ଲକ୍ଡାଉନ୍ ବେଳେ ଦର ନିୟନ୍ତ୍ରଣ ଚ୍ୟାଲେଞ୍ଜ । ଏସେନ୍ସିଆଲ୍ କମୋଡିଟିଜ୍ ଆକ୍ଟ ଲାଗୁ ପାଇଁ ରାଜ୍ୟଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ପରାମର୍ଶ । ସେପଟେ ଖାଉଟିଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱସ୍ତି, ମହଜୁଦ ଅଛି ଅତ୍ୟାବଶ୍ୟକ ସାମଗ୍ରୀ ।
ଧୈର୍ଯ୍ୟ ସହ କରୋନା ମୁକାବିଲା କରୁଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧୈର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଭଳି ସଙ୍କଟ ପୂର୍ଣ୍ଣ ସମୟରେ ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ଯେ, ସମସ୍ତେ ନିଜ ନିଜ ଅଞ୍ଚଳର ଜଣେବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦେବେ ନାହିଁ । ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ଲୋକଙ୍କ ପାଖରେ ଛିଡ଼ା ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ସହ ଏଭଳି ଏକ ଆପାତ୍ତକାଳୀନ ସ୍ଥିତିରେ ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଘୋଷଣା କରାଯାଉଥିବା ଗାଇଡ଼ ଲାଇନକୁ ଅନୁପାଳନ କରାନ୍ତୁ । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚୟ ପିନ୍ଧିବାକୁ ଆହ୍ନାନ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅପିଲ୍କୁ ଗ୍ରହଣ କରିବା ସହିତ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ନିବେଦନ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।
ସମସ୍ତ ନିର୍ବାଚିତ ପ୍ରତିନିଧି(ଏମପି, ଏମଏଲଏ), ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି ବ୍ଲକ ଚେୟାରମେନ ତଥା ସମସ୍ତ ନିର୍ବାଚିତ ପ୍ରତିନିଧି ତଥା ବିଜୁ ଜନତା ଦଳର ଅଗଣିତ କର୍ମୀ ମାନଙ୍କୁ ନିବେଦନ ସେମାନେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ରକ୍ତ ଅଭାବକୁ ମୁକାବିଲା କରିବା ଏବଂ ଏହି ଘଡିସନ୍ଧି ସମୟରେ ଆମେ ଆମର ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହିତ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ ଏହାକୁ ଆହ୍ଵାନ ଭାବରେ ଗ୍ରହଣ କରିବା ପାଇଁ ନିବେଦନ କରୁଛନ୍ତି ସଞ୍ଜୟ ଦାସବର୍ମା ।
ବ୍ରାଜିଲ ରାଷ୍ଟ୍ରପତି କହିଲେ ସଞ୍ଜୀବନୀ ଆଣିଦେଲା ଭାରତ
ନୂଆଦିଲ୍ଲୀ: ବିଶ୍ୱରେ ବଢିବାରେ ଲାଗିଛି କରୋନା ସଙ୍କଟ । ଦେଶ ଦେଶ ପରସ୍ପରକୁ ସହାୟତାର ହାତ ବଢାଉଛନ୍ତି । ଏହା ଭିତରେ ଭାରତ ଅଧିକ ପ୍ରଭାବିତ ଦେଶମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା କରୁଛି । ଆମେରିକା ପରେ ବ୍ରାଜିଲ ମଧ୍ୟ ଏହି ସାହାଯ୍ୟ ପାଇଁ ଭାରତକୁ ଧନ୍ୟବାଦ ଦେଇଛି । ବ୍ରାଜିଲର ରାଷ୍ଟ୍ରପତି ଜେର ବୋଲସନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଏହି ସହାୟତାକୁ ସେ ହନୁମାନ ଆଣିଥିବା ସଞ୍ଜୀବନୀ ବୁଟି ସହ ତୁଳନା କରିଛନ୍ତି ।

ଏପ୍ରିଲ ୭ରେ ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ଭୁତାଣୁ ପ୍ରସଙ୍ଗରେ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ଭାରତ-ବ୍ରାଜିଲ ବନ୍ଧୁତା ବିଷୟରେ କହିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଭାରତ ବ୍ରାଜିଲକୁ ସେହିପରି ସାହାଯ୍ୟ କରିଛି, ଯେମିତି ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ହନୁମାନ ସଞ୍ଜୀବନୀ ଆଣି ଦେଇଥିଲେ ଠିକ୍ ସେମିତି ବ୍ରାଜିଲର ଏହି ବିପଦ ସମୟରେ ମୋଦି କରିଛନ୍ତି ।

