spot_img
Home Blog Page 701

ଇରାନ ଉପରେ ଇସ୍ରାଏଲର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ପାଲେଷ୍ଟାଇନର ଗାଜାକୁ ଧ୍ଵଂସ କରି ମାଟିରେ ମିଶାଇବା ପରେ ଇସ୍ରାଏଲର ଟାର୍ଗେଟରେ ଇରାନ। ଇରାନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ। ଗତ ରାତିରେ ତେହରାନର ପ୍ରମୁଖ ସ୍ଥାନରେ କ୍ଷେପଣାସ୍ତ୍ର ଓ ବୋମାବର୍ଷଣ କରିଛି ଇସ୍ରାଏଲ ସେନା। ଏଥିରେ ଇରାନ ରିଭୋଲ୍ଯୁସନ ଗାର୍ଡର ମୁଖ୍ୟ ହୋସେନ୍ ସଲାମି ନିହତ ହୋଇଛନ୍ତି। ଆକ୍ରମଣୃ ସଂପର୍କରେ ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ସେ କହିଛନ୍ତି, ଇରାନ ଆଣବିକ ବୋମା ତିଆରି କରୁଛି। ଏହା ଆମ ପାଇଁ ବିପଦ। ଆମ ଅସ୍ତିତ୍ଵ ପାଇଁ ଇରାନ ଏକ ବଡ଼ ବିପଦ। ତେଣୁ ଅପରେସନ ରାଇଜିଂ ଲାୟନ ଆରମ୍ଭ କରାଯାଇଛି। ଆମେ ସୁରକ୍ଷିତ ରହିବା ପର୍ଯ୍ଯନ୍ତ ଏହି ଅପରେସନ ଜାରି ରହିବ। ଇରାନର ଆଣବିକ କେନ୍ଦ୍ର ଓ ମିଲିଟାରି ସଂସ୍ଥା ଉପରେ ଆକ୍ରମଣ କରାଯାଇଛି।

ଇସ୍ରାଏଲର ସେନା ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଇରାନକୁ ନିରସ୍ତ୍ର କରିବା ପାଇଁ ଓ ଆମକୁ ସୁରକ୍ଷିତ ରଖିବା ପାଇଁ ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପରେ ଆମେରିକା ଆଶଙ୍କା କରିଛି ଯେ, ମଧ୍ୟପ୍ରାଚ୍ଯରେ ସ୍ଥିତି ବିଗିଡ଼ିପାରେ। ଇସ୍ରାଏଲ ଜରୁରୀ ପରିସ୍ଥିତି ମଧ୍ୟ ଜାରି କରିଛି। ସେପଟେ ଇରାନରେ ଥିବା ନିଜ ନାଗରିକଙ୍କୁ ସତର୍କ ରହିବା ପାଇଁ ଭାରତ ପରାମର୍ଶ ଦେଇଛି। ଦରକାର ନ ହେଲେ ଘରୁ ନ ବାହାରିବାକୁ କୁହାଯାଇଛି।

 

ଜଗତସିଂହପୁର ନିଶା ନିବାରଣ କେନ୍ଦ୍ରରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା

ଜଗତସିଂହପୁର: ଜଗତସିଂହପୁର ନିଶା ନିବାରଣ କେନ୍ଦ୍ରରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା । ଜଗତସିଂହପୁର ଅତାମଳା ଠାରେ ଥିବା ନିଶା ନିବାରଣ ଓ ମାନସିକ ରୋଗର ଚିକିତ୍ସା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅର୍ଥ ଦେଣନେଣକୁ ନେଇ କେତେକ ଯୁବକ ନିଶା ନିବାରଣ କେନ୍ଦ୍ରରେ ପସି ଭଙ୍ଗାରୁଜା କରିବା ସହିତ ଅନ୍ତେବାସୀଙ୍କୁ ଧମକ ଚମକ ଦେଇଥିଲେ ।

ଏହାସହ ଅଫିସ ଭିତରୁ ସିସିଟିଭି କ୍ୟାମେରାର କଏଦ ହୋଇଥିବା ହାରଡିକସକୁ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ଏହି ଘଟଣାରେ ଜଗତସିଂହପୁର ଥାନାରେ ଦୁଇଟି ପୃଥକ ପୃଥକ ଅଭିଯୋଗ ପତ୍ର ଦାଖଲ ହୋଇଥିବା ଜଣାଯାଇଛି।

ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି। କିଛି ଦିନ ମଧ୍ୟରେ ସଂପୂର୍ଣ୍ଣ ରାଜ୍ୟକୁ ମୌସୁମୀ ଛୁଇଁବ।

ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା ସହ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ନେଇ ପୂର୍ବାନୁମାନ କରାଯାଇଛି । ଏହାସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ ହୋଇଛି ।

ସେହିଭଳି ଆଗାମୀ ୨ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ଆସନ୍ତା ୨ ଦିନ ଯାଏଁ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ଆକଳନ ହୋଇଛି ।

ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକ: ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ସକାଳ ୬ରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ମନୋଜ ରାଉତ । ଭଦ୍ରକ ମୁନିସିପାଲିଟି, ଭଦ୍ରକ ବ୍ଲକ, ଧାମନଗର ଏନଏସି, ଧାମନଗର ବ୍ଲକ ଓ ତିହିଡି ବ୍ଲକରେ ଇଣ୍ଟରନେଟ ବନ୍ଦ ରହିବ । ଗତକାଲି ୨୪ ଘଣ୍ଟା ପାଇଁ ବନ୍ଦଥିଲା ଇଣ୍ଟରନେଟ ସେବା।

ଗତକାଲି ସକାଳ ୬ରୁ ଆଜି ସକାଳ ୬ ପର୍ଯ୍ୟନ୍ତ ବନ୍ଦ ଥିଲା ଇଣ୍ଟରନେଟ ସେବା । ତିହିଡି ଥାନା କଷଟି ଗୁଜିଦାରଡ଼ା ଅଞ୍ଚଳରେ ଏକ ବିବାଦକୁ ନେଇ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି, ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି। ଏଯାଏ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିମାନର ୨୪୦ ଜଣଙ୍କ ମୃତ୍ୟୁ ହୋଇଛି। ବିମାନରେ ଥିଲେ ମୋଟ ୨୪୨ ଜଣ । ସେମାନଙ୍କ ମଧ୍ୟରୁ ୨୩୦ ଯାତ୍ରୀ ଥିବାବେଳେ ୧୨ ଜଣ କ୍ରୁମେମ୍ବର ଥିଲେ। ମୃତଦେହ ଗୁଡ଼ିକର ହେବ ଡିଏନଏ ଟେଷ୍ଟ। ଏନେଇ ବିମାନରେ ଥିବା ଯାତ୍ରୀଙ୍କ ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ଟେଷ୍ଟ ଆରମ୍ଭ ହୋଇଛି। ମୃତକଙ୍କ ସମ୍ପର୍କୀୟଙ୍କ ସାମ୍ପୁଲ ନେବା ଆରମ୍ଭ କରିଛି ପ୍ରଶାସନ। ଉଦ୍ଧାର କାର୍ଯ୍ଯରେ ଏନଡିଆରଏଫ ଓ ଏସଡିଆରଏଫ ସାମିଲ ହୋଇଛି। ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ଆର ନାଇଡୁ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେପଟେ ଯାତ୍ରୀଙ୍କ ସମ୍ପର୍କୀୟଙ୍କ ସାମ୍ପୁଲ ଟେଷ୍ଟ କରିବାକୁ ମୁମ୍ବାଇ ଓ ଦିଲ୍ଲୀରୁ ସ୍ଵତନ୍ତ୍ର ଫ୍ଲାଇଟ ଚଳାଯାଇଛି। ଆଜି ଅହମ୍ମଦାବାଦ ଆସି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେପଟେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି ଟାଟା ଗୃପ। ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଟାଟା। ଭାଙ୍ଗିଥିବା ମେଡିକାଲ କଲେଜର କମ୍ପାନୀ ମରାମତି କରିବ ବୋଲି ଜଣାପଡିଛି।

ଆମ୍ବୁଲାନ୍ସରେ ଅକ୍ସିଜେନ ଅଭାବରୁ ଚାଲିଗଲା ରୋଗୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଆମ୍ବୁଲାନ୍ସରେ ଅକ୍ସିଜେନ ଅଭାବରୁ ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ମାହାଙ୍ଗା ନିର୍ବାଚନମଣ୍ଡଳି ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ । ନିଶ୍ଚିନ୍ତକୋଇଲି ବ୍ଲକ ଜିଗୀନ୍ନିପୁର ଗାଁର ପ୍ରଦ୍ୟୁମ୍ନ ପଣ୍ଡା ଆଜି ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସା କରିବା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏକ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ସାଲେପୁର ପାଗା ଛକ ନିକଟରେ ହଠାତ ଆମ୍ବୁଲାନ୍ସ ଟିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଗାଡ଼ି ଚାଳକ ଷ୍ଟାର୍ଟ କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଗାଡ଼ି ଏକ ଘଣ୍ଟା ଧରି ଷ୍ଟାର୍ଟ ହୋଇନଥିଲା । ଏପରିକି ଏହି ଆମ୍ବୁଲାନ୍ସରେ ଅକ୍ସିଜେନ ମଧ୍ୟ ନଥିଲା । ଅକ୍ସିଜେନ ଆଭାବରୁ ପ୍ରଦ୍ୟୁମ୍ନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଧକ୍କାଦେଲା ବିଦ୍ୟୁତ ବିଭାଗର ପିକଅପ ଗାଡ଼ି ; ମା’ ଓ ପୁଅ ମୃତ

