ଆରମ୍ଭ ହୋଇଛି ଜେଇଇ ମେନ୍… ରାଜ୍ୟର ୩୮ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା
ସୁଧୁରୁଛି ବନ୍ୟା ସ୍ଥିତି, କମୁଛି ହୀରାକୁଦ ଜଳସ୍ତର..
ସମ୍ବଲପୁର: ଅଧା ରାଜ୍ୟ ଏବେ ବନ୍ୟା ଜଳରେ ଉବୁଟୁବୁ । ଚାରିଆଡ଼େ ଖାଲି ପାଣି ହିଁ ପାଣି । ଅନେକ ଗାଁ ଏବେ ବି ଜଳବନ୍ଦୀରେ । ତେବେ ଏହାରି ଭିତରେ ଏବେ ମହାନଦୀ ଦୁର୍ବଳ ହେଉଥିବା ନେଇ ସୂଚନା ମିଳିଛି । କାରଣ ପୂର୍ବାପେକ୍ଷା ଏବେ ହିରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳପ୍ରବେଶର ପରିମାଣ କମ୍ ରହିଛି । ଏବେ ସୁଦ୍ଧା ୩୨ଟି ସ୍ଲୁଇସ୍ଗେଟ୍ ଦେଇ ହିରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏବେ ୬୨୬ ଫୁଟରେ ରହିଛି ଜଳସ୍ତର । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୮୦ହଜାର ୭୬୪ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୫ଲକ୍ଷ ୩୩ହଜାର ୨୩୪ କ୍ୟୁସେକ୍ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୩ ଓ ଦକ୍ଷିଣପାର୍ଶ୍ୱରୁ ୯ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୋମାବାର ୪୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା ।

ସେପଟେ କଟକ ମୁଣ୍ଡଳିରେ ମଧ୍ୟ ବନ୍ୟା ଜଳ ପ୍ରବାହ ସାମାନ୍ୟ କମିଛି । ଏବେ ମୁଣ୍ଡୁଳିରେ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେହିପରି ନରାଜଠାରେ କାଠଯୋଡି ନଦୀରେ ବନ୍ୟାଜଳ ପ୍ରବାହ ମଧ୍ୟ କମିଛି । ଏଠାରେ ଏବେ ୫ ଲକ୍ଷ ୬୭୧ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଉଭୟ ସ୍ଥାନରେ ଜଳସ୍ତର ବିପଦ ସଂକେତ ତଳେ ରହିଥିବା ଦେଖାଯାଇଛି ।
ଓଡ଼ିଶାର ୩୮ହଜାର ଛାତ୍ରଛାତ୍ରୀ ଦେବେ ଜେଇଇ ମେନ୍ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ
ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ଆଜିଠୁ ଜେଇଇ ମେନ୍ ପରୀକ୍ଷା । ୬ଦିନ ବ୍ୟାପି ଚାଲିବ ଜେଇଇ ମେନ୍ ପରୀକ୍ଷା । ତେବେ କରୋନା କଟକଣା ଭିତରେ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସାରା ଦେଶର ଛାତ୍ରଛାତ୍ରୀମାନ ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ଅଟଳ ରହି ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ଘୋଷଣା କରିଥିଲେ । ୨୬ଟି କେନ୍ଦ୍ରରେ ୩୮ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ବାଲେଶ୍ୱର ଭଳି ସହରରେ ମୋଟ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସୁପରିଚାଳନା ଓ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ଯାତାୟତ ସୁବିଧା ସହିତ ରହଣୀ ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସୁରକ୍ଷା ଦୃଷ୍ଟିରୁ ପ୍ରତିଟି କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି । ବିଭିନ୍ନ କେନ୍ଦ୍ରର ତଦାରଖ ପାଇଁ ସ୍ଥାନୀୟ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । କୌଣସୀ ପରୀକ୍ଷାର୍ଥୀଙ୍କ ଯେପରି କିଛି ଅସୁବିଧା ନହେବ ସେନଇ ବିଶେଷ ଦୃଷ୍ଟି ଦେଇଛନ୍ତି ରାଜ୍ୟସରକାର। ସେପଟେ ଆସନ୍ତା ୧୩ ତାରିଖରେ ସର୍ବଭାରତୀୟସ୍ତରରେ ହେବ NEET ପରୀକ୍ଷା । ଏଥିପାଇଁ ରାଜ୍ୟରେ ୭ଟି ସହରରେ ମୋଟ ୮୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୭ହଜାର ପରୀକ୍ଷାର୍ଥୀ । ଯାହାକୁ NTA ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବ ।
