, ରୋହତକ ଏବଂ ନୂଆଦିଲ୍ଲୀରେ କୋଭାକ୍ସିନର ମାନବ ପରୀକ୍ଷା ଆରମ୍ଭ ହୋଇସାରିଛି। ଏହା ଖୁବ ଶୀଘ୍ର ନାଗପୁର, ଭୁବନେଶ୍ୱର, ବେଲଗାମ୍, ଗୋରଖପୁର, କାନପୁର, ଗୋଆ ଏବଂ ବିଶାଖାପାଟନମରେ ଲଞ୍ଚ ହେବ। PGI ରୋହତକ ୨୦ଜଣ ସ୍ୱେଚ୍ଛାସେବୀ ପ୍ରସ୍ତୁତ କରିଛନ୍ତି । ଜୁଲାଇ ୧୭ରେ, ଟିକାର ପ୍ରଥମ ଡୋଜ୍ ୩ ଜଣଙ୍କୁ ଦିଆଯାଇଥିଲା ।

ମାନବ ପରୀକ୍ଷଣ ସମୟରେ ଦେଖାଦେଉଛି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା

ପାଟନା ଏଆଇଏମ୍ଏସ୍ ନିର୍ଦ୍ଦେଶକ ପି.କେ ସିଂ ସେଠାରେ ମାନବ ପରୀକ୍ଷଣକୁ ଆଗେଇ ନେଉଛନ୍ତି। ସେ କହିଛନ୍ତି, ‘ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ଉଦାହରଣ ସ୍ୱରୂପ, ଯେଉଁଠାରେ ଇଞ୍ଜେକ୍ସନ ଦିଆଯାଉଛି, ଚର୍ମ ଲାଲ ହୋଇଯାଉଛି, ସେଠାରେ ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ୱର ରହୁଛି । ଯେକୌଣସି ଟିକା ପରୀକ୍ଷଣରେ ଏହା ଦୃଶ୍ୟମାନ ହୁଏ । କିନ୍ତୁ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ବିନା ଏହା ଭଲରେ ଚାଲିଛି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି । ପାଟନା AIIMS ରେ କୋଭାକ୍ସିନର ଦ୍ୱିତୀୟ ଡୋଜ ୨୯ ଜୁଲାଇରେ ହେବ । ପରେ, ସ୍ୱେଚ୍ଛାସେବୀମାନଙ୍କ ଶରୀରରେ କେତେ ଆଣ୍ଟିବଡି ତିଆରି ହୋଇଛି, ତାହା ଡାକ୍ତର ଯାଞ୍ଚ କରିବେ  ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦ୍ୱାରା କେତେ ଟୀକା କାମ କରିବ ତାହା ସ୍ଥିର ହେବ

ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦିଆଯାଇଥିବା ଟିକା ସୁରକ୍ଷା ବିଷୟରେ ଅଧ୍ୟୟନ ଚାଲିଛି। ଏହାକୁ ଭିତ୍ତିକରି, ନିଷ୍ପତ୍ତି ନିଆଯିବ ଯେ ସଠିକ୍ ମାତ୍ରା କ’ଣ ହେବ ଯାହା ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ ।

ପୁଣି ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ ଚ୍ୟୁତ…

ରାଉରକେଲା: ପୁଣି ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ ଚ୍ୟୁତ । ରାଜଗାଙ୍ଗପୁର ଫାଟକ ନିକଟରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନତ୍ୟୁତ ହୋଇଯାଇଛି । ତେବେ ବଗିଗୁଡ଼ିକ ଲାଇନତ୍ୟୁତ ହେବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଖବରପାଇ ରେଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ତେବେ ଏହି ଘଟଣା କାହିଁକି ଘଟିଲା ସେନେଇ ରେଲୱେ ପୋଲିସ ଓ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଏହି ଘଟଣା ପାଇଁ ଯଦି କେହି ଦାୟୀ ରୁହନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Train Derailed

ରାଜ୍ୟରେ ଏଭଳି ଘଟଣା ନୂଆ ନୁୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ସାମ୍ନାକୁ ଆସିଛି । ରେଳ ବିଭାଗ ପକ୍ଷରୁ ଏନେଇ ତାଗିଦ୍‌ କରାଯିବା ପରେ ମଧ୍ୟ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ଏଭଳି ଘଟଣା ଧନ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ । ଏହାକୁ ସହଜରେ ଏଡ଼ାଇ ଦେବା ଉଚିତ୍‌ ନୁହେଁ । ରେଳ ବିଭାଗର କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି କୁହାଯାଉଛି ।

Train Derailed

ତେବେ କେବଳ ମାଲବାହୀ ଟ୍ରେନ୍‌ ନୁହେଁ, ଯାତ୍ରୀବାହି ଟ୍ରେନ୍‌ରେ ମଧ୍ୟ ଏଭଳି ଘଟିଥିବା ପୂର୍ବରୁ ନଜିର ରହିଛି । ଯାତ୍ରୀଙ୍କୁ ନେଇ ଟ୍ରେନ୍‌ ଯାଉଥିବା ବେଳେ ଅନେକ ସମୟରେ ଲାଇନ୍‌ଚ୍ୟୁତ ହୋଇଛି । ଏଥିରେ ଅନେକ ଧନ ଜୀବନ ମଧ୍ୟ ହାନୀ ହୋଇଛି । ଏଭଳି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Train Derailed