spot_img
Home Blog Page 685

ପୋଲିସକୁ ବାନ୍ଧିଲା ପୋଲିସ : ହୋମଗାର୍ଡଙ୍କୁ ଠକେଇ କରି ବନ୍ଧାହେଲେ କନେଷ୍ଟବଳ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୋଲିସକୁ ବାନ୍ଧିଲା ପୋଲିସ। ହୋମଗାର୍ଡଙ୍କୁ ଠକେଇ କରି ବନ୍ଧାହେଲେ କନେଷ୍ଟବଳ। ହୋମଗାର୍ଡ ପ୍ରଦୀପ ତ୍ରିପାଠୀଙ୍କୁ ଲୋନ କରାଇଦେବା ନାଁରେ ଠକେଇ କରିଛନ୍ତି ଆଦର୍ଶ ଥାନା କନେଷ୍ଟବଳ ହୃଦାନନ୍ଦ ବେହେରା। ହୃଦାନନ୍ଦ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବୌଦ୍ଧ ପୋଲିସ। ହୃଦାନନ୍ଦଙ୍କ ଘରେ ପୋଲିସ ଚଢ଼ାଉ କରି ନଗଦ ୫ ଲକ୍ଷ ଟଙ୍କା, ୬୦ ଟି ବ୍ୟାଙ୍କ୍ ପାସ୍ ବୁକ୍, ୪୩ ଟି ଏଟିଏମ୍ କାର୍ଡ, ୨୯ ଟି ଚେକ୍ ବହି, ୨୦୯ ଗୋଟି ବ୍ଲାଙ୍କ ଚେକ୍, ୧୧ ଟି ସେଲ ଡିଡ ଏବଂ ୧୪୫ ଗ୍ରାମର ସୁନା ଏବଂ ରୂପା ଜବତ କରିଛି ପୋଲିସ। ଏହା ସହିତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି ରାହୁଲ ଗୋଏଲ।

ନାରୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ନିନ୍ଦା

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର।ସଭିଙ୍କୁ ଏହା ବିଚଳିତ କରିଛି। ଏହାକୁ ଦୃଢ଼ ନିନ୍ଦା କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।

ଜାତି ଜନଗଣନା ଦ୍ବାରା କ’ଣ ସବୁ ବଦଳିବ? ମହିଳା ସଂରକ୍ଷଣ ଓ ସଂସଦର ଆସନ ସଂଖ୍ୟା ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଭାରତରେ ୨୦୧୭ରେ ଜାତି ଜନଗଣନା କରାଯିବ । ଏହି ଜନଗଣନା ପରେ ଦେଶରେ ଅନେକ ପରିବର୍ତ୍ତନ ଆସିବ । ଏହାଦ୍ବାରା ଅନେକ କିଛି ପରିବର୍ତ୍ତନ ଆସିବ । ଏହା ସାମାଜିକ-ଆର୍ଥିକ ନୀତିକୁ ପ୍ରଭାବିତ କରିବା ସହ ସୀମା ନିର୍ଦ୍ଧାରଣ, ମହିଳା ସଂରକ୍ଷଣ ଓ ସଂସଦର ସିଟ୍ ସଂଖ୍ୟାର ପୁନର୍ଗଠନ ମଧ୍ୟ କରିବ । ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହୋଇପାରେ । ଏହାଦ୍ବାରା ମହିଳା ସଶକ୍ତିକରଣ, କ୍ଷେତୀୟ ସନ୍ତୁଳନ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ବର ନୂଆ ଅଧ୍ୟାୟ ଆରମ୍ଭ ହେବ । ଜନଗଣନା କେବଳ ଅଙ୍କର ପ୍ରକ୍ରିୟା ନୁହେଁ, ବରଂ ଆଗାମୀ ଦଶକର ରାଜନୀତି ଓ ନୀତିର ଆଧାର ଶିଳା ଅଟେ ।

ଭାରତରେ ଜନଗଣନା ୨୦୨୭ ଓ ତା ସହିତ ପ୍ରସ୍ତାବିତ ଜାତି ଆଧାରିତ ଜନଗଣନା ସାମାଜିକ-ଆର୍ଥିକ ନୀତିକୁ ପ୍ରଭାବିତ କରିବା ସହ ରାଜନୈତିକ ବ୍ୟବସ୍ଥାରେ ମଧ୍ୟ ଅନେକ ବଡ଼ ବଡ଼ ପରିବର୍ତ୍ତନ ଆଣିପାରେ । ଏହା ମୁଖ୍ୟତଃ ସୀମାନିର୍ଦ୍ଧାରଣ, ମହିଳା ସଂରକ୍ଷଣ ଓ ସଂସଦରେ ସିଟ୍ ସଂଖ୍ୟାର ପୁନର୍ଗଠନ ଉପରେ ପ୍ରଭାବ ପକାଇବ । ୨୦୦୧ରେ ସୀମା ନିର୍ଦ୍ଧାରଣ ଉପରେ ରୋକ ଲାଗିଥିଲା, ଯାହାକି ୨୦୨୬ ପରେ ହଟିବ । ୨୦୨୭ ଜନଗଣନା ଆଧାରରେ ନୂଆ ସୀମା ସ୍ଥିର କରାଯିବ । ଏହାଦ୍ବାରା ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା, କ୍ଷେତ୍ରଫଳ ଓ ପ୍ରତିନିଧିତ୍ବରେ ବଡ଼ ପରିବର୍ତ୍ତନ ଆଣିପାରେ । ଦ୍ରୁତ ଭାବେ ଜନସଂଖ୍ୟା ବଢ଼ୁଥିବା ରାଜ୍ୟ ଯେପରିକି ଉତ୍ତରପ୍ରେଦଶ, ବିହାର, ରାଜସ୍ଥାନ ଆଦି ରାଜ୍ୟକୁ ଅଧିକ ଲୋକସଭା ଆସନ ମିଳିପାରେ ।

