spot_img
Home Blog Page 6953

ଦେଶରେ ୨୪ଘଣ୍ଟରେ ରେକର୍ଡ ସଂଖ୍ୟକ ସଂକ୍ରମଣ,ଗୋଟିଏ ଦିନରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୪୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ଟପିଛି । ସେହିପରି କରୋନା ମୃତ୍ୟୁ ୨୭ ହଜାର ପାର ହୋଇଛି । ଏହାସହ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୧୮ହଜାର ୪୩ରେ ପହଞ୍ଚିଛି । ୩ଲକ୍ଷ ୯୦ ହଜାର ୪୫୯ ଆକ୍ଟିଭ୍ କେସ ରହିଥିବା ବେଳେ ୭ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଆରୋଗ୍ୟ ହାର ୬୨.୬୧ ରହିଛି ।

କରୋନା ସଂକ୍ରମିତଙ୍କ ସଂଖ୍ୟା ହିସାବରେ ଭାରତ ବିଶ୍ୱର ତୃତୀୟ ପ୍ରଭାବିତ ଦେଶ । ଆମେରିକା , ବ୍ରାଜିଲ ପରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଭାରତ ହୋଇଛି । ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟା ଉପରେ ସଂକ୍ରମିତ ମାମଲା ଏବଂ ମୃତ୍ୟୁ ସଂଖ୍ୟାର କଥା କୁହାଯାଏ ତ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ରହିଛି । ଆମେରିକାରେ ୩,୮୯୬,୮୫୫ଜଣ ସଂକ୍ରମିତ ହୋଇଥିବା ବେଳେ ବ୍ରାଜିଲରେ ୨,୦୯୯,୮୯୬ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି ମହାରାଷ୍ଟ୍ର । ରାଜ୍ୟରେ ୩ ଲକ୍ଷ ୧୦ ହଜାରରୁ ଅଦିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଜୀବନ ନେଇଛି କିଲର ଭାଇରସ । ଗତ ସପ୍ତାହରେ ଦେଶରେ ୨ଲକ୍ଷ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୪ହଜାରରୁ ଅଧିକଙ୍କ ଜୀବନ ଯାଇଛି ।

ସର୍ବାଧିକ ଆକ୍ଟିଭ୍ କେସ ଥିବା ଶ୍ରେଷ୍ଠ ୫ଟି ରାଜ୍ୟ

ଜନସଂଖ୍ୟା ଅନୁସାରେ, ଦେଶରେ ଏହି ସମୟରେ ୪ଲକ୍ଷ କରୋନାର ଆକ୍ଟିଭ୍ କେସ ରହିଛି । ଏବଂ ସବୁଠୁ ଅଧିକ ଆକ୍ଟିଭ୍ କେସ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଏକ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହାସହ ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ, ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ ୪ର୍ଥ ନମ୍ବରରେ ରହିଛି ଆନ୍ଧ୍ରପ୍ରଦେଶ ଏବଂ ୫ମ ସ୍ଥାନରେ ରହିଛି ଦିଲ୍ଲୀ । ଏହି ୫ଟି ରାଜ୍ୟରେ ସବୁଠୁ ଅଧିକ ସକ୍ରିୟ ମାମଲା ରହିଛି । ଏହାସହ ଭାରତ ସକ୍ରିୟ ସଂକ୍ରମିତଙ୍କ ମାମଲାରେ ୪ର୍ଥ ସ୍ଥାନରେ ରହିଛି ।  

CBSE ଦଶମ ଫଳାଫଳ ଯାଞ୍ଚ ଆରମ୍ଭ, ଆଜି ଦ୍ୱାଦଶ ପାଇଁ ଶେଷ ଦିନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତଥା CBSE ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆଜି (ଜୁଲାଇ ୨୦)ମାର୍କ ଯାଞ୍ଚ ପାଇଁ ଆବେଦନ କରିପାରିବେ । ମାର୍କ ଭେରିଫିକେସନ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ, ସେମାନଙ୍କୁ ସିବିଏସ୍ଇ ବୋର୍ଡର ଆନୁଷ୍ଠାନିକ ୱେବସାଇଟ୍ ରେ ଏହା ଆବେଦନ କରିବାକୁ ପଡିବ । କେବଳ ସେତିକି ନୁହେଁ, CBSE ବୋର୍ଡର ଦ୍ୱାଦଶ ଶ୍ରେଣୀର ମାର୍କ ଯାଞ୍ଚ ପାଇଁ ଆଜି ଶେଷ ତାରିଖ । ତେଣୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ କେବଳ ଆଜିର ସମୟ ରହିଛି ।

ଦଶମ ଶ୍ରେଣୀର ମାର୍କ ଯାଞ୍ଚ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୪ । ଫଳାଫଳ ଯାଞ୍ଚ ଅନୁଯାୟୀ, ପ୍ରତ୍ୟେକ ବିଷୟ ପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ମାର୍କ ଯାଞ୍ଚ ପ୍ରକ୍ରିୟାରେ, CBSE ଦୁଇଟି ଜିନିଷରେ ଧ୍ୟାନ ଦେବ । ପ୍ରଥମ ହେଉଛି, ମାର୍କ ଗଣତିରେ ଭୁଲ ନରହିଯାଏ । ଦ୍ୱିତୀୟଟି ହେଉଛି କୌଣସି ଉତ୍ତରରେ ଯଦି ମାର୍କ ନଦିଆଯାଇଥାଏ ତାହେଲେ ଯାଞ୍ଚ ହେବ ।

