spot_img
Home Blog Page 6863

ପ୍ରବାସୀଙ୍କୁ ଫେରାଇ ଆଣିଲେ ସବ୍ୟସାଚୀ,ଫ୍ଲାଇଟରେ ଆସିଲେ ପୁରା ପରିବାର

ଭୁବନେଶ୍ୱର: ପୁଣି ଜଣେ ଅଭିନେତାଙ୍କ ଅଭିନବ ଉଦ୍ୟମ । ଲକ୍‌ଡାଉନ୍‌ ଯୋଗୁ ବେଙ୍ଗାଲୁରୁରେ ଫସିରହିଥିବା ବଲାଙ୍ଗୀର ଟିକରପଡାର ଏକ ଶ୍ରମିକ ପରିବାରକୁ ସହଯୋଗର ହାତ ବଢାଇଲେ ଅଭିନେତା ସବ୍ୟସାଚୀ । କାମ କରିବାକୁ ଯାଇ ପରିବାର ସହିତ ଦୁଇମାସ ହେଲା ବେଙ୍ଗାଲୁରୁରେ ଫସି ରହିଥିଲେ ପ୍ରଦୀପ ତାଣ୍ଡି ଓ ତାଙ୍କ ପରିବାର ।

ଏହି ସଙ୍କଟ ସମୟରେ ପ୍ରଦୀପଙ୍କ ମା’ ଆଠ ଦିନ ତଳେ ପାରାଲିସିସ୍‌ର ଶିକାର ହୋଇଥିଲେ । ଏପରି ଅବସ୍ଥାରେ ମା’ର ଚିକତ୍ସା କରି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପ୍ରଦୀପ । ଏପରିକି ଘର ଭଡା ଦେବାକୁ ମଧ୍ୟ ଟଙ୍କାଟିଏ ନଥିବାରୁ ଘର ମାଲିକ ଘରୁ କାଢି ଦେଇଥିଲେ । ଫଳରେ ପ୍ରଦୀପଙ୍କ ସହ ପରିବାରର ୭ ଜଣ ସଦସ୍ୟ ବାଙ୍ଗଲୁରୁର ରାସ୍ତା କଡରେ ରହୁଥିଲେ ।

ଏହି ଖବର ସେଠାକାର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭାଇରାଲ ଭିଡିଓ ସବ୍ୟସାଚୀଙ୍କ ନଜରରେ ପଡିବା ପରେ ସଙ୍ଗେସଙ୍ଗେ ସେ ଏହି ପରିବାରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ପ୍ରଥମେ ରୋଗୀଣା ମା’ର ଚିକିତ୍ସାର ବ୍ୟବସ୍ଥା କରିଥିଲେ । ପରେ ପୁରା ପରିବାରକୁ ଏକ ଫ୍ଲାଇଟ୍‌ରେ ଓଡ଼ିଶାକୁ ଫେରାଇ ଆଣିଥିଲେ ସବ୍ୟସାଚୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବଲାଙ୍ଗୀର ପଠାଯାଇଥିବା ସୂଚନା ମିଳିଛି ।

ବାତ୍ୟା ନିସର୍ଗ: ଭାଇରାଲ ହେଉଛି ମାଧୁରୀଙ୍କ ଏହି ଫଟୋ

ମୁମ୍ବାଇ: ବାତ୍ୟା ନିସର୍ଗ ମୁମ୍ବାଇ ମୁହାଁ ହେଉଥିବା ବେଳେ ମାଧୁରୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ବାତ୍ୟାର ପୂର୍ବର ଶୁନ୍ୟତାର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଲେଖାଯାଇଛି  ଯେ, ଆଜି ସକରାଳୁ ଅସାଧାରଣ ଭାବେ ସବୁଆଡ଼େ ଶାନ୍ତି ରହିଛି, ଏହା ହେଉଛି ବାତ୍ୟାର ପୂର୍ବର ଶାନ୍ତି । ଯେମିତି ମହାମାରୀ ପର୍ଯ୍ୟାପ୍ତ ନଥିଲା ଯେଉଁଠି ମୁମ୍ବାଇ ମୁହାଁ ହୋଇଛି ବାତ୍ୟା । ଆଶା ରହିଛି ଯେ, ଏହା ସମୁଦ୍ରରୁ ବାହାରକୁ ଆସିବ । ଏବଂ ମୁମ୍ବାଇ ଏହାକୁ ସାହାସିକତାର ସହ ସାମ୍ନା କରିବ। ”

https://www.instagram.com/p/CA9KjQhHGOR/?utm_source=ig_embed

ନିକଟରେ ତାଙ୍କ ଅନଲାଇନ୍ ଡ୍ୟାନ୍ସ ଏକାଡେମୀ ଖୋଲିଥିବା ମାଧୁରୀ ଦୀକ୍ଷିତଙ୍କର ଲକଡାଉନରେ ଏକ ନିଆରା ଅନ୍ଦାଜ ସାମ୍ନାକୁ ଆସିଛି । ମାଧୁରୀ ଦୀକ୍ଷିତ ଇଂରାଜୀରେ ଏକ ଗୀତ ଗାଇଛନ୍ତି, ଯାହାର ନାମ ‘କ୍ୟାଣ୍ଡେଲ’ । ଏହିପରି ଭାବରେ, ତାଙ୍କର ପ୍ରଥମ ସିଙ୍ଗଲ୍ ରିଲିଜ୍ ହେବା ସହିତ ମାଧୁରୀ ଗୀତ ଗାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ ମାଧୁରୀ ଏହି ଗୀତକୁ କରୋନା ଭାଇରସ ମହାମାରୀ ପରି ଲକଡାଉନରେ ସମସ୍ତ କରୋନା ଯୋଦ୍ଧା ତଥା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ଏବଂ ଏହି ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢାଇ ଜାରି ରଖିବାକୁ ସାରା ବିଶ୍ୱରୁ ଲୋକଙ୍କୁ ନିବେଦନ କରିଛନ୍ତି।

LACରେ ଦୁଇ କିଲୋମିଟର ପଛକୁ ଫେରିବାକୁ ବାଧ୍ୟ ହେଲା ଚୀନ୍‌…

ଲଦାଖର ଗାଲଭାନ୍ ଘାଟିରେ ଭାରତ ଏବଂ ଚୀନ୍‌ ସେନା ପଛକୁ ଫେରିଛନ୍ତି । ରିପୋର୍ଟ ଅନୁଯାୟୀ, ଚୀନ୍ ସେନା ୨କିଲୋମିଟର ପଛକୁ ଫେରିଥିବା ବେଳେ ଭାରତୀୟ ସେନା ନିଜ ସ୍ଥାନଠାରୁ ୧ କିଲୋମିଟର ପଛକୁ ଫେରିଛି ।

