ନନ୍ଦିଘୋଷ ବ୍ୟୁରୋ: ନୟାଗଡରୁ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ । ଦଶପଲା ଥାନା ମଧ୍ୟଖଣ୍ଡ ଜଙ୍ଗଲରେ ଦୀର୍ଘଦିନ ଧରି ଚାଲିଥିଲା କାରଖାନା । ନୟାଗଡ ଏବଂ ଦଶପଲ୍ଲା ପୋଲିସ ସମେତ STF ଟିମ ମିଳିତ ଭାବେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ଦେଶୀ ବନ୍ଧୁକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଦଶପଲ୍ଲା ଥାନା ଦ୍ବାର ଗାଁର ରାଜେଶ ପ୍ରଧାନ, ବିଭୁତି ପରିଡା ଏବଂ ତପନ ପରିଡା । ତେବେ ଘଟଣାସ୍ଥଳରୁ ଅନ୍ୟଜଣେ ଫେରାର ହୋଇଯାଇଛି । ଦୁଇଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ତିଆରି ସରଞ୍ଜାମ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଏସପି ।
ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରେ ଏକ ପୂରୁଣା କୋଠା ଭଙ୍ଗା ହେଉଥିବା ବେଳେ ଭୁଶୁଡି ପଡିଛି । ଏହି ଅଘଟଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଲିଙ୍ଗରାଜ ବିହାର ଅଞ୍ଚଳର ଏହି କୋଠାକୁ ସମ୍ପୁର୍ଣ୍ଣ ଭାଙ୍ଗିବାକୁ ଘର ମାଲିକ ଜଣେ ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ । ଗତ ସାତ ଆଠ ଦିନ ହେଲା ଭଙ୍ଗା କାର୍ଯ୍ୟ ଜାରି ରହିଥିଲା । ଆଜି ସନ୍ଧ୍ୟାରେ ମଧ୍ୟ ବର୍ଷା ସମୟରେ ଶ୍ରମିକମାନେ କାମ କରୁଥିବା ଦେଖି କିଛି ସ୍ଥାନୀୟ ଲୋକ ବାରଣ କରିଥିଲେ । କିନ୍ତୁ କାମ ବନ୍ଦ ହୋଇନଥିଲା । ଏକ କଙ୍କ୍ରିଟ ଛାତ ଭଙ୍ଗାଯାଉଥିବା ତାହା ଭୁଶୁଡି ପଡିଥିଲା । ଏଥିରେ ବିମ ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକ ୨ଜଣଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । କଙ୍କ୍ରିଟ୍ ତଳେଆଉ କେହି ଶ୍ରମିକ ଚାପି ହୋଇଥିବା ସନ୍ଦେହରେ ଠାବ କରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ପୋଲିସ କମିଶନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ବଲ୍ଡିଂ କାମ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ ତାର ତଦନ୍ତ ହେବ ବୋଲି କହିଛନ୍ତି ପୋଲିସ କମିଶନର ।
ସରକାରଙ୍କୁ ଛାଇ ପରି ଜଗିଛି ଛାୟା କ୍ୟାବିନେଟ
ନନ୍ଦିଘୋଷ ବ୍ୟୁରୋ: ପ୍ରଭାବୀ ଢଙ୍ଗରେ ସରକାରଙ୍କ ସମାଲୋଚନା କରିଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଛାୟା କ୍ୟାବିନେଟ । ସାଢେ ଚାରି କୋଟି ଓଡିଆଙ୍କ ସ୍ବର ସାଜି ସରକାରଙ୍କ ଦୋଷ ଦୁର୍ବଳତାକୁ ଆଣୁଛି ପଦାକୁ। କାହିଁକି ବର୍ଷେ ହେବ ବିଭାଗଗୁଡ଼ିକ ଠିକ କାମ କରୁନାହାନ୍ତି ତାହାକୁ ଜଗିଥିଲେ ଛାୟା କ୍ୟାବିନେଟର ୫୦ ସଦସ୍ୟ। ଆଗକୁ ଏହି ଲଢେଇ ଜାରି ରହିବ ବୋଲି ନେତାଏ କହିଛନ୍ତି । ସେପଟେ ସରକାର ତାଙ୍କ କାମ କରିଚାଲିବେ ବୋଲି କହିଛି ଶାସକ ଦଳ।
