spot_img
Home Blog Page 6852

କିମ୍ ଜୋଙ୍ଗ ଉନଙ୍କ ଭଉଣୀର ଧମକରେ ଥରିଲା ଦକ୍ଷିଣ କୋରିଆ, ମାନିବାକୁ ପଡ଼ିଲା ଏହି ଦାବି

ଉତ୍ତର କୋରିଆ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କିମ୍ ୟୋ ଜୋଙ୍ଗଙ୍କ ଆତଙ୍କ ଏମିତି ରହିଛି ଯେ, ଉତ୍ତର କୋରିଆର ଦୀର୍ଘ ଦିନ ଧରି ଥିବା ଏକ ଦାବିକୁ ଦକ୍ଷିଣ କୋରିଆ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ବାସ୍ତବରେ ଉତ୍ତର କୋରିଆର ବିଦ୍ରୋହୀମାନେ ଦକ୍ଷିଣ କୋରିଆ ସୀମାରେ ବେଲୁନ୍ ଉଡାଉଛନ୍ତି। ଏହି ବେଲୁନ୍ ଗୁଡିକରେ କିମ ଜୋଙ୍ଗ-ଉନଙ୍କ ଏକଛତ୍ରବାଦୀ ଶାସନକୁ ବିରୋଧ କରୁଥିବା ବାର୍ତ୍ତା ରହିଛି ।

କିମ୍ ବିଦ୍ରୋହୀମାନଙ୍କୁ ‘ମାନବ ମଳ’, ‘କୁକୁର’ ବୋଲି କହିଛନ୍ତି

କିମ ୟୋ ଜୋଙ୍ଗ ଉତ୍ତର କୋରିଆର ବିଦ୍ରୋହୀମାନଙ୍କୁ କହିଛନ୍ତି ଯେ, ଯେଉଁମାନେ ଏହି ବେଲୁନ୍ ଗୁଡ଼ିକୁ ଉଡ଼ାଉଛନ୍ତି ସେମାନେ ‘ମାନବ ମଳ’ ଏବଂ  ‘କୁକୁର’ ଭାବରେ ନିଜ ଦେଶ ପ୍ରତି ବିଶ୍ୱାସଘାତକତା କରିଥିଲେ। କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି ଯେ ଯଦି ଦକ୍ଷିଣ କୋରିଆରେ ଏଭଳି ବିରୋଧ ବନ୍ଦ ନହୁଏ ତେବେ ସେ ଦୁଇ ଦେଶ ମଧ୍ୟରେ ହୋଇଥିବା ସାମରିକ ଚୁକ୍ତିକୁ ଭଙ୍ଗ କରିବେ । କିମ ୟୋ ଜୋଙ୍ଗଙ୍କ ଦାବିକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆ ଏପରି ବିଦ୍ରୋହକୁ ରୋକିବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବ ବୋଲି ଘୋଷଣା କରିଛି ।

ଦକ୍ଷିଣ କୋରିଆ ପୂର୍ବରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା

ଦକ୍ଷିଣ କୋରିଆର ଆଶା ରହିଛି ଯେ ଏହି ଆଇନ ପରେ ଉତ୍ତର କୋରିଆ ସହିତ ସେମାନଙ୍କ ସଂପର୍କ ସାମାନ୍ୟ ରହିବ । ଏହାପୂର୍ବରୁ ଦକ୍ଷିଣ କୋରିଆ ଏଭଳି ବେଲୁନ୍ ଉଡାଇବାକୁ ବନ୍ଦ କରିବାକୁ ଯାଇ ପୋଲିସକୁ ଅନେକ ଥର ପଠାଇଛି । ତେବେ ଦକ୍ଷିଣ କୋରିଆ ପୂର୍ବରୁ ଉତ୍ତର କୋରିଆର ବ୍ୟାନ୍ ଲଗାଇବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ବିଗତ କିଛି ବର୍ଷ ହେବ ଦକ୍ଷିଣ କୋରିଆରୁ ଉତ୍ତର କୋରିଆକୁ ବେଲୁନ୍ ଉଡ଼ାଇବା ପ୍ରକ୍ରିୟା ଚାଲିରହିଛି । ଉତ୍ତର କୋରିଆ ଏହାକୁ ନିଜ ସରକାର ଉପରେ ଆକ୍ରମଣ ବୋଲି ବିବେଚନା କରିଛି ।

ଦକ୍ଷିଣ କୋରିଆ ସହିତ ସାମରିକ ଚୁକ୍ତି ଭଙ୍ଗ କରିବାକୁ ଧମକ ଦିଆଯାଇଛି

ନିକଟ ଅତୀତରେ, ବିଦ୍ରୋହୀମାନେ ପରମାଣୁ ବୋମା ଏବଂ ମାନବିକ ଅଧିକାର ନିର୍ମାଣ ପାଇଁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସନକୁ ସମାଲୋଚନା କରି ବେଲୁନ୍ ଉଡାଇଥିଲେ। ଏହା ପରେ କିମ ଜୋଙ୍ଗ ଉନଙ୍କ ଭଉଣୀ ସାମରିକ ଚୁକ୍ତି ଭଙ୍ଗ କରିବାକୁ ଧମକ ଦେଇଥିଲେ । କିମ ୟୋ ଜୋଙ୍ଗ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଯୋଗାଯୋଗ କାର୍ଯ୍ୟାଳୟ ଏବଂ ଏକ କାରଖାନା ସ୍ଥଳକୁ ବନ୍ଦ କରିଦିଆଯିବ, ଯାହାକୁ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କର ସଙ୍କେତ ବୋଲି ବିଶ୍ୱାସ କରାଯାଉଥିଲା ।

ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଅପେକ୍ଷା ଭଉଣୀ ଅଧିକ ନିଷ୍ଠୁର

ଇଂରାଜୀ ଖବରକାଗଜ ମିରର୍ ଅନୁଯାୟୀ କିମ ଯୋଙ୍ଗ ଅତ୍ୟନ୍ତ ନିଷ୍ଠୁର ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ବିଶ୍ୱାସ କରାଯାଏ ଜୋଙ୍ଗ ଉନ ପାଖକୁ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯିବ ତାହା ଭଉଣୀ ୟୋ ଜୋଙ୍ଗ ନିଷ୍ପତ୍ତି ନେଉଥିଲେ । କୁହାଯାଏ ଯେ  ପାର୍ଟିର ସଦସ୍ୟ ମାନଙ୍କୁ ସମ୍ମାନ ଏବଂ ଭୟର ସହିତ ବ୍ୟବହାର କରିବାକୁ ୟୋ ଜୋଙ୍ଗ କହୁଥିଲେ । ଉତ୍ତର କୋରିଆର ଗଣମାଧ୍ୟମ ସବୁବେଳେ ୟୋ ଜୋଙ୍ଗଙ୍କ ବିଷୟରେ ଉଲ୍ଲେଖ କରିଥାଏ କାରଣ ଯଦିଓ ସେ ଉପାଧ୍ୟକ୍ଷ ପଦ ପାଇ ନାହାଁନ୍ତି, କିନ୍ତୁ ତାଙ୍କ ପଦବି ଉପାଧ୍ୟକ୍ଷ ସମକକ୍ଷ ମନେ କରାଯାଏ । ସଂଗଠନ ଏବଂ ମାର୍ଗଦର୍ଶନ ବିଭାଗରେ କିମ ୟୋ ଜୋଙ୍ଗଙ୍କ ବଢୁଥିବା ସ୍ଥିତି ତାଙ୍କୁ ୱାର୍କର୍ସ ପାର୍ଟି ଅମଲାତନ୍ତ୍ରଙ୍କ ଦୃଷ୍ଟିରେ ଉତ୍ତର କୋରିଆର ଦ୍ୱିତୀୟ ସ୍ଥାନରେ ରଖିଛି ।

ଏମିତି ଜଣେ ଶିକ୍ଷୟତ୍ରୀ ଯିଏ ୨୫ ସ୍କୁଲରେ ଚାକିରି କରିଥିଲେ,ମାସକୁ ଉଠାଉଥିଲେ ଏକ କୋଟି ଦରମା !

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ମୌଳିକ ଶିକ୍ଷା ବିଭାଗ ଅନ୍ତର୍ଗତରେ ଆସୁଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷୟତ୍ରୀଙ୍କ ଦରମା ୧ କୋଟି ଥିବା ଜଣା ପଡ଼ିଛି । ସୂଚନା ଅନୁୟାୟୀ ଶିକ୍ଷୟତ୍ରୀ ଜଣଙ୍କ ଏକ ଥରେ ୨୫ଟି ବିଦ୍ୟାଳୟରେ ଚାକିରି କରୁଥିଲେ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଶିକ୍ଷା ବିଭାଗ ଶିକ୍ଷୟତ୍ରୀଙ୍କ ଡାଟା ବେସ୍ ପ୍ରସ୍ତୁତ କରିବା ଆରମ୍ଭ କଲେ । ବର୍ତ୍ତମାନ ବିଭାଗ ଏ ପୁରା ଘଟଣାର ତଗନ୍ତ କରିବାକୁ ଆଦେଶ ଦେଇଛନ୍ତି ।

ମୌଳିକ ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ଡିଜିଟାଲ ଡେଟେବେସ ପ୍ରସ୍ତୁତ କରାଯାଉଛି ଏବଂ ଏହି ପ୍ରକ୍ରିୟାରେ ମାଧ୍ୟମରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅମେଠୀ, ଆମ୍ବେଦକର ନଗର, ରାୟବରେଲୀ, ପ୍ରୟାଗରାଜ, ଅଲ୍ଲିଗଡ ଏବଂ ଅନ୍ୟ ଜିଲ୍ଲା ଗୁଡ଼ିକୁ ମିଶାଇ ୨୫ଟି ସ୍କୁଲରେ କାମ କରୁଥିବା ନଜର ଆସିଥିଲା ।

ଡିଜିଟାଲ୍ ଡାଟାବେସ୍ ସତ୍ତ୍ୱେ ଶିକ୍ଷୟତ୍ରୀ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଦରମା ହେରଫେର କରିବାରେ ସଫଳ ହୋଇଥିଲେ । ଶିକ୍ଷୟତ୍ରୀ ଜଣଙ୍କ ୧୩ ମାସ ଯାଏଁ ପ୍ରାୟ ୧ କୋଟି ଟଙ୍କା ଦରମା ଉଠାଇଥିଲେ । ବିଭାଗ ଅନୁଯାୟୀ ଅନାମିକା ଶୁକ୍ଲା ନାମକ ଜଣେ ମହିଳା ୨୫ ଟି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ବିଭାଗ ସହିତ ଥିବା ରେକର୍ଡ ଅନୁଯାୟୀ, ଶିକ୍ଷୟତ୍ରୀ ଜଣଙ୍କ ମୈନପୁରୀ ଜିଲ୍ଲାର ମୂଳ ବାସିନ୍ଦା ।

