spot_img
Home Blog Page 6851

୨୪ ଘଣ୍ଟାରେ ଭାରତରେ କରୋନା ସର୍ବାଧିକ ମାମଲା, ବିଶ୍ୱରେ ଭାରତ ଷଷ୍ଠ ସ୍ଥାନରେ ରହିଛି

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କମିବାର ନା ନେଉନି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆସିଲା ସର୍ବାଧିକ ମାମଲା । ବ୍ରାଜିଲ-ଆମେରିକା ଭଳି ବଢୁଛି ସଂକ୍ରମିତ ଗ୍ରାଫ । କରୋନା ପାଇଁ ସାରା ଦେଶ ଲକଡାଉନ୍‌ ଥିବାବେଳେ ଏବେ ଅନଲକ୍‌ ପରିସ୍ଥିତିକୁ ଆସିଛି ହେଲେ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି ।

ଗତକାଲି ଆସିଛି ୯୮୫୧ କେସ୍‌ । ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ । ସେହିଭଳି ୨୭୩ ଜଣକ ମୃତ୍ୟୁ ହୋଇଥିବାବେଳେ ୫,୩୫୫ ଜଣ ସୁସ୍ଥ ହୋଇଛନ୍ତି । ଗତ ୬ ଦିନ ଧରି ଲଗାତାର ଭାବେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ମୋଟ ୨ ଲକ୍ଷ ୨୬ ହଜାର ୭୭୦ ମାମଲା ଆସିଥିବାବେଳେ ୬,୩୪୮ ଜଣକ ମୃତ୍ୟୁ ହୋଇଛି । ସେହିଭଳି ପ୍ରାୟ ୧ ଲକ୍ଷ ୯ ହଜାର ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସାରା ବିଶ୍ୱରେ ଦୃତ ଗତିରେ ବଢୁଥିବା କରୋନା ଦେଶ ମଧ୍ୟରେ ଭାରତ ୬ ନମ୍ବର ସ୍ଥାନରେ ରହିଛି ।

ସ୍ନାନଯାତ୍ରା: ମିଳିଲାନି ପ୍ରତ୍ୟକ୍ଷ ଦର୍ଶନ, ପୂରିଲାନି ଭକ୍ତଙ୍କ ମନ

ଶେଷ ହେଲା ସ୍ନ।ନଯାତ୍ରା । କିନ୍ତୁ ଭକ୍ତ ମନ ଉଣା । ପ୍ରତ୍ୟକ୍ଷ ଦର୍ଶନ ମିଳିଲା ନାହିଁ । ପାଖରୁ ସାହାଣମେଲା ଦର୍ଶନ ତ ଦୂରର କଥା, ବଡ଼ଦାଣ୍ଡକୁ ବି ଯାଇ ହେଲାନି । କରୋନା କଟକଣା ପାଇଁ ଦୀର୍ଘଦିନ ହେଲା ଶ୍ରୀମନ୍ଦିର ବନ୍ଦ ଅଛି । ଆଶା ଥିଲା, ବଡ଼ଦାଣ୍ଡରେ ଛିଡ଼ା ହୋଇ ହାତୀବେଶ ଦର୍ଶନ କରିବେ । କିନ୍ତୁ ସେତକ ହୋଇ ନଥିବାରୁ ଭକ୍ତ ହତାଶ ହୋଇଛନ୍ତି । କେବଳ ଘରେ ବସି ଟିଭିରେ ଦେଖିକରି ଭାବବିହ୍ୱଳ ହୋଇଛନ୍ତି, ଅଭିମାନଭରା ଗୁହାରି କରିଛନ୍ତି ।

