spot_img
Home Blog Page 7400

କରୋନା ଯୁଦ୍ଧ: କମିଲା ସାଂସଦଙ୍କ ଦରମା,ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: କରୋନା ବିରୋଧରେ ଯୁଦ୍ଧକୁ ନେଇ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି । ଏହା ସହ ସାଂସଦଙ୍କ ଦରମା ମଧ୍ୟ ୩୦ ପ୍ରତିଶତ ହ୍ରାସ କରାଯାଇଛି ।

କରୋନା ବିରୋଧି ଲଢେଇ ପାଇଁ ଅର୍ଥ ଯୋଗାଡ କରିବା ଲକ୍ଷ୍ୟରେ ମୋଦି ସରକାର କିଛି ନୂଆ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନ୍ତର୍ଗତରେ ସାଂସଦ ପାଣ୍ଠିକୁ ଦୁଇ ବର୍ଷ ପାଇଁ ସ୍ଥାଗିତ ରଖାଯାଇଛି । ସାଂସଦ ପାଣ୍ଠି ହିସାବରେ ପ୍ରତି ସାଂସଦଙ୍କୁ ବାର୍ଷିକ ୧୦ କୋଟି ଟଙ୍କା ମିଳୁଥିଲା । ଅର୍ଥାତ ବର୍ଷକୁ ୭ ହଜାର ୯ ଶହ କୋଟି ଟଙ୍କା ଏବାବଦରେ ସରକାର ଯୋଗାଡ କରିପାରିବେ । ଏହି ୭ ହଜାର ୯ ଶହ କୋଟି ଟଙ୍କା କନସୋଲିଡେସନ୍ ଫଣ୍ଡକୁ ଯିବ । ଯାହାକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ ।

କେବଳ ଏତିକି ନୁହେଁ ,ଅର୍ଥ ଯୋଗାଡ ପାଇଁ କେନ୍ଦ୍ର କ୍ୟାବିନେଟ୍ ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ କରାଇଛନ୍ତି । ୧ ବର୍ଷ ପର୍ଯ୍ୟନ୍ତ ସାଂସଦ ନିଜ ଦରମାରେ ୭୦ ପ୍ରତିଶତ ପାଇବେ ।

ରାଷ୍ଟ୍ରପତି,ଉପରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦରମାରେ ମଧ୍ୟ ୩୦ ପ୍ରତିଶତ ହ୍ରାସ କରାଯାଇଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସମେତ  ରାଜ୍ୟପାଳମାନେ ସ୍ୱେଛାରେ ଦରମା କାଟିବା ପାଇଁ ପ୍ରସ୍ତାବ ଦେଇଥିଲେ ।

 

ମୁଖ୍ୟାଂଶ

୧. ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହେଲା ସାଂସଦ ପାଣ୍ଠି

୨. ବର୍ଷକୁ ସାଂସଦଙ୍କୁ ମିଳୁଥିଲା ୧୦ କୋଟି,ସମସ୍ଥ ପାଣ୍ଠି କନସୋଲିଡେସନ୍ ଫଣ୍ଡକୁ ଯିବ

୩.  ସାଂସଦ ପାଣ୍ଠି ସ୍ଥଗିତ ହେବା କାରଣରୁ ମିଳିବ ୭ ହଜାର ୯ଶହ କୋଟି

୪. ୭ ହାଜର ୯ ଶହ କୋଟି ଟଙ୍କାକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ

୫. ସବୁ ସାଂସଦଙ୍କ ଦରମା ୩୦ ପ୍ରତିଶତ କଟାଗଲା

୬. ରାଷ୍ଟ୍ରପତି,ଉପ ରାଷ୍ଟ୍ରପତି,ରାଜ୍ୟପାଳଙ୍କ ଦରମା ମଧ୍ୟ ୩୦ ପ୍ରତିଶତ କଟିବ

ପାକିସ୍ତାନରେ ହିନ୍ଦୁମାନଙ୍କୁ ସାହାଯ୍ୟର ହାତ ବଢାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ କୋଭିଡ -19 ମହାମାରୀ ସଙ୍କଟ ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପାକିସ୍ତାନର ହିନ୍ଦୁମାନଙ୍କୁ ସାହାଯ୍ୟ କରୁଛନ୍ତି। ସାହିଦ ଆଫ୍ରିଦି ହିନ୍ଦୁମାନଙ୍କୁ ଅଟା, ଚାଉଳ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଦେଇ ସାହାଯ୍ୟ କରୁଛନ୍ତି ।

କେବଳ ଏତିକି ନୁହେଁ, ସାହିଦ ଆଫ୍ରିଦି ମଧ୍ୟ ସେମାନଙ୍କୁ ଜରୁରୀ ଜିନିଷ ପତ୍ର କିଣିବାକୁ ଅର୍ଥ ମଧ୍ୟ ଦେଉଛନ୍ତି । ପାକିସ୍ତାନର ପ୍ରସିଦ୍ଧ ଖେଳାଳି ସାହିଦ ଆଫ୍ରିଦି ଏବଂ ଜାହାଙ୍ଗୀର ଖାନ୍ କୋଭିଡ -19 ମହାମାରୀ ସଙ୍କଟ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପରିବାରକୁ ରାସନ ଏବଂ ନଗଦ ଟଙ୍କା ସାହାଜ୍ୟ କରୁଛନ୍ତି ।

ଜଣେ ଟେନିସ୍ ଖେଳାଳି ରବିନ୍ ଦାସ କିଛି ଲୋକଙ୍କ ଅସୁବିଧାକୁ ଜଣାଇବା ସହ ସେମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ତାପରେ ରବିନଙ୍କ ଅନୁରୋଧ କ୍ରମେ ସାହିଦ ଆଫ୍ରିଦି ଏବଂ ତାଙ୍କ SAF ଫାଉଣ୍ଡେସନ ଏମାନଙ୍କୁ ସାହାଜ୍ୟ କରିବାକୁ ଆଗକୁ ଆସିଥିଲେ ।

କରାଚି ସ୍ପୋର୍ଟସ୍ ଫୋରମ୍ ସଚିବ ଆସିଫ୍ ଅଜିମ୍ କହିଛନ୍ତି, ‘ଜାହାଙ୍ଗୀର ଖାନ୍ ଏହି ଫାଉଣ୍ଡେସନର ସଭାପତି, ଫୋନ କରି ରବିନଙ୍କ ଅନୁରୋଧ ବିଷୟରେ କହିଥିଲେ, ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଖ୍ରୀଷ୍ଟିଆନ କିମ୍ବା ହିନ୍ଦୁ ହୁଅନ୍ତୁ ଏହି କଷ୍ଟଦାୟକ ସମୟରେ ସେମାନଙ୍କୁ ସାହାଯ୍ୟ କରାଯିବା ଉଚିତ୍। ‘କରାଚି ସ୍ପୋର୍ଟସ୍ ଫୋରମ୍ ସହିତ SAF ସହରର ଅଭାବୀ ଲୋକଙ୍କୁ ବିଶେଷ କରି କ୍ରୀଡା ଜଗତ ସହିତ ଜଡିତ ଲୋକଙ୍କୁ ରାସନ ଏବଂ ନଗଦ ପ୍ରଦାନ କରିଥିଲା ​ ।