କିଛି ଦିନ ହେବ ଗାଲଭାନ ଘାଟିରେ ଫୋର ଫିଙ୍ଗର ଅଞ୍ଚଳରେ ଭାରତ ଏବଂ ଚୀନ୍ ବାହିନୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଏଠାରେ ଥିବା ପେଙ୍ଗୋଙ୍ଗ ଇଲାକା ସବୁଠାରୁ ଅଧିକ ବିବାଦୀୟ ହୋଇ ରହିଛି । ଜୁନ୍ ୬ରେ ହେବାକୁ ଥିବା ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବୈଠକରେ ପେଙ୍ଗୋଙ୍ଗ୍‌ ଇଲାକା ଉପରେ ଅଧିକ ଆଲୋଚନା ହେବାର ସମ୍ଭାବନା ରହିଛି । ଚୀନ୍ ସେନା ଅନେକ ସପ୍ତାହ ହେବ ଫିଙ୍ଗର ଫୋର୍ ଅଞ୍ଚଳରେ ରହିଛି, ଯାହା କି ଭାରତ ଅଧୀନରେ ଅଛି । ୬ ଜୁନ୍‌ରେ ଦୁଇ ଦେଶର ଗୁରୁତ୍ୱପୂର୍ଣ୍ଣ ବୈଠକ

ଲଦାଖର ସୀମାନ୍ତ ଅଞ୍ଚଳରେ ଚୀନ୍ ସେନା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି । ଭାରତୀୟ ସେନା ମଧ୍ୟ ଚୀନ୍‌ ସେନାକୁ କଡ଼ା ଜବାବ ଦେଉଛି ଏବଂ ତା’ର ଚୀନ୍‌କୁ ସାମ୍ନା କରୁଛି । ଉଭୟ ପାର୍ଶ୍ୱରୁ ଏନେଇ ଆଲୋଚନା ମଧ୍ୟ ଚାଲିଛି, ହେଲେ ଏବେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏବେ ପୁଣି ଥରେ ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ଏହି ବୈଠକ ୬ ଜୁନ୍ ହେବ ବୋଲି ସ୍ଥିର କରାଯାଇଛି । ବୈଠକରେ ଉଭୟ ସେନାର ଲେଫ୍ଟନାଣ୍ଟ ଜର୍ଣ୍ଣାଲ ରାଙ୍କର ଅଧିକାରୀମାନେ ସାମିଲ ହେବେ । ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗକୁ ନେଇ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବୈକରେ ଭାରତ ପକ୍ଷରୁ ଲେହ ସ୍ଥିତ ୧୪ କର୍ପ କମାଣ୍ଡର ସଦସ୍ୟ ପ୍ରତିନିଧିତ୍ୱ କରିବେ । ସୀମାରେ ଚାଲିଥିବା ସଙ୍କଟକୁ ଦୂର କରିବା ପାଇଁ ଏହି ଉଚ୍ଚ ସ୍ତରୀୟ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ମେ’ ଆରମ୍ଭରୁ ବିବାଦ ଆରମ୍ଭ

ପୂର୍ବ ଲଦାଖରେ ମେ’ ମାସ ଆରମ୍ଭରୁ ଏହି ବିବାଦ ଲାଗି ରହିଛି । ଲଦାଖରେ ଭାରତ ପକ୍ଷରୁ LAC ରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲଶ ଯାହାକୁ ​​ଯାହାକୁ ଚୀନ୍ ବିରୋଧ କରିଥିଲା । ଏହା ପରେ ଉଭୟ ଦେଶର ସନୈକମାନେ ମେ’ ୫ରେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ସୈନିକମାନେ ଆହତ ମଧ୍ୟ ହୋଇଥିଲେ । ଏହା ପରେ ଚୀନ୍ ସେନା ଏହି ଅଞ୍ଚଳରେ ନିଜର ଗତିବିଧି ବଢ଼ାଇଦେଲା ଏବଂ ଅଧିକ ସଂଖ୍ୟାରେ ସୈନ୍ୟ ଆସି ସେଠାରେ ତମ୍ବୁ ଟାଣି ରହିଲେ । LACରେ ଚୀନ୍‌ର ଏହି କାର୍ଯ୍ୟକଳାପକୁ ଦେଖି ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଉତ୍ତର ଦେଇଛି ଏବଂ ଭାରତୀୟ ସେନା ମଧ୍ୟ ସେଠାରେ ଡେରା ଜମାଇଥିଲେ ।

ମିଥୁନ ରାଶି ବ୍ୟକ୍ତି ସାବଧାନ ! ସମୟ ଠିକ୍‌ ନାହିଁ, ଅର୍ଥ ଚିନ୍ତା ବଢିପାରେ..

ମେଷ ରାଶି

ଅଶ୍ୱିନୀ – କିଛି ମସୁର ଡାଲି ନିଜ କୁଳ ପୁରୋହିତଙ୍କୁ ଦାନ କରନ୍ତୁ ।
ଦ୍ୱିଜା – ମାନ, ସମ୍ମାନ, ଧନ, କର୍ମ ସମସ୍ୟାରେ ସୁଧାର ଆସିପାରେ ।
କୃତ୍ତିକା – ପିତାମାତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।
୫ଟି ଛୋଟ ପିଲାଙ୍କୁ ଛେନାରେ ତିଆରି ମିଠା ଖୁଆନ୍ତୁ ।

ବୃଷ ରାଶି

କୃତ୍ତିକା – କର୍ମକ୍ଷେତ୍ରରେ ସୁଧାର ଆସିବ, ସରକାରୀ ସହାୟତା ମିଳିପାରେ ।
ରୋହିଣୀ – ପାରିବାରିକ ପରିବେଶରେ ଖୁସି ପାଇବେ, ପିଲାଙ୍କର ଚାକିରି ସୁଯ଼ୋଗ ଆସିବ ।
ମୃଗଶିରା – ଦାୟିତ୍ୱ କିଛି ବୃଦ୍ଧି ହୋଇପାରେ, ପାରିବାରିକ ସଂପର୍କରେ ଆନନ୍ଦ ପାଇବେ ।
କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଦାନ କରନ୍ତୁ ।

ମିଥୁନ ରାଶି

ମୃଗଶିରା – ରୋଜଗାରକୁ ନେଇ ଚିନ୍ତା ବଢିବ, ଗୁରୁଜନଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିବ ।
ଆଦ୍ରା – କୌଣସି ଭୁଲ୍‌ ନିଷ୍ପତ୍ତିର ଶିକାର ହେବେ ।
ପୁନର୍ବସୁ – ସମୟ ଠିକ୍‌ ରହିବ ନାହିଁ, ଅର୍ଥ ଚିନ୍ତା ବଢିବ ।
ଦେବୀ କାଳୀଙ୍କୁ କଳା ଫୁଲ, କଳା ଛିଟ, କଳା ଚୁଡି ଅର୍ପଣ କରନ୍ତୁ ।

