spot_img
Home Blog Page 715

ହାଇୱେରେ ଖୁଲମଖୁଲା ଚାଲିଛି ବଟି କାରବାର, ପୋଲିସ ନାଁରେ ସଂଗୀନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ହାଇୱେରେ ଖୁଲମଖୁଲା ଚାଲିଛି ବଟି କାରବାର । ଖୋଦ ପୋଲିସ କରୁଛି ବେଆଇନ କାମ । ଟ୍ରାଫିକ ନିୟମକୁ ଦଳିମକଚି ପକେଟ ଗରମନ କରିବାରେ ବ୍ୟସ୍ତ ପୋଲିସ । ଏମିତି ଖବର ଆସିଛି ଖୋର୍ଦ୍ଧା ଜାତୀୟ ରାଜପଥରୁ । ନନ୍ଦିଘୋଷ ଟିଭି କ୍ୟାମେରାରେ କଏଦ ହୋଇଛି ବଟି କାରବାରର ଏକ୍ସକ୍ଲୁସିଭ ଦୃଶ୍ୟ । ବ୍ରହ୍ମପୁରପଟୁ ୧୬ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା, ଭୁବନେଶ୍ୱର ଦେଇ ବହୁ ସଂଖ୍ୟାରେ  ଭାରିଯାନ କୋଲକାତା ଆଡ଼କୁ ଯାଇଥାଏ । ଟ୍ରାଫିକ ଭିଡ଼ ହ୍ରାସ କରିବା ପାଇଁ ସନ୍ଧ୍ୟା ସମୟରେ ଭୁବନେଶ୍ୱରକୁ ଭାରିଯାନ ଯିବା ପାଇଁ କଟକଣା ରହିଛି । ସବୁ ଟ୍ରକକୁ ଖୋର୍ଦ୍ଧା ନିକଟସ୍ଥ ପିତାପଲ୍ଲୀ ଛକରେ ଅଟକାଇ ଚନ୍ଦକା ରୋଡରେ ଛାଡ଼ି ଦିଆଯାଏ ।

ଟ୍ରାଫିକ ଜାମ ଥିଲେ ଭାରିଯାନକୁ ରାତି ୧୧ଟା ପର୍ଯ୍ୟନ୍ତ ଅଟକ ରଖାଯାଏ । ବର୍ତ୍ତମାନ କିନ୍ତୁ ପୋଲିସ ବଟି ନେଇ ସେଇ ଟ୍ରକ ସବୁ ଛାଡ଼ି ଦେଉଛି । ନନ୍ଦିଘୋଷ ଟିଭି ହାତରେ ଲାଗିଛି କମିଶନରେଟ ପୋଲିସ ଟ୍ରକରୁ ବଟି ନେବା ସମୟର ଚିତ୍ର । ଚୁପକିନା ଡ୍ରାଇଭର ବଢାଇ ଦେଉଛି, ଆଉ ପୋଲିସ ବାବୁ ନ ଜାଣିଲା ପରି ପକେଟରେ ରଖି ଟ୍ରକକୁ ଛାଡ଼ି ଦେଉଛନ୍ତି । ସନ୍ଧ୍ୟା ସମୟରେ ଟ୍ରାଫିକ ଜାମ ପରିସ୍ଥିତି ଉପୁଜୁଥିବାରୁ ଭୁବନେଶ୍ୱରକୁ କୌଣସି ଭାରିଯାନ ଛାଡ଼ିବା ଉପରେ ସରକାରଙ୍କ ନିଷ୍ପତ୍ତିକୁ କମିଶନରେଟ ପୋଲିସ ଏଠି ଦଳିମକଚି ଦେଉଛି । ପୋଲିସ ବଟି ନେଇ ଟ୍ରକ ଛାଡ଼ି ଦେଉଛି । ଆମେ ଯାହା ଶୁଣିବାକୁ ପାଇଲୁ ଏହି ବଟି କାରବାର କୁଆଡେ ବଡ ଅଧିକାରୀଙ୍କ ଜାଣତରେ ଚାଲୁଛି ।

କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କଲେ ସୋନାଲିକା

ନନ୍ଦିଘୋଷ ବ୍ୟୁରୋ: କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କଲେ କଟକ ଜିଲ୍ଲା ନରସିଂହପୁରର ଝିଅ ସୋନାଲିକା ମିଶ୍ର । ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତିର୍ଣ୍ଣ କରି କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କରିଛନ୍ତି । ସୋନାଲିକା ହେଉଛନ୍ତି ନରସିଂହପୁରର ବରିଷ୍ଠ ଆଇନଜୀବୀ ନିର୍ମଳେନ୍ଦୁ ମିଶ୍ରଙ୍କ ଝିଅ । ସେ ନରସିଂହପୁରରେ ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ପାଇଲଟ ହେବା ପାଇଁ ଲକ୍ଷ୍ୟ ରଖିଥିଲେ । ଏହି ସଫଳତା ପାଇବା ପରେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଡାଣ ଭରିବାକୁ ଲକ୍ଷ୍ୟ ରଖିଛନ୍ତି ସୋନାଲିକା  । ତାଙ୍କର ଏହି ସଫଳତା ପାଇଁ ବାପା ମା’ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି । ଝିଅର ଏହି ସଫଳତା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।

ଗାଁକୁ ନାହିଁ ପକ୍କା ରାସ୍ତା, ପହଞ୍ଚି ପାରୁନି ଆମ୍ବୁଲନ୍ସ : ନିଦାବିଷ୍ଣୁ ପାଲଟିଛି ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ସ୍ୱାଧିନତାର ୭୭ ବର୍ଷ ପରେ ମଧ୍ୟ ରାସ୍ତା, ପିଇବା ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ସେହିପରି ରାୟଗଡ଼ା ଜିଲ୍ଲାର ସଦର ବ୍ଳକର ନାକ ତଳ ଶାରାପାଡ଼ି ଗାଁକୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ପକ୍କା ରାସ୍ତା । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାଲଖମା ପାହାଡ଼ି ରାସ୍ତାରେ ଲୋକେ ଯାତାୟତ କରୁଥିବା ବେଳେ ରାସ୍ତା ମଧ୍ୟରେ ରହିଥିବା ନଦୀରେ ପୋଲ ନଥିବାରୁ ଲୋକେ ପାଣିରେ ପଶି ବିପଦ ଶଙ୍କୁଳ ଅବସ୍ଥାରେ ନଦୀପାର ହେଉଛନ୍ତି । ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ମିଳୁଛି କେବଳ ମିଥ୍ୟା ପ୍ରତିଶୃତି ।

ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ରାସ୍ତାରେ ଯାତାୟତ କରୁଛନ୍ତି ଉପାନ୍ତ ଅଞ୍ଚଳ ଲୋକେ । ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ରାୟଗଡ଼ା ସଦର ବ୍ଳକ ତାଡ଼ମା ପଞ୍ଚାୟତର ଶାରାପାଡ଼ି ଗାଁ ଲୋକେ । ଏହି ଆବଡ଼ାଖାବଡ଼ା ପାହାଡ଼ିଆ ରାସ୍ତାରେ ଚାଲିକରି ଯିବା କଷ୍ଟକର ହୋଇପଡୁଛି । ରାସ୍ତା ନଥିବା ବେଳେ ଲୋକଙ୍କ ଦୁଃଖ ବଢ଼ାଇ ଦେଉଛିଏ ରାସ୍ତା ମଧ୍ୟରେ ପ୍ରବାହିତ ନଦୀ । ପୋଲ ନଥିବାରୁ ଲୋକେ ନଦୀର ପାଣିରେ ପଶି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇଥାନ୍ତି । ଏପରିକି ଜରୁରୀ କାଳୀନ ପରିସ୍ଥିତି ଗାଁରେ ଆମ୍ଵୁଲାନ୍ସ ପହଞ୍ଚିପାରିନଥାଏ । ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୀର୍ଘ ୨ କିଲୋମିଟର ବୋହି ଆଣିବାକୁ ପଡ଼ିଥାଏ । ବର୍ଷା ଦିନେ ଆସିଲେ ଲୋକଙ୍କ ଦୁଃଖ ଆହୁରି ବଢ଼ିଯାଇଥାଏ ।

