spot_img
Home Blog Page 6816

ଆଦିତ୍ୟ ମୃତ୍ୟୁ ମାମଲା : ସିସିଟିଭି ଉଠାଇବ ରହସ୍ୟରୁ ପରଦା !

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟ ଘଟଣା । ସାତ ଦିନ ପରେ ବି ଜାରି ରହିଛି ସସପେନସ୍ । ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ କରୁଛି ୭ ଜଣିଆ  ଟିମ୍‌ । ୨୮ ଜଣଙ୍କ ବୟାନ ରେକର୍ଡ କରିଛି ଜିଆରପି । ମଙ୍ଗଳବାର ଏନେଇ ସୂଚନା ଦେଇଛି ଜିଆରପି ପୋଲିସ । ସେପଟେ ଆଦିତ୍ୟର ମୁଖ୍ୟ ସହଯୋଗୀ ପପୁ, ବିକାଶଙ୍କର ବି ବୟାନ ରେକର୍ଡ ହୋଇଛି । ୬ ତାରିଖ ସନ୍ଧ୍ୟା ୭ ଟା ସମୟରୁ ଘରୁ ବାହାରିଥିଲେ ଆଦିତ୍ୟ ବୋଲି ସୂଚନା ଦେଇଛି ପୋଲିସ ।

Aditya Dash

ବୃଦ୍ଧାଶ୍ରମ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସିସିଟିଭି ଜବତ ହୋଇଛି । ଆଦିତ୍ୟଙ୍କ ଘର ପାଖରେ ଥିବା ଏକ ପେଟ୍ରୋଲ ପମ୍ପରୁ ସିସିଟିଭି ଜବତ କରାଯାଇଛି । ସେଥିରୁ ଆଦିତ୍ୟ ଏକୁଟିଆ ଯାଉଥିବା ଦେଖିବାକୁ ମିଳିଛି । ପୁରୁଷୋତ୍ତମ ଏକ୍ସପ୍ରେସ ଦୁର୍ଘଟଣାରେ ଆଦିତ୍ୟର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାତି ୮ ରୁ ୯ ଟା ୩୦ ମଧ୍ୟରେ ଦୁର୍ଘଟଣା ହୋଇଥିବା ପୋଲିସ ସୂଚନା ଦେଇଛି ।

ଖାଲି ସେତିକି ନୁହେଁ ତାଙ୍କ ସହଯୋଗୀ ପପୁକୁ ଗତ କାଲି ସନ୍ଧ୍ୟାରେ ପ୍ରାୟ ୨ ରୁ ଅଢ଼େଇ ଘଣ୍ଟା ଧରି ମାରାଥନ ଜେରା କରାଯାଇଛି । ଆଶ୍ରମର ଇନ୍‌କମ ସୋର୍ସ କଣ ଥିଲା । ଟଙ୍କା କେଉଁ ଉପାୟରେ ଖର୍ଚ୍ଚ ହେଉଥିଲା । ଏବଂ ଦୁଇଟି କିସ୍ତିରେ ଯେଉଁ ଟଙ୍କା ନେଇଥିଲେ ସେନେଇ ପଚରା ଉଚରା କରିଛି ଜିଆରପି‌ । ସେପଟେ ୮ ରୁ ୯ ଟା ୩୦ ମଧ୍ୟରେ ଦୁର୍ଘଟଣା ହୋଇଛି ଏବଂ ସେହି ସମୟରେ ପୁରୁଷୋତ୍ତମ ଏକ୍ସପ୍ରେସ ସେହି ଟ୍ରାକ୍‌ ଦେଇ ଯାଇଛି ।

ସେଥିପାଇଁ ସେହି ଟ୍ରେନ୍‌ରେ ଥିବା ପାଇଲଟ ଏବଂ କର୍ମଚାରୀଙ୍କୁ ଡ଼ାକି ପଚରା ଉଚରା କରିବ ବୋଲି କହିଛି ଜିଆରପି । କାରଣ ସେଥିରୁ ଏହା ଜଣାପଡ଼ିବ ଆଦିତ୍ୟଙ୍କୁ କିଏ ଠେଲି ଦେଇଛି କି ସେ ତାଙ୍କ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି । ତେବେ ବୃଦ୍ଧାଶ୍ରମର ଆକାଉଣ୍ଟ ଥିବା ଏକ ଘରୋଇ ବ୍ୟାଙ୍କକୁ ଯାଇ ତଦନ୍ତ କରୁଛି ପୋଲିସ । ତାଙ୍କର କେତୋଟି ଆକାଉଣ୍ଟ ରହିଛି ଏବଂ ସେହି ଆକାଉଣ୍ଟକୁ କେଉଁଠୁ କେଉଁଠୁ ଡୋନେସନ ଆସୁଥିଲା ସେ ନେଇ ମଧ୍ୟ ତଦନ୍ତ କରୁଛି ଜିଆରପି ପୋଲିସ ।

