spot_img
Home Blog Page 7389

ବାଗଦାଦରେ ପୁଣି ରକେଟ ବର୍ଷା, ଆମେରିକା ଦୂତାବାସ ନିକଟରେ ରକେଟ ମାଡ଼ କରିଛି ଇରାନ

ଇରାନ: ବାଗଦାଦରେ ପୁଣି ରକେଟ ବର୍ଷା । ଆମେରିକା ଦୂତାବାସ ନିକଟରେ ରକେଟ ମାଡ଼ କରିଛି ଇରାନ । ତେବେ ଏଥିରେ କେହି ବି ମୃତାହତ ହୋଇନାହାନ୍ତି । ସେପଟେ ଇରାନ ଆକ୍ରମଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଆମେରିକା । ଟ୍ୱିଟ୍ କରି ନାଲି ଆଖି ଦେଖାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ଆଗକୁ ଯଦି ଇରାନ କୈାଣସି ଆମେରିକୀୟ କିମ୍ବା ଏୟାରବେସକୁ ଟାର୍ଗେଟ କରେ ତେବେ ତାକୁ ଏହାର ଫଳ ଭୋଗିବାକୁ ପଡ଼ିବ ।

କିଛିଦିନ ତଳେ ସୈନ ଉପକରଣରେ ଆମେରିକା ୨ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି । ଯାହାକୁ ଇରାନ ଉପରେ ବ୍ୟବହାର କରିବାରେ ଆଦୌ ସଙ୍କୋଚ କରିବନି ଆମେରିକା । ସେପଟେ ଇରାନ ଟ୍ରମ୍ପଙ୍କୁ ସୁଟ୍‌ ପିନ୍ଧିଥିବା ଆତଙ୍କବାଦୀ କହିଛି । ଏପରିକି ଇରାନର ଶକ୍ତି ସଂପର୍କରେ ଆମେରିକା ଅବଗତ ନ ଥିବା କହିଛନ୍ତି । ଚୀନ ଓ ରୁଷିଆ ଆମେରିକାର ପଦକ୍ଷେପକୁ କଡ଼ା ନିନ୍ଦା କରିଛନ୍ତି । ଆମେରିକା ସାମରିକ ଶକ୍ତିର ଦୁରୁପଯୋଗ ବନ୍ଦ କରିବାକୁ କହିଛି ଚୀନ୍‌ ।

ଗୋଟିଏ ପଟେ ଉତ୍ତେଜନା ଅନ୍ୟ ପଟେ ଶାନ୍ତି ପାଇଁ ପ୍ରୟାସ । ୟୁରୋପିୟାନ ୟୁନିୟନ ଓ ଭାରତ ସମେତ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଶାନ୍ତି ପାଇଁ ଅପିଲ କରିଛନ୍ତି । ଏହାରି ଭିତରେ ଭାରତର ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ।

ମଧ୍ୟ ପ୍ରାଚ୍ୟରେ ଅଶାନ୍ତିକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି ଭାରତର ବିଦେଶ ମନ୍ତ୍ରୀ । ପୂର୍ବରୁ ଇରାନର ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସ.ଜୟଶଙ୍କର ।

ସାରା ଦେଶରେ ଜେଏନୟୁ ଘଟଣାକୁ ନିନ୍ଦା, ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି

ନୂଆଦିଲ୍ଲୀ: ସାରା ଦେଶରେ ଜେଏନୟୁ ଘଟଣାକୁ ନିନ୍ଦା । ଦିଲ୍ଲୀରୁ ମୁମ୍ବାଇ ଯାଏ ସାରା ଦେଶରେ ରାତି ସାରା ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ । ଆକ୍ରମଣକାରୀଙ୍କୁ ଚିହ୍ନଟ ସହ ଗିରଫ କରିବାକୁ ଜୋର ଧରିଛି ଦାବି । ଘଟଣାକୁ ନେଇ ରାଜନୀତି ବୟାନବାଜି ମଧ୍ୟ ଆରମ୍ଭ ହୋଇଛି ।

ରବିବାର ରାତିରେ ପୁଣି ଅଶାନ୍ତ ହୋଇଥିଲା ଜେଏନୟୁ । ଆତଙ୍କ ଖେଳାଇଥିଲେ ୫୦ରୁ ଅଧିକ  ମୁଖାପିନ୍ଧା ଦୁର୍ବୃତ୍ତ । କ୍ୟାମ୍ପସରେ ପଶି ଭଙ୍ଗାରୁଜା କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଛାତ୍ର ସଂସଦ ସଭାପତିଙ୍କ ସହ ୪୦ରୁ ଅଧିକ ଗୁରୁତର । ହାତରେ ରଡ୍‌ ଓ ବାଡ଼ି ଧରିଥିବା ଦୁର୍ବୃତ୍ତ ହଷ୍ଟେଲ ଭିତରେ ପଶିଥିଲେ । ଜେଏନୟୁ ଶିକ୍ଷକ ସଂଘର ବୈଠକ ବେଳେ ଏହି ଆକ୍ରମଣ କରାଯାଇଛି । ଏଥିପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି ।