୨୦୨୩ରେ ପାରିତ ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ଆଇନ) ଅନୁସାରେ, ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହି ସଂରକ୍ଷଣ ଜନଗଣନା ଓ ସୀମାନିର୍ଦ୍ଧାରଣ ପରେ ଲାଗୁ କରାଯିବ । ଅର୍ଥାତ ୨୦୨୭ର ଜନଗଣନା ପରେ ୨୦୨୮ରେ ସୀମାନିର୍ଦ୍ଧାରଣ କରାଯିବ । ତା’ପରେ ମହିଳା ସଂରକ୍ଷଣ ଲାଗୁ କରାଯିବ । ଏହି ବ୍ୟବସ୍ଥା ୨୦୨୯ ସାଧାରଣ ନିର୍ବାଚନରେ ଲାଗୁ ହୋଇପାରେ । ବର୍ତ୍ତମାନ ଲୋକସଭାର ସିଟ୍ ସଂଖ୍ୟା ୫୪୩ ରହିଥିବା ବେଳେ ତାହା ୧୯୭୧ର ଜନଗଣନା ଆଧାରରେ ସ୍ଥିରୀକୃତ ହୋଇଛି । ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ପରେ ବି ସିଟ୍ ସଂଖ୍ୟା ସ୍ଥିର ରହିଛି । ଏହାଦ୍ବାରା ପ୍ରତି ସାଂସଦ ଜନସଂଖ୍ୟା ଅନୁପାତ ଅସମାନ ହୋଇଯାଇଛି । ୨୦୨୭ ପରେ ସୀମାନିର୍ଦ୍ଧାରଣ ଆଧାରରେ ଏହି ସିଟ୍ ସଂଖ୍ୟା ୬୫୦ରୁ ଅଧିକ ହୋଇପାରେ । ବଡ଼ ରାଜ୍ୟକୁ ଅଧିକ ପ୍ରତିନିଧିତ୍ବ ଓ ଛୋଟ ରାଜ୍ୟକୁ ସନ୍ତୁଳନ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇପାରେ ।

ICC ଟେଷ୍ଟ ରାଙ୍କିଂ: ଟପ-୨୦ରେ ସ୍ଥାନ ପାଇଲେ କେବଳ ଦୁଇଜଣ ଭାରତୀୟ ଖେଳାଳି

ଆଇସିସି ଟେଷ୍ଟ ରାଙ୍କିଂ ପ୍ରକାଶ ପାଇଛି । ଟପ-୨୦ରେ କେବଳ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ଯଶସ୍ବୀ ଜୟସ୍ବାଲ ଓ ଋଷଭ ପନ୍ତ ଟପ-୨୦ରେ ସ୍ଥାନ ପାଇଛନ୍ତି ଜୋ ରୁଟ ୮୮୮ ରେଟିଂ ଅଙ୍କ ସହ ପ୍ରଥମ ନମ୍ବରରେ ରହିଛନ୍ତି । ଯଶସ୍ବୀ ୮୪୭ ରେଟିଂ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଭାରତୀୟ ଟିମ୍ ନୂଆ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଯାତ୍ରା ଆରମ୍ଭ କରିବ । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କଥା ଯଦି ବିଚାର କରିବା, ତେବେ ସେମାନଙ୍କର ଅବସ୍ଥା ବହୁତ ଦୁର୍ବଳ ରହିଛି । ଯଶସ୍ବୀ ଓ ପନ୍ତଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଟପ-୨୦ରେ ସ୍ଥାନ ପାଇ ନାହାନ୍ତି । ଶୁଭମନ ଗିଲ ଟପ-୩୦ରେ ରହିଥିବା ବେଳେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା ଟପ-୪୦ରୁ ଆଉଟ୍ ହୋଇଯାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ୭୩୯ ରେଟିଂ ଅଙ୍କ ସହ ପନ୍ତ ୧୦ମ ସ୍ଥାନରେ ରହିଛନ୍ତି । ଉସ୍ମାନ ଖ୍ବାଜା ୭୩୯ ରେଟିଂ ଅଙ୍କ ପାଇଛନ୍ତି । ସଉଦ ଶକିଲ ମଧ୍ୟ ୭୩୯ ରେଟିଂ ଅଙ୍କ ପାଇଛନ୍ତି । ଖ୍ବାଜା ଓ ଶକିଲ ଯଥାକ୍ରେମ ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ଭାରତର ନବନିଯୁକ୍ତ ଅଧିନାୟକ ଗିଲ ୬୩୧ ରେଟିଂ ଅଙ୍କ ସହ ୨୪ତମ ସ୍ଥାନରେ ରହିଛନ୍ତି । ଜାଡେଜା ୫୩୮ ରେଟିଂ ଅଙ୍କ ସହ ୪୬ତମ ସ୍ଥାନରେ ରହିଛନ୍ତି । ନୀତିଶ କୁମାର ରେଡ୍ଡୀ ୪୫୯ ରେଟିଂ ଅଙ୍କ ସହ ୬୭ତମ ସ୍ଥାନରେ ରହିଛନ୍ତି ।