ଆଜିମ କହିଛନ୍ତି, ଆଜି ଆମେ ରୋଶନ ଖାନ ସ୍କ୍ୱାସ୍ କମ୍ପ୍ଲେକ୍ସରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ, ଯେଉଁଠାରେ ଜାହାଙ୍ଗୀର ଏବଂ ହକି ଖେଳାଳି ଇସ୍ଲାହୁଦ୍ଦିନ ଉପସ୍ଥିତ ଥିଲେ ଏବଂ ସେ ସ୍ପଷ୍ଟ କରିଛନ୍ତି ଯେ ଫୋରମ୍ କରାଚିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଭାବୀ ପରିବାରକୁ ରାସନ ଏବଂ ନଗଦ ଟଙ୍କା ବଣ୍ଟନ କରିବ।

ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ସେ ନିମ୍ନ ସ୍ତର ଏବଂ ଗରିବ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରିବାରକୁ ରାସନ ବାଣ୍ଟିଥିଲେ । ଫୋରମ୍ ପୂର୍ବରୁ ବିଭିନ୍ନ ଖେଳ ସହିତ ଜଡିତ ଅଭାବୀ ଖେଳାଳି, କ୍ଷେତ୍ର କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ଅନ୍ୟମାନଙ୍କୁ ରାସନ ଯୋଗାଇବା ଉପରେ କାର୍ଯ୍ୟ କରୁଛନ୍ତି । ଏବଂ ଏଥିରେ ସାହିଦ ଆଫ୍ରିଦି ଫାଉଣ୍ଡେସନ୍ ଆମକୁ ସମର୍ଥନ କରୁଛି, ତେବେ ଆମେ ମଧ୍ୟ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ପରିବାର ଉପରେ ଧ୍ୟାନ ଦେଉଛୁ ।

ସମ୍‌ରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ତୃତୀୟ କୋଭିଡ-୧୯ ହସ୍ପିଟାଲ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମବାର କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ତୃତୀୟ କୋଭିଡ-୧୯ ହସ୍ପିଟାଲ । ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ର ସହଯୋଗରେ ସମ୍ ମେଡିକାଲ୍‌ରେ ଖୋଲିଛି ୫୨୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ । ଏଥିସହିତ ରାଜ୍ୟର କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୩୪୫ରେ ପହଞ୍ଚିଛି । ଏହି ତୃତୀୟ କୋଭିଡ ହସ୍ପିଟାଲରେ ୫୨୦ ଶଯ୍ୟା ମଧ୍ୟରୁ ୨୦ ଟି ଶଯ୍ୟା ଆଇସିୟୁ ପାଇଁ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ଏହି ବିଶ୍ୱ ମହାମାରୀ ସମୟରେ ରୋଗୀଙ୍କ ସେବା ନେଇ ତାଙ୍କ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ହସ୍ପିଟାଲ ସ୍ଥାପନାରେ ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟବାସୀଙ୍କ ପାଇଁ ଏହି ସୁବିଧା ଯୋଗାଇଦେଇଥିବାରୁ ଏମ୍‌ସିଏଲ୍‌କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶଂସା କରଛନ୍ତି । ଜାତି ଧର୍ମ ଏବଂ ଦଳ ନିର୍ବିଶେଷରେ ମାନବ ସମାଜର ଉନ୍ନତି ପାଇଁ ଉଭୟ ଭାରତ ସରକାର ଏବଂ ଓଡ଼ିଶାର ସରକାରଙ୍କ ପରାମର୍ଶକୁ ଅନୁସରଣ କରିବା ପାଇଁ ସେ ଆହ୍ନାନ ଦେଇଛନ୍ତି ।

କରୋନା ମୁକାବିଲା ନେଇ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଦାଦ ଯୋଶୀ । ଏଥିସହିତ କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନ ପିଏସ୍‌ୟୁ ସହାୟତାରେ ରାଜ୍ୟରେ ଅଧିକ ସଂଖ୍ୟାକ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱରର କିମ୍ସରେ ୫୦୦ ଶଯ୍ୟା ବିଶିଷ୍ଟ, କଟକ ଅଶ୍ୱିନୀ ହସ୍ପିଟାଲରେ ୧୨୫ ଶଯ୍ୟା ବିଶିଷ୍ଟ ଓ ହାଇଟେକ୍‌ ମେଡିକାଲ୍‌ ସହାୟତାରେ ରାଉରକେଲାରେ ୨୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲାସ୍ତରୀୟ କୋଭିଡ-୧୯ ହସ୍ପିଟାଲ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସଗ୍ରୀକୃତ ହୋଇଛି ।

ମ୍ୟାଲେରିଆ ଔଷଧ କରୋନା ଭାଇରସକୁ କିପରି କରିଥାଏ ଦୁର୍ବଳ, କ’ଣ ପାଇଁ ଆମେରିକା ମାଗୁଛି ସାହାଯ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଭୟାବହତା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆଣ୍ଟି ମ୍ୟାଲେରିଆ ଡ୍ରଗ ହାଇଡ୍ରୋକ୍ଲୋରୋକ୍ୱିନ ରପ୍ତାନି କରିବାକୁ ଅନୁରୋଧ କରିଛନ୍ତି । ଟ୍ରମ୍ପ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇ କରୋନା ଭାଇରସର ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ ଉପଲବ୍ଧ କରାଇବା ପାଇଁ ଅପିଲ କରିଛନ୍ତି । କରୋନା ଭାଇରସ ସହ ଲଢ଼ିବା ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ ବଟିକା  ଉପଯୁକ୍ତ  ତାହା ଏପର୍ଯ୍ୟନ୍ତ ପ୍ରମାଣ ହୋଇପାରିନାହିଁ । କିନ୍ତୁ ଟ୍ରମ୍ପ ଏହାକୁ ଅନେକ ଥର ଗେମ ଚେଞ୍ଜର ବୋଲି କହିଆସିଛନ୍ତି । ତେବେ ଏହି ଔଷଧର ଚାହିଦା ବଢ଼ିବା ଏବଂ ଦେଶରେ ବଢ଼ୁଥିବା କୋରୋନା ସଂକ୍ରମଣକୁ ନଜରରେ ଦେଖି ଭାରତ ଏହି ଔଷଧର ରପ୍ତାନି ଉପରେ ରୋକ ଲଗାଇ ଦେଇଛି ।