ସୂଚନା ଅନୁଯାଇ, ବ୍ରାଜିଲର ଏହି ପ୍ରଶଂସାର କାରଣ ହେଉଛି ଭାରତ ଦ୍ୱାରା ଦିଆଯାଇଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ । ମଙ୍ଗଳବାର ଦିନ ଭାରତ କହିଥିଲା ଯେ, ଯେଉଁ ଦେଶରେ ଲୋକମାନେ ଅଧିକ କରୋନାରେ ଆକ୍ରାନ୍ତ ହେଉଛନ୍ତି ଏବଂ ଯେଉଁ ଦେଶ ଗୁଡ଼ିକ ଏହି ଔଷଧ ଅଧିକ ଦରକାର କରୁଛନ୍ତି ସେହି ଦେଶମାନଙ୍କୁ ନିଶ୍ଚିନ୍ତ ଔଷଧ ଦିଆଯିବ ।

ବ୍ରାଜିଲର ରାଷ୍ଟ୍ରପତି ତାଙ୍କ ଚିଠିରେ ଲେଖିଛନ୍ତି ଯେ, ତାଙ୍କ ଦେଶରେ ଦୁଇଟି ଲ୍ୟାବ ଅଛି ଯିଏ କି କରୋନା ଟିକା ପ୍ରସ୍ତୁତ କରୁଛି, କିନ୍ତୁ ସେମାନଙ୍କର ଯୋଗାଣ ସମ୍ପୂର୍ଣ୍ଣ ଭାରତ ଉପରେ ନିର୍ଭର କରୁଛି, ତେଣୁ ସହାୟତା ପାଇଁ ଭାରତରୁ ଆଶା ରହିଛି ।
ଏହି ପ୍ରସଙ୍ଗରେ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ସାମ୍ନାକୁ ଆସିଥିଲା । ଯେଉଁଠାରେ ସେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଯୋଗାଣ ପାଇଁ ଭାରତର ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ପିଏମ ମୋଦୀ ବହୁତ ଭଲ, ସେ ବହୁତ ଭଲ କାମ କରୁଛନ୍ତି।
ଲକ୍ ଡାଉନ୍ ଡ୍ୟୁଟି : ଝିଅକୁ ଜନ୍ମ ଦେଲେ ପତ୍ନୀ, କିନ୍ତୁ ଘରକୁ ଯାଇ ପାରୁନାହାନ୍ତି ପତି !
ଭରୋଦରା: ଜଣେ ପୋଲିସ କର୍ମଚାରୀ ନିଜ କର୍ତ୍ତବ୍ୟନିଷ୍ଠର ଉଦାହରଣ ଦେଖାଇଛନ୍ତି | ଗୋଟେପଟେ ପତ୍ନୀ ପ୍ରସବ ପାଇଁ ୩ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟପଟେ ପୋଲିସ କର୍ମଚାରୀ ଜଣଙ୍କ ଏହି ଘଡିସନ୍ଧି ମୁହୂର୍ତ୍ତରେ ଡ୍ୟୁଟିରେ ନିଜର କର୍ତ୍ତବ୍ୟ କରୁଥିବା ଦେଖିବାକୁ ମିଳିଛି ।
ସେ କହିଛନ୍ତି ଯେ, ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସ୍ତ୍ରୀ ହସ୍ପିଟାଲରେ ପ୍ରସବ ପୀଡ଼ା ରେ ଥିବା ବେଳେ ପ୍ରଥମେ ଦେଶ ସେବା ବୋଲି କର୍ମଚାରୀ ଜଣଙ୍କ କହିଛନ୍ତି। ଦେଶକୁ ମୋର ଆବଶ୍ୟକତା ରହିଛି। ଏହି ସମୟରେ ପରିବାର ଅପେକ୍ଷା ମୋର କର୍ତ୍ତବ୍ୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଗୋରୱା ପୋଲିସ ଷ୍ଟେସନରେ କାର୍ଯ୍ୟରତ ପୋଲିସ ହିତେଶ ଭେଲାସିଭାଇ ମେଟାଲିଆଙ୍କ ପତ୍ନୀ ଜୋଶନା ବେନଙ୍କୁ ଗତ ୩ ଦିନ ଧରି ସୁରେନ୍ଦ୍ରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ହିତେଶ ଦ୍ୟୁଟିରେ ନିଯୋଗ ଥିବାରୁ ସେ ତାଙ୍କ ପତ୍ନୀଙ୍କ ନିକଟକୁ ଯାଇପାରିନଥିଲେ। ଯେତେବେଳେ ଶିଶୁ କନ୍ୟାଟି ଜନ୍ମ ହେଲା, ସେ ମୋବାଇଲରେ ଝିଅର ଚିତ୍ର ଦେଖିଥିଲେ।

