spot_img
Home Blog Page 7231

ଲକ୍‌ଡାଉନ୍‌ ୪.୦ରେ ୩ ନୁହେଁ ୫ ଜୋନ୍‌…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିସ୍ତାରକୁ ରୋକିବା ପାଇଁ କେନ୍ଦ୍ରର ମୋଦି ସରକାର ଦେଶବ୍ୟାପୀ ଲକଡାଉନ୍ ୪.୦ କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏଥର ଲକ୍‌ଡାଉନ୍‌ରେ ଦେଶରେ ୩ ବଦଳରେ ୫ଟି ଜୋନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ରେଡ୍‌ ଜୋନ୍, ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍ ବ୍ୟତୀତ ବଫର୍ ଜୋନ୍ ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍ ଅନ୍ତର୍ଭୁକ୍ତ ।

ଏହି ପାଞ୍ଚଟି ଜୋନ୍ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମାତ୍ର ତିନୋଟି ଜୋନ୍‌ ରହିଥିଲା । ଯଥା:- ରେଡ୍‌ ଜୋନ୍, ଗ୍ରୀନ୍ ଜୋନ୍ ଏବଂ ଅରେଞ୍ଜ ଜୋନ୍ । ରବିବାର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଆଉ ଦୁଇ ନୂଆ ଜୋନ୍‌ ଯୋଡ଼ିବାକୁ କୁହାଯାଇଛି ।

ଏହି ଅନୁଯାୟୀ, ଲକଡାଉନ୍ ୪.୦ ସମୟରେ ମେଟ୍ରୋ ଏବଂ ବିମାନର କାର୍ଯ୍ୟକୁ ଅନୁମତି ଦିଆଯାଇ ନାହିଁ । ତେଣୁ ମେ ୩୧ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ଏବଂ ଘରୋଇ ତଥା ବିଦେଶୀ ଯାତ୍ରୀବାହୀ ବିମାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ତେବେ ଘରୋଇ ଚିକିତ୍ସା ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ବିମାନ ଅନୁମତି ଦିଆଯିବ ।

ଲକ୍‌ଡାଉନ୍ ୪.୦ ସମୟରେ ସ୍କୁଲ, କଲେଜ, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ମଲ୍, ସୁଇମିଂ ପୁଲ୍, ପ୍ରେକ୍ଷାଳୟ ଏବଂ ବାରଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ସ୍କୁଲ ଏବଂ କଲେଜଗୁଡ଼ିକୁ ଅନ୍‌ଲାଇନ୍‌ରେ ଅଧ୍ୟୟନ କରିବାକୁ ଅନୁମତି ଦିଆଯିବ ।

କରୋନା ସହାୟତା ଟଙ୍କା ବଣ୍ଟନରେ ଦୁର୍ନୀତି ଅଭିଯୋଗ, ମଲା ଲୋକ ନାଁରେ ଉଠୁଛି ଟଙ୍କା

ଭୁବନେଶ୍ୱର: ଭୂତ ଖାଉଛି ଭତ୍ତା ଟଙ୍କା । ଦୁର୍ନୀତିର ଗନ୍ଧ ଭତ୍ତା ଠାରୁ ଆରମ୍ଭ କରି ରାସନ ପର୍ଯ୍ୟନ୍ତ ଖେଳିବାରେ ଲାଗିଛି । କେତେବେଳେ ମଲା ଲୋକ ନାଁରେ ଉଠୁଛି ଟଙ୍କା ତ ଆଉ କେତେବେଳେ ପ୍ରକୃତ ହିତାଧିକାରୀ ରାସନ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି । ଲକ୍‌ଡାଉନ୍‌ରେ ଜୀବନ ଜୀବିକା ପ୍ରଭାବିତ ହେଉଥିବାବେଳେ କରୋନା ସହାୟତା ଟଙ୍କା ବଣ୍ଟନରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି । କରୋନା ସମୟରେ ଏଭଳି ଦୁର୍ନୀତି ଯାଜପୁର ଜିଲ୍ଲାରେ ଦେଖିବାକୁ ମିିଳିିଛି ।