କର୍କଟ ରାଶି

ପୁନର୍ବସୁ – ପ୍ରତି କାମରେ ବାଧା ରହିବ, ଦୁର୍ଗା ଚାଳିଶା ପାଠ କରନ୍ତୁ ।
ପୁଷ୍ୟା – ଚାକିରିରେ ପ୍ରତିକୁଳ ପରିସ୍ଥିତି ଉପୁଜିବ ।
ଅଶ୍ଳେଷା – ସରକାରଙ୍କର କୌଣସି ଯ଼ୋଜନାରେ ଲାଭ ପାଇବେ ।
ସୋରିଷ ତେଲ ନିଜ ସେବାୟତଙ୍କୁ ଦାନ କରନ୍ତୁ ।

ସିଂହ ରାଶି

ମୃଘା – ଶରୀରରେ ଗଣ୍ଠି ପୀଡ଼ା ରହିବ, ପୋଡା ତେଲ କିଛି ଜଳରେ ଭସାଇ ଦିଅନ୍ତୁ ।
ପୂର୍ବା ଫାଲଗୁନି – ଅଟକି ଥିବା କାମ ପୂରଣ ହୋଇପାରେ ।
ଉତ୍ତରାଫାଲଗୁନି – କୗଣସି ସମସ୍ୟାରୁ ମୁକ୍ତି ପାଇପାରନ୍ତି ।
ବାରିକକୁ କ୍ଷୁର ଦାନ କରନ୍ତୁ ।

କନ୍ୟା ରାଶି

ଉତ୍ତରଫାଲଗୁନି – ମନରେ ଅଶାନ୍ତି ଦେଖାଦେବ, ଭୁଲ୍‌ ନିଷ୍ପତ୍ତି ନେଇ ଅପମାନିତ ହେବେ ।
ହସ୍ତା – ନୂଆ ନୂଆ କାର୍ଯ୍ୟ ପନ୍ଥାର ଯ଼ୋଜନା ଯ଼ୋଗୁ ସଫଳ ହେବେ ।
ଚିତ୍ରା – ସ୍ୱାସ୍ଥ୍ୟ ପ୍ରତି ଟିକିଏ ସତର୍କ ରହିବେ ।
ଶ୍ରୀବିଷ୍ଣୁ ଭଗବାନଙ୍କୁ ତୁଳସୀ, ମୟୁର ଚନ୍ଦ୍ରିକା ଅର୍ପଣ କରନ୍ତୁ ।

ତୁଳା ରାଶି

ଚିତ୍ରା – ଚାକିରି କିମ୍ବା ବ୍ୟବସାୟରେ ଭୁଲ୍‌ ବୁଝାମଣା ରହିବ ।
ସ୍ୱାତୀ- ଜୀବନର କୌଣସି ଲକ୍ଷ୍ୟ ପୂର୍ଣ୍ଣ ହେବ ।
ବିଶାଖା – ଅଯ଼ଥା ଭ୍ରମଣ କରନ୍ତୁ ନାହିଁ, ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ପାରାଙ୍କୁ ଖାଇବାକୁ ଦିଅନ୍ତୁ, ଆଶୀର୍ବାଦ୍ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା – ମାନସିକ ଅଶାନ୍ତି ବଢିବ, ଆଶା ପୂରଣ ହେବ ନାହିଁ ।
ଅନୁରାଧା – କର୍ମ ଚିନ୍ତା ବଢିବ, ସହକର୍ମୀଙ୍କ ସହ ମତଭେଦ ରହିବ ।
ଜ୍ୟୋଷ୍ଠା – କୌଣସି ଯ଼ୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ଦେଖାଦେବ ।
ଓଁ ରାଂ ରାହବେ ନମଃ ୨୭ ଥର ଜପ କରନ୍ତୁ ।

ଧନୁ ରାଶି

ମୂଳା – ସମାଜରେ କଲ୍ୟାଣକାରୀ କାର୍ଯ୍ୟ କରି ଆତ୍ମସମ୍ମାନ ବୃଦ୍ଧି ହେବ ।
ପୂର୍ବାଷାଢା – ନିଜ ଅଞ୍ଚଳରେ ଜନହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଉତ୍ତରାଷାଢା – ବ୍ୟବସାୟରେ କ୍ଷତି ହୋଇପାରେ, ନୂଆ ଚାକିରିର ଖବର ପାଇବେ ।
ଅସ୍ୱତ୍ଥ ମୂଳରେ ଜଳ ଅର୍ପଣ କରନ୍ତୁ ଆଶୀର୍ବାଦ୍‌ ମିଳିବ ।

ମକର ରାଶି

ଉତ୍ତରାଷାଢା – ଅଚାନକ କିଛି ବାକିଥିବା ପୁରୁଣା କାମ କିମ୍ବା ଟଙ୍କା ପ୍ରାପ୍ତ ହେବ ।
ଶ୍ରବଣା – ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ, ଉଦ୍ୟମ ସବୁ ସଫଳ ହେବ ।
ଧନିଷ୍ଠା – ଦୁର ଯାତ୍ରା କରନ୍ତୁ ନାହିଁ, ଅନ୍ୟର ଯାନବାହନ ଚଢନ୍ତୁ ନାହିଁ ।
ଭୋକିଲା ଜୀବଙ୍କୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା – ତିନିଖଣ୍ଡ ଫିଟିକିରୀ ପୋଖରୀ କିମ୍ବା ନଦୀ ଜଳରେ ଭସାଇ ଦିଅନ୍ତୁ ।
ଶତଭିଷା – କଳା ବା ନୀଳ ରଙ୍ଗର କିଛି ବି ବ୍ୟବହାର କରନ୍ତୁ ।
ପୂର୍ବଭାଦ୍ରପଦ – ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ ।
ସ୍ନାନ ସାରି ଜଳରେ ହଳଦୀ ମିଶାଇ କଦଳୀ ଗଛ ମୂଳରେ ଢାଳନ୍ତୁ ।

ମୀନ ରାଶି

ପୂର୍ବଭାଦ୍ରପଦ – ଯାନବାହନ କ୍ଷତି ରହିପାରେ, ହଳଦିଆ ଖେଚୁଡ଼ି କିଛି ଖାଆନ୍ତୁ ।
ଉତ୍ତରଭାଦ୍ରପଦ – ଅର୍ଥ ଚିନ୍ତା, ମାନସିକ ଅଶାନ୍ତି ବଢିବ ।
ରେବତୀ – କିଛି ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାତାପ କରିପାରନ୍ତି ।
ସ୍ନାନ ସାରି ଭଗବାନଙ୍କ ନିକଟରେ କଞ୍ଚା ହଳଦୀ ରଖି ଦିଅନ୍ତୁ ।

ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଫେସବୁକ୍ । ଆମ ନିତିଦିନିଆ ଜୀବନର ଅଭିନ୍ନ ଅଙ୍ଗ । ସଞ୍ଜ ହେଉ କି ସକାଳ, ଟିକିଏ ଫୁରସତ୍ ମିଳିଲେ ହାତ ଚାଲିଯାଏ ଫେସବୁକକୁ । ମନ ଜିଣୁଥିବା ମୁହଁବହି(ଫେସବୁକ୍) ଏବେ ସାଜିଛି ବିପଦ । ଫେସବୁକରେ ଆସୁଥିବା ବିଭିନ୍ନ ମନୋଲୋଭା ବିଜ୍ଞାପନ ଆପଣଙ୍କ ପକେଟ୍ ଖାଲି କରିଦେବ । ତେବେ, ସବୁ ବିଜ୍ଞାପନ ଏଭଳି ନୁହେଁ । କେତକ ବିଜ୍ଞାପନରେ କ୍ଲିକ୍ କରିବା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ଯେମିତି କି ଫେସବୁକ ଆଡରେ ଦାମୀ ମୋବାଇଲ୍ ବହୁତ ଶସ୍ତାରେ ମିଳିବା । ଏଭଳି ଲିଙ୍କରେ କ୍ଲିକ୍ କରିବା ମାନେ ଆକାଉଣ୍ଟ ଖାଲି ହେବା ।

ଅନେକ ସମୟରେ ଫେସବୁକରେ ଫ୍ଲିପକାର୍ଟ ଭଳି ଲୋକପ୍ରିୟ ଇ-କମର୍ସ ୱେବସାଇଟ ନାଁରେ ଠକ ଲୋକଙ୍କ ଭରସା ଜିତିବାକୁ ନକଲି ଲିଙ୍କ୍ ଦିଅନ୍ତି । ବିଜ୍ଞାପନରେ ଲକ୍ଷେ ଟଙ୍କିଆ ଆଇଫୋନର ଦାମ ମାତ୍ର ୪ ହଜାର ୯୯୯ ଟଙ୍କା ଲେଖା ଯାଇଥାଏ । ଲୋକଙ୍କ ଭରସା ଜିତିବାକୁ ଠକ ଫ୍ଲିପକାର୍ଟ ଲୋଗୋ ବ୍ୟବହାର କରିଥାନ୍ତି । ଆମେ ଅଜାଣତରେ ତାହାକୁ ଫ୍ଲିପକାର୍ଟର ଲିଙ୍କ ଭାବି କ୍ଲିକ୍ କରିଦେଉ ।

ଦାମୀ ଜିନିଷ ଶସ୍ତା ବା ବଡ଼ ରିହାତି ଅଥବା ୯୦ ପ୍ରତିଶତ ଡିସକାଉଣ୍ଟରେ ମିଳିବାର ଦାବି କରାଯାଏ । ଏ ଲିଙ୍କ୍ କ୍ଲିକ୍ କରିବା ପରେ ନକଲି ଫ୍ଲିପକାର୍ଟ ୱେବ୍ ପେଜ୍ ଖୋଲିଥାଏ । ଏବଂ ଆପଣଙ୍କୁ କମ୍ ଦାମରେ ବିଭିନ୍ନ ନାମୀଦାମୀ କମ୍ପାନୀର ପଡକ୍ଟ ନଜର ଆସେ ।

ସାଧାରଣତଃ ଏହି ବିଜ୍ଞାପନ ଦେଖିବାକୁ ତ ଅସଲି ଲାଗେ । ଆଉ ଗୋଟିଏ କ୍ଲିକରେ ଠକ ନେଇଯାଏ ଆକାଉଣ୍ଟରୁ ଟଙ୍କା । ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଆପଣ କ୍ଲିକ୍ କରୁଥିବା ୱେବସାଇଟ ଲିଙ୍କକୁ ପରଖନ୍ତୁ । କାରଣ ଠକ ଅସଲି ଲୋଗୋ ବ୍ୟବହାର କରି ନକଲି ଲିଙ୍କ୍ ଦେଇଥାଏ । ଏପରିକି ଲିଙ୍କରେ ସ୍ପେଲିଂ ଅଲଗା ଥାଏ । ଏଥିରୁ ଆପଣ ଜାଣିପାରିବେ ଏହା ନକଲି ୱେବସାଇଟ୍ ।

ସେଲ୍ଫି ପାଇଁ ଚୁଲିକୁ ଗଲା ସାମାଜିକ ଦୂରତା

ଭୁବନେଶ୍ୱର: କରୋନା ଯୁଦ୍ଧ । ସମସ୍ତେ ସୈନିକ, ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଟିକିଏ ଭୁଲ୍ ହେଲେ ଗୋଷ୍ଠୀ ସଂକ୍ରମଣ । ଦିନ ବଢିବା ସହ ଅଧିକ ସତର୍କ ହେବାକୁ ପରାମର୍ଶ ଦିଆଯାଉଛି । ଶୀର୍ଷ ରାଜନେତା ଏବଂ ପ୍ରଶାସନ ନିୟମିତ ବ୍ୟବଧାନରେ ଏ ନେଇ ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି । ହେଲେ ବାଡ଼ ଫସଲ ଖାଇବା ନ୍ୟାୟରେ ଯଦି ଜନ ପ୍ରତିନିଧି ସାମାଜିକ ଦୂରତା ନିୟମକୁ ଫୁ କରିବେ, ତେବେ କାହାକୁ କହିବା ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ବର୍ଷେ ହେବ ସାଧାରଣ ନିର୍ବାଚନ ସରିଯାଇଛି । ଆଗକୁ ସେମିତି ରାଜନୈତିକ ପ୍ରତିଯୋଗିତା ନାହିଁ । ହେଲେ ସବୁ ସମୟରେ ରାଜନୀତିମନସ୍କ ନେତାଙ୍କୁ କିଏ ବୁଝେଇବ । ସାମାଜିକ ଦୂରତା ନିୟମକୁ ଆଖିବୁଜି ଦେଲେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀ ସଭାପତିରୁ ମନୋଜ ତିୱାରୀ ବିଦା ହେବା ପରେ ଯେତିକି ଚର୍ଚ୍ଚା ହୋଇ ନ ଥିଲା, ଭୁବନେଶ୍ୱର ବିଜେପି ଗୋଷ୍ଠୀ କନ୍ଦଳ ସେତିକି ଚର୍ଚ୍ଚାର କାରଣ ପାଲଟିଗଲା । ୧୨ ଘଣ୍ଟାର ଡ୍ରାମା ପରେ ଦଳ ଛାଡିଥିବା ଜଗନ୍ନାଥ ପ୍ରଧାନ ପଦ୍ମ ପୋଖରୀକୁ ଫେରି ଆସିଲେ । ଆଉ ସେ ଫେରି ଆସିବା ପରେ କରୋନାକୁ ଯେମିତି ସାଂସଦ ମହାଶୟା ଏବଂ ତାଙ୍କ ସହଯୋଗୀ ସମ୍ପୂର୍ଣ୍ଣ ପାସୋରି ଦେଲେ ।  ଫଟୋ ଉଠାଇ ସେଲଫି ଛାଡିବା, ଫେସବୁକ୍ ରେ ପୋଷ୍ଟ କରି ଦଳ ଏକାଠି ଅଛି ବୋଲି ଦେଖାଇବାକୁ ଉଚିତ୍ ମଣିଲେ । ତେଣୁ ସାମାଜିକ ଦୂରତା ଛାଡ, ସାମାନ୍ୟ ଦୂରତା ରଖିବାକୁ ଉଚିତ ମନେ କଲେ ନାହିଁ । ସାଂସଦ ଅପରାଜିତା  ଷଡଙ୍ଗୀ ଏବଂ ବିଜେପିର ଅନ୍ୟ କେତେକ ନେତାଙ୍କ ବୁଧବାର ଭାଇରାଲ ହୋଇଥିବା ଏହି ଫଟୋ ଚର୍ଚ୍ଚାର କାରଣ ହୋଇଛି ।

