spot_img
Home Blog Page 721

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଘରଠୁ ୨୦ କିମି ଦୂର କାଜୁ ଜଙ୍ଗଲରୁ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଜଳେଶ୍ଵର ଅଞ୍ଚଳରେ ପୁଣି ଲଜ୍ଜା । ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘରଠାରୁ ୨୦ କି.ମି. ଦୂର କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

୨୦୨୫ ମେ’ ୨୨ ତାରିଖ । ବାଲେଶ୍ଵର ଭୋଗରାଇ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘଟଣାର ୩ ଦିନ ପୂରିନି, ଜଳେଶ୍ଵର ଅଞ୍ଚଳରେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର । ତା’ ପୁଣି ଜଣେ ଦିବ୍ୟାଙ୍ଗ ମାନସିକ ବିକାରଗ୍ରସ୍ତ ନାବାଳିକା । ଶୌଚ ପାଇଁ ନାବାଳିକା ଜଣକ ଘରୁ ବାହାରିଥିଲେ । ହେଲେ ଆଉ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ  ଖୋଜାଖୋଜି ପରେ ଗୋବରଘଟା ସ୍ଥିତ ସିଟ୍ ଛକରୁ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ହାତୀଗଡ଼ ହସ୍ପିଟାଲରେ ଡାକ୍ତରୀ ମାଇନା ପରେ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର । ତଦନ୍ତ ପରେ ଅଭିଯୁକ୍ତ ସଞ୍ଜୀବ ଘୋଷ ନାମକ ଯୁବକକୁ ଗିରଫ କରିଛି ରାଇିବଣିଆ ପୋଲିସ ।

ଜଳେଶ୍ଵର ଅଞ୍ଚଳରେ ବାରମ୍ବାର ମହିଳା ନିର୍ଯାତନା, ନାବାଳିକା ଦୁଷ୍କର୍ମ ନେଇ ଘଟଣା ସାମନାକୁ ଆସୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦାନା ବାନ୍ଧିଲାଣି । ଅଭିଯୋଗ କରିଛନ୍ତି, ଜିଲ୍ଲାରେ ଆଉ ସୁରକ୍ଷିତ ମଣୁନାହାନ୍ତି ମହିଳା ଓ ଶିଶୁ । ପ୍ରଶାସନ ଓ ପୋଲିସର ଅପାରଗତା ଯୋଗୁଁ ଅପରାଧ ବଢି ଚାଲିଛି । ବାରମ୍ବାର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଥିବାରୁ ଘରର ଝିଅ ବୋହୂ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏବର ରାଜ୍ୟ ସରକାରଙ୍କ ସମୟରେ  ଆଇନଶୃଙ୍ଖଳା ବିଗିଡିଥିବା ବେଳେ ପୋଲିସର ସ୍ଥାଣୁତାକୁ ଦାୟୀ କରିଛନ୍ତି ଲୋକେ ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଳେଶ୍ଵର ପୋଲିସ । ସେପଟେ ଗତ ୨୨ ତାରିଖ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ  ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।

ଖୋଲୁଛି ଡନର କଳା ସାମ୍ରାଜ ଗୁମର, ଓଡ଼ିଶାର ୭ ସହରକୁ ଯୋଗାଉଥିଲା ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ୭ ସହରକୁ ବନ୍ଧୁକ ଯୋଗାଉଥିଲା ଅସଲାମ । ବନ୍ଧୁକ ମାଫିଆ ଗ୍ୟାଙ୍ଗଷ୍ଟର ମହମ୍ମଦ ଅସଲାମଠୁ ଏପରି ତଥ୍ୟ ଉଗାଳିଛି କ୍ରାଇମବ୍ରାଞ୍ଚ । ସାମନାକୁ ଆସିଛି ଡନ୍‌ ସାମ୍ରାଜ୍ୟର ଗୁମର । ବିହାରରୁ ଗିରଫ କରି ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା ରାଜ୍ୟ ଏସଟିଏଫ୍‌ । ଜାଣନ୍ତୁ ୫ ରାଜ୍ୟକୁ ଥରହର କରୁଥିବା ମୋଷ୍ଟ ୱାଣ୍ଟେଡ୍ ଡନର ମେଡ୍ ଇନ୍ ମୁଙ୍ଗେର କାହାଣୀ ।

