spot_img
Home Blog Page 6965

ଘରୋଇ ହସ୍ପିଟାଲଙ୍କ ମୁଖ୍ୟ ଶାସନ ସଚିବଙ୍କ ଚେତାବନୀ,ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଫେରାଇବା ଅନୈତିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ କିଛି ଜିଲ୍ଲା ହଟସ୍ପଟରେ ପରିଣତ ହୋଇଛନ୍ତି । ଏହି ଜିଲ୍ଲାଗୁଡିକରୁ ଅନ୍ୟ ଜିଲ୍ଲାକୁ ବିଶେଷକରି ଭୁବନେଶ୍ୱର ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଫେରାଇ ଦେଉଛନ୍ତି । ନିକଟରେ ବ୍ରହ୍ମପୁରରୁ ଆସିଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲ ଆଡମିଟ୍ କରିବାକୁ ମନା କରିଦେଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏବେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି ଏନେଇ ଘରୋଇ ହସ୍ପିଟାଲ ଗୁଡିଙ୍କୁ ଚେତାବନୀ ଦେଇଛନ୍ତି ।

ମୁଖ୍ୟ ଶାସନ ସଚୀବ ଆଜି ଘରୋଇ ହସ୍ପିଟାଲଙ୍କୁ ଏଭଳି ନକରିବା ପାଇଁ ପରାମର୍ଶ ଦେଇ କହିଛନ୍ତି ଯେ, ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଫେରାଇ ଦେବା ଅନୈତିକ ଓ ବେଆଇନ । ସେ କହିଛନ୍ତି ଯେ, କିଛି ଘରୋଇ ହସ୍ପିଟାଲ ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡମିଟ୍ କରିବା ପାଇଁ ଅମଙ୍ଗ ହେଉଥିବାର ନଜିର ସାମ୍ନାକୁ ଆସୁଛି । ଯାହା ଅନୈତିକ ଓ ବେଆଇନ । ଏଭଳି କରୁଥିବା ହସ୍ପିଟାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟ ଏବେ ୧୬୭୦୧ । ଏମାନଙ୍କ ମଧ୍ୟରୁ ୧୧୩୩୦ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ କେସ ୫୨୫୯ ରହିଛି । ସର୍ବାଧିକ ସଂକ୍ରମଣ ମାମଲା ଗଂଜାମରୁ ଆସୁଛି । ଏଭଳି ମାନବୀୟ ସଂକଟ ମଧ୍ୟରେ ଗଂଜାମ ଭଳି ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଭୟରେ ହେଉ କି ଅନ୍ୟ କାରଣରୁ ହେଉ କିଛି ଘରୋଇ ହସ୍ପିଟାଲ ଆଡମିଟ୍ କରିବାକୁ ମନା କରୁଛନ୍ତି ।

ଜଳେଶ୍ୱରରେ ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ନିର୍ମମ ହତ୍ୟା… ରାଜ୍ୟ ଓ ରାଜ୍ୟ ବାହାରେ ଥିଲା ଅନେକ ମାମଲା

ଜଳେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜଗାକୁ ବାଲେଶ୍ଵର ଜିଲ୍ଲା କମର୍ଦା ଥାନା କୁରୁଣ୍ଠିଆ ଗାଁରେ ଟ୍ରକ ଚଢାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସବୁଦିନ ଭଳି ଗତକାଲି ବିଳମ୍ବିତ ରାତିରେ ଜଗା ଗାଡ଼ିରୁ ଚାନ୍ଦା ଆଦାୟ କରୁଥିବା ବେଳେ ଗାଡି ଚାଳକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାପରେ ଜଗାକୁ ଟ୍ରକ୍ ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କିଏ ହତ୍ୟା କରିଛି ସେନେଇ କମର୍ଦା ପୋଲିସ ତଦନ୍ତ କରୁଛି ।

ରିପୋର୍ଟ ଅନୁସାରେ ଜଗା ନାଁରେ ରାଜ୍ୟ ତଥା ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଗୋଆ ଭଳି ରାଜ୍ୟର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଛିନ୍‌ତାଇ ,ଲୁଟ୍‌ ,ଚୋରା ବନ୍ଧୁକ କାରବାର ଭଳି ଅନେକ ମାମଲା ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗା ଅନେକ ଦିନରୁ ନିଜ ଆତଙ୍କ ଖେଳାଇଥିଲା । ତାଙ୍କ ଭୟାନକ କାଣ୍ଡ ଯୋଗୁଁ ଲୋକେ ତାକୁ ଦେଖିଲେ ଭୟ କରୁଥିଲେ ।  ବିଭିନ୍ନ ସ୍ଥାନରେ ଡକାୟତି, ବନ୍ଧୁକ କାରବାର, ଚୋରୀ ନେଇ ଜଗାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅନେକ ଥାନାରେ ଅପରାଧୀଙ୍କ ବିରୋଧରେ କେସ୍ ଫାଇଲ କରାଯାଇଥିଲା ।