ବିଭାଗ ଅନାମିକାଙ୍କୁ ଏକ ନୋଟିସ ମଧ୍ୟ ପଠାଇଥିଲେ କିନ୍ତୁ ଶିକ୍ଷୟତ୍ରୀଙ୍କ ପାଖରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ବର୍ତ୍ତମାନ ଶିକ୍ଷୟତ୍ରୀଙ୍କ ଦରମାକୁ ତୁରନ୍ତ ବନ୍ଦ କରାଯାଇଛି ଏବଂ ବିଭିନ୍ନ ବିଦ୍ୟାଳୟର ଦରମା ପାଇଁ ସମାନ ବ୍ୟାଙ୍କ ଆକାଉଣ୍ଟ ବ୍ୟବହୃତ ହୋଇଛି କି ନାହିଁ ତାହା ଜାଣିବାକୁ ବିଭାଗ ଚେଷ୍ଟା କରୁଛି ।

ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ କରୋନା ପଜିଟିଭ୍, ପାକ୍ ଆର୍ମୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମୁମ୍ବାଇ ଅଣ୍ଡରୱାର୍ଲଡର କୁଖ୍ୟାତ ଡନ୍ ଦାଉଦକୁ କରୋନା । ଦାଉଦ୍ କରୋନା ପଜିଟିଭ୍ ହୋଇଥିବା ଜଣା ପଡିବା ପରେ ତାର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଅନ୍ୟ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି । କେବଳ ଦାଉଦ ନୁହେଁ,ତାର ପତ୍ନୀ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣା ପଡିଛି । ଦାଉଦ୍ ଓ ତାର ପତ୍ନୀ ମହଜବିନ୍ ଏବେ କରାଚୀର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।

ସୂଚନାଯୋଗ୍ୟ ଯେ,ପାକିସ୍ତାନରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପାକିସ୍ତାନ ଦାଉଦକୁ କରୋନା ହୋଇଥିବା ଖବରକୁ ଖଣ୍ଡନ କରିଛି । କାରଣ ଦାଉଦ୍ ପାକିସ୍ତାନରେ ଅଛି ବୋଲି ଇସଲାମାବାଦ ମାନେ ନାହିଁ । ତେବେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ଅନୁସାରେ ଦାଉଦ ଓ ତା’ର ପତ୍ନୀକୁ କରୋନା ହୋଇଥିବା ଖବର ସତ । ସେମାନଙ୍କ ଚିକିତ୍ସା ପାଇଁ କରାଚୀ ସେନା ହସ୍ପିଟାଲକୁ ସୁରକ୍ଷାଗତ କାରଣରୁ ବଛା ଯାଇଥିବା ସୁରକ୍ଷା ଏଜେନ୍ସି କହିଛନ୍ତି ।

ଦାଉଦର ଘର ପାକିସ୍ତାନ

ଦାଉଦ୍ ଇବ୍ରାହିମ୍ ୧୯୯୩ ବମ୍ବେ ବ୍ଲାଷ୍ଟ୍ ପରେ ଦୁବାଇ ଛାଡି ପାକିସ୍ତାନ ଚାଲିଯାଇଥିଲା । ସେଠାରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସଂରକ୍ଷଣରେ ସେ ରହି ଆସୁଛି । ତେବେ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଦାଉଦର ଉପସ୍ଥିତିକୁ ସ୍ୱୀକାର କରିନାହିଁ ।

ଦାଉଦ୍ କିଏ ?

ମୁମ୍ବାଇ ଅଣ୍ଡରୱାର୍ଲଡର ସବୁଠାରୁ ନାମି ନାମ ହେଉଛି ଦାଉଦ୍ ଇବ୍ରାହିମ୍ । ୧୯୮୦ ଦଶକର ଶେଷ ଭାଗରେ ଦାଉଦ୍ ଅଣ୍ଡରୱାର୍ଲଡରେ ପାଦ ଦେଇଥିଲା । ପଠାନ ଗ୍ୟାଙ୍ଗକୁ ସମାପ୍ତ କରି ସେ ମୁମ୍ବାଇ ମାଫିଆର ସବୁଠୁ ବଡ ଚେହେରା ବନିଥିଲା । ଡ୍ରଗ୍ସ, ସୁନା ସ୍ମଗ୍ଲିଂରୁ କାରବାର ଆରମ୍ଭ କରିଥିବା ଦାଉଦ୍ ପରବର୍ତ୍ତି କାଳରେ ଆଇଏସଆଇ ସହ ସମ୍ପର୍କରେ ଆସିଥିଲା । ଆଇଏସଆଇ ପ୍ରରୋଚନାରେ ସେ ମୁମ୍ବାଇରେ ୧୯୯୩ ମସିହାରେ ସିରିଜ୍ ବ୍ଲାଷ୍ଟ୍ କରାଇଥିଲା । ସେତେବେଳେ ସେ ଦୁବାଇରେ ରହୁଥିଲା । ଦୁବାଇ ସରକାର ଉପରେ ଭାରତର ଚାପ ବୃଦ୍ଧି ପାଇବା ପରେ ଦାଉଦ୍ ସେଠାରୁ ପାକିସ୍ତାନ ପଳାଇଥିଲା । ଦାଉଦର ଇସଲାମିକ୍ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି । ଗୋଟିଏ ସମୟରେ ଦାଉଦର ତାଲିବାନ ସହ ସମ୍ପର୍କ ଥିଲା । ୨୦୦୩ ମସିହାରେ ଦାଉଦକୁ ଆମେରିକା ଗ୍ଲୋବାଲ ଜିହାଦୀ ଭାବେ ଘୋଷଣା କରିଥିଲା ।