ମୋହନ ସରକାରଙ୍କ ଦୋଷ ଦୁର୍ବଳତା ଓ ତ୍ରୁଟି ଜଗିବା ସହ ଗଠନମୂଳକ ସମାଲୋଚନା କରିବା ଲାଗି ନବୀନ ପଟ୍ଟନାୟକ ଗଠନ କରିଥିଲେ ଛାୟା କ୍ୟାବିନେଟ । ୫୦ ଜଣ ବିଜେଡି ବିଧାୟକଙ୍କୁ ଛାୟା କ୍ୟାବିନେଟର ଗୁରୁଦାୟିତ୍ବ ଦେଇଥିଲେ ବିରୋଧୀ ଦଳ ନେତା ।ସରକାରଙ୍କ ବିଭିନ୍ନ ବିଭାଗ କିପରି କାର୍ଯ୍ୟ କରୁଛି ଓ କେଉଁଠି ଭୂଲ ହେଉଛି ତାହାକୁ ନଜର ରଖିଛନ୍ତି ଦାୟିତ୍ବରେ ଥିବା ବିଧାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଯେଉଁ ଦାୟିତ୍ବ ଦେଇଥିଲେ ତାହାକୁ ସୁଚାରୁ ରୂପେ ତୁଲାଇଥିବା ନେତାମାନେ କହିଛନ୍ତି । ଛାୟା କ୍ୟାନିନେଟର ବରିଷ୍ଠ ସଦସ୍ୟ ବିଧାୟକ ଅରୁଣ ସାହୁ କହିଛନ୍ତି- ସରକାରଙ୍କ ସବୁ କାର୍ଯ୍ୟ ଉପରେ ଆମର ନଜର ରହିଛି । ସରକାରଙ୍କ ବିଫଳତାର ଗୋଟି ଗୋଟି ଦସ୍ତାବିଜ ଆମ ପାଖରେ ରହିଛି । ବିଭିନ୍ନ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ଗଠନମୂଳକ ପରାମର୍ଶ ଦେବା ସହ ସରକାରଙ୍କ ଅନେକ ଭୁଲକୁ ଦୃଢ ବିରୋଧ କରିଛି । ଲୋକଙ୍କ ସହ ସାଜି ଛାୟା କ୍ୟାବିନେଟ କାମ କରିଛି ବୋଲି ଅରୁଣ କହିଛନ୍ତି । ସେହିପରି ଛାୟା କ୍ୟାବିନେଟରେ ଆଦିବାସୀ ବ୍ୟାପାର ଦାୟିତ୍ବରେ ଥିବା ସଦସ୍ୟ ବିଧାୟକ ଯୋଗେଶ ସିଂହ କହିଛନ୍ତି ଆଦିବାସୀ ସ୍ବର ସାଜି ଲଢେଇ ଜାରି ରଖିଛି। ମୋହନ ସରକାରଙ୍କୁ ଜଗିଛୁ। ସରକାର ଯେଉଁଠି ଜନ ବିରୋଧୀ କାମ କରୁଛନ୍ତି ତାହା ବିରୋଧରେ ସ୍ବର ଉଠାଇଛୁ ।
ଛାୟା କ୍ୟାବିନେଟ ଛାଇ ପରି ଜଗିଥିଲେ ବି ସରକାର ତାଙ୍କ କାମ କରିବେ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି । ସରକାର କଣ କାମ କରିଛନ୍ତି ତାହା ଲୋକେ ବିଚାର କରିବେ । ୨ ବର୍ଷ ପରେ ପଂଚାୟତ ନିର୍ବାଚନ ଓ ୨୦୨୯ ସାଧାରଣ ନିର୍ବାଚନରେ ଲୋକ ମତାମତ ଦେବେ । ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ସରକାର ଶୁଣିବେ ବୋଲି ସେ କହିଛନ୍ତି । ଜନସେବାକୁ ରାଜନୀତିର ମୂଳମନ୍ତ୍ର କରି ନବୀନ କ୍ଷମତାରେ ଥିବାବେଳେ ଯେମିତି କାମ କରୁଥିଲେ ଦଳର ବିଧାୟକମାନେ ଠିକ ସେପରି ଗଠନମୂଳକ ବିରୋଧୀ ଦଳ ଭାବେ ନିର୍ବାହ କରୁଛନ୍ତି ଦାୟିତ୍ବ।
ସଫଳ ହୋଇଛି ଲଢେଇ, ଜନଗଣନା ପ୍ରକ୍ରିୟା ଆରମ୍ଭ
