ନନ୍ଦିଘୋଷ ବ୍ୟୁରୋ : ଇରାନରେ ୩ ଭାରତୀୟଙ୍କୁ ଅପହରଣ। ମୁକ୍ତ କରିବାକୁ ସମ୍ପର୍କୀୟଙ୍କଠାରୁ ୧ କୋଟି ମଗାଯାଉଥିବା ଅଭିଯୋଗ ହୋଇଛି। ଭାରତରୁ ଇରାନ ଦେଇ ଅଷ୍ଟ୍ରେଲିଆ ଯିବାବେଳେ ୩ ଯୁବକ ନିଖୋଜ ହୋଇଯାଇଛନ୍ତି। ପଞ୍ଜାବର ସଙ୍ଗରୁର, ହୋସିଆରପୁର ଏବଂ ଏସବିଏସ ନଗରରୁ ଇରାନ ଯାଇଥିବା ତିନି ଜଣ ଭାରତୀୟ ନିଖୋଜ ହୋଇଯାଇଛନ୍ତି। ଇରାନର ରାଜଧାନୀ ତେହେରାନରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଏହାକୁ ନିଶ୍ଚିତ କରିଛି। ନିଖୋଜ ତିନି ଜଣଙ୍କୁ ତୁରନ୍ତ ଠାବ କରିବା ପାଇଁ ପ୍ରୟାସ କରାଯାଉଛି। ଏହି ତିନି ଜଣ ହେଲେ ହୁଶନପ୍ରୀତ ସିଂ, ଜସପାଲ ସିଂ ଏବଂ ଅମୃତପାଲ ସିଂ ବୋଲି ଜଣାପଡିଛି। ମେ ୧ ତାରିଖରେ ତେହେରାନରେ ପହଞ୍ଚିବା ପରେ ସମସ୍ତେ ନିଖୋଜ ହୋଇଯାଇଥିଲେ। ନିଖୋଜଙ୍କ ହାତ ବନ୍ଧା ଯାଇଥିବାବେଳେ ଶରୀରରେ ଆଘାତ ଚିହ୍ନ ରହିଛି।ପଞ୍ଜାବର ଜଣେ ଏଜେଣ୍ଟ ଦୁବାଇ-ଇରାନ ଦେଇ ତିନି ଜଣଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ତିନି ଜଣଙ୍କୁ ଇରାନରେ ରହିବାର ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇରାନ ଯାତ୍ରା କରିବା ପରେ ୩ ଜଣ ନିଖୋଜ ହୋଇଯାଇଥିବା ସେମାନଙ୍କ ସମ୍ପର୍କୀୟ କହିଛନ୍ତି। ଭାରତୀୟ ଦୂତାବାସ ଏହି ମାମଲାକୁ ଇରାନ କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇଛି। ନିଖୋଜ ଭାରତୀୟଙ୍କୁ ତୁରନ୍ତ ଖୋଜିବାକୁ କହିଛି।
ଇସ୍ରାଏଲୀ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ
ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲୀ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ।ଆଇଡିଏଫର ଆକ୍ରମଣରେ ଗାଜାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସର ମୁଖ୍ୟ ସିନୱାରର ମୃତ୍ୟୁ ହୋଇଥିବା ଜଣାପଜିଛି। ମୃତ୍ୟୁ ନେଇ ସ୍ପଷ୍ଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ଗତ ୧୪ ତାରିଖରେ ଇସ୍ରାଏଲ ହମଲାରେ ମୃତ୍ଯୁ ହୋଇଥିବା ସୂଚନା। ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ ହୋଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଘୋଷଣା କରିଛନ୍ତି। ଏବେବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗି ରହିଛି ଯୁଦ୍ଧ ସ୍ଥିତି। ଇସ୍ରାଏଲୀ ସେନା ବହୁ ଦିନ ଧରି ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଖୋଜୁଥିଲା। ସିନୱାର ପୂର୍ବତନ ହମାସ ନେତା ୟାହ୍ୟା ସିନୱାରଙ୍କ ସାନ ଭାଇ। ଯିଏକି ଗତବର୍ଷ ଇସ୍ରାଏଲୀ ସୈନ୍ୟଙ୍କ ସହ ଗୁଳିବିନିମୟରେ ପ୍ରାଣ ହରାଇଥିଲେ। ମେ ୧୪ ତାରିଖରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ହମାସ ମୁଖ୍ୟ ଗୁରୁତର ଆହତ ହୋଇଥିବା ରିପୋର୍ଟ ଆସିଥିଲା। ସେହି ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କିମ୍ବା IDF ନିଶ୍ଚିତ କରିନଥିଲା। ମହମ୍ମଦ ସିନୱାର ପୂର୍ବତନ ହମାସ ମୁଖ୍ୟ ୟାହ୍ୟା ସିନୱାର ମଧ୍ୟ ୨୦୨୪ରେ ଇସ୍ରାଏଲୀ ସେନା ସହିତ ସଂଘର୍ଷରେ ନିହତ ହୋଇଥିଲେ।