ପୂର୍ବରୁ ଆଦିତ୍ୟ ଡାଏରୀକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ହସ୍ତାନ୍ତର କରିଛି ଜିଆରପି । ଜବତ ଡାଏରୀର ଲେଖା ହୋଇଥିବା ହସ୍ତାକ୍ଷର ଆଦିତ୍ୟଙ୍କର ନା ନାହିଁ ଯାଞ୍ଚ କରିବ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ହ୍ୟାଣ୍ଡ ରାଇଟିଂ ଯାଞ୍ଚ ଲେଖା ଆଦିତ୍ୟଙ୍କ ସ୍ପଷ୍ଟ ହୁଏ, ତାହା ହେଲେ ପୋଲିସର ତଦନ୍ତ  ଆତ୍ମହତ୍ୟା ଆଡକୁ  ଯିବ । ଯାଞ୍ଚରେ ହସ୍ତାକ୍ଷର ନ ମିଶେ, ତା ହେଲେ ଷ୍ଟୋରୀ ନେବ ନୂଆ ମୋଡ । କେବଳ ସେତିକି ନୁହେଁ ଲେଖା ଯଦି ଆଉ କାହାର ହୋଇଥିବ ତେବେ ତାକୁ କିଏ ଲେଖଛି, ସେ ନେଇ କାହାଣୀରେ ଆସିବ ଟ୍ୱିଷ୍ଟ । ହସ୍ତାକ୍ଷର  ଯାଞ୍ଚ ରିପୋର୍ଟ ଆସିଲେ ଡାଏରୀର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଏସପି ସୂଚନା ଦେଇଛନ୍ତି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁଙ୍କ ରିପୋର୍ଟ)

ଦିବ୍ୟାଙ୍ଗଙ୍କ ନାମ ଲେଖାକୁ ନେଇ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କରୋନା କାଳରେ ନାମ ଲେଖାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି । ବିନା ଗହଳିରେ କିପରି ନାମ ଲେଖା ପ୍ରକ୍ରିୟା ସରିବ ସେନେଇ ଅଭିଭାବକମାନେ ଚିନ୍ତାରେ ଥିବା ବେଳେ ଏବେ ଦିବ୍ୟାଙ୍ଗଙ୍କ ପାଇଁ ଆସିଛି ଖୁସି ଖବର । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏକ ନୂଆ ପଦକ୍ଷେପ ନେଇଛନ୍ତି ।  ଏଣିକି ଅନଲାଇନରେ ହେବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମ ଲେଖା । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରେ ଅନଲାଇନ ପୋର୍ଟାଲ ଆରମ୍ଭ ହୋଇଛି ।

ଏହି ଅନଲାଇନ ୱେବପୋର୍ଟାଲ ମାଧ୍ୟମରେ ଅଭିଭାବକମାନେ ପିଲାମାନଙ୍କ ନାମ ପଞ୍ଜିକରଣ କରାଇବେ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ୧୦୩ଟି ସ୍କୁଲ ଯିବାକୁ କାହକୁ ବି ଅନୁମତି ଦିଆଯିବ ନାହିଁ । ଏବଂ ବର୍ତ୍ତମାନ ସ୍ଥିତିରେ ସେହି ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ତେବେ ଦିବ୍ୟାଙ୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ଥିବା ୧୦୩ ସ୍ପେଶାଲ ସ୍କୁଲ ପାଇଁ ବିଭାଗ ଏହି ନିର୍ଦ୍ଦେଶ ଦେଇଛି । କରୋନା ସମୟରେ ଯେପରି ଆଡମିଶନ ପାଇଁ ଗହଳି ନ ହୁଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି । ତେବେ କିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ, ତାକୁ ନେଇ ବିଭାଗ ପ୍ରକ୍ରିୟା ସ୍ଥିର କରିବ । ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

(ଭୁବନେଶ୍ୱରରୁ ପ୍ରିୟପ୍ରିତମ ମହାନ୍ତି)

ଫିଲ୍ମ ଏବଂ ଟିଭି ସିରିଜ ସୁଟିଂରୁ ହଟିଲା ରୋକ୍, ସୁଟିଂ ପାଇଁ ଜାରି ହେଲା SOP

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ କେଉଁଭଳି ଭାବେ ପିଲ୍ମ, ଟିଭି ସିରିଏଲ ଏବଂ ଓଟିଟି ସିରିଜର ସୁଟିଂ ହେବ ତାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାର ହୋଇଛି । ଏହି ଏସ୍‌ଓପି ଇନ୍‌ ଡୋର ଏବଂ ଆଉଟ୍‌ ଡୋର ପାଇଁ ଲାଗୁ ହେବ । ଏସ୍‌ଓପିରେ କେତେ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ସୁଟିଂ ଓ ପୋଷ୍ଟ ପ୍ରଡକ୍‌ସନ କରାଯିବ ସେ ସମ୍ପର୍କରେ ସୂଚନା ଦିଆଯାଇଛି । ସୁଟିଂ ସେଟ୍‌ରେ ସାମାଜିକ ଦୂରତା ଓ ସାନିଟାଇଜେସନ ନିୟମକୁ ପାଳନ କରିବା ପାଇଁ ଏଥିରେ ଗୁରତ୍ୱ ଦିଆଯାଇଛି । ସହଯୋଗୀ ଓ କର୍ମଚାରୀଙ୍କୁ କୋଭିଡ ୧୯ ବିପଦ ସମ୍ପର୍କରେ ସଚେତନ କରାଇବା ପ୍ରଡକ୍ସନ ହାଉସର ଦାୟୀତ୍ୱ ହେବ ।

