spot_img
Home Blog Page 7210

ସକାଳେ ଶିଶୁର ମୃତ୍ୟୁ ପରେ, ସନ୍ଧ୍ୟାରେ ପିତାମାତା କଲେ ଆତ୍ମହତ୍ୟା… ଜାଣନ୍ତୁ କାହିଁକି

ଜବଲପୁର- କରୋନା ଭାଇରସ ସଂକ୍ରମଣ ମଧ୍ୟରେ ଗୁରୁବାର ଦିନ ଜମ୍ମୁ କଶ୍ମୀରର ରାୟଫଲ୍ ରେଜିମେଣ୍ଟରେ ପଦସ୍ଥ ନାୟବ ସୁବେଦାର ନିଜ ସ୍ତ୍ରୀଙ୍କ ସହ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ସହରର କେଣ୍ଟ ଥାନା ସ୍ଥିତ ଆର୍ମି ପରିସର ଭିତରେ ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଅଧିକାରୀ ଉକ୍ତ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଗୁରୁବାର ଦିନ ୩ ମାସର ଶିଶୁର ମୃତ୍ୟୁ ହୋଇଥିଲା-

ପୋଲିସର ସୂଚନା ମୁତାବକ ସୁବେଦାର ଜିତେନ୍ଦ୍ର ନିଜ ସ୍ତ୍ରୀ ସରବଜିତ ସିଂହଙ୍କ ସହ ନିଜ ସରକାରୀ ଆବାସରେ ଫାଶୀ ଲଗାଇଥିଲେ । ସେହି ଦିନ ସକାଳେ ତାଙ୍କ ୩ ମାସର ଶିଶୁର ମୃତ୍ୟୁ ହୋଇଥିଲା । ଶିଶୁର ମୃତ୍ୟୁ ପରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡ଼ିଥିଲେ । ଦୁହେଁ ସକାଳୁ ନିଜ ପଡ଼ୋଶୀଙ୍କ ସହ କଥା ମଧ୍ୟ ହୋଇନଥିବା ପୋଲିସ ସୂଚନା ଦେଇଛି ।

ସନ୍ଧ୍ୟାରେ କବାଟ ବାଡେଇବାରେ ମଧ୍ୟ  କେହି ଉତ୍ତର ଦେଇନଥିଲେ –

ସନ୍ଧ୍ୟାରେ ଜିତେନ୍ଦ୍ରଙ୍କୁ ଦେଖା କରିବା ପାଇଁ ଯେତେବେଳେ ତାଙ୍କ ବନ୍ଧୁ ପହଞ୍ଚିଲେ ସେତେବେଳେ କବାଟ ବନ୍ଦ ଥିଲା । ଦୀର୍ଘ ସମୟ ଧରି ଡାକିବା ପରେ କେହି ବାହାରକୁ ନଆସିବାରୁ, ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା |

୨୦୧୫ ରେ ମଧ୍ୟ ଏକ ଚାରି ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା-

କେଣ୍ଟ ପୋଲିସ ଷ୍ଟେସନ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୫ ମସିହାରେ ମଧ୍ୟ ସୁବେଦାର ଜିତେନ୍ଦ୍ରଙ୍କ ଏବଂ ତାଙ୍କ ପତ୍ନୀଙ୍କ ଚାରି ବର୍ଷର ଶିଶୁର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ପୁଣି ତାଙ୍କର ଏକମାତ୍ର ସନ୍ତାନର ମୃତ୍ୟୁ ପରେ ଉଭୟ ହତାସ ହୋଇଯାଇଥିଲେ । ବର୍ତ୍ତମାନ ଉଭୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲ କଲେଜକୁ ପଠାଯାଇଛି।

 

ଗୁଜୁରାଟରେ ATM ବ୍ୟବହାର କରି ତିନି ଜଣ ଯବାନ କରୋନା ସଂକ୍ରମିତ

ନୂଆଦିଲୀ: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଧିରେ ଧିରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏବଂ ଏହା ବ୍ୟାପିବାର ବିଭିନ୍ନ ମାଧ୍ୟମ ମଧ୍ୟ ରହିଛି । ଏବେ ଗୁଜୁରାଟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ ନିଶ୍ଚୟ ।  ATM ବ୍ୟବହାର କରି ୩ଜଣ ସଂକ୍ରମଣ ହୋଇଛିନ୍ତି ।

 ଗୁଜୁରାଟରେ ATM ବ୍ୟବହାର କରି ୩ଜଣ ଯବାନ ସଂକ୍ରମିତ ହୋଇଛନ୍ତି । ତେଣୁ ATMରୁ ଟଙ୍କା ବାହର କରୁଥିବା ସମୟରେ କିଛି ସାବଧାନତାକୁ ଅବଲମ୍ବନ କରିବା ଆବଶ୍ୟକ ରହିଛି ।

