spot_img
Home Blog Page 7018

ଚୀନ୍‌କୁ କଡ଼ା ସମାଲୋଚନା କଲା ବ୍ରିଟେନ୍‌, କହିଲା ଚୀନ୍‌ ବିଶ୍ୱାସଯୋଗ୍ୟ ଦେଶ ନୁହେଁ

ନୂଆଦିଲ୍ଲୀ: ହଂକଂ ପ୍ରସଙ୍ଗରେ ବ୍ରିଟେନ ଏବଂ ଚୀନ୍ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମନିକ୍ ରାବ ମଙ୍ଗଳବାର କହିଛନ୍ତି ଯେ ଚୀନ୍‌ର ବ୍ୟବହାରକୁ ଦେଖି ତା ଉପରେ ବିଶ୍ୱାସ କରାଯିବା ଉଚିତ ନୁହେଁ । ଖାଲି ଭାରତ ନୁହେଁ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ ମଧ୍ୟ ଚୀନର ଏଭଳି ବ୍ୟବହାର ନେଇ ଚୀନକୁ ଟାର୍ଗେଟ କରିଛନ୍ତି ।

ବ୍ରିଟେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ହଂକଂରେ ନୂଆ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ ହେବା ପରେ ଚୀନ୍‌କୁ ଆନ୍ତର୍ଜାତୀୟ ଦାୟିତ୍ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ । ହଂକଂ ହେଉଛି ବ୍ରିଟେନର ଏକ ଉପନିବେଶ ସ୍ଥାନ । ୧୯୯୭ ରେ ଯେତେବେଳେ ବ୍ରିଟେନ ହଂକଂକୁ ବେଜିଂକୁ ଦେଇଥିଲା, ସେତେବେଳେ ଏହା ଅତି କମରେ ୨୦୪୭ ପର୍ଯ୍ୟ ସହରକୁ ସ୍ୱାଧୀନତା ଦେବାକୁ ନିଶ୍ଚିତ କରିଥିଲା । କିନ୍ତୁ ଚୀନ୍ ନୂଆ ସୁରକ୍ଷା ଆଇନ ଆଣି ବ୍ରିଟେନ ସହିତ ଐତିହାସିକ ଚୁକ୍ତିନାମାକୁ ଉଲ୍ଲଂଘନ କରିଛି । ରାବ କହିଛନ୍ତି, ହଂକଂର ସ୍ୱତନ୍ତ୍ରତା ବଜାୟ ରଖିବାକୁ ଚୀନ୍ ପ୍ରତିଶୃତି ଦେଇଥିଲା ।

 

ଏହା ପାରସ୍ପରିକ ବିଶ୍ୱାସର ବିଷୟ ଥିଲା କିନ୍ତୁ ଏବେ ଅନେକ ଦେଶ ଚୀନ୍ ତାର ଆନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରୁଛି କି ନାହିଁ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ଯେତେବେଳେ ହଂକଂ ସମ୍ବନ୍ଧରେ ଚୀନ୍ ନିଜର ପ୍ରତିଶ୍ରୁତି ପାଳନ କରି ନାହିଁ, ସେତେବଳେ ଏକ ବଡ ଆନ୍ତର୍ଜାତୀୟ ଦାୟିତ୍ୱ କଥା ଆସେ ସେତେବେଳେ ଏହାକୁ କିପରି ବିଶ୍ୱାସ କରାଯାଇପାରିବ ?

ବ୍ରିଟେନରେ ଚୀନ୍ ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ରାବଙ୍କ ଏହି ତୀକ୍ଷ୍ଣ ମନ୍ତବ୍ୟ ଆସିଛି । ଚୀନ୍ ରାଷ୍ଟ୍ରଦୂତ ଲିଓ ସିଓମିଙ୍ଗ ହଂକଂ ପ୍ରସଙ୍ଗରେ ବ୍ରିଟେନ ଚୀନ୍‌ର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି । ବାସ୍ତବରେ, ବ୍ରିଟେନ ହଂକଂର ସାଢ଼େ ତିନି ଲକ୍ଷ ବ୍ରିଟିଶ ପାସପୋର୍ଟଧାରୀ ଏବଂ ପ୍ରାୟ ୨୬ ଲକ୍ଷ ଅନ୍ୟ ଲୋକଙ୍କୁ ପାଞ୍ଚ ବର୍ଷ ପାଇଁ ବ୍ରିଟେନରେ ରହିବାକୁ ସୁଯୋଗ ଦେଇଛି । ଛଅ ବର୍ଷ ପୂରଣ ହେବା ପରେ ସେମାନେ ବ୍ରିଟେନର ନାଗରିକତ୍ୱ ପାଇଁ ମଧ୍ୟ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି ।

 

ଚୀନ୍‌ର ହଂକଂରେ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ ହେବା ପରେ ବ୍ରିଟେନ ଏହି ଘୋଷଣା କରିଛି । ନୂତନ ସୁରକ୍ଷା ଆଇନ ଅନୁଯାୟୀ, ହଂକଂ ଉପରେ ଚୀନ୍‌ର ନିୟନ୍ତ୍ରଣ ଆହୁରି ଦୃଢ଼ ହେବ । ବିଶେଷ ପରିସ୍ଥିତିରେ ପୋଲିସ ବର୍ତ୍ତମାନ କୌଣସି ୱାରେଣ୍ଟ ବିନା ସର୍ଚ୍ଚ ଅପରେସନ କରିବାକୁ ସକ୍ଷମ ହେବ, ସମ୍ପତ୍ତି ଜବତ କରିପାରିବ ଏବଂ ଗଣମାଧ୍ୟମକୁ ମଧ୍ୟ ନିଷିଦ୍ଧ କରିପାରିବ । ହଂକଂରେ ଯେକୌଣସି ବ୍ୟକ୍ତି କେବଳ ସନ୍ଦେହ ଆଧାରରେ ଚୀନ୍‌କୁ ପ୍ରତ୍ୟର୍ପଣ କରାଯାଇପାରିବ ।