ବହୁ ଦେଶ ହାଇଡ୍ରୋକ୍ଲୋରୋକ୍ୱିନ ଏବଂ କ୍ଲୋରୋକ୍ୱିନ ଔଷଧର ଆମଦାନୀ ବଢ଼ାଇ ଦେଇଛନ୍ତି । ସିଙ୍କୋନା ଗଛ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ମ୍ୟାଲେରିଆ ଭଳି ରୋଗ ଚିକିତ୍ସା କରିବାରେ ବ୍ୟବହାର କରାଯାଏ । ତେବେ ପ୍ରଶ୍ନ ଉଠୁଛି କଣ ଏହି ବହୁ ପୁରାତନ ଔଷଧ କରୋନା ଭାଇରସ ମହାମାରିର ସମାଧାନ ?  ବିନା କୌଣସି ମେଡିକାଲ ପୃଷ୍ଟିରେ ଏହାର ବ୍ୟବହାର ଭୟଙ୍କର ସାବ୍ୟସ୍ତ ହେବ କି ?

ଏହି ଔଷଧକୁ ନେଇ ଆମେରିକାରେ ମଧ୍ୟ ବହୁ ଚର୍ଚ୍ଚା ଚାଲିଛି । ଟ୍ରମ୍ପ ବାରମ୍ବାର ଏହାର ଗୁଣଗାନ କରିବା ପରେ ମଧ୍ୟ ଏଯାଏଁ ଫୁଡ୍ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) କରୋନା ଭାଇରସ ପାଇଁ ହାଇଡ୍ରୋକ୍ଲୋରୋକ୍ୱିନକୁ ମଞ୍ଜୁରୀ ଦେଇନାହାନ୍ତି ।  ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ କିନ୍ତୁ ଆଣ୍ଟି ମ୍ୟାଲେରିଆ ଡ୍ରଗକୁ କରୋନା ଭାଇରସର ଅଧିକ ଗମ୍ଭୀର ମାମଲାରେ ପ୍ରିଭେଣ୍ଟିବ ମେଡିସିନ ଭାବରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଆମେରିକାରେ ଏଫଡିଏ କ୍ଲୋରୋକ୍ୱିନ ଏବଂ ହାଇଡ୍ରୋକ୍ଲୋରୋକ୍ୱିନକୁ ଆଣ୍ଟି- ମ୍ୟାଲେରିଆ ଡ୍ରଗ ଭାବରେ ମଞ୍ଜୁରୀ ଦେଇଛି । କ୍ଲୋରୋକ୍ୱିନକୁ ୧୯୩୪ ମସିହା ପରେ ବେୟର ନାମକ ଏକ ଫାର୍ମ କମ୍ପାନୀ ପ୍ରସ୍ତୁତ କରିଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମ୍ୟାଲେରିଆକୁ ରୋକିବା ପାଇଁ ଏହାର ବ୍ୟପକ ବ୍ୟବହାର ହୋଇଥିଲା ।

୨୦୧୨ରେ ଯେତବେଳେ କରୋନା ଭାଇରସ ପରିବାରର ସଦସ୍ୟ ମାର୍ସର ସଂକ୍ରମଣ ବ୍ୟାପିଥିଲା ସେତେବେଳେ ବୈଜ୍ଞାନିକ ମାନେ ହଜାର ହଜାର ଔଷଧର ପରୀକ୍ଷଣ କରିଥିଲେ । କ୍ଲୋରୋକ୍ୱିନ ସମେତ ଅନେକ ଔଷଧ କୋଷରେ କରୋନା ଭାଇରସର ସଂକ୍ରମଣର ବିସ୍ତାରକୁ ରୋକିବାରେ ସହାୟକ ହୋଇଥିବା ଜଣାପଡିଛି। ଅବଶ୍ୟ, ଏମାନଙ୍କ ଉପରେ ଆଉ କୌଣସି ରିସର୍ଚ୍ଚ କରାଯାଇନଥିଲା, କାରଣ ଏକ ଅବଧି ପରେ ଏହି ଔଷଧ ଅଧିକ ପ୍ରଭାବଶାଳୀ ହେଉଥିବା ଦେଖାଦେଇନଥିଲା ।

ଯେତେବେଳେ ନୂଆ କରୋନା ଭାଇରସ ବ୍ୟାପିଲା ମାର୍ସ ଏବଂ ମାର୍ସ ବିରୋଧରେ ପ୍ରାରମ୍ଭିକ ସମୟରେ ପ୍ରଭାବ ଦେଖାଉଥିବା ଔଷଧଗୁଡିକ ସମ୍ଭାବ୍ୟ ଉପଶମ ତାଲିକାର ଶୀର୍ଷରେ ରହିଲା । ଏହି ଔଷଧଗୁଡିକର କ୍ଲିନିକାଲ୍ ପରୀକ୍ଷା ଚୀନ୍ ଏବଂ ଆମେରିକା ସମେତ ବିଶ୍ୱର ଅନେକ ଲାବୋରେଟୋରୀରେ ଚାଲିଛି । ଅବଶ୍ୟ କରୋନା ଭାଇରସର ଚିକିତ୍ସା ପାଇଁ କ୍ଲୋରୋକାଇନ୍ ଏବଂ ହାଇଡ୍ରୋକ୍ସୋକ୍ଲୋରୋକାଇନ୍ ଉପରେ ଏପର୍ଯ୍ୟନ୍ତ କୌଣସି ସହମତି ମିଳିପାରିନାହିଁ । ଏହାର ପରୀକ୍ଷଣ ଏପର୍ଯ୍ୟନ୍ତ ବହୁତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।

ମୁଁ କରୋନା ପଜେଟିଭ୍, ଆଉ ମୁଁ କରୋନା ବିସ୍ତାର ମଧ୍ୟ କରୁଛି ଏମିତି କହି ଭିଡ଼ିଓ କଲେ…

ଟେକ୍ସାସ: କରୋନା ପାଇଁ ଯେତେବେଳେ ସାରା ବିଶ୍ୱ ଡ଼ରି ଡ଼ରି ବଞ୍ଚୁଛି ସେହି ସମଯରେ ଏମିତି ଏକ ବାର୍ତ୍ତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ନିଶ୍ଚୟ । ଏହା ଆମେ କହୁନୁ ଏହା ଜଣେ ନାବାଳିକା କହିଛିନ୍ତି ଯେ ସେ କରୋନା ପଜେଟିଭ୍ ଏବଂ ସେ ଏହାକୁ ବିସ୍ତାର ମଧ୍ୟ କରୁଛନ୍ତି ।