୧୦୦ରୁ ଅଧିକ ଜନ ସଂଖ୍ୟା ବିଶିଷ୍ଠ ଶାରପାଡ଼ି ଗାଁ ଲୋକଙ୍କ ପାଇଁ ମୌଳିକ ସୁବିଧା ସାତସପନ ପାଲଟିଛି । ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବା ବେଳେ ସ୍କୁଲ ଯିବାକୁ ଛୋଟଛୋଟ ପିଲାମାନେ ଦୀର୍ଘ ଦୁଇ କିଲୋମିଟର ଆବଡ଼ାଖାବଡ଼ା ରାସ୍ତାରେ ଚାଲିକରି ଯାଇଥାନ୍ତି । ରାସନ ଚାଉଳ ହେଉକି ଭତ୍ତା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ପକ୍କା ରାସ୍ତାଟିଏ ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ କରୁଛନ୍ତି ଶାରାପାଡ଼ି ଗାଁ ଲୋକେ । କେବଳ ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି ସିନା ପକ୍କା ରାସ୍ତାଟିଏ ହୋଇପାରୁନାହିଁ ।

ରଙ୍ଗ ବଦଳାରେ ବ୍ୟସ୍ତ ସରକାର! : ଲୋକେ ପାଉନାହାନ୍ତି ସ୍ବାସ୍ଥ୍ଯସେବା

ନନ୍ଦିଘୋଷ ବ୍ୟୁରୋ: ଭିତ୍ତିଭୂମି ଅଛି ହେଲେ ଲୋକେ ପାଉନାହାନ୍ତି ସ୍ବାସ୍ଥ୍ଯସେବା। ବର୍ଷେ ତଳୁ ଟ୍ରମା କେୟାର ସେଣ୍ଟର ତିଆରି ହୋଇଛି ହେଲେ ସ୍ବାସ୍ଥ୍ଯ ବିଭାଗର ଅବହେଳା ଯୋଗୁ କାର୍ଯକ୍ଷମ ହୋଇପାରୁନି ୨୦୦ ଶଯ୍ଯା ବିଶିଷ୍ଟ ଏହି ହସ୍ପିଟାଲ। ଯାଜପୁର ପାଣିକୋଇଲିରେ ଥିବା ହସ୍ପିଟାଲର ଟ୍ରମା କେୟାର ସୁବିଧା ନଥିବାରୁ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। କାହିଁକି ଲୋକଙ୍କୁ ମିଳୁନି ସୁବିଧା? ଶାସକ ଦଳ ବିଧାୟକଙ୍କ କହିବା କଥା ଏ ନେଇ ସ୍ବାସ୍ଥ୍ଯ ବିଭାଗ ସହିତ କରାଯିବା ଆଲୋଚନା।