ସେପଟେ ବାମପନ୍ଥୀଙ୍କ ଉପରେ ଦୋଷ ଲଦିଛି ଏବିଭିପି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏଭଳି କାଣ୍ଡ ହୋଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମୃନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ମାମଲାର ପୋଲିସ କମିଶନରଙ୍କୁ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ଜେଏନୟୁ ବାହାରେ ମଧ୍ୟ ସାମାଜିକ କର୍ମୀ ଯୋଗେନ୍ଦ୍ର ୟାଦବଙ୍କୁ ମଧ୍ୟ କିଛି ଅସାମାଜିକ ଲୋକ ଧସ୍ତାଧସ୍ତି କରିଥିବା ଅଭିଯୋଗ ଆସିଛି । କ୍ୟାମ୍ପସରେ ଉତ୍ତେଜନା ପରେ ପୋଲିସ ମୁତୟନ କରାଯାଇଛି । ୟୁନିଭର୍ସିଟିରେ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ ।

 

ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଆରମ୍ଭ । ୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଦେଶରେ ଥିବା ସମସ୍ତ ଘରୋଇ ଏବଂ ସରକାରୀ ଇଂଜିନିୟରିଂ କଲେଜରେ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଦେଶ ଓ ବିଦେଶରେ ୨୩୩ଟି  ସହରରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଚଳିତ ବର୍ଷ ସର୍ବମୋଟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଓଡିଶାରୁ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ନାମ ପଞ୍ଜିକରଣ କରିଛନ୍ତି । ଓଡ଼ିଶାର ୭ ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ,ରାଉରକେଲା ଏବଂ ସମ୍ବଲପୁର ରେ ପରୀକ୍ଷା କେନ୍ଦ୍ର କରାଯାଇଛି ।

 

ପ୍ରଥମ ସିଟିଂ ୯.୩୦ରୁ ଆରମ୍ଭ ହୋଇ ୧୨.୩୦ରେ ସରିବ । ସେହିପରି ୨ୟ ସିଟିଂ ୨.୩୦ରୁ ଆରମ୍ଭ ହୋଇ ୫.୩୦ରେ ସରିବ । ୨ ଘଣ୍ଟା ପୂର୍ବରୁ ଛାତ୍ର ଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ଆଡମିଟ୍ କାର୍ଡ, ପାସପୋର୍ଟ ସାଇଜ ଫଟୋ ଏବଂ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର୍ଥୀ ମାନେ ସାଙ୍ଗରେ କୌଣସି ବୈଦ୍ୟୁତିକ ସଂରଞ୍ଜାମ ନେଇପାରିବେ ନାହିଁ ।

ଏଟିଏ ବା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଛି । ଜାନୁଆରୀ ୩୧ ରେ ଏହାର ଫଳ ପ୍ରକାଶ ପାଇବ । ଏପ୍ରିଲ ୩ ରୁ ୯ ଯାଏଁ ୨ୟ ପର୍ଯାୟ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ ।

ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି

ଭୁବନେଶ୍ୱର: ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ହେବ । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବଂଶଧାରା ଜଳ ବିବାଦର ଟ୍ରିବୁନାଲକୁ ଚାଲେଞ୍ଜ କରି ଓଡ଼ିଶା  ସୁପ୍ରିମକୋର୍ଟ ଯାଇଛି । ଗତ ଏପ୍ରିଲରେ ନିଜ ରାୟ ପ୍ରକାଶ କରିଥିଲେ । ଯେଉଁଥିରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ରାଜ୍ୟ ଅଭିଯୋଗ କରିଥିଲା ।

ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣ କରାଯାଉଥିବା ନେରେଡି ପ୍ରକଳ୍ପ ପାଇଁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ଓଡ଼ିଶାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଓଡ଼ିଶା ପକ୍ଷରୁ ପ୍ରକଳ୍ପ ଡିଜାଇନ ମଗାଯାଇଥିଲେ ମଧ୍ୟ ଏନେଇ କୈାଣସି ନିର୍ଦ୍ଦେଶନାମା ନଥିଲା ।ଗତ ଡିସେମ୍ବର ୧୬ ରେ ମାମଲାର ଶୁଣାଣି ଥିଲା, ମାତ୍ର ଓଡ଼ିଶା ଅଧିକ ସମୟ ମାଗିବାରୁ ଶୁଣାଣି ହୋଇପାରିନଥିଲା ।

