spot_img
Home Blog Page 7168

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ କରୋନା ରୋଗୀଙ୍କ ପଜିଟିଭ କେସ । ଗୋଟିଏ ଗୋଟିଏ ହୋଇ ରାଜ୍ୟର ୧୬ ଜିଲ୍ଲାରେ ପହଞ୍ଚିଛି କରୋନା ସଂକ୍ରମଣ ।

ଆଜି ପୁଣି ଆଉଗୋଟିଏ ନୂଆ ଜିଲ୍ଲାକୁ ନିଜ କବଳକୁ ନେଇଛି ଭୟଙ୍କର କରୋନା । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ୨ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯଦି ଆମେ କହିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ଗ୍ରୀନ ଜୋନରେ ରହିଥିଲା । ସୁରତରୁ ପ୍ରବାସୀ ଓଡ଼ିଆ ଆସିବା ପରେ ପ୍ରଥମ ଥର ପାଇଁ ସଂକ୍ରମଣର ଖବର ସାମନାକୁ ଆସିଛି ଗଞ୍ଜାମରୁ ।

ତେବେ ସୁରତ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି । ଏବେ ରାଜ୍ୟରେ ୧୫୯ ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ଏବେ ସକ୍ରିୟ ରହିଛନ୍ତି । ସୁସ୍ଥ ହୋଇଛନ୍ତି ୫୬ ଜଣ ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଛୁଇଁଲା କରୋନା । ୨ ଜଣଙ୍କ ନମୁନା ପଜିଟିଭ୍ । ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ।

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଛୁଇଁଲା କରୋନା । ୨ ଜଣଙ୍କ ନମୁନା ପଜିଟିଭ୍ । ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ।

ଆତଙ୍କବାଦୀ ଦମନ ଅପରେସନ୍‌ ବେଳେ ୨ ଅଧିକାରୀ ସମେତ ୫ ଯବାନ ନିଖୋଜ…

ଶ୍ରୀନଗର: ଶନିବାର ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆତଙ୍କବାଦ ବିରୋଧୀ ଅପରେସନ୍ ବେଳେ ଦୁଇ ଅଧିକାରୀଙ୍କ ସମେତ ସୁରକ୍ଷା ବଳର ପାଞ୍ଚ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅପରେସନ୍‌ ବେଳେ ଆତଙ୍କବାଦୀମାନେ ଲୁଚି ରହିଥିବା ଘର ଭିତରକୁ ଯବାନମାନେ ଯାଇଥିଲେ । ସେବେଠାରୁ ସେମାନଙ୍କ ସହ ଯୋଗାଯୋଗ ଛିନ୍ନ ହୋଇଛି ।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଶୁକ୍ରବାର ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର ହାଣ୍ଡୱାଡ଼ାର ଚାଞ୍ଜମୁଲ୍ଲା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସେ କହିଛନ୍ତି ଯେ ସୁରକ୍ଷାବଳ ଏହି ଅଞ୍ଚଳରେ ବ୍ୟାପକ ଅପରେସନ୍‌ କରିଥିଲା । ଶନିବାର ସନ୍ଧ୍ୟାରେ ଆତଙ୍କବାଦୀ ସୁରକ୍ଷାବଳଙ୍କ ମଧ୍ୟରେ ଗୂଳିବିନିମୟ ହୋଇଥିଲା । ତେବେ ଏନେଇ ଅଧିକାରୀ ଜଣକ ଅଧିକ ସୂଚନା ଦେଇନାହାଁନ୍ତି ।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାବଳର ପାଞ୍ଚ ଜଣ ଯବାନ ନିଖୋଜ ହୋଇଛନ୍ତି । କାରଣ ତାଙ୍କ ସହ ଯୋଗାଯୋଗ ଛିନ୍ନ ହୋଇଛି । ନିଖୋଜ ଥିବା ପାଞ୍ଚ ଜଣ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ଅଧିକାରୀ ଅଛନ୍ତି । ନିଖୋଜ ସୁରକ୍ଷା ବାହିନୀକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହେବା ସହ ଆତଙ୍କବାଦୀଙ୍କୁ ଦମନ ପାଇଁ ଅପରେସନ ଜାରି ରହିଛି ।