ଫି ଦିନ ଘଟୁଛି ଦୁର୍ଘଟଣା। ଯାଉଛି ଲୋକଙ୍କ ଜୀବନ। ମରଣଯନ୍ତା ପାଲଟିଛି ଯାଜପୁର ପାଇକୋଇଲି ଜାତୀୟ ରାଜପଥ। ବର୍ଷେ ତଳୁ ନିର୍ମାଣ ସରିଛି ଟ୍ରମା କେୟାର ହସ୍ପିଟାଲ। ହେଲେ ଉଦଘାଟନ ହୋଇନଥିବାରୁ ରୋଗୀ ପାଉନାହାନ୍ତି ସ୍ବାସ୍ଥ୍ଯସେବା। ଆଉ ସବୁଜାଣି ଚୁପ ବସିଛି ସ୍ବାସ୍ଥ୍ଯ ବିଭାଗ। ରାଜପଥରେ ଦୁର୍ଘଟଣା ଶିକାର ହୋଇଥିବା ଲୋକେ ସଠିକ ସମୟରେ ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି। ହେଲେ ନା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁଛି ନା ସରକାରଙ୍କର। ଏହି ହସ୍ପିଟାଲଟି ପୂର୍ବ ନବୀନ ସରକାରଙ୍କ ସମୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ମାଣ ସରିଛି। ହେଲେ କଣ ପାଇଁ ଉଦଘାଟନ କରୁନାହାନ୍ତି ଏବର ବିଜେପି ସରକାର ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ରଙ୍ଗ ବଦଳା ଓ ଯୋଜନାର ନାମ ବଦଳାରେ ବ୍ଯସ୍ତ ରାଜ୍ଯ ସରକାର। ଆଉ ଦିନ କେଇଟା ପରେ ଡବଲ ଇଞ୍ଜିନ ସରକାରଙ୍କୁ ବର୍ଷେ ପୂରିବ। ଏପରିକି ଟ୍ରମା କେୟାର ସେଣ୍ଟରକୁ ଉଦଘାଟନ ନ କରି ଲୋକଙ୍କ ଜୀବନକୁ ବିପନ୍ନ କରୁଛନ୍ତି ଅଥଚ ହସ୍ପିଟାଲ କୋଠାର ରଙ୍ଗ ବଦଳାଇବାକୁ ଭୁଲିନାହାନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ସେପଟେ ଶାସକଦଳର ବିଧାୟକଙ୍କ ସଫେଇ ଏ ନେଇ ସେ ସ୍ବାସ୍ଥ୍ଯ ବିଭାଗ ସହ ଆଲୋଚନା କରିବେ। ଟ୍ରମା କେୟାର ହସ୍ପିଟାଲ କାର୍ଯ୍ଯକ୍ଷମ ହେଲେ ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଦି ଜିଲ୍ଲାର ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସଞ୍ଜୀବନୀ ପାଲଟିବ।

 

ଉତ୍କଳ ୟୁନିଭର୍ସିଟିର ଅସ୍ଥାୟୀ କୁଳପତି ହେଲେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ୟୁନିଭର୍ସିଟିର ଅସ୍ଥାୟୀ କୁଳପତି ହେଲେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ । ରାଜଭବନ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ନୂଆ ଭିସିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ । ବାୟୋଟେକ୍ନୋଲୋଜି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ । ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୩ଦିନ ଧରି ବିନା କୁଳପତିରେ ଚାଲିଥିଲା ବିଶ୍ୱବିଦ୍ୟାଳୟ । ସେହିଦିନ ଠାରୁ ଖାଲି ପଡ଼ିଥିଲା ଭିସି ପଦବୀ ।  ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଅସ୍ଥାୟୀ କୁଳପତି ନିଯୁକ୍ତ ହୋଇଛନ୍ତି ।

ଅଦିନିଆ କାଳବୈଶାଖୀ ବର୍ଷା ଆଣିଲା ଚାଷୀଙ୍କ ପାଇଁ ଦୁଃଖ

ନନ୍ଦିଘୋଷ ବ୍ୟୁରୋ: ଅଦିନିଆ କାଳବୈଶାଖୀ ବର୍ଷା ଆଣି ଦେଲା ଚାଷୀଙ୍କ ପାଇଁ ଦୁଃଖ । କେଉଁଠି ବିଲରେ ପଡି ଧାନ ଗଜା ହୋଇ ଗଲାଣି ତ କେଉଁଠି ଧାନ ଖରୀ ରେ ଗଜା ହେବାକୁ ବସିଲାଣି । ଅଦିନିଆ ବର୍ଷା ରେ ଓଦା ଧାନକୁ ନେଇ ଚିନ୍ତାରେ କଣ୍ଟାମାଲର ଚାଷୀ ।

