spot_img
Home Blog Page 7012

ଭୁବନେଶ୍ୱରର ଆଉ ୨ କରୋନା ରୋଗୀ ସୁସ୍ଥ: ସାରା ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା ୩୭

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଉଭୟ ରୋଗୀ ଭୁବନେଶ୍ୱର ଅଞ୍ଚଳର । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ବଢ଼ି ଚାଲିଥିବା ବେଳେ ଅନ୍ୟ ପଟେ ଜଣଙ୍କ ପରେ ଜଣେ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ବିଷୟ । ରାଜ୍ୟରେ ଏଯାବତ୍‌ ମୋଟ ୧୦୮ କରୋନ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୦୭ ଜଣଙ୍କ ମଧ୍ୟରୁ  ୩୭ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୭୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ । 

ଦେଶରେ ୨ ପ୍ରକାରର କରୋନା ! ଜାଣନ୍ତୁ କାହିଁକି ଗୁଜୁରାଟ ଏବଂ ଇନ୍ଦୋରରେ ମୃତ୍ୟୁସଂଖ୍ୟା ଅଧିକ ?

ନୂଆଦିଲ୍ଲୀ: ଦେଶରେ ଘୁ ଘୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ରାଜ୍ୟର ଚିନ୍ତା ବଢାଉଛି କରୋନା ଦିନ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହି ଧାରାରେ ସବୁଠୁ ଆଗରେ ରହିଥିବା ରାଜ୍ୟ ହେଉଛି ଗୁଜୁରାଟ ଏବଂ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶରେ ଇନ୍ଦୋରର ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗୁଜୁରାଟ ଏବଂ ଇନ୍ଦୋରରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାକୁ ଦେଖିବା, ତେବେ ଏହାର କାରଣ ଚୀନ୍‌ର ଉହାନ ସହର ସହିତ ସିଧାସଳଖ ଜଡିତ ଥିବା ଜଣାପଡିଛି । ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (GBRC)ର ନିର୍ଦ୍ଦେଶକ ଜିସି ଯୋଶୀ କହିଛନ୍ତି ଯେ ଆମେ କରୋନାର ଗଠନକୁ ଡିକୋଡିଂ କରିଛୁ । ଏଥିରେ ତାହାର ତିନୋଟି ମ୍ୟୁଟେସନ୍ ରହିଇଛି । ଅର୍ଥାତ୍ ଦେଶରେ ତିନୋଟି ଭିନ୍ନ ପ୍ରକାରର କରୋନା ଭାଇରସ୍ ଷ୍ଟ୍ରେନ୍ ଅଛି ।

ଜୋଶୀ କହିଛନ୍ତି ଯେ ଗୁଜୁରାଟରେ ବ୍ୟାପିଥିବା ଭାଇରସ୍ ଏଲ-ଷ୍ଟ୍ରେନ୍ ହୋଇପାରେ । ଏହି ଷ୍ଟ୍ରେନ ଚାଇନାର ଉହାନ ସହରରେ ବ୍ୟାପି ଥିଲା। ଯେଉଁଥିପାଇଁ ଉହାନରେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଗୁଜୁରାଟରେ ଅବସ୍ଥା ଠିକ୍ ସେହିପରି ।

ଜିସି ଯୋଶୀଙ୍କ ଅନୁଯାୟୀ, ଗୁଜୁରାଟରେ ଏଲ୍ ଷ୍ଟ୍ରେନ୍ କରୋନା ଭାଇରସ ପାଇଁ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମଧ୍ୟ ଉହାନ ଭଳି ଭାଇରସ ଥିବାର ଆଶଙ୍କା କରାଯାଉଛି । ତେଣୁ ଇନ୍ଦୋରରୁ ନମୁନାକୁ ଜମା କରି ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିକୁ ପଠାଯାଉଛି।

ସର୍ବଶେଷରେ ଏଲ- ଷ୍ଟ୍ରେନ୍ କରୋନା ଭାଇରସ୍ କ’ଣ ? ଏହା ଏସ ଷ୍ଟ୍ରେନ୍ ଠାରୁ କିପରି ଭିନ୍ନ ? ଆସନ୍ତୁ ଜାଣିବା, ଦେଶରେ କରୋନା ଭୂତାଣୁଙ୍କର ତିନୋଟି ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଏଥିରୁ ଦୁଇଟି ଷ୍ଟ୍ରେନ୍ ସାଂଘାତିକ ଅଛି ।