ଏହି ଫଟୋକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ରଖିଥିବା ଜଣେ ନେତ୍ରୀ କିପରି ଏହି ବିଶ୍ୱ ମହାମାରୀ ସମୟରେ ଏ ସବୁ ଭୁଲି ଗଲେ । ଏହା ଦ୍ୱାରା ସେ ପ୍ରତିନିଧି କରୁଥିବା ଜନସାଧାରଣଙ୍କର ଅପକାର ହିଁ କରୁଛନ୍ତି, ଏ କଥା କ’ଣ ତାଙ୍କୁ ବୁଝାଇବାକୁ ପଡ଼ିବ । ସେ ନିଜେ ବିଭିନ୍ନ ପ୍ରଶାସନିକ ଦାୟିତ୍ୱରେ ଥିବା ବେଳେ ନିଜ ଅଧସ୍ତନଙ୍କ ଉପରେ ଯେପରି କଠୋର ହେଉଥିଲେ, ତାଙ୍କର ଏହି ଭୁଲ୍ ପାଇଁ ପ୍ରଶାସନ କଠୋର ହେଲେ ମହାଶୟା ଗ୍ରହଣ କରିପାରିବେ ତ ବୋଲି ଅନେକେ ପ୍ରଶ୍ନ କରିଛନ୍ତି ?

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ୫ ବର୍ଷର ଛୁଆର ତଣ୍ଟିଚିପି ହତ୍ୟା । ପଡ଼ୋଶୀ ମହିଳାଙ୍କ ଏହି କାଣ୍ଡ ପରେ ଖେଳିଯାଇଛି ଆତଙ୍କ । ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଖଣ୍ଡଗିରି ଥାନା କୋଳଥିଆ ରାଜୀବ ନଗରରେ । ଶିଶୁକୁ ହତ୍ୟା ପରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଶିଶୁଟି ପ୍ରତିଦିନ ପଡ଼ିଶା ଘରକୁ ଖେଳିବାକୁ ଯାଇଥାଏ । ପ୍ରତିଦିନ ଭଳି ଆଜି ବି ଖେଳିବାକୁ ଯାଇଥିବା ବେଳେ ମହିଳା ଜଣଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ତା’ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳା ଜଣଙ୍କ ଚିକିତ୍ସା ଚାଲିଛି । ସେ ସୁସ୍ଥ ହେବା ପରେ ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିବ । ପୋଲିସ ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରୁଛି ।

ଦିନକ ପରେ ସ୍ନାନଯାତ୍ରା, ସୀମିତ ସେବାୟତରେ ସମ୍ପନ୍ନ ହେବ ଅଲାରନାଥଙ୍କ ନୀତି

ପୁରୀ: ଦିନକ ପରେ ସ୍ନାନଯାତ୍ରା । ଏଥିପାଇଁ ଆଜି ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଓ ଆସନ୍ତାକାଲି ସେନାପଟା ଲାଗି କରାଯିବ । ବିନାଭକ୍ତରେ ସ୍ନାନଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ସେପଟେ ବ୍ରହ୍ମଗିରିରେ ଅଲାରନାଥଙ୍କ ସ୍ୱତନ୍ତ୍ର ନୀତି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ କେବଳ ନୀତି ହେବ, ସାଧାରଣ ଦର୍ଶନ ହେବନାହିଁ ।

ଗୁରୁବାର ରାତି ଗୋଟାଏରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ସ୍ନାନବେଦୀକୁ ବିଜେ କରିବେ । ଏଥିପାଇଁ ଦଇତାପତି ସେବାୟତମାନେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ କରିଛନ୍ତି । ଆଜି ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଲାଗି କରାଯାଉଥିବା ବେଳେ କାଲି ସେନାପଟା ଲାଗି ହେବ । ସୀମିତ ସେବାୟତ ଓ ବିନାଭକ୍ତରେ ନୀତି ସମ୍ପନ୍ନ ପାଇଁ ପ୍ରସ୍ତୁତି କରାଯାଇଛି ।

ସେପଟେ ବ୍ରହ୍ମଗିରିରେ ଅଲାରନାଥ ଦେବଙ୍କ ଅଣସର ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ପାଳନ କରି ଠାକୁରଙ୍କ ସ୍ୱତନ୍ତ୍ର ସମ୍ପନ୍ନ ପାଇଁ ବୈଠକରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ୧୪ ଦିନ ଧରି ଅଲାରନାଥଙ୍କର କେବଳ ସ୍ୱତନ୍ତ୍ର ନୀତି କରାଯିବ । ସୀମିତ ସେବାୟତ ନିୟୋଜିତ ହେବେ । କରୋନା କଟକଣା ଯୋଗୁଁ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିବ ନାହିଁ । ଶୃଙ୍ଖଳିତ ଭାବେ ନୀତି ସମ୍ପନ୍ନ ହେବ ବୋଲି ସେବାୟତ ଓ ପ୍ରଶାସନ ଆଶାବାଦୀ ଅଛନ୍ତି ।

ସେହି ବ୍ୟକ୍ତି ଯିଏ ଗୁମ୍ଫାରେ ରହୁଥିଲେ,ଏବେ ତାଙ୍କ ପାଇଁ ଦୁନିଆ ଲକଡାଉନ୍ ଭିତରେ ଜିଇଁବାକୁ ବାଧ୍ୟ…

ସି ଜିନ୍ ପିଙ୍ଗ୍ । ଚୀନର ରାଷ୍ଟ୍ରପତି । ପିପୁଲ’ସ ଲିବରେସନ୍ ଆର୍ମିର ସୁପ୍ରିମ କମାଣ୍ଡର । ଆଉ ଏବେ ଦୁନିଆର ଖଳନାୟକ । କରୋନାକୁ ଦୁନିଆ ନଜରରୁ ଲୁଚାଇ ରଖିଥିବା ବ୍ୟକ୍ତି । ଦୁନିଆଠାରୁ ସତକୁ ଲୁଚାଇ ରଖି ମହାମାରୀ ଆତଙ୍କ ଭିତରକୁ ୭ଶହ କୋଟି ଲୋକଙ୍କୁ ଠେଲି ଦେଇଥିବା ବ୍ୟକ୍ତି ହେଉଛନ୍ତି ସି ଜିନ୍ ପିଙ୍ଗ । ସେଇ ବ୍ୟକ୍ତି ଯିଏ ଏବେ ଭାରତୀୟ ସୀମାରେ ନିଜ ମଶଲ ପାୱାର ଦେଖାଉଛନ୍ତି । ଆମେରିକାକୁ ଆଖି ଦେଖାଉଛନ୍ତି । ପଡୋଶୀଙ୍କୁ ଡରାଇ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ପୂରା ଦୁନିଆ ଯେତେବେଳେ ଉହାନରୁ ବାହାରିଥିବା ଚାଇନିଜ୍ ଭାଇରସ ପାଇଁ ତାଙ୍କ ଆଡକୁ ଆଙ୍ଗୁଳି ଉଠାଉଛି ସେତେବେଳେ ସି ଜିନ୍ ପିଙ୍ଗ୍ ହଂକଂ, ତାଇୱାନ ଓ ଲଦାଖରେ ଶକ୍ତି ପ୍ରଦର୍ଶନ କରି ଦେଶ ଭିତର ଓ ବାହାରର ଦୃଷ୍ଟି କରୋନାଠାରୁ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ସି ଜିନ୍ ପିଙ୍ଗ୍ କିଏ ? କେଉଁଠୁ ଆସିଲେ ? ଓ କେମିତି ସେ ଚୀନର ସର୍ବେସର୍ବା ହୋଇଗଲେ ? ଆସନ୍ତୁ ସେ ସବୁ ପ୍ରଶ୍ନର ଉତ୍ତର ଖୋଜିବା ଇତିହାସ ପୃଷ୍ଠାରୁ ।

ଚାଷରୁ ଜୀବନ ଆରମ୍ଭ

୫ ଦଶକ ତଳେ ଚୀନରେ ଚାଲିଥିଲା ସାଂସ୍କୃତିକ ବିପ୍ଲବର ପର୍ବ । କମ୍ୟୁନିଷ୍ଟ ଚୀନର ପ୍ରତିଷ୍ଠାତା ମାଓ ଦଳ ଭିତରୁ ନିଜ ବିରୋଧୀଙ୍କୁ ସବୁଦିନ ପାଇଁ ହଟାଇବାକୁ ଆରମ୍ଭ କରିଥିଲେ ଏହି ନାଟକ । ସବୁ ପୁରୁଣା ପରମ୍ପରାକୁ ବୁର୍ଜୟା ଚିନ୍ତାଧାରା ଆଖ୍ୟା ଦେଇ ସେ ଆରମ୍ଭ କରିଥିଲେ ଆତଙ୍କରାଜ । ଦଳ ଭିତରେ ଯେଉଁମାନଙ୍କୁ ସେ ପସନ୍ଦ କରୁନଥିଲେ, ସେମାନଙ୍କୁ ବୁର୍ଜୟା କହି ହତ୍ୟା କରାଯାଉଥିଲା କିମ୍ବା ଲେବର କ୍ୟାମ୍ପକୁ ପଠାଇ ଦିଆଯାଉଥିଲା । ସେହି ସମୟରେ ଜଣେ ୧୫ ବର୍ଷୀୟ ପିଲାର ବାପାଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିର୍ଯାତନା ଦିଆଯାଇଥିଲା । ସେହି ପିଲା ନିଜ ବିଲରେ କାମ କରି ଆଗକୁ ବଢିଥିଲା । ଯିଏ ପରବର୍ତ୍ତୀ କାଳରେ ସି ଜିନ୍ ପିଙ୍ଗ୍ ଭାବେ ପରିଚିତ ହୋଇଥିଲେ ।

ସି ଜିନପିଙ୍ଗଙ୍କ ଗାଁ ଥିଲା ଚୀନ ଗୃହଯୁଦ୍ଧ କାଳରେ କମ୍ୟୁନିଷ୍ଟଙ୍କ ଗଡ । ଚୀନ୍ ଏବେ ସୁପରପାୱାର ହେବାକୁ ଉଦ୍ୟମ କରୁଛି । ଚୀନ, ବିଶ୍ୱ ଜିଓ ପଲିଟିକ୍ସରେ ଆମେରିକାକୁ ଟକ୍କର ଦେବାକୁ ଉଦ୍ୟମ କରୁଛି । କିନ୍ତୁ ସି ଜିନ୍ ପିଙ୍ଗଙ୍କ ଗାଁ  ୫୦ ବର୍ଷ ତଳେ ଯେମିତି ଥିଲା ଏବେ ମଧ୍ୟ ସେମିତି ଅଛି ।  କାରଣ ହେଉଛି ଏହା କମ୍ୟୁନିଷ୍ଟଙ୍କ ତୀର୍ଥକ୍ଷେତ୍ର । ସେମାନେ ତାଙ୍କ ଗାଁକୁ ଗୋଟିଏ ଜୀବନ୍ତ ମ୍ୟୁଜିୟମରେ ପରିଣତ କରିଛନ୍ତି ।