 ଏହାର ଏକ  ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ନାବାଳିକା ଜଣଙ୍କ । ସେ ଦାବି କରିଛନ୍ତି ଯେ ସେ କରୋନା ଭାଇରସ୍ ପଜିଟିଭ୍ ଏବଂ  ସେ ଜାଣିଶୁଣି ଏହି ସଂକ୍ରମଣକୁ ବିସ୍ତାର କରୁଛନ୍ତି। ଏହି ମାମଲା ଆମେରିକାର ଟେକ୍ସାସର କାରୋଲଟନ୍ ସହରରେ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଏହି ନାବାଳିକାକୁ ଖୋଜୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ଟ୍ୱିଟ୍ କରି ମାମଲା ସମ୍ପର୍କରେ ସୂଚନା ଦେଇଛି । ପୋଲିସ କହିଛି ଯେ ସମ୍ପୃକ୍ତ ନାବାଳିକଙ୍କର ପରିଚୟ ମିଳିଛି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।

 ପୋଲିସ କହିଛି ଯେ, ଭିଡିଓରେ କରୋନା ଭାଇରସ ବିସ୍ତାର କରିଥିବା ଦାବି କରିଥିବା ନାବାଳିକଙ୍କ ନାଁ ହେଉଛି ଲାରେନ ମାରାଡିଗା ଏବଂ ତାଙ୍କୁ 18 ବର୍ଷ । ଲୋକଙ୍କୁ ଆତଙ୍କିତ କରୁଥିବାରୁ ଲାରେନଙ୍କ ବିରୋଧରେ ଅଭିଯୋଗ ହେବ ବୋଲି ପୋଲିସ କହିଛି।

 

ତେବେ ପ୍ରକୃତରେ ଲାରେନ ଲୋକଙ୍କୁ ବିପଦରେ ପକାଇଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ । କିନ୍ତୁ ଲାରେନଙ୍କ ଏହି ଧମକ୍ ଦେବା ପରେ ତାଙ୍କ ବିରୋଧରେ ଦୃଢ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଅନ୍ୟପଟେ ଲାରେନଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ଠିକଣା ପାଇପାରିନାହିଁ ପୋଲିସ । ତେଣୁ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଯେ ଜଦି ଲାରେନଙ୍କ ବିଷୟରେ କୌଣସି ସୂଚନା ମିଳେ ତେବେ ସଙ୍ଗେ ସଙ୍ଗେ ପୋଲିସଙ୍କୁ ଜଣେଇବାକୁ ।

 ଆମେ ରହିରଖୁଛୁ ଯେ, ସୋମବାର ଅପରାହ୍ନ ସୁଦ୍ଧା ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 3,36,800 ଅତିକ୍ରମ କରିଛିଏବଂ ମୃତ୍ୟୁ ସଂଖ୍ୟା 9,600  ଟପିଛି । ଏଥି ସହିତ ସାରା ବିଶ୍ୱରେ ମୃତ୍ୟୁସଂଖ୍ୟା 69,400 ଅତିକ୍ରମ କରିଛି।

 

 

ସେମାନେ ରାସ୍ତା ଉପରେ ଏଇଥିପାଇଁ ଯେ, ଆପଣ ଘର ଭିତରେ ସୁରକ୍ଷିତ ରହିବେ,କିନ୍ତୁ ଆପଣ ବୁଝିବାକୁ ନାରାଜ

ଓଡ଼ିଶା ପୋଲିସ ରାସ୍ତାରେ ଅଛି । କେବଳ ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ପାଇଁ । ଏମିତି କିଛି ଭାବନାତ୍ମକ ସନ୍ଦେଶ ଦେଉଥିବା ଭିଡିଓକୁ ଆପଣ ଲକ୍ ଡାଉନ ଭିତରେ ନିଶ୍ଚୟ ଦେଖି ସାରିବେଣି । ଲକ୍ ଡାଉନରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ପୋଲିସର ଲୋକଙ୍କୁ ମାଡ ମାରିବା ଠିକ୍ ନୁହେଁ । ଏମିତି ଅନେକ କଥା କୁହାଯାଉଛି । ଆପଣ ମଧ୍ୟ ସୋସିଆଲ ମିଡିଆରେ ଏମିତି କମେଣ୍ଟ୍ ଦେଇଥିବେ । ପୋଷ୍ଟ କରିଥିବେ । ଲାଇକ୍ ,କମେଣ୍ଟ୍ ମଧ୍ୟ ପାଇଥିବେ । ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମନୋଭାବରେ କିଛି ପରିବର୍ତ୍ତନ ଆସିଛି କି ?

https://www.facebook.com/nandighoshatv/videos/3516788765016380/

ଯଦି ଆସିଛି ତେବେ ଭଲ କଥା । ଯଦି ଆସିନାହିଁ ତେବେ ଆପଣଙ୍କ ମନ ମସ୍ତିଷ୍କରେ କିଛି କେମିକାଲ ଲୋଚା ରହିଛି । ତେଣୁ ଆପଣ ସାଧାରଣ କଥାକୁ ମଧ୍ୟ ଆପଣ ସରଳତାର ସହ ବୁଝି ପାରୁ ନାହାନ୍ତି । ଆପଣଙ୍କ ଭଳି ଖାକି ପୋଷାକ ତଳେ ଥିବା ଲୋକର ମଧ୍ୟ ଗୋଟିଏ ପରିବାର ଅଛି । ଆପଣଙ୍କ ଭଳି ସେ ମଧ୍ୟ ପରିବାର ସହ ସମୟ ବିତାଇବାକୁ ଚାହାନ୍ତି । କିନ୍ତୁ ଆପଣ ଓ ଆପଣଙ୍କ ପରିବାର ପାଇଁ ସେ ଏବେ ବାହାରେ । ଢୁ ଢୁ ଖରାରେ ସେ ବ୍ୟାରିକେଡ୍ ପାଖରେ ଛିଡା ହୋଇଛନ୍ତି ,କାହା ପାଇଁ ଆପଣଙ୍କ ପାଇଁ । କିନ୍ତୁ ଆପଣ ପାଖ ଦୋକାନରୁ ପରିବା ନକିଣି ବାଇକ୍ ଧରି ବାକି ଦିନ ଭଳି ଦୁର ହାଟକୁ ଯିବେ । ରାସ୍ତାରେ ଯଦି ଆପଣଙ୍କୁ କାରଣ ପଚରାଯାଏ,ତେବେ ଆପଣଙ୍କ ଇଗୋ ନିହାତି ହର୍ଟ ହେବ । ହେବନି କେମିତି ? ଏହା ସ୍ୱାଧୀନ ଦେଶ । ଗୋଟିଏ ସମ୍ବିଧାନ ଅଛି । ଆଉ ସେଇ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ଖାକି କେମିତି ଦଳି ଦେଇ ପାରେ ? ଏସବୁ ଭାବି ଆପଣ ପ୍ରତିକ୍ରିୟାଶୀଳ ହୁଅନ୍ତି । କିନ୍ତୁ କେବେ ଭାବିଛନ୍ତି ଏହା ଅସାଧରଣ ପରିସ୍ଥିତି  । ଦୁନିଆ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛି । ଭାରତ ଚାରିଟି ଯୁଦ୍ଧ ଲଢିଛି । କିନ୍ତୁ କେବେ ମଧ୍ୟ ରେଳ ବନ୍ଦ ହୋଇନଥିଲା । କେବେ ମଧ୍ୟ କାରଖାନାର ଚିମିନିରୁ ଧୂଆଁ ବାହାରିବା ବନ୍ଦ ହୋଇନଥିଲା । ଅଧିକରୁ ଅଧିକ ଭାରତ ଲଢିଥିବା ଯୁଦ୍ଧ କାଳରେ ରାତିରେ ବ୍ଲାକ୍ ଆଉଟ୍ ହେଉଥିଲା । ଏବେ କିନ୍ତୁ ଲକ୍ ଡାଉନ୍ । ଆପଣ କିନ୍ତୁ ଲକ୍ ଡାଉନକୁ ଫୁ କରି ଉଡାଇ ଦେବେ । ଆପଣଙ୍କ ପାଇଁ ଲକ୍ ଡାଉନର କିଛି ଅର୍ଥ ନାହିଁ । ଆପଣ ଆପଣଙ୍କ ଜୀବନକୁ ସେମିତି ଯିଇଁବାକୁ ଚାହିଁବେ ଯେମିତି ଆଗରୁ ଯିଉଁଥିଲେ ।