ସେଗୁଡ଼ିକ ହେଲା ଏଲ-ଷ୍ଟ୍ରେନ୍ ଏବଂ ଏସ୍- ଷ୍ଟ୍ରେନ୍ । ଉହାନରେ ବ୍ୟାପିଥିବା ଭାଇରସ ହେଉଛି ଏଲ- ଷ୍ଟ୍ରେନ୍, ଯାହା ଅଧିକ ବିପଦଜନକ । ଏହି କାରଣରୁ, ଅସୁସ୍ଥ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି ।

ଏସ୍- ଷ୍ଟ୍ରେନ୍ ଭାଇରସ୍ ଏଲ- ଷ୍ଟ୍ରେନର ମ୍ୟୁଟେସନ୍ ଦ୍ୱାରା ତିଆରି ହୋଇଛି । ତେଣୁ ଏହା କମ୍ ମାରାତ୍ମକ । କେରଳର ଅଧିକାଂଶ ରୋଗୀ ଦୁବାଇରୁ ଆସିଥିଲେ ଯେଉଁଠାରେ ଏସ- ଷ୍ଟ୍ରେନ୍ ଅଛି । ତେଣୁ କେରଳରେ କମ୍ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରୁ ଗୁଜୁରାଟରେ ଅଧିକ ଲୋକ ଆସୁଥିଲେ । ତେଣୁ ଆମେରିକାରେ ଥିବା ଏଲ- ଷ୍ଟ୍ରେନ୍ ଗୁଜୁରାଟରେ ଅଧିକ ବ୍ୟାପିଛି । ତେଣୁ ଗୁଜୁରାଟରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ।

ଚୀନ୍, ୟୁରୋପ ଏବଂ ଆମେରିକାର ଷ୍ଟ୍ରେନ୍ ଏବେ ଭାରତରେ ପହଞ୍ଚିଛି । ୟୁରୋପରେ ବ୍ୟାପିଥିବା ଏହି ଭାଇରସ୍ ଆମେରିକାର ତୁଳନାରେ ସାମାନ୍ୟ କମ୍ ମାରାତ୍ମକ ବୋଲି କୁହାଯାଉଛି । ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ କରୋନା ଭାଇରସର ସମସ୍ତ ଷ୍ଟ୍ରେନ୍ ସାଂଘାତିକ । ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବରୁ କିଛି ରୋଗ ଅଛି ତେବେ କୌଣସି ବି ଦୁର୍ବଳ ଷ୍ଟ୍ରେନ୍ ମଧ୍ୟ ତାଙ୍କ ପାଇଁ ମାରାତ୍ମକ ହୋଇପାରେ ।

କରୋନା ଯୁଦ୍ଧ: କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ପରିବାର ପାଇବେ ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: କରୋନା ଯୋଗୁଁ ସାର ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ  ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି ।

ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଶଣା କରିଛନ୍ତି ।

ପୁରୁଷମାନଙ୍କ ପାଇଁ କରୋନା ଅଧିକ ମାରାତ୍ମକ ? କିଏ ଦାୟୀ, ଜିନ୍ସ ନା ଅଭ୍ୟାସ !

ନୂଆଦିଲ୍ଲୀ: କରୋନା ସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି । ତେବେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ କୋଭିଡ -୧୯ ର ଶିକାର ହେଉଛନ୍ତି ବୋଲି କୁହାଯାଉଛି । ଏକ ପ୍ରି-ପ୍ରିଣ୍ଟ୍ ଦ୍ୱାରା ଜଣା ପଡିଛି ଯେ, ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ କରୋନାଭାଇରସ୍ ଭିନ୍ନ ଭିନ୍ନ ପ୍ରଭାବ ପକାଏ । ୟୁନିଭରସିଟି ଅଫ ଟେକ୍ସାସ୍, ହ୍ୟୁଷ୍ଟନ୍ ମେଥୋଡିଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଟେନେସୀ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ରର ଅନୁସନ୍ଧାନ ଅନୁସାରେ ବିଭିନ୍ନ କାରଣ ଏଥିପାଇଁ ଦାୟୀ ହୋଇପାରେ। ଯେମିତିକି ଉଭୟ ଲିଙ୍ଗର ଜେନେଟିକ୍ ଗଠନ ଏବଂ ସଂକ୍ରମଣ ବଢାଇବାର ଅଭ୍ୟାସ ।

WHOର ୧୯ ଏପ୍ରିଲର ସାପ୍ତାହିକ ରିପୋର୍ଟ ଅନୁସାରେ, ୟୁରୋପରେ କୋଭିଡ -୧୯ରେ ମୋଟ୍ ୬୩ ପ୍ରତିଶତ ପୁରୁଷଙ୍କର ମୃତ୍ୟୁ ହୋଇଛି । କୋଭିଡ-୧୯ ମନିଟରିଂ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ରିପୋର୍ଟ ଅନୁସାରେ, ମାର୍ଚ୍ଚରେ ଇଟାଲୀରେ କରୋନାଭାଇରସ୍ ଯୋଗୁଁ ପ୍ରାୟ ୨୯.୧ ପ୍ରତିଶତ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ୟୁନିଭରସିଟି ଅଫ ଟେକ୍ସାସ୍, ହ୍ୟୁଷ୍ଟନ୍ ମେଥୋଡିଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଟେନେସୀ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ରର ଅନୁସନ୍ଧାନ ଅନୁସାରେ ମହାମାରୀ SARS ଓ MERS ର କୋଭିଡ୍ -୧୯ର ଡାଟା ସହ ତୁଳନା କରାଯାଇଛି । ଫଳରେ ଏହା ଦ୍ୱାରା ଜଣାପଡିଛି ଯେ, ଏହି ତିନୋଟି ରୋଗରେ ପୁରୁଷଙ୍କ ମୃତ୍ୟୁ ହାର ଅଧିକ ରହିଛି ।

ସୂଚନାଯୋଗ୍ୟ ଯେ, SARS ରୋଗରେ ୨୧.୯ ପ୍ରତିଶତ ପୁରୁଷମାନଙ୍କର ଏବଂ ୧୩.୨ ପ୍ରତିଶତ ମହିଳାମାନଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି, MERS ରୋଗରେ ୨୧.୨ ପ୍ରତିଶତ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କର ୧୫.୨ ପ୍ରତିଶତ ମୃତ୍ୟୁ ହୋଇଥିଲା। ବର୍ତ୍ତମାନର କୋଭିଡ୍-୧୯ର ମୃତ୍ୟୁ ହାର ପୁରୁଷ-ମହିଳାଙ୍କ ଆଧାରରେ ରିପୋର୍ଟ ଆସିନାହିଁ । କିନ୍ତୁ ଆମେରିକାର ଅନୁସନ୍ଧାନ ଅନୁସାରେ MERS, SARS-CoV ଏବଂ SARS-CoV2 (Covid-19) ରୋଗରେ ମହିଳାଙ୍କ ତୁଳନାରେ ପୁରୁଷଙ୍କର ଅଧିକ ମୃତ୍ୟୁ ହୋଇଛି ।

ଅନୁସନ୍ଧାନ ଅନୁସାରେ, ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ କରୋନାଭାଇରସ୍ ପ୍ରତିରୋଧକ ରେସପନ୍ସ ଭିନ୍ନ ହୋଇପାରେ । ଅଧିକ ଧୂମ୍ରପାନ ଅଭ୍ୟାସ ଏବଂ ପୁରୁଷମାନଙ୍କ ହୃଦ୍‌ରୋଗ ଜଡିତ ସମସ୍ୟା ଏହି ସବୁ ରୋଗରେ ସଂକ୍ରମିତ ହେବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା । ସାଉଦି ଆରବର ଲୋକଙ୍କ ମଧ୍ୟରେ MERS ରୋଗ ନେଇ ଅନୁସନ୍ଧାନରୁ ଜଣା ପଡିଛି ଯେ, ବିଭିନ୍ନ ପ୍ରକାରର ଲୋକଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ସେଠାରେ ଅଧିକ ପୁରୁଷଙ୍କ ମୃତ୍ୟୁ ହୋଇଛି । ରିସର୍ଚ୍ଚ ଅନୁସାରେ ଆଉ ଏକ ବଡ କାରଣ ହେଉଛି ହାତ ନଧୋଇବା ଅଭ୍ୟାସ । ୨୦୦୩ ମସିହାର ଏକ ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ପୁରୁଷମାନଙ୍କଠାରୁ ମହିଳାମାନେ ଅଧିକ ହାତ ଧୁଅନ୍ତି ।