ଅନ୍ୟ ଏକ ଅପରେସନରେ ଦକ୍ଷିଣ କାଶ୍ମୀର ଜିଲ୍ଲାର ଦଙ୍ଗେରପୁରା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ଫଳରେ ଆଜି ସକାଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି ।

ଲୋକପାଳ ସଦସ୍ୟଙ୍କ ହୃଦଘାତରେ ପରଲୋକ: ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ

ନୂଆଦିଲ୍ଲୀ: ଲୋକପାଳ ସଦସ୍ୟ ଜଷ୍ଟିସ  ଅଜୟ କୁମାର ତ୍ରିପାଠୀଙ୍କ ଦେହାନ୍ତ । ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ହୃଦଘାତରେ ଅଜୟଙ୍କ ପରଲୋକ । ସେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ନୂଆଦିଲ୍ଲୀ ସ୍ଥିତି ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଥିଲେ । ୬୨ ବର୍ଷୀୟ ଜଷ୍ଟିସ ତ୍ରିପାଠୀ ଏପ୍ରିଲ ପ୍ରଥମ ସପ୍ତାହରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଟ୍ରମା କେୟାର ସେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ମୁଖ୍ୟତଃ ରୋଡ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସିତ କରାଯାଉଥିବା ବେଳେ ଏହାକୁ କୋଭିଡ-୧୯ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଥିଲା । ସେ ଗତ ୩ ଦିନ ଧରି ଭେଣ୍ଟିଲେଟରେ ରହିଥିବା ସୂଚନା ମିଳିଛି ।

https://www.facebook.com/NandighoshaTV/videos/238429847478468/

ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ବିହାର ବିଜେପି ନେତା ସୁଶୀଲ ମୋଦି । ତାଙ୍କ ଦେହାନ୍ତ ଖବର ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ସେ କହିଛନ୍ତି । ସେ ଜଣେ ଉତ୍ସାହୀ, ସରଳ ଓ ମେଳାପି ବ୍ୟକ୍ତି ଥିଲେ । ଚାରା ଦୁର୍ନୀତି ମାମଲାରେ ସେ ତାଙ୍କ ପକ୍ଷରୁ ମାମଲା ଲଢ଼ୁଥିଲେ । ବିହାର ତାଙ୍କୁ ସବୁବେଳେ ମନେ ରଖିବ ବୋଲି ଟ୍ୱିଟ୍ କରିଛନ୍ତି ସୁଶୀଲ ମୋଦି ।

କଳିଙ୍ଗା ଘାଟିରେ ଓଲଟିଲା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବ ବସ୍: ୨ ଜଣଙ୍କ ମୃତ୍ୟୁ

କନ୍ଧମାଳ: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗ ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ । ଅନ୍ଧାରକୋଟ ନିକଟରେ ଓଲଟିଛି ବସ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬୪ ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ଜି. ଉଦୟଗିରି ଏସ୍‌ଡିପିଓ । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଚିତ୍ତରଞ୍ଜନ ସେଠୀ ଓ ସନ୍ତାେଷ ସେଠୀ । ଉଦ୍ଧାର ହୋଇଥିବା କିଛି ଯାତ୍ରୀ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ କେଉଁ କାରଣରୁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ସୁରତରୁ-ଗଞ୍ଜାମ ଅଭିମୁଖେ ଆସୁଥିଲା ବସ୍ । ସମସ୍ତ ଯାତ୍ରୀ ଭଞ୍ଜନଗର ହୋଇଥିବା ସୂଚନା । ପ୍ରବାସୀ ଓଡ଼ିଆ ଆସୁଥିବା ବସ୍‌ର ଡ୍ରାଇଭର ଅନ୍ୟ ରାଜ୍ୟର । ଏଣୁ ଡ୍ରାଇଭର ଜଣଙ୍କ ସମ୍ପୃକ୍ତ ଘାଟି ରାସ୍ତାରେ ଗାଡ଼ି ଚଳାଇବାର କୌଣସି ଅଭିଜ୍ଞତା ନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ରବାସୀଙ୍କ ବସ୍‌କୁ ଏସକର୍ଟ ଯୋଗେ ଅଣାଯାଉଥିବାରୁ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର ଆରମ୍ଭ କରିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା । ତେବେ ଏଯାବତ୍‌ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର ସରିଛି । ସେମାନଙ୍କ ମଧ୍ୟରୁ ଆହତ ଥିବା ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଦିଆଯାଇଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଓଡ଼ିଶା ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ର ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଳାର ପ୍ରକାଶ ଗୌଡ଼ ୪୫  । କୌଣସି କାରଣରୁ ବସ୍ ମଧ୍ୟରେ ତାଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ବସ୍‌କୁ ଛତିଶଗଡ଼ରେ ଅଟକା ଯାଇଥିବା ସୂଚନା ରହିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ ।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍: ରଥଯାତ୍ରା ନେଇ ଆଶା ଉଜ୍ଜିବୀତ