ଅହମ୍ମଦାବାଦ ପ୍ଲେନ କ୍ରାସରେ ୨୩ ବର୍ଷୀୟ ଯୁବ କ୍ରିକେଟରଙ୍କ ମୃତ୍ୟୁ, ଟିମ୍ ଜଣାଇଲା ଶ୍ରଦ୍ଧାଞ୍ଜଳି

ଜୁନ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ AI-171 ଉଡ଼ାଣ ଭରିବାର କିଛି ମିନିଟ ମଧ୍ୟରେ କ୍ରାସ ହୋଇଯାଇଥିଲା । ବିମାନଟି ବିଜେ ମେଡିକାଲ କେଲଜ ଆଣ୍ଡ ସିଭିଲ ହସ୍ପିଟାଲର ହୋଟେଲ ବିଲଡିଂ ଉପରେ ମାଡ଼ ହୋଇଥିଲା । ଫଳରେ ପ୍ଲେନରେ ଯାତ୍ରା କରୁଥିବା ୨୪୧ ଜଣ ଲୋକଙ୍କ ସମେତ ମୋଟ ୨୭୫ ଜଣଙ୍କ ପ୍ରାଣହାନୀ ଘଟିଥିଲା । ତେବେ ସବୁଠାରୁ ଦୁଃଖର କଥା ହେଉଛି, ଏହି ଦୁର୍ଘଟଣାରେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି ।

ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ୨୩ ବର୍ଷୀୟ ଦୀର୍ଧ ପଟେଲ । ପଟେଲ ଇଂଲଣ୍ଡରେ ଲୀଡସ ମଡର୍ଣ୍ଣିୟନ କ୍ରିକେଟ କ୍ଲବ ପାଇଁ ଖେଳୁଥିଲେ । ସେ ହରର୍ସଫିଲ୍ଡ ୟୁନିଭରସିଟିରୁ ପାଠ ପଢ଼ିଥିଲେ । ଲୀଡସର ଏହି କ୍ଲବ ପଟେଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛି । ପଟେଲଙ୍କ ବିୟୋଗରେ ସେମାନେ ବହୁତ ଦୁଃଖୀ ବୋଲି କ୍ଲବ ପକ୍ଷରୁ କୁହାଯାଇଛି । ପଟେଲ ନିଜର ନୂଆ ଚାକିରିରେ ସେଟଲ ହେବା ପରେ କ୍ରିକେଟ ଖେଳ ଜାର ରଖିବାକୁ ଚାହୁଁଥିଲେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଇରାନ ପାଇଁ କାଳ ମୁସଲମାନ ! ଇସ୍ରାଏଲ ସପକ୍ଷରେ ଲଢନ୍ତି ଯୁଦ୍ଧ ..

ନନ୍ଦିଘୋଷ ବ୍ୟୁରୋ: ଗୋଟିଏପଟେ  ଇରାନ ନିଜକୁ ମୁସଲିମ ଜଗତର ନେତା ବୋଲି କହିବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ସେହି ମୁସଲିମ ସମ୍ପ୍ରଦାୟର ଲୋକମାନେ ଇସ୍ରାଏଲୀର ବଡ ସପକ୍ଷବାଦୀ । ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ ଇସ୍ରାଏଲ ସେନାରେ ବହୁ ସଂଖ୍ୟାରେ ମୁସଲିମ ଯୋଗ ଦେଉଛନ୍ତି । ଏବଂ ସେମାନେ ଇରାନ ସମର୍ଥକ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ମଧ୍ୟ ମୋର୍ଚ୍ଚା ନେଉଛନ୍ତି ।  ଶହ ଶହ ମୁସଲିମ, ଆରବ ଏବଂ ବିଶେଷକରି ବେଦୁଇନ୍ ଯୁବକ ସ୍ୱେଚ୍ଛାକୃତ ଭାବରେ ଇସ୍ରାଏଲୀ ସେନା IDFରେ ଯୋଗ ଦେଉଛନ୍ତି । ଏମାନେ ସେହି ଲୋକ ଯେଉଁମାନେ ଇସ୍ରାଏଲରେ ସାମରିକ ସେବା କରିବାକୁ ବାଧ୍ୟ ନୁହଁନ୍ତି କିନ୍ତୁ ତଥାପି ସେମାନେ ଇରାନ ବିରୁଦ୍ଧରେ ଅସ୍ତ୍ର ଉଠାଇ ବୁଲୁଛନ୍ତି ।