ଓଡ଼ିଶାର ୭ଟି ସହରରେ ବନ୍ଧୁକ କାରବାର କରିଥିଲା ଅସଲାମ । ଗ୍ୟାଙ୍ଗଷ୍ଟର ଥରାଉଥିଲା ଓଡ଼ିଶାରୁ ବିହାର । ପଶ୍ଚିମବଙ୍ଗରୁ ଆସାମ ଅସଲାମକୁ କରୁଥିଲେ ସଲାମ୍ । କିଏ ଡାକୁଥିଲା ଡନ୍, ଆଉ କିଏ କହୁଥିଲା ଭାଇଜାନ୍ । ମୁଙ୍ଗେରର ଏହି ଗ୍ୟାଙ୍ଗଷ୍ଟର ୫ ରାଜ୍ୟର ପୋଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ୍ । ସେ ଥିଲା ବନ୍ଧୁକ କାରବାରର ବେତାଜ ବାଦସାହା । ଗୋଟିଏ ଇସାରାରେ ନାଚୁଥିଲେ ସାର୍ପ ସୁଟରରୁ କଣ୍ଟ୍ରାକ୍ଟ କିଲର । ଯୋଗାଉଥିଲା ପିସ୍ତଲରୁ ରିଭଲଭର । କେବଳ ମୁଙ୍ଗେର ନୁହେଁ, ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଉ ଆସାମରେ ବିସ୍ତାର କରିଥିଲା ଅପରାଧର ସାମ୍ରାଜ୍ୟ ।

ଓଡିଶା ସ୍ପେସାଲ ଟାସ୍କଫୋର୍ସ ହାତରେ ଏହି ଡନ୍ ବନ୍ଧା ପଡିବା ପରେ, ସାମନାକୁ ଆସିଛି ଅସଲାମର ଅସଲ ଚିତ୍ର । କଟକ ବୟାଳିଶ ମୌଜାରେ ବନ୍ଧୁକ କାରଖାନା ପଛର ମାଷ୍ଟରମାଇଣ୍ଡ ଥିଲା ଏହି ଗ୍ୟାଙ୍ଗଷ୍ଟର । ଓଡିଶାରୁ ଅଧା ତିଆରି ବନ୍ଧୁକ ନେଇ ମୁଙ୍ଗେରରେ କରୁଥିଲା ଫିନିସିଙ୍ଗ । ସେଠାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଆଜାମ୍ ଓରଫ୍ ବୁଦ୍ଧୁ ଓ ମହମ୍ମଦ ଆବିଦ ହୁସେନ ଠାରୁ ବନ୍ଧୁକ କିଣୁଥିଲା । ମିନି ଗନ୍, ପିସ୍ତଲ ଆଣି ଅନ୍ୟ ରାଜ୍ୟକୁ ଯୋଗାଉଥିଲା ।

ଅସଲାମ୍ ଗଢୁଥିଲା ଗ୍ୟାଙ୍ଗସ୍ ଅଫ୍ ଗଞ୍ଜାମ । ଡନ୍ ସିଣ୍ଡିକେଟରେ ଥିଲେ ଓଡ଼ିଶାର ହେଭିୱେଟ୍ । ବନ୍ଧୁକ ଯୋଗାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିଲା । ଆଡଭାନ୍ସ ବାବଦକୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରେ ନେଇଛି । କଟକରୁ ତିଆରି ବନ୍ଧୁକ ଉପରେ ମେଡ୍ ଇନ୍ ମୁଙ୍ଗେର ଲେଖି ରାଜ୍ୟ, ରାଜ୍ୟ ବାହାରକୁ ସପ୍ଲାଏ କରୁଥିଲା । ଆଉ ମଝିରେ ମଝିରେ କଟକ ଆସି କ୍ୱାଲିଟି ବି ଚେକ୍ କରୁଥିଲା । ଗଞ୍ଜାମରୁ ମିଳିଥିବା ୩୧ ବନ୍ଧୁକ ପଛରେ ଥିଲା ଏହି ଡନର ହାତ । ଗଞ୍ଜାମ ବ୍ୟତୀତ ଆଉ କେଉଁ ସହରର କେତେ ଅପରାଧୀଙ୍କ ହାତକୁ କେତେ ବନ୍ଧୁକ ଯାଇଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସଟିଏଫ୍ ।