ଟେଲିଭିଜନ ପରଦାରେ କାଳିଆର ସ୍ନ।ନନୀତି ଦେଖି ମନ ସନ୍ତୁଷ୍ଟ ହେଉନାହିଁ । ଇଚ୍ଛା ହେଉଛି ବଡ଼ଦାଣ୍ଡରେ ସାଆନ୍ତଙ୍କ ସାମ୍ନାରେ ଟିକେ ନୃତ୍ୟ ପରିବେଷଣ କରନ୍ତେ । ନୃତ୍ୟଶିଳ୍ପି ରୂପଶ୍ରୀ ମହାପାତ୍ର ବିଭିନ୍ନ ବର୍ଷ ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ସାମ୍ନାରେ ନାଚିନାଚି ଭକ୍ତି ନିବେଦନ କରନ୍ତି । କିନ୍ତୁ ଏବର୍ଷ କରୋନା କଟକଣା ଯୋଗୁ ବନ୍ଦ । ରୂପଶ୍ରୀଙ୍କ ମନରେ ଅବସୋସ । ଟିଭି ପରଦାରେ ଚକାଆଖି ସହ ଆଖି ମିଶାଲେ ଆଖିରେ ଲୁହ ଆସିଯାଉଛି ।  କେବଳ ରୂପଶ୍ରୀ ନୁହନ୍ତି, ଏବର୍ଷ କୈାଣସି ସାଧାରଣ ଲୋକ ସିଧାସଳଖ ବିଶ୍ୱନିୟନ୍ତାଙ୍କ ମାନବୀୟ ଲୀଳା- ସ୍ନ।ନନୀତି ଦର୍ଶନ କରିପାରିନାହାନ୍ତି । ଜନଶୂନ୍ୟ ଥିଲା ବଡ଼ଦାଣ୍ଡ । ଏପରିକି ପୁରୀ ସହରର ଲୋକ ବି ୧୪୪ ଧାରା ଓ କୋଭିଡ୍‌ କଟକଣା ଯୋଗୁ ବଡ଼ଦାଣ୍ଡକୁ ଯାଇ ପାରିନଥିଲେ । ସମସ୍ତଙ୍କ ମନରେ କ୍ଷୋଭ । ପ୍ରଶାସନ ଇଚ୍ଛା କରିଥିଲେ ସାମାଜିକ ଦୂରତା ବଜାୟ ରଖି ଦୂରରୁ ଦର୍ଶନ ବ୍ୟବସ୍ଥା କରିପାରିଥାନ୍ତା ବୋଲି ଭକ୍ତ କହିଛନ୍ତି । ଜୁନ୍‌ ୩୦ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ତାପରେ ମିଳିବ ଠାକୁରଙ୍କ ଦର୍ଶନ । ସେ ପର୍ଯ୍ୟନ୍ତ ଭକ୍ତଙ୍କ ଅପେକ୍ଷା ।

୪ ଦେଶର ଉଦାହରଣ ଦେଇ ଲକ୍‌ଡାଉନ୍‌କୁ ଫେଲ୍‌ ଦର୍ଶାଇଲେ ରାହୁଲ

ନୂଆଦିଲ୍ଲୀ: ଭୟଙ୍କର ଭୂତାଣୁ କରୋନାକୁ ନେଇ ବିପତ୍ତି ଏଯାଏଁ ଟଳିନି । କିନ୍ତୁ ସରକାର ଅନେକ କ୍ଷେତ୍ରରେ ଲକ୍‌ଡାଉନ୍‌ କୋହଳ କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁଠି କଟକଣା କୋହଳ ହୋଇଛି । ଇତିମଧ୍ୟରେ ଦେଶର ଆରମ୍ଭ ହୋଇସାରିଛି ଅନ୍‌ଲକ୍‌ ୧.୦ ।   ତେବେ ଏବର ପରିସ୍ଥିତିରେ ଲକ୍‌ଡାଉନ୍ କୋହଳ ନିଷ୍ପତ୍ତି ସହ ବିଭିନ୍ନ ବିଶେଷଜ୍ଞ ଏକମତ ନୁହଁନ୍ତି । କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ଲକ୍‌ଡାଉନକୁ ବିରୋଧ କରୁଥିବା ବେଳେ ଏବେ ଅନଲକ୍‌କୁ ବିରୋଧ କରିଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଏକ ଟ୍ୱିଟ୍ କରି ପୁଣି ମୋଦି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ନିଜ ଟ୍ୱିଟ୍‌ରେ ରାହୁଲ ଭାରତର କରୋନା ଗ୍ରାଫ ସହ ଅନ୍ୟ କିଛି ଦେଶର ଗ୍ରାଫ୍‌କୁ ତୁଳନାତ୍ମକଭାବେ ପ୍ରଦର୍ଶିତ କରିଛନ୍ତି । ଏବଂ ଲେଖିଛନ୍ତି ଏହା ବିଫଳ ଲକ୍‌ଡାଉନ୍‌ର ଗ୍ରାଫ୍‌ ।

ରାହୁଲ ଏପରି ଲେଖିବାର କାରଣ ହେଉଛି, ସେ ସେୟାର କରିଥିବା ଦେଶମାନଙ୍କର କରୋନା ଗ୍ରାଫ୍‌ ଅନୁଯାୟୀ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଏବଂ ସଂଖ୍ୟା ହ୍ରାସ ହେବା ସମୟରେ ଅନଲକ୍‌ ଘୋଷଣା କରାଯାଇଥିଲା । କିନ୍ତୁ ଭାରତରେ ଅନଲକ୍‌ ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ।

ରାହୁଲ ଗାନ୍ଧି ଯେଉଁ ଦେଶମାନଙ୍କ ଗ୍ରାଫ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ପେନ୍‌, ଜର୍ମାନୀ, ଇଟଲୀ ଏବଂ ବିଟ୍ରେନ ଭଳି ଦେଶ ରହିଛି । ସୂଚନା ଯୋଗ୍ୟ ଯେ, ରାହୁଲ ଗାନ୍ଧି ପୂର୍ବରୁ ମଧ୍ୟ ସରକାରଙ୍କ କରୋନା ମୁକାବିଲା ପଦକ୍ଷେପକୁ ନେଇ ଗଠନ ମୂଳକ ସମାଲୋଚନା କରିଆସିଛନ୍ତି ।

ଘର ସାମ୍ନାରୁ ଘୁଞ୍ଚିବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଘର ମାଲିକ, ତାପରେ କ’ଣ ହେଲା ?

