spot_img
Home Blog Page 7177

ମଦ ଦୋକାନୀଙ୍କୁ ମହଙ୍ଗା ପଡ଼ିଲା ମଇଳା, ଲକ୍ଷେ ଟଙ୍କା ଫାଇନ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ଆକ୍ସନ ମୁଡରେ ଜିଲ୍ଲାପାଳ । ସାଇକେଲରେ ବୁଲିଲେ ଆଉ ସଫେଇ କାର୍ଯ୍ୟ ତଦାରଖ କରିଲେ । ଅସ୍ୱଚ୍ଛ ପରିବେଶ ପାଇଁ ଫାଇନ୍‌ ବି ଆଦାୟ କଲେ । ତା ସହିତ ମଦ ବିକ୍ରି କରୁଥିବା କିଛି ଦୋକାନୀ ବି ଗଣିଲେ ତଣ୍ଡ । ଗୁରୁବାର ସକାଳୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଫୁଲ୍‌ ଆକ୍ସନ ମୁଡରେ ।

ୱାର୍ଡ ୱାର୍ଡ ବୁଲିବା ସହ ବିଭିନ୍ନ ଛକରେ ଥିବା ପାନ ଦୋକାନ ଓ ଅନ୍ୟ କିଛି ଦୋକାନରୁ ୧୦ହଜାର ଜରିମାନା ପକାଇଛନ୍ତି । ଏକ ଦେଶୀ ମଦ ଦୋକାନରୁ ମଧ୍ୟ ୧ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ସହରକୁ କିଭଳି ସ୍ୱଚ୍ଛ ରଖାଯାଇପାରିବ ସେ ନେଇ ବୁଲି ବୁଲି ସଚେତନ କରିଛନ୍ତି ଜିଲ୍ଲାପାଳ ।

ରେଶମ ସହର କିଭଳି ରହିବ ସ୍ୱଚ୍ଛ ଓ ସୁନ୍ଦର । ସେନେଇ ଦିନ ଅପେକ୍ଷା ରାତିରେ କରାଯାଉଛି ସଫେଇ । ବହୁବାର ଲୋକଙ୍କୁ ଏନେଇ ସଚେତନ ମଧ୍ୟ କରାଯାଉଛି । ତା ପରେ ବି ଜିଲ୍ଲାପାଳଙ୍କ ସ୍ୱଚ୍ଛତା ନେଇ ତଦାରଖ ଚାଲିଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

ବିଦେଶରେ ରାଷ୍ଟ୍ରପତିଙ୍କଠାରୁ ମନ୍ତ୍ରୀ,କଣ ପାଇଁ ସମସ୍ତେ ଯୋଡୁଛନ୍ତି ହାତ ?

କରୋନା ପାଇଁ ହିନ୍ଦୁ ସଂସ୍କୃତିକୁ ଆପଣେଇଛନ୍ତି ବିଦେଶୀ । ହ୍ୟାଣ୍ଡସେକ ବଦଳରେ ଚାଲିଛି ନମସ୍କାର(ନମସ୍ତେ)ର ଜମାନା । ବିଦେଶ ରାଜାଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ । ଯାହାକୁ ଦେଖ ସମସ୍ତେ ନମସ୍କାର କରୁଛନ୍ତି । ଏସବୁ କେବଳ ସମ୍ଭବ ହୋଇଛି କରୋନା ଭାଇରସ୍‌ ପାଇଁ । ଯାହା କେବଳ ଭାରତକୁ ଆସୁଥିବା ବିଦେଶୀ ମାନେ ଆପଣଉଥିଲେ । ଏବେ ନିଜ ଦେଶରେବି ଏମିତି ନମସ୍କାର କରୁଛନ୍ତି ବିଦେଶୀ । ଏମିତି କିଛି ଦୃଶ୍ୟ ଏବେ ବହୁ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ।

https://www.facebook.com/Indiaagainsturbannaxals/videos/231366464687264/

ଗତ ବୁଧବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ସ୍ପେନର ରାଜା ଏବଂ ରାଣୀଙ୍କୁ ଅଭିବାଦନ ଜଣାଇଲା ବେଳେ ରାଜା ରାଣି କରୋନା ଭୟରେ ହ୍ୟାଣ୍ଡସେକ ନକରି ଭାରତୀୟ ପରମ୍ପରାଗତ ନମସ୍କାର କରିଥିଲେ । ଯାହା  କ୍ୟାମେରାରେ ରେକର୍ଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି ।

