spot_img
Home Blog Page 7051

ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେବା ପରେ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ସଟ୍‌ଡାଉନ୍‌

ଦିଗପହଣ୍ଡି: କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆଜି ସନ୍ଧ୍ୟାରେ  ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ଚଣ୍ଡଙ୍କ ଅନୁରୋଧ କ୍ରମେ ସମଗ୍ର ପଞ୍ଚାୟତକୁ ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି।

ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ଥିବା କିଛି ମହାରାଷ୍ଟ୍ର ଓ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ କରୋନା ସଂକ୍ରମିତ‌ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ  ମାଜିଷ୍ଟ୍ରେଟ   ତଥା ତହସିଲଦାର  ଦିଗପହଣ୍ଡି  ବିଡିଓ କୋଭିଡ ୧୯ ନୋଡାଲ ଅଧିକାରୀ ଚିକିଟି ଏସଡିପିଓ  ନୂଆଗାଁ ଥାନା ଆଇଆଇସି ପ୍ରମୁଖ ସଂମ୍ପୃକ୍ତ ଇଲାକାରେ ପହଞ୍ଚି ସମଗ୍ର ପଞ୍ଚାୟତକୁ  ୧ ସପ୍ତାହ ବ୍ୟାପୀ ସଟଡାଉନ୍ ଘୋଷଣା କରାଯାଇଛି । ପଞ୍ଚାୟତ ଅଧୀନ ସମସ୍ତ ଗାଁ ରେ ଘରୁ ନବହାରିବା ପାଇଁ ମାଇକ ଯୋଗେ ପ୍ରଚାର ସହ ସମ୍ପୃକ୍ତ ଇଲାକାକୁ କଣ୍ଟ୍ରୋଲ ଜୋନ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ଜାରି ରହିଛି।

ଲକ୍‌ଡାଉନ୍ ବୃଦ୍ଧି‌ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡ଼ିଲେ ଶାହ

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ମଇ ୩୧ ପରେ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରିବା ନେଇ ସେମାନଙ୍କ ମତାମତ ଲୋଡ଼ିଛନ୍ତି ଶ୍ରୀ ଶାହ  । ଲକ୍‌ଡାଉନ୍‌ ୪.୦ ଶେଷ ହେବାର ୩ ଦିନ ପୂର୍ବରୁ ଫୋନ୍‌ ଯୋଗେ କଥା ହୋଇ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡ଼ିଛନ୍ତି ଶାହ । ସୂଚନା ଯେଗ୍ୟ  ମାର୍ଚ୍ଚ ୨୫ ତାରିଖରେ ସାରାଦେଶରେ ଲାଗୁ ହୋଇଥିଲା ଲକ୍‌ଡାଉନ୍‌ । ଇତିମଧ୍ୟରେ ଲକ୍‌ଡାଉନ୍‌ର ୩ ପର୍ଯ୍ୟାୟ ଶେଷ ହୋଇଛି । ଏବଂ ୪ର୍ଥ ପର୍ଯ୍ୟାୟ ଜାରି ରହିଛି । ଏଭଳି ସମୟରେ ଆଗକୁ ଲକ୍‌ଡାଉନକୁ ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ମତାମତା ଲୋଡ଼ିଛନ୍ତି ଅମିତ ଶାହ  । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦ୍ୱନ୍ଦ୍ୱରେ ଷ୍ଟାଣ୍ଡକୁ ଆସିଲେନି ଯାତ୍ରୀ: କିଛି ସ୍ଥାନରେ ବିନା ଯାତ୍ରୀରେ ଗଡ଼ିଲା ବସ୍‌

ଭୁବନେଶ୍ୱର: ଲକଡାଉନ 4.0ର ଶେଷ ଭାଗରେ ରାଜ୍ୟରେ ଗଡ଼ିଛି ଘରୋଇ ବସ । ପ୍ରଥମ ଦିନରେ ହାତ ଗଣତି ବସ ଗଡିଥିବାବେଳେ କିଛି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍‌ ଯାତ୍ରା ଆରମ୍ଭ ହୋଇପାରିନି । ତେବେ ଅନେକ ଥର ନିଷ୍ପତ୍ତି ପରିବର୍ତ୍ତନ ଯୋଗୁ ବସ୍‌ ଚାଲିବ କି ନାହିଁ ସେହି ଦ୍ୱନ୍ଦ୍ୱରେ ଷ୍ଟାଣ୍ଡକୁ ଆସିନଥିଲେ ଯାତ୍ରୀ ।

ତେଣୁ ତାଳଚେରରେ ବିନା ଯାତ୍ରୀରେ ବସ୍‌ ଗଡ଼ଥିବା ଦେଖିବାକୁ ମିଳିଛି । ତେବେ ବସ୍‌ ଗଡିବାକୁ ନେଇ ଏବେ ବି ଅନେକ ସମସ୍ୟା ରହିଛି । ବସ ଚଳାଇବାକୁ ଡ୍ରାଇଭର ରାଜି ହେଉନଥିବାବେଳେ ଅନେକ ଗାଡ଼ି ଅଚଳ ହୋଇ ପଡ଼ିରହିଛି ।

ରାତି ପାହିଲାବେଳକୁ ବସ ଷ୍ଟାଣ୍ଡରେ ପହଞ୍ଚିଯାଇଥିଲେ ଯାତ୍ରୀ ।  ବସ ଚାଲିବା ନିଷ୍ପତ୍ତି ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଯାତ୍ରୀଙ୍କ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ବାସ୍ତବ ରୂପ ଥିଲା ଆଉ କିଛି । ଭୁବନେଶ୍ୱରରୁ ଗଡ଼ିଲା ମାତ୍ର ହାତ ଗଣତି ବସ । ଯାତ୍ରା କରୁଥିଲେ ବି ଯାତ୍ରୀଙ୍କ ମନରେ ଥିଲା କରୋନା ଭୟ ।

ସେହିପରି ଯାତ୍ରୀ ନଥିବାରୁ ଅନେକ ବସ ମଧ୍ୟ ଷ୍ଟାଣ୍ଡରୁ ବାହାରିପାରିନି । ଯାଜପୁରରୁ ଭୁବନେଶ୍ୱରକୁ ବସ ଗଡିବା ପାଇଁ ସବୁ ବ୍ୟବସ୍ଥା ହୋଇଥିବାବେଳେ ଯାତ୍ରୀଙ୍କ ଦେଖା ନଥିଲା । ସେହିପରି ଅନୁଗୁଳ, ବାଲେଶ୍ୱରରେ ଓ ରାଉରକେଲାରୁ ବି ଗଡିନି ବସ । ତେବେ ଭଦ୍ରକରୁ ଗୋଟିଏ ବସ୍‌ ଗଡିଥିବାବେଳେ ତାଳଚେରରୁ ବିନା ଯାତ୍ରୀରେ ଗଡିଛି ବସ ।

ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ତାଳଚେର ଓ କଟକରୁ ମାତ୍ର ଗୋଟିଏ ଦୁଇଟି ଲେଖାଏଁ ବସ ଗଡ଼ିଛି । ଆଗକୁ ପରିସ୍ଥିତି କିଭଳି ସ୍ୱାଭାବିକ ହେବ ସେ ନେଇ ଘରୋଇ ବସ ମାଲିକ ସଂଘର ତୁହାକୁ ତୁହା ବୈଠକ ଚାଲିଛି । ତେବେ ଜୁନ ପହିଲା ସୁଦ୍ଧା ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ପରିବହନ ମନ୍ତ୍ରୀ ଅଶା ଦେଇଛନ୍ତି ।

ତେବେ କର୍ମଚାରୀ ଛୁଟିରେ ଥିବାବେଳେ ଏବେ ବସ ଗଡେଇଲେ ମେ’ ମାସର ରୋଡ ଟିକସ ଦେବାକୁ ପଡିବ ବୋଲି ବସ ମାଲିସ ସଂଘ କହିଛି ।

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନେଇ ବିରୋଧୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନେଇ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ଉତ୍କଳ ପ୍ରଦେଶ ଗଠନ ସମୟର ଆଦ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ଗୁରୁବାର ସନ୍ଧ୍ୟାରେ ଏହି ସଙ୍ଗୀତ ଗାନରେ ସାମିଲା ହେବାକୁ ବିରୋଧୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତିଙ୍କ ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମାଜବାଦୀପାର୍ଟି ରାଜ୍ୟ ସଭାପତି ରବି ବେହେରା, କମ୍ୟୁନିଷ୍ଟ ପାର୍ଟିର ଅଳି ପଟ୍ଟନାୟକଙ୍କ ଫୋନ୍‌ ଯୋଗେ କଥା ହୋଇ ସମ୍ମିଳୀତଭାବେ ବନ୍ଦେ ଉତ୍କଳ ଜନନୀ ଗାନ ନେଇ ସହଯୋଗ ଲୋଡ଼ିଛନ୍ତି । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନେଇ ପ୍ରତିଟି ଓଡ଼ିଆଙ୍କୁ ଏହା ଗାଇବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ଏହି ଆହ୍ୱାନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରିଛନ୍ତି ଶ୍ରୀ ପ୍ରଧାନ । ସେହିଭଳି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ବନ୍ଦେ ଉତ୍କଳ ଜନନୀ ଗାନରେ ସାମିଲ ହେବାକୁ ନିଜ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରିଛନ୍ତି ସମୀର ମହାନ୍ତି ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କେରଳରୁ ଫେରିବେ କେନ୍ଦ୍ରାପଡ଼ାର ୧୭୦ ଯୁବତୀ, ସହାୟତାର ହାତ ବଢ଼ାଇଲେ ସୋନୁ ସୁଦ

ଭୁବନେଶ୍ୱର: ରିଲ୍ ଅପେକ୍ଷା ରିଅଲ ଲାଇଫରେ ବେଶୀ ଚର୍ଚ୍ଚା । ଲକଡାଉନରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ଏବେ ପ୍ରଶଂସାରେ ପୋତୁଛି ଓଡ଼ିଶା । କେରଳରେ କିଟେକ୍ସ ଗାର୍ମେଣ୍ଟସରେ କେନ୍ଦ୍ରାପଡ଼ା ଫସିଥିବା ୧୭୦ ଯୁବତୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସୋନୁ ସୁଦ । ଯୁବତୀମାନେ କମ୍ପାନୀରେ କାମ କରୁଥିବା ବେଳେ ମାଲିକ ଖାଇବା ପିଇବା କି ଦରମା ଦେଉନଥିଲା । ଯୁବତୀ ମାନେ ଏନେଇ ବାରମ୍ବାର ସୋସିଆଲ୍ ମିଡିଆରେ ଜଣାଇବା ସହ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ ।

ଶେଷରେ ସହାୟତାର ହାତ ବଢ଼ାଇଛନ୍ତି ସୋନୁ ସୁଦ । କେରଳରେ ଫସିଥିବା କେନ୍ଦ୍ରାପଡ଼ାର ଯୁବତୀଙ୍କୁ ଓଡ଼ିଶା ଫେରାଇ ନେବା ଲାଗି ବ୍ୟବସ୍ଥା କରାଇଛନ୍ତି । ଯୁବତୀଙ୍କୁ ଘରକୁ ପଠାଇବା ଲାଗି ସୋନୁ ସୁଦ ପଦକ୍ଷେପ ନେବା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନଲାଇନରେ ଓଡ଼ିଆ  ସୋନୁ ସୁଦଙ୍କୁ ପ୍ରଶଂସା କରୁଥିବା ବେଳେ ବାଦ୍ ପଡ଼ିନାହାଁନ୍ତି ଅଜୟ ଦେବଗନ । ବଲିଉଡ୍ ଅଭିନେତା ଅଜୟ ଦେବଗନ ମଧ୍ୟ ସୋନୁଙ୍କୁ ତାରିଫ୍ କରିଛନ୍ତି । ତାଙ୍କ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ  ବୋଲି ଅଜୟ ଦେବଗନ କହିଛନ୍ତି ।

ସେହିପରି ମହାରାଷ୍ଟ୍ରରେ ଫସିଥିବା ୫୦ ଓଡ଼ିଆଙ୍କ ଘର ବାହୁଡା  ଲାଗି ସୋନୁ ସୁଦ୍ ବ୍ୟବସ୍ଥା କରୁଛନ୍ତି ।

୪୫.୨ ଡିଗ୍ରୀରେ ଜଳିଲା ଟିଟିଲାଗଡ଼, ଉତ୍ତର ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ପାରଦ ସର୍ବାଧିକ ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗିରର ତାପମାତ୍ରା ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩, ସୋନପୁର ୪୨.୨, ବୌଦ୍ଧ ୪୨, ଝାରସୁଗୁଡ଼ା ୪୧.୮, ହୀରାକୁଦ ୪୧.୧, ଫୁଲବାଣୀ ୪୦.୮, ସୁନ୍ଦରଗଡ଼ ୪୦.୫ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ କାଳବୈଶାଖୀ ସହ ବଜ୍ରପାତ ନେଇ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୪୦ ଉପରେ ୧୪ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ

ଟିକ୍‌ଟକ୍‌ର ବେଳା ଖରାପ :ଟକ୍କର ଦେଉଛି ଭାରତୀୟ ଆପ୍ ମିତ୍ରୋଁ

ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ଟିକଟକ୍ ସମୟ ସମୟରେ ଚର୍ଚ୍ଚାରେ ରହୁଛି । ସମ୍ପ୍ରତି, ଏସିଡ୍ ଆକ୍ରମଣ ପରି ବିଷୟବସ୍ତୁ ସହିତ ଏହି ଆପକୁ ପୁଣି ଥରେ ନିଷିଦ୍ଧ କରିବାକୁ ଦାବି ହୋଇଛି । ଏହି ସମୟରେ ଟିକଟକ୍ ଭଳି ଏକ ଭାରତୀୟ ଆପ ‘ମିତ୍ରୋଁ’ ଲଞ୍ଚ୍ କରାଯାଇଛି ।

ଖୁବ୍ କମ୍ ସମୟ ମଧ୍ୟରେ, ମିତ୍ରୋଁ ଆପ୍ ର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଏବଂ ବର୍ତ୍ତମାନ ପ୍ଲେ ଷ୍ଟୋର ଅନୁଯାୟୀ ଏହା ଭାରତର ଏକ ଲୋକପ୍ରିୟ ଆପ୍ ହୋଇପାରିଛି । ଉଲ୍ଲେଖନୀୟ ଯେ, ଏହା ଏକ ମାସ ପୂର୍ବରୁ ଲଞ୍ଚ କରାଯାଇଥିଲା ।

ଏକ ମାସ ପୂର୍ବରୁ ଲଞ୍ଚ ହୋଇଥିବା ଏହି ଆପ୍ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଲକ୍ଷ ଥର ଡାଉନଲୋଡ୍ ହୋଇସାରିଛି । ଯଦି ଆପଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଡାଉନଲୋଡ୍ କୁ ଦେଖନ୍ତି, ବର୍ତ୍ତମାନ ପାଇଁ ଏହା ଚାଇନାର ଆପ୍ ଟିକ୍ ଟକ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରି ମନେ ହେଉଛି ।

ବିପଦରେ ଟିକଟକ୍, ଏହା ହେଉଛି କାରଣ

ମିତ୍ରୋଁ ଆପ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ଲୋକମାନେ କ୍ରମାଗତ ଭାବରେ ଟିକଟକ୍ ଆପର ରେଟିଂ ହ୍ରାସ କରୁଛନ୍ତି। ବିବାଦ ପରେ ଟିକଟକ୍ ର ରେଟିଂ କ୍ରମାଗତ ଭାବରେ ହ୍ରାସ ପାଇଛି । ଏହା ପଛରେ ଦୁଇଟି କାରଣ ଅଛି – ପ୍ରଥମ କାରଣ ହେଉଛି ଟିକଟକ୍ ବିଷୟରେ ୟୁଟ୍ୟୁବର୍ କ୍ୟାରି ମିନଟି ଦ୍ୱାରା ପ୍ରସ୍ତୁତ ରୋଷ୍ଟ୍ ଭିଡିଓ ।

ଜଣାଇ ରଖୁଛୁ ଯେ, କ୍ୟାରି ମିନଟି ନାମକ ଜଣେ ଭାରତୀୟ ୟୁଟ୍ୟୁବର୍ ତାଙ୍କ ୟୁଟ୍ୟୁବ୍ ଭିଡିଓରେ ଟିକଟକ୍ ବ୍ୟବହାରକାରୀଙ୍କୁ ଟ୍ରୋଲ କରିଥିଲେ, ଯାହା ପରେ ୟୁଟ୍ୟୁବ୍ କ୍ୟାରିଙ୍କ ଭିଡିଓ ଡିଲିଟ୍ କରିଥିଲା।

ଯେହେତୁ କ୍ୟାରି ମିନିଟି (ପ୍ରକୃତ ନାମ ଅଜୟ) ରେ ୟୁଟ୍ୟୁବ୍ ଗ୍ରାହକ ଏବଂ କୋଟି କୋଟି ପ୍ରଶଂସକ ଅଛନ୍ତି, ତାଙ୍କ ପ୍ରଶଂସକମାନେ ଟିକଟକର ମୂଲ୍ୟାୟନ ହ୍ରାସ କରିବା ଆରମ୍ଭ କଲେ । କେବଳ ଏତିକି ନୁହେଁ, ଟିକଟକ୍ ର ପୁରୁଣା ଏବଂ ଏହିପରି ଏସିଡ୍ ଆକ୍ରମଣ ସମ୍ବନ୍ଧୀୟ ବିଷୟବସ୍ତୁ ଭାଇରାଲ୍ ହୋଇଥିଲା ଏବଂ ମାମଲା ମହିଳା ଆୟୋଗରେ ପହଞ୍ଚିଥିଲା।

ମିତ୍ରୋଁ ଆପ ୨ଟି ଉପାୟରେ ଉପକୃତ ହେବେ

ଯେହେତୁ ଟିକଟକ୍ ଏକ ଚାଇନିଜ୍ ଆପ୍ ଏବଂ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ସ୍ୱର ଉତ୍ତୋଳନ କରିବାକୁ ପଡିବ। କରୋନା ଭାଇରସ ଉତ୍ପତ୍ତି ପାଇଁ ଚୀନ୍ ବିରୋଧରେ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଏପରି ପରିସ୍ଥିତିରେ ଟିକଟକ ପରି ଏକ ଭାରତୀୟ ଆପ ଲଞ୍ଚ କରାଯାଇଛି ଯାହାକୁ ସମସ୍ତେ ବ୍ୟବହାର କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ।

ତେବେ, ଏହି ଆପ ଟିକଟକ୍ କୁ ଅତିକ୍ରମ କରିପାରି ନା ନାହିଁ ତାହା ଖୁବ ଶୀଘ୍ର ଦେଖିବାକୁ ମିଳିବ । କାରଣ ଟିକଟକ୍ ଭାରତ ବ୍ୟତୀତ ଅନେକ ଦେଶରେ ଖୁବ ଲୋକପ୍ରିୟ ହାସଲ କରିଛି ।

‘ଅକ୍ଟୋବର ସୁଦ୍ଧା ପ୍ରି-କ୍ଳିନିକାଲ ଟେଷ୍ଟ ପାଇଁ ପ୍ରସ୍ତୁତ ହୋଇପାରିବ ଭ୍ୟାକ୍ସିନ୍’

ନୂଆଦିଲ୍ଲୀ; ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ କରୋନା ଭ୍ୟାକ୍ସିନର ନର୍ମାଣ ଦିଗରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ବୈଜ୍ଞାନିକ ମୁଖ୍ୟ ପରାମର୍ଶଦାତା ଡ. କେ ବିଜୟରାଘବନ । କୋଭିଡ-୧୯ ଭ୍ୟାକ୍ସିନ୍ ନିର୍ମାଣ ନେଇ ଜୋରସୋରରେ କାମ ଚାଲିଥିବା କହିଛନ୍ତି ଡ. ରାଘବନ ।

ଦେଶରେ ମୋଟ ୩୦ଟି ଗ୍ରୁପ ଭ୍ୟାକ୍ସିନ୍ ବିକଶିତ କରିବା ଦିଗରେ କାର୍ଯ୍ୟ କରୁଥିବା ବେଳେ ଏଥିମଧ୍ୟରୁ ୨୦ଟି ଗ୍ରୁପ ଭ୍ୟାକ୍ସିନ୍‌ ନିର୍ମାଣ ଦିଗରେ ଯଥେଷ୍ଟ ଆଗେଇଛନ୍ତି । ଅକ୍ଟୋବର ସୁଦ୍ଧା ଏହି ଭ୍ୟାକ୍ସିନ୍‌ଙ୍କୁ ପ୍ରି କ୍ଳିନିକାଲ୍ ଟେଷ୍ଟିଂ ପାଇଁ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି । ତେବେ ଭ୍ୟାକ୍ସିନ୍‌ ପ୍ରସ୍ତୁତି ନେଇ ୪ଟି ପଦ୍ଧତି ରହିଛି ।

Four coronavirus COVID-19 vaccines may soon enter clinical trial ...

ଭାରତରେ ଏହି ୪ଟି ଯାକ ପ୍ରକ୍ରିୟାର ଆପଣାଯାଉଛି । ଡା. ରାଘବନ କହିଛନ୍ତି କିଛି କମ୍ପାନୀ ଫ୍ଳୁ ଭ୍ୟାକ୍ସିନକୁ ବିକଶିତ କରିବା ନେଇ ରିସର୍ଚ୍ଚ କରୁଛନ୍ତି । ଅକ୍ଟୋବର ସୁଦ୍ଧା ପ୍ରି କ୍ଳିନିକାଲ ଷ୍ଟଡି୍‌ ଶେଷ ହୋଇଯିବ । କିଛି ଷ୍ଟାର୍ଟଅପ୍‌ ଏବଂ କିଛି ଏକାଡେମିକିସ୍ ମଧ୍ୟ ଭ୍ୟକ୍ସିନ୍‌ ପ୍ରସ୍ତୁତି ନିମେନ୍ତ ପ୍ରସ୍ତୁତି ଚଳାଇଛନ୍ତି । ଏଥିସହିତ ବିଦେଶୀ କମ୍ପାନୀମାନଙ୍କ ସହିତ ଭ୍ୟାକ୍ସିନ ନିର୍ମାଣ ନେଇ ବୁଝାମଣା ଚାଲିଛି ।

ସେ ଆହୁରି କହିଛନ୍ତି ଯେ, ସାଧାରଣତଃ ଭ୍ୟାକ୍ସିନ୍‌ ପ୍ରସ୍ତୁତି ନିମନ୍ତେ ୧୦ରୁ ୧୫ ବର୍ଷ ସମୟ ଲାଗେ । ଏ ବାବଦରେ ୨୦ରୁ ୩୦ କୋଟି ଡଲାର ଖର୍ଚ୍ଚ ହୁଏ । ତେବେ ୧ ବର୍ଷ ମଧ୍ୟରେ ଭ୍ୟାକ୍ସିନ୍‌ ବିକାଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେବ । ୨୦ ଅରବରୁ ୩୦ ଅରବ ଡଲାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହେବ ।     

ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ୍ ସାରା ବିଶ୍ୱର ଶ୍ରେଷ୍ଟ ଭ୍ୟାକ୍ସିନ୍‌ । ସାରା ବିଶ୍ୱରେ ଛୁଆମାନଙ୍କୁ ୩ ଟି ଭ୍ୟାକ୍ସିନ୍ ଦିଆଯାଇଥାଏ । ସେଥିମଧ୍ୟରୁ ୨ ଟି ଭାରତରେ ପ୍ରସ୍ତୁତ ହୋଇଥାଏ । ଗତ କିଛି ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ କମ୍ପାନୀ ନା କେବଳ ଉତ୍ପାଦନ କରୁଛନ୍ତି, ସେମାନେ ରିସର୍ଚ୍ଚ ଏବଂ ଡେଫଲପମେଣ୍ଟ ଦିଗରେ ପୁଞ୍ଜିନିବେଶ ମଧ୍ୟ କରୁଛନ୍ତି । ଏହାଦ୍ୱାରା ଆମର ଷ୍ଟାର୍ଟଅପ୍‌ କ୍ଷେତ୍ରରେ ମଧ୍ୟ ବଡ଼ ଯୋଗଦାନ କରୁଛନ୍ତି ।

ଅପରପକ୍ଷରେ ନିତି ଆୟୋଗ ସଦସ୍ୟ ଏବଂ କୋଭିଡ-୧୯ ନେଇ ଗଠିତ କ୍ଷମତା ସମ୍ପର୍ଣ୍ଣ ଗ୍ରୁପ-୧ର ଚେୟାରମ୍ୟାନ୍‌ ଡ. ବିକେ ପାଲ୍‌ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିର କୋଭିଡ ବିରୋଧୀ ମୁକାବିଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବଂ ଖୁସିର କଥା ଆମ ଦେଶରେ ବିଜ୍ଞାନ ଏବଂ ଟେକ୍ନୋଲୋଜି ଅଧିକ ପରିବ୍ୟାପ୍ତ  ।

କ୍ରିକେଟରୁ ଧୋନିଙ୍କ ସନ୍ୟାସ ନେଇ ଗୁଜବ, କୋଚ୍ କହିଲେ ‘ମାହି ଖେଳିବେ ଟି-ଟ୍ୱେଣ୍ଟି ବିଶ୍ୱକପ୍’

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟରୁ ଅବସର ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ଧୋନିଙ୍କ ପିଲା ଦିନର କୋଚ୍ କେଶବ ବାନାର୍ଜୀ ଖଣ୍ଡନ କରିଛନ୍ତି । ଅବସର ନେବାର ସମୟ ଆସିଲୋ ଧୋନି ନିଜେ ଘୋଷଣା କରିବେ । ଏହା ପୂର୍ବରୁ କିଛି ଲୋକ ଟ୍ୱିଟରରେ ଧୋନି ଅବସର ନେଇଥିବା ନେଇ ଗୁଜବ ପ୍ରଚାର କରିଥିଲେ । କେଶବ ଏହାକୁ ମିଛ ବୋଲି କହିଛନ୍ତି ।

ଲୋକଙ୍କୁ ଫୋନ୍ କରି ଅବସର ନେଉଥିବା କହିବା ବ୍ୟକ୍ତି ଧୋନି ନୁହଁନ୍ତି । ଧୋନି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେତେବେଳେ ସେ ପ୍ରେସମିଟରେ ସୂଚନା ଦେବା ସହ ବିସିସିଆଇକୁ ସୂଚନା ଦେଇଥିଲେ । ଧୋନି ଆଇପିଏଲ ନଖେଳିଲେ ବି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମରେ ତାଙ୍କ ନାଁ ରହିବା ଦରକାର ବୋଲି ବୋଲି କେଶବ କହିଥିଲେ ।

ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ କରୋନା ଭାଇରସ୍ ଯୋଗୁଁ ସ୍ଥଗିତ ହୋଇପାରେ । ଏମିତିରେ ବି ଆଇପିଏଲ୍ ଆୟୋଜନ ସମ୍ଭାବନା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରେ ନାହିଁ ଧୋନିଙ୍କ ନାଁ, ଅବସରକୁ ନେଇ ଚର୍ଚ୍ଚା ଜୋର

ପାକିସ୍ତାନକୁ ନିଜ ଦେଶ ଦର୍ଶାଇଲେ AMU ଛାତ୍ର, ମାମଲା ରୁଜୁ

ଅଲିଗଡ଼: ଦେଶ ବିରୋଧୀ ଟିପ୍ପଣୀକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଲିଗଡ଼ ମୁସଲିମ୍ ୟୁନିଭରସିଟି । ଏଏମୟୁର ୨ ଜଣ ଛାତ୍ର ଫେସବୁକରେ ପାକିସ୍ତାନକୁ ସମର୍ଥନ କରିଛନ୍ତି । ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଅତରୋଲି ଥାନାରେ ଏଏମୟୁର ୨ ଛାତ୍ରଙ୍କ ନାଁରେ ମାମଲା ହୋଇଛି । ଛାତ୍ର ଦ୍ୱୟ ପାକିସ୍ତାନକୁ ନିଜ ଦେଶ କହି ଫେସବୁକରେ ଫଟୋ ସେୟାର୍ କରିଥିଲେ । ପୋଲିସ ଏଫଆଇଆର୍ ରୁଜୁ କରି ତଦନ୍ତ ଜାରି ରଖିଛି ।

ଅଲିଗଡ଼ ମୁସଲିମ୍ ୟୁନିଭରସିଟିର ଛାତ୍ର ସାକିବ ରସୁଲ ଓ ସେଖ୍ ଅରଫନ ନିଜ ଫେସବୁକ ପେଜରେ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏନେଇ ହିନ୍ଦୁବାଦୀ ନେତା ଦୀପକ ଶର୍ମା ଆଜାଦ ଅତରୋଲି ଥାନାରେ ମକଦ୍ଦମା ରୁଜୁ କରିଛନ୍ତି ।

ଦୀପକ ଶର୍ମାଙ୍କ କହିବା ଅନୁଯାୟୀ, ଭାରତରେ ରହି ପାକିସ୍ତାନକୁ ଭଲ ପାଉଥିବା କହି ଦୁହେଁ ଭାରତୀୟଙ୍କ ମନରେ ଆଘାତ ଦେଇଛନ୍ତି । ଏହା ଦେଶର ଅସ୍ମିତା ପ୍ରତି ବିପଦଜ୍ଜନକ । ଏଭଳି ଲୋକଙ୍କୁ ଶୀଘ୍ର ଜେଲରେ ଭର୍ତ୍ତି କରିବା ଉଚିତ୍ । ଏହାକୁ ଦେଖି ଯେଭଳି ଅନ୍ୟ କେହି ଏପରି ଦେଶ ବିରୋଧୀ କାର୍ଯ୍ୟ କରିବାକୁ ଚିନ୍ତା କରିବ ନାହିଁ ।

ପୋଲିସ ୨ ଛାତ୍ରଙ୍କ ବିରୋଧରେ ୧୫୩(ଏ), ୧୫୩(ବି), ସୂଚନା ପ୍ରଯୁକ୍ତି ସଂଶୋଧନ ଆଇନ୍ ୨୦୦୮ ଓ ୬୬(ଡି) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ କରୁଛି ।