spot_img
Home Blog Page 6805

ବଲିଉଡ୍‌ରୁ ବହିଷ୍କାର ଦାବି: ପିଟିସନ୍‌ରେ ଦସ୍ତଖତ କଲେ ୧୫ ଲକ୍ଷ ୫୫ ହଜାରରୁ ଅଧିକ ଲୋକ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଆତ୍ମହତ୍ୟା ପରେ ଏବେ ବଲିଉଡ୍‌ରେ ପୁଣି ନେପୋଟିଜିମ୍‌ କଥା ଚର୍ଚ୍ଚାକୁ ଆସିଛି । ବଲିଉଡ୍‌ରେ ନେପୋଟିଜିମ୍‌ ଅଧିକ ମାତ୍ରାରେ ଚାଲିଥିବା ନେଇ ଏବେ ମାହୋଲ ସରଗରମ ରହିଛି । ଏଥି ସହିତ ସୋସିଆଲ ମିଡିଆରେ ବଲିଉଡର ବଡ଼ବଡ଼ ଫିଲ୍ମ ନିର୍ମାତା ଏବଂ ଅଭିନେତାମାନଙ୍କୁ ଘୋର ବିରୋଧ କରାଯାଉଛି । ଏହି କ୍ରମରେ ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ନାମକ ଜଣେ ଫେସବୁକ୍ ୟୁଜର୍ସ, ବଡ଼ ବଡ଼ ଅଭିନେତା ଓ ଫିଲ୍ମ ନିର୍ମାତାଙ୍କୁ ବଲିଉଡ୍‌ରୁ ବହିଷ୍କାର ପାଇଁ ଦାବି କରିଛନ୍ତି । ସେ ଏନେଇ ଏକ ଅଭିନବ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି । ଏକ ଅନ୍‌ ଲାଇନ୍‌ ପିଟିସନ୍‌ ଜରିଆରେ ସେ ଲୋକମାନଙ୍କ ମତ ଲୋଡ଼ିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ଅନ୍‌ଲାଇନ୍‌ ପିଟିସନ୍‌ରେ ତାଙ୍କ ମତକୁ ଅନେକ ସମର୍ଥନ ଜଣାଇଛନ୍ତି । ମାତ୍ର ୩୨ ଘଣ୍ଟା ମଧ୍ୟରେ ୧୫.୫୦ ଲକ୍ଷରୁ ଅଧିକ ଲୋକ ଏହି ଅନ୍‌ଲାଇନ୍‌ ପିଟିସନ୍‌ରେ ଦସ୍ତଖତ କରି ନିଜ ନିଜର ସମର୍ଥନ ଜାଣାଇଛନ୍ତି ।

ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ଏହି ଅନ୍‌ଲାଇନ୍‌ ପିଟିସନ୍‌ ଜୁନ୍ ୧୬ ତାରିଖ ସନ୍ଧ୍ୟାରେ ୬ଟା ୪୭ମିନିଟ୍‌ରେ Change.org ରେ ଆରମ୍ଭ କରିଥିଲେ । ସେ ଏହାକୁ ଫେସବୁକ୍‌ରେ ସେୟାର କରି ଲେଖିଛନ୍ତି, ‘ଦୟାକରି ଏଥିରେ ଦସ୍ତଖତ କରନ୍ତୁ ଏବଂ ଏହା ଅଂଶୀଦାର ହୁଅନ୍ତୁ । ଆମେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ଆଣିପାରିବା ଏବଂ ସମ୍ଭବତଃ ଏପରି ଘଟଣା ବାରମ୍ବାର ଘଟିବ କୁ ରୋକିପାରିବା’ ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି । ଜୟଶ୍ରୀ ୧୦ ଲକ୍ଷ ଦସ୍ତଖତ ପାଇବାର ଲକ୍ଷ୍ୟ ରଖି ଏହି ପିଟିସନ୍‌ ଆରମ୍ଭ କରିଥିଲେ ହେଲେ ଲୋକମାନେ ଏହାକୁ ଢ଼େର ସମର୍ଥନ ଦେଇଛନ୍ତି । ମାତ୍ର ୩୨ ଘଣ୍ଟାରେ ୧୨.୫୦ ଲକ୍ଷରୁ ଅଧିକ ଲୋକ ଏଥିରେ ଦସ୍ତଖତ କରିସାାରିଛନ୍ତି ।

ଜୟଶ୍ରୀ ଶ୍ରୀକାନ୍ତ କିଏ?