ନନ୍ଦିଘୋଷ ବ୍ୟୁରୋ: ଜନଗଣନାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବ ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା । ସ୍ବଚ୍ଛତାର ସହ ଜନଗଣନା କରାଯିବ ଦରକାର । ଜନଗଣନା ହେବା ଦ୍ବାରା ପଛୁଆବର୍ଗ ନ୍ୟାୟ ପାଇପାରିବେ ବୋଲି ବିଜେଡି କହିଛି । ଜନଗଣନା ପରେ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ କରାଯିବ । ଜାତିଭିତ୍ତିକ ଜନ ଗଣନା କରାଯିବାକୁ ଥିବା ବେଳେ ଯେଉଁ ଅଧିକାରୀ ମାନେ ଜନଗଣନା ପରିଚାଳନାରେ ନିଯୁକ୍ତ ହେବେ ସେମାନେ ସ୍ଵଚ୍ଛତାର ସହ ଜନଗଣନା କରିବା ଉଚିତ୍ ବୋଲି ବିଜେଡି କହିଛି । କଂଗ୍ରେସ କହିଛି, ଚାପରେ ପଡି ଜାତିଭିତ୍ତିକ ଜନଗଣନା କରୁଛି ବିଜେପି । ଯାହାର ଜବାବ ରଖିଛି ବିଜେପି ।
ସଫଳ ହୋଇଛି ଲଢେଇ। ଜନଗଣନା ପ୍ରକ୍ରିୟାରେ ଓବିସିମାନଙ୍କୁ ନ୍ୟାୟ ମିଳିବାରେ ଆରମ୍ଭ ହୋଇଛି ପ୍ରଥମ ସୋପାନ । ଯାହାର ଭାଗ ଯେତେ ତାହାର ସଂଖ୍ୟା ସେତେ । ଜନଗଣନା କରିବାକୁ ସାରା ଭାରତ ବର୍ଷର ଦାବିକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଜାତିଭିତ୍ତିକ ଜନଗଣନା କରାଯିବ। କିନ୍ତୁ ଯେଉଁ ଅଧିକାରୀମାନେ ଜନଗଣନା ପରିଚାଳନାରେ ନିଯୁକ୍ତ ହେବେ ସେମାନେ ସ୍ଵଚ୍ଛତାର ସହ ଜନଗଣନା କରିବା ଉଚିତ୍ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ଜନଗଣନା ପ୍ରକ୍ରିୟାରେ ନିଯୁକ୍ତ ଅଧିକାରମାନଙ୍କୁ ସଠିକ ତାଲିମ୍ ଦେବା ଆବଶ୍ୟକ ଅଛି ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତ ଜାତିଭିତ୍ତିକ ଜନଗଣନା ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ । କେଉଁ ବର୍ଗରେ କେତେ ଲୋକ ଅଛନ୍ତି ତାହା ବି ଜଣାପଡ଼ିବ । ଜନଗଣନା ସଠିକ ଭାବେ କରାଯିବା ଆବଶ୍ୟକ ବୋଲି କଂଗ୍ରେସ କହିଛି ।
ଜାତିଭିତ୍ତିକ ଜନଗଣନା କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ବିଜେପି କହିଛି । କେଉଁ ଜାତି କେତେ ଅଛନ୍ତି ତାହା ଜନଗଣନା ଦ୍ବାରା ଜଣାପଡିବ । ତେଣୁ ସରକାର ତାଙ୍କ କାମ କରୁଛନ୍ତି ବୋଲି ବିଜେପି କହିଛି । ଜନଗଣନା ପରେ କେନ୍ଦ୍ର ସରକାର ଡିଲିମିଟେସନ କରିବାକୁ ଯୋଜନା କରିଛନ୍ତି l ଏହାଦ୍ୱାରା ବହୁ ରାଜ୍ୟର ଆସନ କମିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଜନଗଣନାର ପ୍ରଥମ ପ୍ରକ୍ରିୟାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେମେ ବୟାନବାଜି ।
ବିଲରେ ଗଜାହେଲା ପାଚିଲା ଧାନ, ଚିନ୍ତାରେ ଚାଷୀ
ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ବର୍ଷାରେ ବଲାଙ୍ଗୀର ଟିଟିଲାଗଡ଼ରେ ଧାନ ଫସଲ ନଷ୍ଟ। ବିଲରେ ପାଚିଲା ଧାନ ଓଦା ହୋଇ ଗଜା ହୋଇଛି । ଏଭଳି ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ଋଣ କରି ଧାନ ଫସଲ କରିଥିବା ଚାଷୀ କିପରି କରଜ ଶୁଝିବେ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ।