ହିତେଶ ଭୋଇ ମେଟାଲିଆ କହିଛନ୍ତି ଯେ, ଲକ୍ଷ୍ମୀ ଆମ ଘରକୁ ଆସିଛନ୍ତି। ମୁଁ ବହୁତ ଖୁସି କିନ୍ତୁ ବର୍ତ୍ତମାନ ଦେଶ ମୋତେ ଆବଶ୍ୟକ କରୁଛି। ପରିସ୍ଥିତି ଏପରି ଯେ ଏହି ସମୟରେ ମୋ କର୍ତ୍ତବ୍ୟ ମୋ ପାଇଁ ସବୁଠୁ ଜରୁରୀ। ସେଥିପାଇଁ ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି।
ଭଲ ଖବର : ଭାରତର ଏହି କମ୍ପାନୀ କରୋନା ଭୂତାଣୁ ଆଣ୍ଟିବଡି କିଟ୍ କରିଛି ପ୍ରସ୍ତୁତ,ଗେମ୍ ଚେଂଜର ସାବ୍ୟସ୍ତ ହୋଇପାରେ
ସମଗ୍ର ବିଶ୍ୱ କରୋନା ସଙ୍କଟ ସହ ମୁକାବିଲା କରୁଛି। ଏହି ମହାମାରୀ ଯୋଗୁଁ ଅସଂଖ୍ୟ ଲୋକେ ପ୍ରଭାବିତ ହୋଇଛନ୍ତି । ଏଥି ସହିତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ବିକଶିତ ଦେଶ ଗୁଡିକ ମଧ୍ୟ ଏହି ଭାଇରସର ଶିକାର ହୋଇଛନ୍ତି। ଭାରତରେ ଏହି ଭୂତାଣୁ କାୟା ବିସ୍ତାର କରୁଛି । ତେବେ ଏଭଳି ପରିସ୍ଥିତିରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। HLL ଲାଇଫ୍ କେୟାର ଲିମିଟେଡ୍ କରୋନାଭାଇରସ୍ ପାଇଁ ଏକ ଆଣ୍ଟିବଡି କିଟ୍ ପ୍ରସ୍ତୁତ କରିଛି ଯାହା କରୋନା ଭୂତାଣୁ ସହ ଲଢିବାରେ ସାହାଯ୍ୟ କରିବ ।

ଏହି କିଟ୍ କୁ NIV ତରଫରୁ ମଧ୍ୟ ଗ୍ରୀନ ସିଗନାଲ ମିଳିଛି । ଗଣମାଧ୍ୟମ ଅନୁଯାୟୀ ଏହି କିଟ୍ ବ୍ୟବହାର କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହି କିଟ୍ ସାହାଯ୍ୟରେ ରୋଗୀର ସେରମ୍, ପ୍ଲାଜମା ଏବଂ ରକ୍ତକୁ ନେଇ ଆଣ୍ଟିବଡି ଜାଞ୍ଚ କରାଯିବ। HLL ଲାଇଫ୍ କେୟାର ଲିମିଟେଡ୍ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରେ ।

ଆଣ୍ଟିବଡି ରକ୍ତ ପରୀକ୍ଷା କିଟରେ ସାଧାରଣତଃ ରୋଗୀର ବ୍ଲଡ ସାମ୍ପଲ ନିଆଯାଏ । ଏହି ଟେଷ୍ଟରେ ରୋଗୀର ରକ୍ତ ପରୀକ୍ଷାର ଫଳାଫଳ ୧୫ ରୁ ୨୦ ମିନିଟ ମଧ୍ୟରେ ଆସେ । ଏହା ମାଧ୍ୟମରେ ଜଣା ପଡିବ ଯେ, କରୋନା ଭୂତାଣୁ ସହିତ ଲଢିବା ପାଇଁ ସନ୍ଦିଗ୍ଧଙ୍କ ରକ୍ତରେ ଆଣ୍ଟିବଡି କାମ କରୁଛି ନା ନାହିଁ । ଯେଉଁ ଲୋକଙ୍କର କରୋନା ଭାଇରସ ଲକ୍ଷଣ ଆରମ୍ଭ ହୋଇଥାଏ ଏହି ଟେଷ୍ଟ ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ । ଅବଶ୍ୟ, ରାପିଡ୍ ଆଣ୍ଟିବଡି ବ୍ଲଡ୍ ଟେଷ୍ଟ କିଟ୍ ଦ୍ୱାରା କରୋନା ଭାଇରସ୍ ସଂକ୍ରମିତ ହୋଇଛି ନା ନାହିଁ ତାହା ଜଣା ପଡିବ ନାହିଁ । କିନ୍ତୁ ଏହି ଟେଷ୍ଟ ସାହାଯ୍ୟରେ କେଉଁ ଅଞ୍ଚଳରେ କରୋନା ମାମଲା ଅଧିକ ଗତି କରୁଛି ତାହା ଜଣାପଡିବ ।