ଆବେଦନ କରିବାର ପ୍ରକ୍ରିୟା:

୧- CBSE cbse.nic.in ର ଆନୁଷ୍ଠାନିକ ୱେବସାଇଟ୍ ଲଗ ଇନ୍ କରିବା ଜରୁରୀ ।

୨- ଏହା ପରେ ମାର୍କ ଭେରିଫିକେସନ୍ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରିବା ଆବଶ୍ୟକ ।

୩- ଏହା ପରେ ଏକ ନୂଆ ପେଜ୍ ଖୋଲିବ, ଯେଉଁଠାରେ ଛାତ୍ରଙ୍କୁ ନିଜର ରୋଲ୍ ନମ୍ବର, ୫ ଅଙ୍କ ବିଶିଷ୍ଟ ସ୍କୁଲ ନମ୍ବର ଏବଂ କେନ୍ଦ୍ର ନମ୍ବର ପୂରଣ କରିବାକୁ ପଡିବ ।

୪- ଛାତ୍ରଛାତ୍ରୀ ଯେଉଁ ବିଷୟଗୁଡ଼ିକ ପାଇଁ ପରୀକ୍ଷା ଦେଇଥିବେ ତାହା ପେଜ୍ ରେ ଖୋଲିବ ।

୫- ଯେଉଁ ବିଷୟଗୁଡିକର ସଂଖ୍ୟା ଯାଞ୍ଚ କରିବାକୁ ଚାହୁଁଥିବେ ତାହା ଚୟନ କରିବା ଜରୁରୀ ।

୬- ସବମିଟ୍ ବଟନ୍ ମାରିବା ପରେ ମାତ୍ରେ ପେମେଣ୍ଟ ୱିଣ୍ଡୋ ଖୋଲିବ । ଏଠାରେ ଫିସ୍ ଜମା କରିବାକୁ ପଡିବ ।  ପ୍ରତ୍ୟେକ ବିଷୟ ପାଇଁ ୫୦୦ ଟଙ୍କା ରହିଛି । ମାର୍କ ଯାଞ୍ଚ ପାଇଁ ଛାତ୍ରଛାତ୍ରୀମାନେ ସମସ୍ତ ବିଷୟ ଚୟନ କରିପାରିବେ ।

୭- CBSE ଏକ ଆପ୍ଲିକେସନ୍ ନମ୍ବର ଜାରି କରିବ, ଏହାକୁ ସୁରକ୍ଷିତ ରଖିବା ଜରୁରୀ ।

ସୋନୁଙ୍କ ନାଁରେ ଓଲ୍ଡିଂ ଦୋକାନ ଖୋଲି ଚର୍ଚ୍ଚାରେ ପ୍ରଶାନ୍ତ, କହିଲେ ଅନୁମତି ଆଣିଛି…

ରାଜନଗର: ଲକ୍‌ଡାଉନ୍‌ ବେଳେ ପ୍ରବାସୀଙ୍କ ପାଇଁ ଭଗବାନ ପାଲଟିଥିଲେ ବଲିଉଡ୍‌ ତାରକା ସୋନୁ ସୁଦ୍‌ । ରିଲ୍‌ ଲାଇଫ୍‌ରେ ଭିଲିଆନ୍‌ ରୋଲ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥିବା ସୋନୁ କିନ୍ତୁ ରିଅଲ ଲାଇଫ୍‌ରେ ହିରୋ ସାଜିଛନ୍ତି । କରୋନା ମହାମାରୀ ସମୟରେ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ପ୍ରବାସୀଙ୍କ ପାଇଁ ସାହା ଭରଶା ଥିଳେ ସୋନୁ । ଗରିବ ଖଟିଖିଆ ପ୍ରବାସୀ ଶ୍ରମିକଙ୍କୁ ନିଜ ଭିଟା ମାଟିକୁ ଫେରାଇବା ପାଇଁ ସହଯୋଗ କରିଥିଲେ ସୋନୁ । ନିସ୍ୱାର୍ଥପର ଭାବେ ସେ ଦୁଃଖ ଦୁର୍ଦଶାରେ ଦିନ କାଟୁଥିବା ଗୋଟି ଗୋଟି ପ୍ରବାସୀମାନଙ୍କୁ ଗାଡ଼ି ସାହାଯ୍ୟରେ ଘରକୁ ପଠାଇଥିଲେ ।