ଜୟଶ୍ରୀଙ୍କ ଫେସବୁକ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ବଲିଉଡର ଜଣେ କୋରିଓଗ୍ରାଫର, କଳାକାର, ନିର୍ଦ୍ଦେଶକ ଏବଂ ରେଡିଓ ଜକି ବୋଲି ଜଣାପଡ଼ିଛି । ସେ ନାଇରୋବି କେନିଆର ରୁହନ୍ତି । କିନ୍ତୁ ବର୍ତ୍ତମାନ ସେ ପ୍ରିନ୍‌ସଟନ୍ (ନ୍ୟୁ-ଜର୍ସି) ରେ ରହୁଛନ୍ତି । ସେ ଉତ୍ତର ଆମେରିକାର ଦକ୍ଷିଣ ଏସୀୟ ରେଡିଓ ଷ୍ଟେସନ ରାକୁସ୍ ଏଭେନ୍ୟୁରେ ରେଡିଓ ଜକି ଭାବେ କାମ କରୁଛନ୍ତି ।

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ..

ଭୁବନେଶ୍ୱର: ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ୭୩ ସୁସ୍ଥଙ୍କ ମଧ୍ୟରେ କନ୍ଧମାଳରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ କେନ୍ଦୁଝରରୁ, ୧୦ ଜଣ  ଖୋର୍ଦ୍ଧା ଅଞ୍ଚଳରୁ, ୯ ଜଣ ଭଦ୍ରକରୁ, ୭ ଜଣ ଯାଜପୁରରୁ, ୬ ଜଣ ମୟୁରଭଞ୍ଜରୁ, ୪ ଜଣ ଗଞ୍ଜାମରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କଟକ ସହରରୁ ମଧ୍ୟ ୩ ଜଣ ସୁସ୍ଥ ହୋଇଛଥିବା ସୂଚନା ମିଳିଛି । ଅନ୍ୟପଟେ ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ାରୁ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଜଣେ ବଲାଙ୍ଗିରରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ରାଜ୍ୟରେ ବୁଧବାର ସୁଦ୍ଧା ୩୦୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଯେଉଁମାତ୍ରେରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତାହାଠାରୁ ଅଧିକ ମାତ୍ରାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହା ରାଜ୍ୟ ପାଇଁ ଏକ ଭଲ ଖବର ବୋଲି କୁହାଯାଇପାରେ ।

ଶହୀଦଙ୍କ ପାଇଁ ମୋଦିଙ୍କ ନୀରବ ପ୍ରାର୍ଥନା: କହିଲେ, ‘ମାରି ମାରି ଶହୀଦ ହୋଇଛନ୍ତି ଯବାନ’

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ  ପ୍ରଧାନମନ୍ତ୍ରୀ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ବୈଠକ ଆରମ୍ଭ ପୂର୍ବରୁ ଚୀନ ସୀମାରେ ଦେଖାଦେଇଥିବା ହିଂସାରେ ଶହୀଦ ହୋଇଥିବା ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Image

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତକୁ ଉସକାଇଲେ ସେ ତାହାର ଯଥା ସମ୍ଭବ ଉତ୍ତର ଦେବାକୁ ସକ୍ଷମ । ଦେଶ ଶାନ୍ତି ଚାହେଁ । କିନ୍ତୁ ଜବାବ ଦେବା ବି ଭଲ ଭାବେ ଜଣା । ଭାରତ ନିଜ ଅଖଣ୍ଡତା ସହ ସାଲିସ କରିବ ନାହିଁ । ସେ ଆହୁରୀ କହିଛନ୍ତି ଯେ, ଆମ ଯବାନ  ମାରି ମାରି ଶହୀଦ ହୋଇଛନ୍ତି, ମୁଁ ଦେଶକୁ ଭରସା ଦେବାକୁ ଚାହୁଁଛି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ।’ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ପୂର୍ବରୁ ଯବାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କଲେ ମୋଦି ।  

ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ

ଭାରତ-ଚୀନ୍‌ ସୀମାରେ ଦୁଇ ଓଡ଼ିଆ ସହିଦ ଯବାନଙ୍କ ପ୍ରତି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସୀମାରେ ଥିବା ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ଗତ କିଛି ଦିନ ଧରି ଭାରତ ଓ ଚୀନ୍‌ ମଧ୍ୟରେ ଲାଗିରହିଥିବା ତକ୍ତତା ଫଳରେ ମଙ୍ଗଳବାର ଭାରତର ପ୍ରାୟ ୨୦ ଜଣ ଯବାନ ସୀମାରେ ଲଢ଼େଇ କରି ସହିଦ ହୋଇଛନ୍ତି । ଏଥିରେ ଦୁଇ ଜଣ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ରହିଛି । ତେବେ ଦୁଇ ଓଡ଼ିଆ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ ଜରିଆରେ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି । ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।’

ଏହା ପୂର୍ବରୁ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୨୦ ଜଣ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ସହିଦ ଯବାନ ମାନଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

ସୀମା ବିବାଦକୁ ନେଇ ଡିଏସ୍କାଲେସନ ପ୍ରକ୍ରିୟା ଅର୍ଥାତ ଆପୋଷ ବୁଝାମଣା ଚାଲିଥିବାବେଳେ ହଠାତ୍‌ ଚୀନ ଉତ୍ତ୍ୟକ୍ତ ହୋଇଉଠିଥିଲା । ସୋମବାର ରାତିରେ ଗଲୱାନା ଘାଟିର ପାଟ୍ରୋଲିଂ ପଏଣ୍ଟ-୧୪ ନିକଟରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସେମାନଙ୍କ ଉପରକୁ ଚୀନ୍ ସୈନିକ ପଥର ମାଡ କରିଥିବା ଜଣାପଡିଛି । ଭାରତର ପାଲଟା ଆକ୍ରମଣରେ ୪୩ରୁ ଅଧିକ ଚୀନ୍ ସୈନିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଚୀନ୍ ଏହାକୁ ଆଧିକାରିକ ଭାବେ ଏପର୍ଯ୍ୟନ୍ତ ସ୍ୱୀକାର କରି ନାହିଁ । ନିଜ ନାଗରିକଙ୍କ ସାମ୍ନାରେ ଅପଦସ୍ତ ନହେବା ପାଇଁ ଚୀନ୍ ସୈନିକଙ୍କ ମୃତ୍ୟୁ ବାବଦରେ ସୂଚନା ଲୁଚାଉଛି ବୋଲି ମଧ୍ୟ କୁହାଯାଉଛି ।

କରୋନା ମୁକାବିଲା ନେଇ ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ମାନବ ଜାତି ପାଇଁ ଶ୍ରେଷ୍ଠ ଉପାୟ । ସାମାଜିକ ଦୂରତ୍ୱ ମାସ୍କ ବ୍ୟବହାର ସହ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ କରୋନାର ଭୟାଭୟତାକୁ ହ୍ରାସ କରି ହେବ । ରାଜ୍ୟବାସୀଙ୍କ ସହଯୋଗ ଦ୍ୱାରା ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହଯାଇଛି ଯେ, ରାଜ୍ୟରେ ଦଶ ହଜାର ସଯ୍ୟ ପ୍ରସ୍ତୁତ କରାସରିଛି । ଏଥିସହ ଆବଶ୍ୟକୀୟ ଉପକରଣ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ମଧ୍ୟ ଦିଆଯାଇଛି । କରୋନା ଆରୋଗ୍ୟ ହାର ଏବଂ କରୋନା ମୃତ୍ୟୁ ହାର ଉଭୟରେ ଓଡ଼ିଶା ଅନ୍ୟମାନଙ୍କଠାରୁ ଭଲ ସ୍ଥିତିରେ ରହିଛି । ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ରାଜ୍ୟ ବାହାରେ ରହୁଥିବା ପ୍ରାୟ ୫ ଲକ୍ଷ ଓଡ଼ିଆ ଘରକୁ ଫେରିଛନ୍ତି । ସେମାନଙ୍କ ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଛି । ଏଗୁଡ଼ିକର ପରିଚାଳନା ପାଇଁ ସରପଞ୍ଚଙ୍କ କାର୍ଯ୍ୟ ପ୍ରଶଂସନୀୟ । ସେମାନଙ୍କ ପରିଶ୍ରମ ଓ ତ୍ୟାଗ କରୋନା ସଂକ୍ରମଣକୁ ହ୍ରାସ କରିଛି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଜୁନ୍‌ ମାସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକଥା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେତେଇ ସାରିଛନ୍ତି । ଲକ୍‌ଡାଉନ୍‌ ଧିରେ ଧିରେ ଖୋଲିବା ସହ ଯାତାୟତ ସ୍ୱାଭାବିକ୍‌ ହେବାରେ ଲାଗିଛି । ତେଣୁ କୋଭିଡ୍‌ ପରିଚାଳନାର ବିକେନ୍ଦ୍ରୀ କରଣ ସମୟର ଆହ୍ୱାନ ହୋଇଛି । କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ଗୁରୁତର ରୋଗୀଙ୍କଠାରୁ ଆରମ୍ଭ କରି ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ରୋଗୀ ମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦିଆଯାଇଛି । ବୟସ୍କ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଛି ।