 

କୁଆଡେ ଗଲେ ଉତ୍ତର କୋରିଆ ଶାସକ, କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍…‌

ୱାସିଂଟନ୍: କୁଆଡେ ଗଲେ ଉତ୍ତର କୋରିଆ ଶାସକ । କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍‌ । ଏଭଳି ଅନେକ ପ୍ରଶ୍ନ ଗତ କିଛି ଦିନ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ ଚଙ୍ଗ ଇନ୍‌ । ଆମେରିକାର ଜାତୀୟ ଗଣମାଧ୍ୟମ ସିଏନଏନକୁ ସୂଚନା ଦେଇ ମୁନ ଚଙ୍ଗ ଇନ କହିଛନ୍ତି, ସୁସ୍ଥ ଅଛନ୍ତି ଉତ୍ତର କୋରିଆ ଶାସକ ।

ସାରା ଦୁନିଆରେ କରୋନା ଟେନସନ୍‌ ପରେ ଯେଉଁ ଚର୍ଚ୍ଚା ହେଉଛି, ତାହା ହେଉଛି ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନକୁ ନେଇ । ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଉତ୍ତର କୋରିଆର ଶାସକଙ୍କୁ ନେଇ ହୋଇଛି ଅନେକ ଚର୍ଚ୍ଚା । କୁଆଡେ ଗଲେ କିମ ଜଙ୍ଗ ଉନ୍‌ । କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି ଉତ୍ତର କୋରିଆ ଶାସକ । ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ, ନାଁ ଦେଶ ବାହାରେ ଅଛନ୍ତି କିମ ଜଙ୍ଗ ଉନ୍‌ । ଏଭଳି ଅନେକ ପ୍ରଶ୍ନ ଉଠିଥିବାବେଳେ ଏ ସବୁ ପ୍ରଶ୍ନ ଉପରୁ ସସପେନସ ଉଠାଇଛନ୍ତି କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ୍ ଚଙ୍ଗ ଇନ୍‌ । ତାଙ୍କ ଅନୁସାରେ ଉତ୍ତର କୋରିଆର ବିଗ୍ ବସ୍ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ଠିକ୍ ସମୟ ଆସିଲେ ସେ ବାହାରକୁ ଆସି ଦର୍ଶନ ଦେବେ ।

ଆମେରିକାର ଜାତୀୟ ଗଣମାଧ୍ୟମ ସିଏନଏନକୁ ସୂଚନା ଦେଇ ମୁନ ଚଙ୍ଗ ଇନ କହିଛନ୍ତି, ସୁସ୍ଥ ଅଛନ୍ତି ଉତ୍ତର କୋରିଆ ଶାସକ । ତାଙ୍କ ଦେହ ଏବେ ଭଳ ଅଛି । ସେ ନିଜ ଦେଶରେ ଅଛନ୍ତି । ରାଷ୍ଟ୍ରପତି ଭବନ ଆସୁ ନାହାଁନ୍ତି, ହେଲେ ସମସ୍ତ ସ୍ଥିତି ଉପରେ ନଜର ରଖିଛନ୍ତି । କିମ ଜଙ୍ଗ ଉନକୁ ନେଇ ଯେଉଁ ଗୁଜବ ଉଠୁଛି ତାହା ସବୁ ମିଛ । ଖୋଦ କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ ଚଙ୍ଗ ଇନଙ୍କ ଏଭଳି ବୟାନ ଆସିବା ପରେ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି ।

 

ହେଲେ କଣ ପାଇଁ ହେଉଥିଲା ଏଭଳି ଚର୍ଚ୍ଚା । ଗତ କିଛି ଦିନ ଧରି ସର୍ବସମ୍ମୁଖକୁ ଆସୁନଥିଲେ କିମ ଜଙ୍ଗ ଉନ୍‌ । କୈାଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ । ଏଭଳିକି ନିଜ ଜେଜେଙ୍କର ଶ୍ରାଦ୍ଧ ଦିବସରେ ସାମିଲ ହୋଇନଥିଲେ କିମ ଜଙ୍ଗ । ତେଣୁ କିମ ଜଙ୍ଗ ଉନ୍‌ ଜିବୀତ ଅଛନ୍ତି ନାଁ ନାହିଁ ତାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ଯେଉଁ ପ୍ରଶ୍ନର ଉତ୍ତର ଏବେ ଖୋଦ ଉତ୍ତର କୋରିଆ ସରକାର ଦେଇଛନ୍ତି । ନିଜର ପରମାଣୁ ଅସ୍ତ୍ର ବଳରେ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟର ହୋସ ଉଡାଉଥିବା କିମ ଜଙ୍ଗ ଉନ୍‌ କେବେ ସର୍ବସମ୍ମୁଖକୁ ଆସିବେ ତାକୁ ଅପେକ୍ଷା କରିଛି ସାରା ବିଶ୍ୱ ।