Sonu Sood

ତେବେ ଏମିତି ଜଣେ ପ୍ରବାସୀ ଶ୍ରମିକ ହେଉଛନ୍ତି ପ୍ରଶାନ୍ତ ପ୍ରଧାନ । ସୋନୁଙ୍କ ସହଯୋଗ ଯୋଗୁଁ ଲକ୍‌ଡାଉନ୍ ସମୟରେ ସେ ନିଜ ଗାଁକୁ ଫେରିପାରିଛନ୍ତି । ଆଉ ଏବେ ସେ ଗାଁରେ ଏକ ଓଲ୍ଡିଂ ଦୋକାନ ଖୋଲିଛନ୍ତି । ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ରାଜନଗରର ପ୍ରଶାନ୍ତ ପ୍ରଧାନ । ଲକଡାଉନ୍‌ ବେଳେ କେରଳରେ ୭୦ ଦିନ ଧରି ଫସିଥିବା ବେଳେ ସୋନୁଙ୍କ ସହାୟତା ପରେ ସେ ନିଜ ଗାଁକୁ ଫେରିପାରିଥିଲେ । ତେଣୁ ସୋନୁଙ୍କୁ ଭଗବାନ ବୋଲି ପ୍ରଶାନ୍ତ ମାନିବା ସହ ତାଙ୍କ ନାଁରେ ଏକ ଦୋକାନ ଖୋଲିଥିଲେ । ଏହାପରେ ସେ ସୋନୁଙ୍କ ପାଖକୁ ଏନେଇ ଏକ ପ୍ରଶଂସା ପତ୍ର ମଧ୍ୟ ଲେଖିଥିଲେ । ତେବେ ସୋନୁ ଏହା ଜାଣିବା ପରେ ନିଜ ଟୁଇଟ୍‌ ଆକାଉଣ୍ଟରେ ମଧ୍ୟ ଏହି ଘଟଣାକୁ ସେୟାର କରିଥିଲେ । ସୋନୁ ଓଡ଼ିଶା ଆସିଲେ ତାଙ୍କ ଦୋକାନକୁ ଆସିବା ପାଇଁ ପ୍ରଶାନ୍ତ ନିବେଦନ କରିଛନ୍ତି ।

ଲକ୍‌ଡାଉନ୍‌ ସମୟରେ ଅନେକ ଯୁବକ ଯୁବତୀ କେରଳରେ ଫସିଥିଲେ । ସରକାର ଓ ପ୍ରଶାସନ ନିକଟରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ । ହେଲେ କେହି ଶୁଣିନଥିଲେ । ଏହି ସମୟରେ ଯୁବକ ଯୁବତି ମାନେ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କୁ ମେ ୨୩ ତାରିଖରେ ଫୋନ୍‌ ଯୋଗେ ନିଜର ଦୁଃଖ ଜଣାଇଥିଲେ ।ତେବେ ଏହାର ଏକ ଘଣ୍ଟା ପରେ ସୋନୁ ନିଜ ତରଫରୁ ଫୋନ କରି ପ୍ରସାନ୍ତଙ୍କୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ମେ ୨୯ ତାରିଖରେ ପ୍ରସାନ୍ତଙ୍କ ସମେତ ଆଉ ୧୭୭ ଜଣ ଓଡିଆ ଯୁବକଙ୍କୁ ନିଜ ଖର୍ଚରେ କୋଚି ବିମାନବନ୍ଦରରୁ ଏକ ବିମାନ ଯୋଗେ ନିଜ ଅଂଚଳକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ ।

ପ୍ରଶାନ୍ତଙ୍କ ଦୋକାନ ହେଉଛି ‘ସୋନୁ ସୁଦ୍‌ ୱେଲ୍ଡିଂ ୱାର୍କସପ୍‌’ । ସୋନୁଙ୍କ ଫଟୋ ଥିବା ହୋର୍ଡିଂ ମାରି ବ୍ୟବସାୟ ଆରମ୍ଭ କରିଛନ୍ତି । ପ୍ରଶାନ୍ତ କୁହନ୍ତି, ସେ ଗତ ଜାନୁଆରିରେ ହାତିନା ଛକରେ ଏକ ୱେଲ୍ଡିଂ ୱାର୍କସପ୍ ଆରମ୍ଭ କରିଥିଲେ । ମାତ୍ର ଭଲ ନ ଚାଲିବାରୁ ଅଧିକ ରୋଜଗାର ପାଇଁ ସେ କେରଳ ଚାଲି ଯାଇଥିଲେ । ଆଉ ସେଠାରୁ ଫେରିବା ପରେ ଏହି ଦୋକାନ ଖୋଲିଛି । ଦୋକାନ ଖୋଲିବା ପୂର୍ବରୁ ସୋନୁଙ୍କ ସହ କଥା ହୋଇ ଅନୁମତି ମଧ୍ୟ ନେଇଛି ବୋଲି କହିଛନ୍ତି ପ୍ରଶାନ୍ତ ।

ସୋନୁ ମଧ୍ୟ ଟ୍ୱିଟ୍ ଯୋଗେ ପ୍ରଶାନ୍ତଙ୍କୁ ବ୍ୟବସାୟ ପାଇଁ ଶୁଭେଛା ଜଣାଇଛନ୍ତି । ସୋନୁ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ଯେବେବି କେବେ ଓଡ଼ିଶା ଯାଏ ନିଶ୍ଚୟ ଏହି ଭାଇଙ୍କ ଦୋକାନକୁ ଯିବି ଓ ସେଠାରେ ୱେଲ୍ଡିଂ କାମ ଟ୍ରାଏ କରିବି । କେବଳ ଏତିକି ନୁହେଁ ସୋନୁ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ମୁଁ ଯେତେ ବ୍ରାଣ୍ଡ୍ ପମୋସନ କରିଛି ସେସବୁ ଭିତରେ ସବୁଠାରୁ ବଡ ବ୍ରାଣ୍ଡ୍ । ଭଗବାନ କରନ୍ତୁ ମୋ ଭାଇ ତୁମେ ସବୁଠୁ ବଡ ଶିଳ୍ପପତି ହୁଅ ।