ପୁଣି ଠାବ ହେଲା ପାକିସ୍ତାନର ଗୁଳିଗୋଳା
ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ପୁଣି ଠାବ ହେଲା ପାକିସ୍ତାନର ଗୁଳିଗୋଳା। ନରୱାଲ ଅଂଚଳରୁ ଠାବ ହୋଇଛି ୩ ଗୁଳିଗୋଳା। ସୀମାନ୍ତ ପାକିସ୍ତାନ ପଟୁ ଆସି ଖସିଥିବା ସନ୍ଦେହ କରି ଉତ୍ତେଜନା ପ୍ରକାଶ ପାଇଛି।ସୂଚନା ପରେ ଅଂଚଳକୁ ଘେରାବନ୍ଦୀ କରି ଗୁଳିଗୋଳା ସବୁ ଜବତ କରିଥିଲା ବୋମା ନିଷ୍କ୍ରିୟକାରୀ ଟିମ। ବୋମା ନିଷ୍କ୍ରିୟକାରୀ ଟିମ ସହାୟତାରେ ଗୁଳିଗୋଳାଗୁଡିକୁ ଡିଫ୍ୟୁଜ କରାଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଥିବାବେଳେ ଗୁଳିଗୋଳା କେମିତି ଆସିଲା ଚାଲିଛି ତନାଘନା। ସ୍ଥାନୀୟ ଲୋକମାନେ ଏହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଆଖପାଖ ଅଂଚଳ ଖାଲି କରି ବମ୍ ସ୍କ୍ବାଡ୍ ଏସବୁକୁ ନିଷ୍କ୍ରିୟ କରିଥିଲା।ପ୍ରାଥମିକ ତଦନ୍ତ ଅନୁଯାୟୀ ଭାରତ-ପାକିସ୍ତାନ ସୀମାରେ ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ପରିସ୍ଥିତି ସମୟରେ ଏହି ସେଲ୍ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି। ତଥାପି ଏହି ସେଲ୍ କିପରି ସେଠାରେ ପହଞ୍ଚିଲା। ଏହା ପଛରେ କିଛି କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ ତଦନ୍ତ କରୁଛି ପୋଲିସ ।
୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ଚାଷୀଙ୍କ ପାଇଁ ଆସିଲା ଖୁସି । ୧୦ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲ୍ଲାକୁ ଅଗ୍ରସର । ଚଳିତବର୍ଷ ଭଲ ବର୍ଷା ସହ ଚାଷ ପାଇଁ ରହିବନି ପାଣିର ଅଭାବ । ଗତବର୍ଷ ଜୁନ୍ ୮ରେ ଓଡିଶା ଛୁଇଁଥିଲା ମୌସୁମୀ । ତେବେ ଚଳିତବର୍ଷ ୧୦ ଦିନ ଆଗରୁ ମାଲକାନାଗିରି, କୋରାପୁଟ ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହୋଇଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି । ତେବେ ପାଗ ଅନୁକୂଳ ଥିବାରୁ ଖୁବଶୀଘ୍ର ଏହା ସାରା ଓଡ଼ିଶାରେ ସକ୍ରିୟ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗର ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଭିତରେ ଏହା ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିବ । ପ୍ରଭାବରେ ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ୨୪ ଘଣ୍ଟା ଭିତରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହିତ ବିଜୁଳି ଘଡଘଡି ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି ।