ଯଦି ରୋଗୀରର ରାପିଡ ଆଣ୍ଟିବଡି ରକ୍ତ ପରୀକ୍ଷା ନେଗେଟିଭ ଆସେ , ତାହେଲେ ଏହାକୁ RT-PCR ଟେଷ୍ଟ କରାଯାଏ । ଯଦି RT-PCR ର ଫଳାଫଳ ପଜିଟିଭ ଆସେ ତାହେଲେ ପ୍ରୋଟୋକଲ୍ ଅନୁସାରେ ରୋଗୀକୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଏ । ଏହା ସହ ସେମାନଙ୍କ ସନ୍ସପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜାଯାଏ ।
ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆତଙ୍କ ଭିତରେ ଆଜି ପ୍ରଧାନମନ୍ତ୍ରୀ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ସରକରା ନେଇଥିବା ପଦକ୍ଷେପ ବାବଦରେ ସୂଚିତ କରିଛନ୍ତି । ସେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ କରୋନା ବିରୋଧୀ ଯୁଦ୍ଧ ମିଶିକରି ଲଢିବା ପାଇଁ ଆହ୍ୱାନ ଦେଇଛନ୍ତି ।
ମୋଦି ବିରୋଧୀ ଦଳଙ୍କୁ ସରକାରଙ୍କ ପଦକ୍ଷେପ ବାବଦରେ ଜଣାଇଲେ
କରୋନା ସଂକଟ କାଳରେ ବିରୋଧୀ ଦଳଙ୍କୁ ଭରସାକୁ ନେଇ ପଦକ୍ଷେପ ନେବା ମୋଦି ସରକାରଙ୍କ ଯୋଜନା ଅଟେ । ଏହାମଧ୍ୟରେ ଖବର ମିଳୁଛି ଯେ, ଲକ୍ ଡାଉନକୁ ୧୪ ଏପ୍ରିଲରୁ ଆଗକୁ ବଢା ଯାଇପାରେ । ଦେଶର ୮ ରାଜ୍ୟ ଲକ୍ ଡାଉନକୁ ଜାରି ରଖିବା ସପକ୍ଷରେ ଅଛନ୍ତି । ଏହି ରାଜ୍ୟଙ୍କ ଭିତରେ ମହାରାଷ୍ଟ୍ର ଓ ଦିଲ୍ଲୀ ମଧ୍ୟ ରହିଛନ୍ତି ।
ବୈଠକରେ କିଏ କିଏ ସାମିଲ ଥିଲେ ?
ବୈଠକରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ବିଏସପିର ସତିଶ ମିଶ୍ର, ଟିଏମସିର ସୁଦିପ ବନ୍ଦୋପାଧ୍ୟୟ, ଏଲଜେପିର ଚିରାଗ ପାଶ୍ୱାନ ସାମିଲ ଥିଲେ । ୨୪ ମାର୍ଚ୍ଚରୁ ଲକ୍ ଡାଉନ୍ ଲାଗୁ ହେବା ପରଠାରୁ ବିରୋଧୀ ଦଳ ନେତାଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆଲୋଚନା ।
ଦେଶରେ ଏପର୍ଯ୍ୟନ୍ତ ୧୪୯ ଜଣଙ୍କ ମୃତ୍ୟୁ
ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୭୦୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଦେଶରେ ଏଯାବତ ମୋଟ ୧୪୯ ଜଣ କରୋନାରେ ପ୍ରାଣ ହରାଇଲେଣି ।
ତବଲିଗି ଜମାତ୍ର ମୁଖିଆ ମୌଲାନା ସାଦ୍ର ମିଳିଲା ଠିକଣା: କ୍ୱାରେଣ୍ଟାଇନ୍ରେ ମୌଲାନା
ନୂଆଦିଲ୍ଲୀ: ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ କରିବାରେ ପ୍ରମୁଖ କାରଣ ବୋଲି କୁହାଯାଉଥିବା ନିଜାମୁଦ୍ଦିନ ମର୍କଜ୍ର ଆମୀର ମୌଲାନା ସାଦ୍କୁ ପୋଲିସ ଠାବ କରିଛି । ଦୀର୍ଘଦିନ ହେଲା ସେ ଫେରାର ଥିଲେ । ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କୁ ଦିଲ୍ଲୀର ଜାକିରନଗରରେ ଠାବ କରାଯାଇଛି । ତେବେ ତାଙ୍କୁ ପୋଲିସ ଏବେ କିଛି ପଚାରଉଚରା କରିବ ନାହିଁ । ଜମାତ ସହ ସମ୍ପୃକ୍ତ ଲୋକମାନେ ଯେଭଳି ବହୁଳଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେହିଦୃଷ୍ଟିରୁ ମୌଲାନା ସାଦ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଆଶଙ୍କ କରାଯାଉଛି । ତେଣୁ ତାଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ନସରିବା ଯାଏଁ ତାଙ୍କୁ କୈାଣସି ପଚରାଉଚରା କରାଯିବ ନାହିଁ । ଅବଶ୍ୟ ପୋଲିସ ଏହା ମଧ୍ୟରେ ମୌଲାନାଙ୍କଠାରୁ କିଛି କାଗଜପତ୍ର ମାଗିଛି । ଏହା ମଧ୍ୟରେ ନିଜାମୁଦ୍ଦିନ ମରକଜରୁ ୬-୭ଟି ରେଜିଷ୍ଟର ଜବତ କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୫୦୦ ଅତିକ୍ରମ କରିସାରିଛି । ଏଥିରେ ମରକଜରେ ଯୋଗଦେଇଥିବା ଲୋକଙ୍କ ସଂଖ୍ୟ କେବଳ ୩୩୩ ବୋଲି ଜଣାପଡିଛି । ସେହିଭଳି ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଥିବାବେଳେ ମରକଜ ସହ ସମ୍ପୃକ୍ତ ଲୋକଙ୍କ ସଂଖ୍ୟା ୧୬୦ । ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ମରକଜ ସହ ସଂପୃକ୍ତ ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଚାଣକ୍ୟ ନୀତି: ପ୍ରକୃତ ବନ୍ଧୁଙ୍କୁ ଚିହ୍ନନ୍ତୁ,କାରଣ ଶତ୍ରୁଙ୍କଠାରୁ ବି ସାଂଘାତିକ ହୋଇଥାନ୍ତି ଏମିତି ମିତ୍ର
ମଣିଷ ଜୀବନରେ ଜଣେ ବନ୍ଧୁର ମହତ୍ୱ ବହୁତ ଅଧିକ ଥାଏ । କିନ୍ତୁ ସେହି ବନ୍ଧୁ ଯଦି କ୍ଷତି କରିବାକୁ ଚାହାନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ବିପଦଜ୍ଜନକ ହୋଇଯାନ୍ତି । ସେଥିପାଇଁ ନିଜ ପ୍ରକୃତ ବନ୍ଧୁଙ୍କୁ କେମିତି ଚିହ୍ନିବେ ସେ ସମ୍ବନ୍ଧରେ ସତର୍କ କରାଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ ।
୧- ଚାଣକ୍ୟଙ୍କ କହିବା ଅନୁସାରେ, ଯିଏ ସାମ୍ନାରେ ପ୍ରଶଂସା କରେ ଏବଂ ପଛରେ ଖରାପ କୁହେ ସେମାନେ ବନ୍ଧୁ ହେବା ଯୋଗ୍ୟ ନୁହେଁ । ଏଭଳି ଲୋକେ ସାମ୍ନାରେ ମଧୁର କଥା କୁହନ୍ତି ଓ ଅନ୍ୟଜଣଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଭଳି ବନ୍ଧୁମାନେ ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି । ଶତ୍ରୁ ଅପେକ୍ଷା ଅଧିକ ବିପଦଜ୍ଜନକ ହୋଇଥାନ୍ତି ଏହିଭଳି ମିତ୍ର ।
୨- ବନ୍ଧୁମାନଙ୍କୁ ବିଶ୍ୱାସ କରି ନିଜର ବ୍ୟକ୍ତିଗତ ଜିନିଷ ବିଷୟରେ ଆଲୋଚନା କରିବା ଅନୁଚିତ୍ । କାରଣ ଯେତେବେଳେ ସମ୍ପର୍କରେ କୌଣସି ଅସୁବିଧା ହୁଏ, ସେତେବେଳେ ଏଭଳି ବନ୍ଧୁମାନେ ସମସ୍ତଙ୍କ ସାମ୍ନାରେ ସବୁ ରହସ୍ୟ ପ୍ରକାଶ କରିଦିଅନ୍ତି ।