ଆସନ୍ତୁ ଜାଣିବା କେମିତି ATM ସଂକ୍ରମଣରୁ ବଞ୍ଚିବା 

ଯେତେବେଳେ ବି ଆପଣ ଘରୁ ବାହାରକୁ ଯାଉଛନ୍ତି ସେତେବେଳେ ଆପଣ ପାଖରେ ସାନିଟାଇଜର ରଖନ୍ତୁ । ଯଦି ଆପଣ କୌଣସି ସ୍ଥାନକୁ ସ୍ପର୍ଶ କରିଛନ୍ତି, ତୁରନ୍ତ ସାନିଟାଇଜରରେ ହାତ ସଫା କରନ୍ତୁ । ଯଦି କେହି ଏଟିଏମ୍ ରୁମରେ ଉପସ୍ଥିତ ଅଛନ୍ତି, ତେବେ ଭିତରକୁ ଯାଆନ୍ତୁ ନାହିଁ । ଯେ ପର୍ଯ୍ୟନ୍ତ ସେହି ବ୍ୟକ୍ତି ଟଙ୍କା ନେଇ ବାହାରକୁ ନଆସୁଛନ୍ତି, ତୁମେ ସେଠାରେ ହିଁ ଅପେକ୍ଷା କର ।

ଘରୁ ବାହାରିବା ସମୟରେ ନିଜ ସହିତ ଓଦା ଟିସୁ ନେଇ ଘରୁ ବାହାରକୁ ଯାଆନ୍ତୁ । ଏଟିଏମ୍ ଲାଇନରେ ଠିଆ ହେବାବେଳେ ମୁହଁ, ନାକ ଏବଂ ପାଟି ଛୁଇଁବା ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ । ଏହା ସହ ଲାଇନରେ ଥିବା ଲୋକଙ୍କଠାରୁ ଏକ ମିଟର ଦୂରତା ରଖନ୍ତୁ । କାହିଁକି ନା ଆପଣ ଜାଣି ନାହାନ୍ତି କିଏ କରୋନା ସଂକ୍ରମିତ ।

ଏଟିଏମ୍ ଚାମ୍ବରରେ କୌଣସି ଜିନିଷ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଅଜାଣତରେ କୌଣସି ସ୍ଥାନକୁ ସ୍ପର୍ଶ କରିଛନ୍ତି, ତେବେ ତୁରନ୍ତ ହାତକୁ ସାନିଟାଇଜରରେ ସଫା କରିଦିଅନ୍ତୁ । ଯଦି ଆପଣଙ୍କଯାରେ ଥଣ୍ଡା ଏବଂ କାଶ ଅଛି, ତେବେ ଆଦୌ ବାହାରକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏଟିଏମରେ ଠିଆ ହେବା ସମୟରେ ହଠାତ୍ ଛିଙ୍କନ୍ତି, ତେବେ ବାହୁ କିମ୍ବା ଟିସୁରେ ପାଟି ଘୋଡାନ୍ତୁ ।

ବ୍ୟବହୃତ ଟିସୁ ଏବଂ ମାସ୍କକୁ ଏଟିଏମର ଡଷ୍ଟବିନରେ ପକାନ୍ତୁ ନାହିଁ । ଏହା ଅନ୍ୟମାନଙ୍କୁ ସଂକ୍ରମଣ କରିପାରେ । ତେଣୁ ଏଭଳି ବିକଟ ପରିସ୍ଥିତିରେ ସଂପୂର୍ଣ୍ଣ ଡିଜିଟାଲ୍ ହେବା ହିଁ ବୁଦ୍ଧିମାନର କାମ ।

ଗାଁ ସ୍କୁଲ କ୍ୱାରେଣ୍ଟାଇନ ମନା,ସେଥିପାଇଁ ଜଙ୍ଗଲ ଭିତରେ ଭଙ୍ଗା ଘରେ ପଡିଛନ୍ତି ଦମ୍ପତି !

ଝାରସୁଗୁଡା: କରୋନାକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ସେଥିପାଇଁ ସରକାର ଲକଡାଉନ୍ ଅବଧିକୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାସହ ସରକାରୀ ନିୟମକୁ ମାନିବାକୁ ଉପଦେଶ ମଧ୍ୟ ଦିଆଯାଉଛି। ତେବେ ଏଭଳି ସମସ୍ୟାରେ କେହି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ପରିସ୍ଥିତିରେ ଏକ ଅଭାବନୀୟ ସ୍ଥିତି ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଝାରସୁଗୁଡା ଜିଲ୍ଲା ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ଅତାବିରା ପଞ୍ଚାୟତରେ ଏକ ଦମ୍ପତି ଜଙ୍ଗଲରେ ଦିନ କାଟୁଛନ୍ତି।