Unlock 4: ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍
ଭୁବନେଶ୍ୱର: ଅନଲକ୍ ୪ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୩୦ ଯାଏଁ ବୈଧ ରହିବ । ଏହି ସମୟରେ ପୂର୍ବଭଳି କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କଣ୍ଟେନମେଣ୍ଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଲକଡାଉନ୍ କିମ୍ବା ସଟଡାଉନ୍ ଲାଗୁ ହେବ ନାହିଁ । ତେବେ, କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯିବ ।

ରାଜ୍ୟ ମଧ୍ୟରେ ବସ୍ ଚଳାଚଳ କରିବ । ଏଥିସହ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । କୌଣସି ସ୍ଥାନରେ ସାପ୍ତାହିକ ସଟଡାଉନ୍ ମଧ୍ୟ ହେବନାହିଁ । ତେବେ ରାଜ୍ୟରେ ପୂର୍ବଭଳି ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି କ୍ରମେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ ।

ପୂର୍ବଭଳି ସିନେମା ହଲ୍, ସୁଇମିଂ ପୁଲ୍, ସିନେମା ହଲ୍, ଥିଏଟର, ଅଡିଟୋରିୟମ ବନ୍ଦ ରହିବ । ସେପ୍ଟେମ୍ବର ୨୧ରୁ ଓପନ୍ ଏୟାର ଥିଏଟର ଚାଲିବ । ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ କିମ୍ବା ଅନ୍ୟ କୌଣସି ସଭା ସମିତି ହୋଇ ପାରିବ ନାହିଁ । ପୂଜା ପାଇଁ ଅକ୍ଟୋବର ମାସ ଯାଏ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେବେ, ସେପ୍ଟେମ୍ବର ୨୧ରୁ ଅନଲାଇନ୍ ପାଠ ପଢ଼ାଇବା ପାଇଁ ୫୦ ପ୍ରତିଶତ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ।

ସମସ୍ତ ସରକାରୀ, ବେସରକାରୀ ଅଫିସରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ।
ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା, ରହଣୀ ପାଇଁ ୮ଟି ଜିଲ୍ଲାରେ ହୋଇଛି ବ୍ୟବସ୍ଥା………
ଭୁବନେଶ୍ୱର : ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏହି କ୍ରମରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷାର୍ଥୀଙ୍କ ପାଇଁ ଖାଦ୍ୟ ଓ ରହଣୀର ବ୍ୟବସ୍ଥା କରାଯାଇଛି । ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତର ରହଣୀ ବ୍ୟବସ୍ଥା ସରକାର କରୁଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା ଏଦିଗରେ ସକ୍ରିୟ ଭାବେ କାର୍ଯ୍ୟକ୍ରମ ହାତକୁ ନେଇ ସାରିଛି । ଖୋର୍ଦ୍ଧା ଜିଲ୍ଲାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅଭିନବ ବ୍ୟବସ୍ଥା କରିଛି । କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ସେମାନଙ୍କ ସହ ଆସୁଥିବା ଅଭିଭାବକମାନଙ୍କ ପାଇଁ ମଧ୍ୟ ରହଣୀ ଓ ଖାଦ୍ୟପାନୀୟ ଯୋଗାଇ ଦିଆଯାଉଛି ।

ସରକାରଙ୍କ ଏହି ଉଦ୍ୟମ ଓ ସହଯୋଗକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସାରା ଦେଶର ଛାତ୍ରଛାତ୍ରୀମାନ ଦାବି କରିଥିଲେ । ରାଜନୈତିକ ଦଳମାନେ ମଧ୍ୟ ସମାନ ଢ଼ଙ୍ଗରେ ସରକାରଙ୍କୁ ପରୀକ୍ଷା ଘୁଞ୍ଚାଇବା ପାଇଁ ଚାପ ପକାଇଥିଲେ । ମାତ୍ର କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ଅଟଳ ରହି ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ଘୋଷଣା କଲେ । ଏହି କ୍ରମରେ ଏବେ ସାରା ଦେଶରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ସୁବିଧାରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇବାର ଦାୟିତ୍ୱ ନିଜ କାନ୍ଧରେ ନେଇଛନ୍ତି । ଛାତ୍ରଛାତ୍ରୀମାନେ କିଭଳି ଭାବେ ସଂକ୍ରମଣର ଶୀକାର ହେବେ ନାହିଁ, ଗମନାଗମନ ଓ ଖାଦ୍ୟପେୟର ସୁବିଧା ପାଇବେ ସେ ନେଇ ନବୀନ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ଏଭଳି ବ୍ୟବସ୍ଥା କରାଯାଇଛି । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ୱଲପୁରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି । ପ୍ରାୟ ସବୁ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ପିଲା ଓ ଅଭିଭାବକଙ୍କ ପାଇଁ ବେଡ୍ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବାର ମଧ୍ୟ ଆୟୋଜନ କରାଯାଇଛି । ମିଳୁଥିବା ଖାଦ୍ୟର ମାନକୁ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ସେହିଭଳି ପିଲାମାନେ ପାଠ ପଢିବା ପାଇଁ ରିଡିଂ ଟେବୁଲ ମଧ୍ୟ ସରକାର ଯୋଗାଇଛନ୍ତି ।
ଲଣ୍ଡନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର…
ଭୁବନେଶ୍ୱର: ଓଡ଼ିଶାର ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଓଡ଼ିଶା ବ୍ୟତୀତ ବିଦେଶରେ ମଧ୍ୟ ରଥଯାତ୍ରା ଖୁବ ଧୁମଧାମରେ ପାଳନ ହୁଏ । ଏବେ କିନ୍ତୁ ବିଦେଶରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯିବ । ୪ ମିଲିୟନ ୟୁରୋପୀୟ ଡଲାର ଖର୍ଚ୍ଚ କରି ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ୨୦୨୪ ବେଳକୁ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ଓଡ଼ିଶା ସୋସାଇଟି ଅଫ ୟୁକେରେ ୪୧ ତମ ବାର୍ଷିକ ଅଧିବେଶନରେ ୟୁକେରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ’ଜଗନ୍ନାଥ ଟେମ୍ପଲ ଟ୍ରଷ୍ଟ ୟୁକେ’ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି ।
ଅନଲାଇନ ହୋଇଥିବା ଏହି ଅଧିବେଶନରେ ଓଡ଼ିଶାର ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ,ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାଂସଦ ଅଚ୍ୟୁତ ସାମନ୍ତ,ସୁଜିତ କୁମାର, ଡାକ୍ତର ଅମର ପଟ୍ଟନାୟକ, ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସନ୍ନ ପାଟଶାଣୀ,ରଞ୍ଜୀବ ବିଶ୍ୱାଳ,ପଦ୍ମଶ୍ରୀ ହଳଧର ନାଗ,ଚନ୍ଦ୍ରଭାନୁ ଶତପଥି, କେରଳ ପୋଲିସର ଡିଜି ଲୋକନାଥ ବେହେରା ପ୍ରମୁଖ ସାମିଲ ହୋଇ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରିବା ପାଇଁ ଆାଶ୍ୱସନା ଦେଇଛନ୍ତି । ଏହି ଅବସରରେ ଟ୍ରଷ୍ଟ ତରଫରୁ ଅର୍ଥ ଏକତ୍ର କରିବା ପାଇଁ ନିବେଦନ କରାଯାଇଛି ।
ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥ ସଂଖ୍ୟା, ସୁସ୍ଥ ହେଲେ ୪ ହଜାରରୁ ଅଧିକ କରୋନା ରୋଗୀ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥତା ହାର । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜ୍ୟରେ ୨୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ୩୦ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି କରୋନା ରୋଗୀ । ଏହା ହେଉଛି କରୋନା ଭୟ ଭିତରେ ଏକ ବଡ଼ ଆଶ୍ୱସ୍ତିର ଖବର । ତେବେ ନୂଆ ସୁସ୍ଥ ସଂଖ୍ୟା ପରେ ରାଜ୍ୟରେ ୭୭ ହଜାର ୨୮୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
Happy to share that #Odisha has achieved a record single day discharge of 4053 #COVID19 patients today!
The total recovered cases of Odisha now stand at 77286.