୩- ଚାଣକ୍ୟଙ୍କ ଅନୁସାରେ ବନ୍ଧୁମାନେ ସର୍ବଦା ସମାନ ବର୍ଗର ହେବା ଉଚିତ୍। ଏହା ଦ୍ୱାରା ସମ୍ପର୍କ ଖରାପ ହେବାର ସମ୍ଭାବନା ରହେ ନାହିଁ ।
୪- ନିସ୍ୱାର୍ଥ ଭାବେ ଯେଉଁ ମଣିଷ ସବୁବେଳେ ଆପଣଙ୍କ ସହ ଥାଏ ସିଏ ହିଁ ପ୍ରକୃତ ମିତ୍ର । ସୁଖ ହେଉ ବା ଦୁଃଖ ସବୁ ସଙ୍କଟ ସମୟରେ ଯିଏ ଆପଣଙ୍କ ସହ ଛିଡା ହୁଏ ସିଏ ହିଁ ପ୍ରକୃତ ବନ୍ଧୁ ।
୫- ବିପରୀତ ପ୍ରକୃତିର ଲୋକମାନେ କଦାପି ବନ୍ଧୁ ହୋଇପାରିବେ ନାହିଁ । ଚାଣକ୍ୟଙ୍କ ଅନୁସାରେ ସାପ ଏବଂ ନେଉଳ , ଛେଳି ଏବଂ ବାଘ, ହାତୀ ଏବଂ ପିମ୍ପୁଡ଼ି ତଥା ସିଂହ ଏବଂ କୁକୁର କଦାପି ବନ୍ଧୁ ହୋଇପାରିବେ ନାହିଁ । ତେଣୁ ସମାନ ବର୍ଗର ଲୋକଙ୍କ ମଧ୍ୟରେ ହିଁ ଭଲ ବନ୍ଧୁତା ରହିପାରିବ ।
୬- ଭଲ କିମ୍ବା ଖରାପ ହେଉ, ସାଙ୍ଗମାନଙ୍କ ପ୍ରଭାବ ମଣିଷ ଜୀବନରେ ଅଧିକ ପଡିଥାଏ । ଏଥିପାଇଁ ବନ୍ଧୁତା କରିବାବେଳେ, ଦେଖିଚାହିଁ ସାଙ୍ଗ ହେବା ଉଚିତ୍ । ମିତ୍ରଙ୍କ ପ୍ରଭାବ ସୁସଙ୍ଗତ ହେବା ଜରୁରୀ ।
୭- ସ୍ୱାର୍ଥ ପାଇଁ ବନ୍ଧୁତା ସର୍ବଦା ଶତ୍ରୁତା ସୃଷ୍ଟି କରେ । ତେଣୁ, ମିତ୍ର ଚୟନ ପୂର୍ବରୁ ପରୀକ୍ଷା କରିବା ଉଚିତ୍ ଏବଂ ଭଲ ଭାବରେ ଚିନ୍ତା କରିବା ଆବଶ୍ୟକ । କାରଣ ବନ୍ଧୁତା ନିବିଡ ହେବା ପରେ ଏହାର ପରିଣାମ ଖରାପ ହୋଇପାରେ ।
୮- ସାଙ୍ଗ ସାଥୀ ଏମିତି ହୋଇଥିବା ଜରୁରୀ ଯାହାର ସ୍ୱଭାବ ଭଲ ଥିବ ଓ ତାଙ୍କ ପ୍ରକୃତି ଆପଣଙ୍କ ସହିତ ମେଳ ଖାଉଥିବ । ସଙ୍କଟରେ, ଅସୁସ୍ଥତାରେ, ଏବଂ ଅସୁବିଧାରେ, ଯିଏ ସବୁବେଳେ ଥାଏ ତାଙ୍କୁ ହିଁ କୃଷ୍ଣ ଏବଂ ସୁଦାମା, କୃଷ୍ଣ ଏବଂ ଅର୍ଜୁନ କୁହାଯାଏ। ସେଥିପାଇଁ ସାଙ୍ଗସାଥୀ ସବୁବେଳେ ଦେଖିଚାହିଁ କରିବା ଜରୁରୀ ।
ଗୋଲାପୀ ଜହ୍ନ : ମଙ୍ଗଳବାର ଦୁନିଆ ଦେଖିଲା ସୁପର ମୁନ୍
ନୂଆଦିଲ୍ଲୀ: ବିଶ୍ୱ ଦେଖିଲା ବର୍ଷର ସବୁଠାରୁ ବଡ ଏବଂ ଉଜ୍ଜ୍ୱଳ ଚନ୍ଦ୍ର । ଏପ୍ରିଲ୍ ୭, ମଙ୍ଗଳବାର ରାତି ପ୍ରାୟ ୧୧.୩୦ରେ ସମଗ୍ର ବିଶ୍ୱ ଏହି ସୁପରମୁନ୍ ଦେଖିଛି । ମଙ୍ଗଳବାର ଦିନ ରାତିରେ ସୁପରମୁନ୍ ଦୁନିଆର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ଦେଖାଦେଇଛି । ଏହି ସୁପରମୁନ୍ ଏଥିପାଇଁ ବିଶେଷ କାରଣ ତାହାର ରଙ୍ଗ ଗୋଲାପୀ ଏବଂ ସବୁଦିନଆ ଆକାର ଠାରୁ ସେହି ଦିନର ଚନ୍ଦ୍ର ଆକାର ଟିକେ ବଡ଼ ରହିଥାଏ । ଏହି ସୁପରମୁନକୁ ସୁପର ଗୋଲାପୀ ମୁନ୍ ମଧ୍ୟ କୁହାଯାଇଥାଏ । ତେବେ ଜଦି ଆପଣ ଏହି ସୁପର ମୁନ ଦେଖି ପାରିନାହାନ୍ତି ଆମେ ଆପଣଙ୍କୁ ଏହାର ଏକ ଛୋଟ ଝଲକ୍ ଦେଖାଇପାରିବୁ । ଆସନ୍ତୁ ଦେଖିବା ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଏହି ସୁପରମୁନର କିଛି ଆକର୍ଷଣୀୟ ଚିତ୍ର ।