ରାଜ୍ୟ ସୀମାକୁ ଲାଗି ରହିଥିବା ଲଖନପୁର ବ୍ଲକ ଏମ, କଟାପାଲି ଗାଁର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହ ଝଗଡା କରି ଘର ଛାଡ଼ି ସୁନ୍ଦରଗଡ ଜିଲ୍ଲାର କାଉଦରହ ପଳାଇଥିଲେ । ପରେ ସେହି ମହିଳାଙ୍କୁ ତାଙ୍କ ସ୍ୱାମୀ ଘରକୁ ନେବା ପାଇଁ ଇଚ୍ଛା କରିଥିଲେ । ଏହାପରେ ଗାଁ ଲୋକେ ଉକ୍ତ ମହିଳାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରିଥିଲେ । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିଲା । ଫଳରେ ସେମାନେ  ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ଗୃହ‌ରେ ରହି ସ୍ୱତନ୍ତ୍ର ସରକାରୀ ସୁବିଧା ନେବାକୁ ଚାହିଁଥିଲେ । କିନ୍ତୁ କୁମର ଗାଁ ସ୍କୁଲରେ ଥିବା କ୍ୱାରେଣ୍ଟାଇନ ଗୃହରେ ସେମାନଙ୍କୁ ସ୍ଥାନ ଦିଆଯାଇ ନଥିଲା । ଏହସହ ଗାଁରେ ତାଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ଗାଁ ଲୋକେ । ତେଣୁ ଏହି ଦମ୍ପତି ବାଧ୍ୟ ହୋଇ ଜଙ୍ଗଲରେ ଥିବା ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି । ଏହି ଦମ୍ପତିଙ୍କ ଭଲ ମନ୍ଦ ଯଦିଓ ଗ୍ରାମବାସୀ ବୁଝୁଛନ୍ତି ତଥାପି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । ଜିଲ୍ଲାପ୍ରଶାସନ ଖବର ପାଇ ବିଡ଼ିଓଙ୍କୁ ତଦନ୍ତ ପାଇଁ ପଠାଯାଇଥିବା କହିବା ସହ ପଦକ୍ଷପ ନିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି l

ରକ୍ତରେ ସର୍କରାସ୍ତର ବଜାୟ ରଖିବା ପାଇଁ ଆଜିଠାରୁ ଏହି ୫ଟି ଜିନିଷକୁ ଖାଆନ୍ତୁ ନାହିଁ…

ମଧୁମେହ ରୋଗ ଆମ ଖାଦ୍ୟ ସହିତ ସିଧାସଳଖ ଭାବେ ଜଡିତ । ଆମେ ଖାଉଥିବା ଖାଦ୍ୟ ରକ୍ତରେ ସର୍କରା ସ୍ତରକୁ ପ୍ରଭାବିତ କରିଥାଏ | ଯଦି ଆମକୁ ରକ୍ତରେ ସର୍କରା ସ୍ତରକୁ କଣ୍ଟ୍ରୋଲ କରିବାର ଅଛି ତେବେ କିଛି ଖାଦ୍ୟ ପ୍ରତି  ଧ୍ୟାନ ଦେବାକୁ ପଡିବ । ପ୍ରାୟତଃ ଲୋକମାନେ ପ୍ରଶ୍ନ କରନ୍ତି ଯେ ମଧୁମେହରେ କଣ ଖାଇବା ଉଚିତ୍ ?  କିଛି ଖାଦ୍ୟ ଅଛି ଯାହା ମଧୁମେହ ରୋଗୀ ମାନେ ଖାଇବା ଉଚିତ୍ ନୁହେଁ  । ତେବେ ଆସନ୍ତୁ ଜାଣିବା ୫ ମୁଖ୍ୟ ଖାଦ୍ୟ ଉପରେ ଯାହା ଆପଣଙ୍କ ସର୍କର ସ୍ତର ପାଇଁ କ୍ଷତିକାରକ-

୧- କିସମିସ

ଯଦି ଆପଣଙ୍କୁ ମଧୁମେହ ଅଛି ତେବେ କିସମିସ ଖାଇବା ଉଚିତ୍ ନୁହେଁ । କିସମିସ୍ ଖାଇବା ଦ୍ୱାରା କେବଳ ଆପଣଙ୍କ ରକ୍ତରେ ଖାଲି ଯେ ସର୍କରା ସ୍ତର ବଢ଼ିବ ତା ନୁହେଁ ବରଂ ଡାଇବେଟିସ ହେବାର ଆଶଙ୍କା ମଧ୍ୟ ବଢ଼ିପାରେ । ଡାଇବେଟିସ ରୋଗୀମାନେ ଡ୍ରାଏ ଫ୍ରୁଟ୍ସରୁ  ଦୂରେଇ ରହିବା ଉଚିତ୍ | ବିଶେଷକରି କିସମିସ୍ ଠାରୁ ଦୂରେଇ ରହିବା ଉଚିତ୍  କାରଣ ଏହା ହେଉଛି ତାଜା ଫଳର ଶୁଖିଲା ରୂପ । ଅଙ୍ଗୁର ଏବଂ କିସମିସରେ କାର୍ବୋହାଇଡ୍ରେଟ୍ ପରିମାଣରେ ବହୁତ ପାର୍ଥକ୍ୟ ଅଛି । ତେଣୁ ସୁସ୍ଥ ସୁଗର ଲେଭଲ ପାଇଁ କିସମିସକୁ ନିଜ ଖାଦ୍ୟ ସୂଚୀରୁ ବାହାର କରନ୍ତୁ ।

