spot_img
Home Blog Page 740

ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ୍ ; ନଦୀକୁ ଖସିଲା ଦୁଇଟି ଟ୍ରକ

ନନ୍ଦିଘୋଷ ବ୍ୟୁରୋ : ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ। ଆସାମରୁ ମେଘାଳୟକୁ ସଂଯୋଗ କରୁଥିବା ହରଙ୍ଗ ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିଛି। ପୋଲ ଉପରୁ ନଦୀକୁ ଖସିଲା ଦୁଇଟି ଟ୍ରକ। ଆସାମର କଚାର ଜିଲ୍ଲାରେ ମରାମତି ପରେ ଖୋଲିଥିବା ହାରଙ୍ଗ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ସାମଗ୍ରୀ ନେଇ ଯାଉଥିବା ଦୁଇଟି ଟ୍ରକ୍ ନଦୀରେ ଖସି ପଡ଼ିଛି। ଏଥିରେ ଡ୍ରାଇଭରମାନେ ଆହତ ହୋଇଛନ୍ତି। ଟ୍ରକଗୁଡ଼ିକରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସାମଗ୍ରୀ ଥିଲା। ଅଧିକାରୀମାନେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପୋଲଟି ସିଲଚର-କାଲେନ ରାସ୍ତାରେ ନିର୍ମିତ ହୋଇଥିଲା। ପୋଲଟି ବହୁତ ପୁରୁଣା ଥିଲା ଏବଂ ମରାମତି କରାଯାଇଥିଲା। ମରାମତି ପରେ, ପ୍ରାୟ ଦୁଇ ବର୍ଷ ପରେ ଏହାକୁ ଖୋଲାଯାଇଥିଲା।ନିର୍ଦ୍ଧାରିତ ସୀମାଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଉପରେ ନଜର ରଖିବା ପାଇଁ ଚାରୋଟି ଯାଞ୍ଚ ପଏଣ୍ଟ ସ୍ଥାପନ କରାଯାଇଥିଲା। ଭୁଲ କେଉଁଠାରେ ହୋଇଛି ତାହା ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନଦୀରେ ଡଙ୍ଗା ବ୍ୟବସ୍ଥା କରାଯାଇଛି।ବିଶେଷକରି ସ୍କୁଲ ଯାଉଥିବା ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେତୁ ମରାମତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିଲା। ଏହି କାରଣରୁ ସେତୁ ଭୁଶୁଡିେ ପଡ଼ିଛି।

ପାଣିରୁ ବ୍ୟାପିଛି ଡାଇରିଆ; ସ୍ବାସ୍ଥ୍ୟ ବିଭାଗକୁ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍

ନନ୍ଦିଘୋଷ ବ୍ୟୁରୋ : ପାଣିରୁ ବ୍ୟାପିଛି ଡାଇରିଆ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ସ୍ପଷ୍ଟ କରିଛି କେନ୍ଦ୍ରୀୟ ଟିମ୍। ଡାଇରିଆରେ ସରକାରୀ ଭାବେ ୧୦ ଜଣଙ୍କର ହୋଇଛି ମୃତ୍ୟୁ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ସଚିବ। ସମସ୍ତ ଜଳ ଉତ୍ସର ବିଶୋଧନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ୍। କାର୍ଯରେ ଅବହେଳା ପାଇଁ ଯାଜପୁର ଜିଲ୍ଲା ବଡ଼ଚଣାର ଡାକ୍ତର ହେମନ୍ତ କୁମାର ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ପ୍ରତି ୩ ଦିନରେ ବିଶୋଧନକୁ ତ୍ବରାନ୍ବିତ କରାଯିବ। ରୋଗୀଙ୍କ କେଶ ହିଷ୍ଟରିକୁ ଯାଞ୍ଚ କରାଯିବ। ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗ ସହ ବୈଠକ ହୋଇଛି। ଡାଇରିଆକୁ ନେଇ ବ୍ୟାପକ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ। ପଞ୍ଚାୟତିରାଜ ବିଭାଗର RWSSର କର୍ମଚାରୀ ମାନେ ଜଳ ଉତ୍ସକୁ ବୁଲି ଦେଖିବେ। ଡାଇରିଆ ସଚେତନତା କ୍ୟାମ୍ପେନରେ ଯୋଗଦେବେ ମିଶନ ଶକ୍ତି ମହିଳା।