ଅଷ୍ଟ୍ରେଲିଆ: ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଯାଏ ଯାହାକୁ ଲୋକମାନେ ଖୁବ ଦେଖନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି । ଏମିତି ଏକ ଭିଡିଓ ଅଷ୍ଟ୍ରେଲିଆରୁ ଭାଇରାଲ ହେଉଛି ଯେଉଁଥିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ ସେହି ସମୟରେ ପଛକୁ ହଟିଯାଆନ୍ତି ଯେତେବେଳେ ସେ ସାମ୍ବାଦିକ ମାନଙ୍କ ସହ କଥା ହେଉଥିଲେ ।

ବାସ୍ତବରେ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ରାସ୍ତା ପାଖରେ ଏକ ଘର ସାମ୍ନାରେ ଛିଡ଼ା ହୋଇ ସାମ୍ହାଦିକଙ୍କ ସହିତ କଥା ହେଉଥିଲେ । ଠିକ ସେହି ସମୟରେ ଘର ମାଲିକ ସମସ୍ତଙ୍କୁ ପଠକୁ ଘୁଞ୍ଚିବା ପାଇଁ କହିଥିଲେ କାରଣ ସେମାନେ ତାଙ୍କ ବଗିଚାରେ ଲାଗିଥିବା ଘାସ ଉପରେ ଠିଆ ହୋଇପଡ଼ିଥିଲେ।

ଦ ଗାର୍ଜିୟନର ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ ରାଜଧାନୀ କୈନବରାରୁ ଅଳ୍ପ କିଛି ଦୂର ଗୁଗାନ୍ସରେ ଏକ ଘର ସାମ୍ନାରେ ଠିଆ ହୋଇ ସାମ୍ବାଦିକ ମାନଙ୍କ ସହ କଥା ହେଉଥିଲେ ଏବଂ ଅନେକ ବଡ଼ ବଡ଼ ଘୋଷଣା ମଧ୍ୟ କରୁଥିଲେ । ସେହି ସମୟରେ ବଗିଚାର ମାଲିକ ସେ ସମସ୍ତଙ୍କୁ ସେଠାରୁ ଘୁଞ୍ଚିବା ପାଇଁ କହିଥିଲେ । ସେ କହିଥିଲେ ଯେ, ମୁଁ ନିକଟରେ ଲନ୍ ରେ ଘାସ ଲଗାଇଛି, ତେଣୁ ଆପଣ ମାନେ ଘୁଞ୍ଚିକି ଠିଆ ହୁଅନ୍ତୁ ।

ଏହା ପରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ସଙ୍ଗେ ସଙ୍ଗେ ରାଜି ହୋଇ ସେଠାରୁ ଘୁଞ୍ଚିଗଲେ ଏବଂ ସାମ୍ବାଦିକମାନଙ୍କୁ ମଧ୍ୟ ପଛକୁ ଘୁଞ୍ଚିବା ପାଇଁ କହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ସେହି ଘର ମାଲିକଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି |

ରାଜଧାନୀ ଶିଶୁ ହତ୍ୟା ମାମଲା, ହସ୍ପିଟାଲ ଉପରେ ନଜର

ଭୁବନେଶ୍ୱର: ଜୀବନ କ’ଣ ଜାଣିବା ଆଗରୁ ଗୋଟିଏ ନିରୀହ ଶିଶୁର ଜୀବନ ଲିଭିଗଲା । ଗୋଟିଏ ମା’ର କୋଳଶୁନ୍ୟ କରିଦେଲା ଆଉ ଗୋଟିଏ ମା’ । ଦୁଇ ଦିନ ଧରି ରାଜଧାନୀ ଭୁବନେଶ୍ୱର ସେଇ ଗୋଟିଏ ପ୍ରଶ୍ନ ଭିତରେ ଧନ୍ଦି ହେଉଛି । ସାଇରାମ କେମିତି ମଲା ? କାହିଁକି ନିଜେ ଜଣେ ମା’ ହୋଇବି ସେହି ମହିଳା ଗୋଟିଏ କୁନି ଛୁଆଠାରୁ ଜୀବନ ଛଡାଇ ନେଲେ  ?