ଗୋଟିଏ ଟ୍ରଲରରେ ଏକ ସମୟରେ ୫ ଜଣ ବ୍ୟକ୍ତିଙ୍କୁ ଏସ୍‌ଓପିରେ ବାରଣ କରାଯାଇଛି। ଟ୍ରଲରର କବାଟ ଓ ଝରକା ଖୋଲା ରଖିବା ପାଇଁ କୁହହାଯାଇଛି । ଷ୍ଟୁଡିଓ ପରିସରରେ ସୁଟିଂ କରିବା ବେଳେ କୋଭିଡ ପୂର୍ବରୁ ଯେତିକି ସଂଖ୍ୟକ କ୍ର୍ୟୁ ନେଇ ସୁଟିଂ କରାଯାଉଥିଲା ତାର ୩୦ ପ୍ରତିଶର କ୍ର୍ୟୁ ନେଇ ସୁଟିଂ କରାଯିବ। ତେବେ ଏହି ନିୟମ ଫିଲ୍ମ କିମ୍ବା ସିରିଏଲର ମୁଖ୍ୟ କଳାକାରଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ସୁଟିଂ ପାଇଁ ଗଲାବେଳେ ସାଙ୍ଗରେ ପରିଚୟପତ୍ର ନେବେ । ଆରୋଗ୍ୟ ସେତୁ ନିଜ ଫୋନରେ ଇନଷ୍ଟଲ କରିବେ। ପ୍ରଡକ୍‌ସନ ହାଉସ ଭିଡ଼ ନିୟନ୍ତ୍ରଣ କରିବେ।

ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଗେଟ୍‌ ଓ କବାଟ ଖୋଲିବା ଦାୟିତ୍ୱ ଦିଆଯିବ । ପ୍ରତି ସୁଟିଂ ସେଟରେ ୱାସ ରୂମ ରହିବ ଏବଂ ପ୍ରତି ଘଣ୍ଟାରେ ଥରେ ସଫା କରାଯିବ । କୌଣସି ବ୍ୟକ୍ତି ଯଦି ସୁଟିଂ କାଳରେ କରୋନ ପଜିଟିଭ ଜଣାପଡ଼େ ତେବେ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସୁଟିଂ ସେଟ୍‌କୁ ପ୍ରବେଶ ବେଳେ ତାପମାତ୍ରା ଜାଞ୍ଚ କରାଯିବ । ୩୭.୦୩ ଡ଼ିଗ୍ର ସେଲସିୟସରୁ ଅଧିକ ହୋଇଥିଲେ ତାଙ୍କୁ ଘରକୁ ଫେରାଇ ଦିଆଯିବ । ଏହା ସହ ପ୍ରତି ସୁଟିଂ ସେଟ୍‌ରେ ଶରୀରରେ ଅମ୍ଳଜାନ ମାପିବା ପାଇଁ ଅକ୍ସି ମିଟର ରଖିବା ଆବଶ୍ୟକ ।

ଫିଲ୍ମ କିମ୍ବା ସିରିଏଲର କାଷ୍ଟିଂ ପାଇଁ ସ୍କାଇପି, ଫେସ୍‌ଟାଇମ, ଜୁମ୍ ଭଳି ଆପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସୁଟିଂ ସେଟ୍‌ରେ ବ୍ୟବହାର ହେଉଥିବା ଉପକରଣରକୁ ନିର୍ଦ୍ଧିଷ୍ଟ ବ୍ୟକ୍ତି ଛଇଁ ପାରିବେ । ଉପକରଣକରୁ ସାନିଟାଇଜ କରିବା ପାଇଁ ଆବଶ୍ୟକ ସାମଗ୍ରି ରହିବ ।

ଲକଡାଉନ ପରିବେଶ ମଧ୍ୟରେ ସୁଟିଂ କରାଯିବ । ଯେମିତି କି ଅଧିକା ଲୋକ ଏକାଠି ନହେବେ । ସୁଟିଂ କାଳରେ ସର୍ବନିମ୍ନ ଶାରୀରିକ ସମ୍ପର୍କ ଓ ସାମାଜିକ ଦୂରତା ଯେମିତି ବଜାୟ ରହେ ତାହା ଦୃଷ୍ଟିରେ ରଖିବାକୁ ପଡ଼ିବ ।

ବିଜେପି କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ, ୭୫ ନେତା କରୋନା ପଜିଟିଭ୍

ପାଟଣା : ବିହାରରେ କରୋନା ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି । ବିହାର ବିଜେପିର ୭୫ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତ ନେତାଙ୍କ ମଧ୍ୟରେ ଅଛନ୍ତି ସଂଗଠନର ମହସଚିବ ନାଗେନ୍ଦ୍ର, ପ୍ରଦେଶ ମହାସଚିବ ଦିନେଶ କୁମାର, ପ୍ରଦେଶ ଉପାଧ୍ୟକ୍ଷ ରାଜେଶ ବର୍ମା, ରାଧା ମୋହନ ଶର୍ମା । ଏମାନଙ୍କ ଛଡା ବିଜପିର ଅନ୍ୟ କେତେଜଣ ନେତା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।  ବିହାରରେ ଏମିତି ପ୍ରଥମ ଥର ପାଇଁ ହୋଇଛି  ଯେଉଁଠି ଏକାଥରେ ଏତେ ସଂଖ୍ୟାରେ ନେତା ଓ ମନ୍ତ୍ରୀ ପଜିଟିଭ୍  ହୋଇଛନ୍ତି ।