ବ୍ରିଟେନକୁ ହଂକଂର ନାଗରିକତ୍ୱ ପ୍ରଦାନ କରିବାକୁ ଚୀନ୍ ମଧ୍ୟ ଧମକ ଦେଇଛି । ଚୀନ୍ କହିଛି, “ଏହା ବ୍ରିଟେନ୍ ର ନିଜସ୍ୱ ପ୍ରତିଶ୍ରୁତି, ଆନ୍ତର୍ଜାତିକ ନିୟମ ଏବଂ ଆନ୍ତର୍ଜାତିକ ସମ୍ପର୍କର ମୌଳିକ ନିୟମଗୁଡିକର ଏକ ଗମ୍ଭୀର ଉଲ୍ଲଂଘନ । ଚୀନ୍ ଏହାକୁ ନିନ୍ଦା କରେ ଏବଂ ଏହା ବିରୋଧରେ ଅଧିକ ପଦକ୍ଷେପ ନେବାକୁ ସମସ୍ତ ଅଧିକାର ଅଛି, ଯାହାକୁ ବ୍ରିଟେନ୍ ବହନ କରିବାକୁ ପଡ଼ିବ ।

ସଂକ୍ରମଣ ଆଗରେ ସମ୍ପର୍କ ଫିକା, ବୃଦ୍ଧଙ୍କୁ ପଲିଥିନ୍‌ରେ ବାନ୍ଧି ରାସ୍ତା କଡ଼ରେ ଫିଙ୍ଗିଦେଲେ ପରିବାର ଲୋକେ; ଆଉ ତା’ପରେ…

ରାଉରକେଲା: ସମ୍ପର୍କ ମଝିରେ ପାଚେରି ସାଜି ଠିଆ ହେଲା କରୋନା ଭୂତାଣୁ । ହଜିଗଲା ମାନବିକତା । କରୋନା ସଂକ୍ରମଣ ସନ୍ଦେହରେ ବୃଦ୍ଧଙ୍କୁ ଜରିରେ ବାନ୍ଧି ରାସ୍ତାକଡ଼ରେ ଫିଙ୍ଗିଦେଲେ ପରିବାର ଲୋକେ ।

ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ । ସଂକ୍ରମଣ ଭୟରେ ସଂପର୍କ ଭୁଲି ପରିବାର ଲୋକ ବି କରିଦେଲେ ପର । ସୀମା ଟପିଗଲା ନିଷ୍ଠୁରତା, ହଜିଗଲା ମଣିଷପଣିଆ ।

ରାଉରକେଲା ସହରର ଟ୍ରାଫିକ ମାର୍କେଟ ନିକଟରୁ ଜଣେ ବୃଦ୍ଧଙ୍କୁ ପଲିଥିନ ଘୋଡାଇ ଫିଙ୍ଗି ଦିଆଯାଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଓ କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରିଛନ୍ତି । ଏହି ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ କିଛି ସମ୍ପର୍କୀୟମାନେ କାରରେ ଆଣି ଏଠାରେ ପକାଇ ଦେଇଥିବା ଅଭିଯୋଗ ହୋଇଛି ।

କରୋନା ସନ୍ଦେହରେ ପରିବାର ଲୋକ ଏଭଳି କରିଥିବା ସନ୍ଦେହ କରାଯାଉଛି । ତେବେ ସ୍ୱେଚ୍ଛାସେବୀମାନେ ବୃଦ୍ଧଙ୍କୁ ଉଦ୍ଧାର କରି ରାଉରକେଲା ସହରର ଟିମ୍ବର କଲୋନୀରେ ଥିବା ଶାନ୍ତି ଭବନରେ ରଖିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, ସଂପର୍କଠୁ ଉପରେ କି ସଂକ୍ରମଣ ?କେମିତି ନିଷ୍ଠୁର ହେଲେ ବୃଦ୍ଧଙ୍କ ପରିବାର ଲୋକେ ? ବୟସର ଅପରାହ୍ନରେ କାହିଁକି ଅଲୋଡ଼ା ହୋଇଯାଉଛନ୍ତି ବୃଦ୍ଧ ?

(ଅବନି ମହାପାତ୍ର)

ଅଟଳ ପେନସନ୍ ଯୋଜନାର ଗ୍ରାହକ ମାନଙ୍କ ପାଇଁ ବଡ଼ ଆଶ୍ୱସ୍ତୀ, ଯେକୌଣସି ସମୟରେ ବଦଳାଇ ପାରିବେ ପେନସନର ରାଶି

ନୂଆଦିଲ୍ଲୀ: Pension Fund Regulatory And Development Authority (PFRDA) ଅଟଳ ପେନସନ ଯୋଜନାର ଲାଭ ନେଉଥିବା ଲୋକମାନଙ୍କୁ ବଡ଼ ଧରଣର ଆଶ୍ୱସ୍ତୀ ଦେଇଛି । ଏହି ଯୋଜନା ଅଧୀନରେ, ବର୍ଷର ଯେକୌଣସି ସମୟରେ ପେନସନ୍ ବୃଦ୍ଧି କିମ୍ବା ହ୍ରାସ କରାଯାଇପାରିବ । ଏହି ନୂତନ ସୁବିଧା ଯୋଜନାରେ ପଞ୍ଜୀକୃତ ୨.୨୮ କୋଟି ଗ୍ରାହକଙ୍କୁ ଉପକୃତ କରିବ । ଜୁଲାଇ ୧ ରୁ ଏହି ନୂତନ ସୁବିଧା କାର୍ଯ୍ୟକାରୀହେଲା ।

ବ୍ୟାଙ୍କକୁ ଦେଲେ ନିର୍ଦ୍ଦେଶ

ବର୍ଷର ଯେକୌଣସି ସମୟରେ ପେନସନ୍ ରାଶି ହ୍ରାସ କିମ୍ବା ବୃଦ୍ଧି ପ୍ରକ୍ରିୟାକରଣ ପାଇଁ PFRDA ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ତେବେ ଆର୍ଥିକ ବର୍ଷରେ କେବଳ ଥରେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏହାପୂର୍ବରୁ କେବଳ ଏପ୍ରିଲରେ ପେନସନ ରାଶି ପରିବର୍ତ୍ତନ କରାଯାଇପାରିବ ।

ଆରମ୍ଭ ହେଲା ଅଟୋ ଡେବିଟ୍ ସୁବିଧା

APY ଅବଦାନ ପାଇଁ ଅଟୋ ଡେବିଟ୍ ସୁବିଧା ୧ ଜୁଲାଇରୁ ପୁନଃ ଆରମ୍ଭ ହୋଇଛି । କରୋନା ମହାମାରୀ ସମୟରେ ଗ୍ରାହକଙ୍କୁ ଆରାମ ପ୍ରଦାନ କରିବାକୁ, PFRDA ୧୧ ଏପ୍ରିଲ ୨୦୨୦ରେ ଏକ ସର୍କୁଲାର ଜାରି କରିଥିଲା ​​ଏବଂ ଅଟୋ ଡେବିଟ୍ ସୁବିଧା ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲା ।