କୋଭିଡ୍‌ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବାକୁ ସବୁ ଗାଁ ଏବଂ ସହରରେ ଓ୍ୱାର୍ଡ ସ୍ତରୀୟ କମିଟି ଗଠନ କରାଯାଇଛି । ଓ୍ୱାର୍ଡ ସ୍ତରୀୟ ଲୋକପ୍ରତିନିଧୀଙ୍କ ସମେତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ଏହି କମିଟିରେ ରହିବେ । କରେନା ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯିବ । ପୁରପଲ୍ଲୀରେ ଥିବା ଗାଁ କଲ୍ୟାଣ ସମିତି କୋଭିଡ୍‌ ପରିଚାଳନା ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ପ୍ରତି କମିଟି ଦଶ ହଜାର ଟଙ୍କା ଖର୍ଚ୍ଚ କରିବାର କ୍ଷମତା ରହିବ । କୋଭିଡ୍‌ କେୟାର ହୋମ୍‌ର ପରିଚାଳନା ଦାୟିତ୍ୱ ପୂର୍ବ ଭଳି ସରପଞ୍ଚଙ୍କ ହାତରେ ନ୍ୟସ୍ତରହିବ । ଆଗକୁ ଏହି ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଅନୂରୁପ ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।

ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗରେ ସଲମାନଙ୍କ ସମେତ ୮ ଜଣଙ୍କ ନାଁରେ ଏତଲା

ମୁଜଫରପୁର: ବଲିଉଡରେ ଏକ ଉଚ୍ଚକୋଟିର କଳାକାର ଭାବେ ଗଢ଼ିଉଠୁଥିବା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ଜୋର ଧରିବାରେ ଲାଗିଛି । ଗୋଟେପଟେ ଏହି ଘଟଣାକୁ ନେଇ ପଟନାରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଆତ୍ମହତ୍ୟାର ଏହି ମାମଲାରେ ବିହାର ମୁଜାଫରନଗରରେ ବଲିଉଡରେ ଭାଇଜାନ ବୋଲାଉଥିବା ସଲମାନ ଖାନଙ୍କ ସମେତ ୮ଜଣ  ବ୍ୟକ୍ତିଙ୍କ ନାମରେ ଏତଲା ଦାଖଲ କରାଯାଇଛି ।