ଲଘୁଚାପ ଜନିତ ଲଗାଣ ବର୍ଷା ବଲାଙ୍ଗୀର ଟିଟିଲାଗଡ଼ରେ ଉଜାଡ଼ି ଦେଇଛି ଧାନ ଫସଲ। ପାଚିଲା ଧାନ ବିଲରେ ଠିଆ ହୋଇଛି। କଟା ଧାନ ମଧ୍ଯ ଖଳାରେ ଅମଳ ହୋଇପାରିନି। ଲଗାଣ ବର୍ଷାରେ ଧାନ ଓଦା ହୋଇ ଗଜା ହୋଇଗଲା। ଏବେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଟିଟିଲାଗଡ଼ ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଏକର ଜମିରେ ଚାଷୀ ଧାନ ଚାଷ କରିଥିଲେ । ହେଲେ ଠିକ ଅମଳ ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଅନେକ ଜମିରେ ପାଚିଲା ଧାନଗଛ ପାଣିରେ ବୁଡି ରହିଛି। ଉଜୁଡ଼ା କ୍ଷେତକୁ ଦେଖି ଚାଷୀଙ୍କ ମୁଣ୍ଡରେ ଭାଳେଣି ପଡିଲାଣି ।
ଖଳାରେ ପଡିଥିବା ଧାନ ମଧ୍ଯ ଗଜା ହୋଇଯାଇଛି । ଚାଷୀ ଭାବିଥିଲେ ଫସଲ ଅମଳ କରିବେ ମଣ୍ଡିରେ ଧାନ ବିକ୍ରି କରି ପରିବାର ପ୍ରତିପୋଷଣ କରିବେ । ହେଲେ ଏବେ ଚାଷୀଙ୍କୁ ଘାରିଛି ଚିନ୍ତା। ଓଦା ଧାନ ମଣ୍ଡିକୁ ନେବେ କିପରି? ଧାନର ମାନ ଠିକ ନଥିବା ଦେଖି ମିଲର ଓ ପ୍ରାଥମିକ ସମବାୟ ସମିତି କଟନି ଛଟନି କରିବେନି ତ? ଏଭଳି ସ୍ଥିତିରେ ସରକାର ଚାଷୀ ମାନଙ୍କୁ ସହୟତା ଯୋଗାଇ ଦେବାକୁ ଦାବି ଜୋର ଧରିଛି । ଚାଷୀଙ୍କୁ କେବେ ସହାୟତା ଯୋଗାଇ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଆରମ୍ଭ ହେଉନି ପ୍ରକଳ୍ପ, କାମ ଅଭାବରୁ ଦାଦନ ମୁହାଁ ଶ୍ରମିକ
ନନ୍ଦିଘୋଷ ବ୍ୟୁରୋ: ପ୍ରାୟ ଏକ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ମନରେଗା । ଆରମ୍ଭ ହେଉନି ପ୍ରକଳ୍ପ କାର୍ଯ୍ୟ । ନିୟୋଜିତ ହେଉ ନାହାଁନ୍ତି ଶ୍ରମିକ । ଏମିତିକି ଆବାସ ଯୋଜନାରେ ଗୃହ ନିର୍ମାଣ ସାରି ମନରେଗା ଅର୍ଥକୁ ଅପେକ୍ଷା କରି ରହିଛନ୍ତି ହିତାଧିକାରୀ । ଗ୍ରାଉଣ୍ଡ ଜିରୋରେ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦେଖାଦେଇଛି ଅନିଶ୍ଚିତତା ।
ବନ୍ଦ ହୋଇ ପଡିଛି ମନରେଗା । ଆରମ୍ଭ ହେଉନି ପ୍ରକଳ୍ପ କାମ । କାମ ଅଭାବରୁ ଦାଦନ ମୁହାଁ ଶ୍ରମିକ । ଗତ ବର୍ଷକ ମଧ୍ୟରେ ଗତପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତରେ କୌଣସି ପ୍ରକଳ୍ପ କାର୍ଯ୍ଯ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି । ରୋଜଗାର ନପାଇ ଅନେକ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏପଟେ ଗାଁକୁ ପକ୍କା ରାସ୍ତା ନଥିବାବେଳେ କାଦୁଅ ପଚପଚ ଖାଲଖମା ମାଟି ରାସ୍ତା ମରାମତି କରିବାକୁ ସୁଦ୍ଧା ପ୍ରକଳ୍ପ ଅନୁମୋଦନ ହେଉନାହିଁ। ସୀତାପୁର ପଞ୍ଚାୟତର ଇପାଗୁଡା, ମିନିଗାଁଗୁଡା, ଜଗନ୍ନାଥପୁର ଗାଁରେ ପିଚୁ ରାସ୍ତା ନଥିବାରୁ ବର୍ଷା ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଗ୍ରାମାଞ୍ଚଳରେ ବେକାରୀ ସମସ୍ୟାକୁ ଦୂର କରିବା ସହ ଲୋକଙ୍କ ରୋଜଗାର ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରହିଛି । ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକଙ୍କୁ ବର୍ଷକରେ ୧୦୦ ରୁ ୨୦୦ ଦିନର ଶ୍ରମ ଦିବସ ପ୍ରଦାନ କରିବାକୁ ଏଥିରେ ପ୍ରାବଧାନ ରହିଛି । କିନ୍ତୁ ଗତ ଏକ ବର୍ଷ ହେଲାଣି କେ. ସୀତାପୁର ପଞ୍ଚାୟତରେ ଏହି ଯୋଜନାରେ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ । ମନରେଗା ଯୋଜନାରେ ପ୍ରକଳ୍ପ ମଞ୍ଜୁର ନେଇ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ଯ ବ୍ଲକ ପ୍ରଶାସନ ହାତ ଟେକି ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଦିନ ଗଡେଇ ଚାଲିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ମନରେଗା ଯୋଜନାରେ କାମ ଚାଲୁ ରହିଛି । ପର୍ଯ୍ୟାୟକ୍ରମେ ପ୍ରକଳ୍ପ ଅନୁମୋଦନ ହେଉଛି । ଅନ୍ୟ ପ୍ରକଳ୍ପ ଅପେକ୍ଷା କମ ସଂଖ୍ୟାରେ ରାସ୍ତା ନିର୍ମାଣ ପ୍ରକଳ୍ପ ଅନୁମୋଦନ ହେଉଛି । ଏ କ୍ଷେତ୍ରରେ ଅନୁଧ୍ୟାନ କରି କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ଯ ପ୍ରଶାସକ । ଏଠି ପ୍ରଶ୍ନ ଉଠୁଛି- ଆଦିବାସୀଙ୍କ ବିକାଶ ନାଁରେ ଆସୁଥିବା ଯୋଜନାର ଟଙ୍କା ଯାଉଛି କୁଆଡେ ? କେଉଁଠି ଖର୍ଚ୍ଚ ହେଉଛି ? ଯାହାର ତଦନ୍ତ କରିବା ଜରୁରୀ ହୋଇପଡିଛି ।
ବିଭିନ୍ନ ଜିଲ୍ଲାରେ ବଢିବ ଗରମ ଓ ଗୁଳୁଗୁଳି
ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ଜିଲ୍ଲାରେ ବଢିବ ଗରମ ଓ ଗୁଳୁଗୁଳି । ସତର୍କତା ଜରିକଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଭିନ୍ନ ଜିଲ୍ଲା ମାନଙ୍କରେ ଆଗାମୀ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ସର୍ବାଧିକ ୨ ରୁ ୩ ଡିଗ୍ରୀ ବି ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ l ଅନ୍ୟପଟେ ଖରା ଗରମକୁ ଆଖିଆଗରେ ରଖି ହିଟ ୱେବ କଣ୍ଡିସନ୍ ଜାରି କରିଛି ବିଭଗ । ସେହିଭଳି ଗରମ ଏବଂ ଗୁଳୁଗୁଳି ସ୍ଥିତି ମଧ୍ୟ ଜାରି ରହିବା ନେଇ ସୂଚନା ଦିଆଯାଇଛି । ବିଶେଷକରି ଉପକୂଳ ଜିଲ୍ଲାରେ ମାନଙ୍କରେ ଏହା ବେଶି ଅନୁଭୂତ ହେବ ଖରା ଗରମ ଓ ଗୁଳୁଗୁଳି। ପୁଣି ଗତ ୨୪ ଘଣ୍ଟା ଭିତରେ ବାଲେଶ୍ଵରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ । ରାଜ୍ୟର ଆହୁରି ଅନ୍ୟ ସ୍ଥାନ ମାନଙ୍କରେ ବି ୩୯ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ଵର, ଭଦ୍ରକ, ଗଜପତି, ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର ,ହୀରାକୁଦ ଓ ତାଳଚେର ଠାରେ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ଆହୁରି ବଢି ପାରେ ଓ ଅସହ୍ଯ ଗରମ ଗୁଳୁଗୁଳି ନେଇ କିଛି ଜିଲାକୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ l ଆଜି ବାଲେଶ୍ଵର ଓ ଗଜପତି ଜିଲ୍ଲାରେ ହିଟ ୱେଭ ସ୍ଥିତି ଦେଖିବାକୁ ମିଳିଛି, ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯଥା ଗଞ୍ଜାମ, ନୟାଗଡ଼, ଭଦ୍ରକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଏହାସହ ଆସନ୍ତାକାଲି ବି ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ ଓ ଜଗପତି ଜିଲ୍ଲାରେ ହିଟ ୱେଭ୍ ର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ l
ପାକିସ୍ତାନରେ ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଖସି ଗଲେ ୨୦୦ରୁ ଅଧିକ କଏଦୀ
ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଖସି ଗଲେ ୨୦୦ରୁ ଅଧିକ କଏଦୀ ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଝଟକା ଯୋଗୁ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ୨୦୦ରୁ ଅଧିକ କଏଦୀ ଏହାର ସୁଯୋଗ ନେଇ ଚମ୍ପଟ ମାରିବାକୁ ସକ୍ଷମ ହୋଇଛନ୍ତି।
କଥାରେ ଅଛି ବିପର୍ଯ୍ୟୟ ଆଣିଥାଏ ସୁଯୋଗ। ଏହାର ଅର୍ଥ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରାଯାଇ ପାରେ। ଏହା ଏବେ ବାସ୍ତବ ଜୀବନରେ ଘଟିଛି। ପାକିସ୍ତାନର କରାଚିରେ ଥିବା ମାଲିର ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀମାନେ କେମିତି ଭୂକମ୍ପର ଫାଇଦା ଉଠାଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଏଠାରେ ୨୦୦ରୁ ଅଧିକ କଏଦୀ ଭୂକମ୍ପ ଝଟକା ପରେ ଦେଖା ଯାଇଥିବା ଆତଙ୍କର ଫାଇଦା ଉଠାଇ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି।
