ଭୁବନେଶ୍ୱର: ୮ରେ ଭାରତ ବନ୍ଦ । ୧୨ ଦଫା ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧୀନ ଫେଡେରେସନ ମିଳିତ ମଞ୍ଚ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ରାଜ୍ୟ ସରକାରଙ୍କ ସହଯ଼ୋଗ ଲୋଡ଼ିଲା ମଞ୍ଚ । ଓଡ଼ିଶା ଶାଖାର ଏକ ପ୍ରତିନିଧି ଦଳ ତିନି ଜଣିଆ ମନ୍ତ୍ରୀସ୍ତରୀୟ କମିଟିକୁ ଦାବିପତ୍ର ଦେଇଛି ।
ଉଦ୍ଧାର ହେଲେ ୪ ଦାଦନ ଶ୍ରମିକ, ଦଲାଲ ନେଇଯାଉଥିଲା କେରଳ
କଲ୍ୟାଣସିଂପୁର: ଉଦ୍ଧାର ହେଲେ ୪ ଦାଦନ ଶ୍ରମିକ । ଦଲାଲ କେରଳକୁ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ । ଦାଦନ ଦଲାଲ ବଳରାମ ଜେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଏକ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଶଙ୍ଖନନ୍ଦିପଡ଼ା ଗାଁର ବଳରାମ ଜେନା ୪ ଜଣ ଦାଦନଙ୍କୁ ନେଇ କେରଳ ଯାଉଥିଲେ । ଶ୍ରମିକମାନେ ହେଉଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ବାଲି ପଞ୍ଚାୟତର । ଗୁଡ଼େଲ ଗାଁର ରହନ ନାଚିକା, ସାନ ମାଟୁର ଗାଁର ମହେନ୍ଦ୍ର ହିକକା, ବଡ଼ ମାଟୁର ଗାଁର ଅଭିରାମ ମାଝି ଓ ଜଣେ ନାବାଳକ ।

ଏମାନଙ୍କୁ ନେଇ କେରଳକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ସିକରପାଇ ବସଷ୍ଟାଣ୍ଡ ପାଖରୁ କଲ୍ୟାଣସିଂହପୁର ପୋଲିସ ଏମାନଙ୍କୁ ଉଦ୍ଧାର କରିଥିଲା । ସେପଟେ ଦଲାଲ ଜଣକୁ ପଚରା ଉଚରା ପରେ ପୋଲିସ ଦଲାଲକୁ କୋର୍ଟ ଚାଲଣ କରିଛି । ଅନ୍ୟପଟେ ୪ଜଣ ଶ୍ରମିକକୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରିଥିବା ଆଇ ଆଇସି ସୁକୁମା ହଂସଦା ସୁଚନା ଦେଇଛନ୍ତି।

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମିନତି ମିଶ୍ରଙ୍କ ପରଲୋକ
ଭୂବନେଶ୍ୱର: ଓଡ଼ିଆ ଚଳଚିତ୍ର ଜଗତର ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ । ସ୍ୱିଜରଲାଣ୍ଡରେ ତାଙ୍କର ନିଧନ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ନିଜର ଅଭିନୟରେ ଲୋକଙ୍କ ହୃଦୟକୁ ଜିଣିପାରିଥିବା ଏହି ଅଭିନେତ୍ରୀଙ୍କୁ ୨୦୧୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ସମ୍ମାନୀତ କରାଯାଇଥିଲା ।

ପ୍ରଥମରୁ ମିନତି ମିଶ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ । ପରେ ଜୀବନ ସାଥୀ, ସୂର୍ଯ୍ୟମୁଖୀ, ଅରୁନ୍ଧତୀ ଆଦି ଫିଲ୍ମରେ ନାୟିକା ଭାବେ ଅଭିନୟ କରିଥିଲେ ମିନତି ମିଶ୍ର । ବେଷ୍ଟ ରିଜିଓନାଲ ସିନେମା ପାଇଁ ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ମଧ୍ୟ ହୋଇଥିଲେ ।

ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ଏବଂ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ତେବେ କେବଳ ଓଡ଼ିଆ ନୁହେଁ ସେ ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତେବେ ଆଜି ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଏହି ନୃତ୍ୟାଙ୍ଗନାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।
ବସ୍ ଭିତରେ ଅସଦାଚରଣ, ବସ୍ ବାହାରେ ଉଠ୍ବସ୍
ଅନୁଗୋଳ: ମହଙ୍ଗା ପଡ଼ିଲା ମହିଳାଙ୍କୁ ଅସଦାଚରଣ । ବିଚ ରାସ୍ତାରେ ମହିଳା କରାଇଲେ ଉଠ୍ବସ୍ । ମହିଳାଙ୍କ ଧମକରେ କଣ୍ଡକ୍ଟର ମଧ୍ୟ ବଠ୍ବସ୍ ହେବାକୁ ବାଧ୍ୟ ହୋଇଥିଲେ । ଏଭଳି ଏକ ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମହାତ୍ମା ଗାନ୍ଧୀ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ମହିଳାଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି ।

ସୂଚନା ନୁଯାୟୀ, ଅନୁଗୋଳରୁ ଆଠମଲ୍ଲିକ ଆସୁଥିବା ଘରୋଇ ଶ୍ରୀରାମର ବସ କଣ୍ଡକ୍ଟର ମହିଳାଙ୍କୁ ବସ ଭିତରେ ଦୁର୍ବ୍ୟବହାର କରିଥିଲେ । କିନ୍ତୁ ମହିଳା ଜଣକ ବସ ଭିତରେ କିଛି ନକହି ଆଠମଲ୍ଲିକ ବସ ଷ୍ଟାଣ୍ଡ ରେ ପହଞ୍ଚିବାପରେ ଉକ୍ତ କଣ୍ଡକ୍ଟରଙ୍କ ନାମରେ ଅଭିଯୋଗ କରିଥିଲେ ।

ଶେଷରେ ସ୍ଥାନୀୟ ଲୋକେ ଓ ମହିଳା ଜଣଙ୍କ ଉକ୍ତ କଣ୍ଡକ୍ଟରଙ୍କୁ କାନ ଧରି ବସ୍ଉଠ୍ କରାଇଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମନକୁ ମନ ହୁତ୍ହୁତ୍ ହୋଇ ଜଳିଗଲା
ଉମରକୋଟ: ଆପେ ଆପେ ଜଳିଗଲା ବାଇକ୍ । ଘରେ ଥୁଆ ହୋଇଥିବା ବେଳେ କୌଣସି କାରଣରୁ ବାଇକ୍ଟି ଜଳିଯାଇଥିଲା । ପରେ ପାଣି ପକାଇ ନିଆଁକୁ ଲିଭାଇଥିଲେ ଉପସ୍ଥିତ ଲୋକେ । ଏମିତି ଏକ ଘଟଣା ଦେଖିଵାକୁ ମିଳିଛି ନଵରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଗୁଲିପାଟଣା ସାହିରେ ।

ସୂଚନା ଅନୁଯାୟୀ, ଗୁଲିପାଟଣାରେ ରହୁଥିଵା ଶିଵାନନ୍ଦ ରାଉତ ଆଜି ସକାଳୁ ମନ୍ଦିର ଯିଵାପାଇଁ ନିଜ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ କୁ ଘରୁ ଵାହାର କରି ଵାହାରେ ରଖିଥିଲେ । ପରେ ଘର ଭିତରକୁ କୌଣସି କାମ ପାଇଁ ଯାଇଥିଲେ ।

କିଛି ସମୟ ପରେ ଘରୁ ଵାହାରି ଦେଖିବା ଵେଳକୁ ବାଇକ୍ ଟି ହୁତ୍ହୁତ୍ ହୋଇ ଜଳୁଛି । ପରେ ପାଣି ଢାଳି ନିଆଁ କୁ ଆୟତ କରିଥିଲେ ମଧ୍ୟ ବାଇକ୍ଟି ସମ୍ପୁର୍ଣ୍ଣ ଜଳିଯାଇଥିଲା । ତେଵେ ଵାଇକ୍ରେ କେମିତି ନିଆଁ ଲାଗିଲା ତାହା ଏବେ ଅସ୍ପଷ୍ଟ ରହିଛି ।