ନିର୍ବାଚନକୁ ନେଇ ଲଗାତାର କରାଯାଉଛି ରାଲି

ବିହାରରେ ଏବର୍ଷ ଶେଷ ସୁଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହିକୁ ନେଇ ଦଳୀୟ ନେତା କାର୍ଯ୍ୟାଳୟରେ ବିଭିନ୍ନ ବୈଠକ କରୁଛନ୍ତି । ବିଜେପିର ଏହି ବୈଠକ ପାଟଣା ସ୍ଥିତ ଦଳୀୟ କାର୍ଯ୍ୟଳୟରେ ଚାଲୁଛି । ଯେଉଁଥିରେ ଲଗାତାର ଅନେକ ନେତା ସାମିଲ ମଧ୍ୟ ହେଉଛନ୍ତି । ଯେହେତୁ ଏବର୍ଷ ଶେଷ ସୁଧା ନିର୍ବାଚନ ହେବାକୁ ଅଛି ତେଣୁ ବିଭିନ୍ନ ନେତା ରାଲିର କାର୍ଯ୍ୟକ୍ରମ ଚଳାଉଛନ୍ତି । ତେଣୁ ଏମିତିରେ ଆଶଙ୍କା କରାଯାଉଛି ଯେ, ନେତାମାନେ ଗୋଟିଏ ସ୍ଥାନରେ ଏକଜୁଟ ହେବା କାରଣରୁ ବିଜେପି ମୁଖ୍ୟାଳୟରେ କରୋନା ବିସ୍ଫୋରଣ ହୋଇଛି ।

ବିହାରରେ ୧୭ହଜାରରୁ ଅଧିକ ରହିଛି କରୋନା ମାମଲା

ଆପଣଙ୍କୁ କହି ରଖୁଛୁ  ଯେ, ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ପାର ହୋଇଯାଇଛି । ଏବଂ ଏଠାରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିହାରରେ ସୋମବାର ଦିନ ୧୧ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ପଟଣାରେ ଗତକାଲି ସର୍ବାଧିକ ୨୨୮ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପୁଣି ଲକଡାଉନ୍ ପାଇଁ ପ୍ରସ୍ତୁତି

ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଗକୁ ଲକଡାଉନ ପାଇଁ ନୂଆ ନିଷ୍ପତ୍ତି ନିଆଯାଇପାରେ ବୋଲି ଆସା କରାଯାଉଛି । ବିଜେପିର ପ୍ରଦେଶ ମୁଖ୍ୟାଳୟରେ ଏଭଳି ଭାବେ କରୋନା ବିସ୍ଫୋରଣ ଦେଖି ସମସ୍ତ ସରକାରୀ ବିଭାଗର ଚିନ୍ତା ବଢିଯାଇଛି ।

AIIMS‌ରେ ଚିକିତ୍ସା ପାଇଁ ଆସିଲା ନୂଆ ଆପ୍‌, ଜାଣନ୍ତୁ ଏହାର ବ୍ୟବହାର କେମିତି କରିବେ

ଭୁବନେଶ୍ୱର: କରୋନା କଟକଣା ପାଇଁ ଜୁଲାଇ ୧୦ ତାରିଖ ଠାରୁ ପରବର୍ତ୍ତୀ ବଜ୍ଞକ୍ତି ପର୍ଯ୍ୟନ୍ତ AIIMSର ସମସ୍ତ ବର୍ହିବିଭାଗ ଚିକିତ୍ସା ସେବା ବନ୍ଦ ରହିଛି । କରୋନା ପଜିଟିଭ ବାହାରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବିଭାଗ ଗୁଡ଼ିକ ବନ୍ଦ ରହିବା ଫଳରେ ବହୁ ରୋଗୀ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖିନ ହେବେ । ଏନେଇ ରୋଗୀ ସେବା ପାଇଁ ଭୁବନେଶ୍ୱର AIIMS ଆରମ୍ଭ କରିଛି ସ୍ୱତନ୍ତ୍ର ଆପ ବ୍ୟବସ୍ଥା । ସ୍ଵାସ୍ଥ୍ୟ ନାମକ ଆପ ମାଧ୍ୟମରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ ।

ଯେଉଁ ମାଙ୍କର ଟେଲି ମେଡିସିନ ପାଇଁ ବ୍ୟବସ୍ଥା ରହିଛି ସେମାନେ ମଗାଇ ପାରିବେ । ନହେଲେ ସେମାନେ ଏହି ଆପ୍‌ ମାଧ୍ୟମରେ ରୋଗର ଚିକିତ୍ସା ହୋଇପାରିବେ । ପ୍ଲେ ଷ୍ଟୋରରେ AIIMS ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପକୁ ଡାଉନଲୋଡ କରିପାରିବେ ।