 

ଏହି ଯୋଜନା ଅଧୀନରେ ମାସକୁ ୫ ହଜାର ଟଙ୍କା ପେନସନ୍-

ଅଟଳ ପେନସନ୍ ଯୋଜନା ଅଧୀନରେ ନିବେଶକ ୬୦ ବର୍ଷ ବୟସରେ ପ୍ରତି ମାସରେ ୧୦୦୦ ରୁ ୫୦୦୦ ଟଙ୍କା ପେନସନ୍ ପାଇବେ । ପେନସନ୍ ସମ୍ପୂର୍ଣ୍ଣ ଟିକସଯୋଗ୍ୟ । ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏଥିରେ ବିନିଯୋଗ କରିପାରିବେ ।

ମଜାରେ ମଜାରେ ଅବିନାଶ ଧରିଦେଲେ ଏହି ଧଳା ସାପକୁ, ସ୍ନେକ୍‌ ହେଲ୍ପଲାଇନ୍‌ କହିଲା…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରୁ ଉଦ୍ଧାର ହୋଇଛି ଏକ ବିରଳ ସାପ । ସମ୍ପୂର୍ଣ୍ଣ ଧଳା ଚିକ୍‌ଚିକ୍‌ କରୁଥିବା ଏହି ସାପ ସାଧାରଣତଃ ସବୁଠାରେ ଦେଖିବାକୁ ମିଳି ନଥାଏ । ଏହି ଧଳା ରଙ୍ଗର ବିରଳ ସାପ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ।

White Snake

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ବାଲିସୁଆଁ ଗାଁର ଯୁବକ ଅବିନାଶ ସ୍ୱାଇଁ ସୋମବାର ରାତି ପ୍ରାୟ ୧୦ଟା ବେଳେ ଏକ ରାସ୍ତାକଡ଼ରୁ ଉଦ୍ଧାର କରିଛନ୍ତି ।

ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ । ତେଣୁ କୌତୁହଳ ବଶତଃ ସେ ଏକ ବାଡ଼ି ସାହାଯ୍ୟରେ, ଏକ ପ୍ଲାଷ୍ଟିକ ଡବା ଭିତରେ ସାପଟିକୁ ପୁରେଇ ଦେଇଥିଲେ । ଡବା ଭିତରୁ ଫୋଟୋ ଉଠେଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ । ସୁଭେନ୍ଦୁ ଏହି ଫଟୋ ଦେଖି ଏହା ଲିଉସିଷ୍ଟିକ ଚିତି(Leucistic common krait) ବୋଲି କହିଥିଲେ ।

White Snake

ଆଜି ସକାଳୁ ଶୁଭେନ୍ଦୁଙ୍କ ନିର୍ଦ୍ଦେଶରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ବାଲିସୁଆଁ ଗ୍ରାମରେ ପହଞ୍ଚି ସେହି ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସାପଟି ଚିତି ସାପ ହୋଇଥିବାରୁ ଅନ୍ୟ ସାପ ଚିତି ସାପ ପରି ତା ପାଖରେ ମାରାତ୍ମକ ନ୍ୟୁରୋଟକ୍ସିକ ବିଷ ରହିଥିବା ସ୍ନେକ୍‌ ହେଲ୍ପ ଲାଇନ୍‌ ପକ୍ଷରୁ କୁହାଯାଇଛି ।

ପୋଲିସ୍ କବଜାରେ ସୁଶାନ୍ତଙ୍କ ବିଲ୍ଡିଂର ସିସିଟିଭି ରେକର୍ଡିଂ

ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ୨୪ ଦିନ ବିତି ଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟରେ ରହିଯାଇଛି । ପୋଲିସ ୩୦ ବଡ଼ବଡ଼ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ବି ସୁଶାନ୍ତ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି । ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ମଧ୍ୟ ଉଠିଛି । ସୁଶାନ୍ତଙ୍କ ସାଙ୍ଗମାନେ ତାଙ୍କର ଏହି ମୃତ୍ୟୁକୁ ଆତ୍ମହତ୍ୟା ମାନିବାକୁ ନାରାଜ । ସେମାନଙ୍କ ଅନୁସାରେ ଏହା ହେଉଛି ଏକ ଯୋଜନା ବଦ୍ଧ ହତ୍ୟା ତେଣୁ ଏହି ମାମଲାର ତଦନ୍ତ ସିବିଆଇ ହସ୍ତାନ୍ତର କରିବା ନିହାତି ଆବଶ୍ୟକ । ସୋସିଆଲ ମିଡ଼ିଆରେ ଚାଲିଥିବା ଏହି ଚର୍ଚ୍ଚା ମଧ୍ୟରେ ବାନ୍ଦ୍ରା ପୋଲିସ ପ୍ରତ୍ୟେକ ଦିଗକୁ ନଜର ରଖିଛି । ଏବେ ଏହି ମାମଲାରେ ପୋଲିସ ଆହୁରି ତଦନ୍ତ ଜୋର କରିଛି ଏବଂ ସୁଶାନ୍ତଙ୍କ ବିଲ୍ଡିଂର ସିସିଟିଭି ରେକର୍ଡିଂକୁ ତା ଅଧିନରେ ନେଇଛି ।

ଜାତୀୟ ଗଣମାଧ୍ୟମର ଟ୍ୱିଟ୍ ଅନୁସାରେ, ମୁମ୍ବାଇ ପୋଲିସର ଡିସିପି ଅଭିଶେକ ତ୍ରିମୁଖେ କହିଛନ୍ତି ଯେ, ବାନ୍ଦ୍ରା ସ୍ଥିତ ଯେଉଁ ଘରେ ବଲିଉଡ଼ କଳାକର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁବରଣ କରିଥିଲେ ସେହି ବିଲ୍ଡିଂର ସିସିଟିଭି ରେକର୍ଡିଂ ପୋଲିସ ତା ଅଧିନକୁ ନେଇଛି । ଅଭିଶେକ ତ୍ରିମୁଖେ କହିଛନ୍ତି ଯେ, ତାଙ୍କ ଘରେ କୌଣସି ସିସିଟିଭି ଲାଗିନଥିଲା । ପୋଲିସକୁ ବର୍ତ୍ତମାନ ଫରେସିଂକ୍ ରିପୋର୍ଟର ଅପେକ୍ଷା ରହିଛି ।