ଗାଁରେ ପଶିଲେ ହାତୀପଲ ଘର ଭାଙ୍ଗିଲେ, ଧାନ ବସ୍ତା ଘୋଷାଡ଼ି ଖାଇଲେ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରପ । ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚା କୁ ଭାଙ୍ଗିଲେ । ସେପଟେ ମଞ୍ଚାରେ ଶୋଇଥିବା ଚାଷୀ ମଦନ ସାହୁ ଅଳ୍ପକେ ବର୍ତ୍ତିଲେ । ସେହିଭଳି ଗାଁର ସୁଶାନ୍ତ ପ୍ରଧାନ, କପିକେତନ ପ୍ରଧାନ, ବିଭୁତି ପ୍ରଧାନଙ୍କର ପ୍ରାୟ ୩୦ ବସ୍ତା ଧାନକୁ ହାତୀ ଖାଇବା ସହ ନଷ୍ଟ କରିଦେଇଛି ।

ଖାଲି ସେତିକି ନୁହଁ, କଦଳୀ ଗଛ ଓ ନଡ଼ିଆ ଗଛ କୁ ମଧ୍ୟ ନଷ୍ଟ କରିଛନ୍ତି ହାତୀ ପଲ । ଅନ୍ୟପଟେ ବନବିହାରୀପୁର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା । ସେଠାରେ କୋବି ଫସଲ ନଷ୍ଟ କରିବା ସହ ଘର ଭିତରୁ ଧାନ ବସ୍ତା ଟାଣି ଖାଇଯାଇଛନ୍ତି ହାତୀ ।

ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି । ହାତୀପଲ ଗାଁ ପାଖରେ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ବନ ବିଭାଗ ହାତୀ ଉପରେ ନଜର ରଖିଛି ।

ଦୁଲୁକୁଛି ବରଗଡ଼ ଧନୁଯାତ୍ରା, ଷଷ୍ଠ ଦିନରେ ପରିବେଷଣ ହୋଇଛି ଶ୍ରୀକୃଷ୍ଣଙ୍କ ରାସଲୀଳା
ବରଗଡ଼: ଦୁଲୁକୁଛି ବରଗଡ଼ ମୁକ୍ତ।କାଶ ରଙ୍ଗମଞ୍ଚ । ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ପରିବେଷଣ ହୋଇଛି ଶ୍ରୀକୃଷ୍ଣଙ୍କ ରାସଲୀଳା । ଗୋପୀ ଓ ଗୋପାଙ୍ଗନାଙ୍କ ସହ କାହ୍ନାଙ୍କ ନଟଖଟ ଦୃଶ୍ୟ ଦେଖିବାକୁ ମିଳିଛି । ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଞ୍ଚଭରା । ଦୈବବାଣୀରେ ବ୍ୟସ୍ତବିବ୍ରତ ହୋଇପଡ଼ିଥିବା ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଙ୍ଗସଭା ।

ସେହିପରି କୃଷ୍ଣଙ୍କୁ ମାରିବ ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସଙ୍କୁ ଚିନ୍ତାରେ ପକାଇଛି । ଧନୁଯାତ୍ରାରେ ସପ୍ତମ ଦିନରେ ମଥୁରାରେ କୃଷ୍ଣ ବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ, ଚିଟାଉ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଗମନ । ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ଅଭିନୀତ ହେବ ।