‘ଲକ୍‌ଡାଉନ୍‌ ସତ୍ତ୍ୱେ ଦେଶର ଅର୍ଥ ବ୍ୟବ‌ସ୍ଥା ଭଲ ରହିଛି, ଚିନ୍ତାର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । କେବଳ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ବିପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ ସବୁ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌କୁ ସମର୍ଥନ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ ଭାଗ ନନେଇ ଚିଠି ମାଧ୍ୟମରେ ନିଜର ପରାମର୍ଶ ପଠାଇଥିଲେ ।

ଅନ୍ୟପଟେ ସାରା ଦେଶ ଏବେ ମାସେରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ତେଣୁ ଦେଶରେ କରୋନା ସଂକ୍ରମଣକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏଥିପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକ୍‌ଡାଉନ୍‌ ନିୟମକୁ ସାରା ଦେଶବାସୀ ପାଳନ କରିଛନ୍ତି । ଯାହାଫଳରେ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ନିଜର କାୟା ବିସ୍ତାର କରିପାରି ନାହିଁ । ରାଜ୍ୟ ସରକାରମାନେ ଭଲ କାମ କରିଛନ୍ତି ବୋଲି ମଧ୍ୟ କହିଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରାୟ ତିନି ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ବିଶେଷ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟମାନେ ଲକ୍‌ଡାଉନ୍‌ ଖୋଲିବା ନେଇ ଖସଡ଼ା ପ୍ରସ୍ତୁତ କରନ୍ତୁ । ରେଡ୍‌, ଅରେଞ୍ଜ ଓ ୟୋଲୋ ଜୋନ୍‌ ପ୍ରସ୍ତୁତ କରି ଲକ୍‌ଡାଉନ୍‌ ଖୋଲିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହାସହ ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି ସେଠାରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ଏବଂ ଜିଲ୍ଲାଓ୍ୱାରୀ ଲକ୍‌ଡାଉନ୍‌ ଖୋଲିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଏହି ଲକ୍‌ଡାଉନ୍‌ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ିବା କଥା ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଅର୍ଥନୀତି ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆମର ଅର୍ଥବ୍ୟବସ୍ଥା ଭଲ ରହିଛି ।

ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା

କରୋନା ମହାମାରୀ ଯୋଗୁ ଏବେ ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀ ଗୁଡ଼ିକ ଘୋର ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀଗୁଡ଼ିକ ପାଇଁ ୫୦ ହଜାର କୋଟି ଟଙ୍କାର ବିଶେଷ ସହାୟତା ପ୍ରଦାନର ଘୋଷଣା କରିଛି । ଗତ ସପ୍ତାହରେ ଫ୍ରାଙ୍କଲିନ୍‌ ଟେମ୍ପଲ୍‌ଟନ୍‌ ୬ଟି ଫଣ୍ଡ ବନ୍ଦ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି । ଯାହାକି କମ୍ପାନୀ ଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇପାରେ ।

ଲକ୍‌ଡାଉନ୍‌ ଯୋଗୁ ପୁଞ୍ଜି ବଜାରରେ ଅସ୍ଥିରତା ଲାଗିରହିଛି । ମ୍ୟୁଚୁଆଲ୍‌ ଫଣ୍ଡ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଚାପ ପଡ଼ିଛି । କେତେକ ମ୍ୟୁଚୁଆଲ୍‌ ଫଣ୍ଡ ବନ୍ଦ ଯ଼ୋଗୁଁ ଋଣ ପରିଶୋଧ ଚାପ ଲିକ୍ୟୁଡିଟି ଷ୍ଟ୍ରେନକୁ ତୀବ୍ରତର କରିଛି । ବର୍ତ୍ତମାନ ସ୍ଥିତିରେ କେବଳ ହାଇ-ରିସ୍କ ଡେଟ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍ ଉପରେ ଚାପ ସୀମିତ ରହିଥିବା ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ଛୁଟିଦିନ ବ୍ୟତୀତ ସୋମବାରଠାରୁ ଶୁକ୍ରବାର ମୃଧ୍ୟରେ ଯେକୌଣସି ଦିନ ବ୍ୟାଙ୍କଗୁଡ଼ିକ ସେମାନଙ୍କର ବିଡ୍‌ ଦାଖଲ କରି ଫଣ୍ଡ ପାଇ ପାରିବେ ବୋଲି ଅନୁମତି ଦିଆଯାଇଛି ।