ଆତ୍ମହତ୍ୟା କରିବାକୁ ଉସକାଇଥିବା ନେଇ ଅଭିଯୋଗ

ନିର୍ମାତା କରଣ ଜୋହର, ଆଦିତ୍ୟ ଚୋପ୍ରା, ଏକତା କପୁର, ସଞ୍ଜୟ ଲୀଲା ଭନସାଲୀ, ସାଜିଦ ନାଦିଆଡୱାଲାଙ୍କ ସମେତ ସଲମାନ ଖାନଙ୍କ ସମେତ ଚଳଚ୍ଚିତ୍ର ଦୁନିଆର ୮ ଜଣ ବ୍ୟକ୍ତିଙ୍କ ବିରୋଧରେ ସୁଧୀର ଓଜା ଅଭିଯୋଗ କରିଛନ୍ତି । ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ମୃତ ଅଭିନେତା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଅଭିଯୋଗରେ ଲେଖିଛନ୍ତି ଯେ ସୁଶାନ୍ତ ବିହାରର ବାସିନ୍ଦା ଏବଂ ତାଙ୍କ ପ୍ରତିଭା ଯୋଗୁଁ ସେ ଇଣ୍ଡଷ୍ଟ୍ରିରେ ଏକ ଭଲ ନାମ କମାଇଥିଲେ । ତେଣୁ ଏହି ସମସ୍ତ ଅଭିଯୁକ୍ତ ସୁଶାନ୍ତଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ତାଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ନଦେବାକୁ ଚେଷ୍ଟା କରିଥିଲେ।

ଏହି ଆଧାରରେ ଦାଖଲ କରାଯାଇଛି କେସ୍

ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ କରନ ଜୋହର ଏବଂ ଆଦିତ୍ୟ ଚୋପ୍ରା ସୁଶାନ୍ତଙ୍କ ଫିଲ୍ମ ‘ପାନି’ ରିଲିଜକୁ ବନ୍ଦ କରିବାକୁ ଷଡଯନ୍ତ୍ର କରିଥିଲେ। ଏହି ସବୁ ପରିସ୍ଥିତିରେ ସୁଶାନ୍ତ ଏହି ପଦକ୍ଷେପ ନେଇଥିଲେ। ଏହି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା 306/109/504/506 ଅନୁଯାୟୀ ସିଜେଏମ୍ କୋର୍ଟରେ ଏକ ମକୋଦ୍ଦମା ଦାୟର କରାଯାଇଛି ଯାହା କୋର୍ଟ ଗ୍ରହଣ କରିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୩ ତାରିଖ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ବୁଧବାର ଦିନ ସୁଶାନ୍ତ ସିଂଙ୍କ ପିତା କେ.କେ ସିଂ ମୁମ୍ବାଇରୁ ପୁଅର ଅସ୍ତି କଳସ ନେଇ ପାଟନାରେ ପହଞ୍ଚିଥିଲେ। ପରିବାର ସହ ଜଡିତ ଲୋକମାନେ କହିଛନ୍ତି ଯେ ସୁଶାନ୍ତଙ୍କ ଅସ୍ତି କଳସ ପାଟଣାର ଏକ ଗଙ୍ଗା ଘାଟରେ ବିସର୍ଜିତ କରାଯିବ ।

ମୁମ୍ବାଇରୁ ପଟନା ଫେରିଲେ ବାପା

ରବିବାର ଦିନ ମୁମ୍ବାଇ ଫ୍ଲାଟରେ ଫାଶୀ ଲଗାଇ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ସମଗ୍ର ଦେଶ ସମେତ ବଲିଉଡ ଜଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଅତ୍ୟନ୍ତ ନିରାଶ ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ପାଟନା ଏବଂ ନାଲନ୍ଦାରେ ତାଙ୍କର ଦୁଇ ପ୍ରଶଂସକ ଅବସାଦରେ ଆତ୍ମହତ୍ୟା କରିଥିବାବେଳେ ପୂର୍ବରୁ ଅସୁସ୍ଥ ଥିବା ତାଙ୍କ ସମ୍ପର୍କୀୟ ଭାଉଜଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁକୁ ସେ ସହଜରେ ନେଇ ପାରିନଥିଲେ ।

ପାଟନାରେ ଜାରି ରହିଛି ବିରୋଧ ପ୍ରଦର୍ଶନ

ସୁଶାନ୍ତଙ୍କ ମୃତ୍ୟୁ ପରେ ଲୋକଙ୍କ କ୍ରୋଧ ଏବେ ଚରମ ସୀମାରେ ପହଞ୍ଚିଛି । ମଙ୍ଗଳବାର ଦିନ ରାଜଧାନୀ ପାଟନା ସମେତ ଅନ୍ୟ ଅଞ୍ଚଳରେ ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