ସୋମବାର ପୂର୍ବ କରାଚିର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ମାଲିର ଜେଲର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସତେ ଯେମିତି ଦୋହଲି ଯାଇଥିଲା। ଏହାର ଫାଇଦା ଉଠାଇଥିଲେ ୨୦୦ରୁ ଅଧିକ ଏକଦୀ। ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଝଟକା ଯୋଗୁ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ୨୦୦ରୁ ଅଧିକ କଏଦୀ ଏହାର ସୁଯୋଗ ନେଇ ଚମ୍ପଟ ମାରିବାକୁ ସକ୍ଷମ ହୋଇଛନ୍ତି।
ଜେଲ ସୁପରିନଟେଣ୍ଡେଣ୍ଟ ଅର୍ଶଦ ଶାହ କହିଛନ୍ତି, “ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଜନିତ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ପ୍ରାୟ ୨୧୬ ଜଣ ଏକଦୀ ଏଠାରୁ ଚମ୍ପଟ ମାରିଛନ୍ତି। ଭୂକମ୍ପ ଝଟକା ପରେ କଏଦୀମାନେ ଦୌଡ଼ାଦୌଡ଼ି ହୋଇଥିଲେ। ଏଥିଯୋଗୁ ସୃଷ୍ଟି ହୋଇଥିବା ଭିଡ଼ ଯୋଗୁ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲ କର୍ମଚାରୀଙ୍କ ବ୍ୟତୀତ ଆଉ କିଛି କଏଦୀ ଆହତ ମଧ୍ୟ ହୋଇଛନ୍ତି। ଜେଲରେ ଅଧିକାଂଶ କଏଦୀ ନିଶାଦ୍ରବ୍ୟ ସହ ଜଡ଼ିତ ମାମଲାରେ ଗିରଫ ହୋଇ ବନ୍ଦୀ ଜୀବନ କାଟୁଥିଲେ। ସେହିପରି କିଛି କଏଦୀଙ୍କ ମାନସିକ ଅବସ୍ଥା ମଧ୍ୟ ଭଲ ନଥିଲା।”
ରବିବାର ଠାରୁ କରାଚିରେ ୧୬ ଥର ଛୋଟ ଛୋଟ ଭୂକମ୍ପ ଝଟକା ଅନୁଭବ ହୋଇ ସାରିଲାଣି। ଏହା ମଧ୍ୟରୁ ଅଧିକାଂଶ ଭୂକମ୍ପର କେନ୍ଦ୍ର ସ୍ଥଳ ମାଲିର ନିକଟରେ ରହିଥିଲା। ଏହିକ୍ରମରେ ସୋମବାର ବିଳମ୍ବିତ ରାତିରେ କ୍ରମାଗତ ଦୁଇଟି ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଗୋଟିଏ ଭୂକମ୍ପର ତୀବ୍ରତା ୨.୬ ଓ ଆଉ ଗୋଟିଏର ତୀବ୍ରତା ୨.୮ ରହିଥିଲା। ଏହାର ପ୍ରଭାବ ଜେଲରେ ମଧ୍ୟ ପଡ଼ିଥିଲା।
ସୋଶାଲ ମିଡିଆରେ କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି। ଅନ୍ଧାର ରାତିରେ ମାଲିର ଜେଲ ଭିତରୁ ଗୁଳି ମାଡ଼ର ଶବ୍ଦ ଆସୁଥିବା ଭିଡିଓରେ ସ୍ପଷ୍ଟ ହୋଇଛି। ଆଉ ଏକ ଭିଡିଓରେ ଜେଲରୁ ୨ ଜଣ କଏଦୀ ଖସି ଯାଉଥିବା ଦେଖା ଯାଉଛି।
ଜେଲ ସୁପରିନଟେଣ୍ଡେଣ୍ଟ ଶାହଙ୍କ କହିବା କଥା ଯେ ସର୍କଲ ୪ରୁ ୫ରୁ କଏଦୀମାନଙ୍କୁ ଭୂକମ୍ପ ଝଟକା ପରେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବାରାକରୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ୬୦୦ରୁ ଅଧିକ କଏଦୀ ସେମାନଙ୍କ ସେଲ ବାହାରେ ଥିଲେ। ଏହାର ସୁଯୋଗ ନେଇ ୨୧୬ ଜଣ ଚମ୍ପଟ ମାରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରା ଯାଇଥିବା ବେଳେ ଏବେ ୧୩୫ରୁ ଅଧିକ କଏଦୀ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ପୁଲିସ୍ କହିଥିଲା ଯେ ଜେଲର ବାହା କାନ୍ଥ ଏକାଧିକ ଭୂକମ୍ପ ଝଟକା ଯୋଗୁ ଦୁର୍ବଳ ହୋଇଯାଇଥିଲା। ଏହାକୁ ଭାଙ୍ଗି କଏଦୀମାନେ ଚମ୍ପଟ ମାରିଛନ୍ତି। ତେବେ ସିନ୍ଧ ପ୍ରଦେଶର ଗୃହ ମନ୍ତ୍ରୀ ଜିଆ ଉଲ ହାସନ ଲଞ୍ଜରଙ୍କ କହିବା କଥା ଯେ ଭୂକମ୍ପ ଜନିତ ଉଦ୍ଧାର କାର୍ଯ୍ୟ ବେଳେ ୭୦୦ରୁ ୧ ହଜାର କଏଦୀ ମୁଖ୍ୟ ଗେଟ ପାଖରେ ରୁଣ୍ଡ ହୋଇଥିଲେ। ଏହାର ଫାଇଦା ଉଠାଇ ୧୦୦ରୁ ଅଧିକ କଏଦୀ ବଳପୂର୍ବକ ମୁଖ୍ୟ ଫାଟକ ଖୋଲି ଖସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗିରଫ କରାଯାଇଛି।
ପଞ୍ଜାବ କିଙ୍ଗ୍ସର ବିଜୟ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା, ଅର୍ଥ ରାଶି ଜମା କଲେ ସମର୍ଥକ
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସର ବିଜୟ ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବାନା ବାନ୍ଧିବା ନେଇ ଆବଶ୍ୟକ ଅର୍ଥ ରାଶି ଜମା କରିଛନ୍ତି ପଞ୍ଜାବ କିଙ୍ଗ୍ସର ସମର୍ଥକ । ସେପଟେ କର୍ଣ୍ଣାଟକର ବେଙ୍ଗାଳୁରୁରେ IPL ୨୦୨୫ ଫାଇନାଲ୍ ପୂର୍ବରୁ ହୋମଯଜ୍ଞ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସମର୍ଥକମାନେ ଦଳର ବିଜୟ ପାଇଁ ହୋମଯଜ୍ଞ କରିଛନ୍ତି । କର୍ଣ୍ଣାଟକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଜି ଫାଇନାଲ ଖେଳିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ ଫାଇନାଲ୍ ଖେଳାଯିବ । ବିରାଟ କୋହଲି ଏବଂ ସମଗ୍ର ଦଳର ଚମତ୍କାର ପାଇଁ ଟିମ୍ ଫାଇନାଲରେ ପ୍ରବେଶ କରିଥିବା କହିଛନ୍ତି ଜଣେ ପ୍ରଶଂସକ ।
ମିଳିଲାନି ଆମ୍ବୁଲାନ୍ସ, ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଗାଁକୁ ନେଲେ ମହିଳା
ନନ୍ଦିଘୋଷ ବ୍ୟୁରୋ: ମିଳିଲା ନାହିଁ ଆମ୍ବୁଲାନ୍ସ । ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ନିଜ ଗାଁକୁ ନେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଦାରିଙ୍ଗବାଡି ଥାନା କାଜୁରୀ ବାଦେରୀ ଗାଁର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ପ୍ରଧାନ ୬ ମାସର ଗର୍ଭବତୀ ଥିଲେ। ପ୍ରସବ ବେଦନା ହେବାରୁ ସ୍ବାମୀ ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ରୋଗ ପରୀକ୍ଷା ନକରି ଡାକ୍ତର ୨ଟି ଇଞ୍ଜେକ୍ସନ ଏବଂ ଗୋଟିଏ ସାଲାଇନ ଦେବାରୁ ସୁନିମା ପ୍ରଧାନ ଏବଂ ପେଟରେ ଥିବା ୬ ମାସର ଶିଶୁର ମୃତ୍ୟୁ ହୋଇଯାଇଥିଲା । ଶବକୁ ପୋଷ୍ଟମର୍ଟମ କରିବା ପାଇଁ ସକାଳ ୬ଟାରୁ ୧୨ଟା ଯାଏଁ ଅପେକ୍ଷା କରିଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ମହିଳାମାନେ ୧୦ କିଲୋମିଟର ଦୂର କାଜୁରୀ ବାଦେରୀ ଗାଁକୁ ଶବ କାନ୍ଧରେ ବୋହି ନେଇଥିଲେ ।