Sonu Sood

କେରଳରୁ ଗାଁକୁ ଫେରିବା ପରେ ସୋନୁ ତାଙ୍କ ସହିତ ବହୁବାର କଥା ହୋଇ ଭଲମନ୍ଦ ପଚାରି ବୁଝିଛନ୍ତି । ସୋନୁ କେତେବଡ଼ ଅଭିନେତା, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ମାତ୍ର ସେ ଯେଉଁ ମହାନତା ଦେଖାଇଛନ୍ତି ତାହା ବଡ଼ ବଡ଼ ଅଭିନେତାଙ୍କୁ ବଳିଯାଇଛି । ତାଙ୍କର ମହାନତାକୁ ସମ୍ମାନ ଜଣାଇବା ପାଇଁ ପ୍ରଶାନ୍ତଙ୍କ ଉଦ୍ୟମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଓ କଟକ ଡିସିପି ଭାବେ ପ୍ରତୀକ ସିଂହ ନେଲେ ଦାୟିତ୍ୱ

ଭୁବନେଶ୍ୱର:  ଆଜି ଟ୍ୱିନସିଟିରେ କଟକ-ଭୁବନେଶ୍ୱର ଦାୟିତ୍ୱ ଗ୍ରହଣ କଲେ ଦୁଇ ନୂଆ ଡିସିପି । ଭୁବନେଶ୍ୱର ପୋଲିସ ସେବା ଭବନ ମୁଖ୍ୟାଳୟରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଓ କଟକ ଡିସିପି ଭାବରେ ପ୍ରତୀକ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାହ୍ନରେ କଟକ ଡିସିପି ଅଖିଳେଶ୍ୱର ସିଂହ ଓ ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ଦୁଇ ନୂଆ ଡିସିପିଙ୍କୁ ସ୍ୱାଗତ କରିବା ସହ ଦାୟିତ୍ୱ ଭାର ନ୍ୟସ୍ତ କରିଛନ୍ତି । ଉମାଶଙ୍କର ଦାସ ହେଉଛନ୍ତି ୨୦୦୮ ବ୍ୟାଚର ଆଇପିଏସ ଅଫିସର । ଉମାଶଙ୍କର ପୂର୍ବରୁ ରାଉରକେଲା, ପୁରୀରେ ଏସପି ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଛନ୍ତି।

କୋଭିଡ୍ କଟକଣାରେ ରଥଯାତ୍ରାରେ ସୁପରିଚାଳନା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ,ଓ ଅପରାଧୀ ଦମନରେ ବେଶ ସଫଳତା ହାସଲ କରିଛନ୍ତି ଉମାଶଙ୍କର । ସେହିଭଳି ପ୍ରତୀକ ସିଂହ ହେଉଛନ୍ତି ୨୦୧୪ ବ୍ୟାଚର ଆଇପିଏସ ଅଫିସର । ପ୍ରତୀକ କନ୍ଧମାଳରେ ଏସପି ଥିବା ବେଳେ ମାଓ ଦମନରେ ସଫଳତା ହାସଲ କରିଛନ୍ତି। ଏସପି କାର୍ଯ୍ୟକାଳରେ ମାଓ ଅପରସେନରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିହତ କରାଯାଇଛି । ଉଭୟ ଡିସିପି ଭାବରେ ଦାୟିତ୍ୱ ନେବା ପରେ ସହର ସମ୍ଭାଳିବା ଚ୍ୟାଲେଞ୍ଜ ହେବ। ସେହିଭଳି ଉଭୟ ଦୁଇ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହ ଓ ଅନୁପ ସାହୁଙ୍କ ବିଦାୟ ସମ୍ବର୍ଦ୍ଧନା ପୋଲିସ କମିଶନର ଦେବେ ।

(ନନ୍ଦିଘୋଷ ବ୍ୟୁରୋ)

କେବଳ ଗୋଟିଏ ଟ୍ରକ ପାଇଁ ତିଆରି ହେଲା ରାସ୍ତା : ସୁରକ୍ଷା ଦେଲା ପୋଲିସ୍ , ଜାଣନ୍ତୁ କଣ ଥିଲା ଟ୍ରକରେ…