ସୂଚନା ଅନୁଯାୟୀ, କୋହ୍ଲା ଗାଁର ପାର୍ବତୀ ସାହାଣୀ । ୫ମାସ ହେଲା ତାଙ୍କର ଦେହାନ୍ତ ହୋଇ ଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା କରୋନା ପାଇଁ ଆସିଥିବା ଟଙ୍କା କିଏ ଟିପ ଚିହ୍ନ ଦେଇ ହଜାରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେପଟେ ଆଉଜେ ବଞ୍ଚିଥିବା ବେଳେ ରାସନ ସାମଗ୍ରୀ ମିଳୁନଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

କେବଳ ପାର୍ବତୀଙ୍କ ପରିବାର ନୁହେଁ କୋହ୍ଲା ଗାଁର ବହୁ ହିତାଧିକାରୀ କାର୍ଡ ଥାଇ ବି ଦୀର୍ଘ ଦିନ ହେଲା ରାସନ୍‌ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି । ପୁରା ଘୋଟାଲା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ବ୍ଲକ ଯୋଗାଣ ଅଧିକାରୀ କ୍ୟାମେରା ସାମନାରେ ମୁହଁ ଖୋଲିବାକୁ ମନା କରିଛନ୍ତି । ଏବଂ ଡିଲର୍‌ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।  ଧର୍ମଶାଳା ଅଞ୍ଚଳର ଜଣେ ସାମାଜିକ କର୍ମୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ।…

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ନୂଆଦିଲ୍ଳୀ: ଲକ୍‌ଡାଉନ୍‌ ୪.୦ରେ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ । କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍‌ । ଆପୋଷ ବୁଝାମଣା ଭିତ୍ତିରେ ଅନ୍ତଃ ରାଜ୍ୟ ବସ୍‌ ଚଳାଚଳ କରିପାରିବ । ତେବେ ରାଜ୍ୟ ଭିତରେ ବସ ଚଳାଚଳ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାର ନିଷ୍ପତ୍ତି ନେବେ । ତେବେ ବସ୍‌ ଚଳାଚଳା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜଓର ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏଣିକି ଜୋନ୍‌ ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର । ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍‌ ଚିହ୍ନଟ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ପାରାମିଟରକୁ ଫଲୋ କରି ନିଷ୍ପତ୍ତି ନେବେ । ତେବେ ରେଡ୍, ଅରେଞ୍ଜ ଓ କଣ୍ଟେନମେଣ୍ଟ ମଧ୍ୟର କଟକଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାମରେ ଜୋନ୍‌ ବାହାରକୁ ଯିବାକୁ ବାରଣ କରାଯାଇଛି ।

ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଲାଗୁ ରହିବ କର୍ଫ୍ୟୁ       

ପୂର୍ବ ଭଳି ଚଳିତ ଥର ମଧ୍ୟ ସନ୍ଧ୍ୟା ୭ଠାରୁ ସକାଳ ୭ ମଧ୍ୟରେ କର୍ଫ୍ୟୁ ବଳବତ୍ତର ରହିବ । ଜରୁରୀକାଳୀନ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାମରେ ଘରୁ ବାହାରକୁ ବାହାରିପାରିବେ ନାହିଁ ।

୬୫ ବର୍ଷଣୁ ଊର୍ଦ୍ଧ୍ୱ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ପିଲାଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି କେବଳ ଜରୁରୀକାଳୀନ କାର୍ଯ୍ୟ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ହିଁ ଘରୁ ବାହାରକୁ ବାହାରିପାରିବେନାହିଁ ।