ସାଇରାମ ପାତ୍ର ହତ୍ୟା ପଛର ଖିଅ ପୋଲିସ ଖୋଜୁଛି । ଏଣେ  ଦୁଇ ଦିନପରେ ବି କିଲର୍‌ ଲେଡି ତନୁଶ୍ରୀ ପରମାଣିକଙ୍କ ହୋସ ଫେରିନି । ଦୋ ଛୋକିରେ ଖଣ୍ଡଗିରି ପୋଲିସ। ତଦନ୍ତ ଶେଷ ନ ହେବା ଯାଏଁ ରାଜ୍ୟ ବାହାରକୁ ନଯିବା ପାଇଁ ତନୁଶ୍ରୀଙ୍କ ସ୍ୱାମୀଙ୍କୁ ପୋଲିସ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ହତ୍ୟାକାରୀ ତନୁଶ୍ରୀଙ୍କୁ ଫାଶୀ ଦେବାକୁ  ଦାବି କରିଛନ୍ତି ରାଜୀବନଗର ବାସିନ୍ଦା ।

ହସ୍ପିଟାଲ ଉପରେ ଆଖି

ହତ୍ୟା ହୋଇଛି ତାକୁ ନେଇ କୌଣସି ସନ୍ଦେହ ନାହିଁ  । କିନ୍ତୁ ସାଇରାମ ପାତ୍ରଙ୍କ ହତ୍ୟାର କାରଣ କ’ଣ ଥିଲା? ଏହା ହେଉଛି ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧା । କଣ ପାଇଁ ତନୁଶ୍ରୀ ସାଜିଲେ ହତ୍ୟାକାରୀ ତାହା ଜାଣିବା ପାଇଁ ଖାଲି ପୋଲିସ ଉତ୍ସୁକ ନୁହେଁ ସାଧାରଣ ଲୋକ ମଧ୍ୟ କାରଣ ଜାଣିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ।  କିନ୍ତୁ ଘଟଣା ମୁଖ୍ୟ ଚରିତ୍ର, ଯିଏ କାରଣ ଜାଣିଛନ୍ତି ସେ କହିବା ପରିସ୍ଥିତିରେ ନାହାନ୍ତି ।

କାରଣ ତନୁଶ୍ରୀ ଏବେ ଚେତାଶୁନ୍ୟ । ହସ୍ପିଟାଲରେ ଅଚେତନ ଥିବା ତନୁଶ୍ରୀଙ୍କ ଚେତା କେବେ ଫେରିବ ଓ ସେ କେବେ ମୁହଁ ଖୋଲିବେ ତାକୁ ଚାହିଁ ବସିଛି ପୋଲିସ । ଏବେ କିନ୍ତୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯେ, ତଦନ୍ତକୁ ବିଳମ୍ବିତ କରିବା ପାଇଁ ଜାଣିଶୁଣି ଅଚେତ ହେବାର ଅଭିନୟ କରୁଛନ୍ତି ସନ୍ଦିଗ୍ଧ ।ତନୁଶ୍ରୀ କଣ ପାଇଁ ଏମିତି କଲେ ? କେବେଳ ସେ ନିଜେ ଜାଣନ୍ତି । କିନ୍ତୁ ପୋଲିସ ତାଙ୍କ ସ୍ୱାମୀ ତଦନ୍ତ ନସରିବା ପର୍ଯ୍ୟନ୍ତ ରାଜ୍ୟ ନଛାଡିବାକୁ ନିର୍ଦ୍ଦେଶ ଦେଇଛି ।

ସେଦିନ କ’ଣ ହୋଇଥିଲା ?

ସେଦିନ ଥରେ ନୁହେଁ ସାଇରାମକୁ ତିନି ଥର ଖେଳିବା ପାଇଁ ଡାକିଥିଲେ ପଡିଶାଘରର ତନୁଶ୍ରୀ । ନିଜ ଝିଅ ସହ ଖେଳିବା ପାଇଁ ତନୁଶ୍ରୀ ସାଇରାମକୁ ଡାକିଥିଲେ । ସାଇରାମ ଖେଳିବାକୁ ତନୁଶ୍ରୀଙ୍କ ଘରକୁ ଯାଇଥିଲା । କିନ୍ତୁ ମାତ୍ର କେଇ ଘଣ୍ଟା ଭିତରେ ସବୁକିଛି ବଦଳି ଯାଇଥିଲା ।

ଜୀବନ୍ତ ସାଇରାମ ଲାସ୍ ପାଲଟି ଯାଇଥିଲା । ଘର ଭିତରେ କ’ଣ ହୋଇଥିଲା କେବଳ ତନୁଶ୍ରୀ ଜାଣନ୍ତି । କିନ୍ତୁ ସାଇରାମଙ୍କ ବଡଭାଇର କଥା ଅନୁସାରେ ସାନଭାଇର ଫେରିବାରେ ବିଳମ୍ବ ହେବାରୁ  ସେ ତାକୁ ଘରକୁ ଆଣିବାକୁ ତନୁଶ୍ରୀଙ୍କ ଘରକୁ ଯାଇଥିଲେ ।

କିନ୍ତୁ ସେଠି ଭାଇ ବଦଳେ ଦେଖିଥିଲେ ଲାସ । ଖଟ ଉପରେ ପଡିଥିଲା ସାଇରାମ। ପାଟିରୁ ନାଳ ଓ ରକ୍ତ ବାହାରୁଥିଲା। ଆଉ ଏହି ସମୃୟରେ ହତ୍ୟାକାରୀ ତନୁଶ୍ରୀ ବସିଥିଲା ଖଟ ଉପରେ।

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…

ସତ ଦିନେ ନା ଦିନେ ସାମ୍ନାକୁ ଆସିବ । ତନୁଶ୍ରୀ ମୁହଁ ଖୋଲିଲେ ସତ ପଦାକୁ ଆସିବ । କିନ୍ତୁ ଏବେ ଯଦି ତନୁଶ୍ରୀଙ୍କ ଝିଅ କଥାକୁ ବିଶ୍ୱାସ କରାଯାଏ ତେବେ ସେ କଥା କଥାରେ ତଣ୍ଟି ଚିପି ଧରୁଥିଲେ । ତେବେ ପ୍ରଶ୍ନ ହେଲା ସେଦିନ ତନୁଶ୍ରୀ କ’ଣ ପାଇଁ ସାଇରାମଙ୍କ ତଣ୍ଟି ଧରିଥିଲେ ? ଉତ୍ତର ପାଇବାକୁ ହୁଏତ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

କରୋନା ମୁକାବିଲା ଦାୟିତ୍ୱରୁ ବରିଷ୍ଠ ଆଇଏଏସଙ୍କୁ ଅବ୍ୟାହତି

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ଅତିରିକ୍ତ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍‌ଙ୍କୁ ଅବ୍ୟାହତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ନେଇ ନୋଡାଲ ଅଫିସର ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ବିଶାଲ କୁମାର ଦେବ, ୧୦୪ ହେଲପ୍‌ ଲାଇନ୍ ନମ୍ୱର  ଅପରେସନ ଦାୟିତ୍ୱରେ ଥିବା କ୍ରିଷନ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସିଷ୍ଟାଣ୍ଟ ପ୍ରିନ୍ସପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ଅରବିନ୍ଦ ଅଗ୍ରଓ୍ୱାଲ, ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଥିବା ସଚିନ ରାମଚନ୍ଦ୍ର ଯାଦବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ଭୂପେନ୍ଦ୍ର ସିଂହ ପୁନିଆ, ମିଶନ ଶକ୍ତି, ଶ୍ରମ ଓ ଇଏସ୍‌ଆଇ ବିଭାଗର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ରଶ୍ମିତା ପଣ୍ଡା, ସିଏମ୍ଓରେ ମୁଖ୍ୟ ଉପଦେଷ୍ଟା ଓଏସ୍‌ଡି ଦାୟିତ୍ୱରେ ଥିବା ଭିନିଲ କ୍ରିଷ୍ଣା, କୋଭିଡ ସଚେତନତା ଦାୟିତ୍ୱରେ ଥିବା ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

ଯେତେବଳେ ଲକଡାଉନ୍ କଥା ଉଠିବ, ସେତେବେଳେ ସୋନୁ ଆଲୋଚନା ଭିତରକୁ ଆସିବେ

ଜଣେ ବ୍ୟକ୍ତି ଚାହିଁଲେ ବହୁତ କିଛି କରି ପାରିବେ । ବଲିଉଡର ସୋନୁ ସୁଦ୍ ହେଉଛନ୍ତି ଏହାର ଉଦାହରଣ । ଆମ ସମୟର ଜଣେ ରୋଲ ମଡେଲ । ଭବିଷ୍ୟତରେ ଯେତେବେଳେ କରୋନା କାଳର ଇତିହାସ ଲେଖାଯିବ,ଯେତେବେଳେ ଲକଡାଉନକୁ ଲୋକ ମନେ ପକାଇବେ,ଯେତେବେଳେ ଆଜିର ପୀଢି ଆଗାମୀ ପୀଢିକୁ ଲକଡାଉନର ବ୍ୟଥା କଥା ଶୁଣାଇବେ ସେତେବେଳ ସୋନୁ ମାନବତାର ଉଦାହରଣ ହୋଇ କାହାଣୀର ନାୟକ ହେବେ ।

ସୋନୁଙ୍କ କଥା ସିନେମାର କାହାଣୀଠାରୁ କିଛି କମ ନୁହେଁ । ଦୁଇ ଘଣ୍ଟାର ଟାଇମ୍ ଫ୍ରେମ ଭିତରେ ନାୟକକୁ ବହୁତ କିଛି କରିବାର ଥାଏ । ସମାଜ,ସିଷ୍ଟମକୁ ବଦଳାଇବା ପାଇଁ ତା’ପାଖରେ ଦୁଇ ଘଣ୍ଟା କିମ୍ବା ତା’ଠାରୁ କମ ସମୟ ଥାଏ । କିନ୍ତୁ ସେହି ଟାଇମ୍ ଫ୍ରେମ ଭିତରେ ସବୁ କିଛି ସଫଳତାର ସହ ସାରେ ନାୟକ । କାହାଣୀର ହାପି ଏଣ୍ଡିଂ ହୁଏ । ବାସ୍ତବ ଜୀବନରେ ଏମିତି କିଛି ହେବ ନାହିଁ,ଏହା କେବଳ ସିଲଭର ସ୍କ୍ରିନ୍ ଉପରେ ସମ୍ଭବ ବୋଲି ଜାଣିଥିବା ଦର୍ଶକ କିନ୍ତୁ ତାଳିମାରେ । ତେଣୁ ‘ନାୟକ’ ଫିଲ୍ମରେ ଅନିଲ କପୁର ଓରଫ ଶିବଜୀ ରାଓ ଗାଏକୱାଡ ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ବହୁତ କିଛି କରି ପକାନ୍ତି । ପିଡିଏସ ବିତରଣରେ ସୁଧାରଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କୁ ଘର ଦେବା ,ସବୁକିଛି ୨୪ ଘଣ୍ଟା ଭିତରେ ହୋଇଯାଏ । ଏସବୁ ଫିଲ୍ମରେ ସମ୍ଭବ ଥିଲା ।

କିନ୍ତୁ କରୋନା କାଳରେ ଜଣେ ଫିଲ୍ମି ଖଳନାୟକ ଏସବୁ ବାସ୍ତବ ଜୀବନରେ ମଧ୍ୟ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି । ସେ ହେଉଛନ୍ତି ସୋନୁ ସୁଦ । ସୁପ୍ରିମକୋର୍ଟଙ୍କୁ ୫ ଜୁନରେ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଂଚାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପଡେ । କିନ୍ତୁ ତା’ପୂର୍ବରୁ ଜଣେ ବ୍ୟକ୍ତି ଏକାକୀ ନିଜ ଚେଷ୍ଟାରେ ୧୮ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରେ ପହଂଚାଇ ସାରିଛନ୍ତି । ବାତ୍ୟା ନିସର୍ଗ ବେଳେ ମଧ୍ୟ ସୋନୁଙ୍କୁ ସୁପରମ୍ୟାନ୍ ଭୂମିକାରେ ଦେଖିବାକୁ ମିଳିଛି । ସୋନୁ ୨୮ ହଜାର ଲୋକଙ୍କୁ ନିଜ ଖର୍ଚ୍ଚରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ସେମାନଙ୍କ ଭୋଜନ ବ୍ୟବସ୍ଥା କରିଛନ୍ତି । ଏମିତିରେ ସୋନୁଙ୍କୁ ଯଦି ଏକାକୀ ଗୋଟିଏ ସେନା କୁହାଯାଏ ତେବେ କିଛି ଭୁଲ ହେବ ନାହିଁ ।

ପରିବର୍ତ୍ତନ ପାଇଁ ନିଜକୁ ହିଁ ଆଗକୁ ବଢିବାକୁ ପଡେ । ସୋନୁ ସେ କଥା କରି ଦେଖାଇଛନ୍ତି । ତେଣୁ ବ୍ୟକ୍ତି ପୂଜାରେ ବିଶ୍ୱାସ କରୁଥିବା ଭାରତରେ ଯଦି ଆଗକୁ ସୋନୁଙ୍କ ନାମରେ ମନ୍ଦିର ତିଆରି ହୁଏ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ସବୁଠୁ ସୁଖଦ ଆଶ୍ଚର୍ଯ୍ୟ ହେବ,ଯଦି ସୋନୁଙ୍କ ପଦାଙ୍କ ଆମେ ଅନୂସରଣ କରିବା । କେବଳ ଫେସବୁକ୍, ଟ୍ୱିଟରର ହ୍ୟାସଟାଗ ଭିତରେ ନିଜକୁ ସୀମିତ ରଖିଲେ ପରିବର୍ତ୍ତନ ଆସିବ ନାହିଁ । ସେଥିପାଇଁ ସୋନୁଙ୍କ ଭଳି ରାସ୍ତାକୁ ଓହ୍ଲାଇବାକୁ ପଡିବ ।

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଜନ୍ମିତ ଶିଶୁମାନଙ୍କୁ ପୂର୍ବତଟ ରେଳପଥର ଉପହାର