ଅନ୍ୟପଟେ ଜିଲ୍ଲାର ପ୍ରାୟ ସମସ୍ତ ମୁଖ୍ୟ ପ୍ରଶାସନିକ ଅଧିକାରୀ କଂସ ଦରବାରରେ ଅତିଥି ହୋଇଛନ୍ତି । ଆଗାମୀ ଦିନରେ ମଥୁରା ନଗରୀର ଶିକ୍ଷା ସ୍ୱାସ୍ଥ୍ୟ ତଥା ପ୍ରଶାସନିକ ବ୍ୟବସ୍ଥା ସୂଚାରୁରୁପେ ତୁଲାଇବା ପାଇଁ କଂସ ମୃହାରାଜ ଆଦେଶ ଦେଇଛନ୍ତି।
ବାଗଦାଦରେ ପୁଣି ରକେଟ ବର୍ଷା, ଆମେରିକା ଦୂତାବାସ ନିକଟରେ ରକେଟ ମାଡ଼ କରିଛି ଇରାନ
ଇରାନ: ବାଗଦାଦରେ ପୁଣି ରକେଟ ବର୍ଷା । ଆମେରିକା ଦୂତାବାସ ନିକଟରେ ରକେଟ ମାଡ଼ କରିଛି ଇରାନ । ତେବେ ଏଥିରେ କେହି ବି ମୃତାହତ ହୋଇନାହାନ୍ତି । ସେପଟେ ଇରାନ ଆକ୍ରମଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଆମେରିକା । ଟ୍ୱିଟ୍ କରି ନାଲି ଆଖି ଦେଖାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ଆଗକୁ ଯଦି ଇରାନ କୈାଣସି ଆମେରିକୀୟ କିମ୍ବା ଏୟାରବେସକୁ ଟାର୍ଗେଟ କରେ ତେବେ ତାକୁ ଏହାର ଫଳ ଭୋଗିବାକୁ ପଡ଼ିବ ।

କିଛିଦିନ ତଳେ ସୈନ ଉପକରଣରେ ଆମେରିକା ୨ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି । ଯାହାକୁ ଇରାନ ଉପରେ ବ୍ୟବହାର କରିବାରେ ଆଦୌ ସଙ୍କୋଚ କରିବନି ଆମେରିକା । ସେପଟେ ଇରାନ ଟ୍ରମ୍ପଙ୍କୁ ସୁଟ୍ ପିନ୍ଧିଥିବା ଆତଙ୍କବାଦୀ କହିଛି । ଏପରିକି ଇରାନର ଶକ୍ତି ସଂପର୍କରେ ଆମେରିକା ଅବଗତ ନ ଥିବା କହିଛନ୍ତି । ଚୀନ ଓ ରୁଷିଆ ଆମେରିକାର ପଦକ୍ଷେପକୁ କଡ଼ା ନିନ୍ଦା କରିଛନ୍ତି । ଆମେରିକା ସାମରିକ ଶକ୍ତିର ଦୁରୁପଯୋଗ ବନ୍ଦ କରିବାକୁ କହିଛି ଚୀନ୍ ।

ଗୋଟିଏ ପଟେ ଉତ୍ତେଜନା ଅନ୍ୟ ପଟେ ଶାନ୍ତି ପାଇଁ ପ୍ରୟାସ । ୟୁରୋପିୟାନ ୟୁନିୟନ ଓ ଭାରତ ସମେତ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଶାନ୍ତି ପାଇଁ ଅପିଲ କରିଛନ୍ତି । ଏହାରି ଭିତରେ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ।

ମଧ୍ୟ ପ୍ରାଚ୍ୟରେ ଅଶାନ୍ତିକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି ଭାରତର ବିଦେଶ ମନ୍ତ୍ରୀ । ପୂର୍ବରୁ ଇରାନର ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସ.ଜୟଶଙ୍କର ।
ସାରା ଦେଶରେ ଜେଏନୟୁ ଘଟଣାକୁ ନିନ୍ଦା, ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି
ନୂଆଦିଲ୍ଲୀ: ସାରା ଦେଶରେ ଜେଏନୟୁ ଘଟଣାକୁ ନିନ୍ଦା । ଦିଲ୍ଲୀରୁ ମୁମ୍ବାଇ ଯାଏ ସାରା ଦେଶରେ ରାତି ସାରା ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ । ଆକ୍ରମଣକାରୀଙ୍କୁ ଚିହ୍ନଟ ସହ ଗିରଫ କରିବାକୁ ଜୋର ଧରିଛି ଦାବି । ଘଟଣାକୁ ନେଇ ରାଜନୀତି ବୟାନବାଜି ମଧ୍ୟ ଆରମ୍ଭ ହୋଇଛି ।