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ କେରଳର ତିରୁଭଅନନ୍ତପୁରମକୁ ଯଦି ଆମେ କାରରେ  ୧୭୦୦କିଲୋମିଟରର ରାସ୍ତା ଅତିକ୍ରମ କରିବାକୁ ୩୪ଘଣ୍ଟା ସମୟ ଲାଗିବ । କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଏକ ଟ୍ରକର ଫଟୋ ଭାଇରାଲ ହେଉଛି ଯିଏ କି ଏହି ଦୂରତା ଅତିକ୍ରମ କରିବାକୁ ବର୍ଷକର ସମୟ ନେଇଛି । ଏହି ଟ୍ରକର ଖାସ୍ କଥା ହେଉଛି, ଏଥିରେ ୩୮ଚକା ଲାଗିଛି ଏବଂ ଏହା ଉପରେ ୭୮ଟନର ଏକ ମେସିନ ଲୋଡ୍ କରାଯାଇଛି । ଏହି ଟ୍ରକ ତିରୁଭଅନନ୍ତପୁରମର ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ପହଞ୍ଚିଛି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ  ୭୪ ଚକା ବିଶିଷ୍ଟ ଏହି ଟ୍ରକ ମହାରାଷ୍ଟ୍ରରୁ ଜୁଲାଇ ୯ ୨୦୧୯ରୁ ଚାଲିଥିଲା । ଏହି ଟ୍ରକରେ ତିରୁଭଅନନ୍ତପୁରମର ବିକ୍ରମ ସାରାଭାଇ  ସ୍ପେସ କେନ୍ଦ୍ରରେ ଡେଲିଭରୀ ପାଇଁ ଗୋଟିଏ ଏୟାରସ୍ପେସ  ଅଟୋକ୍ଲେବ ଲୋଡ ହୋଇଛି । ଏହି ଟ୍ରକରେ ଥିବା ଜଣେ କର୍ମଚାରୀ କହିଛନ୍ତି ଯେ, ୨୦୧୯ଜୁଲାଇରେ ଆରମ୍ଭ ହୋଇଥିବା ୪ ରାଜ୍ୟ ଦେଇ ଆରମ୍ଭ ହୋଇଥିବା ଏହି ଯାତ୍ରା  ଆଜି କେରଳରେ ସରିଛି । ଏହି ଟ୍ରକର ସୁରକ୍ଷାକୁ ଧ୍ୟାନରେ ରଖି ସବୁବେଳେ ପୋଲିସର ଏକ ଗାଡ଼ି ଏହି ଟ୍ରକ ପାଖାପାଖି ରହିଥାଏ ।

କେବଳ ଏତିକି ନୁହେଁ ରାସ୍ତାରେ ଟ୍ରକକୁ ଯେମିତି କିଛି ବି ଅସୁବିଧା ନହୁଏ ସେନେଇ ରାସ୍ତାର ମରାମତି ମଧ୍ୟ କରାଯାଏ । କେବଳ ଏତିକି ନୁହେଁ ବହୁଥର ଟ୍ରକ ପାଇଁ ଜାଗା କମ୍ ପଡ଼ୁଥିବାରୁ ଗଛ ମଧ୍ୟ କଟାଯାଇଥିଲା । ଏବଂ କିଛି ସ୍ଥାନରେ ରାସ୍ତା ଦେବାକୁ ବିଦ୍ୟୁତ୍ ଖୁଣ୍ଟକୁ ମଧ୍ୟ ପଛକୁ ନେବାକୁ ପଡ଼ିଥାଏ ।

ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରର କିଛି ଅଧିକାରୀ କହିଛନ୍ତି ଯେ, ଟ୍ରକରେ ଯେଉଁ ମେସିନ ଲୋଡ ହୋଇଛି ତାହାକୁ ଅଲଗା ଅଲଗା  କରି ଅଣାଯାଇ ପାରିନଥାନ୍ତା । ଏଥିପାଇଁ ହିଁ ଏହାକୁ ଏକାସାଙ୍ଗରେ ଅଣାଯାଇଛି  ଏବଂ ସେ କହିଛନ୍ତି ଯେ ଏହି ଟ୍ରକଟି ଏବେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ପହଞ୍ଚି ଯାଇଛି ସେଥିପାଇଁ ସେ ବହୁତ ଖୁସି ।

ଭୁବନେଶ୍ୱରରେ କରୋନା ଟିକାର ମାନବ ପରୀକ୍ଷଣ,‌ ଜାଣନ୍ତୁ ପ୍ରଥମ ଦିନରେ କେତେ ଜଣ କଲେ ପଞ୍ଜିକରଣ…

ଭୁବନେଶ୍ୱର: ଭୁବନେଶ୍ୱରରେ ହ୍ୟୁମାନ ଟ୍ରାଏଲ ପାଇଁ ସ୍କ୍ରିନିଂ ସରିଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜଣଙ୍କର ସ୍କ୍ରିନିଂ କରାଯାଇଛି । କରୋନା ଭ୍ୟାକ୍ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ ପାଇଁ ଦେଶରେ ମୋଟ ୧୨ଟି ଲ୍ୟାବ୍‌ ରହିଛି । ସେଥିମଧ୍ୟରୁ ଭୁବନେଶ୍ୱର ସମ୍‌ ହସ୍ପିଟାଲ ଅନ୍ୟତମ । ହ୍ୟୁମାନ ଟ୍ରାଏଲର ସାମ୍ନା କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ଅନେକ ଲୋକ ଆବେଦନ କରିଛନ୍ତି । ଏନେଇ ସମ୍‌ ହସ୍ପିଟାଲରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସପ୍ତାହକ ମଧ୍ୟରେ ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