ସାଧାରଣ ଜୀବନରେ ଜବରଦସ୍ତ ଅଭିନୟ

ସି ଜିନ୍ ପିଙ୍ଗଙ୍କ ବିରୋଧୀ କୁହନ୍ତି ସେ ରାଜନୀତିରେ ଜଣେ ଅଭିନେତା । ସେ ସାଧାରଣ ଲୋକଙ୍କ ସହ ଥିବାର ଅଭିନୟ କରିପାରନ୍ତି କିନ୍ତୁ ପ୍ରକୃତରେ ସେ କ୍ଷମତାଲୋଭୀ । ମାଓଙ୍କ ଅତ୍ୟାଚାରର ଶିକାର ହୋଇଥିବା ସି ଜିନ୍ ପିଙ୍ଗ୍ କେବେ ମଧ୍ୟ ତାଙ୍କ ଅସନ୍ତୋଷକୁ ଜାହିର ହେବାକୁ ଦେଇନଥିଲେ । ୧୯୬୮ରେ ମାଓ ଚୀନର ଯୁବାବର୍ଗଙ୍କୁ କହିଥିଲେ ଗାଁ’କୁ ଚାଲ । ଜିନ୍ ପିଙ୍ଗ୍ ମଧ୍ୟ ଗାଁକୁ ଯାଇଥିଲେ । ସେତେବେଳେ ସେ ମାଓଙ୍କ ରେଡ୍ ବୁକ୍ ପଢୁଥିଲେ । ମାଓ ତାଙ୍କ ଆଦର୍ଶ ଥିଲେ ବୋଲି ଦେଖାଇ ହେଉଥିଲେ ।

ମାଓଙ୍କ ଅତ୍ୟାଚାର କରିଥିଲା ଶକ୍ତ

୬୦ ଦଶକର ଅନ୍ତିମ ଭାଗରେ ମାଓ ପାଗଳାମି କରୁଥିଲେ । ଦଳରେ ନିଜର ଆଧିପତ୍ୟ ପ୍ରତିଷ୍ଠା ପାଇଁ ସେ ସମ୍ଭାବ୍ୟ ଶତ୍ରୁଙ୍କୁ ନିପାତ ନୀତି ଆପଣାଇଥିଲେ । ଖୋଦ ସି ଜିନପିଙ୍ଗଙ୍କ ପିତାଙ୍କୁ ଦଳ ବିରୋଧୀ କାମ ପାଇଁ ଜେଲ ପଠାଇ ଦିଆଯାଇଥିଲା । ଏହି ସମୟରେ ତାଙ୍କର ଜଣେ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ନିଜେ ସି ଜିନ୍ ପିଙ୍ଗ ରେଡ୍ ଗାର୍ଡଙ୍କ ଭୟରେ ଲୁଚିକି ବୁଲୁଥିଲେ । ତେବେ ଏହି ଆତଙ୍କ ଓ ଅତ୍ୟାଚାର ତାଙ୍କୁ ଅଧିକ ଶକ୍ତ କରିଥିଲା । ମାଓଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ମଧ୍ୟ ଜିନପିଙ୍ଗ୍ କେବେ ମଧ୍ୟ ଖୋଲାଖୋଲି ମାଓ କିମ୍ବା ଦଳୀୟ ନୀତିକୁ ବିରୋଧ କରିନଥିଲେ । କାରଣ ସେ ଜାଣିଥିଲେ କ୍ଷମତା ପାଇଁ ଅଭିନୟ ଜରୁରୀ ।

ଗୁମ୍ଫାରେ ରହୁଥିଲେ, ଡିବି ଆଲୁଅରେ ପଢୁଥିଲେ

୬୦ ଦଶକ ଚୀନରେ ଗାଁକୁ ବିଜୁଳି ଯାଇନଥିଲା । ସିଙ୍କର ନିଜର ଘର ନଥିଲା । ଅନେକ ଚୀନ ନାଗରିକଙ୍କ ଭଳି ସେ ଗୁମ୍ଫାରେ ନିଜ ପରିବାର ସହ ରହୁଥିଲେ । ଡିବି ଆଲୁଅରେ ପାଠ ପଢୁଥିଲେ । କିନ୍ତୁ ଏହି ସମୟରେ ସେ ବନ୍ଧ ମରାମତିଠାରୁ ରାସ୍ତା ତିଆରି କାମ ଶିଖି ଥିଲେ । ଯେଉଁ ଗୁମ୍ଫାରେ ସେ ରହୁଥିଲେ ସେହି ଗୁମ୍ଫାରେ ତାଙ୍କ ସହିତ ଅନ୍ୟ ତିନିଜଣ ରହୁଥିଲେ । ଗୁମ୍ଫା ଭିତରେ ବିଛଣା ନଥିଲା । ଇଟା ଉପରେ ତାଙ୍କୁ ଶୋଇବାକୁ ପଡୁଥିଲା ।

ରାଷ୍ଟ୍ରପତି ଜିନ୍ ପିଙ୍ଗ୍

୨୦୧୨ ଆସୁ ଆସୁ ସି ଜିନ୍ ପିଙ୍ଗ୍ ଚୀନର ରାଷ୍ଟ୍ରପତି ହୋଇସାରିଥିଲେ । ଏହା ସହ ଦଳ ମୁଖ୍ୟ ଓ ସେନାର ସୁପ୍ରିମ କମାଣ୍ଡର । ରାଷ୍ଟ୍ରପତି ହେବା ସହ ଚୀନରେ ନିଜ ନୀତିକୁ ଲାଗୁ କରିବା ଆରମ୍ଭ କରିଥିଲେ ଜିନ୍ ପିଙ୍ଗ୍ । ଅନେକ ଆଇନରେ ପରିବର୍ତ୍ତନ ଆସିଥିଲା ଓ ଆଇନକୁ କଠୋରତାର ସହ ଲାଗୁ କରାଯାଇଥିଲା । ଖର୍ଚ୍ଚକାଟ ପାଇଁ ସେ ରାଜକୀୟ ଭୋଜି ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ସି ଜିନପିଙ୍ଗ୍ ଦୁଇଥର ବିବାହ କରିଛନ୍ତି । ଜଣେ କମ୍ୟୁନିଷ୍ଟ ପାର୍ଟି ନେତାଙ୍କ ଝିଅ ସହିତ ତାଙ୍କ ପ୍ରଥମ ବିବାହ ବିଫଳ ହୋଇଥିଲା । ଏହାପରେ ସେ ଚୀନର ଜଣେ ପ୍ରସିଦ୍ଧ ଗାୟିକାଙ୍କୁ ବିବାହ କରିଥିଲେ ।

ରାଷ୍ଟ୍ରପତି ହେବା ପରେ ଜିନ୍ ପିଙ୍ଗ୍ ଦଳର ବାକି ନେତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିଥିଲେ । କେଉଁ ନେତାଙ୍କ ଅଫିସ ସାଇଜ୍ କେତେ ହେବ, ସରକାରୀ ଭୋଜନରେ କେଉଁ ନେତାଙ୍କୁ କେଉଁ ପ୍ରକାର ଓ କେତେ ସଂଖ୍ୟାରେ ବାସନରେ ଖାଦ୍ୟ ପରିବେଷଣ କରାଯିବ ସେ ନେଇ ମଧ୍ୟ ଜିନ୍ ପିଙ୍ଗ୍ ନିୟମ ତିଆରି କରିଛନ୍ତି ।