ଖାଲି ସେତିକି ନୁହେଁ ଇସ୍ରାଇଲରେ ମଧ୍ୟ କରୋନାକୁ ନେଇ ଏବେ ନମସ୍କାରର ଜମାନା ଚାଲିଛି । ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ନମସ୍କାର କରୁଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମକ୍ରୋନ ମଧ୍ୟ ଏଭଳି ହ୍ୟାଣ୍ଡସେକ ନକରି ନମସ୍କାରର ପନ୍ଥା ଆପଣେଇଛନ୍ତି ।

ୟୁରୋପୀୟ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ଲୋକମାନେ ହାତ ମିଳାଇବା ଠାରୁ ଦୂରେଇ ରହିବା ଉଚିତ, ଯାହା ଚର୍ମରୁ ଚର୍ମ ସଂସ୍ପର୍ଶରେ ଆସିପାରେ।

ରଏଟର୍ସ ଦ୍ୱାରା ସଂଗୃହିତ ସର୍ବଶେଷ ତଥ୍ୟ ଅନୁଯାୟୀ ସ୍ପେନରେ ୨,୧୨୪ ଜୀବାଣୁ ନିଶ୍ଚିତ ହୋଇଥିବାବେଳେ ଫ୍ରାନ୍ସରେ ୧,୭୮୪ ମାମଲା ରହିଛି।

 

 

ବ୍ରିଟିଶ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲ୍ସ ଏହି ସପ୍ତାହ ପୂର୍ବରୁ ଲଣ୍ଡନରେ  କମନୱେଲଥ ଇଭେଣ୍ଟରେ ଅତିଥିମାନଙ୍କୁ ଅଭିବାଦନ ଜଣାଇବା ପରେ ହ୍ୟାଣ୍ଡସେକ ବଦଳରେ ନମସ୍କାର-ଷ୍ଟାଇଲରେ ଅଭିବାଦନ  କରିଥିଲେ।

ବିନା ଦଳ ତିଆରି କରି ରାଜନୀତିକୁ ଏଣ୍ଟ୍ରି କଲେ ରଜନୀ

ଚେନ୍ନାଇ: ବିନା ରାଜନୈତିକ ଦଳ ଗଠନ କରି ପଲିଟିକ୍ସକୁ ଏଣ୍ଟ୍ରି ମାରିଛନ୍ତି ସାଉଥ୍ ସୁପରଷ୍ଟାର ରଜନୀ । ଗୁରୁବାର ଦିନ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ରଜନୀ ରାଜନୀତିକୁ ନେଇ ନିଜ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ତାଙ୍କ ଅନୁସାରେ ସେ କେବେ ମଧ୍ୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିନଥିଲେ । ସେ କେବଳ ରାଜନୀତିରେ ପରିବର୍ତ୍ତନ ଚାହାନ୍ତି । ନିଜ ରାଜନୈତିକ ଦଳ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ସେ ଏମିତି ଏକ ଦଳ ତିଆରି କରିବାକୁ ଯାଉଛନ୍ତି ଯାହାର ମୁଖ୍ୟ ଓ ଶାସନ ମୁଖ୍ୟ ଅଲଗା ବ୍ୟକ୍ତି ରହିବେ ଓ ଅଲଗା କାମ କରିବେ ।

ରଜନୀକାନ୍ତ କହିଛନ୍ତି ଯେ, ତାମିଲନାଡୁ ରାଜନୀତିର ଦୁଇ ବଡ଼ ଖେଳାଳୀ ଜୟଲଳିତା ଓ କରୁଣାନିଧିଙ୍କ ଦେହାନ୍ତ ପରେ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଛି । ତେଣୁ ପରିବର୍ତ୍ତନ ପାଇଁ ଆମକୁ ନୂଆ ଆନ୍ଦୋଳନ ଆରମ୍ଭ କରିବାକୁ ହେବ ।

ରଜନୀକାନ୍ତଙ୍କ ତିନି ସୂତ୍ର

1. ଦଳରେ ଏଭଳି ଅନାବଶ୍ୟକ ପଦର ବିଲୋପ କରାଯିବ, ଯାହାର ନିର୍ବାଚନ ବେଳେ ଆବଶ୍ୟକତା ଥାଏ କିନ୍ତୁ ପରେ ଏଭଳି ପଦବୀ ଦୁର୍ନିତୀର କାରଣ ବନନ୍ତି । ଏହାକୁ ରୋକିବାକୁ ପଡିବ ।