ଆସନ୍ତାକାଲି ଠାରୁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକକୁ ଗସ୍ତ କରିବେ କେନ୍ଦ୍ରୀୟ ଟିମ୍ ସହ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍। ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର ଟିମ | ଏହି ଟିମର ଆବାହକ ରହିବେ CDMO। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତର୍ଜମା କରାଯିବ ଏବଂ ତାପର ଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସେହିପରି ଏସସିବିକୁ ବାହାରୁ ରୋଗୀ ଆସୁଥିବାରୁ ଫୋକସରେ ରହିଛି କଟକ ଜିଲ୍ଲା। ୧୦୦ଟି ସାମ୍ପୁଲରୁ ୧୬ଟିରେ କଲେରା ପଜିଟିଭ ଚିହ୍ନଟ ହୋଇଛି। ଯାଜପୁରରେ ସୀମିତ ରହିଛି କଲେରା। ସେହିପରି ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲରେ ବିଶୋଧନ ହେବ ପାଣି। ହଷ୍ଟେଲ ଓ ସ୍କୁଲରେ ସଫା ହେବ ପାଣି ଟାଙ୍କି। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ ହେବ। ଏହାସହ ପିଲାଙ୍କ ହାତ ଧୂଆ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।

ଇସ୍ରାଏଲ-ଇରାନ ଯୁଦ୍ଧ ସ୍ଥିତିରେ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ-ଇରାନ ଯୁଦ୍ଧ ସ୍ଥିତିରେ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ଇରାନ ପଡୋଶୀ ରାଷ୍ଟ୍ର ଆର୍ମେନିଆ ଦେଇ ଫେରୁଛନ୍ତି ଛାତ୍ର। ଖୁବଶୀଘ୍ର ଦିଲ୍ଲୀ ଫେରିବେ ୯୦ ଜଣ ଭାରତୀୟ ଛାତ୍ରଛାତ୍ରୀ। ସମସ୍ତେ କାଶ୍ମୀର ଅଂଚଳର ବୋଲି ଜଣାପଡିଛି।ଇରାନ-ଇସ୍ରାଏଲ ଯୁଦ୍ଧରେ ଫସିଛନ୍ତି ପ୍ରାୟ ୧୨ ହଜାର ଭାରତୀୟ ଛାତ୍ର। ଆର୍ମେନିଆ ଦେଇ ବାହାର କରିବା ଅଭିଯାନ ଆରମ୍ଭ ହୋଇଛି।ଗତ ସୋମବାର ରାତିରେ ୧୧୦ ଭାରତୀୟ ଛାତ୍ରଙ୍କ ପ୍ରଥମ ଦଳ ନୋରୁଡଜ୍ ସୀମାରେ ପହଞ୍ଚିଥିଲେ। ଆର୍ମେନିଆର ୟେରେଭାନ୍ ବିମାନବନ୍ଦର ଦେଇ ସେମାନେ ଭାରତ ଫେରୁଛନ୍ତି। ତେହେରାନ, ଶିରାଜ୍ ଏବଂ କୋମ୍ ସହରରେ ଫସି ରହିଥିବା ୧୫ଶହ ଛାତ୍ରଙ୍କୁ ଫେରାଇ ଅଣାଯିବ। ବିଦେଶୀ ନାଗରିକ ଦେଶ ଛାଡିପାରିବେ ବୋଲି ଅନୁମତି ଦେଇଛି ଇରାନ।