୨-  ହ୍ୱାଇଟ ବ୍ରେଡ୍

ମଧୁମେହ ରୋଗୀମାନେ ହ୍ୱାଇଟ ବ୍ରେଡ ଖାଇବା ଉଚିତ୍ ନୁହେଁ । ଏହି ଜିନିଷଗୁଡ଼ିକରେ କାର୍ବୋହାଇଡ୍ରେଟ୍ ର ପରିମାଣ ଅଧିକ ଥାଏ, ଯେଉଁଥିପାଇଁ ଏହା ରକ୍ତରେ ସର୍କରା ସ୍ତରକୁ ବଢ଼ାଇପାରେ ।

୩- ଆଳୁ

ମଧୁମେହରେ ଆଳୁ ସେବନକୁ ମଧ୍ୟ ଏଡାଇବା ଉଚିତ୍ | ଡାଇବେଟିସ ରୋଗୀଙ୍କ ପାଇଁ ଆଳୁ କ୍ଷତିକାରକ ହୋଇପାରେ | ଏଥିରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ ସହିତ  ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ଆପଣଙ୍କ ରକ୍ତରେ ସର୍କରା ସ୍ତରକୁ ବଢ଼ାଇପାରେ ।

୪- ଚିକୁ ଫଳ

ମଧୁମେହ ବା ଡାଇବେଟିସ ରୋଗୀଙ୍କ ପାଇଁ ଚିକୁ ଫଳ ଖୁବ କ୍ଷତିକରକ । ଏହା ଅତ୍ୟନ୍ତ ମିଠା ହେବା ସହିତ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ବୃଦ୍ଧି ପାଇଥାଏ | ଏହି କାରଣରୁ, ଡାଇବେଟିସ ରୋଗୀଙ୍କୁ ଚିକୁ ଖାଇବାକୁ ପରାମର୍ଶ ଦିଆଯାଇନଥାଏ ।

୫- ଫୁଲ୍ ଫ୍ୟାଟ୍ କ୍ଷୀର

କ୍ଷୀରକୁ ନିଜ ଡାଏଟରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଡାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ମଧୁମେହରେ ପୂର୍ଣ୍ଣ ଚର୍ବିଯୁକ୍ତ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ | ଏହା ଭିତରେ ଚର୍ବିର ପରିମାଣ ଅଧିକ ରହିଥାଏ । ଏହି ଚର୍ବି ଇନସୁଲିନ୍ ର ପରିମାଣ ବଢ଼ାଇପାରେ । ଆପଣ ଏହା ବଦଳରେ କମ୍ ଚର୍ବିଯୁକ୍ତ କ୍ଷୀର ବ୍ୟବହାର କରନ୍ତୁ ।

କରୋନା ଆମକୁ ସବୁଠୁ ବଡ଼ ଶିକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ୍ ସମୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏନେଇ ସରକାର  ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇ-ଗ୍ରାମସ୍ୱରାଜ ପୋର୍ଟାଲ-ମୋବାଇଲ୍ ଆପ୍ ଏବଂ ମାଲିକାନା ଯୋଜନା ଆରମ୍ଭ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଆମକୁ ସବୁଠୁ ବଡ଼ ଶିକ୍ଷା ଦେଇଛି । ଏବେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ଗ୍ରାମଗୁଡିକ ମଧ୍ୟ ସେମାନଙ୍କ ସ୍ତରରେ ଆତ୍ମନିର୍ଭରଶୀଳ ହେବାକୁ ପଡିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ‘କରୋନା ଆମ ସମସ୍ତଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଛି । ପୂର୍ବରୁ ଆମେ କୌଣସି ସମସ୍ୟା ହେଲେ ଏହାର ଆଲୋଚନା ମୁହାଁମୁହିଁ କରୁଥିଲୁ, କିନ୍ତୁ ଆଜି ସମାନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବାକୁ ପଡୁଛି । କରୋନା ମହାମାରୀ ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି, ଯାହା ଆମେ କେବେ କଳ୍ପନା କରିନଥିଲୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହି ମହାମାରୀ ଆମକୁ ନୂତନ ଶିକ୍ଷା ଏବଂ ବାର୍ତ୍ତା ଦେଇଛି । କରୋନା ସଙ୍କଟ ଆମକୁ ସବୁଠାରୁ ବଡ ଶିକ୍ଷା ଯେଉଁଟା ଦେଇଛି ତାହା ହେଉଛି ଆମକୁ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ଆତ୍ମନିର୍ଭରଶୀଳ ନ ହୋଇ ଏଭଳି ସଙ୍କଟର ମୁକାବିଲା କରିବା କଷ୍ଟକର । ଗାଁଗୁଡ଼ିକ ନିଜର ମୌଳିକ ଆବଶ୍ୟକତା ପାଇଁ ଆତ୍ମ ନିର୍ଭଶୀଳ ହେବା ସହ ଜିଲ୍ଲା ତା ସ୍ତରରେ, ରାଜ୍ୟ ତା ସ୍ତରରେ ଆତ୍ମନିର୍ଭରଶୀଳ ହେବା ଉଚିତ୍ ।

ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ସମଗ୍ର ଦେଶ କିପରି ଆତ୍ମନିର୍ଭରଶୀଳ ହେବା ଉଚିତ୍, ଏବେ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ୫-୬ ବର୍ଷ ପୂର୍ବେ ଏକ ଅବଧି ଥିଲା ଯେତେବେଳେ ଦେଶରେ ଶହେରୁ କମ୍ ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହିତ ସଂଯୁକ୍ତ ଥିଲା  । ବ୍ରଡବ୍ୟାଣ୍ଡ ବର୍ତ୍ତମାନ ୧.୨୫ ଲକ୍ଷରୁ ଅଧିକ ପଞ୍ଚାୟତରେ ପହଞ୍ଚିଛି । କେବଳ ଏତିକି ନୁହେଁ, ଗ୍ରାମଗୁଡିକରେ ସାଧାରଣ ସେବା କେନ୍ଦ୍ର ସଂଖ୍ୟା ମଧ୍ୟ ତିନି ଲକ୍ଷ ଅତିକ୍ରମ କରୁଛି ।

ସରକାରଙ୍କ କାର୍ଯ୍ୟକୁ ଗଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଭାରତରେ ମୋବାଇଲ ତିଆରି କରିବା ପାଇଁ ସରକାରଙ୍କ ଅଭିଯାନର ଫଳାଫଳ ଆଜି କମ୍ ମୂଲ୍ୟରେ ସ୍ମାର୍ଟ ଫୋନ୍ ଗାଁରେ ପହଞ୍ଚିଛି । ଆଜି ଏତେ ବଡ଼ ପରିମାଣରେ ଚାଲିଥିବା ଭିଡିଓ କନଫରେନ୍ସ, ଏହି କାରଣରୁ ଏସବୁ ସମ୍ଭବ ହୋଇପାରିଛି ।

ଉତ୍ସାହକୁ ସଲାମ: କରୋନା ପଜିଟିଭ ହୋଇ ମଧ୍ୟ ଦିଲ୍ଲୀର ଏହି ପୋଲିସ କର୍ମଚାରୀ କରୁଛନ୍ତି ବ୍ୟାୟାମ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: କରୋନାଭାଇରସ୍ କୁ ନେଇ ବିଶ୍ୱ ଭୟଭୀତ । ଏଥି ସହିତ ଦିଲ୍ଲୀ ପୋଲିସ୍ କର୍ମଚାରୀଙ୍କ ଉତ୍ସାସ ଖୁବ୍ ପ୍ରଶଂସନୀୟ। କରୋନୋ ପଜିଟିଭ୍ ହେବା ପରେ ମଧ୍ୟ ସେମାନଙ୍କ ମନରେ କୌଣସି ଭୟ ନାହିଁ, ତାଙ୍କ ଉତ୍ସାହ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ଫଟୋଟି ଦିଲ୍ଲୀର ଆରଏମଏଲ ହସ୍ପିଟାଲର ଅଟେ ଯେଉଁଠାରେ ଦିଲ୍ଲୀର ଚାନ୍ଦନୀ ମହଲ ପୋଲିସ ଷ୍ଟେସନର ୮ ଜଣ ପୋଲିସ କର୍ମଚାରୀ କରୋନୋ ପଜିଟିଭ ଅଟନ୍ତି। ଏହି ପୋଲିସ କର୍ମଚାରୀମାନେ ସକାଳୁ ଉଠି ନିଜ ୱାର୍ଡରେ ସୁସ୍ଥ ରହିବା ପାଇଁ ଯୋଗ ଏବଂ ବ୍ୟାୟାମ କରୁଛନ୍ତି । ଯାହାଦ୍ୱାରା ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ, କୌଣସି ଉଦାସୀନତା ଆସିବ ନାହିଁ ଏବଂ ସେମାନେ ଶୀଘ୍ର ଆରୋଗ୍ୟ ହେବେ ।

ସମଗ୍ର ବିଶ୍ୱରେ କରୋନୋ ପଜିଟିଭ ରୋଗୀଙ୍କ ଏପରି ଚିତ୍ର କ୍ୱଚିତ୍ ଦେଖିବାକୁମିଳେ । ପୋଲିସ କର୍ମଚାରୀ ମାନେ ଅନେକ ସମୟରେ କର୍ତ୍ତବ୍ୟ କରୁଥିବା ସମୟରେ କରୋନା ଦ୍ୱାର ଆକ୍ରନ୍ତ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଚିତ୍ର ଅନେକଙ୍କୁ ଉତ୍ସାହିତ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୨୯ ଜଣ ପୋଲିସ୍ କରୋନୋ ପଜିଟିଭ୍ ବାହାରିଛନ୍ତି ।