ଏବେ ଏସଟିଏଫ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି ବୟାଳିଶ ମୌଜାର ବନ୍ଧୁକ କାରଖାନାରେ ତିଆରି ହୋଇଥିଲା କେତେ ବନ୍ଧୁକ ? ଯଦି ଆକାଉଣ୍ଟରେ ଆଡଭାନ୍ସ ୨୦ ଲକ୍ଷ, ତା’ହେଲେ କ୍ୟାସରେ ନେଇଛି କେତେ ? କେବେ ପ୍ରସ୍ତୁତ ହେବ ବନ୍ଧୁକ ନେଇଥିବା ସାର୍ପ ସୁଟର, କଣ୍ଟ୍ରାକ୍ଟ କିଲରଙ୍କ ତାଲିକା ? ଓଡ଼ିଶାରେ ବଡ଼ ଅପରାଧ କରିବାକୁ ଯୋଜନା କରିଥିଲା କି ଡନ୍ ଅସଲାମ୍ ? ଏବେ ବି ଓଡ଼ିଶାରେ ବୁଲୁଛି କେତେ ବନ୍ଧୁକ ? ଫସିଲା ଅସଲାମ୍, ଖସିଲା କିଏ ? ଏସବୁକୁ ନେଇ ତନାଘନା ଆରମ୍ଭ କରିଛି ସ୍ପେଶାଲ ଟାସ୍କଫୋର୍ସ ।

କୋଚି ଉପକୂଳରେ ବୁଡ଼ିଗଲା ବିଦେଶୀ ମାଲବାହୀ ଜାହାଜ

ନନ୍ଦିଘୋଷ ବ୍ୟୁରୋ: କୋଚି ଉପକୂଳ ସମୁଦ୍ରରେ ବୁଡ଼ିଗଲା ବିଦେଶୀ ମାଲବାହୀ ଜାହାଜ । ଏଥିରେ ଥିବା ୨୧ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ଏକାଧିକ ମାଲବାହୀ କଣ୍ଟେନର ସହିତ ଜାହାଜଟି ଗତ ରାତି ୧୦ଟା ସୁଦ୍ଧା କୋଚି ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଛି ।

ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି । ଆଶଙ୍କା କରାଯାଉଛି, ମାଲବାହୀ ଜାହାଜରେ ଥିବା କଣ୍ଟେନରରେ କିଛି ବିପଦପୂର୍ଣ୍ଣ ସାମଗ୍ରୀ ଥାଇପାରେ । କାରଣ ଜାହାଜ ପାଖକୁ ନ ଯିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ଜାହାଜଟି ଲାଇବେରିଆର ବୋଲି ଜଣାପଡ଼ିଛି । କୋଚିର ଦକ୍ଷିଣ-ପଶ୍ଚିମରେ ପ୍ରାୟ ୩୮ ନଟିକାଲ୍ ମାଇଲ୍ ଦୂରରେ ବୁଡ଼ି ଯାଇଛି। ଜାହାଜଟି ୨୩ ମେ’ ୨୦୨୫ରେ ଭିଜିଞ୍ଜାମ ବନ୍ଦରରୁ କୋଚି ଅଭିମୁଖେ ଯାତ୍ରା କରିଥିଲା । ନିକଟରେ ଥିବା ଜାହାଜ ଓ ବିମାନ ନିୟୋଜିତ କରି ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରଖିଥିଲା । ସମ୍ଭାବ୍ୟ ପରିବେଶ କ୍ଷତିକୁ ହ୍ରାସ କରିବାକୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

ଲାଲୁଙ୍କ ବଡ଼ ଆକ୍ସନ: ବଡ଼ ପୁଅ ତେଜ ପ୍ରତାପ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ

ନନ୍ଦିଘୋଷ ବ୍ୟୁରୋ: ଆରଜେଡି ନେତା ତେଜ ପ୍ରତାପ ଯାଦବଙ୍କ ବିରୋଧରେ ବାପା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ଆକ୍ସନ । ଦଳରୁ ୬ ବର୍ଷ ପାଇଁ ବହିଷ୍କାର କଲେ ଲାଲୁ । ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଲାଲୁ ।

ସୋସିଆଲ ମିଡିଆ ଆକାଉଣ୍ଟ Xରେ ଲାଲୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ବ୍ୟକ୍ତିଗତ ଜୀବନର ନୈତିକ ମୂଲ୍ୟବୋଧରେ ଅଧୋପତନ ସାମାଜିକ ନ୍ୟାୟ ପାଇଁ ସାମୂହିକ ଲଢ଼େଇକୁ ଦୁର୍ବଳ କରିଥାଏ । ବଡ଼ ପୁଅର କାମ, ଚାଲି ଚଲଣ, ଆଚରଣ ଓ ଦାୟିତ୍ଵହୀନ ବ୍ୟବହାର ଆମ ପରିବାର ମୂଲ୍ୟବୋଧ ଓ ସାମାଜିକ ସଂସ୍କାର ପରିପନ୍ଥି ଅଟେ । ଏପରି ପରିସ୍ଥିତିରେ ତେଜପ୍ରତାପଙ୍କୁ ପରିବାର ଓ ପାର୍ଟିରୁ ଦୂର କରାଯାଉଛି । ଆଜିଠୁ ପାର୍ଟି ଓ ପରିବାରରେ ତେଜପ୍ରତାପଙ୍କ କୌଣସି ଭୂମିକା ରହିବ ନାହିଁ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଉଛି । ନିଜ ବ୍ୟକ୍ତିଗତ ଜୀବନର ଭଲ ମନ୍ଦ, ଦୋଷ ଗୁଣ ଦେଖିବାରେ ସେ ନିଜେ ସକ୍ଷମ । ଯେଉଁମାନେ ତାଙ୍କ ସହିତ ସଂପର୍କ ରଖୁଛନ୍ତି, ସେମାନେ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନିଅନ୍ତୁ । ମୁଁ ସବୁବେଳେ ସାମାଜିକ ଜୀବନ ଓ ଲୋକାଚାରକୁ ସମ୍ମାନ ଦେଇଥାଏ ବୋଲି ଲେଖିଛନ୍ତି ଲାଲୁ ପ୍ରସାଦ ଯାଦବ ।

କିଛି ଦିନ ତଳେ ତେଜ ପ୍ରତାପ ଏକ ସୋସିଆଲ ମିଡିଆ ପୋଷ୍ଟରେ ନିଜ ପ୍ରେମ କାହାଣୀ ବଖାଣିଥିଲେ । ଫେସବୁକରେ ଏକ ଝିଅର ଫଟୋ ସହିତ ନିଜ ଫଟୋ ପୋଷ୍ଟ କରି ସେଥିରେ ତେଜ ପ୍ରତାପ ଲେଖିଥିଲେ, ସେମାନେ ୧୨ ବର୍ଷ ହେଲାଣି ରିଲେସନସିପରେ ଅଛନ୍ତି । କିନ୍ତୁ ୨୦୧୮ରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଦାରୋଗା ରାୟଙ୍କ ନାତୁଣୀ ଐଶ୍ଵର୍ଯ୍ୟାଙ୍କୁ ବାହା ହୋଇଛନ୍ତି ତେଜପ୍ରତାପ । ତାଙ୍କର ଫେସବୁକ ପୋଷ୍ଟକୁ ନେଇ ସାରା ବିହାରରେ ହଙ୍ଗାମା ହୋଇଥିଲା । ପରେ ଅବଶ୍ୟ ସେ ସଫେଇ ଦେଇଥିଲେ ଯେ, ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରାଯାଇ ଏପରି ପୋଷ୍ଟ କରାଯାଇଛି । ଆଗକୁ ଆସୁଛି ବିହାର ବିଧାନସଭା ନିର୍ବାଚନ । ଦଳ ବଦନାମ ହେବା ଆଶଙ୍କାରେ ବଡ଼ ପୁଅ ତେଜପ୍ରତାପଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଲାଲୁ ପ୍ରସାଦ ଯାଦବ ।

ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ, ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ

ଦିଲ୍ଲୀ: ଦିଲ୍ଲୀ ଶାହାଦରା ଅଂଚଳରେ ଅଘଟଣ। ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣରୁ ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଗୁରୁତର ହୋଇ ଜିଟିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା। ସେହି ଘରେ ଶୋଇଥିବାରୁ ଫସିଯାଇଥିଲେ ୨ ଯୁବକ। ଅନ୍ୟ ୪ ଜଣ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ସର୍ଟ ସର୍କିଟରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଶାହାଦରାର ରାମନଗର ଅଚଂଳରେ ରହିଛି ଏହି ଚାର୍ଜି ଷ୍ଟେସନ। ମୃତକ ଦୁଇ ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାର ୧୯ ବର୍ଷୀୟ ବ୍ରିଜେଶ ଏବଂ ୧୮ ବର୍ଷୀୟ ମଣିରାମ। ଖବର ପାଇ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ। ନିଆଁକୁ ନିୟନ୍ତ୍ରଣ ପରେ ପୋଡ଼ିଯାଇଥିବା ଅବସ୍ଥାରେ ମୃତଦେହ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିଲା। ଇ-ରିକ୍ସା ଗୋଦାମ ଭାବେ ମଧ୍ୟ ଏହି ଘର କାମ କରୁଥିଲା। ସମସ୍ତେ ଇ-ରିକ୍ସାରେ ଆଖୁରସ ବିକୁଥିଲେ ଏବଂ ସେହି ଘରେ ରହୁଥିଲେ। ଚାର୍ଜିଂ ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଳନ କରାଯାଉଥିଲା କି ନାହିଁ ତଦନ୍ତ କରୁଛି ଅଗ୍ନିଶମବାହିନୀ

ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି କର୍ମୀ ମୁଁହାମୁହିଁ

ଭଦ୍ରକ: ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି କର୍ମୀ ମୁଁହାମୁହିଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ପଞ୍ଚାୟତ ଅନ୍ତର୍ଗତ କମ୍ବଳପୁର ଗ୍ରାମବାସୀ ଏ ଅଭିଯୋଗ ଆଣିଛନ୍ତି। ଗାଁରେ ହଜାରେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସବୁଦିନିଆ ରାସ୍ତା ନଥିଲା। ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ଗ୍ରାମବାସୀ। ପୂର୍ବ ସରକାରଙ୍କ ସମୟରେ ଏହି ଗାଁ ସହ ଅନ୍ୟ କିଛି ନିକଟ ଗାଁକୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୫  କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୪ ମାର୍ଚ୍ଚ ୭ ତାରିଖ ଦିନ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଶିଳାନ୍ୟାସ କରିଥିଲେ। ଏବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରାସ୍ତା ନିର୍ମାଣ ନକରି ରାଜନୈତିକ ଉଦେଶ୍ୟରେ ରାସ୍ତା ନିର୍ମାଣ କରିବା ପାଇଁ ମସୁଧା ଚଳାଇଛନ୍ତି ଶାସକ ଦଳର ଜଣେ ଠିକାଦାର। ଯଦି ରାସ୍ତାରେ ଦିଗ ପରିବର୍ତ୍ତନ ହୁଏ ତେବେ କମ୍ବଳପୁର ଗ୍ରାମବାସୀ ରାସ୍ତାରୁ ବଞ୍ଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବିଜେଡ଼ି ନେତା। କମ୍ବଳପୁର ଗାଁକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖିବା ପାଇଁ ବିଜେପି ହୀନ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ଯଦି ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ରାସ୍ତା ନିର୍ମାଣ କରାନଯାଏ ତେବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