ଏହାସହ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ଟ୍ୱିଟର କରାଯାଇଥିବା ଟ୍ୱିଟକୁ ନେଇ ନୋଡେଲ ଠାରୁ ମିଳିବାକୁଥିବା ପ୍ରକ୍ରିୟାର ଅପେକ୍ଷା କରିଛି । ଏହି କଳାକାରଙ୍କ ମୃତ୍ୟୁକୁ ନେଇ ତାଙ୍କ ପ୍ରଂସଶକ ସୋସିଆଲ ମିଡିଆରେ ବାରମ୍ବାର ସିବିଆଇ ତଦନ୍ତର ଦାବି  କରିଥିଲେ । ଫ୍ୟାନଙ୍କ ସହ ରୂପା ଗାଙ୍ଗୁଲି, ଶେଖର ସୁମନ ଏବଂ କେତକ କଳାକାରମାନେ ମଧ୍ୟ  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

୧୪ ଜୁନରେ ସୁଶାନ୍ତଙ୍କ ମୃତ ଶରୀର ପଙ୍ଖାରେ ଝୁଲନ୍ତା ଅବସ୍ତାରେ ମିଳିଥିଲା, ଯଦିଓ ପୋଲିସକୁ ତାଙ୍କ ପାଖରୁ କୌଣସି ସୁଇସାଇଡ୍ ନୋଟ ମିଳିନଥିଲା । ଏହି ମାମଲାରେ ବାନ୍ଦ୍ରା ପୋଲିସ ସବୁ ପ୍ରକାର ଦିଗ ପ୍ରତି ଖୋଳତାଡ଼ କରିବା ଆରମ୍ଭ କରିଛି । ଏମିତିକି ସୁଶାନ୍ତ ସାଙ୍ଗଙ୍କ ସହ ବଲିଉଡ଼ ନାମିଦାମି ହସ୍ତିମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ତାଙ୍କ ମୃତ୍ୟୁ ପରେ ହିଁ ବଲିଉଡ଼ରେ ନେପୋଟିଜିମ୍ କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି ।

ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ରୋଗୀ ଏବଂ କୋଭିଡ୍‌ ଯୋଦ୍ଧା ମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

CM Naveen

କୋଭିଡ୍‌ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍‌ କେୟାର ହୋମ୍‌ର ତଦାରଖ ପାଇଁ ଅନଲାଇନ୍ ଏଣ୍ଟ୍ରିର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହା ସହିତ ବିଭିନ୍ନ କୋଭିଡ୍‌ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।

ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍‌ସ୍ପଟ୍‌ ଜିଲ୍ଲା ମାନଙ୍କରେ ଆଣ୍ଟିଜେନ ଟେଷ୍ଟ  କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ହଟ୍‌ସ୍ପଟ୍‌ ସହର ମାନଙ୍କରୁ ଯେପରି କମ୍‌ ସଂଖ୍ୟାରେ ଟ୍ରେନ୍‌ ଓ ବିମାନ ଆସିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗତ ଜୁନ୍‌ ୨୯ ତାରିଖ ଦିନ ହୋଇଥିବା ସମୀଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍‌ ପରିଚାଳନା ପାଇଁ ଏକ ନବସୂତ୍ରୀ ପରାମର୍ଶ ଦେଇଥିଲେ । ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟର ପ୍ରତି ପଞ୍ଚାୟତରେ ଗ୍ରାମ କଲ୍ୟାଣ ସମିତି ସ୍ତରରେ ୪୭,୬୧୩ ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ଏହାର ସଦସ୍ୟମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି । ସେହିପରି ଗ୍ରାମ ପଞ୍ଚାୟତ ଗୁଡ଼ିକରେ ୪୯, ୨୧୮ ଶଯ୍ୟା ବିଶିଷ୍ଟ ୫,୪୮୦ କୋଭିଡ୍‌ ଗୃହ ସ୍ଥାପନ କରାଯାଇଛି । ଏହା ସହିତ ୩୭,୯୯୮ ଶଯ୍ୟା ବିଶିଷ୍ଟ ୧,୧୦୫ଟି ଟିଏମସି କ୍ଲଷ୍ଟର ମଧ୍ୟ କାର୍ଯ୍ୟ କରୁଛି ।

Corona Medicine

୧୧୪ଟି ପୌରାଞ୍ଚଳରେ ୨୦୩୫ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ୫,୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଗୃହ ମଧ୍ୟ ସ୍ଥାପନ କରାଯାଇଛି । ଏହା ସହିତ ୫୮,୯୮୮ ଶଯ୍ୟା ବିଶିଷ୍ଟ ୮୧୮ଟି TMC କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।

ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ୩ ଲକ୍ଷରେ ପହଞ୍ଚିଥିବା ବେଳେ କେବଳ RMRC ଦ୍ୱାରା ଏକ ଲକ୍ଷ ଟେଷ୍ଟ କରାଯାଇଛି । ମାର୍ଚ୍ଚ ମାସରେ ରାଜ୍ୟରେ କେବଳ RMRCରେ ପରୀଷା କରାଯାଉଥିବା ବେଳେ ବର୍ତ୍ତମାନ ୧୯ଟି ଲାବୋରେଟୋରୀରେ ପରୀକ୍ଷା କରାଯାଉଛି । ଆଗାମୀ ଦିନରେ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ କେନ୍ଦୁଝରଠାରେ ମଧ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯଇଛି । ପୁରୀ, ଭୁବନେଶ୍ୱର ଓ ଗଞ୍ଜାମରେ ସେରୋଲୋଜିକାଲ ଟେଷ୍ଟ । ଏବଂ ଗଞ୍ଜାମକୁ ଆଣ୍ଟିଜେନ ଟେଷ୍ଟ ପାଇଁ ଅଧିକ କିଟ୍‌ ପଠାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୨୬ ହଜାର ଶଯ୍ୟା ଥିବା ବେଳେ ବର୍ତ୍ତମାନ ୩,୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ କୋଭିଡ୍‌ ଗୃହରେ ରଖି ଚିକିତ୍ସା ସେବା ଯୋଗାଇ ଦେବା ଏବଂ କେବଳ ଗୁରୁତର ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ପର୍କରେ ଅଧିକ ବିଚାର ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଆଣ୍ଟିଜେନ୍‌ ଟେଷ୍ଟ ପରେ ହିଁ ଜରୁରୀ ଶଲ୍ୟ ଚିକିତ୍ସା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସାମାଜିକ ଦୂରତା ଓ ମାସ୍କର ବ୍ୟବହାର କୋଭିଡ୍‌ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ସରକାରୀ କାର୍ଯ୍ୟଗୁଡିକୁ ଜିରୋ ଇନଫେକ୍ସନ୍ ଜୋନ୍ କରିବା ପାଇଁ ନିଆଯାଇଥିବା ପଦକ୍ଷେପ, କୋଭିଡ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