ଜଣାଇ ରଖୁଛୁ ଯେ ଦେଶରେ ଚାଲିଥିବା ଲକଡାଉନ  ସତ୍ତ୍ୱେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏହି ସମୟରେ ଦେଶରେ କରୋନାଭାଇରସ ମାମଲା ୨୩ ହଜାର ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୨୩,୦୦୭ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୮୪ ଟି ନୂଆ କରୋନା ମାମଲା ହୋଇଥିବାବେଳେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୭୧୮ ଜଣଙ୍କର ମୃତ୍ୟୁ ଘଟିଛି, ଯଦିଓ ୪,୭୪୯ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି।

ରଥଯାତ୍ରା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: କରୋନାକୁ ନେଇ ପୂରା ଦେଶ ଚିନ୍ତାରେ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ତେବେଆଉ ଦିନକ ପରେ ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ତିଥି। ସେଦିଦିନୁ ଆରମ୍ଭ ହେବ ଚନ୍ଦନ ଯାତ୍ରା। ରଥଯାତ୍ରା ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ୍‌ରେ ବିଚାର ବିମୃର୍ଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର କରୋନା ପରିସ୍ଥିତି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦୁହେଁ ଲକଡାଉନ୍ ସମ୍ପର୍କିତ ଆଲୋଚନା କରିବା ସହ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ସେପଟେ ଆଜି ଦିନ ୧୨ ଟାରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଆସନ୍ତା ୨୬ତାରିଖରେ  ହେବାକୁ ଥିବା ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ତଥା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ବୈଠକରେ ଆଲୋଚନା ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ। ଏନେଇ ଗତକାଲି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ।

ନବଜାତ ଶିଶୁକୁ ଭିଡିଓ କଲରେ ଦେଖିଲା ମାଆ

ମହାରାଷ୍ଟ୍ର: ଏ ଏମିତି ଜଣେ ମାଆ ଯିଏ ଜନ୍ମ ଦେଇଛି, ହେଲେ ଦେଇ ପାରୁନି ମାତୃତ୍ୱର ପହିଲି ପରଶ । ଇଏ ଏମିତି ଜଣେ ମାଆ, ଯିଏ ଗର୍ଭଯନ୍ତ୍ରଣା ସହିଛି ହେଲେ ଛାତି ଚିରି କ୍ଷୀର ପିଆଇ ପାରୁନି। ଏଇ ଏମିତି ଜଣେ ମାଆ ଯିଏ ଦୁନିଆର ଆଲୁଅ ସିନା ଦେଖାଇଛି ହେଲେ ନିଜେ କିନ୍ତୁ ଦେଖି ପାରୁନି ନିଜ ପିଲାକୁ। ମନଭରି କୋଳେଇ ପାରୁନା ତା କୋଳପୋଛାକୁ। ସେ ଶୁଣି ପାରୁନି ତା କୁଆଁକୁଆଁ ଡାକକୁ। କାରଣ ମାଆ ଓ ମମତା ଭିତରେ ଛିଡ଼ା ହୋଇଛି କରୋନାର କାନ୍ଥ । ନିବିଡ଼ ସଂପର୍କ ଭିତରେ ସଂକ୍ରମଣର ଆତଙ୍କ। ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରୁ ଆସିଛି ଜନ୍ମରୁ ବିଚ୍ଛେଦର ଏ ସମ୍ବେଦନଶୀଳ କାହାଣୀ । ଯେଉଁଠି କରୋନା ସଂକ୍ରମିତ ମାଆ ନିଜ ଜନ୍ମକଲା ଶିଶୁକୁ ଦେଖୁଛି ଭିଡିଓ କଲିଂରେ।