608 from Rayagada
468 from Cuttack
370 from Khordha
339 from Jajapur
233 from Ganjam
217 from Sundargarh— H & FW Dept Odisha (@HFWOdisha) August 31, 2020
ତେବେ କେଉଁ କେଉଁ ରାଜ୍ୟରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଦେଖନ୍ତୁ । ରାୟଗଡ଼ାରୁ ୬୦୮ ସର୍ବାଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କଟକରୁ ୪୬୮, ଖୋର୍ଦ୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼ରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟଗଡ଼ରୁ ୧୪୧, ମୟୂରଭଞ୍ଜରୁ ୧୨୮, ମାଲକାନାଗିରିରୁ ୧୨୦, ବରଗଡ଼ରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ୱରରୁ ୮୩, କନ୍ଧମାଳରୁ ୭୯, ଢ଼େଙ୍କାନାଳରୁ ୬୬, ବଲାଙ୍ଗିରରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡ଼ାରୁ ୫୦, ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୫, କେନ୍ଦୁଝରରୁ ୨୯, ଦେବଗଡ଼ରୁ ୧୩, ସୋନପୁରରୁ ୧୩, ନୂଆପଡ଼ାରୁ ୯, ବୌଦ୍ଧରୁ ୬, ଏବଂ ଅନୁଗୁଳରୁ ୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
48 from Gajapati
35 from Jagatsinghpur
35 from Jharsuguda
29 from Keonjhar
13 from Deogarh
13 from Sonepur
9 from Nuapada
6 from Boudh
1 from Angul— H & FW Dept Odisha (@HFWOdisha) August 31, 2020
ଭାରତୀୟ ଅର୍ଥନୀତିକୁ ଶକ୍ତ ଝଟକା, ୪୦ ବର୍ଷ ମଧ୍ୟରେ ଜିଡିପି ସର୍ବକାଳୀନ ହ୍ରାସ
ନୂଆଦିଲ୍ଲୀ: ତଳକୁ ତଳ ଖସୁଛି ଭାରତୀୟ ଅର୍ଥନୀତି । କରୋନା ମାଡ଼ରେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ଅର୍ଥ ବ୍ୟବସ୍ଥା । ଏପ୍ରିଲରୁ ଜୁନ୍ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବିକାଶ ଦର (GDP) ୨୩.୯ ପ୍ରତିଶତ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷର ଜୁନ୍-ଏପ୍ରିଲ୍ ତ୍ରୈମାସିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏଥିସହ କୋର ସେକ୍ଟର ଜିଡିପିରେ ମଧ୍ୟ ହ୍ରାସ ଘଟିଛି । ଜୁଲାଇ ମାସରେ ୮ ଇଣ୍ଡଷ୍ଟ୍ରୀର ଉତ୍ପାଦନରେ ୯.୬ ପ୍ରତିଶତ ହ୍ରାସ ପାଇଛି । ପ୍ରଥମ ତିନି ମାସରେ ରିୟଲ ଜିଡିପି ୨୬.୯୦ ଲକ୍ଷ କୋଟି ଟଙ୍କା ଥିଲା । ଯେତେବେଳେ କି ଗତବର୍ଷ ଏହି ସମୟରେ ୩୫.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହି ପ୍ରକାରେ ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଛି ।