 SUM INAUGURATION

କରୋନା ସଙ୍କଟ ମଧ୍ୟରେ ଭାରତର ସ୍ୱଦେଶୀ କୋଭିଡ୍ ଟିକା ‘କୋଭିକ୍ସିନ୍ ’ ଟ୍ରାଏଲ ବିଷୟରେ ଖବର ଆସିଥିଲା । ଏବେ କରୋନା ସଙ୍କଟରେ ଆଶା ବଢାଉଛି କୋଭାକ୍ସିନ୍ । ଟିକାର ହ୍ୟୁମାନ ଟ୍ରାଏଲ ପାଇଁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ଲ୍ୟାବ୍ ଉଦଘାଟନ ହୋଇସାରିଛି ।

SUM INAUGURATION

ସମ ହସ୍ପିଟାଲ୍‌ ଅଡିଟୋରିୟମରେ ଏହି ଲ୍ୟାବ୍‌ର ଉଦଘାଟନ କରାଯାଇଛି । ସେପଟେ ଦିଲ୍ଲୀ ଏମ୍ସରେ ମଧ୍ୟ ଆରମ୍ଭ ହେଉଛି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ । ଶନିବାର ଦିଲ୍ଲୀ ଏମ୍ସର ଏଥିକ୍ସ କମିଟି ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ପାଇଁ ମଂଜୁରୀ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରାଯିବ ।

୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ପରୀକ୍ଷା କରାଯିବ । ଟିକା ଦେବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ହାଇଦ୍ରାବାଦର ଭାରତ ବାୟୋଟେକ୍‌ ଆଇସିଏମ୍‌ଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସହଯୋଗରେ ଟିକାକୁ ବିକଶିତ କରିଯାଇଛି ।

ପୃଥିବୀ ମୁହାଁ ଆଉ ଏକ ଉଲକାପିଣ୍ଡ, ଏଥର କିନ୍ତୁ ବିପଦ ଅଛି !

ନୂଆଦିଲ୍ଲୀ: ଜୁଲାଇ ୨୪ରେ ଏକ ଉଲକାପିଣ୍ଡ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ।  ଶୁକ୍ରବାର ଦିନ ଏହା ପୃଥିବୀ ପାଖାପାଖି ହେବ । ଏନେଇ ଆମେରିକାର ସ୍ପେସ ଏଜେନ୍ସି  ନାସା ସୂଚନା ଦେଇଛନ୍ତି ଯେ, ସମ୍ଭବତଃ ଏହି ଉଲକାପିଣ୍ଡ ପୃଥିବୀ ପାଇଁ ବଡ଼ ବିପଦ ହୋଇପାରେ  ଏବଂ ଏହା ଆକାରରେ ମଧ୍ୟ ଖୁବ୍ ବଡ଼ ହେବା ସହ ଏହାର ବେଗ ମଧ୍ୟ ଅଧିକ ରହିଛି । କେବଳ ସେତି କି ନୁହେଁ ଏହା ବ୍ରିଟେନର ପ୍ରସିଦ୍ଧ ଲ୍ୟାଣ୍ଡମାର୍କ – ଲଣ୍ଡନ ଆଇ’ର ଆକାରରୁ ମଧ୍ୟ ଦେଢ ଗୁଣା ବଡ଼ । ଏମିତି ବି ହୋଇପାରେ ଯେ ଏହା ଲଣ୍ଡନ ଆଇ’ରୁ ପାଖାପାଖି ୫୦ପ୍ରତିଶତ ବଡ଼ ।

ଲଣ୍ଡନ ଆଇ ୪୪୩ମିଟର ଉଚ୍ଚା ଏକ ଚକ ଅଟେ । ତେବେ ଆଷ୍ଟ୍ରୋଏଡ଼ଟି ଏହାଠାରୁ ମଧ୍ୟ ବଡ଼ ହୋଇପାରେ । NASA ଚେତାବନି ଦେଇଛି ଯେ, ଯେଉଁ ପ୍ରକାର ଏହି ବିଶାଳ ଆଷ୍ଟ୍ରୋଏଡ଼ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ତାହାକୁ ଅଣଦେଖା କରିବା ମଧ୍ୟ ସମ୍ଭବ ନୁହେଁ । ଏହି ଆଷ୍ଟ୍ରୋଏଡ଼କୁ ବର୍ତ୍ତମାନ ବିପଦପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇଛି । କୁହାଯାଉଛି ଯେ, ଏହା ପୃଥିବୀ ଉପରେ ବିପଦପୂର୍ଣ୍ଣ ପ୍ରଭାବ ପକାଇପାରେ ।  ତେବେ ସ୍ପେସ ଏଜେନ୍ସି ଏହାର ନାଁ ଆଷ୍ଟ୍ରୋଏଡ଼ 2020ND ରଖିଛନ୍ତି ।