FILE

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହା ନିର୍ଦ୍ଦେଶକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ପ୍ରମୁଖ ଯୋଗ ଦେଇଥିଲେ ।

(ଭୁବନେଶ୍ୱରରୁ ଅଜିତ ଦାସ)

ଓଡ଼ିଶାକୁ ଜାଣି ନାହାନ୍ତି ରାମ ଗୋପାଲ ! ଏମିତି କହି ଟ୍ରୋଲ୍ ହେଲେ ରାମୁ

ହାଇଦ୍ରାବାଦ: ରାମ ଗୋପାଲ ବର୍ମା ସତ୍ୟା,କମ୍ପାନୀ ଭଳି ଫିଲ୍ମର ନିର୍ଦ୍ଦେଶକ । ନିଜ ନୂଆ ଫିଲ୍ମ ଥ୍ରିଲରରେ ଜଣେ ଓଡ଼ିଆ ଝିଅ ଅପସରାଙ୍କୁ ସୁଯୋଗ ଦେଇଛନ୍ତି । ଅପସରାଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରି ସେ ଟ୍ୱିଟ୍ କରିଥିଲେ । ଟ୍ୱିଟରେ ଲେଖିଥିଲେ ୧୯୯୯ ମସିହା ପରଠାରୁ ଓଡ଼ିଶାକୁ ଜାଣିନଥିଲି  । ହୁଏତ ରାମଗୋପାଳଙ୍କ କହିବା ହେଉଛି ଓଡ଼ିଶା ବାବଦରେ ଅଧିକ କିଛି ୧୯୯୯ ମସିହା ପରଠାରୁ ସେ ଶୁଣି ନାହାନ୍ତି । ତାଙ୍କ ଅନୁସାରେ ଅପସରାଙ୍କୁ ଦେଖିବା ପରେ ତାଙ୍କୁ ଲାଗିଲା ଯେ, ଓଡ଼ିଶାରେ ଟ୍ୟାଲେଣ୍ଟ୍ ଅଛି । ଏପର୍ଯ୍ୟନ୍ତ ତ’ ଠିକ୍ ଥିଲା କିନ୍ତୁ ରାମ ଗୋପାଳଙ୍କ ଟ୍ୱିଟରେ ଓଡ଼ିଶାକୁ ଓରିସା ଲେଖିବା ଓ ସେ ଓଡ଼ିଶାକୁ ଜାଣି ନାହାନ୍ତି ବୋଲି କହିବା ତାଙ୍କୁ ମହଙ୍ଗା ପଡିଛି । ନିଜ ବିବାଦୀୟ ଟ୍ୱିଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାମୁଙ୍କୁ ଏଥିପାଇଁ ଏବେ ଟ୍ରୋଲ୍ ହେବାକୁ ପଡୁଛି । ଦେଖନ୍ତୁ ଟ୍ୱିଟରେ କ’ଣ କହିଛନ୍ତି ରାମ ଗୋପାଳ ବର୍ମା

ରାମୁଙ୍କ ଭୂଗୋଳ ମାନେ ଜିଓଗ୍ରାଫି ଜ୍ଞାନକୁ ନେଇ କେହି ୟୁଜର ପ୍ରଶ୍ନ ଉଠାଇଛନ୍ତି ତ କିଏ ତାଙ୍କ ବନାନ ଜ୍ଞାନ ଆଡକୁ ଆଙ୍ଗୁଳି ଦେଖାଇଛନ୍ତି । ଜଣେ ୟୁଜର ରାମୁଙ୍କୁ ଓଡ଼ିଶାର ବନାନ ଠିକ ଭାବେ ଲେଖିବାକୁ କହିଛନ୍ତି ।

ସିନେମା କା ଦିୱାନା ଭଳି ବ୍ରିଜେସ ସିଂ ନାମକ ୟୁଜର ମଧ୍ୟ ରାମ ଗୋପାଳ ବର୍ମାଙ୍କୁ ବନାନ ଠିକ୍ କରିବାକୁ ପରାମର୍ଶ ଦେଇଛନ୍ତି ।

ଆଉ ଜଣେ ତାଙ୍କ ଭୂଗୋଳ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଲାଗୁଛି ମାଫିଆ,ମର୍ଡର ମିଷ୍ଟ୍ରି ଫିଲ୍ମ ତିଆରି କରି ରାମୁ ତାଙ୍କ ଭୂଗୋଳ ଜ୍ଞାନ ଭୁଲି ଗଲେଣି । ନହେଲେ ଘର ପାଖ ରାଜ୍ୟ କଥା ଗଲା ୨୧ ବର୍ଷ ହେଲା ଶୁଣି ନାହାନ୍ତି ବୋଲି କହିନଥାନ୍ତେ ।

ରାମୁଙ୍କ ଭୂଗୋଳ ଜ୍ଞାନ ଉପରେ ପ୍ରଶ୍ନ ଉଠିବାର କାରଣ ହେଲା ଏକ ତ’ ସେ ଭାରତୀୟ ପୁଣି ତାଙ୍କ ପୁରୁଣା ଘର ଅବିଭିବକ୍ତ ଆନ୍ଧ୍ରପ୍ରଦେଶର ପଡ଼ୋଷୀ ହେଉଛି ଓଡ଼ିଶା । ଏମିତିରେ ଓଡ଼ିଶାକୁ ରାମୁ ଜାଣି ନଥିବା କହିବା ତାଙ୍କ ଅଜ୍ଞାନତା ନା ଫାଜିଲାମି ?