LACରେ ଦେଶ ପାଇଁ ବଳିଦାନ ଦେଇଥିବା କର୍ଣ୍ଣଲ ସାନ୍ତୋଷ ବାବୁଙ୍କ ଜୀବନର ଅଜଣା କଥା…

ତେଲେଙ୍ଗାନାର କର୍ଣ୍ଣଲ ସାନ୍ତୋଷ ବାବୁ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ । ଭାରତୀୟ ସୀମାର ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣଲ ସନ୍ତୋଷଙ୍କୁ ୧୮ ମାସ ପାଇଁ ଲଦାଖରେ ପୋଷ୍ଟିଂ କରାଯାଇଥିଲା । କୁହାଯାଉଛି ଯେ ଜୁନ୍ ୬ର ବୈଠକ ପରେ କର୍ଣ୍ଣେଲ ଗାଲବାନ୍ ଘାଟି ଉପରେ ଅଡ଼ି ବସିଥିଲେ । ଚୀନ୍ ସେନା ଏହି ଅଞ୍ଚଳରୁ ହଟିବା ପର୍ଯ୍ୟନ୍ତ ସେମାନେ ସେଠାରେ ହିଁ ରହିବାର ଥିଲା । ସେ ଏହି ଅଞ୍ଚଳରେ ନେତୃତ୍ୱ କରିଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ କର୍ଣ୍ଣଲ ସନ୍ତୋଷ ବାବୁ ଏଥିରେ ସହିଦ ହୋଇଥିଲେ।

୧୪ଜୁନ୍ ରେ ବାପାଙ୍କ ସହିତ ଶେଷ କଥାବାର୍ତ୍ତା ହୋଇଥିଲା

କର୍ଣ୍ଣଲ ସନ୍ତୋଷ ଆନ୍ଧ୍ରପ୍ରଦେଶର କୋରୁକୋଣ୍ଡାସ୍ଥିତ ସୈନିକ୍ ସ୍କୁଲରେ ଯୋଗ ଦେଇଥିଲେ ଏବଂ ଏହା ପରେ ସେ ସେନାରେ ଭର୍ତ୍ତି ହୋଇଥିଲେ । ସେ ଜୁନ୍ ୧୪ ରେ ତାଙ୍କ ଘର ସହ କଥା ହୋଇଥିଲେ ଏବଂ ଯେତେବେଳେ ପିତା ତାଙ୍କୁ ସୀମାର ପରିସ୍ଥିତି ବିଷୟରେ ପଚାରିଥିଲେ, ସେ କହିଥିଲେ, ‘ତୁମେ ମୋତେ ଏହା ପଚାରିବା ଉଚିତ୍ ନୁହେଁ । ମୁଁ ଆପଣଙ୍କୁ କିଛି କହିପାରିବି ନାହିଁ ମୁଁ ଫେରିବା ପରେ କଥା ହେବି । ‘

‘ଟିଭିରେ ଯାହା ଦେଖାଯାଉଛି ତାହା ସତ୍ୟଠାରୁ ବହୁତ ଭିନ୍ନ’

ପରଦିନ ରାତିରେ ହିଁ କର୍ଣ୍ଣଲ ସନ୍ତୋଷ ଗାଲବାନ ଉପତ୍ୟକାରେ  ସହିଦ୍ ହୋଇଥିଲେ । କର୍ଣ୍ଣଲ ତାଙ୍କ ଘରେ କହିଥିଲେ ଯେ ସୀମାରେ ଥିବା ବାସ୍ତବତା ଟିଭି ନ୍ୟୁଜ୍ ଦେଖାଯାଉଥିବା ବିଷୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। କର୍ଣ୍ଣଲ ସନ୍ତୋଷଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଉଥିଲା କିନ୍ତୁ କରୋନା ଭାଇରସ୍ ଲକଡାଉନ୍ ହେତୁ ଏହା ବିଳମ୍ବ ହୋଇଥିଲା।