ଅଧା ପୂଜାରେ ବିଧାୟକଙ୍କ ଦେହରେ ଲାଗିଲେ କାଳିସୀ

ଅନୁଗୋଳ: ଖୋଲାଖୋଲି ଚାଲିଛି ଅନ୍ଧବିଶ୍ୱାସର ନାଟକ । ବିଶ୍ୱାସର ଦ୍ଵାହି ଦେଇ ଚାଲିଛି ଅନ୍ଧବିଶ୍ୱାସର ଖେଳ । କେବଳ ସାଧାରଣ ଜନତା ନୁହନ୍ତି, ଏଠି ବିଧାୟକ ମଧ୍ୟ । ଏ ଦୃଶ୍ୟ ହେଉଛି ଆଠ ମଲ୍ଲିକ ଆମ୍ବସରମୁଣ୍ଡାର। ଆଉ ଇଏ ହେଉଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଆମ୍ବସରମୁଣ୍ଡା ଗାଁରେ ଗଣ୍ଡ ସମାଜର ଜାତିଦେବୀଙ୍କ ପୂଜା ଥିଲା ।

ପୂଜାରେ ଘଣ୍ଟ, ଶଙ୍ଖ ଓ ବାଦ୍ୟର ତାଳେତାଳେ ମା’ଙ୍କ ଶୋଭାଯାତ୍ରା ଚାଲିଥିଲା ।ହେଲେ ଶୋଭାଯାତ୍ରା ବେଳେ ବିଧାୟକଙ୍କ ଦେହରେ କୁଆଡ଼େ କାଳିସୀ ବିଜେ କରିଥିଲେ ବୋଲି କୁହାଯାଉଛି । ଖଣ୍ଡା ଧରି ଝୁମିଥିଲେ ବିଧାୟକ ରମେଶ ସାଏ । ଇଏ ହେଉଛି ସେ ସମୟର ଦୃଶ୍ୟ । ଦେଖନ୍ତୁ ମୁଣ୍ଡରେ ନାଲି ପଗଡ଼ି, ବେକରେ ଫୁଲମାଳ ସହ ଖଣ୍ଡା ଧରିଛନ୍ତି ବିଧାୟକ ।

ଆଉ ତାଙ୍କ ଦେହରେ ଦେବୀ ଉଭା ହୋଇଥିବା ଭାବି ତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଗଣ୍ଡ ସମାଜର ଲୋକ । ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜା ଚାଲିଛି । ଶହଶହ ଲୋକଙ୍କ ଆଗରେ ଚାଲିଛି ଅନ୍ଧବିଶ୍ୱାସର ଏ ଖେଳ । ଖୋଦ୍‌ ବିଧାୟକଙ୍କ ଦେହରେ କାଳିସୀ ବିଜେ କରିଥିବା ଲୋକ କହୁଛନ୍ତି । ଦେବୀଙ୍କ ଆବିର୍ଭାବ ଭାବି ଚାଲିଛି ପୂଜାର୍ଚ୍ଚନା । ହେଲେ ପ୍ରଶ୍ନ ଉଠୁଛି, ଏ କି ମାନସିକତା ? ତେବେ ଏନେଇ ବିଧାୟକ ରମେଶ ସାଏଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

୧୦୮ ଆମ୍ବୁଲାନ୍ସ ଭିତରେ ଡ୍ରାଇଭରଙ୍କର ଚାଲିଛି ଡ୍ରିଙ୍କ୍‌ସ ପାର୍ଟି

ଟାଙ୍ଗୀ: ରାସ୍ତା ଉପରେ ରଖା ଯାଇଛି ୧୦୮ ଆମ୍ବୁଲାନ୍ସ  । ଆଉ ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ବାବୁଙ୍କର ଖୋଲିଛି ମଦର ଆସର । ପଚାରିଲେ ଗାଡ଼ିଚାଳକ କହୁଛନ୍ତି ଏସବୁ ମଦ ନୁହଁ କୋଲ୍ଡ ଡ୍ରିଙ୍କ୍‌ସ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଏହି ୧୦୮ ଆମ୍ବୁଲାନ୍ସ କୌଣସି କାର୍ଯ୍ୟରେ ନଯାଇ ଗାଡ଼ିକୁ ଗଛ ତଳେ ଲଗାଇଦେଇ ଆରମ୍ଭ କରିଥିଲେ ମଦର ଆସର । ଗାଡ଼ି ଭିତରେ ଡ୍ରାଇଭରଙ୍କ ସମେତ ଆଉ ଦୁଇଜଣ ମିଶି ପିଉଥିଲେ ମଦ । ଏହି ସମୟରେ ଆମର ପ୍ରତିନିଧି ଯାଇ ସେଠାରେ ପହଞ୍ଚିଥିଲେ ।