2. ରଜନୀଙ୍କ ଦଳରେ ୬୦ରୁ ୬୫ ପ୍ରତିଶତ ପଦ ଯୁବ, ଶିକ୍ଷିତ ଓ ସଫା ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ ରହିବ । ବାକି ପଦବି ପୂର୍ବତନ ବିଚାରପତି, ପୂର୍ବତନ ଆଇପିଏସ ଓ ସେହି ଭଳି ଅନ୍ୟବ୍ୟକ୍ତିଙ୍କ ସଂରକ୍ଷିତ ରହିବ ଯେଉଁମାନଙ୍କ ଭଲ ରେକର୍ଡ ଥିବ ।

3. ଡିଏମକେ ଓ ଏଆଇଏଡିଏମକେ ଭଳି ଦଳ ମୁଖ୍ୟ ଓ ସରକାର ମୁଖ୍ୟ ଜଣେ ବ୍ୟକ୍ତି ରହିବେ ନାହିଁ । ଦଳ ମୁଖ୍ୟ ଓ ଶାସନ ମୁଖ୍ୟ ଅଲଗା ବ୍ୟକ୍ତି ରହିବେ ।

ମୁଖ୍ୟମନ୍ତ୍ରୀ ହେବା କେବେ ମଧ୍ୟ ତାଙ୍କ ଇଛା ନଥିଲା ବୋଲି କହି ରଜନୀକାନ୍ତ କହିଛନ୍ତି ଯେ, ୧୯୯୬ ମସିହାରେ ମୁଁ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ହୋଇ ପାରିଥାନ୍ତି । ଯଦି ୪୫ ବର୍ଷ ବୟସରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁନଥିଲି ତେବେ ଏବେ କଣ ପାଇଁ ଚାହିଁବି’’ ।

୧୯୯୬ ମସିହାରେ ରଜନୀକାନ୍ତଙ୍କ ଅପିଲ କାରଣରୁ ଜୟଲଳିତା ନିର୍ବାଚନରେ ହାରିଥିଲେ । ସେତେବେଳେ ରଜନୀକାନ୍ତ, ଡିଏମକେକୁ ଯିତାଇବାକୁ ପରୋକ୍ଷରେ ନିବେଦନ କରିଥିଲେ । ଏହାପରେ ରଜନୀ ଓ ଜୟାଙ୍କ ମଧ୍ୟରେ ସଂପର୍କ ଖରାପ ହୋଇ ପଡିଥିଲା । ରଜନୀକାନ୍ତ ଏବେ ସିଏଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛନ୍ତି । ତେଣୁ ରଜନୀଙ୍କ ଦଳ ଓ ବିଜେପି ମଧ୍ୟରେ ବୁଝାମଣା ହୋଇପାରେ ବୋଲି ,ସମ୍ଭାବନା ବ୍ୟକ୍ତ କରାଯାଉଛି ।

 

କରୋନା ପ୍ରଭାବ: ସେନସେକ୍ସରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ: ସେୟାର ମାର୍କେଟ ଉପରେ କରୋନା ଭାଇରସର ଖୁବ୍ ପ୍ରଭାବ ପଡ଼ିଛି । ଗୋଟିଏ ସମୟରେ ୨୪ ଶହ ପଏଣ୍ଟରୁ ଅଧିକ ଖସିଥିଲା ସେନସେକ୍ସ । ସେହିପରି ନିଫ୍ଟି  ମଧ୍ୟ ୭୪୬ରୁ ଅଧିକ ପଏଣ୍ଟ ହ୍ର।ସ ପାଇଥିଲା । ୨୪ ଶହରୁ ଅଧିକ ପଏଣ୍ଟ ଖସି ସେନସେକ୍ସ ୩୩ ହଜାର ୧୫୫ ପଏଣ୍ଟରେ ପହଞ୍ଚିଥିଲା । ସେହିପରି ୭୫୦ରୁ ଅଧିକ ପଏଣ୍ଟ ହ୍ର।ସ ପାଇ ୯ ହଜାର ୬୯୪ ପଏଣ୍ଟରେ ପହଞ୍ଚିଥିଲା ନିଫ୍ଟି ।

ଦିନ ଗୋଟାଏ ବେଳକୁ ସେନସେକ୍ସ ୨ ହଜାର ୨୦୦ ପଏଣ୍ଟ ଖସି ୩୩ ହଜାର ୪୨୫ ପଏଣ୍ଟରେ ପହଞ୍ଚିଥିଲା । ନିଫ୍ଟି ମଧ୍ୟ ୬୯୩ ପଏଣ୍ଟ ଖସି ୯ ହଜାର ୭୬୮ ପଏଣ୍ଟରେ ପହଞ୍ଚିଥିଲା । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ମାର୍କେଟ କାରବାର ଏଭଳି ହ୍ର।ସ ପାଇଛି । ୯ ମାର୍ଚ୍ଚରେ ସେନସେକ୍ସ ୧୯ ଶହ ୪୧ ପଏଣ୍ଟ ହ୍ର।ସ ପାଇଥିଲା ।