ଧାନ କ୍ଷେତରେ ଜମି ରହିଛି ପାଣି । କେଣ୍ଡାରେ ଗଜା ହୋଇଗଲାଣି ଧାନ। ଚାଷୀ ଉପରେ ଦାଉ ସାଧୁଛି କାଳବୈଶାଖୀ ବର୍ଷା । ଅଦିନିଆ କାଳ ବୈଶାଖୀ ବର୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ନଷ୍ଟ ହେବାକୁ ବସିଛି ରବି ଧାନ ଫସଲ । ପବନ ମାଡ଼ରେ ଜମିରେ ଧାନ ଗଛ ଲୋଟିପଡ଼ିଥିବା ବେଳେ ପାଚିଲା ଧାନ ଝଡ଼ିପଡୁଥିବା ବେଳେ ଅଦିନିଆ ବର୍ଷାରେ ଭିଜି ଧାନ ଗଜାହୋଇଗଲାଣି । ଅମଳ ସମୟ ହୋଇଥିବାରୁ ଓଦା ଧାନକୁ ସାଉଁଟି ଆଣି ରାସ୍ତାରେ ଶୁଖାଉଥିବା ଦେଖିବାକୁ ମିଳିଛି । ଚଳିତ ରବି ଧାନ ଫସଲ ଭଲ ହୋଇଥିବା ବେଳେ ଅମଳ ସମୟରେ କାଳବୈଶାଖୀ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାକୁ ଦେଖି ଚିନ୍ତାରେ ଚାଷୀ ।

ଋଣ କରି ଚାଷ କରିଥିବା ବେଳେ ଧାନ ଫସଲ ନଷ୍ଟ ନେଇ ଏବେ ଚାଷୀଙ୍କୁ ଚିନ୍ତା ଘାରିଛି । ଏବେ ମାନ ନିର୍ଦ୍ଧାରଣ କରି ଧାନ କିଣୁଛନ୍ତି ସରକାର । ମଣ୍ଡିରେ ଭିଜିଯାଇଥିବା ଧାନର କ୍ୱାଲିଟି କମ ରହିବା ସମ୍ଭାବନା ଦେଖାଦେଇଛି । ମଣ୍ଡିରେ ଧାନ କିପରି ବିକିବେ ତାହା ଏବେ ଚିନ୍ତାର କାରଣ ପାଲଟିଛି । ଅମଳ ଓଦା ଧାନକୁ ରାସ୍ତାରେ ଶୁଖାଇ ବିକ୍ରି କରିବାର ଆଶା ବାନ୍ଧିଛନ୍ତି ଚାଷୀ । ସେହିପରି କ୍ଷୟକ୍ଷତିକୁ ଆକଳନ କରି ସରକାର ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।  ଚାଷୀଙ୍କ ସରକାର ବୋଲି ବାହାବା ନେଉଥିବା ସରକାର ତୁରନ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଚାଷୀ ଦାବି କରିଛନ୍ତି ।

ରେଳ ଟନେଲ ଭୁଶୁଡିବା ଘଟଣା : ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ରେଳ ଟନେଲ ଭୁଶୁଡିବା ଘଟଣା। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ବିଜେଡି ଟିମ। ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ବିଜେଡି ଟିମ ଛାନଭିନ କରିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନବୀନ ବାବୁଙ୍କ ସ୍ୱପ୍ନର ପ୍ରକଳ୍ପ। ମାଗଣାରେ ଜମି ଯୋଗାଇବା ସହ ଅନୁଦାନ ଯୋଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡବଲ ଇଞ୍ଜିନ ସରକାର ଆସିବା ପରେ ଡବଲ ଦୁର୍ନୀତି ଯୋଗୁ ଅଘଟଣ ଘଟିଥିବା ଅଭିଯୋଗ କରିଛିବିଜେଡି ଟିମ । ତୁରନ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିଜେଡି ନେତା ପ୍ରଦୀପ ଆମାତ। ତଦନ୍ତ କମିଟିରେ ମନ୍ତ୍ରୀ,ବିଧାୟକ ଓ ବିରୋଧି ଦଳର ସଦସ୍ୟାଙ୍କୁ ସାମିଲ କରିବାକୁ ସେ ଦାବି କରିଛନ୍ତି।

ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛନ୍ତି ଦକ୍ଷିଣାଞ୍ଚାଳ ଆଇଜି ନୀତି ଶେଖର । ବୌଦ୍ଧ ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ । ଆଇଜିଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଛାନଭିନ କରିଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ରେଲୱ ଚିପ୍ ଇଞ୍ଜିନିୟରିଂଙ୍କ ନେତୃତ୍ବରେ ୨ ଜଣିଆ ଟେକ୍ନିକାଲ ଟିମ । କେମିତି ଭୁଶୁଡିଲା ଟନେଲ ସେନେଇ ଠିକା ସଂସ୍ଥା କାର୍ଯ୍ୟାଳୟରେ ଚାଲିଛି ମାନସ ମନ୍ଥନ ।ଘଟଣା ସ୍ଥଳରେ ସ୍ଥିତି ପରଖିଲା ପରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବ ଟେକ୍ନିକାଲ ଟିମ ।

ଗଂଜାମରୁ ପୁଣି ଜବତ ହେଲା ଏକାଧିକ ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ: ଗଂଜାମରୁ ପୁଣି ଜବତ ହେଲା ଏକାଧିକ ବନ୍ଧୁକ। ଭଞ୍ଜନଗର ପୋଲିସର ନାଇଟ ପାଟ୍ରୋଲିଂ ବେଳେ ୫ ବନ୍ଧୁକ, ୨ ଖେଳନା ପିସ୍ତଲ ସହ ୧୬ ରାଉଣ୍ଡ ଗୁଳି ଜବତ ହୋଇଛି। ମାମଲାରେ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।ସେମାନଙ୍କ ଠାରୁ ଗୋଟିଏ ଲେଖାଏଁ କାତି ଓ ଖଣ୍ଡା ସମେତ ୫ ମୋବାଇଲ ଜବତ ହୋଇଛି। ଭଞ୍ଜନଗର ପୋଲିସ ପକ୍ଷରୁ ବେଆଇନ ବନ୍ଧୁକ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିଲା। ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବାବେଳେ ଜିଲୁଣ୍ଡି ତାରିଣୀ ମନ୍ଦିର ଭିତରେ ସନ୍ଦେହଜନକ ଭାବେ କିଛି ଲୋକ ବସିଥିବା ଖବର ପାଇଥିଲେ। ପୋଲିସ ସେଠାରେ ପହଁଚିବା ପରେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଧରିଥିଲା ପୋଲିସ। ଗିରଫଙ୍କ ମଧ୍ୟରେ ଭୁବନେଶ୍ୱର ନୟାପଲିର ସରୋଜ ଦାସ, ବେଲଗୁଣ୍ଠାର ବ୍ରଜ ମୋହନ ସାହୁ, କଇଣ୍ଡି ଗାଁର ଅନୀଲ ବେହେରା, ଲାଲସିଙ୍ଗିର ସନାତନ ପ୍ରଧାନଙ୍କୁ ଧରିଥିଲେ। ସେମାନଙ୍କୁ ପଚରାଉଚରା ପରେ ସ୍ଥାନୀୟ ଲଣ୍ଡେଇ ସାହିରେ ଆଉ ୫ ଜଣଥିବା ସେମାନେ କହିଥିଲେ। ଏହା ପରେ ପୋଲିସ ଲଣ୍ଡେଇସାହି ସ୍ଥିତ ଭଡା ଘରେ ଚଢ଼ାଉ କରି  ଅନ୍ୟ ୫ ଜଣଙ୍କୁ ଧରିଥିଲା।

ପ୍ରେମ କରି ଠକିଦେଇଥିଲେ, ବନ୍ଧାହେଲେ..