ସମ୍ଭାବ୍ୟ ବିପଜ୍ଜନକ ଆଷ୍ଟ୍ରୋଏଡ଼ (PHAs) ହେଉଛି ଏକ ମାପ ଅଟେ । ଏଥିରେ ସ୍ପେସ୍ ବୈଜ୍ଞାନିକମାନେ ଏପରି ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତି ଯାହା ପୃଥିବୀକୁ ଆସୁଥିବା ବିପଦ ଭାବେ ମାପଯାଇଥାଏ । ତେଣୁ ୦.୦୫ au କିମ୍ବା ତା’ଠାରୁ କମ୍ (MOID) ଦୂରତା ଥିବା ସମସ୍ତ ଆଷ୍ଟ୍ରୋଏଡ଼ PHAs ଅର୍ଥାତ୍ ସମ୍ଭାବ୍ୟ ରୂପରେ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ନାସା ଅନୁଯାୟୀ, ଆଷ୍ଟ୍ରୋଏଡ଼ 2020 ND ପ୍ରାୟ ୧୭୦ ମିଟର ଲମ୍ବ  । ଏହି ଉଲକାପିଣ୍ଡ ବା କ୍ଷୁଦ୍ରଗ୍ରହ ଘଣ୍ଟା ପ୍ରତି ୪୮,୦୦୦ କିଲୋମିଟର ବେଗରେ ଗତି କରୁଛି । ପୃଥିବୀଠାରୁ ଦୂରରେ ଥିବା ଏହି ଗ୍ରହ ଗ୍ରହକୁ “ସମ୍ଭାବ୍ୟ ବିପଜ୍ଜନକ”ବୋଲି ବିବେଚନା କରାଯାଉଛି ।

ଆଷ୍ଟ୍ରୋଏଡ କଣ

ଉଲକାପିଣ୍ଡ ବା କ୍ଷୁଦ୍ର ଗ୍ରହ ଗହଙ୍କର ଭଗ୍ନାବଶେଷ ହୋଇଥାଏ । ଏହି ଭଗ୍ନାବଶେଷ ଗ୍ରହଙ୍କ ଜନ୍ମକାଳରୁ ରହିଥାନ୍ତି ।  କ୍ଷୁଦ୍ର ଗ୍ରହ ମୂଳ ରୂପରେ ଗ୍ରହର ଏକଭଗ୍ନଂଶ । ଏହି ଚାରି ଗ୍ରହ ପୃଥିବୀ , ବୁଧ, ଶୁକ୍ର ଏବଂ ମଙ୍ଗଳ ସାମିଲ ରହିଛନ୍ତି । ଯେତେବେଳେ ପୂରା ମଣ୍ଡଳରେ ୪ଟିଜାକ ଗ୍ରହ ସୃଷ୍ଟି ହୋଇଥିଲେ, ଯେତେବେଳେ ସେହି ଗ୍ରହମାନଙ୍କର କିଛି ଅଂଶ ବଞ୍ଚିଯାଇଥିଲା ସେଗୁଡ଼ିକ ଗୁରୁତ୍ୱାକର୍ଷଣର ଜବରଦସ୍ତ ଆକର୍ଷଣ କାରଣରୁ ଆକର୍ଷିତ ହୋଇ ପାଖକୁ ଆସିଥାଏ, ସେଗୁଡ଼ିକୁ ହିଁ ଆଷ୍ଟ୍ରୋଏଡ କୁହାଯାଇଥାଏ ।

କେବେ ଖୋଲିବ ସ୍କୁଲ୍‌ ? ଅଗଷ୍ଟ ନା ସେପ୍ଟେମ୍ବର ନା ଅକ୍ଟୋବର…!

ନୂଆଦିଲ୍ଲୀ: ସାରା ଦେଶରେ ଗତ ଚାରିମାସ ଧରି ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଦେଶର ଶିକ୍ଷା ବ୍ୟବସ୍ଥାରେ କରୋନା ଭୂତାଣୁର ଗଭୀର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ନଖୋଲିବା ପାଇଁ ବିଭିନ୍ନ ସ୍ଥାନରେ ପିତାମାତାମାନେ ଦାବି କରିଛନ୍ତି । ଅନ୍ୟପଟେ ସାମାଜିକ ଦୂରତାର ସମସ୍ତ ମାନଦଣ୍ଡ ଅନୁସରଣ କରି ବିଦ୍ୟାଳୟଗୁଡିକ ପୁନଃ ଖୋଲିବା ଯୋଜନା ଉପରେ ରାଜ୍ୟ ସରକାରମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି ମଧ୍ୟରେ ବିଦ୍ୟାଳୟର ପୁନଃ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ।

୨୦ ଜୁଲାଇ ସୁଦ୍ଧା ଉତ୍ତର ଦିଅ

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅଭିଭାବକମାନଙ୍କଠାରୁ ମତାମତ ଗ୍ରହଣ କରିବାକୁ କୁହାଯାଇଛି । ସେମାନେ ସ୍କୁଲ ଖୋଲିବା ନେଇ କ’ଣ ମତଦେଉଛନ୍ତି ତାହା ଜାଣିବା ଜରୁରୀ ବୋଲି କୁହାଯାଇଛି । ଏମିତିକି ଅଭିଭାବକମାନେ ସ୍କୁଲ ଖୋଲାଯିବା ପରେ ସୁରକ୍ଷା ଦୃଷ୍ଟିରୁ କ’ଣ ଆଶା ରଖିଛନ୍ତି ବୋଲି ପଚାରି ବୁଝିବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ସଚିବମାନଙ୍କୁ ଜୁଲାଇ ୨୦ ସୁଦ୍ଧା ଏନେଇ ଜବାବ ଦେବାକୁ କୁହାଯାଇଥିଲା । ଅଭିଭାବକମାନଙ୍କ ମତାମତ ନିଆଯିବା ପରେ ହିଁ, ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ଅଭିଭାବକମାନଙ୍କୁ ପ୍ରଶ୍ନ କରାଯାଇଛି ଯେ:-

୧.ସ୍କୁଲ କେବେଠାରୁ ଖୋଲାଯିବା ଆବଶ୍ୟକ ? ଅଗଷ୍ଟ, ସେପ୍ଟେମ୍ବର ନା ଅକ୍ଟୋବର, କେବେ ସ୍କୁଲ ଖୋଲୁ ବୋଲି ଅଭିଭାବକମାନେ ଚାହୁଁଛନ୍ତି ?

