spot_img
Home Blog Page 6784

ସ୍ୱଦେଶୀ କରୋନା ଔଷଧ କୋଭାକ୍ସିନ୍‌ର‌ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀ AIIMSରେ ସ୍ୱଦେଶୀ ଟିକା COVAXINର ମାନବ ପରୀକ୍ଷଣ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଶନିବାର ଦିଲ୍ଲୀ AIIMSର ଏଥିକ୍‌ସ କମିଟି କରୋନା ଟିକା COVAXINର ଫଜ୍‌-୧ ମାନବ ପରୀକ୍ଷଣକୁ ଅନୁମୋଦନ ଦେଇଛି ।

ସବୁଠାରୁ ବଡ଼ କଥା ହେଲା, ମାନବ ପରୀକ୍ଷଣର ସମ୍ମୁଖୀନ ହେବା ପାଇଁ ମାତ୍ର ୧୦ ଘଣ୍ଟାରେ ୧୦୦୦ରୁ ଅଧିକ ଲୋକ ରେଜିଷ୍ଟ୍ରେସନ୍‌ କରିଛନ୍ତି । ବର୍ତ୍ତମାନ ସୁଦ୍ଧା, ଯେଉଁମାନେ କେବଳ ଦିଲ୍ଲୀ-ଏନସିଆରରେ ରହୁଛନ୍ତି ସେମାନଙ୍କୁ ଏନ୍‌ରୋଲ୍‌ମେଣ୍ଟ ପାଇଁ ଅନୁମତି ଦିଆଯାଇଛି । ଭ୍ୟାକ୍ସିନ୍‌କୁ ନେଇ ଅନ୍ୟ ୧୨ଟି କେନ୍ଦ୍ର ପରୀକ୍ଷା ଆରମ୍ଭ କରିସାରିଛନ୍ତି । କାରଣ ସେମାନଙ୍କୁ ପୂର୍ବରୁ ଅନୁମତି ମିଳି ସାରିଛି ।

AIIMS-pti

AIIMS ପ୍ରଫେସର ଡକ୍ଟର ସଞ୍ଜୟ ରାୟଙ୍କ ଅନୁଯାୟୀ, 07428847499 ନମ୍ବରକୁ କଲ କରି ଭ୍ୟାକ୍ସିନ୍‌ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିପାରିବେ । ଟ୍ରାଏଲ୍‌ ପାଇଁ, [email protected] କୁ ମେଲ୍‌ କରି ନମ ପଞ୍ଜିକରଣ କରିପାରିବେ ।

ପ୍ରଫେସର ଡକ୍ଟର ସଞ୍ଜୟ ରାୟଙ୍କ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଏବଂ ୫୫ ବର୍ଷରୁ କମ୍ ଲୋକ ଏହି ପରୀକ୍ଷାରେ ଭାଗ ନେଇପାରିବେ । ଯେଉଁ ବ୍ୟକ୍ତିଙ୍କ ଉପରେ ଭ୍ୟାକ୍ସିନ୍‌ ପରୀକ୍ଷା କରାଯିବ, ତା’ର ପ୍ରଥମେ କୋଭିଡ୍‌ ପରୀକ୍ଷା କରାଯିବ। । ରକ୍ତ, ଯକୃତ, ବିପି ଏବଂ କିଡ୍‌ନୀ ସମେତ ବିଭିନ୍ନ ପରୀକ୍ଷାରେ ସୁସ୍ଥ ଥିବା ଜଣାପଡ଼ିବା ପରେ ଉକ୍ତ ବ୍ୟକ୍ତିକୁ ପରୀକ୍ଷଣ ପାଇଁ ସାମିଲ କରାଯିବ ।