ଆପଣ ଯଦି ଏମିତି ଭାବୁଛନ୍ତି ତେବେ ଓଡ଼ିଶା ପୋଲିସର ଏହି ଭିଡିଓ କେବଳ ଆପଣଙ୍କ ପାଇଁ । ଆପଣଙ୍କ ଭଳି ସେମାନଙ୍କର ମଧ୍ୟ ପରିବାର ଅଛି । ଆପଣଙ୍କ ଭଳି ସେମାନେ ମଧ୍ୟ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହାନ୍ତି । କିନ୍ତୁ ସେମାନେ ସେ ସମୟ ପାଇବେ ନାହିଁ । କାରଣ ଆପଣଙ୍କ ଭଳି ୧୦ ପ୍ରତିଶତ ଲୋକ ସନ୍ଧ୍ୟା ଓ ସକାଳେ ଘେରାଏ ବାଇକରେ ବୁଲିବେ । ଖଟି କରିବେ । ଆଉ ଖାସ ସେଇଥିପାଇଁ ସେମାନଙ୍କୁ ୨୪ ଘଣ୍ଟା ଡ୍ୟୁଟି କରିବାକୁ ପଡିବ ।

ଆପଣ ଲକ୍ ଡାଉନ୍ ମାନିଲେ ନାହିଁ  । ଆପଣ ସଟ୍ ଡାଉନ ଖବର ଶୁଣି କଟକରେ ବାଲିଯାତ୍ରାର ଭ୍ରମ ସୃଷ୍ଟି କଲେ । ଏମିତି ବ୍ୟବହାର କଲେ ଯେମିତି ଦୁଇ ଦିନ ପାଇଁ ପରିବା ମାର୍କେଟ୍ ବନ୍ଦ ହେବନି ସବୁ ଦିନ ପାଇଁ ବନ୍ଦ ହୋଇଯିବ । ଆପଣଙ୍କ ଘରେ ପରିବା ନଥିବା ଭଳି ବଜାରରେ ଭିଡ ଜମାଇ ଦେଲେ । ସାମାଜିକ ଦୂରତା କଥାକୁ ଭୁଲିଗଲେ । କଣ କେବଳ ଆପଣଙ୍କ ପରିବାର ଅଛି ? ଆପଣଙ୍କ ଭଳି ପରିବା କିଣିବାକୁ ଯଦି ଡ୍ୟୁଟି ଛାଡି ପୋଲିସ ଚାଲିଯାନ୍ତି ତେବେ କଣ ହେବ ? ଭାବନ୍ତୁ ଓ ବୁଝନ୍ତୁ । ଆପଣ ଯଦି ରାସ୍ତା ଉପରକୁ ଆସିବା କମ କରିବେ ତେବେ ଜରୁରୀକାଳିନ ସେବାରେ ସାମିଲ ଥିବା ପୋଲିସ ଓ ଅନ୍ୟମାନଙ୍କୁ ସୁବିଧା ହେବ । କାରଣ ସେମାନେ ରାସ୍ତା ଉପରେ ଆପଣଙ୍କ ପାଇଁ ଛିଡା ହୋଇଛନ୍ତି । ଅତିକମରେ ଏହି ବିଶ୍ୱ ସଂକଟକାଳରେ ଟିକିଏ କମ ସ୍ୱାର୍ଥପର ହୁଅନ୍ତୁ । ଯଦି ସ୍ୱାର୍ଥପର ହେଉଛନ୍ତି ତେବେ ନିଜ ଘର ପାଇଁ ହୋଇ ଘରେ ରୁହନ୍ତୁ ।

ଡାକ୍ତରଙ୍କ ଅଭାବ ଯୋଗୁଁ ଏହି ଦେଶର ପ୍ରଧାନମନ୍ତ୍ରୀ ଏବେ କରୋନା ରୋଗୀଙ୍କୁ କରିବେ ଚିକିତ୍ସା

ଆୟରଲ୍ୟାଣ୍ଡ: ସମଗ୍ର ଦେଶ ଏବେ କୋରୋନା ଭାଇରସ କବଳରେ । ବିଭିନ୍ନ ଦେଶ କରୋନା ଭାଇରସ କବଳରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାଶର ପଦକ୍ଷେପ ଗ୍ରହମ କରୁଛନ୍ତି । ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ୱରଡକର ।

ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ୱରଡକର ରାଜନୀତିରେ ଆସିବା ପୂର୍ବରୁ ଏକ ସଫଳ ଡାକ୍ତର ରୂପେ ସେବା କରିଆସିଛନ୍ତି । ସେ ବିଗତ ସାତ ବର୍ଷ ଧରି ସାଧାରମ ଚିକିତ୍ସକ ଭାବରେ କାମ କରିଆସିଛନ୍ତି । ସେ ୨୦୧୩ ମସିହାରେ ମେଡିକାଲ ପ୍ରୋଫେସନ ଛାଡ଼ିଥିଲେ ଏବଂ ୨୦୧୪ ମସିହାରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।