କରୋନା ଓ ଜିନ୍ ପିଙ୍ଗ୍

କରୋନା ବିରୋଧରେ ଯୁଦ୍ଧ ଲଢୁଛି ବିଶ୍ୱ । ଚୀନର ଉହାନରୁ ଜନ୍ମ ନେଇଥିବା କରୋନା ପାଇଁ ଦୁନିଆ ଲକଡାଉନ୍ ଭିତରେ ରହିଛି । ଆମେରିକାଠାରୁ ଭାରତ ସବୁ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । କିନ୍ତୁ ଚୀନ ଏହା ଭିତରେ ମନି ବ୍ୟାଗ୍ ନେଇ ସପିଂରେ ବାହାରିଛି । ବିଶ୍ୱ ବଜାରର ମାନ୍ଦାବସ୍ଥା ଭିତରେ ଦୁର୍ବଳ ହୋଇପଡିଥିବା କଂପାନୀଙ୍କୁ ଶସ୍ତାରେ ଚୀନ୍ କଂପାନୀ ମାନେ ଟେକ୍ ଓଭର କରୁଛନ୍ତି । କୁହାଯାଉଛି ଯେ, ଏସବୁ ଚୀନର ଚାଲ । ଚୀନ୍ ଦୁନିଆର ସବୁ ଦେଶର ଅର୍ଥନୀତିକୁ ଡୁବାଇ ନିଜେ ସୁପର ପାୱାର ହେବାକୁ ଉଦ୍ୟମ କରୁଛି । କରୋନାକୁ ଟ୍ରମ୍ପ ଚୀନ୍ ଭାଇରସ୍ କହୁଛନ୍ତି । ଜିନ୍ ପିଙ୍ଗ୍ ଏହି ଅସ୍ଥିରତା ଭିତରୁ ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି ।

ଚୀନର ଏହି କରୋନା ଚାଲକୁ ଦୁନିଆ ବୁଝିସାରିଲାଣି । କାରଣ ଜିନ୍ ପିଙ୍ଗ୍ ଜଣେ ଜବରଦସ୍ତ ଅଭିନେତା । ଏମିତି ଅଭିନେତା ଯିଏ ପିତାଙ୍କ ପତନ ପାଇଁ ଦାୟୀ ମାଓଙ୍କୁ ମଧ୍ୟ କେବେ ଜୀବନରେ ବିରୋଧ କରିନଥିଲେ । ଚୁପଚାପ ବସିଥିଲେ ସୁଯୋଗ ଅପେକ୍ଷାରେ । ଥରେ ସୁଯୋଗ ପାଇବା ପରେ ନିଜ ବିରୋଧୀଙ୍କୁ ହଟାଇ ପାଲଟିଯାଇଥିଲେ ଚୀନ କମ୍ୟୁନିଷ୍ଟ ପାର୍ଟିର ସର୍ବେସର୍ବା । ଏମିତିରେ ଜିନ୍ ପିଙ୍ଗ୍ ଆଗାମୀ ଦିନରେ କଣ କରୁଛନ୍ତି ତାହା ଉପରେ ପୂରା ଦୁନିଆର ନଜର ରହିବ ।

ପର ରାଇଜରୁ ଘରକୁ ଫେରିଲେ ପ୍ରବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ଉତ୍ତରପୂର୍ବରୁ ଓଡ଼ିଶା ଫେରିଲେ ପ୍ରବାସୀ ଓଡ଼ିଆ । ଦୁଇଟି ବିମାନରେ ସେମାନଙ୍କୁ ଅଣାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଖାପାଖି ୩୦୦ ଜଣ ବିମାନରେ ଓଡ଼ିଶା ଫେରୁଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ଫସିରହିଥିବା ପ୍ରବାସୀ ଓଡ଼ିଆ, ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ଫେରୁଛନ୍ତି । ଆଜି ଗୋଟିଏ ଦିନରେ ଦୁଇଟି ସ୍ୱତନ୍ତ୍ର ବିମାନରେ ଫେରିଛନ୍ତି ପ୍ରବାସୀ । ପ୍ରଥମ ବିମାନରେ ମଣିପୁରରୁ ମୋଟ ୧୩୮ ଜଣ ପ୍ରବାସୀ ଆସିଥିବା ବେଳେ ଦ୍ୱିତୀୟ ବିମାନରେ ତ୍ରିପୁରାରୁ ୨୯ ଜଣ ଛାତ୍ରଛାତ୍ରୀ ଓ ୩୨ ଜଣ ପ୍ରବାସୀ ଫେରିଛନ୍ତି । ସେହିପରି ଆସାମରୁ ଆସୁଛନ୍ତି ୭୨, ନାଗାଲାଣ୍ଡରୁ ୨୨ ଜଣ ଓ ଇମ୍ଫାଲରୁ ୧୪ ଜଣ ପ୍ରବାସୀ ଶ୍ରମିକ ।

ପ୍ରଥମ ପର୍ଯ୍ୟାୟରେ ମଣିପୁରରୁ ସ୍ୱତନ୍ତ୍ର ବିମାନରେ ୧୩୮ ଜଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ସର୍ବାଧିକ ୧୨୬ ଜଣ ଥିବା ବେଳେ ଯାଜପୁରରୁ ୭, ଖୋର୍ଦ୍ଧା ଓ ଭଦ୍ରକରୁ ୨ଜଣ ଲେଖାଏଁ ଏବଂ ମୟୂରଭଞ୍ଜରୁ ଜଣେ ପ୍ରବାସୀ ଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହାପରେ ସ୍ୱତନ୍ତ୍ର ବସ୍‌ ଯୋଗେ ନିଜ ନିଜ ଜିଲ୍ଲାକୁ ରାଜ୍ୟ ସରକାର ବସରେ ପଠାଇଥିଲେ । ପ୍ରବାସୀଙ୍କୁ ବିମାନ ବନ୍ଦରରେ ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ସ୍ୱାଗତ କରିଥିଲେ ।

କିଏ ରୋଜଗାର ଅନ୍ୱେଷଣରେ ତ ଆଉ କିଏ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ହେଲେ ଲକ୍‌ଡାଉନ୍‌ରେ ଫସି ଯାଇଥିଲେ ଏମାନେ । ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଯୋଗୁଁ ଓଡିଶା ଫେରିବା ରାସ୍ତା ବନ୍ଦ ହୋଇଯାଇଥିଲା । ଦୁଃଖକଷ୍ଟରେ ଥିବା ପ୍ରବାସୀ ଓଡ଼ିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କୁ କରିଥିଲେ ଆକୁଳ ନିବେଦନ । ସରକାରଙ୍କ ପଦକ୍ଷେପ ଯୋଗୁଁ ଆଜି ନିଜ ଘରେ ପହଞ୍ଚିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଖାସ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରବାସୀ ।