ଗର୍ଭବତୀକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଘେରିଗଲେ ସିଂହ ପଲ… ତା’ ପରେ କ’ ଣ ହେଲା ଜାଣନ୍ତୁ
ରାଜକୋଟ: ଗୁଜରାଟ ରାଜକୋଟରେ ଅନ୍ଧାରର ରାଜୁତି । ରାତି ପ୍ରାୟ ୧୦ଟା ୩୦। ଯନ୍ତ୍ରଣାରେ ଛଟପଟ ଆସନ୍ନ ପ୍ରସବାଙ୍କୁ ନେଇ ହସପିଟାଲ୍ ଅଭିମୁଖେ ବାହାରିଛି ୧୦୮ ଆମ୍ବୁଲାନ୍ସ । ଶୁନଶାନ୍ ରାସ୍ତାରେ କେବଳ ଶୁଭୁଥାଏ ଆମ୍ବୁଲାନ୍ସର ସାଇରନ୍। ମଝିରେ ମଝିରେ ଜଙ୍ଗଲିଆ ରାସ୍ତାକୁ ନିଦରୁ ଉଠାଇ ଦେଉଥାଏ ଗର୍ଭବତୀର ଯନ୍ତ୍ରଣା ।

ଘର ଠାରୁ ପ୍ରାୟ ୧୨ କିଲୋମିଟର ଯିବା ପରେ ହଠାତ୍ ଆମ୍ବୁଲାନ୍ସକୁ ଘେରିଗଲେ ସିଂହ । ଗୋଟିଏ କି ଦୁଇଟି ନୁହେଁ ବାର ବାରଟି ସିଂହ ଘେରିଗଲେ ଗାଡ଼ିକୁ । ଭୟ ଓ ଆତଙ୍କ ଅଟକାଇ ଦେଲା ପ୍ରସବାର ଯାତ୍ରାକୁ । କାଚ ଝରକା ସେପଟେ ମୃତ୍ୟୁ, ଏପଟେ ନୂଆ ଜୀବନ ଅପେକ୍ଷାରେ ଶିଶୁ। ଆତଙ୍କର କିଛି ମୁହୁର୍ତ୍ତକୁ ଅତିକ୍ରମ କରି ଆମ୍ବୁଲାନ୍ସ ଭିତରେ ଜନ୍ମ ନେଇଥିଲା ଶିଶୁ କନ୍ୟା। ଭୟ ନୁହେଁ ଝିଅକୁ ଜନ୍ମ ଦେଇ ଯନ୍ତ୍ରଣାରେ ଛଟପଟ ମାଆ ଅଚେତ ହୋଇ ପଡିଥିଲା। କୁନିଝିଅର କୁଆଁ କୁଆଁ କାନ୍ଦରେ ଯେମିତି ହିଂସ୍ର ସିଂହପଲର ହୃଦୟ ବି ତରଳି ଯାଇଥିଲା।

କିଛି ସମୟ ପରେ ରାସ୍ତା ଛାଡ଼ି ଜଙ୍ଗଲ ମୁହାଁ ହୋଇଥିଲେ ସିଂହ। ଆଶାକର୍ମୀଙ୍କ ମନରେ ସୃଷ୍ଟି ହୋଇଥିବା ଆତଙ୍କ, ଆଶାର ରୂପ ନେଇଥିଲା। ନୀରବି ଯାଇଥିବା ନର୍ସ ଯେମିତି ନିର୍ଭିକ ହୋଇ ଯାଇଥିଲେ। ଆଉ ଡରରେ ଜଡ଼ସଡ଼ ଡ୍ରାଇଭର୍ ଏଥର ଗାଡ଼ି ଷ୍ଟାର୍ଟ କରିଥିଲେ। ଆଉ ଅଚେତ୍ ମାଆର ହୋସ୍ ଆସିବା ବେଳକୁ ସିଂହ ସହ ବିତିଥିବା ମୁହୁର୍ତ ଯେମିତି ଏକ ଦୁଃସ୍ୱପ୍ନ ପାଲଟି ଯାଇଥିଲା।

‘ଅମ୍ଫାନ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ପ୍ରଭାବ କ୍ଷୟକ୍ଷତି ଆକଳନ ପରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟକୁ ଦେବେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ପରେ ରାଜ୍ୟ କେନ୍ଦ୍ରକୁ ରିପୋର୍ଟ ଦେବ । କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ପରଖିବା ପରେ ଆବଶ୍ୟକ ଅର୍ଥ ଦିଆଯିବ ।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିଥିଲେ । ପ୍ରଭାବିତ ୪ ଜିଲ୍ଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱରକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ ।
ଫେରିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭି.କେ ପାଣ୍ଡିଆନ୍ ଓ ଅନ୍ୟ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ । ବାତ୍ୟା ‘ଅମ୍ଫାନ୍’ ଓଡ଼ିଶା ଦେଇ ଯିବାବେଳେ ଉପକୂଳ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଛି । ଏଥିଯୋଗୁଁ ଘର ଭାଙ୍ଗିଥିବାବେଳେ ଚାଷ ସହ ବିଦ୍ୟୁତ୍ ସରଞ୍ଜାମ ନଷ୍ଟ ହୋଇଛି । ତେବେ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନା ଯୋଗୁଁ ଓଡ଼ିଶା ଜୀବନହାନିକୁ ରୋକିପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ସକାଳେ ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଥିଲେ । ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କହିଥିଲେ, ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ପିଏମ୍ ମୋଦି ମାତ୍ର ହଜାରେ କୋଟି ଘୋଷଣା କରିବା ନୈରାଶ୍ୟଜନକ । ମମତାଙ୍କ ଏ ମନ୍ତବ୍ୟ ରାଜନୈତିକ ଗୁଞ୍ଜରଣ ସୃଷ୍ଟି କରିଥିବା ବେଳେ ମୋଦି, ନବୀନଙ୍କୁ ବାତ୍ୟା ମୁକାବିଲା ନେଇ ପ୍ରଶଂସା କରିବା ଦିଦିଙ୍କୁ ଆଉ ଟିକେ ରଗାଇବ ନିଶ୍ଚୟ ।
ପୁଣି କ୍ଷମା ମାଗିଲେ କପିଲ୍, ଟ୍ୱିଟରରେ ଲେଖିଲେ ଲମ୍ବା ପୋଷ୍ଟ…
ନୂଆଦିଲ୍ଲୀ: ପୁଣି କ୍ଷମା ମାଗିଲେ କମେଡି କିଙ୍ଗ୍ କପିଲ୍ ଶର୍ମା । ନିଜ କମେଡି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କପିଲ୍ ପୁଣି ବିବାଦରେ ଫଶିଛନ୍ତି ଓ ସବୁଥର ଭଳି କ୍ଷମା ପ୍ରାର୍ଥନା କରିଛନ୍ତି । କମେଡି କିଙ୍ଗ୍ କପିଲ୍ ଶର୍ମା ନିଜର ମଜାକ୍ କାରଣରୁ ପୂର୍ବରୁ ଅନେକ ଥର ବିବାଦ ମଧ୍ୟକୁ ଆସି କ୍ଷମା ମାଗିଥିବା ନଜିର ରହିଛି । ତେବେ ଏଥର ସେ ଚିତ୍ରଗୁପ୍ତଙ୍କୁ ଉପହାସ କରି କ୍ଷମା ମାଗିଛନ୍ତି ।
प्यारे कायस्थ समाज के लिए 🙏 @kayasthasabha @SubodhKantSahai pic.twitter.com/sord7gTxba
— Kapil Sharma (@KapilSharmaK9) May 21, 2020
ଗତ ୨୮ ମାର୍ଚ୍ଚରେ ପ୍ରସାରିତ ହୋଇଥିବା କପିଲ ଶର୍ମା ଶୋ’ର ଏକ ଏପିସୋଡ୍ରେ କପିଲ୍ କରଣ ସମାଜର ଭଗବାନ ଚିତ୍ରଗୁପ୍ତଙ୍କୁ ନେଇ ଉପହାସ କରିଥିଲେ । ଯାହା ତାଙ୍କ ପାଇଁ ବିବାଦ ଆଣିଥିଲା । କପିଲ୍ଙ୍କ ଏହି ମଜାକ୍ କରଣ ସମାଜକୁ ବେଶ୍ ଆଘାତ ଦେଇଥିଲା । ତେଣୁ କପିଲ୍ ଏହି ମଜାକ୍ ପାଇଁ ବାଧ୍ୟ ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି ।

କରଣ ସମାଜର ଦେବତା ଚିତ୍ରଗୁପ୍ତଙ୍କୁ ନେଇ ମଜାକ୍ କରିଥିବାରୁ, ଉକ୍ତ ସମାଜର ଏଥିପ୍ରତି ଆପତ୍ତି ଉଠାଇଥିଲା । କରଣ ସମାଜ କପିଲ୍ଙ୍କ ଶୋ’କୁ ବଏକଟ୍ କରିବାକୁ ଧମକ ଦେଇଥିଲା । ଏହାସହ କପିଲଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ବିବାଦ ଅଧିକରୁ ଅଧିକ ଘନେଇବାରୁ କପିଲ ଶର୍ମା ବାଧ୍ୟ ହୋଇ ନିଜ ଟ୍ୱିଟର୍ରେ ଏକ ଲମ୍ବା ଚୌଡ଼ା ପୋଷ୍ଟ ଲେଖି କରଣ ସମାଜକୁ କ୍ଷମା ମାଗିଛନ୍ତି ।

କପିଲଙ୍କ କ୍ଷମା ପ୍ରାର୍ଥନା
କପିଲ ନିଜ ପୋଷ୍ଟରେ ଲଖିଛନ୍ତି ଯେ, ପ୍ରିୟ କରଣ ସମାଜ, ୨୮ ମାର୍ଚ୍ଚ ୨୦୨୦ ରେ ପ୍ରସାରିତ ହୋଇଥିବା କପିଲ ଶର୍ମା ଶୋ’ର ଏପିସୋଡ୍ରେ ଭଗବାନ ଚିତ୍ରଗୁପ୍ତଙ୍କ ଉପରେ ଥିବା ଟିପ୍ପଣୀ ଯଦି ଆପଣଙ୍କର ଭାବନାକୁ ଆଘାତ ଦେଇଛି, ତେବେ ମୁଁ ଏବଂ ମୋର ଟିମ୍ ତରଫରୁ ସମସ୍ତଙ୍କୁ କ୍ଷମା ମାଗୁଛି । କାହାକୁ ଅପମାନିତ କରିବାର ଆମର ଉଦେଶ୍ୟ ନଥିଲା । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ହସୁଥାନ୍ତୁ । ଏହା ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା । କପିଲ ଏହି ପୋଷ୍ଟରେ କରଣ ସମାଜ ଏବଂ ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁବୋଧ କାନ୍ତ ସହାୟଙ୍କୁ ଟ୍ୟାଗ୍ କରିଛନ୍ତି ।

ଲକ୍ଡାଉନ୍ ଯାେଗୁଁ ଏବେ କପିଲ୍ ଶର୍ମ ଶୋ’ର ସୁଟିଂ ବନ୍ଦ ରହିଛି । ଫଳରେ ଅଧିକାଂଶ ସମୟ କପିଲ ଏବେ ନିଜ ପତ୍ନୀ ଓ ଝିଅ ସହ ବିତାଉଛନ୍ତି । ତେବେ ଏହାରି ମଧ୍ୟରେ ସେ ନିଜ ଫ୍ୟାନ୍ ମାନଙ୍କ ସହ କଥା ହେବାକୁ ମଧ୍ୟ ଭୁଲି ନାହାନ୍ତି ଏବଂ ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି ।