 

ଗତ ବର୍ଷ ଜଣେ ଔଷଧ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଜଗା । ଏହା ବ୍ୟତୀତ ଅନେକ ସ୍ଥାନରେ ସେ ସୁନା ଲୁଟ୍ ମଧ୍ୟ କରିଥିଲେ । ଗଣ୍ଡଗୋଳ ସୃଷ୍ଟି କରିବା ଓ ଧମକାଇବା ତାଙ୍କ ନିତିଦିନିଆ କାମ ଥିଲା । ଗତ କାଲି ବିଳମ୍ବିତ ରାତିରେ ମଧ୍ୟ ଜଗା ଗାଡ଼ିରୁ ଚାନ୍ଦା ଆଦାୟ କରୁଥିବା ବେଳେ ଗାଡି ଚାଳକଙ୍କ ସହ ଗଣ୍ଡଗୋଳ କରିଥିଲା । ଏଥିପାଇଁ ଜଗାର ମଥାକୁ ରଡ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଜଗାକୁ ନିଜ ଗାଁରେ ହିଁ ହତ୍ୟା କରାଯାଇଛି । ଜଗାର ଶବ ବ୍ୟବଚ୍ଛେଦ ପରେ ଘଟଣା ବିଷୟରେ ଜଣାପଡିବ । ପୋଲିସ ଏବେ ଘଟଣା ନେଇ ତଦନ୍ତ ଜାରି ରଖିଛି ।

(ସମ୍ଭୁନାଥ ଦାସ)

ଜାମ୍ମୁ କାଶ୍ମୀରରେ ୨୪ ଘଣ୍ଟାରେ ଦ୍ୱିତୀୟ ଏନକାଉଣ୍ଟର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ସୋପିଆନ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ । ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆମିସପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ପୋଲିସ, ସେନା ଓ ସିଆରପିଏଫ୍ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।

ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଜବାବି ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର ହୋଇଛି । ଗତକାଲି କୁଲଗାମରେ ଜୈସ ଏ ମହମ୍ମଦର ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ଏହାପୂର୍ବରୁ ଗୁରୁବାର ଦିନ କୁପବାଡ଼ାରେ ସେନା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶର ଉଦ୍ୟମକୁ ବିଫଳ କରିଥିଲା । ଏହି ସମୟରେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ।

ଆପଣଙ୍କୁ କହିରଖୁଛୁ ଯେ, କାଶ୍ମୀର ଘାଟିରେ ଆତଙ୍କକୁ ସମ୍ପୂର୍ଣ୍ଣ ଦୂର କରିବାକୁ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ଅପରେସନ୍ ଚଳାଉଛନ୍ତି। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିହତ କରୁଛି । ସୁରକ୍ଷା ବାହିନୀ ମଧ୍ୟ କାଶ୍ମୀର ଘାଟିରେ ଆତଙ୍କବାଦୀ ସଂଗଠନର କମାଣ୍ଡୋମାନଙ୍କୁ ଠାବ କରିବାରେ ଏବଂ ଆତଙ୍କବାଦୀଙ୍କୁ ମୂଳପୋଛ କରିବାରେ ସଫଳ ହେଉଛି । ତେବେ ଚଳିତ ବର୍ଷ କାଶ୍ମୀର ଉପତ୍ୟକାରେ ୧୩୬ ଆତଙ୍କବାଦୀ ନିହତ ହୋଇଛନ୍ତି।

ପ୍ରଥମ ରାଜ୍ୟ ଭାବେ ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କଲା କେରଳ

କେରଳ: କେରଳରେ ଆରମ୍ଭ ହେଲାଣି କରୋନାର ଗୋଷ୍ଠୀ ସଂକ୍ରମଣ । ପ୍ରଥମ ଥର ପାଇଁ କେରଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ରାଜ୍ୟ ସରକାର କହିଛନ୍ତି । କେରଳର ଥିରୁଅନନ୍ତପୁରମର ଦୁଇଟି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି । ପୁନ୍‌ଥୁରା ଓ ପୁଲୁଭିଆରେ ଗୋଷ୍ଠୀ ସଂକ୍ରମଣ ହୋଇଛି । ତେଣୁ ଅଧିକ ସତର୍କ ରହିବା ପାଇଁ ଲୋକଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ନିବେଦନ କରିଛନ୍ତି ।  ପୁନ୍‌ଥୁରାରେ ୫୦ ଜଣ ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ପୁଲୁଭିଆରେ ୫୭ ନମୁନା ମଧ୍ୟରୁ ୨୮ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଗତକାଲି ରାଜ୍ୟରେ ୭୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏ ମଧ୍ୟରେ ୫୩୨ ଲୋକାଲ୍ କେସ ରହିଥିଲା । ଏବେ କେରଳରେ ୨୮୫ଟି ହଟସ୍ପଟ୍ ଚିହ୍ନଟ ହୋଇଛି ।


ଦେଶରେ ଗତ ୨୪ଘଣ୍ଟାରେ ୩୪ହଜାର ୮୮୪ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ୬୭୧ ଜଣଙ୍କ ଜୀବନ ନେଇଛି ଏହି କିଲର ଭାଇରସ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୮ ହଜାର ପାର୍‌ କରିଛି । ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୨୬ହଜାର ଟପିଛି । ଦେଶରେ ଏବେ ୩ଲକ୍ଷ ୫୮ ହଜାର ୬୯୨ ଆକ୍ଟିଭ୍ କେସ ରହିଥିବା ବେଳେ ଚିକିତ୍ସା ପରେ ୬ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ବେଙ୍ଗାଳୁରୁ, ହାଇଦ୍ରାବାଦ ଓ ପୁନେ ପାଲଟିଛି ଦେଶର ନୂଆ କୋଭିଡ୍ ହଟ୍‌ସ୍ପଟ୍ । ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦରେ ଧୀରେଧୀରେ ସଂକ୍ରମଣ କମୁଥିବା ବେଳେ ୩ ସହରରେ ବଢୁଛି । ବେଙ୍ଗାଳୁରୁରେ ଗତ ୪ ସପ୍ତାହର ତଥ୍ୟ ଅନୁସାରେ ଦିନକୁ ପ୍ରାୟ ୧୨ ପ୍ରତିଶତ କରୋନା ମାମଲା ବଢୁଛି ।

(ନନ୍ଦିଘୋଷ ବ୍ୟୁରୋ)

ଦେଶରେ ଦିନକରେ ଚିହ୍ନଟ ହେଲେ ୩୫ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଣ୍ଟାରେ ୩୪ହଜାର ୮୮୪ଜଣଙ୍କ କରୋନା ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି  । ୬୭୧ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୮ ହଜାର ପାର୍‌ କରିଛି । ସେହିଭଳି ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୨୬ହଜାର ଟପିଛି ।

ଦେଶରେ ଏବେ ୩ଲକ୍ଷ ୫୮ ହଜାର ୬୯୨ ଆକ୍ଟିଭ୍ କେସ ରହିଥିବା ବେଳେ ଚିକିତ୍ସା ପରେ ୬ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ବେଙ୍ଗାଳୁରୁ, ହାଇଦ୍ରାବାଦ ଓ ପୁନେ ପାଲଟିଛି ଦେଶର ନୂଆ କୋଭିଡ୍ ହଟ୍‌ସ୍ପଟ୍ । ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦରେ ଧୀରେଧୀରେ ସଂକ୍ରମଣ କମୁଥିବା ବେଳେ ଅନ୍ୟ ୩ ସହରରେ ବଢୁଛି । ବେଙ୍ଗାଳୁରୁରେ ଗତ ୪ ସପ୍ତାହର ତଥ୍ୟ ଅନୁସାରେ ଦିନକୁ ପ୍ରାୟ ୧୨ ପ୍ରତିଶତ କରୋନା ମାମଲା ବଢିବାରେ ଲାଗିଛି। ଏହାସହ ଦୈନିକ ମୃତ୍ୟୁ ସଂଖ୍ୟା ୮ପ୍ରତିଶତରୁ ଅଧିକ ବଢୁଛି  ।