 

ନିସର୍ଗ ଆଗରେ ଦବଙ୍ଗ ସଲମାନଙ୍କ ଫାର୍ମ ହାଉସ ଆତ୍ମସମର୍ପଣ କଲା, ବାତ୍ୟା ପରର ଫଟୋ ଭାଇରାଲ

ମୁମ୍ବାଇ: ବାତ୍ୟା ନିସର୍ଗ ମହାରାଷ୍ଟ୍ର ଅଲ୍ଲିବାଗ ନିକଟରେ ଲ୍ୟାଣ୍ଡଫଲ କରିବା ପରେ କିଛି ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି । କିଛି ସ୍ଥାନରେ ନିସର୍ଗ ଏପରି ହଇଚଇ ସୃଷ୍ଟି କରିଛି ଯେ ଲୋକମାନେ ବିଦ୍ୟୁତ୍ ଏବଂ ଜଳ ଭଳି ସୁବିଧା ପାଇଁ ମଧ୍ୟ ହନ୍ତସନ୍ତ ହୋଇଛନ୍ତି । ଏହି ଝଡ ଯୋଗୁଁ ସଲମାନ ଖାନଙ୍କ ପାନଭେଲ ଫାର୍ମହାଉସରେ ମଧ୍ୟ ବିପୁଳ କ୍ଷୟକ୍ଷତି ଦେଖିବାକୁ ମିଳିଛି । ସଲମାନଙ୍କ ଫାର୍ମହାଉସର କିଛି  ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାତ୍ୟ ନିସର୍ଗ ପରେ ସଲମାନଙ୍କ ଫାର୍ମ ହାଉସର କିଛି ଚିତ୍ର ଲୁଲିଆ ଭାଣ୍ଟୁର ସେୟାର କରିଛନ୍ତି । ସେ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ  କିଛି ଚିତ୍ର ଏବଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଝଡ଼ ପୂର୍ବରୁ ଏବଂ ପରର ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି । ଲୁଲିଆ ଭାଣ୍ଟୁର ସେୟାର କରିଥିବା ଚିତ୍ର ଏବଂ ଭିଡିଓଗୁଡିକରେ ପ୍ରବଳ ପବନ ଓ ବର୍ଷା ହେଉଥିବା ନଜର ଆସିଛି । ଏହା ସହ ଭଙ୍ଗା ଗଛର ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି ଲୁଲିୟା । ବାତ୍ୟା ପାଇଁ ସଲମାନଙ୍କ ଫାର୍ମହାଉସର ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଲୁଲିଆ ଲକଡାଉନ୍ ସମୟରେ ସଲମାନ ଖାନଙ୍କ ଫାର୍ମ ହାଉସରେ ରହିଥିଲେ । ସଲମାନଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏବଂ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ସେମାନଙ୍କ ପରିବାର ସହିତ ରହିଛନ୍ତି । ସମସ୍ତେ ଲକଡାଉନ୍ ନିୟମକୁ ସଂପୂର୍ଣ୍ଣ ଭାବରେ ପାଳନ କରୁଥିବା ମଧ୍ୟ ନଜର ଆସିଛି । ଏହି ସମୟ ମଧ୍ୟରେ ସଲମାନ ତାଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ଦେଖା କରିନଥିଲେ।

ଅନ୍ୟ ତାରକାଙ୍କ ଭଳି ଲକଡାଉନ୍ ଦିନରେ ସଲମାନ ନିଜ ଘରେ ସମୟ ବିତାଉଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଜଡିତ ଅଛନ୍ତି । ନିଜ ଫାର୍ମ ହାଉସରେ ଥିବାବେଳେ ସଲମାନ ପ୍ରଶଂସକଙ୍କ ପାଇଁ ଏପର୍ଯ୍ୟନ୍ତ ଦୁଇଟି ମ୍ୟୁଜିକ୍ ଭିଡିଓ ରିଲିଜ୍ କରି ସାରିଛନ୍ତି।

 

ଆଳୁ ଦର ବୃଦ୍ଧି ! ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ: ବ୍ୟବସାୟୀ ସଂଘ ସଭାପତି

ଭୁବନେଶ୍ୱର: ବଢ଼ିବ କି ଆଳୁଦର ? ଆଗାମୀ ଦିନରେ ଆଳୁଦର ବୃଦ୍ଧି ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଖାଉଟି । ଲକଡାଉନ୍ ଭିତରେ ଦର ବଢ଼ିଲେ ହାଣ୍ଡିଶାଳରେ ଜୋରଦାର ପ୍ରଭାବ ପଡ଼ିବ । କାରଣ ନିତିଦିନିଆ ଖାଦ୍ୟ ଥାଳିରେ ସାମିଲ୍ ଆଳୁ । ଅନ୍ୟପଟେ ବାତ୍ୟା ପରେ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ନେଇ ଆଶଙ୍କା ଦେଖା ଦେଇଛି । ରାଜ୍ୟକୁ ବାହାର ରାଜ୍ୟରୁ ଆବଶ୍ୟକତାର ହାରାହାରି ୭୦ ପ୍ରତିଶତ ଆଳୁ ଆସିଥାଏ ।