ରାସ୍ତା କଡ଼ରେ ପଡ଼ିରହିଛନ୍ତି ଅସହାୟ ବୃଦ୍ଧ: ପେଟକୁ ନାହିଁ ଦାନା, ଦେହକୁ ନାହିଁ କନା

ଉମରକୋଟ (କୃଷ୍ଣପ୍ରସାଦ ପଟ୍ଟନାୟକ): ରାସ୍ତା କଡ଼ରେ ଅସହାୟ ଭାବେ ପଡିରହିଛନ୍ତି ବୃଦ୍ଧ  । ଘର କହିଲେ ପଲିଥିନ୍ ଛାତ ଥିବା ଝାଟି ମାଟି କୁଡିଆ  । ପରିବାରରେ କେହି ନାହାନ୍ତି  । ନା ପାଖରେ ଖାଇବାକୁ ଅଛି ନା ପିନ୍ଧିବାକୁ କନା ଅଛି  । ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି ଉମରକୋଟ ଭଗବତୀ ନଗର ଅଞ୍ଚଳର ବଡ ହରିଜନ  ।

ଦିନ ଥିଲା ମହୁରୀ ବଜାଇ ଗୀତ ଗାଇ ପେଟ ପୋଷୁଥିଲେ, ହେଲେ ଆଜି ସେ  ଅସହାୟ  । ଘର ପରିବାର ବୋଲି କେହି ନାହାନ୍ତି  । ରସ୍ତା କଡରେ ପଲିଥିନ ତଳେ ଏକାକି ଅସହାୟ ଭାବେ ପଡିରହିଛନ୍ତି  । ଆଖପାଖ ସାହି ପଡିଶା କିଏ ଖାଇବାକୁ ଦେଲେ ଖାଉଛନ୍ତି ନ ହେଲେ ଓପାସରେ ବିତୁଛି ଦିନ  ।

ନବରଂଗପୁର ଉମରକୋଟ ମୁନ୍ସିପାଲଟି ଭଗବତୀ ନଗର ଅଞ୍ଚଳରେ ବେସାହାରା ଭାବେ ଜୀବନ କାଟୁଛନ୍ତି ବଡ ହରିଜନ  । ବୟସର ଅପରାହ୍ନରେ ପକ୍ଷାଘାତରେ ପୀଡିତ ଅଛନ୍ତି  । ସ୍ତ୍ରୀ ଓ ଭଉଣୀଙ୍କ ମୃତ୍ୟୁପରେ ଅସହାୟ ହୋଇ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି  । ଅସହାୟ ବୃଦ୍ଧଙ୍କ ଏଭଳି ଅବସ୍ଥାରେ ତାଙ୍କୁ ସରକାରୀ ସହଯୋଗ ଯୋଗାଇବା ସହିତ ଚିକିତ୍ସା ଯୋଗାଇ ଦେଦବାକୁ ସ୍ଥାନୀୟ ଲୋକ ନିବେଦନ କରିଛନ୍ତି  ।

ଅନ୍ୟପଟେ ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ  । ପ୍ରଶାସନ ପକ୍ଷରୁ ଶୀଘ୍ର ତାଙ୍କୁ ସହଯୋଗ ଯୋଗାଇେଦଲେ ସେ ଉପକୃତ ହୋଇପାରନ୍ତେ  ।

ଜାଣନ୍ତୁ କାହିଁକି ହୋଇଥାଏ କାଉଡ଼ି ଯାତ୍ରା, ଏବଂ ତ୍ରେତୟା ଯୁଗର ପ୍ରଥମ କାଉଡ଼ିଆ କିଏ ଥିଲେ…?

ଶ୍ରାବଣ ମାସ ହେବାମାତ୍ରେ କାଉଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥାଏ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରଶନ୍ନ କରିବାକୁ କାଉଡ଼ିଆମାନେ ଆରମ୍ଭ କରିଥାଆନ୍ତି ସେମାନଙ୍କ ପ୍ରୟାସ । ଦେହରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି କାନ୍ଧରେ ବାଉଁଙ୍ଗୀ ଧରି ଖାଲି ପାଦରେ ବାହାରି ଯାଆନ୍ତି ଶିବଙ୍କୁ ଜଳାଭିଷେକ କରିବାକୁ । ଏହି କାଉଡ଼ିଆ ଯାତ୍ରାରେ କେବଳ ଜଣେ କି ୨ଜଣ କାଉଡ଼ିଆ ନଥାନ୍ତି ଏଥିରେ ସାମିଲ ଥାନ୍ତି ଅନେକ ଭକ୍ତ । କାନ୍ଧରେ କାଉଡ଼ିରେ ପାଣି ନେଇ ଖାଲିପାଦରେ ଚାଲି ଚାଲି ଯାଇଥାଆନ୍ତି ନିଜେ ନିର୍ଣ୍ଣୟ କରିଥଇବା ଶୈବ ପୀଠକୁ  । ସେଠାରେ ନିଜର ମାନସିକ ଜଣା ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରିଥାନ୍ତି ।