WHO କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବା ପରେ ଏହାର ପ୍ରଭାବ କାରବାର ଉପରେ ପଡିଛି । ଭାରତର ଭିସା ବନ୍ଦ କରିବା ଓ ଅନ୍ୟ ଦେଶର କଟକଣାର ପ୍ରଭାବ ସିଧାସଳଖ ମାର୍କେଟ ଉପରେ ପଡ଼ିଛି ।

କରୋନା ଉପରେ ବଡ଼ ନିଷ୍ପତ୍ତି, ଖାଲି ଷ୍ଟାଡିୟମରେ ଖେଳାଯିବ ରୋଡ୍ ସେଫ୍ଟି ବିଶ୍ୱ ସିରିଜ୍

ମୁମ୍ବାଇ: ସଚିନ ତେନ୍ଦୁଲକର ଏବଂ ବ୍ରାଏନ୍ ଲାରାଙ୍କ ପରି ମହାନ ଖେଳାଳିଙ୍କ ଉପସ୍ଥିତିରେ ରୋଡ୍ ସେଫ୍ଟି ବିଶ୍ୱ ସିରିଜ୍ ମ୍ୟାଚ୍ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ମହାମାରୀ କରୋନା ଭାଇରସ୍ ଆଶଙ୍କା ଥିବାରୁ ମ୍ୟାଚଟିକୁ ଖାଲି ଷ୍ଟାଡିୟମରେ ଖେଳାଯିବା ସୂଚନା ଦିଆଯାଇଛି । ଆୟୋଜକମାନେ ପୁଣେର ଗାହୁଞ୍ଜେରେ ଥିବା ଏମସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଗୁଡ଼ିକୁ ନଭି ମୁମ୍ବାଇର ଡି.ୱାଇ ପାଟିଲ ଷ୍ଟାଡିୟମକୁ ମଧ୍ୟ ସ୍ଥାନାନ୍ତର କରିଛନ୍ତି ।

ଆୟୋଜକମାନଙ୍କ ଦ୍ୱାରା ବୁଧବାର ବିଳମ୍ବିତ ରାତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରୋଡ୍ ସେଫ୍ଟି ବିଶ୍ୱ ସିରିଜର ସମସ୍ତ ହିତାଧିକାରୀ ନିଷ୍ପତ୍ତି ନେଇଛନ୍ତି ଯେ ରୋଡ୍ ସେଫ୍ଟି ବିଶ୍ୱ ସିରିଜର ଅବଶିଷ୍ଟ ସମସ୍ତ ମ୍ୟାଚ୍ ମାର୍ଚ୍ଚ ୧୩ ତାରିଖରୁ ଡି.ୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏବଂ ସମସ୍ତ ମ୍ୟାଚ ଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ କରାଯିବ ।

ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀଲଙ୍କା ଲିଜେଣ୍ଡସ୍ ଦଳ ଏହି ଦିନ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ୍ ଦଳ ସହ ମୁହାଁମୁହିଁ ହେବେ । ଅନ୍ୟପଟେ ବୁଧବାର ଦିନ ମହାରାଷ୍ଟ୍ରରେ କରୋନା ଭାଇରସର ୧୦ଟି ରିପୋର୍ଟ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, କରୋନା ଭାଇରସର ବ୍ୟାପିବା ସହ ମହାରାଷ୍ଟ୍ରରେ ମଧ୍ୟ ଏହାର କାୟା ବଢୁଥିବାରୁ ଆୟୋଜକ କମିଟି ସର୍ବସମ୍ମତି କ୍ରମେ ପୁଣେରେ ୧୪ ରୁ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ତୃତୀୟ ପର୍ଯ୍ୟାୟ ଡି.ୱାଇ ପାଟିଲ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଏବଂ ଫାଇନାଲ୍ ସହିତ ଅନ୍ୟ ସମସ୍ତ ମ୍ୟାଚ୍ ଖାଲି ଷ୍ଟାଡିୟମରେ ସମାନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ଆଇପିଏଲ୍ ସିଜିନ୍-୧୩ ବନ୍ଦ ହେଲେ କେତେ ହେବ କ୍ଷତି ?

0

ମୁମ୍ବାଇ : କରୋନା ଭୂତାଣୁକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ପ୍ରଭାବିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏ ମଧ୍ୟରେ ବିଶ୍ୱ ବଜାର ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଖସୁଛି ସେୟାର ବଜାର ଏବଂ ବିଦେଶୀ ନାଗରିକଙ୍କୁ ଭିସା ଦେବାକୁ ସରକାର ମନା କରିଛନ୍ତି । ଏଭଳି ସ୍ଥିତିରେ କ୍ରିକେଟ ପ୍ରେମୀ ଓ ଆଇପିଏଲ୍ ଆୟୋଜକଙ୍କର ଚିନ୍ତା ବଢ଼ିଛି । ଏଥର ଆଇପିଏଲ୍ ସିଜିନ୍ – ୧୩ ହେବ ନା ନାହିଁ । ଯଦିବା କର୍ଣ୍ଣାଟକ ଓ ମହାରାଷ୍ଟ୍ର ଏହାକୁ ନେଇ ଆପତ୍ତି ପ୍ରକାଶ କଲେଣି ତେବେ ବି ବିସିସିଆଇର ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

ଯଦି କରୋନାକୁ ଡରି ଏଥରର ଆଇପିଏଲ୍ ବୈଠକ ନହୁଏ ତେବେ କେତେ କ୍ଷତି ହେବ ? ଅନ୍ତର୍ଜାତୀୟ ସଂସ୍ଥା ଡଫ୍ ଓ ଫେଲପ୍ସର ରିପୋର୍ଟ ଅନୁସାରେ ୨୦୧୯ରେ ଆଇପିଏଲର ବ୍ରାଣ୍ଡ ଭେଲ୍ୟୁ ୪୭୫ ବିଲିୟନ୍ ବା ୪୭ ହଜାର ୫ ଶହ କୋଟିରେ ପହଞ୍ଚିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହା ସହିତ ଏତିକି ଅର୍ଥରାଶିର ସଂପୃକ୍ତି ରହିଥାଏ ।

ବିସିସିଆଇର ସୂଚନା ଅନୁସାରେ ୨୦୧୫ରେ ଭାରତୀୟ ଜିଡିପିରେ ଆଇପିଏଲ୍ ୧୧ ଶହ ୫୦ କୋଟି ଟଙ୍କା ଯୋଡ଼ିଥିଲା । ପ୍ରତି ମ୍ୟାଚରୁ ଗୋଟିଏ ଗୋଟିଏ ଫ୍ରାଞ୍ଚାଇଜି ୮ରୁ ୯ କୋଟି ଟଙ୍କା ପାଇଥାନ୍ତି । ସେହିପରି ମୋଟ୍ ପୁରସ୍କାର ରାଶି ୫୦ କୋଟି ଟଙ୍କା ରହିଛି । ବିଜେତା ଦଳ ୨୦ କୋଟି ପାଉଥିବା ବେଳେ ପ୍ରଥମ ରନରଅପ୍ ୧୨ କୋଟି ୫୦ ଲକ୍ଷ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଟିମ୍ ୭ କୋଟି ୭୫ ଲକ୍ଷ ଟଙ୍କା ଲେଖାଏଁ ପାଇଥାନ୍ତି ।

ଆଇପିଏଲ୍ ଖେଳ ସମୟରେ ୨ ମାସ ପାଇଁ ନନ୍ ପ୍ଲେୟର୍ସଙ୍କୁ ଚୁକ୍ତି କରାଯାଏ । ଖେଳାଳିମାନେ ବର୍ଷିକିଆ କଣ୍ଟ୍ରାକ୍ଟରେ ଆସିଥାନ୍ତି । ସେମାନଙ୍କ ସହିତ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଚୁକ୍ତି କରାଯାଏ । ଅକ୍ସନରେ ଆସିଥିବା ଭାରତୀୟ ଖେଳାଳିଙ୍କୁ ଟିମ୍ ପକ୍ଷରୁ ଟଙ୍କା ପ୍ରଦାନ କରାଯାଏ । ଅତି କମରେ ଜଣେ ଖେଳାଳି ୧୦ ଲକ୍ଷ ଟଙ୍କାରପୁ ହିଁ ଅଧିକ ପାଇବାକୁ ନିୟମ ରହିଛି । ତେବେ ଗୋଟିଏ ଟିମର ମୋଟ୍ ଖେଳାଳିଙ୍କ ଦରମା ବାବଦକୁ ଖର୍ଚ୍ଚ ୮୫ କୋଟି ଟଙ୍କା ଅତିକ୍ରମ ନକରିବାକୁ ନିୟମ ରହିଛି । ତେବେ ଖେଳ ସମୟରେ ହିଁ ଅଣ ଖେଳାଳିଙ୍କୁ ଦରମା ଦିଆଯାଇଥାଏ । ଏହା ବିସିସିଆଇ ପକ୍ଷରୁ ଆଇପିଏଲ୍ ଗଭର୍ଣ୍ଣିଂ ବଡି ପ୍ରଦାନ କରିଥାଏ । ୮ ସପ୍ତାହରେ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କା ଜଣ ପିଛା ଦରମା ଦିଆଯାଏ ।