୨.ସ୍କୁଲ ଖୋଲିବା ପରେ ଅଭିଭାବକମାନେ କ’ଣ ଆଶା ରଖୁଛନ୍ତି ?

୩.ସ୍କୁଲ ଖୋଲିବା ନେଇ ଅନ୍ୟ କିଛି ମତାମତ କିମ୍ବା ପରାମର୍ଶ ଦେବାକୁ ଚାହୁଥିଲେ ମଧ୍ୟ ଅଭିଭାବକମାନେ ଦେଇପାରିବେ ।

ଏସସିବି ମେଡିକାଲ ସମେତ ୩୫ କୋଭିଡ୍ ହସ୍ପିଟାଲ ଓ ୨୨ଟି ଟେଷ୍ଟିଂ ସେଣ୍ଟର ହେଲା ସାନିଟାଇଜ

ଭୁବନେଶ୍ୱର: ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ୍ ଜାରି ରହିଛି । ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ରୋକିବା ପାଇଁ ଏହି ୧୪ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ୪ ଜିଲ୍ଲା ସହ ରାଉରକେଲା ସହରକୁ ଲକଡାଉନ୍ କରାଯାଇଛି । କଟକ ଜିଲ୍ଲା ଓ ମହାନଗର ନିଗମ ଅଂଚଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ଏହି ସମୟରେ ଏସସିବି ମେଡିକାଲ ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯାଉଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁଇଟି ଗାଡିରେ ବିଭିନ୍ନ ବିଭାଗ, ମେଡିକାଲ କଲେଜ ଓ ହଷ୍ଟେଲକୁ ସାନିଟାଇଜ କରିଛନ୍ତି । ଏଥି ସହିତ ଅଶ୍ୱିନୀ ହସ୍ପିଟାଲ ପରିସରକୁ ମଧ୍ୟ ସାନିଟାଇଜ କରାଯାଇଛି ।

ଏହା ସହିତ କୋଭିଡ୍ ହସ୍ପିଟାଲ ଓ ଟେଷ୍ଟିଂ ସେଣ୍ଟର ମଧ୍ୟ ସାନିଟାଇଜ କରାଯାଇଛି । ରାଜ୍ୟରେ ୩୫ କୋଭିଡ ହସପିଟାଲ, ୨୨ଟି ଟେଷ୍ଟିଂ ସେଣ୍ଟର, ୧୬ଟି କୋଭିଡ କେୟାର ସେଣ୍ଟରକୁ ସାନିଟାଇଜ କରିଛି ଫାୟାର ଟିମ୍ । ଅଗ୍ନିଶମ ଡିଜିଙ୍କ ତତ୍ୱାବଧାନରେ ସାନିଟାଇଜ କରିଛି ଫାୟାର ଟିମ। ଭୁବନେଶ୍ୱରର ଏମ୍ସ, କିମ୍ସ, ଆରଏମଆରସି ସମେତ ୧୨ଟି ହସପିଟାଲ ଓ ଟେଷ୍ଟିଂ ସେଣ୍ଟର ସାନିଟାଇଜ କରିଛି ଫାୟାର ଟିମ। ଆଗାମୀ ଦିନରେ ଏହି ସ୍ଥାନ ଗୁଡିକରେ ପ୍ରତିଦିନ ସାନିଟାଇଜ କରିବାକୁ ଲକ୍ଷ ରଖାଯାଇଛି ବୋଲି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ କରି ସୂଚନା ଦେଇଛନ୍ତି।

 

(ନନ୍ଦିଘୋଷ ବ୍ୟୁରୋ)

ରାଜ୍ୟରେ ପୁଣି ୬ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଖାଲି ଆମ ରାଜ୍ୟ ନୁହେଁ ସାରା ଦେଶରେ ମଧ୍ୟ କରୋନା କାୟା ବିସ୍ତାର କରି ରଖିଛି ।

ସୋମବାର ସକାଳେ ରାଜ୍ୟରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଗଜପତିରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହି ୫ ଜଣଙ୍କ ମୃତ୍ୟୁ ମିଶାଇ ଗଞ୍ଜାମରେ ଏବେ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଲାଣି । ଅନ୍ୟପଟେ ସାରା ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଲାଣି ।

ଗଞ୍ଜମର ଏହି ୫ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ପୁରୁଷ ଅଛନ୍ତି, ଯିଏ କି ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ଆଉ ଜଣେ ୪୦ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ପୁରୁଷ, ୪୨ ବର୍ଷୀୟ ପୁରୁଷ, ୫୪ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।

ସେହିଭଳି ଗଜପତିର ଜଣେ ୫୫ ବର୍ଷୀୟ ମହିଳାଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।