କର୍ଣ୍ଣଲ ସନ୍ତୋଷଙ୍କ ପିତା କହିଛନ୍ତି ଯେ, ‘ସେ ସେନାରେ ଯୋଗଦେବାକୁ ଚାହୁଁଥିଲେ କିନ୍ତୁ କରିପାରିନଥିଲେ । ଯେତେବେଳେ ତାଙ୍କ ପୁଅକୁ ୧୦ ବର୍ଷ ହୋଇଥିଲା, ସେତେବେଳେ ସେ ତାଙ୍କୁ ୟୁନିଫର୍ମ ପିନ୍ଧାଇ ଦେଶ ସେବା କରିବାର ସ୍ୱପ୍ନ ଦେଖାଇଥିଲେ । ସୈନିକ ସ୍କୁଲରେ ପଢିବା ପରେ କର୍ଣ୍ଣଲ ସନ୍ତୋଷ ଏନଡିଏ ଏବଂ ପରେ ଆଇଏମଏକୁ ଯାଇଥିଲେ । କର୍ଣ୍ଣଲଙ୍କ ପିତା ଏବଂ ମାତା ମଞ୍ଜୁଲା ତେଲେଙ୍ଗାନାର ସୂର୍ୟପେଟରେ ରୁହନ୍ତି।

କର୍ଣ୍ଣେଲଙ୍କ ପତ୍ନୀ ସନ୍ତଷୀ ତାଙ୍କ ୮ ବର୍ଷର ଝିଅ ଏବଂ ୩ ବର୍ଷର ପୁଅ ସହିତ ଦିଲ୍ଲୀରେ ରୁହନ୍ତି । କର୍ଣ୍ଣଲଙ୍କ ପିତାକହିଛନ୍ତି ଯେ, ତାଙ୍କ ପୁଅ ୧୫ ବର୍ଷରେ ୪ ଥର ପ୍ରମୋସନ ପାଇଥିଲେ । ଜଣେ ପିତା ଭାବରେ ସେ ଚାହୁଁଥିଲେ ଯେ, ତାଙ୍କ ପୁଅ ଆହୁରି ଉନ୍ନତି କରୁ । ସେ ଜାଣିଥିଲେ ଯେ ସେନା ଜୀବନରେ ଅନିଶ୍ଚିତତା ରହିଛି, ସେଥିପାଇଁ ସେମାନେ ସନ୍ତୁଷ୍ଟ ଯେ ତାଙ୍କ ପୁଅ ଦେଶ ପାଇଁ ସବୁଠୁ ବଡ ବଳିଦାନ ଦେଇଛି ।

ଦେଶରେ ଦିନକରେ ସର୍ବାଧିକ ୨ହଜାର କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ପ୍ରକୋପ । ଗୋଟିଏ ଦିନରେ ସର୍ବାଧିକ ୨ ହଜାର ୩ ଜଣକ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୦, ୯୭୪ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ୍‌ ୩ ଲକ୍ଷ ୫୪ ହଜାର ୬୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୧, ୯୦୩ ଜଣକ ଜୀବନ ନେଇଛି ମହାମାରୀ କରୋନା ଭୁତାଣୁ ।

୮୬ ହଜାର ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ୧ଲକ୍ଷ ୫୫ହଜାର ୨୨୭ ଜଣ ଏବେ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ମହାରାଷ୍ଟ୍ରରେ କରୋନାର ପ୍ରଭାବ ଢେର ଅଧିକ ରହିଛି, ଏଠାରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାର ନା ନେଉନି । ସେହିଭଳି ଦିଲ୍ଲୀ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁରେ ସ୍ଥିତି ସଂଘାତିକ ରହିଛି । ମୁକାବିଲା ପାଇଁ ସବୁ ସ୍ତରରେ ଚାଲିଛି ଜୋରଦାର ଉଦ୍ୟମ ।

ଚୀନ୍ ସହ ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମାରେ ସଂଘର୍ଷ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧୯ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୁହାଯାଇଛି ଯେ, ‘‘ ଭାରତ-ଚୀନ୍ ସୀମାରେ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ଚର୍ଚ୍ଚା ପାଇଁ ଜୁନ୍ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ଏହି ବୈଠକରେ ସାମିଲ ହେବେ ’’ । ୧୯ ତାରିଖ ସଂଧ୍ୟା ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖରେ ସୋମବାର ରାତିରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି । ତେବେ ଏହି ସଂଘର୍ଷରେ ଚୀନର ଅଧିକ କ୍ଷତି ହୋଇଥିବା କୁହାଯାଉଛି ।