ପୁରୀ: ରଥଯାତ୍ରା ନେଇ ମଉଳି ଯାଇଥିବା ଆଶାକୁ ପୁଣି ଜାଗ୍ରତ କରିଛି କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ । ଗ୍ରୀନ୍‌ ଜୋନ୍‌ରେ ଆସୁଛି ପୁରୀ ଜିଲ୍ଲା। ତେଣୁ କୋଭିଡ୍‌ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ ଆରମ୍ଭ ହୋଇ ପାରିବ ବୋଲି ଆଶା କରାଯାଉଛି।

ସେପଟେ କେବଳ ବିଧି ରକ୍ଷା ନକରି ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଅବସ୍ଥା ଦେଖି ଚାଲିଛି ବ୍ୟବସ୍ଥା । ସଂକ୍ରମଣ ମାତ୍ରାକୁ ଦେଖି ଲକ୍‌ଡାଉନ୍‌ର ନିଷ୍ପତି ନିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଭିତରେ ନିଷ୍ପତି ହେଲା ଯେ, ବନ୍ଦ ହେବନି ରଥଯାତ୍ରା ପରମ୍ପରା ।

ଅକ୍ଷୟ ତୃତୀୟାରେ ମନ୍ଦିର ଭିତରେ ହେଲା ରଥ ଅନୁକୂଳ ନୀତି । ପରମ୍ପରା ବଜାୟ ରହିଲା କିନ୍ତୁ ଏଯାଏଁ ଆରମ୍ଭ ହୋଇନି ରଥ ନିର୍ମାଣ କାର୍ଯ୍ୟ । କିନ୍ତୁ ଏବେ ସ୍ଥିତି, ଅବସ୍ଥିତି ଏବଂ ପରିସ୍ଥିତି ବଦଳିଯାଇଛି । କରୋନା ସଂକ୍ରମଣରୁ ମୁକ୍ତ ହୋଇଛି ପୁରୀ ଜିଲ୍ଲା ।

ଗ୍ରୀନ୍‌ ଜୋନ୍‌ ତାଲିକାରେ ସ୍ଥାନୀତ ହେବା ପରେ ବାହାରେ ରଥ ନିର୍ମାଣ ନେଇ ଦାବି କରିଛନ୍ତି ବୁଦ୍ଧିଜୀବୀ । ସମାଜିକ ଦୂରତା ରଖି ଖଳାରେ ରଥ ନିର୍ମାଣ ହୋଇପାରିବ ବୋଲି ଯ଼ୁକ୍ତି ବାଢିଛନ୍ତି ବରିଷ୍ଠ ସେବାୟତ ।

ରଥ ନିର୍ମାଣ ପାଇଁ ଆଜ୍ଞାମାଳ ଆସିସାରିଛି । ସାମ୍ପ୍ରତିକ ସ୍ଥିତିକୁ ଦେଖ ରଥ ନିର୍ମାଣ ବନ୍ଦ ରଖିଛି ପ୍ରଶାସନ । ସେପଟେ କେନ୍ଦ୍ରର ଗାଇଡଲାଇନ୍‌ ରଥଯାତ୍ରା ସମ୍ଭବ ନେଇ ସବୁଜ ସଙ୍କେତ ଦେଉଛି । ହେଲେ ବୁଦ୍ଧିଜୀବୀଙ୍କ ମତ ରଥ ନିର୍ମାଣ ହେଲେ ଘୋଷଯାତ୍ରା ହୋଇପାରିବ ।