ଆୟରିସ ଟାଇମ୍ସ ମୁତାବକ: କରୋନା ଭାଇରସ ସଂକ୍ରମଣର ମାମଲା ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ଲିଓ ପୁଣି ଥରେ ନିଜର ମେଡିକାଲ ପ୍ରୋଫେସନର ରେଜିଷ୍ଟ୍ରେସନ କରାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ କ୍ୱାଲିଫିକେସନ ମୁତାବକ ସପ୍ତାହରେ କିଛିଟା ସିଫ୍ଟ କରିବେ । ସୂଚନା ଅନୁଯାୟୀ ସେ ଡାକ୍ତରଙ୍କ ଦ୍ୱାରା ଫୋନରେ ଦିଆଯିଉଥିବା ସେବାର ଅନ୍ତର୍ଗତ ହୋଇପାରନ୍ତି ।

 

କରୋନାକୁ ରୋକିବା ପାଇଁ ସରକାରଙ୍କ ମୋବାଇଲ୍ ଆପ୍ , କ୍ୱାରେଣ୍ଟାଇନ ଭାଙ୍ଗିବା ମାତ୍ରେ ଆସୁଛି ଆଲର୍ଟ

ସମସ୍ତ ଦେଶର କିଛି କିଛି ବ୍ୟକ୍ତି କରୋନାଭାଇରସ୍ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି ପ୍ରୟାସକୁ ରୋକିବା ପାଇଁ ଆଇଟି ଟେକ୍ନୋଲୋଜିର ବହୁଳ ବ୍ୟବହାର ହେଉଛି । କେତେକ ଦେଶ ମୋବାଇଲ୍ ଆପ୍ ବ୍ୟବହାର କରି ସଂକ୍ରମିଙ୍କୁ କ୍ଷଣକ ମଧ୍ୟରେ ଟ୍ରାକ୍ କରୁଛନ୍ତି । ହଂକଂରେ ଚାଇନାର ଲୋକଙ୍କ ଅବସ୍ଥାନ ଉପରେ ନଜର ରଖିବା ପାଇଁ ହ୍ଵାଟସ୍ଆପ୍ ବ୍ୟବହାର କରାଯାଉଛି। ବିମାନ ବନ୍ଦରରେ ନିଜେ ଲୋକମାନଙ୍କୁ ସେମାନଙ୍କର ଲୋକେସନ ସେଟିଂ କୁ ସର୍ବଦା ଅନ୍  ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପରି ପରିସ୍ଥିତିରେ ଯଦି ଏହି ଲୋକମାନେ ଘରୁ ବାହାରକୁ ଯାଆନ୍ତି, ତେବେ ତୁରନ୍ତ  ପ୍ରଶାସନ ସେକଥା ଜାଣିଯାଉଛି ।  ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ହ୍ଵାଟସ୍ଆପ୍ ଭଳି ଏକ ଆପ୍ ତିଆରି କରିଛି। ଯଦି ସଂକ୍ରମିତ ବ୍ୟକ୍ତି ସେମାନଙ୍କ ରୁଟିନ୍ ଠାରୁ ଭିନ୍ନ କାର୍ଯ୍ୟକଳାପ କରୁଥିବାର ଦେଖାଯାଏ ତେବେ ଆପ୍ ଆଲାର୍ମ ଏବଂ ଆଲର୍ଟ ଦେଇଥାଏ । ଏଠାରୁ ବାହାରୁ ଆସିଥିବା ୧୦୬୦୦ ଲୋକଙ୍କ ମଧ୍ୟରୁ ୪୨% ଙ୍କ ଉପରେ ଏହି   ଆପ୍ ମାଧ୍ୟମରେ ନଜର ରଖାଯାଉଛି। କୋରିଆ ଏବଂ ତାଇୱାନରେ କ୍ୱାରେଣ୍ଟାଇନ ଭାଙ୍ଗିବା, ଘରେ ଫୋନ ଛାଡ଼ିକି ଗଲେ ବଡ଼ ଜରିମାନା ଦେଇ ଜେଲକୁ ପଠାଇବା ଭଳି ଦଣ୍ଡ ରହିଛି।

ଚୀନରେ ୨୦୦ ସହରରେ ଆପ୍ ବ୍ୟବହାର କରାଯାଉଛି ।
ଚୀନର ପ୍ରାଦେଶିକ ସରକାରମାନେ ମଧ୍ୟ  ଏକ ହେଲ୍ଥ ଚେକ୍ ଆପ୍ ତିଆରି କରିଛନ୍ତି । ଏହି ଆପ୍ ଅନେକ ଭିନ୍ନ ପ୍ଲାଟଫର୍ମରେ ଚାଲିପାରିବ । ଲୋକମାନେ କେଉଁଠାକୁ ଯିବା ଆସିବା କରିଛନ୍ତି  ଏବଂ କ୍ୱାରେଣ୍ଟାଇନରେ ପ୍ରତିଦିନ ସେମାନଙ୍କର ସ୍ଥିତି କିପରି ଅଛି ତାକୁ ନେଇ ଆପ୍ ଏକ କଲର କୋ଼ଡ୍ ଜେନରେଟ୍ କରିଥାଏ ।  ଏହି କଲର କୋଡ୍ ସରକାରଙ୍କ ପାଖରେ ପହଞ୍ଚେ । ଏହି ସିଷ୍ଟମ୍ କେତେ ସଠିକ୍, ବର୍ତ୍ତମାନ କହିବା କଷ୍ଟକର।

WHO ମଧ୍ୟ ମାଇ ହେଲଥ ଆପ୍ ତିଆରି କରୁଛି । ଫେସବୁକ୍, ଗୁଗଲ୍, ଟେନ୍ସେଣ୍ଟ ଏବଂ ବିଟ୍ ଡ୍ୟାନ୍ସ ଭଳି କମ୍ପାନୀଗୁଡିକ ସେମାନଙ୍କ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ କାର୍ଯ୍ୟକଳାପକୁ ଟ୍ରାକିଂ କରିସାରିଛନ୍ତି, WHO ଏହି କମ୍ପାନୀଗୁଡିକ ସହିତ କାର୍ଯ୍ୟ କରିବାକୁ ସମର୍ଥ ହେବ ଯେଉଁଠାରେ ରୋଗ କେଉଁଠାରେ ବ୍ୟାପିଛି ଏବଂ କେଉଁଠାରେ ବିସ୍ତାର କରିବାକୁ ଯାଉଛି। ଏହି ତଥ୍ୟର ସାହାଯ୍ୟରେ, ଜିଲ୍ଲା ଏବଂ ସହରଗୁଡିକର ନିୟମ କେତେ ପ୍ରଭାବଶାଳୀ ତାହା ସରକାରମାନେ ମଧ୍ୟ ଜାଣିପାରିବେ।

