ମେ ସାୟର ତୋ ନେହିଁ… ମଗର ୟେ ହଂସି ମୈନେ ଦେଖା ଜବସେ ତୁଝକୋ ମୁଝକୋ ସାୟରି ଆଗୟୀ । ପ୍ରେମରେ ପଡ଼ି ସାୟରୀ ଲେଖିବା କ୍ରେଜ୍ ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ପ୍ରେମରେ ବିଫଳ ହେବା ପରେ କେମିତି ଜଣେ ସଫଳ ହୋଇଥାଏ ତାହା ମଧ୍ୟ ସେ ଫିଲ୍ମ ମାଧ୍ୟମରେ ସମସ୍ତଙ୍କୁ ଦେଖାଇଛନ୍ତି । ଚକଲେଟ ହିରୋଙ୍କ ରୋମାଣ୍ଟିକ ଅନ୍ଦାଜରେ କେତେ ସୁନ୍ଦରୀ ତାଙ୍କର ମନକୁ ଋଷିଙ୍କୁ ଦେଇ ଦେଇଛନ୍ତି । ପିଲ୍ମ ଦୁନିଆରେ ଋଷି ହେଉଛନ୍ତି ଏଭଳି ଜଣେ କଳାକାର ଯିଏ ସମସ୍ତ ବର୍ଗର ଅଭିନେତ୍ରୀ ମାନଙ୍କ ସହ ଅଭିନୟ କରିଛନ୍ତି । କିନ୍ତୁ ଏସବୁ ରେ ଏବେ ପୁର୍ଣ୍ଣଛେଦ ପଡ଼ିଛି । କାରଣ ଶୋକରେ ବଲିଉଡ୍, ସିନେପ୍ରେମୀ ସ୍ତବ୍ଧ । ଆଉ ନାହାନ୍ତି ବଲିଉଡର ବର୍ଷୀଆନ୍ ଅଭିନେତା ଋଷି କପୁର । ୬୭ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଆଜି ସକାଳ ୮ଟା ୪୫ରେ ତାଙ୍କର ପରଲୋକ ହୋଇଛି । କ୍ୟାନସରରେ ଦୀର୍ଘ ଦିନ ଧରି ଋଷି କପୁର ପୀଡ଼ିତ ଥିଲେ । ଗତକାଲି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଋଷି କପୁର ୧୯୫୨ ସେପ୍ଟେମ୍ବର ୪ ତାରିଖରେ ଜନ୍ମ ହୋଇଥିଲେ । ମାତ୍ର ୩ ବର୍ଷ ବୟସରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୧୯୫୫ରେ ଶିଶୁ କଳାକାର ଭାବେ ସେ ତାଙ୍କ ବାପା ରାଜ କପୁରଙ୍କ ଫିଲ୍ମ ଶ୍ରୀ-420ରେ ଅଭିନୟ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବେ ସେ ‘ମେରା ନାମ୍ ଜୋକର’ରେ ୧୯୭୦ ମସିହାରେ ଅଭିନୟ କରିଥିଲେ ଓ ତାଙ୍କୁ ଏହି ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ୧୯୭୩ରେ ଋଷି କପୁର ଲିଡ୍ରୋଲ୍ରେ ଆସିଥିଲେ ଫିଲ୍ମ ‘ବବି’ରେ । ତାଙ୍କର ଆଡଲ୍ଟ ଡେଭ୍ୟୁ ଫିଲ୍ମରେ ହିଁ ସେ ସୁପର ଡୁପର ହିଟ୍ ହୋଇଥିଲେ । ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ପୁରସ୍କାର ପାଇଥିଲେ । ଏହାପରେ ଜାରି ରହିଥିଲା ତାଙ୍କ ଅଭିନୟର ଯାତ୍ରା । ୧୯୫୫ରୁ ୨୦୨୦ ଯାଏଁ ଜାରି ରହିଥିଲା ତାଙ୍କ ଅଭିୟନ । ତାଙ୍କର ଶେଷ ଫିଲ୍ମ ଯାହା ପରଦାକୁ ଆସିଥିଲେ ୧୦୨ ନଟ୍ ଆଉଟ ।ଏଥିରେ ଋଷିଙ୍କ ସାଥ ଦେଇଥିଲେ ବିଗ୍ ବି ଅମିତାଭ ବଚନ । ତେବେ ପରଦାକୁ ଆଉଗୋଟିଏ ପିଲ୍ମ ଆସିବା ପୂର୍ବରୁ ସେ ସମସ୍ତଙ୍କୁ ଅଲବିଦା କହିଛନ୍ତି । ତାଙ୍କ ଅଭିନୀତ ଶେଷ ଫିଲ୍ମ ଯାହାର ସୁଟିଂ ଏବେ ଅଧାରେ ରହିଯାଇଛି । ସେହି ଫିଲ୍ମଟି ହେଉଛି ‘ଶର୍ମାଜୀ ନମକିନ’ । ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିବା ସହିତ ସେ ଥିଲେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ।










ଥରେ ଋଷି ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ, ‘‘ ପିଲାବେଳୁ ଆମ ଘରର ପରିବେଶ ଫିଲ୍ମି ଥିଲା । ଆମେ ପିଲାବେଳୁ ହିଁ ଫିଲ୍ମ ତିଆରି ହେବା ଦେଖି ଆସୁଥିଲୁ । ସେହି ସମୟରେ ଫିଲ୍ମରେ କାମ କରିବାକୁ ମନକୁ ମନ ଇଛା ହୋଇଥିଲା । କାରଣ ମୁଁ ଏଭଳି ପରିବାର ସହ ସଂପର୍କ ରଖେ ଯେଉଁଠି ରକ୍ତର ଅଭିନୟ ରହିଛି’’
କପୁର ପରିବାର ଫିଲ୍ମ ସହ ନିଜ ସଂପର୍କ ପାଇଁ ପରିଚିତ । କିନ୍ତୁ ଏହି ପରିବାରର ପାଠ ସହ ପ୍ରେମ ସଂପର୍କ ନଥିଲା । ଏହି ପରିବାରର ସବୁ ସଦସ୍ୟ କ୍ୟାମେରା ପ୍ରେମରେ ପଡିଥିଲେ । ଋଷି ନିଜେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ରଣବୀର ଗୋଟିଏ ସାକ୍ଷାତକାରରେ ଥରେ କହିଥିଲେ ଯେ, ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷାରେ ସେ ୫୮ ପ୍ରତିଶତ ନମ୍ବର ରଖିଲେ,ସେତେବେଳେ ଆମେରିକାରେ ତାଙ୍କ ପରିବାର ପକ୍ଷରୁ ସେଲିବ୍ରେସନ୍ ହୋଇଥିଲା । ଆଭରେଜ୍ ମାର୍କକୁ ନେଇ ଏତେ ଖୁସୀ ହେବା ପଛର କାରଣ ହେଉଛି କପୁର ପରିବାରର ପ୍ରଥମ କିମ୍ବା ଦ୍ୱିତୀୟ ପୀଢିର କୌଣସି ସଦସ୍ୟ ୧୦ମ ପାସ୍ କରି ପାରିନଥିଲେ ।