ସୁପରମୁନର ଏହି ଝଲକ ନୂଆଦିଲ୍ଲୀର ଇଣ୍ଡିଆ ଗେଟ ପାଖର ।

ଲକଡାଉନ କାରଣରୁ ଘରେ ରହି ଲୋକେ ଏହି ସୁପରମୁନ୍ ଆକର୍ଷଣୀୟ ଚିତ୍ର ନିଜ ଛାତ ଏବଂ ଝରକା ପାଖରେ ଦେଖିଥିଲେ ।

ଏହି ଚିତ୍ର ମଧ୍ୟ ରାଜଧାନୀ ଦିଲ୍ଲୀ ଯେତେବେଳେ ଏହି ସୁପରମୁନ ତାର ସମ୍ପୂର୍ଣ୍ଣ ଆକାରରେ ଥିଲା ।

ସୁପରମୁନର ଏହି ଚିତ୍ର ଗୁରୁଗ୍ରାମର ଏକ ମନ୍ଦିର ଉପରର ।

ବର୍ଷର ସବୁଠୁ ଆକର୍ଷଣୀୟ ସୁପରମୁନ୍ ଚିତ୍ର ପଞ୍ଜାବର ଲୁଧିଆନାରୁ ଆସିଛି ।

ଦୁବାଇରେ ଥିବା ଦୁନିଆର ସବୁଠୁ ଉଚ୍ଚ କୋଠା ବୁର୍ଜ ଖଲିଫା ସାମ୍ନାର ସୁପରମୁନ୍ର ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜର୍ମାନୀର ବ୍ରାଣ୍ଡେନବର୍ଗ ଗେଟ୍ ପଛରୁ ନିଆଯାଇଥିବା ସୁପରମୁନ୍ ଚିତ୍ରର ଏହି ଦୃଶ୍ୟ ବହୁତ ଆକର୍ଷଣୀୟ ।

ସୁପରମୁନର ଏହି ଚିତ୍ର ନାସା ପକ୍ଷରୁ ନିଆଯାଇଛି । ତେବେ ଏହି ସୁପରମୁନର ଲାଇଭ ପ୍ରସାରଣ ମଧ୍ୟ କରିଥିଲା ।