ବର୍ତ୍ତମାନ ଆଳୁ ଦର ସାଧାରଣ ହାଟରେ ୨୪ ଟଙ୍କା ରହିଛି । ପାଇକାରୀ ଦର ଆଳୁ କ୍ୱିଣ୍ଟା ପିଛା ୧୭ ଶହରୁ ୧୮ ଶହ ଟଙ୍କା ରହିଥିବା କହିଛନ୍ତି ବ୍ୟବସାୟୀ ସଂଘ ସଭାପତି ସୁବାସ ପଣ୍ଡା । ରାଜ୍ୟର ଗୋଦାମମାନଙ୍କରେ ଯଥେଷ୍ଟ ଆଳୁ ମହଯୁଦ୍ ରହିଛି । ତେଣୁ, ଦର ବୃଦ୍ଧି ହେବାର ଆଶଙ୍କା ନାହିଁ ।

ଯଦି ବି ଦର ବୃଦ୍ଧି ହଏ ଆଳୁ କେଜି ପିଛା ୩୦ ଟଙ୍କା ପାଖାପାଖି ରହିବ । ପାଇକାରୀ ଦଳ ବଢ଼ି ୨୨ଶହ ଟଙ୍କା ହେଲେ କେଜି ପିଛା ଦର ୩୦ ଟଙ୍କା ହୋଇପାରେ ବୋଲି ବ୍ୟବସାୟୀ ସଂଘ ସଭାପତି ସୁବାସ ପଣ୍ଡା କହିଛନ୍ତି ।

କରୋନା ଠକେଇ : ସୋନୁ ସୁଦଙ୍କ ନାମରେ ଟଙ୍କା ମାଗୁଛନ୍ତି ଠକ,ସତର୍କ କଲେ ଅଭିନେତା

ମୁମ୍ବାଇ: ସୋନୁ ସୁଦ୍ ଏବେ ପୂରା ଭାରତରେ ଚର୍ଚ୍ଚାରେ ଅଛନ୍ତି । କରୋନା କାଳରେ ଯେତେବେଳେ ସାରା ଦେଶରେ ଲକଡାଉନ ଲାଗିଲା ସେତେବେଳେ ବିଭିନ୍ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ କାମଧନ୍ଦା ନ ପାଇଁ ଘର ମୁହାଁ ହେଲେ । ଲକଡାଉନ ପାଇଁ ଜିବାଆସିବାର ସବୁ ସୁବିଧା ବନ୍ଦ ଥିବାରୁ ଚାଲି ଚାଲି ଘରକୁ ବାହାରିଥିଲେ ପ୍ରବାସୀ ଏଭିଳି ପରିସ୍ଥିତିରେ ସାହା ହେଲେ ସୋନୁ ଏବଂ ସେମନଙ୍କୁ ନିଜ ଖର୍ଚ୍ଚରେ ନିଜ ଘରକୁ ପଠାଇଲେ କେବଳ ସେତିକି ନୁହେଁ ନିଜେ ବସ୍ ଚଲାଇ ପ୍ରବାସୀଙ୍କୁ ଛାଡ଼ି ଆସିବାର ଜିମ୍ମା ଉଠାଇଲେ  । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ଏବେ ପୂରା ଦେଶରେ ହିରୋ ପାଲଟି ଯାଇଛନ୍ତି । କିନ୍ତୁ ଏହାରି ଭିିତରେ ତାଙ୍କ ଭଲ କାମକୁ ବଦନାମ କରିବା ସହ ଲୋକଙ୍କୁ ଠକିବା ପାଇଁ କିଛି ଅସମାଜିକ ବ୍ୟକ୍ତି ଉଦ୍ୟମ ଆରମ୍ଭ କଲେଣି ।

ଯାହାକୁ ନେଇ ସୋନୁ ସୁଦ ନିକଟରେ ଟ୍ୱିଟରରେ ଲୋକଙ୍କୁ ସତର୍କ କରାଇଛନ୍ତି । ସେ ଗୋଟିଏ  ହ୍ୱାଟସ ଆପ୍ ଚାଟର ସ୍କ୍ରିନ ସଟ୍ ମଧ୍ୟ ସେୟାର କରିଛନ୍ତି । ସେ ଏହାକୁ ସେୟାର କରି ଲେଖିଛନ୍ତି ବନ୍ଧୁମାନେ, କିଛି ଲୋକ ଆପଣଙ୍କୁ ଆବଶ୍ୟକତାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ଯୋଗାଯୋଗ କରିବେ, ଯାହା ବି ଆମେ ଶ୍ରମିକମାନଙ୍କ ପାଇଁ କରୁଛୁ ତାହା ପୁରାପୂରି ନିଶୁଳ୍କ ।ଆପଣଙ୍କୁ ଯଦି କୌଣସି ବି ବ୍ୟକ୍ତି ମୋ ନାଁ ନେଇ ଟଙ୍କା ମାଗନ୍ତି ତେବେ ଆପଣ ବିଲକୁଲ ଦିଅନ୍ତୁ ନାହିଁ  । ମନା କରିଦିଅନ୍ତୁ ଏବଂ ତୁରନ୍ତ ଆମକୁ କିମ୍ବା ପାଖରେ ଥିବା ଥାନାରେ ଅଭିଯୋଗ କରନ୍ତୁ ।

ଅଭିନେତା ସୋନୁ ସୁଦ କ୍ରମାଗତ ଭାବରେ ୧୮-୧୮ ଘଣ୍ଟାଧରି କାମ କରି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି । ଲୋକଙ୍କୁ ସାହଯ୍ୟ କରିବାକୁ ତାଙ୍କ ଟିମ୍ ମଧ୍ୟ ଦିନରାତି ପରିଶ୍ରମ କରୁଛନ୍ତି । ବସ୍ ଏବଂ ବିମାନ ପରେ ସୋନୁ ସୁଦ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ୍ ଯୋଗେ ନିଜ ଘରକୁ ପଠାଉଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମୁମ୍ବାଇର ଥାନେ ରେଳ ଷ୍ଟେସନରୁ ସେ ଉତ୍ତରପ୍ରଦେଶ ଏବଂ ବିହାର ଯାଉଥିବା ଶ୍ରମିକମାନଙ୍କୁ ସେ ବିଦାୟ ଦେଉଛନ୍ତି ।

ଲକଡାଉନ୍ ପ୍ରଭାବିତଙ୍କ ପରେ ବର୍ତ୍ତମାନ ସୋନୁ ସୁଦ୍ ବାତ୍ୟା ନିସର୍ଗ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଛନ୍ତି । ସୋନୁ ସୁଦ ଏବଂ ତାଙ୍କ ଟିମ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ବାତ୍ୟା ‘ନିସର୍ଗ’ ଦ୍ୱାରା ପ୍ରଭାବିତ ୨୮,୦୦୦ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି।

ପୁନାରେ ତିଆରି ହେବ ୧୦୦ କୋଟି କୋଭିଡ୍-୧୯ ଭ୍ୟାକ୍ସିନ୍

ପୁନା: କରୋନା ଭାଇରସ ବିରୋଧରେ ଯୁଦ୍ଧ ଭିତରେ ଗୋଟିଏ ଭଲ ଖବର ଆସିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସମ୍ଭାବିତ ଭ୍ୟାକ୍ସିନ୍ର ସ୍ପପ୍ଲାଏ ପାଇଁ ବ୍ରିଟିଶ-ସୁଇସ ଫର୍ମାସୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା ଭାରତ ସହ ହାତ ମିଳାଇଛି । ଆଷ୍ଟ୍ରାଜେନେକା  ଅନୁସାରେ ଭ୍ୟାକ୍ସିନ୍ ସପ୍ଲାଏ ପାଇଁ ଏହା ପୁନା ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ସହ ଲାଇସେନ୍ସ ଚୁକ୍ତି କରିବାକୁ ଯାଉଛି । ଏହି ଦୁଇ ସଂସ୍ଥା ମିଳିତ ଭାବେ ୧ଶହ କୋଟି କରୋନା ଭ୍ୟାକ୍ସିନ୍ ଭାରତ ସମେତ ଅନ୍ୟ କମ ଆୟ ବିଶିଷ୍ଟ ଦେଶକଙ୍କୁ ରପ୍ତାନି କରିବେ । ଏହାମଧ୍ୟରୁ ୪୦ କୋଟି ଭ୍ୟାକ୍ସିନ୍ ୨୦୨୦ ଶେଷସୁଧା ସପ୍ଲାଏ କରିବା ଲକ୍ଷ୍ୟ ରଖାଯାଇଛି ।

ଅକ୍ସଫୋର୍ଡର ଭ୍ୟାକ୍ସିନ୍ ସହ କମ କରୁଛି SII

କରୋନା ଭ୍ୟାକ୍ସିନ୍ ତିଆରି ରେସରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସଭା ଆଗରେ ଅଛି । ଏହାର ଭ୍ୟାକ୍ସିନର ଟ୍ରାଏଲ ଦ୍ୱିତୀୟ ଫେଜରେ ପହଂଚି ସାରିଛି । ଅନ୍ୟପକ୍ଷରେ ପୁନା ସ୍ଥିତ ଏସଆଇଆଇ ଏଠାରେ ବିକଶିତ ହେବାକୁ ଥିବା ଭ୍ୟାକ୍ସିନ୍ ଉପରେ କାମ କରୁଛି ।

୧୦ ହଜାର ଲୋକଙ୍କ ଉପରେ ହେବ ଭ୍ୟାକ୍ସିନ୍ ଟ୍ରାଏଲ

ନିକଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ AZD1222 ଦ୍ୱିତୀୟ ଓ ତୃତୀୟ ଫେଜର ଟ୍ରାଏଲ ଘୋଷଣା କରିଥିଲା ଯେଉଁଥିରେ ୧୦ ହଜାର ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ । ଅନେକ ଦେଶରେ ଏହାର ବାକି ଟ୍ରାଏଲ ଆରମ୍ଭ ହେବ । ବ୍ରାଜିଲ ଅକ୍ସଫୋର୍ଡକୁ କରୋନା ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି ।

ବର୍ଷ ଶେଷ ସୁଧା ଭ୍ୟାକ୍ସିନ ଡେଲିଭରି

ବ୍ରିଟିଶ ଔଷଧ ପ୍ରସ୍ତୁତକାରି ନୂଆ ଭ୍ୟାକ୍ସିନ ନିର୍ମାଣ ଓ ବିତରଣରେ ସାହାଯ୍ୟ କରୁଥିବା ସଂସ୍ଥା ସେପି ଓ ଗଭି ସହ ୭୫୦ ମିଲିୟନ ଡଲାରର ଚୁକ୍ତି କରିଛି । ଏହା ମାଧ୍ୟମରେ ସମ୍ଭାବିତ ଭ୍ୟାକ୍ସିନର ୩୦ କୋଟି ଡୋଜ୍ କ୍ରୟ ଓ ବିତରଣ ହେବ । ଭ୍ୟାକ୍ସିନ୍ ଡେଲିଭରି ଚଳିତ ବର୍ଷ ଅନ୍ତ ସୁଧା ଆରମ୍ଭ ହେବା ସମ୍ଭାବନା ରହିଛି ।