ବାହାର ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡିଶା ବାହାରେ ଫସିଛନ୍ତି ଓଡିଆ । ଚିନ୍ତାରେ ସେମାନଙ୍କ ପରିବାର, ଚିନ୍ତାରେ ସରକାର । ସରକାର କେବଳ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ଜରିଆରେ ସଂକ୍ରମଣ ନହେବା ବି ଲକ୍ଷ୍ୟ । ଲକଡାଉନ ଉଠିବା ପୂର୍ବରୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଜି ଏଦିଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାବି କରିଛନ୍ତି ଏନେଇ ଜାତୀୟ ସ୍ତରରେ ଗଠନ ହେଉ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର ।

ଓଡିଶା ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି ପ୍ରାୟ ସାଢେ ସାତ ଲକ୍ଷ ଓଡିଆ । କିଏ ରୋଜଗାର ସନ୍ଧାନରେ ତ କିଏ ପରିବାରର ଭରଣପୋଷଣ ତ ଆଉ କିଏ ବୃଦ୍ଧ ବାପା ମାଙ୍କ ଚିକିତ୍ସା ପାଇଁ ପରିବାର ଓ ଗାଁ ମାଟି ଛାଡିଛନ୍ତି । କରୋନା ସଂକ୍ରମଣ ପରେ ଏବେ ସେମାନେ ଘରକୁ ଫେରିଆସିବାକୁ ଚାହୁଁଛନ୍ତି । ନିଜ ପରିବାର ପାଖକୁ, ନିଜ ବନ୍ଧୁ ପରିଜନଙ୍କ ପାଖକୁ । ହେଲେ ବାଧକ ସାଜିଛି ଲକଡାଉନ । ସେହି ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ କେବଳ ଫେରିବେନି, ସୁରକ୍ଷିତ ଭାବେ ଫେରିବେ । କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟଗୁଡିକ ବି ସେନେଇ ଚିନ୍ତାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାମନ୍ତ୍ରୀଙ୍କୁ ଜାତୀୟ ସ୍ତରରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର ବା ଏସଓପି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାଦ୍ଵାରା ପ୍ରବାସୀ ଲୋକଙ୍କ ଘରବାହୁଡା ପାଇଁ ସବୁ ରାଜ୍ୟ ଏକ ପ୍ରକାର ନିୟମକୁ ପାଳନ କରିବେ । ଏହାଦ୍ଵାରା ସଂକ୍ରମଣର ଆଶଙ୍କା କମିବ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୁଜୁରୁ।ଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ କରୋନା ମୁକାବିଲା ନେଇ ଆଲୋଚନା କରୁଥିବା ବେଳେ ନବୀନ ପଟ୍ଟନାୟକ ଏସଓପି ଗଠନର ପ୍ରସ୍ତାବ ଦେଇଛନ୍ତି । ଏହାଦ୍ଵାରା ନିଜ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କୁ କୋଭିଡ-୧୯ ପ୍ରମାଣପତ୍ର ବି ଦିଆଯିବ । ଏଥିସହିତ ସାମାଜିକ ଦୂରତା ମଧ୍ୟରେ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଦିଆଯିବ । ନିଜ ନିଜ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ଏଥିପାଇଁ ରାଜ୍ୟରେ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଲକ୍ଷ ୨୭ ହଜାର ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ଓଡିଶା ଫେରିବାକୁ ୪ଲକ୍ଷ ୮୬ ହଜାର ପ୍ରବାସୀ ଓଡିଆ ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଂଜିକରଣ କରିଛନ୍ତି ।