ଇରାନରେ ପଢ଼ୁଥିବା ୧୨୦୦ କାଶ୍ମୀର ଛାତ୍ର ଭୟରେ ଅଛନ୍ତି। କାହାରିକୁ ହଷ୍ଟେଲ ବାହାରକୁ ଛଡାଯାଉନାହିଁ।ସନ୍ଧ୍ୟା ହେବା ମାତ୍ରେ ବିଦ୍ୟୁତ୍ କାଟ କରାଯାଉଛି। କରମାନ ବିଶ୍ୱବିଦ୍ୟାଳୟର ପରୀକ୍ଷା ୧୭ ଜୁନରେ ଶେଷ ହେବାର ଥିଲା। କିନ୍ତୁ ଏବେ ସେଗୁଡ଼ିକୁ ବାତିଲ କରିଦିଆଯାଇଛି। ବିଶ୍ୱବିଦ୍ୟାଳୟକୁ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଛାତ୍ରମାନଙ୍କୁ ଘରକୁ ଫେରିବାକୁ କୁହାଯାଇଛି। ତେହେରାନର ହୁଜାତ ଅଲି ହଷ୍ଟେଲରେ ପ୍ରାୟ ୫୦ ପ୍ରତିଶତ ଛାତ୍ର କାଶ୍ମୀରୀ। ଜୁନ୍ ୧୫ରେ ହଷ୍ଟେଲ ଉପରେ ହୋଇଥିବା ଆକ୍ରମଣରେ ୩ ଜଣ କାଶ୍ମୀରୀ ଆହତ ହୋଇଥିଲେ। ସେପଟେ ଇସ୍ରାଏଲରେ ଫସି ରହିଥିବା ୨୫ ହଜାର ଭାରତୀୟଙ୍କୁ ବାହାର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଯୋଜନା ହୋଇନାହିଁ। ଭାରତୀୟ ଦୂତାବାସ ତେଲ ଅଭିଭରେ ରହୁଥିବା ଭାରତୀୟଙ୍କ ସହିତ ଯୋଗାଯୋଗରେ ଅଛି।

ଆମେ କିଛି ପାପ କରିନୁ…; ନାର୍କୋ ଟେଷ୍ଟ କଥା ଶୁଣି ତାତିଲେ ସୋନମଙ୍କ ଭାଇ

ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ମୃତକଙ୍କ ପରିବାର ତରଫରୁ ନାର୍କୋ ଟେଷ୍ଟ ପାଇଁ ଦାବି କରାଯାଇଛି । ଏହାକୁ ନେଇ ମୁଖ୍ୟ ଆରୋପୀ ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜାଙ୍କ ପରିବାର ହତ୍ୟା ଘଟରାର ସମ୍ପୂର୍ଣ୍ଣ ସତ୍ୟର ପର୍ଦ୍ଦାଫାସ କରିବା ପାଇଁ ସୋନମଙ୍କ ବାପ,ମାଆ ଓ ଭାଇ ଗୋବିନ୍ଦ ଏବଂ ଭଉଣୀଙ୍କ ସମେତ ସମସ୍ତ ସଦ୍ୟଙ୍କ ନାର୍କୋ ଟେଷ୍ଟ ପାଇଁ ଦାବି କରିଛନ୍ତି । ଏହାକ ନେଇ ଗୋବିନ୍ଦ କହିଛନ୍ତି ଯେ, ଆମେ କୌଣସି ପାପ କରିନାହୁଁ । ଯଦି ଆମକୁ କେହି ସନ୍ଦେ କରନ୍ତି, ତେବେ ଆମେ ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ।

ରାଜା ରଘୁବଂଶୀଙ୍କ ପରିବାର ସନ୍ଦେହ କରୁଛନ୍ତି ଯେ, ସୋନମଙ୍କ କାରଖାନା କର୍ମଚାରୀ ରାଜ କୁଶଓ୍ୱାହା ଏହି ହତ୍ୟାକାଣ୍ଡର ଏକମାତ୍ର ମାଷ୍ଟରମାଇଣ୍ଡ ନୁହଁନ୍ତି, ତା ସହ ଆହୁରି ଅନେକ ଲୋକ ସାମିଲ ଅଛନ୍ତି । ଅନ୍ୟପକ୍ଷରେ ମେଘାଳୟ ପୋଲିସ କହିଛନ୍ତି ଯେ, ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା କେବଳ ତ୍ରିକୋଣୀୟ ପ୍ରେମଣେ ସୀମିତ ନୁହେଁ, ବରଂ ପୋଲିସ ଅନ୍ୟ ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଛି । ବିବାହର କିଛି ଦିନ ମଧ୍ୟରେ ସ୍ୱାମୀଙ୍କ ପ୍ରତି ଏତେ ଘୃଣା ସ୍ୱାଭାବିକ ନୁହେଁ । ଆମେ ଏହି ହତ୍ୟାକାଣ୍ଡର ସମସ୍ତ ସମ୍ଭାବ୍ୟ ଦିଗକୁ ତଦନ୍ତ କରୁଛୁ । ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ଏବଂ ସମସ୍ତ ଦିଗକୁ ବିଚାରକୁ ନିଆଯାଉଛି ।