କାରଣ ଶ୍ରୀଗୁଣ୍ଡିଚାକୁ ଆହୁରି ମାସେ ୨୦ ଦିନ ବାକି ରହିଛି । ଏହା ମଧ୍ୟରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଛି । ଏଭଳି ସମୟରେ ପରମ୍ପରାକୁ କାମଚଳା ନ କରି କିଭଳି ସୁରକ୍ଷିତ ଭାବରେ ଘୋଷଯାତ୍ରା ହୋଇପାରିବ ସେ ନେଇ ପ୍ରଶାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ରତ୍ନବେଦୀରୁ ଓହ୍ଳ।ଇ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି । କିନ୍ତୁ କରୋନା କାୟାରେ ଚଳିତ ଥର ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗିଯିବ କି? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କିନ୍ତୁ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ’ଣ ହେଉଛି ତା ଉପରେ ସମସ୍ତଙ୍କ ନଜର ।

ଭଦ୍ରକରେ ମାନବିକତାର ଲକଡାଉନ, ଆମ୍ବୁଲାନ୍ସ ଆସିଲାନି ବୋଲି ଆଖି ବୁଜିଲା ୨ ମାସର ଶିଶୁ

ଭଦ୍ରକ: କେତେ ଆଶା କେତେ ସ୍ୱପ୍ନ ଚାହୁଁ ଚାହୁଁ ମିଳେଇଗଲା । ଲକଡାଉନ ଯେ କୋଳ ଉଜାଡ଼ି ଦେବ ସେ କଥା ସେମାନେ ଭୁଲ୍‌ରେ ମଧ୍ୟ ଭାବିନଥିଲେ । ମାତ୍ର ଦୁଇ ମାସ ତଳେ ପିତୃତ୍ୱ ସୁଖ ଦେଇଥିବା କୁନି ଝିଅ ଏପରି ଅସମୟରେ ପର କରି ଚାଲିଯିବ ବୋଲି କେବେ ଭାବିନଥିଲେ । ହେଲେ ଭଦ୍ରକ କଲ୍ୟାଣୀ ପଞ୍ଚାୟତର ଏପରି ଏକ ଘଟଣା ମାନବିକତାକୁ ଦୋହଲାଇଦେଇଛି । ଆମ୍ବୁଲାନ୍ସ ସେବାକୁ ଠିଆ କରାଇଛି କାଠଗଡ଼ାରେ । ଆସନ୍ତୁ ଦେଖିବା ଏହି ଅମାନବୀୟ କାହାଣୀର ପୂରା ଘଟଣା ।

ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ଚର୍ଚ୍ଚାରେ ଭଦ୍ରକ । ଧାମନଗର କଲ୍ୟାଣ ନଗରୀର କୋହଭରା କାହାଣୀ । ମାତ୍ର ଦୁଇ ମାସର ଖୁସି କେଇ ମୁହୂର୍ତ୍ତରେ ମିଳେଇଗଲା । ଏଠାରେ କରୋନା ବାହାରିଥିବାରୁ ପୂରା କଲ୍ୟାଣୀ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଯାତାୟତ ବନ୍ଦ । କେହି କୁଆଡ଼େ ନା ଆସିପାରୁଛି ନା ଯାଇପାରୁଛି । କିନ୍ତୁ ଏହି କଣ୍ଟେନମେଣ୍ଟ ତାଙ୍କ କୋଳପୋଛାକୁ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା ଦିଗନ୍ତ କୁମାର ଦତ୍ତ । ଦିଗନ୍ତଙ୍କ ଅଭିଯୋଗ ଅନୁସାରେ, ଦୁଇ ମାସର ଝିଅ ଥଣ୍ଡା ଯୋଗୁଁ ଅଧିକ ଅସୁସ୍ଥ ହୋଇପଡିଥିଲା ।