ନନ୍ଦିଘୋଷ ବ୍ୟୁରୋ : ଗାଡ଼ି ଧକ୍କାରେ ମା’ ପୁଅ ମୃତ । ମୃତକ ହେଲେ ଯାଜପୁର ଜିଲ୍ଲା ସଦର ଥାନା କୁଝାଲା ଗ୍ରାମର ପରୀକ୍ଷିତ ଦାସଙ୍କ ପତ୍ନୀ ପାକନ ଦାସ ଓ ୬ ବର୍ଷର ନାବାଳକ ସାଇ ଦାସ । ରାସ୍ତା ପାରି ହେବା ସମୟରେ ବରୀରୁ ବରୁହ୍ନା ଅଭିମୁଖ୍ୟ ଆସୁଥିବା ବିଦ୍ୟୁତ ବିଭାଗର ପିକଅପ ଗାଡ଼ିଟି ମା’ ଓ ପୁଅକୁ ଧକ୍କା ଦେଇଥିଲା । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରଥମେ ୬ ବର୍ଷର ପୁଅକୁ ମୃତ ଘୋଷଣା କରିଥିବା ବେଳେ ପରେ ମା’କୁ ମୃତ ଘୋଷଣା କରିଥିଲା । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ସଦର ଥାନା ପୋଲିସ ।

ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରାେ : ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି। ଗୁଜୁରାଟ ଭାଜପା ସଭାପତି ସି.ଆର. ପାଟିଲ ଏହା ନିଶ୍ଚିତ କରିଛନ୍ତି। ରୂପାନୀ ତାଙ୍କ ଝିଅକୁ ଭେଟିବାକୁ ଯାଉଥିଲେ। ଦୁର୍ଘଟଣାର ଖବର ପାଇବା ପରେ ରୂପାନୀଙ୍କ ଘରେ ଶୋକର ଛାୟା ଖେଳିଯାଇଥିଲା। ଏବେ ତାଙ୍କ ମୃତ୍ୟୁର ଖବର ପାଇବା ପରେ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ପୂର୍ବରୁ, ରୂପାନୀଙ୍କର ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିମାନରେ ବସିଥିବାର ଦେଖାଯାଇଥିଲା

ସି.ଆର. ପାଟିଲ କହିଛନ୍ତି, ଆମର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀ ଏହି ବିମାନରେ ତାଙ୍କ ପରିବାରକୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ସେ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେ ଆହୁରି କହିଛନ୍ତି, ଏହି ଦୁର୍ଘଟଣା ଏତେ ବଡ଼ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁଜରାଟରେ ପହଞ୍ଚିଛନ୍ତି। ସେ ଯାହା କରିପାରିବେ, ସେ ଏଠାକୁ ଆସି ତାହା କରିବେ।

ରୂପାନୀଙ୍କ ବୟସ ୬୮ ବର୍ଷ ଥିଲା। ସେ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ, ରୂପାନୀ ଜୁଲାଇ ୨୦୦୬ ରୁ ୨୦୧୨ ମଧ୍ୟରେ ରାଜ୍ୟ ସଭା ସଦସ୍ୟ ଥିଲେ। ୨୦୧୪ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ଆନନ୍ଦୀବେନ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନ ନେଇଥିଲେ। ପ୍ରାୟ ଦୁଇ ବର୍ଷ ପରେ, ଅଗଷ୍ଟ ୨୦୧୬ରେ, ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ନିଜକୁ ଲୋକଙ୍କ ସରକାର କହୁଛି ବିଜେପି, କିନ୍ତୁ ବର୍ଷେ ହେଲା କରି ଚାଲିଛି ପ୍ରତାରିତ : ବିଜେଡି