ଟପ୍ ୫ଟି ଆକ୍ଟିଭ୍ ମାମଲା ଥିବା ରାଜ୍ୟ

ସମୁଦାୟ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୩ଲକ୍ଷରୁ ଅଧିକ ସଂକ୍ରମିତ ଦେଶରେ ସକ୍ରିୟ ଅଛନ୍ତି । ଏବଂ ସବୁଠୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଚିହ୍ନୟ ହୋଇଛି । ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ କୋଭିଡ ହସ୍ପିଟାଲରେ ଚାଲିଛି । ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ ଏବଂ ତୃତୀୟ ସ୍ଥାନରେ କର୍ଣ୍ଣାଟକ । ଏହାସହ ଚତୁର୍ଥ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଥିବା ବେଳେ ୫ମ ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ । ଏହି ୫ଟି ରାଜ୍ୟରେ ସବୁଠୁ ଅଧିକ ସକ୍ରିୟ ମାମଲା ରହିଛି । ତେବେ ସକ୍ରିୟ ସଂକ୍ରମିତଙ୍କ ମାମଲା ବିଶ୍ୱରେ ୪ର୍ଥ ସ୍ଥାନରେ ରହିଛି ଭାରତ ।

ରାଜ୍ୟରେ ୨୫ ଜିଲ୍ଲାରୁ ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୧୮୨ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଣ୍ଟାରେ ୨୫ଜିଲ୍ଲାରୁ ଆଉ ୫୯୧କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୯୪ ସଂକ୍ରମିତ ଓ ଲୋକାଲ୍ କେସ୍ ୧୯୭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୬୭୦୧କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨, ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୬କୁ ବୃଦ୍ଧି ହୋଇଛି ।

କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଖୋର୍ଦ୍ଧାରୁ ୧୨୧ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୩୮, ବରଗଡ଼ରୁ ୩୫, ଜଗତସିଂହପୁରରୁ ୨୨, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୨୨ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୨୦, ଯାଜପୁରରୁ ୧୯, ସୁନ୍ଦରଗଡ଼ରୁ ୧୮, ବାଲେଶ୍ୱରରୁ ୧୩, ନୟାଗଡ଼ରୁ ୧୧, ବଲାଙ୍ଗିର, ଢେଙ୍କାନାଳରୁ ୯ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୮ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଓ ପୁରୀରୁ ୬, ବୌଦ୍ଧ ଓ ଝାରସୁଗୁଡ଼ାରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୪, ଭଦ୍ରକ, ଦେଓଗଡ଼ରୁ ୩ଜଣ ଲେଖାଏଁ , ଅନୁଗୁଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ୫୨୫୯ ଆକ୍ଟିଭ କେସ୍ ରହିଛି । ଅନ୍ୟପକ୍ଷରେ ଆରୋଗ୍ୟ ସଂଖ୍ୟା ୧୧୩୩୦ ରହିଥିବାବେଳେ ମୋଟ୍ ପଜିଟିଭ୍ ସଂଖ୍ୟା ୧୬୭୦୧ରହିଛି।

୧୪ ଦିନିଆ ଲକଡାଉନରେ ବିକ୍ରି ହେବ ମଦ

ଭୁବନେଶ୍ୱର: ସାପ୍ତାହିକ ସଟଡାଉନ୍ ପରେ ଏବେ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଜାରି ରହିଛି । ଗତ କାଲି ରାତି ୯ଟାରୁ ଏହି ନିୟମ ଲାଗୁ ହୋଇଛି । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୪ ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳରେ ଲକଡାଉନ୍ କଟକଣା ଜାରି କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଲକଡାଉନ୍ ଘୋଷଣା କରାଯାଇଛି । ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ।

ହେଲେ ଏହି ୧୪ ଦିନିଆ ଲକଡାଉନ୍ ରେ ଅନଲାଇନ୍ ରେ ମଦ ବିକ୍ରି ହେବ । ମଦର ହୋମ୍ ଡେଲିଭରି ପାଇଁ ଓଡିଶା ସରକାର ଅନୁମତି ଦେଇଛନ୍ତି । ତେବେ କରୋନା ସଙ୍କଟ ଓ ଲକଡାଉନ୍ ମଧ୍ୟରେ ମଦ ବିକ୍ରି ହେବ । ଲକଡାଉନ ବେଳେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଗ୍ରୋସରୀ, ଫଳ, ପରିବା ଓ ଆମିଷ ଦୋକାନ ଖୋଲାରହିବ । ଅନ୍ୟପଟେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଜୋମାଟୋ, ସ୍ୱିଗି ଭଳି ବିଭିନ୍ନ ଖାଦ୍ୟ ଯୋଗାଣକାରୀ ସଂସ୍ଥା କାର୍ଯ୍ୟ ଜାରି ରଖିବେ ।