Bol-Bom    ଏହି କାଉଡ଼ିଆଙ୍କ ଯାତ୍ରାରେ ଥାନ୍ତି ଅନେକ ବଡ଼ବଡ଼ିଆ ସମସ୍ତେ ଶିବଙ୍କ ପ୍ରସନ୍ନ କରିବାକୁ ଜଳାଭିଷେକ କରିବାକୁ ଆସିଥାନ୍ତି । ତେବେ ଶ୍ରାବଣ ମାସରେ ଭଗବାନଙ୍କ ଏଭଳି ପୂଜା ଦେଖି ଆପଣଙ୍କ ମନରେ ନିଶ୍ଚୟ ଏଭଳି କିଛି ପ୍ରଶ୍ନ ଆସୁଥିବ ଯେ, ଏହି ଶିବଙ୍କୁ ପ୍ରସନ୍ନ କରିବାକୁ କିଏ ଏହି କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ । ଏବଂ ତା ପଛରେ କଣ ଥିଲା କାରଣ ? ତେବେ ଏହି ରିପୋର୍ଟରେ ଆମେ ଆପଣଙ୍କୁ କହିବୁ ଏମିତି କାହିଁକି କରାଯାଏ ?

siva

କାଉଡ଼ି ଯାତ୍ରାକୁ ନେଇ ଅନେକ ବିଶ୍ୱାସ ରହିଛି ।  ପୁରାଣ ଅନୁଯାୟୀ, ଏହି ଯାତ୍ରାର ପରମ୍ପରା ସମୁଦ୍ର ମନ୍ଥନ ସହିତ ଜଡିତ । ଯେଉଁଥିରେ ସାମିଲ ଅଛନ୍ତି ମହାବିଦ୍ୱାନ୍ ତଥା ନୈଷ୍ଠିକ ବ୍ରାହ୍ମଣ ରାବଣ । ବାସ୍ତବରେ, ସମୁଦ୍ର ମନ୍ଥନ ବେଳେ ହେଉଥିବା ବିଷ ପିଇବା କାରଣରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଯାଇଥିଲା ଯାହା ପାଇଁ ତାଙ୍କୁ ନୀଳତକଣ୍ଠ ଡକାଯାଇଥାଏ । ଭଗବାନ ଶିବ ଏହି ବିଷ ପିଇଥିବା କାରଣୁ ତାଙ୍କୁ ଅନୁଭୁତ ହୋଇଥିବା ପୀଡ଼ାର ନିବାରଣ ପାଇଁ ରାବଣ ଭଗବାନ ଶିବଙ୍କୁ ଏହି ନକାରାତ୍ମକ ପ୍ରଭାବରୁ ମୁକ୍ତ କରିବା ପାଇଁ ଧ୍ୟାନ କରିଥିଲେ । ଏହା ପରେ ରାବଣ ‘ପୁର ମହାଦେବ’ରେ ଅବସ୍ଥିତ ଶିବ ମନ୍ଦିରରେ ଶିବଙ୍କ ଜଳାଭିଶେକ କରିଥିଲେ। ଯେତେବେଳେ ରାବଣ ଏହା କରିଥିଲେ, ଶିବ ବିଷର ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇଥିଲେ । ଏହା ପରେ ପରେ ହିଁ କାଉଡ଼ିଆ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଇଥାଏ ।