କେଉଁ ରାସ୍ତା କିମ୍ବା ବିଲଡିଂରେ କେତେ ଭିଡ଼ ଅଛି ତାହା ଗୁଗୁଲ୍ କହିବ ।
ମାନଚିତ୍ରଗୁଡିକର ସାହାଯ୍ୟରେ ଗୁଗୁଲ ଏପରି ଏକ ସିଷ୍ଟମ ସୃଷ୍ଟି କରୁଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଜାଣିପାରିବେ ଯେ କେଉଁ ରାସ୍ତା ଭିଡ଼ ହୋଇଛି। ଯାହାଦ୍ୱାରା ଲୋକମାନେ ସେଠାକୁ ଯିବେ କି ନାହିଁ ତାହା ସ୍ଥିର କରିପାରିବେ । ସାମାଜିକ ଦୂରତା ଅନୁସରଣ କରାଯାଉଛି କି ନାହିଁ ଜାଣିବା ପାଇଁ ସରକାର ଏହାକୁ ବ୍ୟବହାର କରିପାରିବେ । ବ୍ରିଟିଶ ସରକାରଙ୍କ ପାଇଁ ଡିଜିଟାଲ ସେବାର ପୂର୍ବତନ ମୁଖ୍ୟ ମାଇକ ବ୍ରାକେନ୍ କହିଛନ୍ତି ଯେ ଲୋକଙ୍କୁ ଟ୍ରାକ୍ କରିବା ପାଇଁ ସରକାରଙ୍କ ପାଖରେ ଟେକ୍ନୋଲୋଜି ଅଛି। କୋରେନା ସହିତ ଲଢ଼ିବାରେ ଏହା କେତେ ବ୍ୟବହାର କରୁଛି ତାହା କେହି ଖୋଲାଖୋଲି ଭାବରେ କହିବେ ନାହିଁ |

ଲକଡାଉନ୍ ପରେ ଭାରତୀୟ ରେଳ କିଭଳି ସାମାଜିକ ଦୂରତାକୁ ରକ୍ଷା କରିବ,ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ ଜାରି ରହିଛି । ଯାତାୟତ ଠପ୍‌ ହୋଇଥିବାବେଳେ ଜୀବନଯାତ୍ରା ବି ପ୍ରଭାବିତ ହୋଇଛି , ହେଲେ ଲକଡ଼ାଉନ ପରେ ଯଦି ରେଳଯାତ୍ରା ଆରମ୍ଭ ହୁଏ ତେବେ କଣ ହେବ ବ୍ୟବସ୍ଥା ? ସାମାଜିକ ଦୂରତାକୁ କିଭଳି ଦିଆଯିବ ଗୁରୁତ୍ୱ ? ସ୍ୱଚ୍ଛତାକୁ ଦିଆଯିବ ତ ସର୍ବାଧିକ ପ୍ରାଥମିକତା ? ଏନେଇ କଣ ଚିନ୍ତା କରୁଛି ରେଳ ବିଭାଗ ?

ଦେଶରେ ବିଗତ ୨୫ ମାର୍ଚ୍ଚରୁ ସ୍ଥଗିତ ରହିଛି ରେଳଯାତ୍ରା । ତେବେ ୨୧ ଦିନର ଲକଡ଼ାଉନ ସରିବା ପରେବି ମନରୁ ଯାଇନଥିବ କରୋନା ସଂକ୍ରମଣର ଭୟ । ବେଳକୁ ବେଳ ସ୍ଥିତି ଜଟିଳ ହେଉଛି, ଏଭଳି ଏକ କ୍ଷେତ୍ରରେ ରେଳଯାତ୍ରା କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା ବଢିଯାଇଛି? ଟ୍ରେନରେ ସାମାଜିକ ଦୂରତାକୁ ରକ୍ଷା କରିବା କଣ ସମ୍ଭବପର ହେବ? ବାସ୍ତବିକ ପରିଷ୍କାର ପରିଚ୍ଛନ୍ନତାକୁ କେତେ ଗୁରୁତ୍ୱ ଦିଆଯିବ? ଏମିତି ଅନେକ ପ୍ରଶ୍ନ ଏବେ ଆପଣଙ୍କ ମନରେ ଉଙ୍କି ମାରୁଛି । ତେବେ ଭାରତୀୟ ରେଳବିଭାଗ ଏ ଦିଗରେ ଗମ୍ଭୀରତା ପ୍ରକାଶ କରିଛି । କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା କଥା ଚିନ୍ତା କରାଯାଉଛି । ଲକଡ଼ାଉନ ସରିବା ପରେ ରେଳଯାତ୍ରୀଙ୍କ ପାଇଁ ଆଡ଼ଭାଇଜାରୀ ଜାରିକରିବାକୁ ବିଚାର କରାଯାଉଛି ।

ଏଥିରେ ରହିବ ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟର ସର୍ତ୍ତ , ତାସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ଆରୋଗ୍ୟ ସେତୁ ଆପ୍‌ର ବ୍ୟବହାର । ଏ ନିର୍ଦ୍ଦେଶ ମଧ୍ୟ ଆସିପାରେ ଯେ କେବଳ ସୁସ୍ଥ ଯାତ୍ରୀ ହିଁ କରିପାରିବେ ରେଳ ଯାତ୍ରା । ରେଲୱେ ବୋର୍ଡର ପ୍ରତ୍ୟେକ ଜୋନକୁ ଏ ସବୁ ଦିଗକୁ ଗୁରୁତ୍ୱ ଦେବାର ପ୍ରସ୍ତାବ ଦିଆଯାଇଛି । ଏ ସମ୍ବେଦନଶୀଳ ସମୟରେ ଆମ ଧ୍ୟାନ ରାଜସ୍ୱ ଆଦାୟରେ ନୁହଁ ବରଂ ଜୀବନ ବଞ୍ଚାଇବାରେ ରହିବା ଯଥାର୍ଥ ହେବ ବୋଲି ମତ ପ୍ରକାଶ ପାଇଛି । ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବର୍ତ୍ତମାନ ସମୟରେ ରେଳବିଭାଗର ଗୁରୁ ଦାୟିତ୍ୱ ହେଉ । ଯାହା ଦ୍ଵାରା ସଂକ୍ରମଣ ରୋକା ଯାଇପାରିବ ।

ତେବେ କେଉଁ କେଉଁ ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଚାଲିବ ତାର ନିର୍ଣ୍ଣୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଅଧିକାରୀ ପ୍ରଥମେ ଏହା ଦେଖିବେ ଯେ ଦେଶର କେଉଁ କେଉଁ କ୍ଷେତ୍ରକୁ ରେଳ ଚଳାଚଳର ସୁବିଧା ଉପଲବ୍ଧ ହେଉଛି । ତେବେ ସୂଚନା ମୁତାବକ କ୍ୱାରେଣ୍ଟାଇନ ସମୟରେ  ରେଳ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସିଟ ଆରେଞ୍ଜମେଣ୍ଟ ସହ ତିଆରି ହେଉଛି ଆଇସୋଲେସନ କୋଚ୍‌ ।  ଆଶା କରିବା ରେଳ ବିଭାଗର ଏ ତତ୍ପରତା ଲକଡ଼ାଉନ ପରର ସ୍ଥିତିକୁ ସ୍ୱାଭାବିକ କରିବାରେ ସହାୟକ ହେବ ।

(ସ୍ମୃତିଲଗ୍ନା ନନ୍ଦ)

ହସ୍ପିଟାଲ ଟେନସନ୍ ପରେ କନିକାଙ୍କୁ ଏବେ ଥାନାକୁ ଦୌଡିବାକୁ ପଡିବ.. କାହିଁକି ? ଜାଣନ୍ତୁ..