୮ଟି ବଡ଼ ଉଦ୍ୟୋଗରେ ଉତ୍ପାଦନ ଜୁଲାଇ ମାସରେ ୯.୬ ପ୍ରତିଶତ ହ୍ରାସ ପାଇଛି । ଏହା ଲଗାତାର ପଞ୍ଚମ ମାସ ଧରି ଖସିବାରେ ଲାଗିଛି । କାରଣ ଉତ୍ପାଦନ ହ୍ରାସ ପାଇଛି । ମୁଖ୍ୟତଃ ଇସ୍ପାତ, ରିଫାଇନାରୀ, ଉତ୍ପାଦ ଓ ସିମେଣ୍ଟ କ୍ଷେତ୍ରରେ ଖରାପ ପ୍ରଦର୍ଶନ ପାଇଁ ବଡ଼ ଉଦ୍ୟୋଗରେ ଉତ୍ପାଦନ କମିଛି । ୨୦୧୯ ଜୁଲାଇରେ ୮ଟି ବଡ଼ ଉଦ୍ୟୋଗର ଉତ୍ପାଦନ ୨.୬ ପ୍ରତିଶତ ବୃଦ୍ଧି ପାଇଥିଲା ।
GDP at Constant (2011-12) Prices in Q1 of 2020-21 has contracted 23.9 percent over the corresponding quarter of previous year.@Rao_InderjitS @PIB_India @NITIAayog @PMOIndia
— Ministry of Statistics & Programme Implementation (@GoIStats) August 31, 2020
ଚଳିତ ତ୍ରୈମାସିକରେ ଦୁଇ ମାସ ଏପ୍ରିଲ ଓ ମେରେ ଅଭିବୃଦ୍ଧି ହାର ଯୋଡ଼ା ଯାଇଛି । ଯେତେବେଳେ ଲକଡାଉନ୍ ପାଇଁ ପୂରା ଅର୍ଥବ୍ୟବସ୍ଥା ଠପ୍ ହୋଇ ଯାଇଥିଲା । ଜୁନରେ ଅର୍ଥନୀତିରେ ଅଭିବୃଦ୍ଧି ଅଳ୍ପ ଥିଲା । ଏଥିପାଇଁ ପୂର୍ବରୁ ବିଭିନ୍ନ ଏଜେନ୍ସି ଏହି କଥାର ଆଶଙ୍କା କରିଥିଲେ । ତ୍ରୈମାସିକରେ ଜିଡିପି ୧୬ରୁ ୨୫ ପ୍ରତିଶତ କମିବା ନେଇ ଆଶଙ୍କା ପ୍ରକାଶ କରିଥିଲେ ।
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଦ୍ୱାରା ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଜୁଲାଇରେ ସାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୭ଟି କ୍ଷେତ୍ର କୋଇଲା, କଚ୍ଚା ତେଲ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ଇସ୍ପାତ୍, ସିମେଣ୍ଟ ଓ ବିଜୁଳି କ୍ଷେତ୍ରରେ ହ୍ରାସ ଘଟିଛି ।
ମହାବାତ୍ୟା ବେଳେ ଓଡ଼ିଶାରେ ଥିଲେ ତିନି ଦିନ, ମଟରସାଇକେଲରେ ବୁଲିଥିଲେ
ଭୁବନେଶ୍ୱର: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ପ୍ରଣବ ବାବୁ । ଭାରତୀୟ ରାଜନୀତିର ଭଦ୍ରଲୋକ । ଏକ ବଙ୍ଗୀୟ ମଧ୍ୟବିତ୍ତ ପରିବାରରୁ ଆସିଥିବା ପ୍ରଣବଙ୍କର ଇତିହାସ ଓ ସଂସ୍କୃତିରେ ଥିଲା ଗଭୀର ରୁଚି । ସେହି କ୍ରମରେ ଓଡ଼ିଶା ସହ ଥିଲା ତାଙ୍କର ସଂପର୍କ ନିବିଡ଼ । ଓଡ଼ିଶାର ଇତିହାସ ଓ ସଂସ୍କୃତି ତାଙ୍କୁ ବେସ ପ୍ରଭାବିତ କରିଥିଲା । ଏହା ଅନେକ ସମୟରେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ।