ଯୁଦ୍ଧର ନେତୃତ୍ବ ନେଉଛନ୍ତି ମୁସଲିମ

୭ ଅକ୍ଟୋବର ୨୦୨୩ରେ, ଯେତେବେଳେ ହମାସ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଜଣେ ଆରବ ବେଦୁଇନ୍ କମାଣ୍ଡର IDFର ପ୍ରତିନିଧିତ୍ବ କରିଥିଲେ । ଏହି ଘଟଣା ଅନେକ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କିନ୍ତୁ ଏହା ନୂଆ ଘଟଣା ନୁହେଁ। ୨୦୨୦ରେ, ୬୦୬ ଜଣ ଆରବ ମୁସଲିମ ଯୁବକ IDFରେ ଯୋଗ ଦେଇଥିଲେ, ଯେତେବେଳେ ୨୦୧୯ରେ ଏହି ସଂଖ୍ୟା ୪୮୯ ଏବଂ ୨୦୧୮ରେ ୪୩୬ ଥିଲା। ବିଶେଷ କଥା ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ସିଧାସଳଖ ଯୁଦ୍ଧ ୟୁନିଟରେ ସାମିଲ ହୋଇଥିଲେ।

ଇସ୍ରାଏଲ ପାଇଁ ଲଢ଼ୁଥିବା ଏହି ବେଦୁଇନ୍ କିଏ ?

ବେଦୁଇନ୍ ମାନେ ଏକ ଯାଯାବର ମୁସଲିମ ଆରବ ସମ୍ପ୍ରଦାୟର । ଯେଉଁମାନେ ବର୍ତ୍ତମାନ ଦକ୍ଷିଣ ଇସ୍ରାଏଲର ନେଗେଭ ମରୁଭୂମିରେ ବାସ କରନ୍ତି । ଇତିହାସକୁ ଦେଖିଲେ ଏହି ଲୋକମାନେ ସାଉଦି ଆରବରୁ ସିନାଇ ପର୍ଯ୍ୟନ୍ତ ସେମାନଙ୍କର ଗୋରୁଗାଈ ଧରି ବୁଲୁଥିବାର ଦେଖାଯାଉଥିଲା। ଇସ୍ରାଏଲ ପ୍ରତିଷ୍ଠା ପରେ, ଅନେକ ବେଦୁଇନ୍ ଯିହୂଦୀ ବସତି ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ ଏବଂ ଆରବ-ଇସ୍ରାଏଲ ଯୁଦ୍ଧ ସମୟରେ ଗୁପ୍ତ ସୂଚନା ମଧ୍ୟ ଯୋଗାଇଥିଲେ। ୧୯୫୦ ଦଶକରେ ଇସ୍ରାଏଲୀ ସରକାର ସେମାନଙ୍କୁ ନାଗରିକତା ପ୍ରଦାନ କରିଥିଲେ ଏବଂ ସ୍ଥାୟୀ ବସତି ସ୍ଥାପନ କରିଥିଲେ । ଆଜି ଦେଶରେ ପ୍ରାୟ ୨.୧ଲକ୍ଷ ବେଦୁଇନ୍ ବାସ କରନ୍ତି ।