ଭୀମସାରରେ ପୁଣି ୭ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ

ସମ୍ବଲପୁର: ଭୀମସାରରେ ପୁଣି କୋଭିଡ ଯୋଦ୍ଧାଙ୍କୁ କରୋନା । ନିକଟରେ ଭୀମସାର ଓପିଡି ବନ୍ଦ କରାଯାଇଥିଲା । ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବା ସହ ରୁଟିନ ସର୍ଜରୀ ମଧ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଥିଲା । କେବଳ ରେଫର ରୋଗୀଙ୍କୁ ଆଡମିସନ ଅନୁମତି ରହିଛି ।

ସବୁ ଷ୍ଟାଫ୍, ରୋଗୀ, ଆଟେଣ୍ଡାଣ୍ଟ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ହୋଇଛି । କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଅନୁମତି ଦିଆଯାଇଥିଲା । ହେଲେ ଏବେ ପୁଣି ଭୀମସାରରେ ୭ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୀମସାରରେ ମୋଟ୍ ୧୬ଜଣ କରୋନା ସଂକ୍ରମିତ ହେଲେଣି । ଭୀମସାରର କର୍କଟ ରୋଗ ବିଭାଗରରେ ଦୁଇ ଜଣ ରୋଗୀ କରୋନା ସଂକ୍ରମିତ ହେବା ପରେ ପରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଆଜି ସଂକ୍ରମିତ ହୋଇଥିବା ୭ ଜଣ ନର୍ସଙ୍କ ମଧ୍ୟରେ ପୁଣି କର୍କଟ ରୋଗ ବିଭାଗର ଦୁଇ ଜଣ ନର୍ସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ଭିତରେ କର୍କଟ ରୋଗ ବିଭାଗର କରୋନା ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ସେହିପରି ଭୀମସାରର କେନ୍ଦ୍ରୀୟ ଆଇସିୟୁର କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଅନେକ ନର୍ସ ,ଡାକ୍ତର କରୋନାରେ ରହିଥିବାବେଳେ ଏହାର ତାଲିକା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏନେଇ ଭୀମସାର କତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି  ।

ଥମୁନି ରାଜନୈତିକ ଝଡ଼: ବିଧାୟକଙ୍କ ନାଁରେ ରୁଜୁ ହେଲା FIR

ଜୟପୁର: ରାଜସ୍ଥାନର ରାଜନୈତିକ ଝଡ଼ ଥମିବାରେ ନାଁ ନେଉ ନାହିଁ । ପ୍ରତ୍ୟେକ ଦିନ ଘଟଣାକୁ ନେଇ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ଏଥିରେ ଆଉ ଏକ ଘଟଣା ସାମିଲ ହୋଇଗଲାଣି । ଏବେ ବିଧାୟକଙ୍କ କିଣାବିକାକୁ ନେଇ ଚର୍ଚ୍ଚା ହେଉଥିବା ଅଡ଼ିଓ ରେକର୍ଡ, ଘଟଣାରେ ଏମଟି କରପ୍ସନ ବ୍ୟୁରେ (ଏସିବି)ରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ବିଧାନସଭାର ମୁଖ୍ୟ ସଚେତକ ମହେଶ ଜୋଶୀଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ହେବାପରେ ଏସିବି ମୁଖ୍ୟାଳୟରେ ମହେଶ ଜୋଶୀଙ୍କ ବୟାନ ନିଆଯାଇଥିଲା । ଏହି ଏଫଆଇଆରରେ ବିଧାୟକ ଭମ୍ବରଲାଲ ଶର୍ମାଙ୍କ ନାଁ ମଧ୍ୟ ଦିଆଯାଇଛି କାହିଁକି ନା ବୟାନରେ ମହେଶ ଜୋଶୀ କହିଛନ୍ତି ଯେ, ବିଧାୟକ ଭମ୍ବରଲାଲଙ୍କ ସ୍ୱରକୁ ସେ ଚିହ୍ନିଛନ୍ତି । ଏସିବି ମୁଖ୍ୟାଳୟରେ ପିସି ଧାରା ଅନୁଜାୟୀ ଏହି ମାମଲା ରୁଜୁ କରାଯାଇଛି ।