ଜଣେ ୟୁଜର୍ ତ’ ରାମୁଙ୍କୁ ନିଜ ଦେଶର ଭୂଗୋଳ ପଢନ୍ତୁ ବୋଲି ପରାମର୍ଶ ଦେବାକୁ ଭୁଲି ନାହାନ୍ତି । ଏବେ ରାମୁ ଏ ବୟସରେ ଭୂଗୋଳ ପଢିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଅଭିନେତା ବିଜୟଙ୍କ ମୃତ୍ୟୁ ଗୁଜବ, ରୁଜୁ ହେଲା ମାମଲା

ଭୁବନେଶ୍ୱର: ସୁଧୁରୁଛି ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା । ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଭଲ ହେବାରେ ଲାଗିଛି । କିନ୍ତୁ, କିଛି ୱେବ ପୋର୍ଟାଲ୍ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରକାଶ କରି ଅପପ୍ରଚାର କରୁଛନ୍ତି । ଏଭଳି ଗୁଜବ ସୃଷ୍ଟି କରୁଥିବା ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିନେ ଆର୍ଟିଷ୍ଟ ଆସୋସିଏସନ୍ । ଗୁଜବ ଖବର ପରିବେଷଣ କରୁଥିବା ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଓଲିଉଡର ଭେଟେରାନ୍ ଅଭିନେତା ବିଜୟ ମହାନ୍ତି ଆରୋଗ୍ୟ ଲାଭ କରୁଥିବା ବେଳେ ସୋମବାର ରାତିରେ ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଥିଲା ଏକ ୱେବସାଇଟ୍ । ସମ୍ପୃକ୍ତ ୱେବସାଇଟ୍ ବିରୋଧରେ କଳିଙ୍ଗ ସିନେ ଆର୍ଟ୍ସ ଫାଉଣ୍ଡେସନ୍ ପକ୍ଷରୁ ଇନଫୋସିଟି ଥାନାରେ ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଏତଲା ଦାଏର ହୋଇଛି ।

କିଛିଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦରେ ରହୁଥିବା ଝିଅ ପାଖକୁ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବିଜୟଙ୍କୁ ଆଣି ରାଜଧାନୀର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

(ଭୁବନେଶ୍ୱରରୁ ଶତ୍ରୁଘ୍ନ ବିଶ୍ୱାଳ)

ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମରେ ଓଡ଼ିଆ ନାୟିକା, ଜାଣନ୍ତୁ କିଏ…

ମୁମ୍ବାଇ:  ନାଚ,ଗୀତ ହେଉ କିମ୍ବା ଅଭିନୟ ଏବେ ସବୁ କ୍ଷେତ୍ରରେ ଓଡିଆ ଆଗରେ । ଓଡିଶାରୁ ଅଧିକରୁ ଅଧିକ ଯୁବ ପ୍ରତିଭା ବଲିଉଡରେ ନିଜ ପ୍ରତିଭା  ଦେଖାଉଥିବା ବେଳେ ରାଜ୍ୟର ଆଉ ଜଣେ ନୂଆ ତାରକା ଆସିଛନ୍ତି ଯିଏ ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଓରଫ୍ ରାମୁଙ୍କ ଆଗାମୀ ଫିଲ୍ମ ପାଇଁ ନାୟିକା ହୋଇଛନ୍ତି । ଏନେଇ  ରାମୁ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ଏହି ଓଡିଆ ଝିଅ ଫିଲ୍ମ ‘ଥ୍ରୀଲର’ ମାଧ୍ୟମରେ ବଲିଉଡରେ ପାଦ ଦେବେ । ନାଁ ତାଙ୍କର ଅପସରା ରାଣୀ । ଅପସରାଙ୍କ ଘର ଓଡିଶାରେ ଥିବା ବେଳେ ସେ ଡେରାଡୁନରେ ଛୋଟରୁ ବଡ ହୋଇଛନ୍ତି । ବର୍ତ୍ତମାନ ସେ ହାଇଦ୍ରାବାଦରେ ରହୁଛନ୍ତି । ସେ ପୂର୍ବରୁ ମିଆ ମାଲକୋଭାଙ୍କ ଅଭୀନିତ ଫିଲ୍ମ ‘କ୍ଲାଇମାକ୍ସ’ ଏବଂ ସୁଇଟିଙ୍କ ‘ନେକେଡ’ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଲ୍ମର ସଫଳତା ପରେ ଆରଜିଭି ୱାର୍ଲ୍ଡ ଥିଏଟର ତା’ର ଆଗାମୀ ଫିଲ୍ମ ପାଇଁ ଅପସରାଙ୍କୁ ନାୟିକା କରିଛି । 

ରାମ ଗୋପାଳ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଅପସରା ରାଣୀ ଜଣେ ଚମତ୍କାର ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ । ଅପସରା ଓଡିଶାର ବୋଲି ମୁଁ ଜାଣି ନଥିଲି । ୧୯୯୯ ମହାବାତ୍ୟା ପରେ ଓଡିଶା ବିଷୟରେ ଜାଣିବାକୁ ପାଇନଥିଲି । ତାଙ୍କୁ ଦେଖା କରିବା ପରେ ଜାଣିଲି ଏତେ ସୁନ୍ଦର ପ୍ରତିଭା ଓଡିଶାରେ ଅଛନ୍ତି ।

ଏହା ପୂର୍ବରୁ ଓଡିଶାର ଆଉ ଜଣେ ଝିଅ ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ ଆନନ୍ଦ ଏଲ୍ ରାୟଙ୍କ “ଜିରୋ’’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଶାହରୁଖ୍ ଖାନ୍, ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କେଫଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା ।

ଅଶୁଭ ୨୦୨୦: ବର୍ଷ ଆରମ୍ଭରୁ ବିପଦ ହିଁ ବିପଦ

ଲୋକମାନେ ଆଶା କରିଥିଲେ ଯେ ୨୦୨୦ ମସିହା ଖୁବ ଶୁଭପ୍ରଦ ହେବ ଏବଂ ସମସ୍ତଙ୍କ ଜୀବନ ଖୁସିମୟ ହେବ । କିନ୍ତୁ ବର୍ଷ ତମାମ ଏତେ ଭଙ୍କର ଘଟଣା ମାନ ଘଟିଚାଲିଛି ଯେ ଏହି ବର୍ଷକୁ ବିଗତ ଏକ ଦଶଦ୍ଧି ଧରି କେହି ଭୁଲିପାରିବେ ନାହିଁ ।  ବର୍ତ୍ତମାନ ବର୍ଷର କେବଳ ୬ ମାସ ସରିଥିବାବେଳେ ଏତେ କମ ସମୟରେ ଲୋକମାନେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିସାରିଲେଣି । ବର୍ଷ ଆରମ୍ଭ ହିଁ ନିଆଁ ଏବଂ ରୋଗକୁ ନେଇ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ହୋଇଥିବା କିଛି ବଡ଼ ବିପର୍ଯ୍ୟୟ ବିଷୟରେ ।