ଏହାପରେ ରୋଗୀଙ୍କ ପରିଚୟ ଦେବା ସହ ରୋଗର ଲକ୍ଷଣ ସଂପର୍କରେ ତଥ୍ୟ ଦେବାକୁ ପଡ଼ିବ। ପୂର୍ବ ହୋଇଥିବା ଟ୍ରିଟମେଣ୍ଟର ପ୍ରେସକ୍ରିପସନ ଓ ରିପୋର୍ଟ ଅପଲୋଡ଼ କରିବାକୁ ପଡ଼ିବ । ଏହାପରେ ଆପଣଙ୍କ ପାଇଁ ଅନଲାଇନରେ ଥିବା ଡାକ୍ତର ଆପଣଙ୍କୁ କଣ କରିବାକୁ ପଡ଼ିବ ସେନେଇ ସୂଚନା ଦେବେ ।

ତେବେ ଆପରେ ଆପଣ କେଉଁ ବିଭାଗର ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି ସେ ବିଭାଗକୁ ବାଛିବାକୁ ପଡ଼ିବ । ଏହାପରେ ଡାକ୍ତରଙ୍କ ପକ୍ଷରୁ ଅଡିଓ କଲ ଓ ଆବଶ୍ୟକ ପଡ଼ିଲେ ଭିଡିଓ କଲ କରାଯିବ । ଏହାସହ ଆଶୁ ଚିକିତ୍ସା ବିଭାଗ ୨୪ ଘଣ୍ଟା ଖୋଲା ରହିବ ବୋଲି AIIMS ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି । ଏହାସହ ପୂର୍ବ ଭଳି ଟେଲି ମେଡିସିନ ବ୍ୟବସ୍ଥା ଜାରି ରହିବ ।

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବୟାନ ପରେ ଅଯୋଧ୍ୟା ସାଧୁମାନଙ୍କ ମଧ୍ୟରେ ଅସନ୍ତୋଷ

ଅଯୋଧ୍ୟା: ନେପାଳୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଭୁ ରାମଙ୍କୁ ନେଇ ଦେଇଥିବା ବୟାନକୁ ନେଇ ଅଯୋଧ୍ୟା ସାଧୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ରାମ ଦଳ ଟ୍ରଷ୍ଟର ସଭାପତି ରାମଦାସ ମହାରାଜ କହିଛନ୍ତି, ଆଜିଠାରୁ ନେପାଳରେ ଥିବା ତାଙ୍କ ଶିଷ୍ୟମାନେ ଓଲି ବିରୋଧରେ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲେଇବେ । ବେଦ ଏବଂ ପୁରାଣରେ ଥିବା ବର୍ଣ୍ଣନାକୁ ଦର୍ଶାଇ ରାମଦାସ କହିଛନ୍ତି ଯେ ନେପାଳରେ ସରୟୁ ହିଁ ନାହିଁ ।

ରାମଦାସ ମହାରାଜ କହିଛନ୍ତି ଯେ ମୋର ଲକ୍ଷ ଲକ୍ଷ ଶିଷ୍ୟ ନେପାଳରେ ରୁହନ୍ତି ଏବଂ ଆସନ୍ତାକାଲିଠାରୁ ଲକ୍ଷ ଲକ୍ଷ ଭକ୍ତ ରାସ୍ତାରେ ବିରୋଧ କରିବେ।  କେ.ପି ଶର୍ମା ଓଲିଙ୍କୁ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦର ଇସ୍ତଫା ଦେବାକୁ ପଡିବ । ମୁଁ ଏହି ଧର୍ମାଦେଶ ଜାରି କରୁଛି । ମୋର ଶିଷ୍ୟମାନେ ରାସ୍ତାକୁ ଓହ୍ଲାନ୍ତୁ ଏବଂ ଓଲିଙ୍କୁ ସତ୍ତାରୁ ବାହାର କରନ୍ତି ।

 ରାମ ଦଳ ଟ୍ରଷ୍ଟର ସଭାପତି ରାମ ଦାସ ମହାରାଜ କହିଛନ୍ତି ଯେ ସମଗ୍ର ବିଶ୍ୱର ସାଂସ୍କୃତିକ ରାଜଧାନୀ ଅଯୋଧ୍ୟା । ବେଦ, ରାମାୟଣ କିମ୍ବା ପୁରାଣରେ ଦେଖନ୍ତୁ, ଏହା ସ୍ପଷ୍ଟ ଭାବରେ କହିଛି ଯେ ଯେଉଁଠାରେ ସରଯୁ ଅଛି, ସେଠାରେ ଅଯୋଧ୍ୟା ଅଛି | ନେପାଳରେ କୌଣସି ସରଯୁ ନାହିଁ । ସମଗ୍ର ଭୂମଣ୍ଡଳରେ ରାଜା ରହୁଥିଲେ ଓ ସମସ୍ତଙ୍କ ଚକ୍ରବର୍ତ୍ତୀ ସମ୍ରାଟ ଭାରତ ଉତ୍ତରପ୍ରଦେଶର ଅଯୋଧ୍ୟାର ମହାରାଜା ଥିଲେ।