ରବିବାର ରାତିରେ ପୁଣି ଅଶାନ୍ତ ହୋଇଥିଲା ଜେଏନୟୁ । ଆତଙ୍କ ଖେଳାଇଥିଲେ ୫୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ । କ୍ୟାମ୍ପସରେ ପଶି ଭଙ୍ଗାରୁଜା କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଛାତ୍ର ସଂସଦ ସଭାପତିଙ୍କ ସହ ୪୦ରୁ ଅଧିକ ଗୁରୁତର । ହାତରେ ରଡ୍ ଓ ବାଡ଼ି ଧରିଥିବା ଦୁର୍ବୃତ୍ତ ହଷ୍ଟେଲ ଭିତରେ ପଶିଥିଲେ । ଜେଏନୟୁ ଶିକ୍ଷକ ସଂଘର ବୈଠକ ବେଳେ ଏହି ଆକ୍ରମଣ କରାଯାଇଛି । ଏଥିପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି ।
Mumbai: Students from different colleges gather outside Gateway of India to protest against the violence in Jawaharlal Nehru University earlier today. #Maharashtra pic.twitter.com/6XL5Sqk425
— ANI (@ANI) January 5, 2020
ସେପଟେ ବାମପନ୍ଥୀଙ୍କ ଉପରେ ଦୋଷ ଲଦିଛି ଏବିଭିପି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏଭଳି କାଣ୍ଡ ହୋଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମୃନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ମାମଲାର ପୋଲିସ କମିଶନରଙ୍କୁ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ଜେଏନୟୁ ବାହାରେ ମଧ୍ୟ ସାମାଜିକ କର୍ମୀ ଯୋଗେନ୍ଦ୍ର ୟାଦବଙ୍କୁ ମଧ୍ୟ କିଛି ଅସାମାଜିକ ଲୋକ ଧସ୍ତାଧସ୍ତି କରିଥିବା ଅଭିଯୋଗ ଆସିଛି । କ୍ୟାମ୍ପସରେ ଉତ୍ତେଜନା ପରେ ପୋଲିସ ମୁତୟନ କରାଯାଇଛି । ୟୁନିଭର୍ସିଟିରେ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ ।
ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା
ଭୁବନେଶ୍ୱର: ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଆରମ୍ଭ । ୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଦେଶରେ ଥିବା ସମସ୍ତ ଘରୋଇ ଏବଂ ସରକାରୀ ଇଂଜିନିୟରିଂ କଲେଜରେ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଦେଶ ଓ ବିଦେଶରେ ୨୩୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଚଳିତ ବର୍ଷ ସର୍ବମୋଟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଓଡିଶାରୁ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ନାମ ପଞ୍ଜିକରଣ କରିଛନ୍ତି । ଓଡ଼ିଶାର ୭ ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ,ରାଉରକେଲା ଏବଂ ସମ୍ବଲପୁର ରେ ପରୀକ୍ଷା କେନ୍ଦ୍ର କରାଯାଇଛି ।

ପ୍ରଥମ ସିଟିଂ ୯.୩୦ରୁ ଆରମ୍ଭ ହୋଇ ୧୨.୩୦ରେ ସରିବ । ସେହିପରି ୨ୟ ସିଟିଂ ୨.୩୦ରୁ ଆରମ୍ଭ ହୋଇ ୫.୩୦ରେ ସରିବ । ୨ ଘଣ୍ଟା ପୂର୍ବରୁ ଛାତ୍ର ଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ଆଡମିଟ୍ କାର୍ଡ, ପାସପୋର୍ଟ ସାଇଜ ଫଟୋ ଏବଂ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର୍ଥୀ ମାନେ ସାଙ୍ଗରେ କୌଣସି ବୈଦ୍ୟୁତିକ ସଂରଞ୍ଜାମ ନେଇପାରିବେ ନାହିଁ ।

ଏଟିଏ ବା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଛି । ଜାନୁଆରୀ ୩୧ ରେ ଏହାର ଫଳ ପ୍ରକାଶ ପାଇବ । ଏପ୍ରିଲ ୩ ରୁ ୯ ଯାଏଁ ୨ୟ ପର୍ଯାୟ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ ।