୧. ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ

ଗୋଟିଏ ପଟେ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିଯାଇଥିବା ବେଳେ ଅନ୍ୟପକ୍ଷରେ ଚାଇନାରୁ ଆସିଥିବା ଏକ ଜୀବାଣୁ ବିଶ୍ୱକୁ ଭୟଭୀତ କରୁଥିଲା । ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡରେ ୧.୨୫ ବିଲିୟନ ବା ପ୍ରାୟ ୧୨୫ କୋଟି ପ୍ରାଣୀ ପ୍ରାଣ ହରାଇଛନ୍ତି । ୨.୭୨ କୋଟି ଏକର ଜଙ୍ଗଲ, ଶାଳ, ଗଛ, ପ୍ରାକୃତିକ ପାର୍କ ପାଉଁଶରେ ପରିଣତ ହେଲା । ଏହି ଅଗ୍ନିକାଣ୍ଡରେ ସମୁଦାୟ ୯୩୫୨ କୋଠା ନଷ୍ଟ ହୋଇଯାଇଛି । ସେଥିମଧ୍ୟରୁ ୩୫୦୦ରୁ ଅଧିକ ଲୋକ ଘରେ ଥିଲେ । ଏହି ଅଗ୍ଲିକାଣ୍ଡରେ ୪୫୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨. ବିଶ୍ୱମହାମାରୀ କରୋନା ଭାଇରସ

କରୋନାଭାଇରସ୍ ଦ୍ୱାରା ସମଗ୍ର ବିଶ୍ୱ ବର୍ତ୍ତମାନ ଅସୁବିଧାରେ ପଡିଛି ଏବଂ ଏହା କବଳରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି । ଗତ ବର୍ଷ ନଭେମ୍ବରରେ ଚୀନ୍ ଠାରୁ ଆରମ୍ଭ ହୋଇଥିବା ଏହି ଜୀବାଣୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିଦେଇଛି । ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ୧.୧୫ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୫.୩୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ସଂକ୍ରମିତ ଲୋକ ଆମେରିକା, ବ୍ରାଜିଲ ଏବଂ ଭାରତରେ ଅଛନ୍ତି । ବର୍ତ୍ତମାନ ଏହି ରୋଗର କୌଣସି ଉପଶମ ନାହିଁ କିମ୍ବା କୌଣସି ଟିକା ପ୍ରସ୍ତୁତ କରାଯାଇପାରି ନାହିଁ । ବିଶ୍ୱର ବିଭିନ୍ନ ସ୍ଥାନରୁ ଡାକ୍ତର ଏବଂ ବୈଜ୍ଞାନିକମାନେ ଏହି ଜୀବାଣୁ ବିରୋଧରେ ଟିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

୩. ଆଗ୍ନେୟଗିରିରେ ବିସ୍ଫୋରଣ

ଫିଲିପାଇନ୍ସର ତାଲ ଆଗ୍ନେୟଗିରିରେ ୧୩ ଜାନୁଆରୀ ପାଖାପାଖି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ତାଗେତେ ସହରରେ ୭୫ଟି ଭୂକମ୍ପ ହୋଇଥିଲା । ପାଉଁଶର ମେଘ ପ୍ରାୟ ୫୦ ହଜାର ଫୁଟ ଉଚ୍ଚରେ ସୃଷ୍ଟି ହେଇଥିଲା । ପାଉଁଶର ମେଘ ଏତେ ଚାର୍ଜ ଥିଲା ଯେ ତାହା ଆକାଶରୁ ବିଦ୍ୟୁତ୍ ଟାଣି ନେଉଥିଲେ । ପାଉଁଶ ୧୧୦ କିଲୋମିଟର ଦୂରରେ ଥିବା ରାଜଧାନୀ ମାନିଲାରେ ପହଞ୍ଚିଥିଲା । ପ୍ରାୟ ୨୫୩୪ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

୪. ଅନେକ ଦେଶରେ ପଙ୍ଗପାଳଙ୍କ ଆତଙ୍କ

ତା’ପରେ ଏନେକ ଦେଶରେ ଆରମ୍ଭ ହେଲା ପଙ୍ଗପାଳଙ୍କ ଆକ୍ରମଣ । ଜୁନ୍ ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ପଙ୍ଗପାଳ ଆକ୍ରମଣ ଥମିବାର ନାଆ ଧରୁନି । ଏହି ଛୋଟଛୋଟ ପଙ୍ଗପାଳ ୧୬ ଟି ଦେଶକୁ ଥରାଇ ଦେଇଥିଲା । ଏହି ଦେଶଗୁଡ଼ିକ ହେଉଛି ସୋମାଲିଆ, କେନିଆ, କଙ୍ଗୋ, ଜିବୌତୀ, ଇରିଟ୍ରୟା, ଇଥିଓପିଆ, ଦକ୍ଷିଣ ସୁଦାନ, ସୁଦାନ, ଉଗାଣ୍ଡା, ୟେମେନ, ଭାରତ, ପାକିସ୍ଥାନ, ଇରାନ, ନେପାଳ, ଆର୍ଜେଣ୍ଟିନା ଏବଂ ପାରାଗୁଏ | ହଜାର ହଜାର ଏକରରେ ଥିବା ଫସଲକୁ ସେମାନେ ନଷ୍ଟ କରିଦେଇଥିଲେ । ତେବେ ଏହି ପଙ୍ଗପାଳଙ୍କ ପାଇଁ ମଧ୍ୟ ଏୟାବତ କୌଣସି ଉପଶମ ବାହାରିନାହିଁ ।

୫. ଭୂମିକମ୍ପ

ଚଳିତ ବର୍ଷ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୬୮୬୯ଟି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ମଧ୍ୟରୁ ୫ ଟି ୭.୦ ରୁ ୭.୯ ମଧ୍ୟରେ ରହିଛି । ୫୩ କମ୍ପନ ୬.୦ ରୁ ୬.୯ ମଧ୍ୟରେ ରହିଛି । ୬୯୩ ଭୂକମ୍ପ ୫.୦ ରୁ ୫.୯ ମଧ୍ୟରେ ଏବଂ ବାକି ୬୧୧୮ କମ୍ପନ ୪.୦- ୪.୯ ତୀବ୍ରତା ମଧ୍ୟରେ ହୋଇଥିଲା । ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୫ ଜଣଙ୍କର ମୃତ୍ୟୁ ଘଟିସାରିଛି । ୨୮ ଜାନୁଆରୀରେ ଜାମାଇକାରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା ​ । ଏହାର ତୀବ୍ରତା ୭.୭ ଥିଲା । କିନ୍ତୁ ଏଥିରେ କୌଣସି ଜନ ଜୀବନ ହାନି ହୋଇନଥିଲା । ଏଥି ସହିତ, ଜାନୁଆରୀ ୨୪ ରେ ତୁର୍କୀରେ ୬.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