ଧର୍ମଗୁରୁ ମହନ୍ତ ପରମହଂସ କହିଛନ୍ତି, କେପି ଶର୍ମା ନିଜେ ନେପାଳୀ ନୁହଁନ୍ତି । ସେ ସମଗ୍ର ନେପାଳକୁ ପାକିସ୍ତାନ ଭଳି ଭିକାରୀ କରିବା ପାଇଁ ଲାଗି ପଡିଛନ୍ତି | ନେପାଳର ଲୋକମାନଙ୍କ ସହ ପ୍ରତାରଣା କରୁଛନ୍ତି । ନେପାଳର ଦୁଇ ଡଜନରୁ ଅଧିକ ଗାଁ ଚୀନ୍ ଦଖଲ କରିଛି । ତାକୁ ଲୁଚାଇବା ପାଇଁ ସେମାନେ ଭଗବାନ ରାମଙ୍କ ନାମରେ ଆଶ୍ରୟ ନେଉଛନ୍ତି ।

ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦୀନେନ୍ଦ୍ର ଦାସ କହିଛନ୍ତି, ଅଯୋଧ୍ୟା ଆମ ପାଇଁ ଗୋଟିଏ ଏବଂ ଅଯୋଧ୍ୟା ଏଇଠି ହିଁ ରହିବ । ରାଜନୀତିରେ କେହି କିଛି ବି କହିପାରିବେ, କିନ୍ତୁ ମୁଖ୍ୟ ଅଯୋଧ୍ୟା ସେଇଟା ଯେଉଁଠି ସରଯୁ ମାତା ଅଛନ୍ତି । ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ଏଇଠି ଅଛି ।

ନେପାଳର ପ୍ରଧାନମନ୍ତ୍ରୀ କ’ଣ କହିଛନ୍ତି?

ନେପାଳର ପ୍ରଧାନମନ୍ତ୍ରୀ ଓପି ଶର୍ମା ଓଲି ଦାବି କରିଛନ୍ତି, ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟା ଉତ୍ତରପ୍ରଦେଶରେ ନୁହେଁ ବରଂ ନେପାଳର ବାଲ୍ମିକି ଆଶ୍ରମ ନିକଟରେ । ବାଲ୍ମିକି ରାମାୟଣର ନେପାଳୀ ଅନୁବାଦ କରିଥିବା ନେପାଳର ଆଦିକବି ଭାନୁଭକ୍ତଙ୍କ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଲି ଏହା ଦାବି କରିଛନ୍ତି।

ନେପାଳର ପ୍ରଧାନମନ୍ତ୍ରୀ ଓପି ଶର୍ମା ଓଲି କହିଛନ୍ତି, ଆଜି ପର୍ଯ୍ୟନ୍ତ ଆମେ ଭ୍ରମରେ ଅଛୁ ଯେ ସୀତାଙ୍କୁ ବିବାହ କରିଥିବା ରାମ ଜଣେ ଭାରତୀୟ । ରାମଚନ୍ଦ୍ର ଭାରତୀୟ ନୁହଁନ୍ତି ସେ ଜଣେ ନେପାଳୀ । ଜନକପୁରର ପଶ୍ଚିମ ଦିଗରେ ଥିବା ବିରଗଞ୍ଜ ନିକଟରେ ଠୋରି ନାମକ ଏକ ସ୍ଥାନରେ ବାଲ୍ମିକୀ ଆଶ୍ରମ ଅଛି । ସେଠାରେ ରାଜକୁମାର ରାମ ଥିଲେ । ବାଲ୍ମିକି ନଗର ନାମକ ସ୍ଥାନ ବର୍ତ୍ତମାନ ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ ଅଛି, ସେଥିରୁ କିଛି ଭାଗ ନେପାଳରେ ମଧ୍ୟ ଅଛି  ।

ବଢ଼ିବାରେ ଲାଗିଛି କରାେନା ମୃତ୍ୟୁ ସଂଖ୍ୟା, ଆଜି ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ଗଞ୍ଜାମ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି । ଯେଉଁ ମାନଙ୍କର ମୃତ୍ୟୁ ହୋଇଛି ସେମାନେ ପୂର୍ବରୁ କୌଣସି ନା କୌଣସି କରୋଗରେ ଆକ୍ରାନ୍ତ ରହିଛନ୍ତି ।

ଯେଉଁଭଳି ପୂର୍ବରୁ କୁହାଯାଇଛି କି ଡାଇବେଟିସ, ବ୍ଲଡପ୍ରେସର ଭଳି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସିଧ ହେବ । କଟକରେ କରୋନା ପାଇଁ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ପୂର୍ବରୁ ମୁଖ କର୍କଟରେ ପିଡ଼ିତ ଥିଲେ । ସେହିଭଳି ଖେର୍ଦ୍ଧାରୁ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । କରୋନାରେ ଭୁବନେଶ୍ୱରରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ପୂର୍ବରୁ ବ୍ଲଡ କ୍ୟାନସରରେ ପିଡ଼ିତ ରହିଥିଲେ । ସେପଟେ ଗଞ୍ଜାମରେ ମୃତ୍ୟୁ ହୋଇଥିବା ୮୦ ପର୍ଷୀୟ ବ୍ୟକ୍ତିଙ୍କର ଡାଇବେଟିସ ଏବଂ ହାର୍ଟ ରୋଗ ରହିଥିଲା ।