କାହିଁକି ମଦ ପିଉଛ ବୋଲି ପଚାରିବାରୁ ଡ୍ରାଇଭର ଜଣକ ଏ ମଦ ନୁହେଁ କୋଲ୍ଡ ଡ୍ରିଙ୍କ୍ସ ବୋଲି ଯୁକ୍ତି କରିଥିଲେ । ଆପଣ ମାନଙ୍କୁ ଜଣାଇଦେବକୁ ଚାହୁଁଛୁ ଏହି ଗାଡ଼ିକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବଡ଼ ପୋଖରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁତୟନ କରାଯାଇଛି ।

ଏବେ ଏଠି ପ୍ରଶ୍ନ ଉଠୁଛି, ଏଭଳି ଡ୍ରାଇଭରଙ୍କ ଅବହେଳା ଯୋଗୁଁ  ବୋଧେ କେଉଁଠି ପ୍ରସବ ପୀଡ଼ାରେ ମହିଳା ଟିଏ ଡାକ୍ତରଖାନା ଆସିପାରୁନି ତ କେଉଁଠି ରାସ୍ତା ଉପରେ ଶିଶୁକୁ ଜନ୍ମ ହେଉଛି ମହିଳା ।

ଘରଭଡ଼ା ମାଗିଲେ ବୋଲି ଛାତରୁ ଠେଲି ଦେଲେ !

ପୁରୀ: ପୁରୀ ପଥୁରିଆ ସାହିରେ ହତ୍ୟାକାଣ୍ଡ। ଜଣେ ବୃଦ୍ଧଙ୍କୁ ଛାତ ରୁ ଠେଲି ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପଥୁରିଆ ସାହିର ନରେନ୍ଦ୍ର କୁମାର ମହାରଣା । ଘରେ ଭଡ଼ା ରହୁଥିବା ବେଣୁଧର ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଘରଭଡ଼ାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବରୁ ବହୁବାର ଝଗଡ଼ା ହୋଇଛି । ତେବେ ହତ୍ୟାକାଣ୍ଡର କାରଣ ଘରଭଡ଼ା ବୋଲି ଅନୁମାନ କରାଯାଉଛି । ଘଟଣା କୁ ନେଇ ସ୍ତାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ସେପଟେ ତୁରନ୍ତ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ନେଇ ଟାଉନ ଥାନାରେ ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ । ପୁରୀ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ସନ୍ଦେହରେ ଭଡ଼ାଟିଆ ଦମ୍ପତ୍ତିଙ୍କୁ  ଅଟକ ରଖି ପଚରା ଉଚରା କରୁଛି |

ରୋଗ ଭଲ ପାଇଁ ମେଡିକାଲ ଯାଇଥିଲେ, ଶବ ହୋଇ ଫେରିଲେ

ନୟାଗଡ଼: ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ନୟାଗଡ଼ରେ ଥିବା କୁମାର ହସ୍ପିଟାଲ ବିରୋଧରେ ଏହି ଅଭିଯ଼ୋଗ ଆସିଛି । ଚାହାଳି ଗାଁର ନିରଞ୍ଜନ ବେହେରା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅପରେସନ ସମୟରେ ନିରଞ୍ଜନଙ୍କୁ ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି ।ଇଞ୍ଜେକ୍ସନ ନେବା ପରେ ନିରଞ୍ଜନଙ୍କ ପାଟି ବନ୍ଦ ହୋଇଯାଇଥିଲା । କୁମାର ହସ୍ପିଟାଲ କର୍ତ୍ତୃପକ୍ଷ ଭୁଲ୍‌ ଜାଣିପାରି ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ । ସେଠାରେ ନିରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

ଆଜି ସକାଳେ ପରିବାର ଲୋକ ନୟାଗଡ଼ କୁମାର ହସ୍ପିଟାଲ ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ । ତେବେ ଏନେଇ କୁମାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।