 

କେଉଁ କେସରେ ଦିଆଯାଏ ‘ରେଡ଼ ଫ୍ଲାଗ’ ଟ୍ୟାଗ୍ ? ଏହାର ତଦନ୍ତ ପ୍ରକ୍ରିୟା କ’ଣ ? ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ : କେଉଁ କେସରେ ଦିଆଯାଏ ‘ରେଡ଼ ଫ୍ଲାଗ’ ଟ୍ୟାଗ୍ ? ‘ରେଡ଼ ଫ୍ଲାଗ’ କେସରେ ଦୋଷୀ ସାବ୍ୟସ୍ତ ହାର କେତେ ?  ଅନ୍ୟ କେସ ଠାରୁ ଏହାର ତଦନ୍ତ ପ୍ରକ୍ରିୟା ଭିନ୍ନ କି ? ତେବେ ଡିଜିପି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ବେଳାଭୂମିରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ କେସକୁ ‘ରେଡ ଫ୍ଲାଗ’ କେସ ଭାବେ ଘୋଷଣା କରାଯାଇଛି । ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର CAW ଆଣ୍ଡ CW କୁ ହସ୍ତାନ୍ତର କରାଯାଇଛି ।

ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ନାବାଳିକା, ଯୁବତୀ କିମ୍ୱା ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା, ମାନବ ଚାଲାଣ କେସକୁ ସମ୍ବେଦନନଶୀଳ କେସ ଭାବେ ବିବେଚନା କରାଯାଏ । କିନ୍ତୁ ଗ୍ୟାଙ୍ଗ ରେପ ବା ଗଣଧର୍ଷଣ, ଯାହାକି ଅତି ସମ୍ବେଦନଶୀଳ କେସକୁ ‘ରେଡ଼ ଫ୍ଲାଗ’ ଅନ୍ତର୍ଭୁକ୍ତ କରାଯାଏ । ଡେଜିଗନେଟେଡ଼ ଅଫିସରଙ୍କୁ ତଦନ୍ତ ଭାର ଦିଆଯାଏ । କ୍ରାଇମ ଏଗେଂଷ୍ଟ ଓମେନ କ୍ଷେତ୍ରରେ ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୨୦୧୪ ରେ ଏହାକୁ ଆରମ୍ଭ କରାଯାଇଥିଲା । ‘ରେଡ଼ ଫ୍ଲାଗ’ ଟ୍ୟାଗ ଦ୍ୱାରା ପିଡିତାଙ୍କୁ ତ୍ୱରିତ ନ୍ୟାୟ ଓ ଦୋଷୀଙ୍କୁ ଶୀଘ୍ର ଦଣ୍ଡବିଧାନ କରାଯାଇଥାଏ ବୋଲି ସୂଚନା ଦେଇଛନ୍ତି ଡିଜିପି ।

୨୦୧୬ରେ ଜଟଣୀ ନାବାଳିକା ଦୁଷ୍କର୍ମ ମାମଲା, ୨୦୧୭ରେ କୁନ୍ଦୁଲି, ୨୦୧୮ରେ ସାଲେପୁର, ୨୦୧୯ରେ ଜଟଣୀ ଓ ସମ୍ବଲପୁର, ୨୦୨୧ରେ ଲକ୍ଷ୍ମୀସାଗର ଓ ୨୦୨୩ରେ ବଳଙ୍ଗା ନାବାଳିକା ଦୁଷ୍କର୍ମ ମାମଲାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କେସର ତଦନ୍ତ ବେଳେ ରିପୋର୍ଟ ଗୁଡିକୁ ରେଡ଼ ଏନଭଲପ ମଧ୍ୟରେ ରଖାଯାଏ । ଯାହାଫଳରେ ଏହା ଉପରେ ଶୀଘ୍ର ଦୃଷ୍ଟି ନିକ୍ଷେପ ହୋଇଥାଏ । ବର୍ତ୍ତମାନର ଡିଜିପି, ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଥିବା ବେଳେ ‘ରେଡ଼ ଫ୍ଲାଗ’ SOP କୁ କଡାକଡି ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର ।