୮୦ ବର୍ଷର କରୋନା ଯୋଦ୍ଧା: ଏହି ମହିଳା ଘରେ ପ୍ରତିଦିନ ତିଆରି କରୁଛନ୍ତି ମାସ୍କ୍

ଜୟପୁର: ବୟସର ଅପରାହ୍ନରେ ସାହାଯ୍ୟ କରିବାର ନିଶା । ବୟସ ୮୦, ନା ସେ ଠିକରେ ଚାଲିପାରୁଛନ୍ତି ନା ଦେଶର ଏଭଳି ଅବସ୍ଥାକୁ ଦେଖି ପାରୁଛନ୍ତି । କରୋନା ଭଳି ଏମିତି ଭୟଙ୍କର ସମୟରେ ନିଜର ଅଣ୍ଟା ସଳଖି ପାରୁ ନଥିବା ଏହି ୮୦ ବର୍ଷିୟ ମହିଳା ଜଣଙ୍କ ଅଣ୍ଟା ଭିଡ଼ିଛନ୍ତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ । ରାଜସ୍ଥାନର ଜୟପୁର ସହରରେ ରହୁଥିବା ଏହି ୮୦ ବର୍ଷିୟ ମହିଳା ମାୟା ଶର୍ମା ଖୁବ୍ ପରିଶ୍ରମୀ ।

ବୟସର ଅପରାହ୍ନରେ ହାତ ତ ଥରୁଛି କିନ୍ତୁ ଛୁଞ୍ଚିରେ ସେ ସୂତାକୁ ଖୁବ ସୁନ୍ଦର ଭାବେ ଭର୍ତ୍ତି କରି ତିଆରି କରୁଛନ୍ତି ଶହ ଶହ ମାସ୍କ । ଏହି ମାସ୍କ ଗୁଡ଼ିକୁ ତାଙ୍କ ପୁଅ ମନୀଷ ନେଇ ବିଭିନ୍ନ ହସପିଟାଲର ରୋଗୀ, ପରିବା ବେପାରୀ, ପୋଲିସ ଏବଂ ଗରୀବ ଲୋକଙ୍କୁ ବାଣ୍ଟୁଛନ୍ତି । ମାୟାଙ୍କୁ ଯେତେବେଳେ ଏନେଇ ପଚରା ଗଲା ସେ କହିଛନ୍ତି, ଜଣେ ଡାକ୍ତର ଯେତେବେଳେ ଦିନସାରା ପରିଶ୍ରମ କରି ଘରକୁ ଆସି ଆରାମ କରିବା ବଦଳରେ ଅସହାୟ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି ତେବେ ମୁଁ ଘରେ ବସି କାହିଁକି ମାସ୍କ ପ୍ରସ୍ତୁତ କରିପାରିବି ନାହିଁ । ଲୋକଙ୍କ ସୁରକ୍ଷିତ ରହିବାକୁ ସମସ୍ତେ ପ୍ରୟାସ କରୁଛନ୍ତି ତେଣୁ ମୁଁ ବି ଏହି କାର୍ଯ୍ୟରେ ଲାଗି ପଡ଼ିଛି ।

ତାଙ୍କୁ ୮୦ ବର୍ଷ ତାଙ୍କ ସିଲେଇ ମେସିନକୁ ୬୦ ବର୍ଷ

ମାୟା କୁହନ୍ତି ଯେତେବେଳେ ମୋର ବିବାହ ଠିକ୍ ହୋଇଥିଲା ମୋ ବାପା ମୋ ପାଇଁ ଏହି ମେସିନ ଆଣି ଦେଇଥିଲେ ତାପର ଠାରୁ ମୁଁ ସିଲେଇ ଆରମ୍ଭ କରିଥିଲି । ସେବେଠାରୁ ଏବେ ପର୍ଯ୍ୟନ୍ତ ନା ମୋ ମେସିନ ଥକିଛି ନା ମୁଁ । ତେବେ ଏନେଇ ତାଙ୍କ ପୁଅ ମନୀଷ କୁହନ୍ତି, ମାଆ ସାହାଯ୍ୟ କରିବାକୁ ସବୁବେଳେ ଭଲପାଆନ୍ତି ଯଦି ତାଙ୍କ ପାଖରେ ୧୦ଟଙ୍କା ଥାଏ ତେବେ କେହି ଜଣେ ତାଙ୍କୁ ୮ଟଙ୍କା ମଗନ୍ତି ତ ସେ ତାଙ୍କୁ ଦେବାକୁ କେବେ ବି ପଛାଇ ନଥାନ୍ତି । ଏବଂ ୮ଟଙ୍କା ଦେଇ ନିଜେ ୨ଟଙ୍କାରେ ଚଳେଇ ନିଅନ୍ତି । ତେବେ ମାୟା ଦିନକୁ ୪୦ଟା ମାସ୍କ ତିଆରି କରୁଛନ୍ତି ଏବଂ ଏବେ ପର୍ଯ୍ୟନ୍ତ ସେ ୭୦୦ରୁ ୮୦୦ ମାସ୍କ ପ୍ରସ୍ତୁତ କରିସାରିଛନ୍ତି ।