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ ବୈଠକ। କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ଲାଗିଲା ମୋହର। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି। ରାଜ୍ୟ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ପ୍ରବେଶ ସର୍ବୋଚ୍ଚ ବୟସ ସୀମା ୩୨ ଥିଲା । ଏହି ବୟସ ସୀମା ଏବେ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ତେବେ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା ଇତ୍ୟାଦି କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତା ବ୍ୟତିତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବରେ ପ୍ରବେଶ ପାଇଁ ବୟସସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି ପାଇଛି। ଜଟାଧାର ମୁହାଁଣରେ ନିଜସ୍ଵ ଜେଟି ସ୍ଥାପନ ହେବ । ଏଥିଲାଗି ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ ଲିମିଟେଡ ମଧ୍ୟରେ ରିହାତି ଚୁକ୍ତି ଅନୁମୋଦନ ସ୍ଵାକ୍ଷରକୁ ଅନୁମତି । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ କରିବାକୁ ନିଷ୍ପତ୍ତି । ଏଥିଲାଗି ୧୭୧ କୋଟି ଟଙ୍କା ଅନୁମୋଦନ କରାଯାଇଛି । ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଚକ୍ଷୁ ଚିକିତ୍ସା ସେବା କ୍ଷେତ୍ରରେ ମୋଟ ୫୩୮ ଚକ୍ଷୁ ଚିକିତ୍ସା ସହାୟକ ପଦବୀକୁ ଅନୁମୋଦନ ମିଳିଛି। ୧୪୧ଟି ନୂଆ ପଦବୀ ସୃଷ୍ଟି ସହ ପଦୋନ୍ନତି ଭିତ୍ତିରେ ୨୦୦ଟି ପଦବୀ ସୃଷ୍ଟି କରାଯାଇଛି। ରାଜ୍ୟରେ AI କ୍ଷେତ୍ରରେ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯିବ। AI ମିସନ ଓ AI ସେଲ ଆରମ୍ଭ ହେବ।
ଖଣ୍ଡଗିରିରେ ଆମ ବସ ଦୁର୍ଘଟଣା, ବୃଦ୍ଧଙ୍କୁ ପିଟି ଘୋଷାଡ଼ି ନେଲା ଆମ ବସ
ଭୁବନେଶ୍ଵର : ଭୁବନେଶ୍ଵରର ଖଣ୍ଡଗିରିରେ ଆମ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ବୃଦ୍ଧଙ୍କୁ ଧକ୍କା ଦେବା ସହିତ ଘୋଷାଡ଼ି ନେଲା ଆମ ବସ । ମୃତକ ଭିମଟାଙ୍ଗି ଅଞ୍ଚଳରେ ୫୫ ବର୍ଷୀୟ ତ୍ରିନାଥ ବାରିକ । ସେ ଆଇଗିଣିଆର ଏକ ବାଇକ ସୋରୁମରେ କାମ କରନ୍ତି । ଆଜି ସନ୍ଧ୍ୟାରେ ସିକୁରିଟି ଗାର୍ଡ ଡିୟୁଟି ସାରି ଫେରୁଥିବା ବେଳେ ଖଣ୍ଡଗିରି ଛକରେ ଆମ ବସ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକିରି ପଛରେ ଆସୁଥିବା ଅଉ ଏକ ଆମ ବସକୁ ଉତ୍ତ୍ୟକ୍ତ ଲୋକେ ଢେଲା ପଥର ମାଡ଼ କରି ବସର କାଚ ଭାଙ୍ଗିଦେଇଥିଲେ । ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଭୁବନେଶ୍ଵର ଡିସିପି ସହତ ପୋଲିସ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା ପରେ ମୃତଦେହକୁ ଛାଡ଼ିଥିଲେ ଲୋକେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଏକମାତ୍ର ଦୋଷୀ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାବାସ
ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ସାଢେ ସାତ ବର୍ଷ ପରେ ଆସିଲା ଚୂଡାନ୍ତ ରାୟ । ଏକମାତ୍ର ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଆଜୀବନ ଦଣ୍ଡାଦେଶ । ବୃତ୍ତିଗତ ଶତ୍ରୁତାରୁ ପୁଞ୍ଜିଲାଲ କରିଥିଲା ନାରକୀୟକାଣ୍ଡ । ୨୦୧୮ ଫେବୃଆରୀ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଫୁଟିଥିଲା ପାର୍ସଲ ବୋମା । ପୁଅ ସୌମ୍ୟଶେଖରଙ୍କ ବାହାଘରରେ ମିଳିଥିବା ଗିଫ୍ଟ ଖୋଲିଲାବେଳେ ଏହି ପାର୍ସଲ ବୋମା ଫୁଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ହୋଇଥିଲା । ସୋମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରିମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ । ଏହି ଲୋମହର୍ଷଣକାରୀ ଘଟଣାର ପ୍ରଥମେ ସ୍ଥାନୀୟ ପୋଲିସ ତଦନ୍ତ କରୁଥିବା ବେଳେ ପ୍ରାୟ ଦେଢ ମାସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ବୃତ୍ତିଗତ ଶତୃତାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ରାୟପୁରରୁ ପାଟଣାଗଡକୁ ପାର୍ସଲ କରିଥିଲା ବୋମା । ପୁଅ ବାହାଘର ପରେ ପରିବାର ଲୋକେ ଖୋଲିଥିଲେ ଉପହାର ।ଗୋଟିଏ ପରେ ଗୋଟିଏ ଉପହାର ଖୋଲିବା ପରେ ଗୋଟିଏ ଗିଫ୍ଟ ଖୋଲିବା ମାତ୍ରେ ହୋଇଥିଲା ବିସ୍ଫୋରଣ । ବିସ୍ପୋରଣରେ ପ୍ରଚଣ୍ଡ ଶଦ୍ଦ ହେବା ସହ ଘରର ଛାତ ସହ କାନ୍ଥ ଫାଟିଥିଲା ।ବହୁ ତନାଘନା ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲକୁ ଗିରଫ କରିଥିଲା । ଆଉ ଆଜି ତାକୁ ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦଣ୍ଡାଦେଶ ପରେ ସୌମ୍ୟଶେଖରଙ୍କ ପରିବାର ସାମାନ୍ୟ ଆଶ୍ବସ୍ତି ହୋଇଛନ୍ତି ।
କ୍ରାଇମବ୍ରାଞ୍ଜ ଟିମ୍ ପାଟଣାଗଡ, ଭଇଁସା କଲେଜ ଓ ରାୟପୁର ଯାଇ ତଦନ୍ତ କରିଥିଲା। ସାଢେ ୭ବର୍ଷର ନ୍ୟାୟିକ ପ୍ରକ୍ରିୟାରେ ୬୨ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା । କୋର୍ଟରେ ଶହେ ଦଲିଲ ଓ ୫୨ ଉପକରଣ ଉପସ୍ଥାପିତ କରାଯାଇଥିଲା । କୋର୍ଟ ଆଇପିସିର ଧାରା ୩୦୨, ୩୦୭, ୨୦୧ ସହ ବିସ୍ଫୋରକ ସାମଗ୍ରୀ ଆଇନର ଧାରା ୩ ଓ ୪ ଆଧାରରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦଣ୍ଡାଦେଶ ପରେ ପୁଞ୍ଜିଲାଲ କାନ୍ଦି ପକାଇଥିଲେ । ସେପଟେ ଏଡିଜେ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସେ କହିଛନ୍ତି । ସୌମ୍ୟଶେଖରଙ୍କ ପରିବାର କହିଛନ୍ତି, ପୁଞ୍ଜିଲାଲ ଉପର କୋର୍ଟକୁ ଗଲେ ସେମାନେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବେ ।