ଓଡ଼ିଶା ସହ ବଙ୍ଗ ପ୍ରଦେଶର ସମ୍ପର୍କ ବାବଦରେ ଥରେ ଆଲୋଚନା କରି ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ସ୍ମରଣ କରିଥିଲେ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ କେମିତି ବିଶ୍ୱକବିଙ୍କୁ ପ୍ରଭାବିତ କରିଥିଲା ସେ କଥା କହିଥିଲେ ପ୍ରଣବ ମୁଖାର୍ଜୀ । ଓଡ଼ିଶା ଓ ରବିନ୍ଦ୍ରନାଥଙ୍କ ସଂପର୍କକୁ ମନେ ପକାଇ ସେ ଜଗତସିହଂପୁର ପାଣ୍ଡୁଆ ଗାଁ କଥା ଏକ ସଭାରେ କହିଥିଲେ । ଜଗତସିଂହପୁରର ପାଣ୍ଡୁଆ ଗାଁରେ ରବିନ୍ଦ୍ରନାଥଙ୍କ ଜେଜେବାପାଙ୍କ ଜମିଦାରୀ ଥିଲା । ଏହି କ୍ରମରେ ତାଙ୍କର ଓଡ଼ିଶା ଆସିବା ହେଉଥିଲା । ପୁରୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରବିନ୍ଦ୍ରନାଥ ଜଗନ୍ନାଥପୁରୀରେ ଘର କରିଥିଲେ ।

ପ୍ରଣବଙ୍କ ଓଡ଼ିଶାକୁ ଭଲ ପାଇବା କେତେ ଥିଲା ତାହା ୧୯୯୯ ମସିହାର ମହାବାତ୍ୟା ପରେ ଜଣା ପଡ଼ିଥିଲା । ସେତେବେଳେ କଂଗ୍ରେସର ମହାସଚିବ ଥିବା ପ୍ରଣବ ତିନି ଦିନ ପାଇଁ କେନ୍ଦ୍ରାପଡାରେ ରହିଥିଲେ । କେନ୍ଦ୍ରାପଡାର ରାମନଗର ଅଂଚଳରେ ମହାବାତ୍ୟା ପ୍ରଭାବିତ ଅଂଚଳର ଦୂରାବସ୍ଥାକୁ ନିଜ ଆଖିରେ ଦେଖିଥିଲେ । ସେହି ସମୟରେ ରାମନଗରର ତରୁଣକାନ୍ତି ନାମକ ଯୁବକଙ୍କ ମୋଟର ସାଇକେଲରେ ସେ ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଥିଲେ । ଏହି ସମୟରେ ପ୍ରଣବ ବାବୁ ତରୁଣକାନ୍ତିଙ୍କ ଘରେ ଖାଇଥିଲେ ମଧ୍ୟ । ତରୁଣକାନ୍ତିଙ୍କ ଘରେ ସେ ମାଛ ତରକାରୀ ଓ ଭାତ ଖାଇଥିଲେ ।

୨୦୧୩ ମସିହାରେ ଯେତେବେଳେ ପ୍ରଣବ ମୁଖାର୍ଜୀ ରାଷ୍ଚ୍ରପତି ଭାବେ ଓଡ଼ିଶା ଗସ୍ତରେ ଆସିଥିଲେ, ସେତେବେଳେ ତରୁଣକାନ୍ତିଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ତରୁଣକାନ୍ତିଙ୍କ ଗାଁର ଅନେକ ଲୋକ ରାଷ୍ଚ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ତରୁଣକାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ରାଷ୍ଟ୍ରପତି ଭବନର ସଚିବଙ୍କୁ ଇମେଲ୍ କରିଥିଲେ । ତେବେ ତାଙ୍କର ଆଶା ନଥିଲା ଯେ, ମହାମହିମ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ କରିବେ । ତେବେ ହଠାତ ରାଷ୍ଟ୍ରପତି ଭବନରୁ ତାଙ୍କୁ ଫୋନ୍ ଆସିଥିଲା । ପୁରୀରେ ନୁହଁ ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ତରୁଣକାନ୍ତିଙ୍କୁ ମିଳିଥିଲା ନିମନ୍ତ୍ରଣ । ଏଇ ଗୋଟିଏ କଥାରୁ ଜଣା ପଡ଼େ ଦେଶର ପ୍ରଥମ ନାଗରିକ ହୋଇଥିଲେ ମଧ୍ୟ ପ୍ରଣବ ୧୯୯୯ ମସିହାରେ ଭେଟିଥିବା ଜଣେ ସାଧାରଣ ଗ୍ରାମୀଣ ଯୁବକଙ୍କୁ ଭୁଲି ନଥିଲେ ।

ପ୍ରଣବ ଓଡ଼ିଶା ଆସିଲେ ଓଡ଼ିଶାର ଜାତୀୟ ଖାଦ୍ୟ ପଖାଳ ଖାଉଥିଲେ । ୨୦୧୮ ମସିହାରେ ଦି ଟାଲ୍ ମ୍ୟାନ୍ ପୁସ୍ତକ ଉନ୍ମୋଚନ ପାଇଁ ଓଡ଼ିଶା ଆସି ସେ ନବୀନ ନିବାସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତୀୟ ରାଜନୀତିର ଅନ୍ୟ ବରିଷ୍ଠ ନେତାଙ୍କ ସହ ପଖାଳ ଖାଇଥିଲେ ।