ଇରାନ ଏବଂ ହମାସ ବିରୁଦ୍ଧରେ ଇସ୍ରାଏଲର ସ୍ୱତନ୍ତ୍ର ବାହିନୀ

୨୦୦୩ ମସିହାରେ ଇସ୍ରାଏଲ ପ୍ରଥମ ବେଦୁଇନ୍ ସନ୍ଧାନ ଏବଂ ଉଦ୍ଧାର ୟୁନିଟ୍ ସୃଷ୍ଟି କରିଥିଲା। ସେବେଠାରୁ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି । ୨୦୧୮ ମସିହାରେ, ବେଦୁଇନ୍ ରିକୋନାଇସାନ୍ସ ୟୁନିଟ୍‌ରେ କେବଳ ୮୪ ଜଣ ସୈନିକ ଥିଲେ, ଯାହା ୨୦୨୦ ସୁଦ୍ଧା ୧୭୧କୁ ବୃଦ୍ଧି ପାଇଥିଲା। ୨୦୨୧ ମସିହାରେ, ୬୦୦ ବେଦୁଇନ୍ ଯୁବକ IDFରେ ଯୋଗ ଦେଇଥିଲେ। ଇସ୍ରାଏଲ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୪୫୦ ବେଦୁଇନ୍ IDFରେ ସ୍ୱେଚ୍ଛାସେବକ ଭାବରେ କାର୍ଯ୍ୟ କରନ୍ତି। ଏହି ୟୁନିଟ୍ ବିଶେଷ ଭାବରେ ଗାଜା, ମିଶର ଏବଂ ଇସ୍ରାଏଲ ସୀମାବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଏ। ଏହି ୟୁନିଟ୍‌ରେ ପ୍ରାୟ ୪୦ ପ୍ରତିଶତ ସୈନିକ ଅଣ-ବେଦୁଇନ୍ ମୁସଲିମ, ଖ୍ରୀଷ୍ଟିଆନ୍ ଏବଂ ସର୍କାସିଆନ୍ ସମ୍ପ୍ରଦାୟର ମଧ୍ୟ।

ମୁସଲମାନମାନ ନେତାନ୍ୟାହୁଙ୍କର ବଡ ଶକ୍ତି

IDFରେ ମୁସଲିମ ଏବଂ ଆରବ ସୈନିକମାନେ ଇସ୍ରାଏଲର ସାମରିକ ରଣନୀତିର ଏକ ଅଂଶ ପାଲଟିଛନ୍ତି । ନେତାନ୍ୟାହୁଙ୍କୁ ଜଣେ କଠୋର ଜାତୀୟତାବାଦୀ ନେତା ଭାବରେ ବିବେଚନା କରାଯାଇପାରେ, କିନ୍ତୁ ତାଙ୍କ ସେନାର ମୁସଲିମ କମାଣ୍ଡରମାନେ ଆଜି ଇରାନ ସମର୍ଥକ ଗୋଷ୍ଠୀଗୁଡ଼ିକୁ ଜବାବ ଦେବାରେ ସବୁଠାରୁ ଆଗରେ ଅଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ୨୦୧୩ ପର୍ଯ୍ୟନ୍ତ ପ୍ରତିବର୍ଷ ସେନାରେ ମାତ୍ର ୧୦ଜଣ ଆରବ ଯୁବକଙ୍କୁ ନିଯୁକ୍ତି ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ଶହ ଶହରେ ପହଞ୍ଚିଛି।

ଏଣିକି ଖେଳାଯିବ ୪ ଦିନିଆ ଟେଷ୍ଟ ମ୍ୟାଚ: ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ICC !

ସାଧାରଣ ଭାବେ ଟେଷ୍ଟ ମ୍ୟାଚ ୫ ଦିନିଆ ହୋଇଥାଏ । ମାତ୍ର ଏଣିକି ଟେଷ୍ଟ ମ୍ୟାଚ ୪ ଦିନିଆ ହେବ । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି । ୪ ଦିନିଆ ଟେଷ୍ଟ ମ୍ୟାଚ ପାଇଁ ନିଜେ ଆଇସିସି ଅଧ୍ୟକ୍ଷ ଜୟ ଶାହ ସମର୍ଥନ କରିଛନ୍ତି । ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC)ରେ ୪ ଦିନିଆ ଟେଷ୍ଟକୁ ମଞ୍ଜୁରୀ ଦେବା ପାଇଁ ଆଇସିସି ପ୍ରସ୍ତୁତ ହେଉଛି । ଏହାର ଉଦ୍ଦେଶ୍ୟ ହେଉଛି, ଛୋଟ ଛୋଟ ଦେଶଗୁଡ଼ିକ ପାଇଁ ଖେଳକୁ ସୁଲଭ ଓ ଅଧିକ ବ୍ୟବହାରିକ କରିବା । ତେବେ ଭାରତ ସମେତ ୩ଟି ଦେଶକୁ ଏଥିରୁ ଛାଡ଼ ମିଳିବ ।

WTC ୨୦୨୫ରୁ ୨୦୨୭ ଚକ୍ରରେ ୯ଟି ଦେଶ ମଧ୍ୟରେ ମୋଟ ୨୭ଟି ସିରିଜ ଖେଳାଯିବ । ସେଥିମଧ୍ୟରେ ୧୭ଟି ଏପରି ସିରିଜ ରହିବ, ଯେଉଁଥିରେ କି କେବଳ ୨ଟି ହିଁ ଟେଷ୍ଟ ଖେଳାଯିବ । ଅନ୍ୟ ୬ଟି ସିରିଜରେ ୩-୩ ଟେଷ୍ଟ ଖେଳାଯିବ । ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତୀୟ କ୍ରିକେଟ ଟିମ ପରସ୍ପର ବିପକ୍ଷରେ ୫-୫ ମ୍ୟାଚର ଟେଷ୍ଟ ସିରିଜ ଖେଳିବେ ।