ଲକ୍ଷ୍ନୌ: ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGI) ରେ ପଞ୍ଚମ ଟେଷ୍ଟ ପରେ ଗାୟିକା କନିକା କପୁରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଡାକ୍ତରଙ୍କ ଅନୁସାରେ ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ । ଡାକ୍ତରଖାନାର ପ୍ରଶାସନ ଏବେ ଦୀର୍ଘ ନିଶ୍ୱାସ ନେଇଛନ୍ତି । କାରଣ କନିକା କପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମୟରେ ହଇଚଇ ସୃଷ୍ଟି କରିଥିଲେ । ଏବେ ପୋଲିସ କନିକାଙ୍କ ବିରୋଧରେ ଦାଖଲ ହୋଇଥିବା ଘଟଣାର ତଦନ୍ତ ପାଇଁ ପ୍ରସ୍ତୁତି ଚଲାଇଛି। । ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାଗୁଡ଼ିକ ବିଷୟରେ କନିକା କପୁର ମଧ୍ୟ ଅବଗତ ଅଛନ୍ତି । ଏଥିପାଇଁ କନିକା ଡାକ୍ତରଖାନାରୁ ଫୋନରେ ତାଙ୍କ ଓକିଲଙ୍କ ସହ କଥା ହୋଇଥିଲେ।

ମାର୍ଚ୍ଚ ମାସ ୨୦ ତାରିଖରେ ଲକ୍ଷ୍ନୌ ବାସିନ୍ଦା କନିକା କପୁରଙ୍କ କରୋନା ପଜିଟିଭ ଖବର ସାମ୍ନାକୁ ଆସିଥିଲା । କରୋନା ରିପୋର୍ଟ ପଜିଟିଭ ହେବା ପରେ କନିକାଙ୍କୁ PGI ରେ ଭର୍ତ୍ତି କରାଯାଇଥିଲା । କରୋନା ସଂକ୍ରମଣ ସତ୍ତ୍ୱେ କନିକା ସହରର ଅନେକ ପାର୍ଟୀରେ ଯୋଗ ଦେଇଥିଲେ । ତେବେ କନିକାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, କନିକା ଏୟାରପୋର୍ଟରେ ପହଞ୍ଚିବା ପରେ ମଧ୍ୟ ଯାଞ୍ଚ କରିନଥିଲେ। ସଂକ୍ରମଣକୁ ଲୁଚାଇବା ପାଇଁ କନିକାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ସରୋଜିନୀ ନଗର ସିଏମଓଙ୍କ  ଦ୍ୱାରା ଏଫଆଇଆର ଦାଖଲ କରାଯାଇଥିଲା।

କନିକାଙ୍କ ବିରୋଧରେ ଆଇପିସି ଧାରା ୧୮୮ର ଉଲ୍ଲଘଂନ, ଧାରା ୨୬୯ ଅନ୍ତର୍ଗତରେ ଅବହେଳା କରି ସଂକ୍ରମଣ ବିସ୍ତାର କରିବା, ଧାରା ୨୭୦  ଅର୍ଥାତ ବିଦ୍ୱେଶପୂର୍ଣ୍ଣ ଭାବନାରେ ଲୋକଙ୍କ ମଧ୍ୟରେ ଭାଇରସ ସଂକ୍ରମଣ କରିବା ମାମଲା  ଦାଏର ହୋଇଛି ।

ପଚରାଉଚରା ବେଳେ କନିକା କପୁର ପୋଲିସ ପ୍ରଶାସନକୁ କହିଛନ୍ତି ଯେ, ସେ ମାର୍ଚ୍ଚ ୧୧ ତାରିଖରେ ଲକ୍ଷ୍ନୌ ଆସିଥିଲେ। କିନ୍ତୁ   ପ୍ରଶାସନିକ ତ୍ରୁଟି କାରଣରୁ  ମାର୍ଚ୍ଚ ୧୪ ତାରିଖରେ ସେ ଲକ୍ଷ୍ନୌ ଆସିଥିଲେ ବୋଲି  ଲେଖା ଯାଇଥିଲା  । ଏହା ସହ କନିକା କପୁରଙ୍କ ଏଫଆଇଆରରେ, ମହିଳା ବଦଳରେ ପୁରୁଷ ଲେଖାଯାଇଥିଲା । କେବଳ ସେତିକି ନୁହେଁ ତାଙ୍କ ବୟସ ମଧ୍ୟ ଭୁଲ ଲେଖାଯାଇଥିଲା ।  ସିଏମଓ ସଠିକ୍ ସୂଚନା ଦେବା ପରେ ସରୋଜିନୀ ନାଗର ପୋଲିସ ଏକ ମାମଲା  ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଅଧିକାରୀ କନିକାଙ୍କ ସହ ଫୋନରେ କଥା ହୋଇ ତାଙ୍କଠାରୁ କିଛି ଉତ୍ତର ମାଗିଥିଲେ। ସେମାନଙ୍କୁ ଉତ୍ତର ଦେବା ପୂର୍ବରୁ କନିକାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଏବଂ ସେ ପୋଲିସକୁ ଉତ୍ତର ଦେଇପାରିନଥିଲେ। ଏବେ କନିକାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ PGI ଖୁବ୍ ଶୀଘ୍ର ତାଙ୍କର ଆଉ ଏକ ଟେଷ୍ଟ କରିବ । ଯଦି ଏହି ରିପୋର୍ଟ ନେଗେଟିଭ୍ ଆସେ ତେବେ କନିକାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଏହା ପରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାଗୁଡ଼ିକର ତଦନ୍ତ କରାଯିବ। ଏହି କାରଣରୁ, କନିକା ତାଙ୍କ ଓକିଲଙ୍କୁ ପୋଲିସ ପଚାରିଥିବା ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରିବାକୁ କହିଛନ୍ତି।