କିଡନୀ ତସ୍କରୀ ଅଭିଯୋଗରେ ଡାକ୍ତରଙ୍କ ଘରେ ସିବିଆଇ ରେଡ୍

କୋଲକାତା: କିଡନୀ ତସ୍କରୀ ଅଭିଯୋଗରେ ସିବିଆଇ ରେଡ୍। ପଶ୍ଚିମବଂଗ ବର୍ଦ୍ଧମାନ ସହରରେ ଥିବା ପ୍ରସିଦ୍ଧ ଡାକ୍ତର ତପନ କୁମାର ଜାନାଙ୍କ ଘରେ ସିବିଆଇ ଚଢାଉ କରିଛି। କିଡନୀ ଚାଲାଣ ଓ ତସ୍କରି ଅଭିଯୋଗରେ ପୂର୍ବ ବର୍ଦ୍ଧମାନ ଜିଲ୍ଲା ବର୍ଦ୍ଧମାନ ସହରରେ ଡାକ୍ତର ତପନ କୁମାର ଜାନାଙ୍କ ବାସଭବନରେ ସିବିଆଇ ରେଡ କରିଛି। ମିଠାପୁକୁର ହାତୀଶାଲ ଅଞ୍ଚଳରେ ଥିବା ବାସଭବନରେ ୮ ଜଣିଆ ସିବିଆଇ ଦଳ ଚଢାଉ କରିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ରେଡ୍ ଆଜି ମଧ୍ୟ ଜାରି ରହିଛି। ଡାକ୍ତର ଘରେ ନଥିବାବେଳେ ତାଙ୍କ ପତ୍ନୀ ଘରେ ରହିଥିଲେ। ସିବିଆଇ ଡାକ୍ତରଙ୍କ ଘରୁ ପ୍ରାୟ 24 ଲକ୍ଷ ଟଙ୍କା ନଗଦ, ହୀରା, ସୁନା ଅଳଙ୍କାର ଏବଂ ମୂଲ୍ୟବାନ ମଣି ଉଦ୍ଧାର କରିଛି। ସିବିଆଇ ଟିମ୍ ଘରେ ଥିବା କମ୍ପ୍ୟୁଟରର ହାର୍ଡ ଡିସ୍କ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ନେଇଯାଇଛନ୍ତି। ବର୍ଦ୍ଧମାନ ପୋଲିସ ସହ ସିବିଆଇ ଟିମ ରେଡ୍ କରିଥିଲା। ଡାକ୍ତର ଜଣକ କିଡନୀ ଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଆଉ କେହି ଡାକ୍ତର କିମ୍ବା ଅନ୍ୟ ବ୍ୟକ୍ତି ଏହି କିଡନୀ ତସ୍କରୀରେ ସାମିଲ ଅଛି ତଦନ୍ତ କରୁଛି ସିବିଆଇ।…

୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ନେଇ ତାରିଖ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଉପନିର୍ବାଚନ ତାରିଖ ଘୋଷଣା। ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଜୁନ୍ ୧୯ ତାରିଖରେ ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ କରିବାକୁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ପାଞ୍ଚଟି ଆସନ ମଧ୍ୟରୁ ଗୁଜୁରାଟରେ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ଜୁନ ୨୩ ତାରିଖରେ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ଗୁଜୁରାଟରେ ବିଧାୟକ କରସନଭାଇ ପଞ୍ଜାଭାଇ ସୋଲାଙ୍କିଙ୍କ ମୃତ୍ୟୁ ପରେ କାଡି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଗୁଜରାଟ ବିସାଭାଦର ଆସନରେ ବର୍ତ୍ତମାନ ସଦସ୍ୟ ଭୟାନି ଭୂପେନ୍ଦ୍ରଭାଇ ଗାଣ୍ଡୁଭାଇଙ୍କ ଇସ୍ତଫା ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେବ। କେରଳରେ ପିଭି ଅନଭର ଇସ୍ତଫା ଦେଇଥିବାରୁ ନିଲାମ୍ବୁର ଆସନରେ ଉପନିର୍ବାଚନ ହେବ। ପଞ୍ଜାବରେ ଗୁରପ୍ରୀତ ବସ୍ସି ଗୋଗୀଙ୍କ ମୃତ୍ୟୁ ଯୋଗୁଁ ଲୁଧିଆନା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ବିଧାୟକ ନାସିରୁଦ୍ଦିନ ଅହମ୍ମଦଙ୍କ ମୃତ୍ୟୁ ଯୋଗୁଁ ଅନୁଷ୍ଠିତ ହେବ।…