ତେବେ ଜଦି ଆପଣ ଏହି ସୁପରମୁନ ଦେଖି ପାରି ନାହାଁନ୍ତି ତେବେ ନିରାଶ ହୁଅନ୍ତୁ ନି କାରଣ ଆସନ୍ତା ମାସ ଅର୍ଥାତ୍ ମେ ୭ରେ ମଧ୍ୟ ଆଉ ଥରେ ଏହି ସୁଲ୍ଲଭ ଦୃଶ୍ୟ ଦେଖିପାରିବେ ।
କେବେ ଦେଖାଯାଏ ସୁପରମୁନ୍ ?
ଯେତେବେଳେ ଚନ୍ଦ୍ର ଏବଂ ପୃଥିବୀ ଭିତରେ କମ୍ ଦୂରତା ରହିଥାଏ ସେହି ସମୟରେ ହିଁ ସୁପରମୁନ୍ ଆସିଥାଏ । ପୃଥିବୀ ଠାରୁ ଚନ୍ଦ୍ର ମଧ୍ୟରେ ସାମାନ୍ୟ ଦୂରତା ୩୮୪୪୦୦ କିଲୋମିଟର ରହିଥାଏ । ପ୍ରାୟତଃ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ୪୦୫୬୯୬ କିଲୋମିଟର ରହିଥାଏ କିନ୍ତୁ ସୁପରମୁନ୍ ସମୟରେ ଏହି ଦୂରତା କମି ୩୫୬୯୦୦ କିଲୋମିଟର ହୋଇଯାଇଥାଏ ।
ICUରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଗାର୍ଲଫ୍ରେଣ୍ଡଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି ଲକ୍ଷଣ
ଆଇସିୟୁରେ ଭର୍ତ୍ତି ହେଲେ କରୋନା ଆକ୍ରାନ୍ତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏଥିସହିତ ୬ ମାସର ଗର୍ଭବତୀ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ଏହା ପରେ ସେ ନିଜକୁ ଆଇସୋଲେସନ୍ରେ ରଖିଛନ୍ତି । କିନ୍ତୁ ସେ ଏଯାଏଁ ନିଜର କରୋନା ପରୀକ୍ଷା କରାଇନାହାନ୍ତି ।

ତେବେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ ହେଉଥିବାରୁ ଅସୁସ୍ଥ ବିଟ୍ରେନ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବାକୁ ଯାଇପାରିନାହାନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ସିମଣ୍ଡସ୍ ।

ପ୍ରଧାନମନ୍ତ୍ରୀ ପଜିଟିଭ୍ ଆସିବା ପରେ ନିଜକୁ ଆଇସୋଲେସନ୍ରେ ରଖିଛନ୍ତି ସିମଣ୍ଡସ୍ । ପ୍ରଧାନମନ୍ତ୍ରୀ ଜନସନ୍ ବୟସ ୫୫ ବର୍ଷ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ବୟସ ୩୨ ବର୍ଷ । ଥମାସ୍ ହସ୍ପିଟାଲରେ ଜନସନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଅକ୍ସିଜନ୍ର ଆବଶ୍ୟକତା ଥିବା କୁହାଯାଉଛି ।
ଅପରପକ୍ଷରେ ୪ ଏପ୍ରିଲରେ ସିମଣ୍ଡସ୍ ଟ୍ୱିଟ୍ କରିକହିଥିଲେ ଯେ, ସେ ଗତ ସପ୍ତାହେ ହେଲା ବେଡ୍ରେ ରହିଛନ୍ତି । ତାଙ୍କ ଠାରେ କରୋନାର କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ୭ ଦିନ ପରେ ସେ ନିଜକୁ ସୁସ୍ଥ ଅନୁଭବ କରିବାରୁ ସେ ଆଉ ଟେଷ୍ଟ କରାଇନାହାନ୍ତି । ଗର୍ଭବତୀ ଥିବା ମହିଳାଙ୍କ କରୋନା ଆକ୍ରାନ୍ତ ହେବା ଚିନ୍ତା ଜନକ ବିଷୟ ।

ଏଣୁ ସେ କରୋନା ଆକ୍ରାନ୍ତ ମହିଳାଙ୍କ ପାଇଁ କିଛି ଟିପ୍ସ ମଧ୍ୟ ସେୟାର କରିଛନ୍ତି । ସିମଣ୍ଡସ୍ ଏବଂ ଜନସନ୍ ଫେବ୍ରୁଆରୀରେ ନିର୍ବନ୍ଧ କରିଥିବା ନେଇ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜକୁ ଆଇସୋଲେସନ୍ରେ ରଖିଥିଲେ । କିନ୍ତୁ ପରେ ତାଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