ଗୋପାଳପୁର କେସରେ ମଧ୍ୟ ସମାନ ଢଙ୍ଗରେ ପୀଡିତାଙ୍କ ବୟାନ ସହ ଅଡିଓ, ଭିଡିଓ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଘଟଣାର କ୍ଲୋଜ ମନିଟରିଂ ପାଇଁ ଆଇଜି ସାଇନି ଏସ୍ ଘଟଣାସ୍ଥଳରେ ପହଁଚି କ୍ଲୋଜ ମନିଟର କରିଛନ୍ତି । ଇଣ୍ଡିପେଂଡେଣ୍ଟ କେସ ଭାବେ ଫିଜିକାଲ ଟେଷ୍ଟ, ମେଡ଼ିକାଲ ଟେଷ୍ଟ ଓ ସାଇଣ୍ଟିଫିକ ଇଂଭେସ୍ଟିଗେସନ କୁ ବ୍ୟାପକ କରାଯାଇଛି । କ୍ବାଲିଟି ଅଫ ଏଭିଡ଼େନ୍ସ କଲେକ୍ସନ ପାଇଁ ଆବଶ୍ୟକସ୍ଥଳେ ଡିଏନଏ ଟେଷ୍ଟ କରିପାରେ ସ୍ୱତନ୍ତ୍ର ଟିମ ।

ଗୋପାଳପୁର ଲଜ୍ଜାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା କମିଶନ । ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ପିଡିତାଙ୍କୁ ଆର୍ଥିକ ଓ ମାନସିକ ସହଯୋଗ, ମାଗଣା ଚିକିତ୍ସା ସହ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରସ୍ତାବିତ ବ୍ଲୁଫ୍ଲାଗ ବିଚ୍ ଆଣିଲା ଲଜ୍ଜା; ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ଛାନବିନ

ନନ୍ଦିଘୋଷ ବ୍ୟୁରୋ : ପ୍ରସ୍ତାବିତ ବ୍ଲୁଫ୍ଲାଗ ବିଚ୍ ଆଣିଲା ଲଜ୍ଜା । ଗୋପାଳପୁର ବେଳାଭୂମି ଯୁବତୀ ଗଣଦୁଷ୍କର୍ମ ଘଟଣାରେ ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଗୋପାଳପୁରରେ ପ୍ରସ୍ତାବିତ ବ୍ଲୁଫ୍ଲାଗ ବିଚରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟରଏକ ପ୍ରମୁଖ ପର୍ଯଟନସ୍ଥଳୀରେ ଏଭଳି ନାରକୀୟକାଣ୍ଡ ପାଇଁ ସାରା ରାଜ୍ୟ ନିନ୍ଦିତ ହୋଇଛି। ପୋଲିସର ପାରିବାପଣିଆ ଉପରେ ମଧ୍ୟ ଉଠିଛି ପ୍ରଶ୍ନ।