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ମେଟ୍ରିମୋନିଆଲ ସାଇଟ୍ ରୁ ପରିଚୟ । ପରେ ବନ୍ଧୁତା, ବନ୍ଧୁତାରୁ ପ୍ରେମ,ତା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ବ୍ଲାକମେଲିଂ। ଏପରି ଅଭିଯୋଗରେ ଦେବଗଡ଼ ପୋଲିସ ଜଣେ ଯୁବ ଆଇନଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମ୍ପୃକ୍ତ ଓକିଲକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବଳିତା ଗାଁର ମଦନ ମୋହନ ପ୍ରଧାନଙ୍କ ପୁଅ ରୋହିତ କୁମାର ପ୍ରଧାନ। ଯୁବତୀ ଜଣକ ପରେ ଅନ୍ୟ ଜଣେ ଯୁବକଙ୍କୁ ବାହା ହୋଇଥିଲେ। ହେଲେ ସେହି ଯୁବତୀଙ୍କ ପିଛା ନ ଛାଡ଼ି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେଓ ସ୍ଵାମୀଙ୍କୁ ଡିଭୋର୍ସ ଦେବାକୁ ଯୁବତୀଙ୍କୁ ଧମକ ଦେଇଥିଲେ। ଫଳରେ ଯୁବତୀ ଜଣକ ସ୍ଵାମୀଙ୍କୁ ଡିଭୋର୍ସ ଦେଇ ବାପ ଘରକୁ ପଳାଇ ଆସିଥିଲେ। ଏହା ପରେ ପୁଣି ରୋହିତଙ୍କ ସହିତ ଚାଲିଥିଲା ମିଳାମିଶା। ବିବାହ କରିବାକୁ କହିବାରୁ କିନ୍ତୁ ରୋହିତ ଆଉ ଧରାଛୁଆଁ ଦେଇନଥିଲେ। ବିବାଦ ବଢ଼ିବା ପରେ ରୋହିତଙ୍କ ପରିବାର ତାଙ୍କୁ ମାଡ଼ ମାରିଥିବା ବି କହିଛନ୍ତି ପୀଡ଼ିତା। ଯୁବତୀ ଜଣକ ଗତ ନଭେମ୍ଵର ୨୪ରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରୋହିତ ଜାମିନ ପାଇଁ ହାଇକୋର୍ଟକୁ ଯାଇଥିଲେ। କିନ୍ତୁ ଗତ ଏପ୍ରିଲ ୧୬ ରେ ଆବେଦନକୁ ଖାରଜ କରି ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ରୋହିତ କିନ୍ତୁ ଆତ୍ମସମର୍ପଣ ନ କରି ଫେରାର ହୋଇଥିଲେ। ଗତକାଲି ତାଙ୍କୁ ଭୁବନେଶ୍ଵରରୁ ଗିରଫ କରିଛି ଦେବଗଡ଼ ପୋଲିସ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଦୁଇ ତିନି ଦିନ ମଧ୍ୟରେ ମୌସୁମି ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ପ୍ରାକ୍ ମୌସୁମୀ ବର୍ଷାକୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ଜାରି କରାଯାଇଛି ଅରେଞ୍ଜ ଆଲର୍ଟ । ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା,  ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ସୁନ୍ଦରଗଡ଼। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଝଟକା ପବନ 40 ରୁ 50 କିମି ବେଗରେ ବହିବାର ବି ସମ୍ଭାବନା ରହିଛି l ୪-୫ ଦିନ ଗଭୀର ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ଯଜୀବୀଙ୍କୁ କୁହାଯାଇଛି।