କ’ଣ ବନ୍ଦ ରହିବ

ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ

ମେଡିକାଲ ସର୍ଭିସ, ଏୟାର ଆମ୍ୱୁଲାନ୍ସ ଚଳାଚଳ ନେଇ ଅନୁମତି ଦିଆଯାଇଛି

ମେଟ୍ରୋ ରେଲ୍ ସର୍ଭିସ ମଧ୍ୟ ବନ୍ଦ ରହିବ

ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ । କିନ୍ତୁ ଅନଲାଇନ୍‌ରେ ପାଠ ପଢ଼ା ଏବଂ  ସାମାଜିକ ଦୂରତ୍ୱ ସହିତ କ୍ଳାସ୍‌କୁ ଅନୁମତି ଦିଆଯାଇଛି ।

ହୋଟେଲ, ରେଷ୍ଟୁରାଣ୍ଟ, ହସ୍ପିଟାଲିଟି ସର୍ଭିସ ବନ୍ଦ ରହିବ ।

ସମସ୍ତ ସିନେମା ଘର, ସପିଂ ମଲ୍‌, ଜିମ୍, ସୁମିଂ ପୁଲ୍, ଥିଏଟର, ବାର୍, ଅଡିଟୋରିୟମ୍‌ ଭଳି ସ୍ଥାନ ବନ୍ଦ ରହିବ..

ଆରମ୍ଭ ହେଲା ଲକ୍‌ଡାଉନ୍‌ ୪.୦: ମଇ ୩୧ ଯାଏଁ ଲାଗୁ

ନୂଆଦିଲ୍ଲୀ: ପୁଣି ବଢ଼ିଲା ଲକ୍‌ଡାଉନ୍‌ । ସାରାଦେଶରେ ମଇ ୩୧ ଯାଏଁ ଲକ୍‌ଡାଉନ୍ ଅବଧି ବୃଦ୍ଧି । ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି । ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ପୂର୍ବରୁ ଲକ୍‌ଡାଉନ୍‌ ୩.୦ରେ କିଛି ପରିବର୍ତ୍ତନ କରାଯାଇଥିବା ବେଳେ ଚଳିତ ଥର ମଧ୍ୟ ଲକଡାଉନ୍‌ କଟକଣାରେ କିଛି କୋହଳ କରାଯାଇପାରେ । ସଂଶୋଧିକ ଗାଇଡଲାଇନ୍‌କୁ ପ୍ରସ୍ତୁତ ଓ ପ୍ରକାଶ ପାଇଁ ନ୍ୟାସନାଲ ଏକ୍ସୁକେଟିଭ୍‌ କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ସଂଶୋଧିକ ଗାଇଡଲାଇନ ନ୍ୟାସନାଲ ଏକ୍ଜୁକେଟିଭ୍ କମିଟି ପକ୍ଷରୁ ପ୍ରକାଶ କରାଯିବ ।

ସୋସିଆଲ ମିଡିଆରେ ଚର୍ଚ୍ଚା, ବିଜେପି ଛାଡ଼ିବେ ସିନ୍ଧିଆ ! ହେଲେ କିଏ ଆରମ୍ଭ କରିଛି ଆଲୋଚନା….?

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବାର ମାତ୍ର ଦୁଇ ମାସ ପରେ କଂଗ୍ରେସକୁ ଫେରିବା ନେଇ ଯୋଜନା କରୁଛନ୍ତି କି ? ସୋସିଆଲ ମିଡିଆରେ ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମ ନାଁରେ ଖୋଲାଯାଇଥିବା ଟୁଇଟର ହ୍ୟାଣ୍ଡେଲରେ ଏଭଳି କିଛି ପୋଷ୍ଟ କରାଯିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଟୁଇଟରେ ଲଖାଥିଲା ଯେ, ସୋମବାର ମଧ୍ୟରେ ବିଜେପି ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେଥିରେ ଆହୁରି ଲେଖା ଅଛି ଯେ, ସିନ୍ଧିଆ କହିଛନ୍ତି ‘ମନ୍ତ୍ରୀ ପଦ ଦିଅ ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ଶିବରାଜଙ୍କ ଯୋଗୁଁ ସମ୍ମାନ ହରାଇଲି ଏବଂ କିଛି ଫାଇଦା ମଧ୍ୟ ହେଲା ନାହିଁ । ମାମୁଁ ଏବଂ ମୋଦି ଦୁହେଁ ମିଶି ମତେ ଫଶାଇଛନ୍ତି’ ।

ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଟ୍ୱିଟରକୁ ୧୧ ହଜାରରୁ ଅଧିକ ଉପଭୋକ୍ତା ଲାଇକ୍‌ କରିଛନ୍ତି ଏବଂ ୨୭ ଶହରୁ ଅଧିକ ଥର ଏହାକୁ ରି-ଟ୍ୱିଟ୍‌ କରାଯାଇଛି । ସୋସିଆଲ ମିଡିଆ ଉପଭୋକ୍ତା ଭାବୁଛନ୍ତି ଯେ, ଏହା ଏକ ନ୍ୟୁଜ୍ ଚ୍ୟାନେଲର ଟ୍ୱିଟର । ଅନେକ ୟୁଜର୍ସ ଏହାକୁ ଫେସବୁକରେ ମଧ୍ୟ ସେୟାର କରିଛନ୍ତି ।

ତେବେ ଏହି ଖବରଟି ଯେଉଁ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରାଯାଇଥିଲା ତାହା ଏକ ଫେକ୍‌ ଆକାଉଣ୍ଟ ବୋଲି ସ୍ପଷ୍ଟ ଜଣାପଡ଼ିଛି । ତାହା କୌଣସି ଜାତୀୟ ଗଣମାଧ୍ୟମ ଦ୍ୱାରା ପ୍ରେରିତ ହେଉନାହିଁ । ଏହି ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ତାହା ଫର୍ଜି ଏବଂ ପାଇରେଟେଡ୍‌ ଆକାଉଣ୍ଟ ବୋଲି ।


ମାର୍ଚ୍ଚ ୧୧ରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ । ସାଂସଦ ସିନ୍ଧିଆ ଏହା ପୂର୍ବରୁ ୧୮ ବର୍ଷ ଧରି କଂଗ୍ରେସରେ ରହିଥିଲେ । ଦଳରେ ବିଭିନ୍ନ ମତଭେଦ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଢୋଲମରା ସରପଞ୍ଚଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ନୟାଗଡ଼: ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଢୋଲମରାର ସରପଞ୍ଚ ସୁଶାନ୍ତ ବେହେରା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ କୁଳମଣି ସ୍ୱାଇଁଙ୍କୁ ଗିରଫ କରିଛି ଖଣ୍ଡପଡ଼ା ଥାନା ପୋଲିସ । ଗତକାଲି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ହତ୍ୟା କରାଯାଇଥିଲା  । ସୁଶାନ୍ତ ବିଳମ୍ବିତ ରାତିରେ ଘର ଆଗରେ ଛିଡ଼ା ହୋଇଥିବା ବେଳେ ସେହି ଗାଁର କୁଳମଣି ସ୍ୱାଇଁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ଗଣିଆ ଓ ପରେ ନୟାଗଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ଅଭିଯୁକ୍ତ କୁଳମଣି ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍‌ ସମୟରେ ବହୁବାର ଝଗଡ଼ା ହୋଇଥିଲା । ସରପଞ୍ଚ ସୁଶାନ୍ତ ବେହେରା ହସ୍ତକ୍ଷେପ କରି ଆପୋଷ ସମାଧାନ କରିଆସୁଥିଲେ । ଗତକାଲି ପୁଣି କୁଳମଣି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଥିଲା ।