File Pic
File Pic

ଗଲା ୧୮ ତାରିଖରେ ଔରଙ୍ଗାବାଦ୍‌ ସିଟି ହସପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଏହି ପ୍ରସୂତି। ପ୍ରସବ ପୂର୍ବରୁ ପରୀକ୍ଷା ବେଳେ ଜଣା ପଡିଲା ସେ କରୋନାରେ ଆକ୍ରାନ୍ତ । ଖୁବ୍‌ ସତର୍କତାର ସହ ଡାକ୍ତରୀ ଟିମ୍‌ ଆରମ୍ଭ କଲେ ପ୍ରସବକାଳୀନ ଚିକିତ୍ସା। ସିଜରିଆନ୍‌ରେ ଜନ୍ମହେଲା ଶିଶୁ କନ୍ୟା । ସୌଭାଗ୍ୟ, ଶିଶୁ ଥିଲା ସଂକ୍ରମଣ ମୁକ୍ତ । ତେବେ ଏଇଠୁ ଆରମ୍ଭ ହେଲା ମେଡିକାଲ୍‌ ଟିମ୍‌ ପାଇଁ ଚ୍ୟାଲେଞ୍ଜ । ତୁରନ୍ତ ମାଆ ଓ ଶିଶୁକୁ ଅଲଗା କରିଦେଲେ ଡାକ୍ତର। ସଂକ୍ରମଣ ଆଶଙ୍କାରେ ଦୁହିଁଙ୍କୁ ଭିନ୍ନ ଭିନ୍ନ ଆଇସୋଲେସନ୍‌ ୱାର୍ଡରେ ରଖା ଗଲା। ଆଉ ୫ ଦିନ ପରେ ମାଆ ନିଜ ଆବେଗକୁ ସମ୍ଭାଳି ପାରି ନଥିଲା । ଶେଷରେ ଭିଡିଓ କଲିଂରେ ମାଆ ଦେଖିଲା ନିଜ ଜନ୍ମକଲା ପିଲାକୁ । ଦେଖିଲା ତା ହସହସ ମୁହଁ। ଶୁଣିଲା ତା କୁଆଁ କୁଆଁ କାନ୍ଦ । ମାଆ ଓ ମମତା ଭିତରେ ମିଳନର ଏକ ଅଦୃଶ୍ୟ ଅନୁଭବ କେବଳ ଯାହା କଏଦ ହେଉଥିଲା ମୋବାଇଲ୍‌ ସ୍କ୍ରିନ୍‌ରେ। ଆତଙ୍କ ଭିତରେ ଆୟୁଷର ଏ ଅନନ୍ୟ ଦୃଶ୍ୟ ସତେ ଯେମିତି ସମସ୍ତଙ୍କୁ ଅଟକାଇ ଦେଇଥିଲା କିଛି ସମୟ ପାଇଁ ।

ସଚିନ@୪୭: ଜାଣନ୍ତୁ ସଚିନଙ୍କ ନାଁରେ ଥିବା କିଛି ଦମଦାର ରେକର୍ଡ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

0

ମୁମ୍ବାଇ- ଆଜି ସଚିନ ତେନ୍ଦୁଲକରଙ୍କ ୪୭ତମ ଜନ୍ମଦିନ ।  ଦେଶର କୋଟି କୋଟି କ୍ରିକେଟ୍ ପ୍ରେମୀ ଯେଉଁମାନେ ସଚିନ ତେନ୍ଦୁଲକରଙ୍କୁ ଭଗବାନ ବୋଲି ଭାବନ୍ତି, ତାଙ୍କ ପାଇଁ ଏପ୍ରିଲ୍ ୨୪ କୌଣସି ଉତ୍ସବଠାରୁ କମ୍ ନୁହେଁ। ସଚିନ ତେନ୍ଦୁଲକର ଆଜିର ଦିନ ୧୯୭୩ ରେ ଜନ୍ମ ହୋଇଥିଲେ ।

ଦୁନିଆର ସର୍ବଶ୍ରେଷ୍ଠ ସର୍ବକାଳୀନ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଉଥିବା ସଚିନ ରମେଶ ତେନ୍ଦୁଲକର ବହୁତ କମ୍ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ଏକ ସମୟରେ ସବୁଠୁ କମ ବୟସରେ ଟେଷ୍ଟ କ୍ରିକେଟ୍ ରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବାର ରେକର୍ଡ କରିଥିଲେ । ସଚିନ ତେନ୍ଦୁଲକର ହେଉଛନ୍ତି ଦେଶର ପ୍ରଥମ ଖେଳାଳି ଯିଏକି ଭାରତ ରତ୍ନ ପାଇଛନ୍ତି।

ସେ ନିଜର ଏତେ ବଡ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ଅନେକ ରେକର୍ଡ ବ୍ରେକ ହୋଇସାରିଲାଣି | କିନ୍ତୁ ସଚିନଙ୍କ ଅନେକ ରେକର୍ଡ ଅଛି ଯାହା ଭାଙ୍ଗିବା ଅସମ୍ଭବ । ବର୍ତ୍ତମାନ ସମୟରେ ବିରାଟ କୋହଲି, ଷ୍ଟିଭ ସ୍ମିଥଙ୍କ ପରି କ୍ରିକେଟରମାନେ ସେହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ତେବେ ଆସନ୍ତୁ ନଜର ପକାଇବା ସଚିନଙ୍କ ଏଭଲି କିଛି ଦମଦାର ରେକର୍ଡ ଉପରେ-

ସଚିନ ତେନ୍ଦୁଲକର ୨୦୦ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି-

ସଚିନ୍ ୧୯୮୯ ରେ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ | ୨୦୧୩ ରେ ସେ କ୍ରିକେଟ୍ ଦୁନିଆରୁ ବିଦାୟ ନେଇଥିଲେ। ଏହି ୨୪ ବର୍ଷର କ୍ରିକେଟ କ୍ୟାରିୟରରେ ସେ ୨୦୦ ଟି ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି | ସଚିନଙ୍କ ଏହି ରେକର୍ଡ ପଛରେ ରିକି ପଣ୍ଟିଂ ଏବଂ ଷ୍ଟିଭ୍ ୱାଗ୍ ମଧ୍ୟ ଅଛନ୍ତି । ଉଭୟ ୧୬୮ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ଟେଷ୍ଟ କ୍ରିକେଟରେ ୫୧ ଟେଷ୍ଟ ଶତକ ହାସଲ କରିଛନ୍ତି ସଚିନ-

ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ ମ୍ୟାଚରେ ୫୧ଟି ଶତକ ଖେଳିଛନ୍ତି। ଏହି ଟପ୍ ୧୦ ତାଲିକାର ସମସ୍ତ ଖେଳାଳି କ୍ରିକେଟରୁ ଅବସର ନେଇସାରିଛନ୍ତି ।  ବିରାଟ କୋହଲି ୨୭ ଏବଂ ଷ୍ଟିଭ ସ୍ମିଥ ୨୬ ଶତକ ହାସଲ କରିଛନ୍ତି। ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ତାଙ୍କୁ ଅନେକ ଟେଷ୍ଟ ମ୍ୟାଚ୍ ଖେଳି ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ |

୬ ଥର କ୍ରିକେଟ୍ ବିଶ୍ୱକପ୍ ଖେଳିଛନ୍ତି-

ସଚିନ ତେନ୍ଦୁଲକର ୬ ଥର ବିଶ୍ୱକପ ଖେଳିଛନ୍ତି। ଏପରି କୀର୍ତ୍ତିମାନ କରିବା ଅତ୍ୟନ୍ତ କଷ୍ଟକର । ଅଧିକାଂଶ ଖେଳାଳି କେବଳ ୩-୪ ଥର ବିଶ୍ୱକପ ଖେଳିବାକୁ ସୁଯୋଗ ପାଆନ୍ତି | ଏଭଳି ପରିସ୍ଥିତିରେ ସଚିନ ତେନ୍ଦୁଲକର ୬ ଥର ବିଶ୍ୱକପ ଖେଳିଥିଲେ। ବିରାଟ କୋହଲି ଏପର୍ଯ୍ୟନ୍ତ ୩ ଥର ବିଶ୍ୱକପ ଖେଳିଛନ୍ତି।

କ୍ରିକେଟ୍ ରେ ୩୪ ହଜାରରୁ ଅଧିକ ରନ୍-

ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ୩୪ ହଜାର ରନ୍ ସଂଗ୍ରହ କରିଛନ୍ତି। ଯାହା ଭାଙ୍ଗିବା ବହୁତ କଷ୍ଟକର | ତାଙ୍କର ଏହି ରେକର୍ଡ ପାଖାପାଖି କୌଣସି ଖେଳାଳି ନାହାଁନ୍ତି | ବିରାଟ କୋହଲି ଏପର୍ଯ୍ୟନ୍ତ ୨୧,୯୦୧ ରନ୍ ସଂଗ୍ରହ କରିଛନ୍ତି। ଯଦି ତାଙ୍କୁ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ପଡିବ, ତେବେ ତାଙ୍କୁ କ୍ରମାଗତ କ୍ରିକେଟ୍ ଖେଳିବାକୁ ପଡିବ |

ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୨୩ ହଜାର ଟପିଲା… ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟରେ ସ୍ଥିତି ସାଂଘାତିକ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ଶହରୁ ଅଧିକ ନୂଆ ପଜିଟିଭ୍‌ କେସ୍‌ ଆସିଛି । ଏଥିସହ ୫ ହଜାରରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟାରେ ୩୮୮ ଜଣ କରୋନା ମୁକ୍ତ ହୋଇଛନ୍ତି । ଦେଶରେ ଏବେ କରୋନା ରୋଗୀ ସୁସ୍ଥ ହେବା ହାର ୧୯.୮୯ ପ୍ରତିଶତ ରହିଛି । ଏବେ ସୁଦ୍ଧା ଦେଶର ୧୨ଟି ଜିଲ୍ଲାରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ଟପିଛି। ତା ପଛକୁ ରହିଛି ଗୁଜୁରାଟ, ସେଠାରେ ୨ ହଜାର ୬୨୪ ରହିଛି ସଂଖ୍ୟା । ଦିଲ୍ଲୀ ଓ ରାଜସ୍ଥାନରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି । ସେପଟେ ବିଶ୍ବରେ ୨୬ ଲକ୍ଷ ୫୩ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୫ ହଜାର ଟପିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୦ ହଜାର ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭ ହଜାର ୭୦୦ ଟପିଛି । ସେହିପରି ସ୍ପେନରେ ୨ ଲକ୍ଷ ୧୩ ହଜାର, ଇଟାଲୀରେ ୧ ଲକ୍ଷ ୮୭ ହଜାର, ଫ୍ରାନ୍ସରେ ୧ ଲକ୍ଷ ୫୯ ହଜାର, ଜର୍ମାନୀରେ ୧ ଲକ୍ଷ ୫୦ ହଜାର, ବ୍ରିଟେନରେ ୧ ଲକ୍ଷ ୩୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।