ଏପରିକି ଅଚେତ ଅବସ୍ଥାକୁ ଆସିଯାଇଥିଲା । କଅଁଳା ଛୁଆର ଗୁରୁତର ଅବସ୍ଥା ପରିବାର ଆଖିରେ ଗଲାନି । ସେତେବେଳେ ସେ ମଧ୍ୟ ଘରେ ନଥିଲେ । ଝିଅର ଜୀବନ ବଞ୍ଚାଇବା ପାଇଁ ବିକଳରେ ଆମ୍ବୁଲାନ୍ସକୁ କଲ କରିଥିଲେ ପରିବାର ଲୋକ । କିନ୍ତୁ କଣ୍ଟେନମେଣ୍ଟକୁ ଆଳ କରି ଆମ୍ବୁଲାନ୍ସ ଆସିବାକୁ ମନା କରିଦେଇଥିଲା । ଫଳରେ ବାଇକ ଯୋଗେ ଡାକ୍ତରଖାନାକୁ ନେବା ବାଟରେ ଝିଅ ଆରପାରିକୁ ଚାଲିଗଲା । କାନ୍ଦି କାନ୍ଦି ଘଟଣା ପାଇଁ କେବଳ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି ଦିଗନ୍ତ । ଆଉ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ଏପରି ସ୍ଥିତିରେ ସାଧାରଣ ଲୋକର ମନରେ ଉଠୁଛି ଅନେକ ପ୍ରଶ୍ନ । କଣ୍ଟେନମେଣ୍ଟ ଜୋନ ପାଇଁ କଣ ଆମ୍ବୁଲାନ୍ସ ସେବା ମନା ? ଯଦି ଜରୁରୀ ସମୟରେ ଜରୁରୀକାଳୀନ ସେବା ଗାଡ଼ି ସେବା ଯୋଗାଇ ଦେଇନପାରୁଛି ତେବେ କାହିଁକି ପ୍ରଶାସନର ଏ ପ୍ରହସନ ? ଦୁଇ ମାସ ତଳେ ବାପାମା ହୋଇଥିବା ଏହି ଦମ୍ପତ୍ତିଙ୍କର ଏତେ ବଡ଼ କ୍ଷତି କିଏ ଭରଣା କରିବ ?

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା: ପଢ଼ନ୍ତୁ କେଉଁ ବିଭାଗର କର୍ମଚାରୀ କାର୍ଯ୍ୟରେ ଯୋଗଦେବେ

ଭୁବନେଶ୍ୱର: ସରକାରୀ କର୍ମଚାରୀମାନେ ଅଫିସ ଆସିବା ନେଇ ପୁଣି ଥରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଜାରି ହୋଇଥିବା ଲକଡାଉନ କଟକଣା ଆସନ୍ତା ସୋମବାରରୁ କୋହଳ ହେବାକୁ ଥିବାବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ମାର୍ଗଦର୍ଶିକା ଆସନ୍ତା ୪ ତାରିଖ ଠାରୁ କାର୍ଯ୍ୟକାରୀ ହେବ । ରାଜ୍ୟ ସରକାରଙ୍କ ଜରୁରୀ ତାଲିକାରେ ଥିବା ୧୫ଟି ବିଭାଗର ୫୦ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ ଆସି କାର୍ଯ୍ୟ କରିବେ । ଏହିସବୁ ବିଭାଗ ଗୁଡିକ ମଧ୍ୟରେ ରହିଛି କୃଷି ଓ କୃଷକ କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ , ସମବାୟ, ଅବକାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ , ଅର୍ଥ , ଖାଦ୍ୟ ଯ଼ୋଗାଣ ଓ ଖାଉଟି କଲ୍ୟାଣ ବିଭାଗ , ସାଧାରଣ ପ୍ରଶାସନ ଓ ପେନସନ ଅଭିଯ଼ୋଗ , ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଗୃହ, ଶ୍ରମ ଓ ଇଏସଆଇ , ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଇସ୍ପାତ ଓ ଖଣି ବିଭାଗ । ଏହି ୧୫ଟି ଜରୁରୀ ବିଭାଗକୁ ବାଦ ଦେଲେ ଅନ୍ୟ ସମସ୍ତ ବିଭାଗ ସାମାନ୍ୟ ଜରୁରୀ ବିଭାଗ ତାଲିକାରେ ରଖାଯାଇଛି । ଏହିସବୁ ବିଭାଗର ୩୦ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ ଅଫିସ ଆସିବେ । ସାମନ୍ୟ ଜରୁରୀ ବର୍ଗରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ କାର୍ଯ୍ୟ କରିବା ଲାଗି ସମ୍ପୃକ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରିବେ । ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଅଫିସ ନଆସିବେ ସେମାନେ ଘରେ ରହି କାମ କରିବାକୁ କୁହାଯାଇଛି ।