ଟେଲିଭିଜନରେ ପ୍ରସାରଣ ପାଇଁ ଲାଇଲେନ୍ସ ହାସଲ ଓ ସାଟେଲାଇଟ୍ ରାଇଟ୍ସ ଆଇପିଏଲର ଆଉ ଏକ ପ୍ରମୁଖ ଦିଗ । ପ୍ରସାରଣ ବାବଦରେ ପ୍ରାୟ ୫ ହଜାର କୋଟିରୁ ଟଙ୍କାର ବଜେଟ୍ ରହିଥାଏ । ପୂର୍ବରୁ ଚୁକ୍ତି ହୋଇଥିବା ସଂସ୍ଥା ହିଁ ପ୍ରସାରଣ ଦାୟିତ୍ୱ ନେଇଥାନ୍ତି । ସେମାନେ ଆଡଭାଟାଇଜର୍ସଙ୍କ ଟଙ୍କା ସିଧାସଳଖ ନେଇଥାନ୍ତି । ଏହାସହ ଆଇପିଏଲ୍ ଆୟୋଜନ ହେଉଥିବା ଷ୍ଟାଡାୟମର ଖର୍ଚ୍ଚ ମଧ୍ୟ ବହନ କରିଥାଏ ବିସିସିଆଇ । ଏବେ ଯଦି ଆଇପିଏଲ୍  ବନ୍ଦ ହେଉଛି ତେବେ ଏ ସବୁ କ୍ଷତି ସହିବେ । ଏଯାଏଁ ଟିକେଟ୍ ବିକ୍ରୀ ହୋଇନଥିବାରୁ ଟୁର୍ଣ୍ଣାମେଣ୍ଟ ସନ୍ଦେହ ଘେରରେ ରହିଛି । ମୋଟାମୋଟି ୨୦୨୦ରେ ୫୦ ହଜାର କୋଟି ଟଙ୍କାର କ୍ଷତି ହେବାର ସମ୍ଭାବନା ରହିଛି ଯଦି ଏଥର ଆଇପିଏଲ୍ ବନ୍ଦ ହୁଏ ।

ଜଙ୍ଗଲକୁ ଘର କରିଛନ୍ତି ଗୋପାଳ !

ଝାରସୁଗୁଡା ଜିଲ୍ଲାରେ ବଣ ମଣିଷ । ତାହା ପୁଣି ଆଧୁନିକ ଯୁଗରେ, କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ । ଆମେ ସମସ୍ତେ ଜାଣିଛନ୍ତି ପୁରାତନ ଯୁଗରେ ଲୋକମାନେ ଉଲଗ୍ନ ହୋଇ ଜଙ୍ଗଲରେ ବସବାସ କରୁଥିଲେ । ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ସହ ରହୁଥିଲେ ଏବଂ କଞ୍ଚା ମାଂସ, ଫଳମୂଳ ଖାଇ ଜୀବନ ଅତିବାହିତ କରୁଥିଲେ । ଏପରିକି ଅନେକ ଚଳଚିତ୍ର ମାଧ୍ୟମରେ ମଧ୍ୟ ଆମେ ଏହା ଦେଖିଛନ୍ତି ।

ଏବେ କିନ୍ତୁ ଝାରସୁଗୁଡାରେ ଏମିତି ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଚାଲିଛି,ଯାହାଙ୍କୁ ବଣ ମଣିଶ ବୋଲି କୁହା ଯାଉଛି । କାରଣ ସେ ଜଙ୍ଗଲରେ ରୁହନ୍ତି ଓ ଶରିରକୁ ଅନାବୃତ ରଖନ୍ତି ।  ଝାରସୁଗୁଡା ଜିଲ୍ଲା ଖୁଣ୍ଟାମାଲ ପଞ୍ଚାୟତର ସୁଡୁଙ୍ଗ ଗ୍ରାମର ଯେଉଁ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଚାଲିଛି ତାଙ୍କ ନାମ ହେଉଛି ବ୍ୟକ୍ତି ଗୋପାଳ ନାଏକ । ବୟଷ ପାଖାପାଖି ୪୫ ରୁ ୫୦ବର୍ଷ । ଛୁଆବେଳୁ ସେ ଉଲଗ୍ନ ହୋଇ ଜଙ୍ଗଲରେ ବୁଲୁଛନ୍ତି । ଏପରିକି ଜଙ୍ଗଲରେ ବୁଲି ବୁଲି ଫଳମୂଳ ଖାଇବା ସହ ଜଙ୍ଗଲରେ ମଧ୍ୟ ରୁହନ୍ତି  ।