rabana siva

କାଉଡ଼ି ଯାତ୍ରା ସମୟରେ ସମସ୍ତ କାଉଡ଼ିଆ ହରିଦ୍ୱାରକୁ ଯାଇ ସେଠାରୁ ଗଙ୍ଗା ଜଳ ଆଣିଥାନ୍ତି । ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ଶ୍ରାବଣ ମାସରେ ତାଙ୍କ ଶ୍ୱଶୁର ଘର ରାଜା ଦକ୍ଷଙ୍କ ନଗରୀ କଂଖଲ ହରିଦ୍ୱାରରେ ରହିଥିଲେ । ଏହି ସମୟରେ ସେ ଭଗବାନ ବିଷ୍ଣୁଙ୍କ ଶୋଇବା ଘରକୁ ଯାଆନ୍ତି  । ସେହି ସମୟରେ ଭଗବାନ ଶିବ ଏହି ମାସରେ ତିନି ଲୋକର ଯତ୍ନ ନିଅନ୍ତି । ଏହି କାରଣରୁ ଶ୍ରାବଣ ମାସରେ ସମସ୍ତ କାଉଡ଼ିଆ ଗଙ୍ଗା ଜଳ ଆଣିବାକୁ ହରିଦ୍ୱାରକୁ ଯାଆନ୍ତି ।

Siva linga

ସମସ୍ତ କାଉଡ଼ିଆ ସେମାନଙ୍କ କାଉଡ଼ିରେ ଗଙ୍ଗା ଜଳ ଭରନ୍ତି । ଏବଂ କାଉଡିଆମାନେ ଏହି କାଉଡ଼ିକୁ ରଙ୍ଗୀନ ଭାବେ ସଜାନ୍ତି ଏବଂ ଖାଲି ପାଦରେ ସେମାନଙ୍କ ଯାତ୍ରା ସମାପ୍ତ କରନ୍ତି  । ସେମାନଙ୍କର ମନୋନୀତ ମନ୍ଦିରରେ ପହଞ୍ଚିବା ପାଇଁ କାଉଡ଼ିଆମାନଙ୍କର ଏକ ନିର୍ଦ୍ଧିଷ୍ଟ ସମୟ ରହିଛି ।| ଏହାର କାରଣ ହେଉଛି, ସମସ୍ତ କାଉଡ଼ିଆ ଶ୍ରାବଣମାସର ଚତୁର୍ଦ୍ଦଶୀରେ ହିଁ ଭଗବାନ ଶିବଙ୍କୁ ଜାଲବିଷେକା କରିବାକୁ ପଡିବ ବୋଲି ମନାଯାଇଥାଏ ।

କରୋନାକୁ ମାତ୍ ଦେଲେ କ୍ୟାନସର ରୋଗୀଙ୍କ ସହ ସ୍ତ୍ରୀ ଓ ତିନି ଝିଅ

ବଲାଙ୍ଗିର: କରୋନାକୁ ହରାଇଲେ କ୍ୟାନସର ଆକ୍ରାନ୍ତ । ଭୂତାଣଉ ଠାରୁ ବିଜୟୀ ହୋଇଛନ୍ତି ଜଣେ କ୍ୟାନ୍ସର ରୋଗୀ, ତାଙ୍କ ସ୍ତ୍ରୀ ଓ ତିନି ଝିଅ । ବଲାଙ୍ଗିର ସହରର ଜଣେ କ୍ୟାନ୍ସର ରୋଗୀ କଟକ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ତାଙ୍କ ସ୍ତ୍ରୀ ଓ ତିନି ଝିଅ ସଂକ୍ରମିତ ହୋଇଥିଲେ ।

ହେଲେ କିଛି ଦିନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ପରିବାରର ସମସ୍ତେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଆଜି କ୍ୟାନସର ଆକାନ୍ତ ଓ ତାଙ୍କ ପରିବାରର ସଦସ୍ୟ କୋଭିଡ୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସୁସ୍ଥ ହେବା ପରେ ପରିବାର ଖୁସିରେ ଆତ୍ମହରା ହୋଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଏନେଇ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

(ବଲାଙ୍ଗିରରୁ ଦୀପକ ପୁରୋହିତ)

ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେବେ ରାଜ୍ୟର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ

ଭୁବନେଶ୍ୱର: ରାଜ୍ୟର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ସମ୍ମାନ । ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ ତାରିଖରେ ସମ୍ମାନିତ ହେବେ । ହେଲେ କେହି ସଂଗ୍ରାମୀ ରାଷ୍ଟ୍ରପତି ଭବନ ଯିବେ ନାହିଁ । କୋଭିଡ୍ ପାଇଁ କାର୍ଯ୍ୟକ୍ରମରେ ପରିବତ୍ତର୍ନ କରାଯାଇଛି । ନିଜ ନିଜ ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ମାନିତ କରିବେ ।