ପ୍ରବାସୀଙ୍କ ଓଡ଼ିଶା ପ୍ରବେଶ ନେଇ ଏସ୍‌ଓପି ଜାରି: ଗୋଟିଏ ବିସିପି ଦେଇ ଆସିପାରିବେ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୧୧ଟି ସୀମା ଯାଞ୍ଚ ପଏଣ୍ଟକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) , ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା SOP ଜାରି କରିଛନ୍ତି ।

ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ  ନିର୍ଦ୍ଧାରିତ ୧୧ଟି ଚେକ୍‌ ପଏଣ୍ଟ ମଧ୍ୟରୁ କେବଳ ଗୋଟିଏ BCP ବା ( ବର୍ଡର ଚେକ୍‌ ପଏଣ୍ଟ) ଦେଇ ପ୍ରବେଶ କରିବେ ।

ଯାଞ୍ଚ ପଏଣ୍ଟ ଗୁଡ଼ିକୁ ଓଡ଼ିଶା ପୋଲିସ ଅପରେଟ୍‌ କରିବ। ଇନସ୍ପେକ୍ଟର ରାଙ୍କ୍‌ର ଜଣେ ଅଧିକାରୀ ଏହାର ଦାୟିତ୍ୱରେ ରହିବେ। RTO କର୍ମଚାରୀଙ୍କ ସହ ପରିବହନ ବିଭାଗର ଅନ୍ୟ ଅଧିକାରୀ ମଧ୍ୟ ପୋଲିସକୁ ସହଯୋଗ କରିବାକୁ ସେଠାରେ ଉପସ୍ଥିତ ରହିବେ।

ସୀମା ଗୁଡ଼ିକରେ ବିସିପି ଚଳାଇବାକୁ କମ୍ପ୍ୟୁଟର, ପ୍ରିଣ୍ଟର, ଜେନେରେଟର ସହିତ ଅନ୍ୟ ଆନୁସାଙ୍ଗିକ ଅଫିସ୍‌ ବ୍ୟବସ୍ଥା କରିବ ପରିବହନ ବିଭାଗ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ସାମୟିକ ରହଣିର ବ୍ୟବସ୍ଥା, ପାନୀୟଜଳ ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯିବ।

ଅତି କମରେ ଜଣେ ଡାକ୍ତର କିମ୍ବା ଆୟୁଷ୍‌ ଡାକ୍ତରଙ୍କୁ ନେଇ ଗୋଟିଏ ମେଡିକାଲ୍‌ ଟିମ୍‌ ସେଠାରେ ଉପସ୍ଥିତ ରହିବେ। ଯାତ୍ରୀମାନେ ପ୍ରବେଶ କରିବା ବେଳେ ପୂର୍ବରୁ ପଞ୍ଜୀକୃତ ତଥ୍ୟ ସହିତ ସେମାନଙ୍କର ବର୍ତ୍ତମାନର ତଥ୍ୟ ଯାଞ୍ଚ କରାଯିବ।

ଯ଼ଦି କୈାଣସି ବ୍ୟକ୍ତି କିମ୍ବା ଗାଡ଼ିର ପୂର୍ବରୁ ପଞ୍ଜୀକରଣ ହୋଇନଥିବ ତେବେ ତତ୍କାଳ ପଞ୍ଜୀକରଣ ମଧ୍ୟ BCPରେ କରାଯାଇ ପାରିବ। ପଞ୍ଜୀକରଣ ପରେ ଗାଡ଼ି ଗୁଡିକୁ ପୂର୍ବରୁ ପ୍ରିଣ୍ଟ ହୋଇଥିବା ପାସ୍‌ ଦିଆଯିବ। ଏଥିରେ ସମସ୍ତ ତଥ୍ୟ ଲିଖିତ ରହିବ। BCPରେ ଯାତ୍ରୀମାନଙ୍କୁ ଷ୍ଟାମ୍ପ ଲଗାଯିବାର ବ୍ୟବସ୍ଥା ହୋଇଛି। ଜିଲ୍ଲା କିମ୍ବା ମ୍ୟୁନିସିପାଲିଟି କର୍ମଚାରୀ ରାଜ୍ୟ ବାହାରୁ ଫେରନ୍ତାଙ୍କ ପାଇଁ ଖାଦ୍ୟ ପୁଡିଆର ବ୍ୟବସ୍ଥା କରିବେ।