ପୁରୀ: ପଥୁରିଆ ସାହିରେ ହତ୍ୟାକାଣ୍ଡ । ମୃତକ ହେଲେ ନାରାୟଣ ମହାରଣା । ସନ୍ଦେହରେ ଭଡ଼ାଟିଆ । ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା ।

ପୁରୀ: ପଥୁରିଆ ସାହିରେ ହତ୍ୟାକାଣ୍ଡ । ମୃତକ ହେଲେ ନାରାୟଣ ମହାରଣା । ସନ୍ଦେହରେ ଭଡ଼ାଟିଆ । ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା ।

ବିଜେଡିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ, ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ଓଡ଼ିଶା ମୋ ପରିବାର ପ୍ରଥମ ଆନୁଷ୍ଠାନିକ ବୈଠକ ନବୀନ ନିବାସରେ ବସିଥିଲା। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସେବା କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟତଃ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଦିଗରେ ଅଣ-ରାଜନୈତିକ ଫୋରମ୍‌ ଭାବେ କାମ କରିବେ କମିଟିର ସଦସ୍ୟ।

ଗତ ବର୍ଷର ପଦଯାତ୍ରାରେ ବିଜେଡ଼ିର ସାମାଜିକ ସେବା ଓ୍ବିଙ୍ଗ ଗଠନ ସଂପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୁପ ପଟ୍ଟନାୟକଙ୍କ ଆବାହକତ୍ୱରେ ଆରମ୍ଭ ହୋଇଥିବା ଓଡ଼ିଶା ମୋ ପରିବାରର ଫୋକସରେ ରହିବ ସେବା । ଏଥିରେ ଏକ ଲକ୍ଷ ଲୋକ ସେବା ପ୍ରଦାନ ଦିଗରେ କାମ କରିବେ ବୋଲି ଏହାର ପ୍ରଥମ ବୈଠକରେ ଆଲୋଚନା ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ କାମ କରିବ ‘ଓଡ଼ିଶା ମୋ ପରିବାର’ ।

ଓଡ଼ିଶା ମୋ ପରିବାରର ତିନୋଟି କମିଟି ଉପରେ ନଜର ପକାଇବା:

ପରିବେଶ- ସାଂସଦ ପିନାକୀ ମିଶ୍ର ନେବେ ନେତୃତ୍ୱ । ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା, ଜଳଶୟର ପୁନରୁଦ୍ଧାର କରାଯିବ। ଦେଶରେ ପ୍ଲାଷ୍ଟିକମୁକ୍ତ ଅଭିଯାନରେ ଓଡ଼ିଶା ପରେ ମହାରାଷ୍ଟ୍ର କାମ କରିଛି। ସେହିପରି ଜାତୀୟ ଫରେଷ୍ଟ ରିପୋର୍ଟରେ ଓଡ଼ିଶା ଅଧିକ ଗଛ ଲଗାଇଥିବା ଉଲ୍ଲେଖ ରହିଛି। ଏହାକୁ ଆହୁରି ଆଗକୁ ନେବ ପରିବେଶ କମିଟି।

ସ୍ୱାସ୍ଥ୍ୟ- ବିଧାୟକ ଅତନୁ ସବ୍ୟସାଚୀ ନାୟକ ନେବେ ନେତୃତ୍ୱ । ଜୀବନ ବିନ୍ଦୁ ଜରିଆରେ ରକ୍ତଦାନ ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ରହିବ ମୁଖ୍ୟ କାର୍ଯ୍ୟ ।

ପ୍ରବାସୀ ଓଡ଼ିଆ- ସାଂସଦ ଚନ୍ଦ୍ରଶେଖର ସାହୁ ନେବେ ନେତୃତ୍ୱ । ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଓ ଦାଦାନ ଖଟିବାକୁ ଯାଇଥିବା ଓଡ଼ିଆଙ୍କ ଡାଟାବେସ୍‌ କରାଯିବ। ସେମାନଙ୍କ ଅସୁବିଧା ନିରାକରଣ ସହ ପ୍ରବାସୀ ଓଡ଼ିଆଙ୍କ ସହ ଓଡ଼ିଶାର ଅଧିକ ସଂପର୍କ ଗଢିବା ରହିବ କମିଟିର ଲକ୍ଷ୍ୟ।

ସାରା ଭାରତରେ ଓଡ଼ିଶା ମୋ ପରିବାର ପରି କାର୍ଯ୍ୟରତ ଅନୁଷ୍ଠାନମାନଙ୍କ ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ଏହି ସେବା ଅଭିଯାନରେ ସାମିଲ କରାଯିବାର ପ୍ରସ୍ତାବ ରହିଛି ।