୫୦ ବର୍ଷ ଧରି SII ବିଶ୍ୱ ସ୍ତରୀୟ ଭ୍ୟାକ୍ସିନ୍ ତିଆରି କରି ଆସୁଛି

ଏସଆଇଆଇ ସିଇଓଙ୍କ ଅନୁସାରେ ସେମାନେ ଭାରତ ସମେତ ଅନ୍ୟ କମ ଆୟ ବିଶିଷ୍ଟ ଦେଶଙ୍କୁ ସପ୍ଲାଇ କରିବା ପାଇଁ ଆଷ୍ଟ୍ରାଜେନେକା ସହ ଚୁକ୍ତି କରି ଅତ୍ୟନ୍ତ ଖୁସୀ ଅଛନ୍ତି । ଗତ ୫୦ ବର୍ଷ ଧରି ଏସଆଇଆଇ ବିଶ୍ୱ ସ୍ତରୀୟ ଭ୍ୟାକ୍ସିନ୍ ତିଆରି କରିଆସୁଛି ।

ତିନି ଭ୍ୟାକ୍ସିନ୍ କ୍ୟାଣ୍ଡିଡେଟ୍ ସହ କାମ କରୁଛି ଏସଆଇଆଇ

ପୁନାସ୍ଥିତ ଏସଆଇଆଇ ବର୍ତ୍ତମାନ ଇଂଲଣ୍ଡର ଅକ୍ସଫୋର୍ଡ,ଆମେରିକାର କୋଡେଜେନିକ୍ସି ଓ ଅଷ୍ଟ୍ରେଲିଆର ବାୟୋଟେକ୍ ଫାର୍ମ ଥେମିସ ଦ୍ୱାରା ବିକଶିତ କ୍ୟାଣ୍ଡିଡେଟ୍ ଉପରେ କାମ କରୁଛି ।ତେବେ ଅକ୍ସଫୋର୍ଡ ଦ୍ୱାରା ତିଆରି କରାଯାଇଥିବା ଭ୍ୟାକ୍ସିନକୁ ନେଇ ଏସଆଇଆଇ ଅଧିକ ଆଶାନ୍ୱିତ ଅଛି । ଅନ୍ୟ ଦୁଇ ଭ୍ୟାକ୍ସିନ୍ ତୁଳନାରେ ଅକ୍ସଫୋର୍ଡ ଭ୍ୟାକ୍ସିନ୍ ଟ୍ରାଏଲରେ ଆଗରେ ଥିବା ସିଆଇଆଇ କହୁଛି ।

ସଟଡାଉନ୍ ସମୟରେ ଏହି ସବୁ କାର୍ଯ୍ୟକୁ ଅନୁମତି

ଭୁବନେଶ୍ୱର: କରୋନା ସଂକ୍ରମିତ ୧୧ ଜିଲ୍ଲାରେ ୨ ଦିନିଆ ସଟଡାଉନ୍ । ଶନିବାର ଓ ରବିବାର ସଟଡାଉନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ କେତକ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଏହି ସମୟରେ ମେଡିକାଲ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ କରାଯାଇପାରିବ । ଏଟିଏମ୍ ଏବଂ ଆର୍ଥିକ ସଂସ୍ଥା ଯଥା ଆରବିଆଇ, କ୍ଲିଅରିଂ ହାଉସେସ୍ କାର୍ଯ୍ୟ କରାଯାଇ ପାରିବ ।

ବିମାନବନ୍ଦର, ରେଲୱେ ଷ୍ଟେସନ୍ ଓ ବସ୍ ଟର୍ମିନାଲର କାର୍ଯ୍ୟାଳୟ ଚାଲିବ । ଏଥିରେ ଜଡ଼ିତ କର୍ମଚାରୀଙ୍କ ଯାତାୟାତରେ ବାଧା ରହିବ ନାହିଁ । ଜୋମାଟୋ, ସ୍ୱିଗି ଭଳି ଅନଲାଇନ୍ ଖାଦ୍ୟ ଡେଲିଭରୀ ସଂସ୍ଥା କାର୍ଯ୍ୟ କରିପାରିବେ । ସମ୍ବାଦପତ୍ର ବିକ୍ରି କରୁଥିବା ସକାଳ ୫ଟାରୁ ୮ଟା ଯାଏଁ କାମ କରିବେ । ରୋଷେଇ ଗ୍ୟାସ ଡେଲିଭରୀ ଓ ତା ସହ ଜଡ଼ିତ କାର୍ଯ୍ୟ କରାଯାଇ ପାରିବ ।

କୌଣସି ସଂସ୍ଥାରେ ନିୟୋଜିତ ଥିବା କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ । ରେଲୱେ ଷ୍ଟେସନ୍, ବସ୍ ଷ୍ଟାଣ୍ଡ, ବିମାନବନ୍ଦରରୁ ଯାତ୍ରୀ ନେବାଆଣିବା ପାଇଁ ଟ୍ୟାକ୍ସି ଓ ଅଟୋକୁ ପୋଲିସ ଠାରୁ ଅନୁମତି ନେବାକୁ ପଡ଼ିବ । ବିବାହ ଓ ଶେଷ କ୍ରିୟା କାର୍ଯ୍ୟ ପାଇଁ ପୋଲିସ ଅନୁମତି ଦେବ । କଟକ-ଭୁବନେଶ୍ୱର ଜିଲ୍ଲା ବାହାରକୁ ଯିବା ପାଇଁ ପୋଲିସ ଠାରୁ ଅନୁମତି ନେବେ ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଖର୍ଚ୍ଚ ସୀମା ନିର୍ଦ୍ଧାରଣ ହେବା ଉଚିତ୍ କି ?