ଏନେଇ ଖଣ୍ଡପଡ଼ା ଥାନାରେ କୁଳମଣିଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ଅଭିଯୋଗ ପଛରେ ସରପଞ୍ଚଙ୍କ ହାତ ଥିବା ସନ୍ଦେହ କରି ଅଭିଯୁକ୍ତ କୁଳମଣି ସରପଞ୍ଚଙ୍କୁ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଥିବା ମଧ୍ୟ ଅଭିଯୋଗ ହୋଇଛି ।

ବିଳମ୍ବିତ ରାତିରେ ସରପଞ୍ଚଙ୍କୁ ଘର ଆଗରେ ବୀଭତ୍ସ ହତ୍ୟା

ଶ୍ରମିକଙ୍କ ପାଇଁ ଅନ୍‌ଲାଇନ୍ ପଞ୍ଜିକରଣ ବ୍ୟବସ୍ଥା କଲେ ଗେହଲଟ୍‌, ଏହା ଦ୍ୱାରା ମିଳିବ ରୋଜଗାର…

ରାଜସ୍ଥାନ: ଶ୍ରମିକଙ୍କ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନୂଆ ପଦକ୍ଷେପ । କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ସାରା ଦେଶ ଗତି କରୁଥିବା ବେଳେ ଗେହଲଟ୍‌ ଶ୍ରମିକ ମାନଙ୍କୁ ରୋଜଗାର ଦେବା ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା । ଶ୍ରମିକମାନଙ୍କୁ ଚାକିରି ପାବାରେ ସାହାଯ୍ୟ କରିବା ପାଇଁ ‘ଅନ୍‌ଲାଇନ୍ ଏମ୍ପ୍ଲୋଏମେଣ୍ଟ ଏକ୍ସଚେଞ୍ଜ’ ଆଣିବାକୁ ଗେହଲଟ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଅନେକ ଶ୍ରମିକ ରୋଜଗାର ପାଇପାରିବେ । ଶିଳ୍ପ କ୍ଷେତ୍ରରେ ଅଭାବ ରହୁଥିବା ମାନବ ଶକ୍ତିର ଆବଶ୍ୟକତାକୁ ଏହା ଦ୍ୱାର ପୁରଣ କରାଯାଇପାରିବ ।

 

ଅନ୍‌ଲାଇନ୍‌ ଦ୍ୱାରା ରାଜସ୍ଥାନକୁ ଆସୁଥିବା ସମସ୍ତ ନିର୍ମାଣ ଶ୍ରମିକ କିମ୍ବା ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ତଥ୍ୟ ରଖାଯିବ । ଶ୍ରମ ବିଭାଗର ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଶ୍ରମିକମାନଙ୍କୁ ସହାୟତା କରିବା ଆମର ଦାୟିତ୍ୱ । ଶିଳ୍ପଗୁଡିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଶ୍ରମିକମାନଙ୍କ ଉପଲବ୍ଧତା ନିଶ୍ଚିତ କରିବା ଆବଶ୍ୟକ । ବର୍ତ୍ତମାନ ଶିଳ୍ପଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଶ୍ରମିକଙ୍କ ଦକ୍ଷତା ବିକାଶ ମଧ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍‌ ।

ଗେହଲୋଟ୍ କହିଛନ୍ତି ଯେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରାଜସ୍ଥାନକୁ ଆସି ଅନ୍ୟ ରାଜ୍ୟକୁ ଯାଇଛନ୍ତି । ଶ୍ରମ ବିଭାଗର କାମ ହେଉଛି, ଶିଳ୍ପଗୁଡିକର ଆବଶ୍ୟକତା ଅନୁଯାୟୀ ଶ୍ରମିକମାନଙ୍କୁ ଯୋଗ୍ୟତା ଭିତ୍ତିରେ ତାଲିମ ଦେବା । ଯାହା ଦ୍ୱାରା ଏହି ଶ୍ରମିକମାନେ ଶିଳ୍ପରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରମ ଆଇନରେ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଗେହଲୋଟ୍ କହିଛନ୍ତି, “ଲକ୍‌ଡାଉନ୍ ଯୋଗୁଁ ଶିଳ୍ପସଂସ୍ଥା ଗୁଡ଼ିକର ଅବସ୍ଥା ଭଲ ନାହିଁ । ସେମାନଙ୍କର ପରିସ୍ଥିତି ସୁଧାରିବା, ଶ୍ରମ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଅନ୍‌ଲାଇନ୍‌ରେ ଅଧିକାଂଶ ବିଭାଗୀୟ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବାସୀ ରାଜସ୍ଥାନ ଶ୍ରମିକଙ୍କ କଲ୍ୟାଣ ପାଇଁ ବଜେଟ୍‌ରେ ଘୋଷିତ ‘ପ୍ରଭାସୀ ରାଜସ୍ଥାନ ଶ୍ରମିକ କଲ୍ୟାଣ ପାଣ୍ଠି’ ଗଠନକୁ ଗେହଲୋଟ୍ ଅନୁମୋଦନ କରିଛନ୍ତି ।

ଶ୍ରମ ମନ୍ତ୍ରୀ ଟିକରାମ ଜୁଲି ସୂଚନା ଦେଇଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ବିଭାଗ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରୁଛି, ଯାହା ଦ୍ୱାରା ସେମାନେ ଶିଳ୍ପର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ସୁଯୋଗ ସହ ଯୋଡି ହୋଇପାରିବେ ।

ସଚିବ ନୀରଜ କେ ପୱନ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଶ୍ରମିକ ରାଜସ୍ଥାନକୁ ଫେରିଛନ୍ତି । ଏହାସହ ୧.୩୫ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇଛନ୍ତି ।

ବିଭାଗ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରୁଛି ଏବଂ ଶ୍ରମିକମାନଙ୍କ ମ୍ୟାପିଂ ସମାପ୍ତ ହେବା ପରେ ସେମାନଙ୍କ ଦକ୍ଷତା ବିକାଶ ରାଜ୍ୟ ଜୀବିକା ବିକାଶ ନିଗମ ମାଧ୍ୟମରେ କରାଯିବ । ସେ ସୂଚନା ଦେଇଛନ୍ତି ଯେ ବିଭାଗ ଦ୍ୱାରା ତାଲିମ ପ୍ରାପ୍ତ ପ୍ରାୟ ୪ ଲକ୍ଷ ଲୋକଙ୍କ ତାଲିକା ଗତ ବର୍ଷ ଶିଳ୍ପ ଓ ସ୍ୱାସ୍ଥ୍ୟ ବିଭାଗକୁ ଉପଲବ୍ଧ କରାଯାଇଛି ।

ଭାରତ ସୀମାରେ ୧୨ କିଲୋମିଟର ପଶିଲା ଚୀନ୍‌ ହେଲିକପ୍ଟର !

ନୂଆଦିଲ୍ଲୀ: ଭାରତ ସୀମାରେ ପୁଣି ଚାଇନାର ଅନୁପ୍ରବେଶ । ବେଆଇନ୍‌ ଭାବେ ଚାଇନାର କିଛି ହେଲିକପ୍ଟର ଭାରତ ସୀମାରେଖା ମଧ୍ୟରେ ପ୍ରବେଶ କରିଥିଲା । ଖାଲି ସେତିକି ନୁହେଁ ଚାଇନା ନିଜ ହେଲିକପ୍ଟର ଗୁଡ଼ିକୁ ଭାରତ ସୀମାରେ ପ୍ରବେଶ କରାଇ ପୁଣି ଥରେ ସୀମା ବିବାଦକୁ ତେଜିବାକୁ ଚେଷ୍ଟା କରିଛି ବୋଲି କୁହାଯାଉଛି । ହିମାଚଳ ପ୍ରଦେଶର ଲାହୋଲ୍ ସୀମାରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଚୀନ୍ ହେଲିକପ୍ଟର ଭାରତ ସୀମା ଅତିକ୍ରମ କରି ୧୨ କିଲୋମିଟର ଭିତରକୁ ଚାଲି ଆସିଥିଲା ।