ଭକ୍ତିରେ ବୁଡିଲେ ବିରାଟ-ଅନୁଷ୍କା, ହନୁମାନଘଡ଼ି ମନ୍ଦିରରେ ପହଞ୍ଚି ନେଲେ ଆଶୀର୍ବାଦ

ଅଯୋଧ୍ୟା: ଟି- ୨୦ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ପରେ ଏବେ ଭକ୍ତି ଭାବନାରେ ବୁଡ଼ିଛନ୍ତି କିଙ୍ଗ କୋହଲି । ଏବେ ସେ ବିଭିନ୍ନ ମନ୍ଦିର ଏବଂ ଗୁରୁଙ୍କ ଆଶୀର୍ବାଦ ନେବାକୁ ବିଭିନ୍ନ ଯାଗା ଯାଉଛନ୍ତି । ପୂର୍ବରୁ ବିରାଟ ଏବଂ ଅଭିନେତ୍ରୀ ପତ୍ନୀ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ । ଏବେ ସେ ଅଯୋଧ୍ୟାରେ ଅଛନ୍ତି । ସେଠାରେ ସେ ହଜାରେ ବର୍ଷର ପୁରୁଣା ମନ୍ଦିର ହନୁମାନ ଘଡିରେ ପୂଜା କରୁଥିବାର ଦେଖାଯାଉଛନ୍ତି । ତାଙ୍କ ସହ ପତ୍ନୀ ଅନୁଷ୍କା ବି ଅଛନ୍ତି  । ଭିଡିଓରେ ଦୁହେଁ ଭକ୍ତି ଭାବନରେ ବୁଡ଼ି ପୂଜା କରୁଛନ୍ତି । ଏବଂ ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି । ପୂଜା ପରେ ସେ ମନ୍ଦିର ପ୍ରାଙ୍ଗଣରେ କିଛି ସମୟ ବିତାଇ ପୁଣି ଫେରି ଯାଇଛନ୍ତି ।

ଦିଲ୍ଲୀ ଏନସିଆରରେ ବର୍ଷାର ତାଣ୍ଡବ, ୧୦୦ ବିମାନ ଯାତ୍ରା ପ୍ରଭାବିତ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନସିଆର ଅଞ୍ଚଳରେ ପାଣି ଜମିଥିବା ଖବର ଆସି ପହଞ୍ଚିଛି । ଦିଲ୍ଲୀରେ ମୋତି ବାଗ୍, ମିଣ୍ଟୋ ରୋଡ, ବିମାନବନ୍ଦର ଟର୍ମିନାଲ ନିକଟରେ ପାଣି ଜମିବା ଯୋଗୁ ସମସ୍ୟା ବଢ଼ି ଯାଇଛି । ରାସ୍ତାରେ ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳରେ ବହୁ ଅସୁବିଧା ହେଉଛି । ମିଣ୍ଟୋ ରୋଡରେ ପ୍ରବଳ ପାଣି ଜମିବା ଯୋଗୁ କାର୍ ବୁଡ଼ି ଯାଇଛି ।

ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୧ରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିମାନବନ୍ଦର ଚାରିପାଖରେ ପ୍ରବଳ ପାଣି ଜମି ରହିଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହୋଇଛି । ଝଡ଼ ଏବଂ ବର୍ଷା ଯୋଗୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୨୫ରୁ ଅଧିକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ବିମାନ ଆସିବାକୁ ବି ବିଳମ୍ବ ହେଉଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି । ଷ୍ଟ୍ରିଟ ଲାଇଟ ଜଳୁନାହିଁ । ବିଦ୍ୟୁର ଯୋଗାଣ ବାଧାପ୍ରାପ୍ତ ହୋଇଛି । ବହୁତ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ହୋଇଛି । ଶନିବାର ରାତିରୁ ଏହି ବର୍ଷା ଲାଗି ରହିଛି । ଯଦି ଏପରି ଆଉ ଦିନେ କି ଦୁଇ ଦିନ ଲାଗି ରୁହେ ତାହାଲେ ପରିସ୍ଥିତି ଖରାପ ହୋଇପାରେ ।