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ୩ଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମାଆମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରଯାଇଛି I ୩ଟି ଶିଶୁଙ୍କ ମଧ୍ୟରୁ ୨ଟି ଟିଟିଲାଗଡ଼ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗୀର ଠାରେ ଜନ୍ମଗ୍ରହଣ କରିଛି I ସମସ୍ତ ନବଜାତ ଶିଶୁ ଓଡିଶାର ବଲାଙ୍ଗୀର ଜିଲ୍ଲାର ଅଟନ୍ତି I

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଶୁକ୍ରବାର ଏକ ଘୋଷଣା କରି କହିଛନ୍ତି ଯେ, ପୂର୍ବତଟ ରେଳପଥର ଅଧିକାରୀମାନେ ବ୍ୟକ୍ତିଗତଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତକ ଶିଶୁମାନଙ୍କୁ ଉପହାର କୁପନ ପ୍ରଦାନ କରିପାରିବେ ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନିଜେ ନବଜାତ ଶିଶୁଙ୍କ ପାଖକୁ ପାଞ୍ଚ ହଜାର ଟଙ୍କାର ଉପହାର ପଠାଇଛନ୍ତି I ରେଲଓ୍ୱେର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭବିଷ୍ୟତରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯଦି ଶିଶୁ ଜନ୍ମ ନିଅନ୍ତି ତେବେ ସ୍ୱେଚ୍ଛାକୃତ ଭାବେ ସେମାନେ ମଧ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି I

ପ୍ରବାସୀ ଶ୍ରମିକଙ୍କୁ ପଠାଇବା ନେଇ ୧୫ ଦିନର ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫସିରହିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୫ ଦିନ ମଧ୍ୟରେ ଫସିରହିଥିବା ସମସ୍ତ ଶ୍ରମିକଙ୍କୁ ପଠାଇବାକୁ ସମୟ ଦେଇଛନ୍ତି ମାନ୍ୟବର କୋର୍ଟ । ଶୁକ୍ରବାର ଜଷ୍ଟିସ ଅଶୋକ ଭୂଷଣ, ଏସ୍‌.କେ କୋଲ୍‌ ଏବଂ ଏମଆର୍‌ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବାସୀ ଶ୍ରମିକଙ୍କ ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଚାଲିଥବା ଏହି ଶୁଣାଣିରେ ପ୍ରବାସୀଙ୍କୁ ପଠାଇବା ନେଇ ୧୫ ଦିନର ମହଲତ ଦେବା ସହ ସେମାନଙ୍କ ରେଜିଷ୍ଟ୍ରେସନ୍‌ ଏବଂ ନିଯୁକ୍ତି ଦେବା ନେଇ ଏକ ମେକାନିଜମ୍ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶରେ କହିଛନ୍ତି ।

सांकेतिक तस्वीर

ତେବେ ଏଯାବତ୍‌ ମୋଟ ୧ କୋଟି ଶ୍ରମିକଙ୍କୁ ପଠାଯାଇଛି । ୪୧ ଲକ୍ଷ ଶ୍ରମିକଙ୍କୁ ସଡ଼କ ପଥରେ ଏବଂ ୫୭ ଲକ୍ଷ ପ୍ରବାସୀଙ୍କୁ ଟ୍ରେନ୍‌ ଜରିଆରେ ସେମାନଙ୍କୁ ଘରକୁ ପହଞ୍ଚାଯାଇଛି । ମୋଟ ୪୨୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରିଛି । ତେବେ ଆଉ କେତେ ପ୍ରବାସୀ ଶ୍ରମିକ ଫେରିବାର ଅଛି ଏବଂ କେତେଟି ଟ୍ରେନ୍‌ର ଆବଶ୍ୟକତା ରହିଛି ସେ ନେଇ କେବଳ ରାଜ୍ୟ ସରକାରମାନେ ସୂଚନା ଦେଇପାରିବେ ବୋଲି ମାନ୍ୟବର କୋର୍ଟଙ୍କୁ କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।

ଭାରତ-ଚୀନ ଗତିରୋଧ: G-7 ବିସ୍ତାରକୁ ନେଇ ଚୀନ ମିଡିଆର ଧମକ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ

ବେଜିଂ: ଚୀନର ସରକାର ନିୟନ୍ତ୍ରିତ ଗଣମାଧ୍ୟମ ଭାରତକୁ ଧମକ ଦେଇଛି । ଜି-୭ର ବିସ୍ତାର ଓ ଏଥିରେ ଭାରତକୁ ସାମିଲ କରିବା  ପାଇଁ ଆମେରିକାର ଉଦ୍ୟମ ଚୀନ ମିଡିଆକୁ ଉତକ୍ଷିପ୍ତ କରିଛି ।ସେଠାକାର ଗଣମାଧ୍ୟମ ଚେତାବନୀ ଦେଇ କହିଛି ଯେ,  ଜି-୭ ବିସ୍ତାରରେ ସାମିଲ ହେବା ପାଇଁ ଉଦ୍ୟମ କରି ଭାରତ ନିଆଁ ସହ ଖେଳୁଛି ।