ଜୁଲାଇ ପହିଲାରୁ ଖୋଲିବ ଇଂଜିନିୟରିଂ କଲେଜ, ବିଜ୍ଞପ୍ତି ପ୍ରକାଶ କଲେ AICTE

ଭୁବନେଶ୍ୱର: ଜୁଲାଇ ପହିଲାରୁ ଖୋଲିବ ଇଂଜିନିୟରିଂ କଲେଜ । ଦେଶର ସମସ୍ତ ଇଂଜିନିୟରି କଲେଜ ଓ ପ୍ରଫେସନାଲ ଏଜୁକେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର ଟେକ୍ନିକାଲ ଏଜୁକେସନ୍‌ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଚଳିତ ଶିକ୍ଷାବର୍ଷକୁ ନେଇ AICTE ନୂଆ ଗାଇଡଲାଇନ୍‌ ଜାରି କରିଛି । ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛି AICTE ।

 

ଇଂଜିନିୟରିଂ ପଢ଼ାକୁ ଗ୍ରୀନ୍‌ ସିଗ୍‌ନାଲ
ଜୁଲାଇ ୧ରୁ ଖୋଲିବ ଦେଶର ସବୁ ଇଂଜିନିୟରିଂ କଲେଜ
ଶେଷ ବର୍ଷର ବାକି ସେମିଷ୍ଟାର ସାରିବାକୁ ନିର୍ଦ୍ଦେଶ
ଜୁଲାଇ ୧ ରୁ ୩୧ ମଧ୍ୟରେ ସରିବ ଟର୍ମିନାଲ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷା
କରୋନା ପାଇଁ ଫି ବୃଦ୍ଧି ଉପରେ ପ୍ରତିବନ୍ଧକ

 

ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ବିଭାଗୀୟ ସଚିବମାନଙ୍କୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର ଟେକ୍ନିକାଲ ଏଜୁକେସନ୍‌ । ଚଳିତ ବର୍ଷ ଆଡମିଶନ କରିବାକୁ ଥିବା ପ୍ରଥମ ବର୍ଷର ପିଲାଙ୍କ ପଢା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ କୈାଣସି ବୈଷୟିକ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରଫେସନାଲ ଏଜୁକେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫି ବୃଦ୍ଧି କରିପାରିବେ ନାହିଁ । ନୂତନ ଏକାଡେମିକ୍‌ ଅଧିବେଶନ ପାଇଁ ଆଡମିଶନ ଫି ହେଉ କିମ୍ବା ଅନ୍ୟ କୈାଣସି ଶୁକ୍ଳ ବୃଦ୍ଧି ନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

 

ଲକଡାଉନ୍‌ ସମୟରେ ଆଡମିଶନ କିମ୍ବା ଅନ୍ୟାନ୍ୟ ଫି ଦେବାକୁ ଅସମର୍ଥ ଥିବା ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତପକ୍ଷ ଆଗୁଆ ଦେୟ ଦେବାକୁ ବାଧ୍ୟ କରିପାରିବେ ନାହିଁ ବୋଲି AICTE ନିର୍ଦ୍ଦେଶ ଦେଇଛି । ଯଦି ଏଭଳି କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି AICTE କହିଛି । ଚଳିତ ଶିକ୍ଷା ବର୍ଷ ପାଇଁ ଅଗଷ୍ଟ ୧ ତାରିଖରୁ ବିଦ୍ୟାର୍ଥୀମାନେ ପାଠ ପଢିବେ । ପତ୍ର ମାଧ୍ୟମ ଶିକ୍ଷାର୍ଥୀମାନେ ଅଗଷ୍ଟ ୧୫ ତାରିଖ ଠାରୁ ନାମ ଲେଖାଇପାରିବେ । ଯଦି ଜୁଲାଇ ପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ ନ ହୁଏ ତେବେ ନୂଆ ସେମିଷ୍ଟାର ନିମନ୍ତେ ଅନ୍‌ଲାଇନ୍‌ କ୍ଳ।ସ କରିବାକୁ AICTE ବିଜ୍ଞପ୍ତିରେ ପ୍ରକାଶ କରିଛି ।