୬. ବିଶାଖାପାଟଣାରେ ବିଶାକ୍ତ ଗ୍ୟାସ ଲିକ୍

ମେ ୭ ରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରେ ଗ୍ୟାସ୍ ଲିକ୍ ହେବା ଫଳରେ ଶହ ଶହ ଲୋକ ଅସୁସ୍ଥ ହୋଇପଡିଥିଲେ। ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଥିଲା, ଯାହା କାରଣରୁ ସ୍ଥାନୀୟ ଲୋକ ମୁଣ୍ଡ ବିନ୍ଧା, ବାନ୍ତି ଏବଂ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହ ଶହ ଶହ ଲୋକଙ୍କୁ ଡାକ୍ତରଖାନା ନିଆଯାଇଥିଲା । ରାସ୍ତାରେ ଲୋକମାନେ ଅଚେତ ହୋଇ ପଡ଼ିରହିଥିବା ଦୃଶ୍ୟ ସମସ୍ତଙ୍କୁ ବିବ୍ରତ କରିଥିଲା । ଏହି ଗ୍ୟାସ ଲିକରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ।

୭. ସାଇକ୍ଲୋନ୍ ଅମ୍ଫାନ 

ମଇ ୧୬ ରୁ ମେ ୨୧, ୨୦୨୦ମଧ୍ୟରେ ସାଇକ୍ଲୋଥନ୍ ଅମ୍ଫାନ ବଙ୍ଗୋପସାଗରରେ ଆଘାତ କରିଥିଲା  । ଏହି ବାତ୍ୟାରେ ୧୨୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘୂର୍ଣ୍ଣିବଳୟ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଘଣ୍ଟା ପ୍ରତି ୨୪୦ ରୁ ୨୬୦ କିଲୋମିଟର ବେଗରେ ପବନ ସୃଷ୍ଟି କରିଥିଲା। ଏହାଦ୍ୱାରା ୧.୦୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ଏହା ଦ୍ୱାରା ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଭୁଟାନ ଭଳି ଦେଶ ପ୍ରଭାବିତ ହୋଇଥିଲା ।

ଦକ୍ଷିଣ ଆଫ୍ରିକାରେ ହାତୀଙ୍କ ରହସ୍ୟ ଜନତ ମୃତ୍ୟୁ 

ଦକ୍ଷିଣ ଆଫ୍ରିକାର ବୋଟସୱାନା ଠାରେ ୩୫୦ରୁ ଅଧିକ ହାତୀ ରହସ୍ୟମୟ ଭାବରେ ମୃତ୍ୟୁ ବରଣ କରିଥିଲେ । ଏହି ହାତୀମାନଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସ୍ଥାନୀୟ ଲୋକ କହିବା ଅନୁଯାୟୀ ଅଧିକାଂଶ ହାତୀଙ୍କ ମୃତ ଦେହ ଜଳାଶୟ ନିକଟରୁ ଜବତ କରାଯାଇଛି । ବର୍ତ୍ତମାନ ବୋଟସୱାନା ସରକାର ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ହାତୀମାନଙ୍କୁ ବିଷ ଦିଆଯାଇଥିଲା ନା କିଛି ଅଜ୍ଞାତ ରୋଗ ହେତୁ ସେମାନଙ୍କ ମୃତ୍ୟୁ ହୋଇଥିଲା ।

୮. ଆଣ୍ଟାର୍କଟିକା ସମୁଦ୍ରରେ ସବୁଜ ଶାଗ

ପୂର୍ବରୁ ଆଣ୍ଟାର୍କଟିକାର ଚିତ୍ର ଧଳା ଆସୁଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ସବୁଜ ରଙ୍ଗ ମିଳିବାରେ ଲାଗିଛି । ଏହି ସବୁଜ ରଙ୍ଗ ଆଣ୍ଟାର୍କଟିକାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳୁଛି । ବୋଧହୁଏ କିଛି ବର୍ଷ ମଧ୍ୟରେ ସମଗ୍ର ଆଣ୍ଟାର୍କଟିକାରେ ସବୁଜ ତୁଷାର ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ବୈଜ୍ଞାନିକମାନେ ଆଣ୍ଟାର୍କଟିକାର ୧୬୭୯ଟି ସ୍ଥାନରେ ଏହି ସବୁଜ ବରଫର ପ୍ରମାଣ ପାଇଛନ୍ତି । ବୌଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାର ବରଫ ସବୁଜ ହେବାର କାରଣ ହେଉଛି ଏକ ପ୍ରକାର ସମୁଦ୍ର ଶାଗ ।

୯. ଚାଇନାରେ ପୁଣି ପୁଣି ବ୍ୟପୁଛି ମାରାତ୍ମକ ରୋଗ ବୁବୋନିକ୍ ପ୍ଲେଗ୍

ଏବେ ପୁଣି ଥରେ ଚାଇନାରୁ ଏକ ବିପଦପୂର୍ଣ୍ଣ ଏବଂ ମାରାତ୍ମକ ରୋଗ ବ୍ୟାପିବାର ବିପଦ ରହିଛି । ଏହି ରୋଗର ନାମ ହେଉଛି ବୁବୋନିକ୍ ପ୍ଲେଗ୍ । ଏହି ରୋଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ମାରି ସାରିଛି । ଏହି ମାରାତ୍ମକ ରୋଗ ବିଶ୍ୱକୁ ୩ ଥର ଆକ୍ରମଣ କରିସାରିଛି । ପ୍ରଥମ ଥର ପାଇଁ ଏହା ୫ କୋଟି, ଦ୍ୱିତୀୟ ଥର ସମଗ୍ର ୟୁରୋ ଜନସଂଖ୍ୟାର ଏକ ତୃତୀୟାଂଶ ଏବଂ ତୃତୀୟ ଥର ୮୦ ହଜାର ଲୋକଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିଲା । ଏବେ ପୁଣି ଥରେ ଚାଇନାରେ ଏହି ରୋଗ ବୃଦ୍ଧି ପାଉଥିବା ସୂଚନା ରହିଛି ।