ନନ୍ଦିଘୋଷ ବ୍ୟୁରାେ : ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି। ଜନଜାଗରଣ ଅଭିଯାନ ଜରିଆରେ ଲୋକଙ୍କୁ ଦେଲେ ବିଜେପି ସରକାରଙ୍କ ବିଫଳତାର ତାଲିକା। ସରକାରଙ୍କ ମିଛ ପ୍ରଚାର ବିରୋଧରେ ସାରା ରାଜ୍ଯରେ କରାଯିବ ସଚେତନ। ବର୍ଷେ ଧରି ରାଜ୍ୟବାସୀଙ୍କୁ ପ୍ରତାରିତ କରୁଛି ବିଜେପି ସରକାର । କେବଳ ଘୋଷଣା ଓ ହୋର୍ଡିଂରେ ଚାଲିଛି ବିକାଶ। ଏଭଳି ଅଭିଯୋଗ କରି ଆଜି ବିଜେଡି ଆରମ୍ଭ କରିଛି ଜନଜାଗରଣ ଅଭିଯାନ। ରାଜ୍ଯରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଗୋଟି ଗୋଟି ମିଛକୁ ଜନଜାଗରଣ କାର୍ଯ୍ୟକ୍ରମ ଜରିଆରେ ପର୍ଦ୍ଦାଫାଶ କରିଛି ବିଜେଡି।

ମହାନଦୀ ପାଣି ଶୁଖିବା ପ୍ରସଙ୍ଗଠୁ ଆରମ୍ଭ କରି ପୋଲାଭରମ, ଦରଦାମ ବୃଦ୍ଧି, ବେରୋଜଗାରୀ, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା, ଓଡ଼ିଶା ପ୍ରତି ଅନ୍ୟାୟ, ଧାନରେ କଟନି ଛଟନି, ୩୦୦ ୟୁନିଟ୍ ମାଗଣା ବିଜୁଳି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ବିଫଳତାକୁ ଲୋକଲୋଚନକୁ ଆଣିଛି ବିଜେଡି। ରଙ୍ଗ ମାରିବା, ନାଁ ବଦଳାଇବା ଭଳି କାମ କରି ବିଜେପି ଲୋକଙ୍କୁ ଭୁତେଇ ଚାଲିଛି ବୋଲି ନାରା ଦେଇ ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ କରିଥିଲା ବିଜୁ ଜନତା ଦଳ। ବ୍ଯାରିକେଡ ଭାଙ୍ଗି ଆଡକୁ ଯିବା ବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି। ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ଚଞ୍ଚକତା ପ୍ରତିବାଦରେ ଆଗକୁ ଗାଁ ଗାଁରେ କରାଯିବ ଆନ୍ଦୋଳନ। ଦରକାର ପଡ଼ିଲେ ଦଲ୍ଲୀ ଦରବାରରେ ମଧ୍ୟ ଲଢ଼େଇକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ଦଳ।

ବର୍ଷେ ଧରି ଲୋକଙ୍କୁ ମିଛ କହି ଠକି ଚାଲିଛି ବିଜେପି। ଏବେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବାରୁ କଡା ନିନ୍ଦା କରିଛି ବିଜେଡି। ଶାସନକୁ ଆସିବା ବର୍ଷେ ହେଲାଣି, କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା। ବିଜେପି ସରକାରର ମିଛକୁ ଘରେ ଘରେ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ।

ରଖେ ହରି ମାରେ କିଏ ? ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

ନନ୍ଦିଘୋଷ ବ୍ୟୁରାେ :  ରଖେ ହରି ମାରେ କିଏ ? ଭୟଙ୍କର ବିମାନ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଯାତ୍ରୀ ଜୀବିତ । ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ପ୍ରକାଶିତ ସୂଚନା ଅନୁଯାୟୀ, ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ସେହି ସମୟରେ, ଏହି ଭୟଙ୍କର ବିମାନ ଦୁର୍ଘଟଣାରୁ ଜଣେ ବ୍ୟକ୍ତି ଚମତ୍କାର ଭାବରେ ବଞ୍ଚିଯାଇଛନ୍ତି। ଦୁର୍ଘଟଣାରୁ ବଞ୍ଚିଯାଇଥିବା ବ୍ୟକ୍ତି ଜଣେ ବ୍ରିଟିଶ ନାଗରିକ ବୋଲି କୁହାଯାଉଛି।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ୪୦ ବର୍ଷୀୟ ବ୍ୟକ୍ତିଙ୍କ ନାମ ବିଶ୍ୱାସ କୁମାର ରମେଶ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନ ଦୁର୍ଘଟଣା ପରେ ବିଶ୍ୱାସ କୁମାର ରମେଶ କୌଣସି ସମର୍ଥନ ବିନା ନିଜେ ଚାଲୁଛନ୍ତି। ଏତେ ଭୟଙ୍କର ବିମାନ ଦୁର୍ଘଟଣାରେ ତାଙ୍କର ବଞ୍ଚି ରହିବା କୌଣସି ଚମତ୍କାରଠାରୁ କମ ନୁହେଁ ବୋଲି ଆଲୋଚନା ହେଉଛି।