ହିମାଚଳ ପ୍ରଦେଶ ପୋଲିସର ସୂଚନାନୁସାରେ, ଚାଇନାର ହେଲିକପ୍ଟରଗୁଡ଼ିକ ମେ’ ମାସର ପ୍ରଥମ ସପ୍ତାହରେ ଏବଂ ଏପ୍ରିଲର ଶେଷ ସପ୍ତାହରେ ଭାରତ ସୀମାରେ ପ୍ରବେଶ କରିଥିଲା ।

ହିମାଚଳ ପ୍ରଦେଶ ପୋଲିସ ଏନେଇ ମିଲିଟାରୀ ଇଣ୍ଟେଲିଜେନ୍ସ, ଆଇବି ଏବଂ ଆଇଟିବିପିକୁ ସୂଚନା ଦେଇଛି । ହିମାଚଳ ପ୍ରଦେଶ ପୋଲିସ ଆହୁରି କହିଛି ଯେ,  ଗତ ଦେଢ଼ ମାସ ମଧ୍ୟରେ ଚୀନ୍ ସେନା ଲାହୋଲ୍ ଅଞ୍ଚଳରେ ଦୁଇଥର ଅନୁପ୍ରବେଶ କରିଛି ।

କମ୍‌ ଉଚ୍ଚତାରେ ଉଡ଼ୁଥିଲା ହେଲିକପ୍ଟର

ସରକାରୀ ଅଧିକାରୀଙ୍କ କହିବାନୁସାରେ, ଲାହୋଲ ଜିଲ୍ଲା ସାମଦୋହ ପୋଷ୍ଟରୁ ଚାଇନାର ହେଲିକପ୍ଟରଗୁଡିକ ଦେଖିବାକୁ ମିଳିଥିଲା । ଏହି ହେଲିକପ୍ଟରଗୁଡ଼ିକ କମ୍‌ ଉଚ୍ଚତାରେ ଉଡ଼ୁଥିବା ଦେଖାଯାଇଥିଲା । ତେବେ ଚୀନ୍‌ର ଏଭଳି ଆଚରଣ ପାଇଁ ଭାରତୀୟ ସୀମା ସୁରକ୍ଷା ବଳ ଏବଂ ବାୟୁସେନା ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି । ଆଇଟିବିପି ଯବାନମାନେ ସଚେତନ ରହିବା ସହ ଚାଇନାର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ।

ସିକିମ୍‌ରେ ସଂଘର୍ଷ

ପ୍ରାୟ ଏକ ସପ୍ତାହ ପୂର୍ବରୁ ଉତ୍ତର ସିକିମ୍‌ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ହେବାର ଖବର ଆସିଥିଲା । ଏହି ସମୟ ମଧ୍ୟରେ, ଭାରତୀୟ ଏବଂ ଚୀନ୍ ସେନା କର୍ମଚାରୀ ଆକ୍ରମଣାତ୍ମକ ହୋଇପଡ଼ିଥିଲେ । ଯେଉଁଥିରେ କେତେକ ସାମାନ୍ୟ ଆହତ ହୋଇଥିଲେ । ତେବେ ପରେ ଏହାର ସମାଧାନ ହୋଇଥିଲା ।

କେବେ ଧିମେଇ ଯାଉଛି ତ କେବେ କ୍ଷୀପ୍ର ଗତିରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି…