FILE

ରାଷ୍ଟ୍ରପତି ସମ୍ମାନ ପାଇଁ ପ୍ରକାଶ ପାଇଥିବା ତାଲିକାରେ ରହିଛନ୍ତି ଯାଜପୁର ବାଲିପଡ଼ିଆ ଗାଁର ନୀଳମଣି ସାମଲ, ଭଦ୍ରକ ଧୁଷୁରୀ ସୂର୍ଯ୍ୟପୁର ଗାଁର ରାମହରି ଗୋସ୍ୱାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀ । ସେହିଭଳି ଅନ୍ୟମାନେ ହେଲେ ନୟାଗଡ଼ ରଣପୁର ମଝିଖଣ୍ଡର ଈଶ୍ୱର ବିଶୋୟୀ, ଭଦ୍ରକ ଧାମନଗର କମାରବନ୍ଧର ବ୍ରଜକିଶୋର ରାଉତ ସମ୍ମାନିତ ହେବେ ।

ଜଗତସିଂହପୁର ବାଲିକୁଦା ଭଗବାନ ସିନ୍ଧୋଳ ଗାଁର ବିଶ୍ୱନାଥ ଦାସ, ସମ୍ବଲପୁର ମୁରା କଲମୀ ଗାଁର ଦେବାନନ୍ଦ ଗୁପ୍ତା, ନୟାଗଡ଼ କଣ୍ଟିଲୋର ସହଦେବ ବେହେରା, କେନ୍ଦ୍ରାପଡ଼ା ହାଟବାଣପୁରର ମକରଧ୍ୱଜ ଦାସ, ଯାଜପୁର କାଇପଡ଼ାର ଦଧିଚି ସାହୁଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ ।

ଭୂତାଣୁ ସହ ଯୁଦ୍ଧ ସମୟରେ ବି ନିର୍ବାଚନ ନିଶା

ଭୁବନେଶ୍ୱର(ଶତ୍ରୁଘ୍ନ ବିଶ୍ୱାଳ): ପୌର ନିର୍ବାଚନ ନେଇ ରାଜନୀତି । ସମ୍ବିଧାନର ଦ୍ୱାହି ଦେଇ ସ୍ୱର ଉଠାଇଲେ ବିରୋଧୀ । ପୌର ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବାର ବର୍ଷେ ଉପରେ ହେଲାଣି । କିନ୍ତୁ ନିର୍ବାଚନ ପ୍ରତି ଦୃଷ୍ଟି ଦିଆଯାଉନାହିଁ ବୋଲି ବିରୋଧୀ କହିଛନ୍ତି । ବିଜେଡି ଏହାର ଜବାବ ରଖିଛି ।

ଜୀବନ ସଂଗ୍ରାମ ବେଳେ ରାଜନୀତି । ଭୂତାଣୁ ସହ ଯୁଦ୍ଧ ସମୟରେ ବି ନିର୍ବାଚନ ନିଶା । ପୌର ନିର୍ବାଚନ ପାଇଁ ବିରୋଧୀଙ୍କ ଦାବି । କଟକଣା ଭିତରେ ବି ହେଉ ନିର୍ବାଚନ । ଏଭଳି ଦାବି ରଖିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କହିଛନ୍ତି, କାର୍ଯ୍ୟକାଳ ସରିବାର ବର୍ଷେ ପରେ ବି ପୌର ନିର୍ବାଚନ ହୋଇନାହିଁ । ଆଗରୁ ନିଷ୍ପତ୍ତି ହୋଇଥିଲେ ନିର୍ବାଚନ ସରିଥାନ୍ତା । କିନ୍ତୁ ଏବେ କରୋନା ସଂକ୍ରମଣ ଯୋଗୁ କେନ୍ଦ୍ର ଉପରେ ରାଜ୍ୟ ସରକାର ଦୋଷ ଦେବେ ବୋଲି ବିଜେପି କହିଛି । କଂଗ୍ରେସ କହିଛି, ସାମାଜିକ ଦୂରତା ରକ୍ଷାକରି ନିର୍ବାଚନ କରିହେବ ।

ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । କରୋନା ସମୟରେ ରାଜ୍ୟସଭା ଉପନିର୍ବାଚନ ବି ହେଉନାହିଁ । କରୋନା ପାଇଁ ସମସ୍ତେ ଭୟଭୀତ । ସୁପ୍ରିମ୍‌କୋର୍ଟରେ ମାମଲା ମଧ୍ୟ ରହିଛି । ଆଇନରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି । କହିବା ସହଜ । କିନ୍ତୁ ନିର୍ବାଚନ ହୋଇନାହିଁ ବୋଲି କାମ ହେଉନାହିଁ କହିବା ଭୁଲ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।

ପୌର ନିର୍ବାଚନ ପ୍ରସଙ୍ଗ ପୂର୍ବରୁ ଅନେକ ଥର ଉଠିଛି । କିନ୍ତୁ ମାମଲା ସୁପ୍ରିମକୋର୍ଟରେ ଥିବାରୁ ନିର୍ବାଚନ ହୋଇପାରିନାହିଁ । ଏବେ ପୌରପାଳିକାର ସମସ୍ତ କାମ ପୌର ଅଧିକାରୀ ଏବଂ ପୂର୍ବତନ ଲୋକ ପ୍ରତିନିଧିମାନେ ମିଶି କାମ କରୁଛନ୍ତି । ସ୍ଥିତି ସ୍ୱାଭାବିକ ହେଲେ ନିର୍ବାଚନ ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

ସୀମାରେ ବଢ଼ୁଛି ତିକ୍ତତା, ଭାରତ ଉପରକୁ ଗୁଳିବର୍ଷା କଲା ନେପାଳ…

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ଏବେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ହେବ ବୋଲି କୁହାଯାଉଥିବା ବେଳେ ନେପାଳ ପକ୍ଷରୁ ଗୁଳି ବର୍ଷା କରାଯାଇଛି । ନେପାଳର ଏଭଳି ଆଚରଣ ଯୋଗୁଁ ଜଣେ ଭାରତୀୟ ଯୁବକ ଗୁରୁତର ହୋଇଛନ୍ତି । ଉକ୍ତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Nepal Border  ଏହି ଘଟଣା ବିହାରର କିଶାନଗଞ୍ଜ ଜିଲ୍ଲାର ଟେଢ଼ାଗାଛର ଫତେହପୁରର ଭାରତ-ନେପାଳ ସୀମାରେ ଘଟିଛି । ଯେଉଁଠାରେ ଶନିବାର ରାତିରେ ନେପାଳ ପୋଲିସ ତିନି ଜଣ ଭାରତୀୟ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲା । ଯେଉଁଥିରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଆହତ ଯୁବକଙ୍କୁ ଅନାନ-ଫାନାନରେ ଚିକିତ୍ସା ପାଇଁ ଟେଢ଼ାଗାଛ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା, ପରେ ତାଙ୍କୁ ଭଲ ଚିକିତ୍ସା ପାଇଁ ରେଫରାଲ ଡାକ୍ତରଖାନାକୁ ପଠାଯାଇଥିଲା ।

Nepal Border

ଯୁବକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଯୁବକ ଜଣକୁ ପୁର୍ନିଆରେ ଚିକିତ୍ସା କରାଯାଉଛି । ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁଯାୟୀ, ଗୁରୁତର ଯୁବକ ହେଉଛନ୍ତି ଜିତେନ୍ଦ୍ର କୁମାର ସିଂ (୨୫) । ଜିତେନ୍ଦ୍ର ଏବଂ ତାଙ୍କର ଦୁଇ ସାଥୀ ଅଙ୍କିତ କୁମାର ସିଂ ଏବଂ ଗୁଲଶାନ କୁମାର ସିଂ ଭାରତ-ନେପାଳ ସୀମାରେ ଥିବା ମାଫି ଟୋଲା ଏବଂ ମଲ୍ଲା ଟୋଲାକୁ ରାତି ପ୍ରାୟ ସାଢ଼େ ସାତଟାରେ ଗୋରୁ ଖୋଜିବା ପାଇଁ ଯାଇଥିଲେ ।