ଏକ ରିପୋର୍ଟ ମୁତାବକ, WTC ଫାଇନାଲକୁ ନେଇ ଆଲୋଚନା ସମୟରେ ଆଇସିସି ଅଧ୍ୟକ୍ଷ ଶ୍ରୀ ଶାହ ୨୦୨୭-୨୯ WTC ଚକ୍ରରେ ୪ ଦିନିଆ ଟେଷ୍ଟ ପାଇଁ ନିଜର ସମର୍ଥନ ଜାହିର କରିଛନ୍ତି । ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଆସେସ, ବର୍ଡର-ଗାଭାସ୍କର ଟ୍ରଫି ଓ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ପାଇଁ ୫ ଦିନିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶିଡ୍ୟୁଲ କରିବାକୁ ଅନୁମତି ମିଳିବ ।

ବହୁତ ଶୀଘ୍ର ଧନପ୍ରାପ୍ତି ହେବାର ସଙ୍କେତ ଦେଇଥାଏ ଏହି ସ୍ବପ୍ନ, ଜାଣନ୍ତୁ କ’ଣ ..

ନନ୍ଦିଘୋଷ ବ୍ୟୁରୋ:  ଆମ ସମସ୍ତଙ୍କ ଜୀବନରେ ଟଙ୍କା ଏକ ବଡ଼ ଅଂଶ, ସେଥିପାଇଁ ସ୍ୱପ୍ନରେ ଟଙ୍କା ଦେଖିବା ଏକ ବଡ଼ କଥା ନୁହେଁ। ଅନେକ ସମୟରେ ଆମର ସ୍ୱପ୍ନ ଆମକୁ ଏପରି ସଙ୍କେତ ଦେଇଥାଏ ଯାହା ଆମ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଆମକୁ ଭବିଷ୍ୟତର ଘଟଣା ବିଷୟରେ ସଙ୍କେତ ଦେଇଥାଏ । ଏହି ସଙ୍କେତଗୁଡ଼ିକ ଭଲ ଏବଂ ଖରାପ ଉଭୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ଟଙ୍କା ଦେଖିବା କିମ୍ବା ଟଙ୍କାର ବର୍ଷା ଦେଖିବାର ଅର୍ଥ କ’ଣ ?

ସ୍ୱପ୍ନର ଦୁନିଆ ବହୁତ ଆକର୍ଷଣୀୟ। ଯଦି କେହି ସ୍ୱପ୍ନରେ ନିଜକୁ କାହାଠାରୁ ଟଙ୍କା ଗ୍ରହଣ କରୁଥିବାର ଦେଖନ୍ତି, ତେବେ ଏହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଏହା ଭବିଷ୍ୟତରେ କିଛି ଭଲ ଘଟୁଥିବାର ସଙ୍କେତ । ଏହା ସହିତ, ଏହାର ଅର୍ଥ ହେଉଛି ଯେ ଆପଣଙ୍କୁ ଭବିଷ୍ୟତରେ କିଛି ବଡ଼ ଲାଭ ମିଳିବ । ଏହି ସ୍ୱପ୍ନ ଆପଣଙ୍କ ସ୍ୱପ୍ନକୁ ପୂରଣ କରିପାରିବ।

କେଉଁ ସଙ୍କେତ କେଉଁ ବାର୍ତ୍ତା ଦିଏ ?

  • ସ୍ୱପ୍ନରେ ଟଙ୍କା ବର୍ଷା ଦେଖିବା ଏକ ଅତ୍ୟନ୍ତ ଶୁଭ ସଙ୍କେତ। ଯଦି ଆପଣଙ୍କର ସ୍ୱପ୍ନରେ ଟଙ୍କା ସହ ଜଡିତ କୌଣସି ଶୁଭ ସଙ୍କେତ ଅଛି, ତେବେ ଏହାର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିବ ଏବଂ ଆପଣଙ୍କ ବ୍ୟାଗ ଖୁସିରେ ପରିପୂର୍ଣ୍ଣ ହୋଇଯିବ। ଏହା ଏକ ଶୁଭ ସଙ୍କେତ।
  • ସ୍ୱପ୍ନରେ ଟଙ୍କା ବର୍ଷା ଦେଖିବା ଆପଣଙ୍କ ଭାଗ୍ୟ ସହିତ ଜଡିତ। ଯଦି ଆପଣ ଏପରି ସ୍ୱପ୍ନ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଏକ ନୂତନ ଚାକିରି, ନିବେଶରେ ଲାଭ, ପଦୋନ୍ନତି କିମ୍ବା ବ୍ୟବସାୟରେ ପ୍ରଗତି ହୋଇପାରେ।
  • ସ୍ୱପ୍ନରେ ଟଙ୍କାର ବର୍ଷା ଦେଖିବାର ଅର୍ଥ ହେଉଛି ଆପଣଙ୍କର ଆର୍ଥିକ ସମସ୍ୟା ସମାଧାନ ହୋଇଯାଇଛି ଏବଂ ଏବେ ଆପଣ  ଜୀବନରେ ଆଗକୁ ବଢ଼ିବେ ଏବଂ ଆପଣଙ୍କର ସ୍ୱପ୍ନ ପୂରଣ କରିବେ ।
  • ଏହା ସହିତ, ସ୍ୱପ୍ନରେ ଟଙ୍କାର ବର୍ଷା ଦେଖିବାର ଅର୍ଥ ହେଉଛି ଯେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ଏବଂ ଆପଣ ଶୀଘ୍ର ପ୍ରଗତି ପଥରେ ଆଗକୁ ବଢ଼ିବେ।