ରାଜ୍ୟରେ ଏହାକୁ ମିଶାଇ ୭୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।  ଆଜି ପୁଣି ରାଜ୍ୟରୁ ୫୪୩ ଜଣ ଚିହ୍ନଟ ହୋଇଛନ୍ତି । କ୍ୱେରେଣ୍ଟାଇନ ସେଣ୍ଟରରୁ ୩୫୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି । ୨୨ ଜିଲ୍ଲାରୁ ୫୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ ହଜାର ୨୮୦ରେ ପହଞ୍ଚିଛି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ ୧୪ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ବଢ଼ୁଛି ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ରାଜ୍ୟରୁ ୫ଶହରୁ ଉର୍ଦ୍ଦ୍ୱ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛନ୍ତି । ଗତକାଲି ୬୧୨ ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୫୪୩ ଜଣ ଚିହ୍ନଟ ହୋଇଛନ୍ତି । କ୍ୱେରେଣ୍ଟାଇନ ସେଣ୍ଟରରୁ ୩୫୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି । ୨୨ ଜିଲ୍ଲାରୁ ୫୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟକ ଦିନ ଭଳି ଗଞ୍ଜାମରୁ ଦିନକରେ ସର୍ବାଧିକ ୧୮୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ୧, ବାଲେଶ୍ୱରରୁ ୮, ଭଦ୍ରକରୁ ୧, ବଲାଙ୍ଗିରରୁ ୫, ବୌଦ୍ଧରୁ ୭, କଟକ ୩୯, ଢ଼େଙ୍କାନାଳରୁ ୨, ଗଜପତିରୁ ୨୯, ଜଗତସିଂହପୁରରୁ ୧୫, ଯାଜପୁରରୁ ୧, ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୨୨, ଖୋର୍ଦ୍ଧାରୁ ଦ୍ୱିତୀୟ ସର୍ବାଧି ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନାଗିରିରୁ ୧୧, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୧, ପୁରୀରୁ ୭, ରାୟଗଡ଼ା ୨୪, ସମ୍ବଲପୁରରୁ ୨ ଜଣ ଚିହ୍ନଟ ହୋଇଥିବେଳେ ସୁନ୍ଦରଗଡ଼ରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟରେ ୩ ଲକ୍ଷ ୪୭ ହଜାର ୨୨୬ ଟି କମୁଲେଟିଭ ଟେଷ୍ଟ ହୋଇଥିବା ବେଳେ ୧୪ ହଜାର ୨୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୯ ହଜାର ୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ୪ ହଜାର ୯୨୯ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ କରୋନା ଆଉ ୪ଜଣଙ୍କର ମୁଣ୍ଡ ନେଇଛି । ଯାହାଫଳରେ ୭୪ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା ।

ସରକାରୀ ବିଦ୍ୟାଳୟରେ ମଦ କାରବାର ! ଚୋରାଚାଲାଣ ବେଳେ ଧରିଲା ପୋଲିସ

ଦରଭଙ୍ଗା: ମଦୁଆଙ୍କୁ ମଦ ଯୋଗାଇବାକୁ ଚୋରା ଚାଲାଣକାରୀଙ୍କ ନୂଆ ପ୍ରୟାସ । ବିଭିନ୍ନ ମାଧ୍ୟମରେ ଚୋରା ଚାଲାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଏମାନେ । ବିହାରରେ ମଦର ସମ୍ପୂର୍ଣ୍ଣ ନିଷେଧାଦେଶ ପରଠାରୁ ଚୋରା ଚାଲାଣକାରୀମାନେ କେତେବେଳେ ପୋଖରୀରେ ତ କେତେବେଳେ ଶୂନସାନ ସ୍ଥାନରେ ମଦକୁ ଲୁଚାଇ ରଖୁଛନ୍ତି । କିନ୍ତୁ ଲକଡାଉନ୍ ଥିବା ବେଳେ ସରକାରୀ ବିଦ୍ୟାଳୟଗୁଡ଼ିକ ଏବେ ବେଆଇନ ମଦ ବ୍ୟବସାୟୀଙ୍କ ଗୋଦାମ ଘରରେ ପରିଣତ ହୋଇଛି। ବିହାରର ଦରଭଙ୍ଗାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଦାରଭଙ୍ଗା ଜିଲ୍ଲାର ୟୁନିଭରସିଟି ଥାନା ଅଞ୍ଚଳର ଆଜାମନଗର ପରିସରରେ ପ୍ଲସ୍ ୨ ମୁକୁନ୍ଦି ଚୌଧୁରୀ ବିଦ୍ୟାଳୟ ପରିସରରେ ବନ୍ଦ ପଡ଼ିଥିବା କୋଠରୀରେ ମଦ ଲୁଚାଇ ରଖାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଏସଏସପି ବାବୁ ରାମଙ୍କୁ ଏକ ସୂଚନା ମିଳିଥିଲା ଯେ, ସରକାରୀ ବିଦ୍ୟାଳୟରେ ମଦ କାରବାର ହେଉଛି ଯେଉଁଠାରୁ ଚୋରାଚାଲାଣକାରୀମାନେ ମଦ ବିକ୍ରି କରୁଛନ୍ତି । ଏହା ପରେ ସିଆଇଟି ଟିମ୍ ବିଦ୍ୟାଳୟକୁ ପଠାଯାଇଥିଲା ଯେଉଁଠାରୁ ୭୦ ବୋତଲ ବିଦେଶୀ ମଦ ଜବତ କରାଯାଇଥିଲା ।