ମୁକ୍ତିମଣ୍ଡପର ମତ: ପରିସ୍ଥିତି ଦୃଷ୍ଟିରୁ ରଥଯାତ୍ରା ବନ୍ଦ ହେଲେ କିଛି ଅସୁବିଧା ନାହିଁ

ପୁରୀ : କରୋନାକୁ ନେଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସଂଦେହ ଲାଗି ରହିଛି । ସାମାଜିକ ଦୂରତା ବଜାୟ ରଖି ରଥଯାତ୍ରା ଆୟୋଜନ କରିବା ପ୍ରଶାସନ ପାଇଁ ଗୋଟିଏ ବଡ ଚ୍ୟାଲେଂଜ । ଏହାରି ଭିତରେ ସୋମବାର ଦିନ ମୁକ୍ତିମଣ୍ଡପ ରଥଯାତ୍ରାକୁ ନେଇ ବଡକଥା କହିଛି । ମୁକ୍ତିମଣ୍ଡପ କହିଛି ଯେ,କୌଣସି କାରଣରୁ ରଥଯାତ୍ରା ଆଯୋଜିତ ହୋଇ ନପାରେ ତେବେ କିଛି ଅସୁବିଧା ନାହିଁ । କାରଣ ଆଗରୁ ମଧ୍ୟ ଅନେକ ଥର ରଥଯାତ୍ରା ବନ୍ଦ ରହିଛି ।

ଅତୀତରେ ରଥଯାତ୍ରା ବନ୍ଦର ଉଦାହରଣ ଦେଇ ମୁକ୍ତିମଣ୍ଡପ ତରଫରୁ କୁହାଯାଇଛି ଯେ, ୩୨୭ ବର୍ଷ ତଳେ ବିଧର୍ମୀଙ୍କ ପୁରୀ ଉପରେ ଆକ୍ରମଣ ସମୟରେ ରଥଯାତ୍ରା ଅନୁଷ୍ଠିତ ହୋଇ ପାରିନଥିଲା । ସଂପ୍ରତିକ ସମୟରେ କରୋନା କାରଣରୁ ସୃଷ୍ଟି ହୋଇଥିବା ବିପଦ କାରଣରୁ ଯଦି ରଥଯାତ୍ରାକୁ ବନ୍ଦ ହୁଏ ତେବେ କିଛି ଅସୁବିଧା ନାହିଁ । ଭକ୍ତ,ସେବାୟତଙ୍କ ସୁରକ୍ଷା କାରଣରୁ ରଥଯାତ୍ରା ବନ୍ଦ କରିବାରେ କିଛି ଅସୁବିଧା ନାହଁ ।

 

କରୋନା କାରଣରୁ ରଥଯାତ୍ରା ନେଇ ମୁକ୍ତିମଣ୍ଡପ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ରଥଯାତ୍ରା ବନ୍ଦ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯିବା ସହ କିଛି ବିକଳ୍ପ ବ୍ୟବସ୍ଥା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଯେମିତିକି ରାସ୍ତା ଅବରୋଧ କରି କେବଳ ପୋଲିସ ଯବାନଙ୍କ ଦ୍ୱାରା ରଥଯାତ୍ରା । ଏଥିରେ କୁହାଯାଇଛି ଯେ, ପୁରୀର ସବୁ ରାସ୍ତା ବନ୍ଦ କରି ରଥଯାତ୍ରା କରାଯାଉ । ଦୁରଦର୍ଶନରେ ମାଧ୍ୟମରେ ରଥଯାତ୍ରା ଭକ୍ତ ଘରୁ ଦେଖିପାରିବେ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।