ଡବଲ ଇଞ୍ଜିନ ସରକାରର ଡବଲ ଧୋକା ; ଆସନ୍ତାକାଲି ପୁରୀରେ ଜନଜାଗରଣ ଯାତ୍ରା

ଭୁବନେଶ୍ବର :  ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ବର୍ଷେ ପୂରିଗଲା । ହେଲେ ନିର୍ବାଚନୀ ପ୍ରତିଶୃତି ସରକାର ପୂରଣ କଲେନି । ବିଜେପି ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଭୁ ବଳଭଦ୍ର ପଡିଯିବା ଘଟଣା, ଆମ୍ବ ଟାକୁଆ ଖାଇ ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଯୁବ-ଛାତ୍ର-ମହିଳାଙ୍କ ସମସ୍ୟା, ମହାନଦୀ, ପୋଲାଭରମ ପ୍ରସଙ୍ଗରେ ସରକାର ନିରବ ରହିବା ସହ୍ୟ ନୁହେଁ । ୬ଟି ଜିଲ୍ଲାରେ ହଇଜା ବ୍ୟାପିଛି । ଓଡ଼ିଆବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଜେପି ସରକାର । ପ୍ରତିଦିନ ୧୫ରୁ ଅଧିକ ହତ୍ୟା, ବଳାତ୍କାର ପରି ଘଟଣା ଘଟୁଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହା ବିରୋଧରେ କାଲି ପୁରୀରେ ଜନଜାଗରଣ ଯାତ୍ରା କରିବ ବିଜେଡି । ଏଥିରେ ଯୁବ ଓ ଛାତ୍ରଙ୍କ ପାଇଁ ବେରୋଜଗାରକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ।

ବର୍ଷକୁ ୨ କୋଟି ଚାକିରି କୁଆଡେ ଗଲା ? ବୃତ୍ତି ଅର୍ଥ ବଜେଟରେ ରଖାଯାଇନାହିଁ । ଓବିସି ସଂରକ୍ଷଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଲାଗୁ କରିବା ନେଇ ବ୍ୟାପକ ଜନଜାଗରଣ ସୃଷ୍ଟି କରିବ ବିଜେଡି । ବିଜେପି ସରକାରରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର କୌଣସି ସୁଯୋଗ ନାହିଁ । ପୂର୍ବ ସରକାର ସମୟରେ ୮ ହଜାର ସ୍କୁଲ ରୂପାନ୍ତରିତ ହୋଇଥିଲା । କହିକି କଣ ପାଇଁ ୨୦୨୪- ୨୫ରେ ଛାତ୍ର ସଂସଦ ନିର୍ବାଚନ କଲେନି ? କେନ୍ଦ୍ରରେ ୧୧ ବର୍ଷ ଭିତରେ ବଜେଟରେ ହୋଇଥିବା ବ୍ୟୟ ବରାଦର ମାତ୍ର ୪୨ ପ୍ରତିଶତ ଖର୍ଚ୍ଚ ହୋଇଛି । ଏଥିରେ ବିକାଶ କେମିତି ହେବ ବୋଲି ପ୍ରଶ୍ନ କରିଛି ବିଜେଡି । ୨୦୨୪- ୨୫ ରେ ଛାତ୍ର ସଂସଦ ନିର୍ବାଚନ କଣ ପାଇଁ ଅନୁଷ୍ଠିତ ହୋଇନଥିଲା ବୋଲି ଦଳ ପ୍ରଶ୍ନ କରିଛି । ତେଣୁ ଆସନ୍ତା କାଲି ଶ୍ରୀକ୍ଷେତ୍ରରୁ ବିଜେଡି ଯୁବ-ଛାତ୍ର ଜନତା ଦଳ ତାର ଜନ ଜାଗରଣ ଯାତ୍ରା ଆରମ୍ଭ କରିବ ବୋଲି ପୁରୀରେ ପ୍ରେସମିଟ କରି କହିଛି ।