ଜଙ୍ଗଲରେ ରହୁଥିବା ଗୋପାଳ ପାଗଳ ନୁହନ୍ତି । ମାନସିକ ଭାବେ ସେ ସୁସ୍ଥ । ଚାଷବାସ କରି ପେଟ ପୋଷନ୍ତି । ଏମିତିକି ଝରଣା ପାଣିରେ ବନ୍ଧ ବାନ୍ଧି ମାଛ ଚାଷ କରନ୍ତି । କିନ୍ତୁ କୌଣସି କାରଣରୁ ତାଙ୍କୁ ପୋଷାକ ପିନ୍ଧିବାକୁ ଭଲ ଲାଗେନା । ତେଣୁ ସେ ଜଙ୍ଗଲୀଙ୍କ ଭଳି ବିନା ପୋଷାକରେ ଜଙ୍ଗଲରେ ବୁଲନ୍ତି ।

ଅନେକ ଦିନ ଧରି ସେ ଜଙ୍ଗଲରେ ରହି ଆସୁଛନ୍ତି । ପ୍ରଥମେ ସେ ଜଙ୍ଗଲରେ ଗଛ ଉପରେ ରହୁଥିଲେ । ଏବେ ଜଙ୍ଗଲ ନିକଟରେ ବହି ଯାଉଥିବା ନାଳ ନିକଟରେ ଏକ କୁଡ଼ିଆ ନିର୍ମାଣ କରି ରୁହନ୍ତି । ବନ୍ୟପଶୁ ମାନେ କେହିବି ତାଙ୍କର କ୍ଷତି କରନ୍ତି ନାହିଁ  କି ଗୋପାଳ କୌଣସି ବନ୍ୟଜନ୍ତୁଙ୍କୁ ଡରନ୍ତି ନାହିଁ । ଏହାସହ ଗାଁର କୌଣସି ଲୋକଙ୍କୁ କୌଣସି କ୍ଷତି କରନ୍ତି ନାହିଁ ଗୋପାଳ । ସବୁବେଳେ ଅଣ୍ଟାରେ ଏକ ଦା’ ଧରିଥାନ୍ତି। ଗୋପାଳର କୌଣସି ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ନାହିଁ। ଉଲଘ୍ନ ହୋଇ ଜଙ୍ଗଲରେ ବୁଲିବାକୁ ଭଲ ଲାଗେ ବୋଲି କୁହନ୍ତି ଗୋପାଳ । ଜଙ୍ଗଲକୁ ତାଙ୍କ ଘର ଏବଂ ବନ୍ୟ ଜନ୍ତୁମାନେ ତାଙ୍କର ବନ୍ଧୁ ମାନି ନେଇଛନ୍ତି ଗୋପାଳ ।

ଜନ୍ମରୁ ଭାତ ଖାଇ ନାହାନ୍ତି ବେବିନା; ପରିବାର ଚାହାନ୍ତି ସରକାରୀ ସାହାଯ୍ୟ

କ୍ଷୀର ଭଲ । ଶରିରକୁ ଦିଏ ପୋଷକ ତତ୍ୱ କିନ୍ତୁ ବେବିନା ପାଇଁ କ୍ଷୀର ଅଭିଶାପ ସାଜିଛି । କାରଣ ବେବିନା କ୍ଷୀର ଛଡା ଆଉ କିଛି ଖାଇ ପାରେନା । ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୧୪ ବର୍ଷ ଧରି କ୍ଷୀର ପିଇ ବଞ୍ଚିଛି ବେବିନା ।  କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ବୋଦାପଲିସା ପଞ୍ଚାୟତର ଶଙ୍କରପୁର ଗାଁର ବେବିନା ଜନ୍ମ ପରଠାରୁ କ୍ଷୀର ଛଡା ଆଉ କିଛି ମଧ୍ୟ ଖାଇନାହିଁ ।

ଦୀର୍ଘ ୧୪ ବର୍ଷ ହେବ ବିଛଣାରେ ପଡ଼ି ରହି ବେବିନା ଅନାଗତ ଭବିଷ୍ୟତ ଆଶଙ୍କାର ଜୀବନ ବ୍ୟତିତ କରୁଛି । କେନ୍ଦୁଝର ଜିଲ୍ଲାପାଳ ଅଫିସରୁ ମାତ୍ର ୫ କି.ମି  ଥିବା  ଶଙ୍କରପୁର ଗ୍ରାମର ବଡ଼ସାହିରେ ବେବିନାର ଘର । ବାପାଙ୍କ ନାମ ରୋହିତ ଚାନ୍ଦ ମହାନ୍ତ  । ରୋହିତ ଜୀବନ ଜୀବିକା ପାଇଁ ମୂଲ ଲାଗନ୍ତି । ମଜୁରୀ ଟଙ୍କାରେ ଚାଲେ ତାଙ୍କ ଅଭାବି ପରିବାର ।

୧୪ ବର୍ଷ ପୂର୍ବେ ୨୦୦୬ ଡିସେମ୍ବର ମାସ ରେ  ବେବିନାର ହୁଏ ଜନ୍ମ ।  ଘରକୁ ଲକ୍ଷ୍ମୀ ଆସିଲେ ବୋଲି ରୋହିତ ଓ ତାଙ୍କ ପରିବାର  ଖୁସି ହୋଇଥିଲେ। କିନ୍ତୁ ସେଇ ଖୁସୀ ଅସ୍ଥାୟୀ ଥିଲା । ଖୁସିରେ ଯାହାର ନାମ ବେବିନା ରଖିଥିଲେ,ଏବେ ସେ ପରିବାର ଓ ନିଜ ପାଇଁ ଆଣିଥିଲା ଦୁଃଖର ପାହାଡ । ବେବିନା ନା କେବେ ଚାଲିଲା ନା କେବେ କଥା କହି ପାରିଲା । କେବଳ ଏତିକି ନୁହେଁ, ବେବିନା ଦେଖି ମଧ୍ୟ ପାରେନି ।

ଝିଅ ବେବିନାକୁ ଭଲ କରିବା ପାଇଁ ରୋହିତ ଡାକ୍ତରଙ୍କ ପାଖକୁ ଧାଇଁଛନ୍ତି । ନିଜ ସୀମିତ ଆୟରେ ସବୁ ଚେଷ୍ଟା କରିଛନ୍ତି । କିନ୍ତୁ ବେବିନା ଭଲ ହୋଇନାହିଁ । ଶେଷରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ବେବିନାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ରୋହିତଙ୍କ ଭଳି ଦିନ ମଜୁରିଆଙ୍କ ପାଇଁ ଏହା ସାଧ୍ୟ ବାହାରେଥିଲା । ଫଳରେ ସେବେଠାରୁ ବେବିନା ଘରେ ପଡି ରହିଛି । ବିନା ଚିକିତ୍ସାରେ । ଆଉ କେଇ ଖଣ୍ଡ ବିସ୍କୁଟ ଓ କ୍ଷୀର ପିଇ ଗଲା ୧୪ ବର୍ଷ ହେଲା ବିଛଣାରେ ଘାଣ୍ଟି ହେଉଛି । ନିଜେ ଘାଣ୍ଟି ହେବା ସହ ଚିନ୍ତାରେ ତା ବାପା ମା’ ମଧ୍ୟ ଘାଣ୍ଟି ହେଉଛନ୍ତି ।

ନିଜ ଝିଅକୁ ଅନ୍ୟ ପିଲାଙ୍କ ଭଳି ଚାଲିବା ଓ ଖେଳିବାକୁ ଦେଖିବାକୁ ଚାହୁଁଥିବା ରୋହିତ ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ । ସରକାର ଯଦି କିଛି ସାହାଯ୍ୟ କରନ୍ତେ ତେବେ ତାଙ୍କ ବେବିନା ବିଛଣାରୁ ଉଠନ୍ତା । ଦୁନିଆ ଦେଖନ୍ତା । ନିଜେ ହସନ୍ତା ଓ ପରିବାର ମୁହଁର ହସ ଫୁଟନ୍ତା । ରୋହିତଙ୍କ ଦୁଃଖରେ ସମଦୁଃଖୀ ଗ୍ରାମବାସୀ ମଧ୍ୟ ଚାହାନ୍ତି ଯେ, ସରକାର ରୋହିତଙ୍କୁ ସାହାଯ୍ୟ କରନ୍ତୁ । ବେବିନାର ଚିକିତ୍ସା ଭାର ସରକାର ଉଠାନ୍ତୁ ଓ ମହନ୍ତ ପରିବାରକୁ ବଂଚିବାର ଖୁସି ଦିଅନ୍ତୁ ।