ISIS ଆତଙ୍କବାଦୀ ଅବୁ ୟୁସୁଫ କରିଥିଲା କରୋଲବାଗରେ ବଡ ଧରଣର ଆକ୍ରମଣ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ: ISIS ଆତଙ୍କବାଦୀ ଅବୁ ୟୁସୁଫକୁ ପଚରା ଉଚରା ସମୟରେ ତା’ଠାରୁ ବଡ ତଥ୍ୟ ମିଳିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ସାମ୍ନାରେ ପଚରାଉଚରା ସମୟରେ ସୋମବାର ଦିନ ସେ ଦିଲ୍ଲୀର କରୋଲବାଗରେ ଏକ ବଡ଼ ଧରଣର ବିସ୍ଫୋରଣ କରିବାକୁ ଚାହୁଁଥିଲା ବୋଲି ସ୍ୱୀକାର କରିଛି । କେବଳ ଏଇଥିପାଇଁ ସେ କରୋଲବାଗରେ ଲୁଚି ରହିଥିଲା । ସୁଯୋଗ ଦେଖି ଜନଗହଳି ସ୍ଥାନରେ କୁକର ବମ୍ ପ୍ଲାଣ୍ଟ କରି ବିସ୍ଫୋରଣ କରିବାର ଲକ୍ଷ୍ୟ ରଖିଥିଲା ଅବୁ ।
୨୨ ଅଗଷ୍ଟରେ ରାଜଧାନୀ ଦିଲ୍ଲୀରେ ଧୌଲାକୁଆଁ ଅଞ୍ଚଳରେ ଏନକାଉଣ୍ଟର ପରେ ଧରା ପଡ଼ିଥିଲା ଅବୁ ୟୁସୁଫ । ପୋଲିସର କହିବା ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ସହିତ ଅବୁର ଯୋଗାଯୋଗ କହିଛି । ସୂଚନାଯୋଗ୍ୟ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ୨୨ ଅଗଷ୍ଟ ରାତିରେ ଧୌଲାକୁଆଁ ଓ କରୋଲବାଗକୁ ଯୋଡ଼ୁଥିବା ରିଜ୍ ରୋଡ଼ ନିକଟରେ ଏକନାଉଣ୍ଟର ପରେ ଅବୁକୁ ଗିରଫ କରିଥିଲା । ତା ନିକଟରୁ ଦୁଇଟି IED ଏବଂ ଏକ ବନ୍ଧୁକ ଜବତ କରିଥିଲା ପୋଲିସ। ସେହି ସମୟରେ ଅବୁ ଏକ ବାଇକ ସହିତ ଧରା ପଡ଼ିଥିଲା ଓ ତା ନିକଟରେ ୧୫ କିଲୋ ବିସ୍ଫୋଟକ ଥିଲା । ଅବଶ୍ୟ ପୋଲିସର କହିବା ଅନୁସାରେ ତା ନିକଟରୁ ପ୍ରେସର କୁକରରେ ତିଆରି IED ଜବତ ହୋଇଥିଲା ।

ଏହା ସହିତ ଅବୁ ଅନ୍ୟ ଏକ ବଡ଼ କଥାର ଖୁଲାସା କରିଛି । ପୋଲିସର ପଚରାଉଚରା ସମୟରେ ସେ କହିଛି କି ରାମ ମନ୍ଦିରର ଭୂମି ପୂଜନ ପରେ ISIS ଦେଶର କେତେକ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଯୋଜନା କରୁଛି । ତେବେ ଭୂମି ପୂଜନର ଏକ ମାସ ମଧ୍ୟରେ ଏଭଳି ଆତଙ୍କ ଖେଳାଇବାର ଯୋଜନା କରାଯାଇଥିବା କହିଛି ଅଭିଯୁକ୍ତ ଅବୁ ୟୁସୁଫ୍ ।
ଖବର ଅନୁସାରେ ରାଜଧାନୀରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ଆତଙ୍କବାଦୀ ପ୍ରବେଶ କରିଛି ବୋଲି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ସୂଚନା ମିଳିଥିଲା । ଯାହାପରେ ପୋଲିସର ଏକ ଦଳ ଧୌଲାକୁଆଁ ନିକଟରେ ସନ୍ଦିଗ୍ଧକୁ ଧରିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଫାୟାରିଙ୍ଗ ଆରମ୍ଭ କରିଦେଲା । ଉଭୟ ପକ୍ଷରୁ ଗୁଳି ଚଳାଇବା ପରେ ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହେଲା ପୋଲିସ । ସ୍ୱତନ୍ତ୍ର ସେଲର ଡିସିପି ପ୍ରମୋଦ କୁଶବାହଙ୍କ କହିବା ଅନୁସାରେ ଧରା ପଡ଼ିଥିବା ଆତଙ୍କବାଦୀ ଅବୁ ୟୁସୁଫର ଇସଲାମିକ ଷ୍ଟେଟ୍ ସହିତ ସମ୍ପର୍କ ଓ ଯୋଗାଯୋଗ ଅଛି ।