ashok sachin

ଆପଣଙ୍କୁ କହି ରଖୁଛୁ ଯେ, ରାଜସ୍ଥାନର ରାଜନୀତିରେ ରେକକର୍ଡିଂକୁ ନେଇ ମାମଲା ସମ୍ପୂର୍ଣ୍ଣ ଗରମ ରହିଛି । କଂଗ୍ରେସ ଦୁଇଟି ଅଡ଼ିଓ ରେକର୍ଡ ଜାରି କରି ଅଭିଯୋଗ କରିଛି ଯେ, ଏଥିରେ ସଚିନ ପାଇଲଟଙ୍କ ସମର୍ଥରେ ଥିବା ବିଧାୟକ ଭମ୍ବରଲାଲ  ଶର୍ମାଙ୍କ ସହ କଥାବାର୍ତ୍ତା ରହିଛି । ଅଭିଯୋଗରେ ଏହା ମଧ୍ୟ ରହିଛି ଯେ, ବିଜେପି ସଚିନ ପାଇଲଟଙ୍କ ସମର୍ଥରେ ଥିବା ବିଧାୟକଙ୍କ ସହ ମିଶି ଯୋଜନା କରୁଛନ୍ତି । ଏବଂ ଏହାକୁ ନଜରରେ ରଖି ହିଁ ମାମଲା ରୁଜୁ କରାଯାଇଛି ।

ଏହି ମାମଲାରେ ରାଜସ୍ଥାନର ସ୍ପେସାଲ ଅପରେସନ ଗ୍ରୁପ୍ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରୁଛି । ଏସଓଜିର ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମାନସେର ପହଞ୍ଚି ଥିଲେ ଯେଉଁଠାରେ କିଛି କଂଗ୍ରେସ ବିଧାୟକ ଗୋଟିଏ ହୋଟେଲରେ ରହିଥିଲେ । ଯଦିଓ ଏସଓଜି ଟିମକୁ ସେଠାକୁ ପଶିବାକୁ ଦିଆଯାଇ ନଥିଲା । ଏବଂ ହୋଟେଲରେ ଭମ୍ବରଲାଲ ଶର୍ମା ଏସଓଜିଙ୍କ ସହ ଭେଟି ପାରିନଥିଲେ ।

ରାଜ୍ୟରେ ଜାରି ରହିଛି ଲକଡାଉନ୍… ୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ଅନଲକ୍ ପରେ ପୁଣି ଥରେ ଲକଡାଉନ୍ ଘୋଷଣା କରାଯାଇଛି । ୪ ହଟସ୍ପଟ ଜିଲ୍ଲା ଓ ରାଉରକେଲା ସହରରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଗତ କାଲିଠାରୁ ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ସହରରେ ଲକଡାଉନ୍ ଆରମ୍ଭ ହୋଇଛି । ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବା ସହ ଲୋକଙ୍କ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ତେବେ ଲକଡାଉନ ବେଳେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଗ୍ରୋସରୀ, ଫଳ, ପରିବା ଓ ଆମିଷ ଦୋକାନ ଖୋଲାରହିଛି । ଅନ୍ୟପଟେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଜୋମାଟୋ, ସ୍ୱିଗି ଭଳି ବିଭିନ୍ନ ଖାଦ୍ୟ ଯୋଗାଣକାରୀ ସଂସ୍ଥା କାର୍ଯ୍ୟ ଜାରି ରଖିବେ । ଜୁଲାଇ ୩୧ ମଧ୍ୟରାତ୍ରୀ ଯାଏଁ ଏହି ସବୁ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଅପରପକ୍ଷରେ ସରକାର ଜାରି କରିଥିବା ଲକଡାଉନ ପାଇଁ ଯାଜପୁରରେ କଡ଼ାକଡି ନିୟମ ପାଳନ କରାଯାଉଛି । ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସମସ୍ତଙ୍କ ସୁରକ୍ଷା ପାଇଁ ଲକଡାଉନ ଜରୁରୀ । ତେଣୁ ଏହି ଲକ ଡାଉନରେ ଜନସାଧାରଣ ସମସ୍ତେ ଘରେ ରହି ଜିଲ୍ଲାପ୍ରଶାସନକୁ ସହଯୋଗ କରୁଛନ୍ତି l ପୋଲିସ ଛକ ଛକରେ ପଇଁତରା ମାରୁଛି । ଲକଡାଉନ୍ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ । ଏଥିସହ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରାଉରକେଲା ପୌରାଞ୍ଚଳର । ରାଉରକେଲା ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମଣକୁ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।