ନୂଆଦିଲ୍ଲୀ:  ଘରୋଇ ହସ୍ପିଟାଲ ଗୁଡିକରେ କରୋନା ଚିକିତ୍ସା ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିବା ପାଇଁ ଦାଏର ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷ ଜାଣିବାକୁ ଚାହିଁଛନ୍ତି । ସଲିସିଟର ଜେନରାଲ ତୁଷାର ମେହଟାଙ୍କୁ ଏକ ସପ୍ତାହ ମଧ୍ୟରେ  ଯବାବ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଆବେଦନ ଉପରେ ଶୁଣାଣି ଏକ ସପ୍ତାହ ପରେ ହେବ ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଘରୋଇ ଓ ଦାତବ୍ୟ ଚିକିତ୍ସାଳୟରେ କରୋନା ସଂକ୍ରମିତଙ୍କ ମାଗଣା କିମ୍ବ କମ ଖର୍ଚ୍ଚରେ ଚିକିତ୍ସା କରାଯାଇ ପାରିବ କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରି ଥିଲେ । କେନ୍ଦ୍ର ଏନେଇ ଗୁରୁବାର ଦିନ ସତ୍ୟପାଠ ଦାଖଲ କରିଥିଲା । କେନ୍ଦ୍ର ତରଫରୁ ଉତ୍ତରରେ କୁହାଯାଇଥିଲା ଯେ, ଏଭଳି ନିର୍ଦ୍ଦେଶ ଦେବା ପାଇଁ ଆମ ପାଖରେ କୌଣସି ଆଇନଗତ ଶକ୍ତି ନାହିଁ ।

କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ଆଇନ୍ ୨୦୧୦ ଅନ୍ତର୍ଗତରେ ହସ୍ପିଟାଲଙ୍କୁ ନିର୍ଦ୍ଦେଶ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ର ନିଜ ସତ୍ୟପାଠରେ କହିଛି । ସାର୍ବଜନୀକ ଭୂମି ଉପରେ ପ୍ରତିଷ୍ଠା ହୋଇଥିବା ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ମାଗଣା ଚିକିତ୍ସା କରାଯିବା ପାଇଁ ଆଦେଶ କେବଳ ସମ୍ବନ୍ଧିତ ରାଜ୍ୟ ଦେଇ ପାରିବେ ବୋଲି ସତ୍ୟପାଠରେ କୁହାଯାଇଛି ।

କେନ୍ଦ୍ର ସରକାର କହିଛନ୍ତି ଯେ ମାଗଣା ଚିକିତ୍ସା ଭଳି ଦାବି ଦ୍ୱାରା ଚ୍ୟାରିଟେବଲ ହସ୍ପିଟାଲଙ୍କ ଆର୍ଥିକ ସ୍ୱାସ୍ଥ୍ୟା ଉପରେ ପ୍ରଭାବ ପଡିବ । କୌଣସି ପ୍ରକାରର ଶୁଣାଣି ପୂର୍ବରୁ ଚ୍ୟାରିଟେବଲ ସଂସ୍ଥାଙ୍କୁ ଶୁଣାଣିର ଅବସର ଦିଆଯିବା ଉଚିତ ବୋଲି କେନ୍ଦ୍ର କହିଛି ।

ଭୁବନେଶ୍ୱରର ୧୩ ଜଣ କରୋନା ସଂକ୍ରମିତଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ଆସିଲା ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ । ୧୩ ଜଣଙ୍କ ମଧ୍ୟରୁ ୭ ଜଣ ରାଜ୍ୟ ବାହାରକୁ ଯାଇ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପାତ୍ରପଡ଼ା ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରୀ ପୂର୍ବରୁ ଦିଲ୍ଲୀ ରହିଛି  । ସେହିଭଳି ନ୍ୟୁ ଫରେଷ୍ଟ ପାର୍କ ଏବଂ ଲକ୍ଷ୍ମୀସାଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରୀ ଦିଲ୍ଲୀ ରହିଛି । କଳ୍ପନା ଚିନ୍ତାମଣିଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର ମହାରାଷ୍ଟ୍ର ଟ୍ରାଭେଲ ହିଷ୍ଟ୍ରୀ ରହିଥିବା ବେଳେ ଓଲ୍ଡଟାଉନରୁ ଚିହ୍ନଟ ହୋଇଥିବା ସଂକ୍ରମିତି ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରୀ ପଶ୍ଚିମବଙ୍ଗ ରହିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରୀ ହେଉଛି ଡ଼ୁମୁଡ଼ୁମା, ସାଲିଆ ସାହି, ୟୁନିଟ-୫, ଆଇଗିଣିଆ ଏବଂ ଲକ୍ଷ୍ମୀସାଗର ରହିଛି । ରାଜ୍ୟରେ ଆଜି ଆଉ ୧୩୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୨୪ଜଣ ଓ ୬ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି । ସେପଟେ କେବଳ ଖୋର୍ଦ୍ଧାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି  ସେଥିମଧ୍ୟରୁ ଭୁବନେଶ୍ୱରର ଜଣେ ରହିଛନ୍ତି ।