ଜନ ଜାଗରଣ ଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଏହି ସବୁ ପ୍ରତାରଣାକୁ ନେବ ବିଜେଡି । ସମସ୍ୟା ସମାଧାନ କରିବା ପରିବର୍ତ୍ତେ ବିଜେପି ଉତ୍ସବ ମନାଉଛି । ବିଜେଡି ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି । ତେଣୁ ସରକାରଙ୍କ ଏକ ବର୍ଷର ବିଫଳତା ଲୋକଙ୍କ ପାଖକୁ ନେବ ବୋଲି କହିଛି ବିଜେଡି । ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯୁବ ଓ ଛାତ୍ର ନେତା ସାମିଲ ହେବେ । କାଲି ପୁରୀ – କୋଣାର୍କ ବେଳାଭୂମି ରାସ୍ତାର ସ୍ବାମୀ ନାରାୟଣ ମନ୍ଦିରରେ ଜନ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନୀଲ ମହାନ୍ତି , ବିଧାୟକ ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଯୁବ ବିଜେଡି ନେତା ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

ଭାରତ ଓ ଚୀନ ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର, ତଥାପି ଏହି ଦୁଇ ରାଷ୍ଟ୍ର କାହିଁକି G-7ର ସଦସ୍ୟ ନୁହନ୍ତି?

ନୂଆଦିଲ୍ଲୀ: ଜି-୭ରେ ସାମିଲ ହେବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମୟରେ କାନାଡ଼ା ଗସ୍ତରେ ଅଛନ୍ତି । ତେବେ ଭାରତ ଜି-୭ର ସଦସ୍ୟ ନୁହେଁ । କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ପିଏମ୍ ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଛନ୍ତି । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ସାମିଲ ହେବା ପ୍ରଥମ ଘଟଣା ନୁହେଁ । ୨୦୦୩ରୁ ଏହା ଜାରି ରହିଛି । ଦୁନିଆର ସର୍ବାଧିକ ଜନସଂଖ୍ୟା ଓ ଚତୁର୍ଥ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଭାରତ ଔପଚାରିକ ସଦସ୍ୟ ହୋଇନଥିଲେ ହେଁ ଆଉଟରିଚ ପାର୍ଟନର ଭାବେ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିପାରିଛି ।

ଜି-୭ ହେଉଛି ବିକଶିତ ରାଷ୍ଟ୍ରମାନଙ୍କର ଏକ ଗୋଷ୍ଠୀ । ଏଥିରେ ବ୍ରିଟେନ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଆମେରିକା ଓ ଜାପାନ ସଦସ୍ୟ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ବିଶ୍ବର ଦ୍ବିତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଚୀନ ମଧ୍ୟ ଏହାର ସଦସ୍ୟ ନାହିଁ । ଜି-୭ ଗଠନ ୧୯୭୦ ଦଶକରେ ବିଶ୍ବ ଆର୍ଥିକ ନୀତିର ସମନ୍ବୟ ପାଇଁ କରାଯାଇଥିଲା । ମାତ୍ର ବିଗତ କିଛି ବର୍ଷରେ ଜଳବାୟୁ ପରିବର୍ତ୍ତନ, ସୁରକ୍ଷା, ବିକାଶ ଓ ଟେକ୍ନାଲୋଜିକୁ ଏଥିରେ ସାମିଲ କରାଯାଇଛି ।

ଚୀନ ବିଶ୍ବର ଏକ ବଡ଼ ଅର୍ଥନୀତି ହୋଇଥିଲେ ହେଁ ଜି-୭ର ସଦସ୍ୟ ହୋଇନାହିଁ । ବିଶ୍ବର ଅନ୍ୟ ଅର୍ଥବ୍ୟବସ୍ଥାଗୁଡ଼ିକ ତୁଳନାରେ ଚୀନର ପ୍ରତି ବ୍ୟକ୍ତିଙ୍କ ଆୟର ସ୍ତର ଅପେକ୍ଷାକୃତ କମ୍ ରହିଛି, ସେଥିପାଇଁ ଚୀନକୁ ଜି-୭ରେ ସାମିଲ କରାଯାଇନାହିଁ । ଚୀନ ପରି ଭାରତରେ ମଧ୍ୟ ପ୍ରତି ବ୍ୟକ୍ତିଙ୍କ ଆୟ ଏହି ୭ଟି ଦେଶ ତୁଳନାରେ ବହୁତ କମ୍ ରହିଛି । ଯେତେବେଳେ ଜି-୭ ସ୍ଥାପନ ହୋଇଥିଲା, ସେ ସମୟରେ ଭାରତ ଏକ ବିକାଶଶୀଳ ଦେଶ ଥିଲା ଓ ଗରିବୀ ସହ ସଂଘର୍ଷ କରୁଥିଲା । ସେ ସମୟରେ ଜି-୭ରେ ସାମିଲ ହେବା ପାଇଁ ଭାରତର ମାନଦଣ୍ଡ ସଠିକ୍ ନଥିଲା । ସେଥିପାଇଁ ଭାରତ ଓ ଚୀନ ଏହି ଗ୍ରୁପର ସଦସ୍ୟ ନୁହନ୍ତି ।