ମୁଁ ବଞ୍ଚିଛି, ଲଦାଖରୁ ଯବାନଙ୍କ ଫୋନ୍ କଲ…

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ସହିଦ ହୋଇଥିବା ବିହାରର ସୈନିକଙ୍କ ମଧ୍ୟରୁ ସରାନ ଜିଲ୍ଲାର ଜଣେ ସୁନୀଲ ରାୟ ନାମକ ଯବାନ ସୁରକ୍ଷିତ ଥିବା ସୂଚନା ମିଳିଛି। ସୁନୀଲଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ସେନା ଅଧିକାରୀମାନେ କହିଛନ୍ତି ଯେ, ସମାନ ନାମ ଥିବା ନେଇ ଭୁଲ ବୁଝାମଣା ହେତୁ ଭୁଲ ତଥ୍ୟ ଆସିଛି । କିନ୍ତୁ ଲଦାଖରେ ସୁନୀଲ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି।

ଅପରପକ୍ଷରେ ଯବାନ ସୁନୀଲ ରାୟ ତାଙ୍କ ପରିବାର ସହ ଫୋନରେ କଥା ହୋଇ ସେ ଠିକ୍ ଅଛନ୍ତି ବୋଲି କହିହିଥିଲେ । ଏହା ପରେ ଶୋକର ବାତାବରଣ ସୁଖରେ ପରିଣତ ହୋଇଥିଲା। ଭାରତ-ଚୀନ୍ ସୀମା ବିବାଦ ଯୋଗୁଁ ଭାରତ ଏବଂ ଚୀନ୍ ମୁହାଁମୁହିଁ  ଘଟଣାରେ ଭାରତର ୨୦ ଜଣ ସୈନିକ ଶହୀଦ ହୋଇଛନ୍ତି । ଚୀନ ମଧ୍ୟ ଏଥିରେ ଅନେକ କ୍ଷତି ସହିଛି ।

ବିହାରର କିଛି ଯବାନ ଦେଶ ପାଇଁ ସହିଦ ହୋଇଛନ୍ତି । ସେଥିମଧ୍ୟରୁ ସହିଦ ହୋଇଥିବା ଯବାନ କୁନ୍ଦନ ଓଝା ବିହିଆ ଅଞ୍ଚଳର ପହରପୁର ଗ୍ରାମ ନିବାସୀ ରବି ଶଙ୍କର ଓଝାଙ୍କ ପୁଅ ଥିଲେ। ତାଙ୍କ ପରିବାର ପ୍ରାୟ ୩୦ ବର୍ଷ ଧରି ଝାଡ଼ଖଣ୍ଡର ସାହେବଗଂଜରେ ରହୁଛନ୍ତି। ମଙ୍ଗଳବାର ରାତିରେ ପୁଅ ସହିଦ ଖବର ଆସିବା ପରେ ଘର ସହ  ଗାଁର ପରିବେଶ ବଦଳିଯାଇଥିଲା । ସେଠାରେ ଶୋକର ପରିବେଶ ଛାଇଯାଇଥିଲା।

ଅନ୍ୟପକ୍ଷରେ  କୁନ୍ଦନ ନାମକ ସୈନିକଙ୍କ ପରିବାରରେ ଏବେ ଦୁଃଖର ପରିବେଶ ।  ଖୁବ ଶୀଘ୍ର ବାପା ହେବାର ଖୁସି ଖବର ପାଇଥାନ୍ତେ କୁନ୍ଦନ । ସେ ପ୍ରଥମଥର ପାଇଁ ବାପା ହୋଇଥାନ୍ତେ । ତାଙ୍କର ପ୍ରଥମ ସନ୍ତାନକୁ ଦେଖିବା ପୂର୍ବରୁସହିଦ ହୋଇଛନ୍ତି କୁନ୍ଦନ । ବିଳମ୍ବିତ ରାତିରେ ତାଙ୍କ ଗାଁକୁ ବୀର କୁନ୍ଦନ କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସୂଚନା ପାଇବା ପରେ ଗ୍ରାମବାସୀ ଦୁଃଖିତ ହେବା ସହ ତାଙ୍କ ପରିବାର ଲୋକେ ମଧ୍ୟ ଭାଙ୍ଗିପଡିଥିଲେ ।