ଆଜି କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ଛାନବିନ କରିବା ସହ ଗୋପାଳପୁର ଆଇଆଇସି, ଏସଡିପିଓ, ଏସପି ଓ ଦକ୍ଷିଣାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ଗିରଫ ୧୦ଜଣଙ୍କ ମଧ୍ଯରୁ ୬ ଜଣ ହେଉଛନ୍ତି ସାବାଳକ। ସେମାନେ ହେଲେ କୁନାଳ ପ୍ରଧାନ, ପ୍ରମୋଦ ନାୟକ, ଲକ୍ଷ୍ମଣ ପ୍ରଧାନ, ଓମ ପ୍ରଧାନ, ବାବୁରାମ ଦଳାଇ ଓ ଦୀପକ ତରାଇ । ଅନ୍ଯ ୪ଜଣ ନାବାଳକ। ମୁଖ୍ଯ ଅଭିଯୁକ୍ତ ପ୍ରମୋଦ ନାୟକ ପୁରୁଷୋତ୍ତମପୁର ହୁଣ୍ଡତ ଗାଁର ହୋଇଥିବା ବେଳେ ଅନ୍ଯତମ ଅଭିଯୁକ୍ତ କୁନାଲ ପ୍ରଧାନର ଘର କୁନାଲ ଗାଁରେ। ଓମପ୍ରସାଦ ଓ ବାବୁରାମ ଦଳାଇ ହିଞ୍ଜିଳିର ବୋଲି ଜଣାପଡିଛି। ସେପଟେ ବ୍ରହ୍ମପୁରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏସପିଙ୍କ କାର୍ଯ୍ୟାଳୟ ଘେରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ।

ଆଜି ପ୍ରଥମ ପର୍ଯ୍ୟାୟ ତଦନ୍ତ ସରିଥିବା ବେଳେ ଦରକାର ପଡିଲେ ପୁଣି ଘଟଣା ସ୍ଥଳକୁ ଆସିବ କ୍ରାଇମବ୍ରାଞ୍ଚ ଟିମ । ପାନ୍ଥନିବାସ ପଛପଟ ବେଳାଭୂମିରେ ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ ପାଇଁ ଚାରୋଟି କ୍ୟାବିନ କରାଯାଇଥିଲା । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମୁଦ୍ର ବେଳାଭୂମିରେ ଆଲୋକୀକରଣ କରାଯିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି ।

ଏମିତି ବଞ୍ଚିଥିଲା ଏୟାର ଇଣ୍ଡିଆ ବିମାନର 11A ସିଟରେ ବସିଥିବା ବିଶ୍ୱାସଙ୍କ ଜୀବନ !

ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆର AI-171 ବିମାନ ଦୁର୍ଘଟଣାରେ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଠାରେ କି ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶଙ୍କର ଏକ ଚମତ୍କାର ଭାବେ ଜୀବନ ବର୍ତ୍ତିଯାଇଥିଲା । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଏବଂ ଉଡାଣର କିଛି ମିନିଟ୍ ମଧ୍ୟରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୂଚନା ମୁତାବକ ବଶ୍ୱାସକୁମାରଙ୍କ ଜୀବନ ଏକ ସଂକୀର୍ଣ୍ଣ ଫାଟ ଏବଂ ନରମ ମାଟି ଯୋଗୁଁ ବର୍ତ୍ତି ଯାଇଥିଲା । ବିମାନ ଦୁର୍ଘଟଣା ସମୟରେ ତାଙ୍କ ଶରୀର ଦୁଇକୋଠା ମଧ୍ୟରେ ଥିବା ଏକ ନରମ ବା ଓଦା ମାଟି ଥିବା ସ୍ଥାନରେ ପଡିଥିଲା । ଯାହା ଫଳରେ ଏହି ଓଦା ମାଟି ତାଙ୍କୁ ସାଂଘାତିକ ଆଘାତର ରକ୍ଷା କରିଥିଲା  ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଯଦି ବିମାନର ଆଭ୍ୟନ୍ତରୀଣ ବିସ୍ଫୋରଣ ହୋଇଥାନ୍ତା, ତେବେ ସିଟ୍ ନମ୍ୱର 11Aରେ ବସିଥିବା ବିଶ୍ୱାସ କୁମାରଙ୍କ ବଞ୍ଚିବା ଅସମ୍ଭବ ହୋଇଥାନ୍ତା । ତେଣୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ବଞ୍ଚିବାର ସବୁଠାରୁ ବଡ଼ କାରଣ ହେଲା, ସେ ଯେଉଁଠାରେ ପଡିଥିଲେ  ।

ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ଥରାଇ ଦେଇଛି । କିନ୍ତୁ ଏହି ଦୁଃଖଦ ଘଟରା ମଧ୍ୟରେ ,ଏକ ଚମତ୍କାର ଘଟିଲା ଯେତେବେଳେ ବିଶ୍ୱାସ କୁମାର ରମେଶ ଦୁର୍ଘଟଣା ଭଗ୍ନାବଶେଷରୁ ବାହାରକୁ ଆସିବାର ଦେଖାଯାଇଥିଲା । ସେ ନିଜେ ମେଡିକାଲ କଲେଜ କ୍ୟାମ୍ପସରୁ ଧୀରେ ଧୀରେ ବାହାରକୁ ଆସୁଥିବାର ଦେଖିବାକୁ ମିଳିଥିଲା, ଏବଂ ତାଙ୍କ ପଛରେ କଳା ଧୂଆଁ ଉଠୁଥିଲା ।

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ : ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୨୦ରେ ନବୀନ ଯିବେ ମୁମ୍ବାଇ। ସେଠାରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସ୍ ଚିକିତ୍ସା କରାଯିବ। ମୁମ୍ବାଇରେ ପହଞ୍ଚିବା ପରେ ଆସନ୍ତା ୨୨ରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ହେବ ଚିକିତ୍ସା। ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା କରାଯିବ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଶୁଭେଚ୍ଛାରେ ଶୀଘ୍ର ଫେରିବି ବୋଲି କହିଛନ୍ତି ନବୀନ। ସେ କହିଛନ୍ତି, ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି। ସେପଟେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ସେ କହିଛନ୍ତି ଓଡ଼ିଶାବାସୀଙ୍କ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ପ୍ରାଥନା କରୁଛୁ- ସେ ସୁସ୍ଥ ହୋଇ ଫେରି ପୁଣି ଓଡିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରନ୍ତୁ। । ଏନେଇ ସେ ନିଜ ସୋସିଆଲ ମଡିଆ ଏକ୍ସରେ ସୂଚନା ଦେଇଛନ୍ତି ।

https://x.com/Naveen_Odisha/status/1935301179208049104?t=G_YvT0zJZTl74Gs-MTOggw&s=08

ପୂରଣ ହୋଇନି କୌଣସି ପ୍ରତିଶୃତି, ମିଳିଛି କେବଳ ପ୍ରତାରଣା : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ :  ପୁରୀରେ ହୋଇଥିବା ଯୁବ ଓ ଛାତ୍ର ବିଜେଡିର ଜନଜାଗରଣରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ସରକାରର ସବୁ ଭଲ ଯୋଜନାକୁ ବନ୍ଦ କରିଦେଇଛି ବିଜେପି। ଲକ୍ଷ୍ମୀ ବସରେ ମାତ୍ର ୫ ଟଙ୍କାର ସ୍କୁଲ କଲେଜ ଯାଉଥିଲେ ପିଲାମାନେ। ତାକୁ ବନ୍ଦ କରିଦେଇଛି ବିଜେପି। ମିଶନ ଶକ୍ତିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ମହିଳାଙ୍କ ଉପରେ ବଢ଼ିଛି ଅତ୍ୟାଚାର। ଝାଡ଼ାବାନ୍ତି ଓ ହଇଜାରେ ଲୋକେ ହିନସ୍ତା ହେଉଛନ୍ତି।

ଆୟୁଷ୍ମାନ କାର୍ଡ ଧରି ରୋଗୀମାନେ ହସପିଟାଲରୁ ଫେରୁଛନ୍ତି। ରାଜ୍ୟର ଅର୍ଥନୀତି ତଳମୁହାହିଁ। ନୂଆ ଓ ଛାତ୍ରବୃତ୍ତିକୁ ବନ୍ଦ କରିଦେଲେ। ଅପରାଧ ମଧ୍ୟ ବଢ଼ିଛି। ବିଜେପିର ଏହି ସବୁ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଯୁବ ଓ ଛାତ୍ର ବିଜେଡିକୁ ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ସୋସିଆଲ ମିଡିଆରେ ଏସବୁ କଥା ଉଠାନ୍ତୁ। ଲୋକେ ସତ ଜାଣିବା ଦରକାର। ଯୁବ ସମାଜ ସତ୍ୟର ସାରଥୀ ହୋଇ ମିଛର କାଉଣ୍ଟର କରନ୍ତୁ। ବିଜେପିର ମିଛ ପ୍ରଚାର ବିରୋଧରେ ଏହି ଜନଜାଗରଣ ଅଭିଯାନ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଟଙ୍କା ହଡପ କରି ଠିକାଦାର ଫେରାର