ଭୁବନେଶ୍ୱର: କେଉଁଠି ଲ୍ୟାଣ୍ଡଫଲ୍‌ କରିବ ଅମ୍ଫାନ ?  ପଶ୍ଚିମବଙ୍ଗ ନା ବାଂଲାଦେଶ ନା ଓଡ଼ିଶା ?  କେତେ ପ୍ରଭାବିତ ହେବ ଓଡ଼ିଶା ଉପକୂଳ ? .. ଏସବୁ ପ୍ରଶ୍ନ ମଧ୍ୟରେ ସମୁଦ୍ରରେ ବଳ ଗୋଟାଇ ମାଡ଼ି ଆସୁଛି ଅମ୍ଫାନ । କେବେ ଧିମେଇ ଯାଉଛି ତ କେବେ କ୍ଷୀପ୍ର ଗତିରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି । ପାଣିପାଗ ବିଭାଗର ଆକଳନ କହୁଛି, ପଶ୍ଚିମବଙ୍ଗର ସାଗର ଦୀପ ଓ ବାଂଲାଦେଶର ହାତୀୟା ଦୀପ ମଝିରେ ବାତ୍ୟା ସ୍ଥଳଭାଗ ଛୁଇଁବ । କିନ୍ତୁ ଓଡ଼ିଶା ବିପଦଶୂନ୍ୟ ବୋଲି କହିହେବନି । ରିକର୍ଭ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।

୧୮ ତାରିଖ ମଧ୍ୟାହ୍ନରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଓ ପବନ ଆରମ୍ଭ ହେବ । ୧୯ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମେତ ଘଣ୍ଟାପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ବହିବ ପବନ । ୧୯ ତାରିଖ ବେଳକୁ ଅମ୍ଫାନ ପବନର ବେଗ ୧୮୦ରୁ ୨୦୦ କିଲୋମିଟର ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ୨୦ ତାରିଖକୁ ଘଣ୍ଟାପ୍ରତି ୧୨୦ରୁ ୧୩୫ କିଲୋମିଟର ବେଗରେ ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂବାନୁମାନ କରିଛି ।

୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି  । ସେପଟେ ଅମ୍ଫାନର ସ୍ଥିତି, ଗତି ଓ ପ୍ରଭାବ ନେଇ ବିଶେଷଜ୍ଞମାନେ ଆକଳନରେ ବ୍ୟସ୍ତ ଅଛନ୍ତି  ।

ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲେ ତାମିଲନାଡ଼ୁ ସରକାର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ୩.୦ର ଶେଷ ଦିନରେ ମହାରାଷ୍ଟ୍ର ଏବଂ ପଞ୍ଜାବ ପରେ ତାମିଲନାଡ଼ୁ ସରକାର ନିଜ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ରାଜ୍ୟରେ ଲକ୍‌ଡାଉନ୍ ୪.୦ ଲାଗୁ କରାଯିବାକୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ମଇ ୩୧ ଯାଏଁ ଲକଡାଉନକୁ ବୃଦ୍ଧି କରିଛନ୍ତି ତାମିଲନାଡ଼ୁ ସରକାର । ତେବେ ପୂର୍ବରୁ ତେଲେଙ୍ଗାନା ସରକାର ମଧ୍ୟ ମଇ ୨୯ ଯାଏଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି  । ତାମିଲନାଡ଼ୁ ପୂର୍ବରୁ ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ୩୧ ମଇ ଯାଏଁ ବୃଦ୍ଧି କରିଛନ୍ତି । କୋଭିଡ-୧୯ର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲକ୍‌ଡାଉନ୍ ୪.୦କୁ ମଇ ୩୧ ଯାଏଁ ବୃଦ୍ଧି କରିଛନ୍ତି । ଏହାର ୨ ଦିନ ପୂର୍ବରୁ ହଟସ୍ପଟ ଅଞ୍ଚଳରେ ଲକଡାଉନ୍‌ ବୃଦ୍ଧି କରାଯାଇଥିବା ବେଳେ ଆଜି ସାରା ରାଜ୍ୟରେ ଲକ୍‌ଡାଉନ ଲାଗୁ କରାଯାଇଛି ।