ଚୀନ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଜି-୭ ବିସ୍ତାର ବିଚାର ଜିଓ ପଲିଟିକ୍ସ ବା ଭୂ-ରାଜନୈତିକ ଗଣିତ ଉପରେ ଆଧାରିତ । ଯାହାର ଲକ୍ଷ୍ୟ ହେଉଛି ଚୀନକୁ ଘେରିବା । ଭାରତ କେବଳ ଦୁନିଆର ପଂଚମ ବୃହତ୍ ଆର୍ଥିକ ଶକ୍ତି ନୁହେଁ ଏହା ମଧ୍ୟ ଆମେରିକାର ଭାରତ-ପ୍ରଶାନ୍ତ ମହାସାଗର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ତେଣୁ ଆମେରିକା ଭାରତକୁ ଜି-୭ରେ ସାମିଲ କରିବାକୁ ଚାହୁଁଛି । ଚୀନକୁ ଚେକମେଟ୍ କରିବା ପାଇଁ ଆମେରିକା ଅନେକ ଦିନ ଧରି ଭାରତକୁ ନିଜ ପାଲରେ ପକାଇବା ପାଇଁ ଉଦ୍ୟମ କରି ଆସୁଛି ବୋଲି ଗ୍ଲୋବାଲ ଟାଇମ୍ସ ଲେଖିଛି ।

 

ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଚୀନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଛି

ଗ୍ଲୋବାଲ ଟାଇମ୍ସ ଅନୁସାରେ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଚୀନ୍ ନେଇ ଭାରତ ସରକାରଙ୍କ ରଣନୀତି ବଦଳିଛି । ମହାଶକ୍ତି ବନିବାର ମହତ୍ୱାକାଂକ୍ଷା ରଖିଥିବା ଭାରତ ଆମେରିକାର ଜି-୭ ବିସ୍ତାର ପ୍ରସ୍ତାବକୁ ସମର୍ଥନ ଦେଇ ଚୀନକୁ ସନ୍ଦେଶ ଦେବାକୁ ଚାହୁଁଛି । ମୋଦି ଅଷ୍ଚ୍ରେଲିଆ,ଆମେରିକା  ଓ ଜାପାନ ସହ ଚୀନ ବିରୋଧରେ ମେଣ୍ଟ କରୁଛନ୍ତି ବୋଲି ଗ୍ଲୋବାଲ ଟାଇମ୍ସ ଦାବି କରିଛି ।

ଭାରତ-ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବ

ଗ୍ଲୋବାଲ ଟାଇମ୍ସ ଅନୁସାରେ ଜି-୭ର ବିସ୍ତାର ଅର୍ଥ ଆମେରିକା ଇଣ୍ଡୋ ପେସିଫିକ୍ ରଣନୀତିକୁ ଲାଗୁ କରିବା ପାଇଁ ପ୍ରସ୍ତୁତ ଅଛି । ବଦଳରେ ଭାରତ ଆମେରିକାଠାରୁ ମହାଶକ୍ତି ମାନ୍ୟତା ଓ ଅନ୍ୟ ଯୋଜନା ସମ୍ପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ମାଗୁଛି । ଚୀନକୁ ନିଶାନାରେ ନେବା ପାଇଁ ଭାରତ ଆମେରିକାର ଅନେକ ଯୋଜନାରେ ସକ୍ରିୟ ଅଛି । କରୋନା ପରେ ଯଦି ଆମେରିକାର ପତନ ହୁଏ ଓ ଚୀନ ଆଗକୁ ବଢେ, ତେବେ ଚୀନର ଘେରାବନ୍ଦୀ ପାଇଁ ଭାରତ ଆମେରିକା ସହ ମିଶିବାର ପୂର୍ଣ୍ଣ ସମ୍ଭାବନା ରହିଛି ।

ଭାରତ ଯଦି ତରତର ହୋଇ ଚୀନକୁ ଶତ୍ରୁ ଭାବେ ବିବେଚନା କରୁଥିବା ଜି-୭ ଭଳି ଗୋଟିଏ ଛୋଟ ଗ୍ରୁପରେ ସାମିଲ ହୁଏ ତେବେ ଦୁଇ ଦେଶଙ୍କ ମଧ୍ୟରେ ସମ୍ବନ୍ଧ ଖରାପ ହେବ । ଯାହା ଭାରତ ହିତରେ ନୁହେଁ ବୋଲି ଗ୍ଲୋବାଲ ଟାଇମ୍ସ ଦାବି କରିଛି   ।