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉନ୍ନୟନ ମୂଳକ କାମରେ ଘୋଟାଲା । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା । ପାରଳାଖେମୁଣ୍ଡିରେ ଥିବା ବୃହତ ରାମ ସାଗର ପୁନରୁଦ୍ଧାର କାମରେ ହୋଇଛି ଅର୍ଥ ହେରଫେର । ସାଗରର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଏବଂ ନୌବିହାରର ବ୍ୟବସ୍ଥା ପାଇଁ ତତ୍କାଳୀନ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ୫୦ ଲକ୍ଷ ମଞ୍ଜୁର କରିଥିଲେ ।

୨୦୨୪ ଜାନୁଆରୀରେ ବିଭାଗ ପକ୍ଷରୁ ସାଗରର ପଙ୍କ ଉଦ୍ଧାର ସହ ହିଡ ମରାମତି କାମ ଆରମ୍ଭ ହୋଇଥିଲା । ଏସ ଗୃପ ଅଫ କନଷ୍ଟ୍ରକସନ ନାମକ ଏକ ନିର୍ମାଣ କାରୀ ସଂସ୍ଥା ଦାୟିତ୍ଵ ନେଇଥିଲା । ହେଲେ ନା ସାଗରରୁ ଶେଷ ହୋଇଛି ପଙ୍କ ଉଦ୍ଧାର ନା ହିଡ ମରାମତି, କେବେଳ ମଝିରେ ଠାଏ ଠାଏ ମାଟି ଜମା କରି ଠିକାଦାର ଫେରାର । କିନ୍ତୁ ଏହାରି ଭିତରେ କାର୍ଯ୍ୟ ବାବଦକୁ ୨ କୋଟି ୪୦ ଲକ୍ଷ ୭୯ ହଜାର ଟଙ୍କା ବିଲ କରି ଚଳୁ କରାଯାଇଛି । ଯାହାକି ପୂର୍ବରୁ ଥିବା ଅଧିକାରୀଙ୍କ ବଦଳି ପରେ ଦୁର୍ନୀତି ସାମ୍ନାକୁ ଆସିଛି । ଏପରିକି ସମ୍ପୃକ୍ତ ଠିକାଦାର ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ନକଲି ବୋଲି ଧରାପଡିଛି । ଏନେଇ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ନୂଆ ଅଧିକ୍ଷଣ ଯନ୍ତ୍ରୀ, ଏବଂ କହିଛନ୍ତି ଓପିଡବ୍ଲୁଡି କୋଡ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସଂପୃକ୍ତ ଠିକାଦାର ଉଦ୍ଦେଶ୍ୟମୂଳକ ଭାବେ ବ୍ୟାଙ୍କ ଗ୍ୟାରେଣ୍ଟି ବାବଦକୁ ଦେଇଥିଲେ ନକଲି ବ୍ୟାଙ୍କ ବଣ୍ଡ । ଯାହାକୁ ଅନ୍ଧ ଭଳି ଯାଞ୍ଚ ନକରି ଆଖିବୁଜି ଗ୍ରହଣ କରିନେଇଥିଲେ ତତ୍କାଳୀନ ଅଧିକାରୀ । କାମ ଚାଲୁଥିବା ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ । ଏହା ସତ୍ତ୍ଵେ ଠିକାଦାର ପ୍ରତି ଅନୁକମ୍ପା ଦେଖାଇ ସମ୍ପୃକ୍ତ ଯନ୍ତ୍ରୀ ବିଲ ପୈଠ କରିଥିବା ଅଭିଯୋଗ ହୋଇଛି । ଯାହା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାକୁ ପଦାରେ ପକାଉଛି । ଅନ୍ଯପକ୍ଷରେ ଠିକାଦାରଙ୍କ ଦୁର୍ନୀତି ଖୋର ମନୋଭାବରୁ ସରକାରଙ୍କ ଯୋଜନା ଅଧାର ଅଟକିଯାଇଛି ।