Nepal Border

ଗ୍ରାମବାସୀଙ୍କ କହିବାନୁସାରେ, ଗାଁରୁ ବାହାରେ ଥିବା ଚାଷ ଜମି ଆଡକୁ ଯିବା ପରେ ସୀମାରେ ଅବସ୍ଥାପିତ ନେପାଳ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଯେଉଁଥିରେ ଜିତେନ୍ଦ୍ର କୁମାର ସିଂଙ୍କୁ ଗୁଳି ବାଜିଛି । ପରେ ଜିତେନ୍ଦ୍ର କୁମାର ସିଂଙ୍କୁ ତାଙ୍କର ଦୁଇ ସାଙ୍ଗ ତଥା ସ୍ଥାନୀୟ ଗ୍ରାମବାସୀ ଘରକୁ ଆଣିଥିଲେ । ଏହି ଘଟଣାର ସୂଚନା ସ୍ଥାନୀୟ ପୋଲିସ ଏବଂ ଦ୍ୱାଦଶ ବାଟାଲିୟନର ଏସଏସବି ଫତେହପୁରକୁ ଦିଆଯାଇଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ନେପାଳ ପକ୍ଷରୁ ଗୁଳି ବର୍ଷ କରାଯାଇଥିଲା । ଚଳିତ ବର୍ଷ ଜୁନ୍ ମାସରେ ନେପାଳ ପକ୍ଷରୁ ଗୁଳି କରାଯାଇଥିଲା । ଏହି ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହାସହ ଚାରି ଜଣ ଆହତ ମଧ୍ୟ ହୋଇଥିଲେ । ଏହି ଘଟଣା ବିହାରର ଭାରତ-ନେପାଳ ସୀମା ନିକଟ ସୀତାମାଢ଼ୀର ସୋନବରସା ଥାନା ଅଧିନରେ ଘଟିଛି ।

ପ୍ରସୂତୀ ପଜିଟିଭ୍ ପରେ କ୍ୱାରେଣ୍ଟାଇନରେ ଡାକ୍ତରଙ୍କ ସହ ୬୦ ଜଣ, ୫ ନର୍ସିଂହୋମ୍ ସିଲ୍

ଢେଙ୍କାନାଳ: ସଂକ୍ରମଣ କାଳରେ ବଢ଼ିଲା ଚିନ୍ତା । ପ୍ରସୂତୀ କରୋନା ପଜିଟିଭ୍ ପରେ ସିଲ୍ ହେଲା ୫ ନର୍ସିଂହୋମ୍ । ଢେଙ୍କାନାଳରେ ଜଣ ପ୍ରସୂତୀ କଟକରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୟ ଖେଳି ଯାଇଛି । ପ୍ରତିଷେଧକ ପଦକ୍ଷେପ ପ୍ରକାରେ ପ୍ରଶାସନ ୫ଟି ନର୍ସିଂହୋମକୁ ସିଲ୍ କରିଥିବା ବେଳେ ଡାକ୍ତର ଓ ଷ୍ଟାଫ ନର୍ସଙ୍କ ସମେତ ପ୍ରାୟ ୬୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

FILE

ପ୍ରସବ ପାଇଁ ପ୍ରଥମେ ମହିଳା ଜଣଙ୍କୁ ଢେଙ୍କାନାଳର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ନମିଳିବାରୁ ସେ ଆଉ ୪ଟି ନର୍ସିଂହୋମ୍ ସହ ୨ ଅଲ୍ଟ୍ରାସାଉଣ୍ଡ କ୍ଲିନିକକୁ ଯାଇଥିଲେ । ଏଥିସହ ଗୋଟିଏ ମେଡିସିନ୍ ଷ୍ଟୋରକୁ ଯାଇଥିଲେ । ଶ୍ୱାସକ୍ରିୟାରେ ବାଧା ଉପୁଜିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା ପରେ ତାଙ୍କ ନମୁନା ପଜିଟିଭ୍ ଆସିଛି ।