ତନାଘନା କରିବାକୁ ଆସିଥିବା ଅଧିକାରୀ କହିଛନ୍ତି

ସିଆଇଟି ଅଧିକାରୀ ଶିବ ପୂଜନ ପାସୱାନ କହିଛନ୍ତି ଯେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ୭୦ ଟି ବୋତଲ ମଦ ଜବତ କରାଯାଇଛି ଏବଂ ସ୍ଥାନୀୟ ପୋଲିସ ଷ୍ଟେସନ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ପ୍ରିନ୍ସିପାଲ କହିଲେ…

ବିଦ୍ୟାଳୟରୁ ମଦ ମିଳିବା ପରେ ପ୍ରଧାନଶିକ୍ଷକ ମଣିଶଙ୍କର ପ୍ରସାଦ କହିଛନ୍ତି ଯେ କରୋନା କାରଣରୁ ଲକଡାଉନ ପାଇଁ ସ୍କୁଲ ବନ୍ଦ ରହିଛି ଏବଂ ଏହି ବିଦ୍ୟାଳୟର କୋଠା ମଧ୍ୟ ଭଲ ଅବସ୍ଥାରେ ନାହିଁ । ଏଠାକୁ କେହି ଯିବା ଆସିବା ମଧ୍ୟ କରନ୍ତି ନାହିଁ, ଯାହାର ଫାଇଦା ଅସାମାଜିକ ବ୍ୟକ୍ତିମାନେ ଉଠାଇଛନ୍ତି ଏବଂ ବିଦ୍ୟାଳୟରେ ମଦ ଆଣି ରଖିଛନ୍ତି ।

କରୋନା ବିରୋଧରେ ଯୁଦ୍ଧ: ତିଆରି ହେଲା ଆଉ ୭୮୦ ଶଯ୍ୟାର କୋଭିଡ୍‌ କେୟାର ସେଣ୍ଟର

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁକାବିଲା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିପିୟୁଟି ପରିସରରେ ପୂର୍ବରୁ ୨୪୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଥିବାବେଳେ ଏବେ  ତିନୋଟି ପୃଥକ ପୃଥକ କୋଠାରେ ମୋଟ ୭୮୦ ଶଯ୍ୟାର କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ଏହି ସେଣ୍ଟରରେ କୋଭିଡ ପଜିଟିଭ ରୋଗୀଙ୍କ ଚିକିତ୍ସା ହେବ । ସେଣ୍ଟରରେ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ସାନିଟାଇଜେସନ ଓ ଅନ୍ୟାନ୍ୟ ବ୍ୟବସ୍ଥା ରାଉରକେଲା ମହାନଗର ନିଗମ ପକ୍ଷରୁ କରାଯାଉଛି । ଏହାସହ ବିପିୟୁଟି ପରିସରରେ  କୋଭିଡ ପଞ୍ଜୀକରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି ।

ବାହାରୁ ଆସୁଥିବା ଲୋକେ  ରାଉରକେଲାରେ ପହଞ୍ଚିବା ପରେ ପ୍ରଥମେ ଏହି ପଞ୍ଜୀକରଣ କେନ୍ଦ୍ରକୁ ଯାଇ ନିଜର ପଞ୍ଜୀକରଣ କରାଇବେ । ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହୋମ୍ କ୍ୱାରାଣ୍ଟିନ ବା ସରକାରୀ କ୍ୱାରାଣ୍ଟିନରେ ରହିବେ । ଅନ୍ୟପକ୍ଷରେ  ରାଉରକେଲା ସରକାରୀ ଚିକିତ୍ସାଳୟ (RGH) ଓପିଡି ଗତକାଲି ଠାରୁ ବନ୍ଦ କରାଯାଇଛି ।

୧୩,୧୪,୧୫ ତାରିଖ ଓପିଡି ଵନ୍ଦ ରହିବ ବୋଲି ଚିକିତ୍ସାଳୟ ପଷରୁ ନିର୍ଦେଶାନାମା ଜାରି କରାଯାଇଛି । ଗତକାଲି ଠାରୁ ଓପିଡି ବନ୍ଦ ରହଥିଲେ ବି ରାଉରକେଲା ସରକାରୀ ଚିକିତ୍ସାଳୟରେ ଏମରଜେନସି ସେଵା ଖୋଲା ରହିଛି । ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଓ ଚିକିତ୍ସାଳୟର ୧୦ରୁ ଅଧିକ କର୍ମଚାରୀ ଓ ଡାକ୍ତର ହୋମ କ୍ୱାରେଣ୍ଟାଇନରେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।