FILE

ପ୍ରସୂତୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ସତର୍କତା ମୂଳକ ପଦକ୍ଷେପ ନେଇଛି । ପ୍ରସୂତୀ ଯାଇଥିବା ୫ଟି ନର୍ସିଂହୋମକୁ ସିଲ୍ କରାଯାଇଛି । ଏଥିସହ ପ୍ରସୂତୀଙ୍କ ଚିକିତ୍ସା କରିଥିବା ଓ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ନର୍ସ, ଡାକ୍ତର ଏମିତି ୬୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି ।

(ଢେଙ୍କାନାଳରୁ ସତ୍ୟସ୍ୱରୂପ ଦାସ)

ଓକିଲ ସ୍ପ୍ରେଡର ! ଗୋଟିଏ ୱାର୍ଡକୁ ଛାଡ଼ି କଣ୍ଟେନମେଣ୍ଟ ଜୋନରେ ପୌର ପରିଷଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ । ବାଲି ପଣସପଡ଼ିର କରୋନା ସଂକ୍ରମିତ ଆଇନଜୀବୀ ଓ କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ପରେ ପ୍ରଶାସନ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଆଇନଜୀବୀ ଫୁଲବାଣୀ ପୌର ପରିଷଦର ସମସ୍ତ ଅଞ୍ଚଳକୁ ନିୟମିତ ଭାବରେ ଯିବା ଆସିବା କରୁଥିଲେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଣ ଜଣ କରି ବହୁ ଜଣଙ୍କ ସହିତ ମିଶିଥିଲେ ।

ଏଣୁ, କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଫୁଲବାଣୀ ପୌର ପରିଷଦର ୱାର୍ଡ ନଂ-୨(ଡାମିଗାଁ) ବ୍ୟତୀତ ଅନ୍ୟ ସମସ୍ତ ୱାର୍ଡ ଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ସେହିପରି ଫୁଲବାଣୀ ପୌର ପରିଷଦକୁ ଲାଗିଥିବା ସାର୍ତ୍ତାଗୁଡ଼ା, କୁମ୍ଭାର ଗୁଡ଼ା, ଲେଙ୍ଗେର ସାହି, ତେରାଗୁଡ଼ା, ଗୁଦାରି, ସାଇନିପଡ଼ା, ଆଇ.ଟି.ଆଇ., ସୁଲୁକେଡି ଅଞ୍ଝଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।

ସେହିପରି କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି, କଲୋନି ସାହି, ବାହାଡ଼ାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡ଼ା, ପେଣ୍ଡି ପଦର, ଗୁଣ୍ଡ୍ରାଗାଁ, ସାଲଗୁଡ଼ା, ମାଡିଗୁଡ଼ା, ଦାଶିଗୁଡ଼ା, ସୁର୍ସୁଡି, ବାନେଗାଁ, ଏବଂ ବଣ୍ଡାଗୁଡ଼ା ଗ୍ରାମ ପଞ୍ଝାୟତର ବଣ୍ଡାଗୁଡ଼ା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ମଧ୍ୟ ଘୋଷଣା କରିଛନ୍ତି । ସାରଙ୍ଗଗଡ଼କୁ ଲାଗିଥିବା ଟେଟ୍ରେଗାଁ, ପାଇବରାସାହି, ବଣ୍ଡୁଡ଼ି, ବଣ୍ଡଗୁଡ଼ା ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ବିଲାବାଡ଼ି, ଦାଡ଼ି, ଗସାଗୁଡ଼ା, ଜିରିଡ଼ିକିଆ ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ଜିରିଡ଼ିକିଆ, ମଗଡାଙ୍ଗିଆ, କାପୁଗୁଡ଼ା, ଗୁଞ୍ଜିଗାଁ, କାଣିବିଡ଼ିଆ ଏବଂ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଝାୟତର ବାଲ୍‌କିଡାଡ଼ି, ମଣିପଦର ଅଞ୍ଝଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।

କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଯେ କୌଣସି ପରିସ୍ଥିରେ ମଧ୍ୟ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି, ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଘର ନିକଟରେ ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।

(ଫୁଲବାଣୀରୁ ପ୍ରଶାନ୍ତ ଜେନା)