ରାଜ୍ୟରୁ ଚିହ୍ନଟ ସମସ୍ତ ୫ କୋଭିଡ ରୋଗୀ ଖୋର୍ଦ୍ଧା ଜିଲ୍ଲାର
ଭୁବନେଶ୍ବର : ଧୀରେ ଧୀରେ ଖୋର୍ଦ୍ଧା ଜିଲ୍ଲା କୋଭିଡ ସ୍ପଟ ପାଲଟୁଛି । ଏବେଠାରୁ ପ୍ରତିକାର ବ୍ୟବସ୍ଥା କରାନଗଲେ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ପାଲଟିବାର ଆଶଂକା ରହିଛି । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ହିଁ ୫ ଜଣ କୋଭିଡ ରୋଗୀ ଥିବା ରିପୋର୍ଟ ହୋଇଛି । ପର୍ବରୁ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିବା ଜଣେ ୭୬ ବର୍ଷ ବୟସ୍କ କୋ-ମରବିଡ ରୋଗୀଙ୍କ ଶରୀରରେ କୋଭିଡ ଚିହ୍ନଟ ହୋଇଥିଲା । ଜେନମ ସିକୁଏନସିଂରୁ ଜଣା ପଡ଼ଛି ଯେ ତାହା ଓମିକ୍ରନର ସବ ଭାରିଆଣ୍ଟ ଜେଏନ-୧ । ତେବେ ଆଜି ଆଉ ଚାରି ଜଣ ସନ୍ଦିଗ୍ଧଙ୍କ ଖବର ମିଳିଛି । ଚହ୍ନଟ ହୋଇଥିବା ରୋଗୀଙ୍କ ଭିତରୁ ଜଣେ ମହିଳା ଅଛନ୍ତି । ନୂଆ ରୋଗୀଙ୍କ ଭିତରୁ ତିନି ଜଣ ଭୁବନେଶ୍ବରର ହୋଇଥିବାବେଳେ ଜଣେ ଜଟଣୀରେ ରୁହନ୍ତି । ଜଟଣୀରୁ ଚିହ୍ନଟ ହୋଇଥିବା କୋଭିଡ ରୋଗୀଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଛି । ତେବେ ଖୁବ୍ ଶୀଘ୍ର ଏହି ୪ ଜଣଙ୍କ ଆରଟିପିସିଆର ସହ ଜେନମ ସିକୁଏନସିଂ କରାଯିବ । ବହୁ ବର୍ଷରୁ ଆଣ୍ଟିଜେନ କିଟ କାର୍ଯ୍ୟକାରୀ ହୋଇ ନଥିବାରୁ ଏହାର ଗୁଣବତ୍ତା ପରୀକ୍ଷା ପାଇଁ ଏହାକୁ ଆରଏମଆରସି ପଠାଇଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ଦେଶରେ କୋଭିଡ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟମାନଙ୍କ ସହ ବୈଠକ ଡ଼କାଇ ଥିଲେ । ହେଲେ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିବାରୁ କୌଣସି ନୂଆ ମାର୍ଗଦର୍ଶିକା ଆସି ପାରିଲା ନାହିଁ । ତେବେ ରାଜ୍ୟର କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ।
ଓମିକ୍ରନର ସବ ଭାରିଆଣ୍ଟ ଜେଏନ-୧ର ବିଭିନ୍ନ ଲକ୍ଷଣ ରହୁଛି । ଭୋକ ନ ଲାଗିବା, ଜ୍ବର, ଥଣ୍ଡା, ଗଳାରେ ସଂକ୍ରମଣ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଗ୍ୟାସ୍ଟ୍ରିକ, ବାନ୍ତି, ନାକରୁ ପାଣି ବାହାରିବା ଲକ୍ଷଣ ଦେଖାଦେଉଛି । ଏହା ସେତେଟା ମାରାତ୍ମକ ନ ହୋଇଥିଲେ ସୁଦ୍ଧା ଲକ୍ଷଣ ଦେଖା ଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଚଳିତ ମାସ ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ ସ୍ଥିତି ଅଣାୟତ୍ତ କରିଛି । ଏପ୍ରିଲ ମାସରେ ଥାଇଲାଣ୍ଡରେ ସଂଗକ୍ରାନ ପର୍ବ ହୋଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିବାରୁ ସଂକ୍ରମଣ ବୃଦ୍ଧି ପାଇଥିଲା । ଓଡ଼ିଶାରେ ବି ପାଖେଇ ଆସିଲାଣି ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହା ପୂର୍ବରୁ କୋଭିଡକୁ ମାତ ନ ଦିଆଗଲେ, ରଥଯାତ୍ରାରେ ବି ସଂଗକ୍ରାନ ପରି ସଂକ୍ରମଣ ଯୋଗୁଁ ବିସ୍ଫୋରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ବିଜେପିର ମିଛ କାହାଣୀକୁ ସତ ଜବାବ ଦେବ ବିଜେଡି
ଭୁବନେଶ୍ବର : କାମ ଶୂନ । ପ୍ରଚାର ଓ ପ୍ରକଳ୍ପ ଘୋଷଣାରେ ବ୍ୟସ୍ତ ବିଜେପି । ବର୍ଷ ତମାମ ଉତ୍ସବ ପାଳନରେ ମସଗୁଲ ସରକାର । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କମିଛି କେନ୍ଦ୍ରୀୟ ଅନୁଦାନ, ଓଡିଶାରେ ବିକାଶ ସଂପୂର୍ଣ୍ଣ ଠପ । ନାଁ ହୋଇିଛି ରାସ୍ତାଘାଟ ନିର୍ମାଣ ନା କରାଯାଇଛି ଯୋଜନା । କେବଳ ରଙ୍ଗ ଓ ପୂର୍ବ ଯୋଜନାର ନାଁ ପରିବର୍ତ୍ତନରେ ସୀମିତ ରାଜ୍ୟ ସରକାର । ବିଜେପି ସରକାର ନିର୍ବାଚନ ପ୍ରତିଶୃତି ପାଳନରେ ବି ବିଫଳ ହୋଇଛି । ଏତେସବୁ ବିଫଳତା ଭିତରେ ରାଜ୍ୟ ସରକାର ସଫଳତାର ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ତେଣୁ ଏହା ସଫଳତାର ନୁହେଁ, ବିଫଳତାର ବର୍ଷପୂର୍ତ୍ତି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସରକାରଙ୍କ ବିଫଳତାକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯିବ । ସେପଟେ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜେପି ସରକାରର ସଫଳତା ଉତ୍ସବ ପାଳନକୁ କାଉଣ୍ଟର କରିବ ବିଜେଡି। ଜୁନ ୧୨ ରେ ଓଡିଶା ଦେଖିବ ନୂଆ ନାଟକ। ନାଟକର ନାଁ ହେଲା ବିଜେପିର ମିଛ କାହାଣୀକୁ ବିଜେଡିର ସତ ଜବାବ । ମଇଦାନ ପଡିଛି । ଓଡିଶାର ଜନତା ବିଜେଡିର ସ୍ଵର ସାଜିବେ। ଘରେ ଘରେ ରାସ୍ତା ଘାଟରେ ପ୍ରଚାର କରୁଛନ୍ତି । ବିଜେଡି ଜବାବ ଦେବ, ଅପେକ୍ଷା କରନ୍ତୁ ବୋଲି ଶାସକ ବିଜେପିକୁ ସିଧାସଳଖ ଚେତାବାନୀ ଦେଇଛନ୍ତି ବିଧାୟକ ଅରୁଣ ସାହୁ ।
ସେପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ତାହା ପାଳନ କରିବାରେ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ୩୦୦ ୟୁନିଟ ମାଗଣା ବିଜୁଳି, ସରକାର ଗଠନର ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ବେକାରୀଙ୍କୁ ନିଯୁକ୍ତି ଦେବା ଓ ଦାଦନ ବନ୍ଦ ହେବାର ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେପି ସରକାର ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡାଇ ଦେଇଛି । ସେହିପରି ବରିଷ୍ଠ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶା ସ୍ବାର୍ଥକୁ ଅବହେଳା କରାଯାଇଛି । ବିଜେପି ବିଧାୟକ ଅଶୋକ ମହାନ୍ତି ଏସବୁର ଜବାବ ଦେଇ କହିଛନ୍ତି, ବିଜେପି ଯେତିକି ପାରିଛି ସେତିକି କରିଛି । ବର୍ଷପୂର୍ତ୍ତି ପାଳନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ସଫଳତା ଓ ବିଫଳତାର ଲଢେଇ ଆରମ୍ଭ ହୋଇଛି । ବିଜେଡି ଲୋକଙ୍କ ସ୍ବର ସାଜି ସରକାରଙ୍କ ସତର ଜବାବ ଦେବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଗାଁ ଗାଁରେ ବିଜେପି ସରକାର ବିରୋଧରେ ଜନ ସଚେତନ କରିବାକୁ ଅଣ୍ଟା ଭିଡ଼ିଛି । ବିଜେପି କିନ୍ତୁ ସଫଳତାର ଗ୍ରାଣ୍ଡ ଉତ୍ସବ ପାଳନ କରିବାକୁ ବଡ ଧରଣର ସଜବାଜ ଆରମ୍ଭ କରିଛି ।
ପୋଲାଭରମ ପ୍ରକଳ୍ପ ନେଇ କେନ୍ଦ୍ରର ସମୀକ୍ଷାକୁ ବିଜେ଼ଡିର ସମାଲୋଚନା
ଭୁବନେଶ୍ବର : ପୋଲାଭରମ ସମୀକ୍ଷାକୁ ନେଇ ତେଜିଲା ରାଜନୀତି। ବିରୋଧୀ କହିଲେ ପ୍ରକଳ୍ନ ସରିବା ପରେ କେନ୍ଦ୍ରର ସମୀକ୍ଷା। ପ୍ରକଳ୍ନରେ ଓଡିଶାର ସ୍ବାର୍ଥକୁ ଟ୍ରିପଲ ଇଂଞ୍ଜିନ ସରକାରଙ୍କ ଅଣଦେଖା। କେନ୍ଦ୍ରକୁ ବିଜେଡି ଓ କଂଗ୍ରେସର ନିଶାଣ। ପୋଲାଭରମ ପ୍ରକଳ୍ନ ଯୋଗୁଁ ଓଡିଶାର ମାଲକାନାଗିରି ଜିଲ୍ଲା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବ। ବୁଡିଯିବ ମୋଟୁ ଅଂଚଳ। ଜଳମଗ୍ନ ହେବ ହଜାର ହଜାର ହେକ୍ଟର ଚାଷଜମି। ପ୍ରକଳ୍ନ ନକ୍ସା ପ୍ରସ୍ତୁତ ହେବା ଦିନଠାରୁ କେନ୍ଦ୍ରକୁ ଏହି ଦାବି ଜଣାଇ ଆସିଛି ଓଡିଶା। ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି। ଓଡିଶା ପ୍ରତିବାଦ କରିବା ସତ୍ତ୍ବେ କେନ୍ଦ୍ର ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ସ୍ବତନ୍ତ୍ର ଅନୁଦାନ ଦେଇଛନ୍ତି। ପୋଲାଭରମ ପ୍ରକଳ୍ନ କାମ ସରିବା ପରେ କେନ୍ଦ୍ର ସରକାରଙ୍କ ସମୀକ୍ଷା କଟା ଘାରେ ଚୂନ ସଦୃଶ ବୋଲି କହିଛି ବିଜେଡି। ପ୍ରକଳ୍ନ ଯୋଗୁଁ ଆଦିବାସୀମାନେ ବେଶୀ କ୍ଷତିଗସ୍ତ ହେବ। ଅଧା ମାଲକାନିଗିରି ବୁଡିଯିବ। ତେଣୁ ସମୀକ୍ଷା ପରେ ଓଡିଶାର କିଛି ଭାଗ୍ୟ ପରିବର୍ତ୍ତନ ହେବ ନାହିଁ କହିଛି ବିଜେଡି। ସେପଟେ କଂଗ୍ରେସ କହିଛି ଓଡିଶାକୁ ବୁଡାଇବା ପରେ ଟ୍ରିପଲ ଇଂଜିନ ସରକାର ପୋଲାଭରମ ପ୍ରକଳ୍ନର ସମୀକ୍ଷା କରୁଛନ୍ତି। ଯାହାର କୌଣସି ମୂଲ୍ୟନାହିଁ। ଯଦି ପ୍ରଧାନମନ୍ତ୍ରୀ ଓଡିଶାର ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ତେବେ ମାଲକାନାଗିରି କ୍ଷତିଗସ୍ତମାନଙ୍କୁ ନ୍ୟାୟ ଦିଅନ୍ତୁ କହିଛି କଂଗ୍ରେସ ।
ପୋଲାଭରମ ପ୍ରକଳ୍ନ ମାମଲାରେ ସୁପ୍ରିମକୋର୍ଟ ଆଡିବନ୍ଧ ନିର୍ମାଣ ସହ ଉଚ୍ଚତା କମାଇବାକୁ ପୂର୍ବରୁ କହିଛନ୍ତି।ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ବିଜେଡି ଦାବି କରିଛି। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟ ଉପଯୁକ୍ତ ଯୁକ୍ତି ବାଢି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାକୁ ଦୁଇ ବିରୋଧୀ ଦାବି କରିଛନ୍ତି। ଅନ୍ୟପଟେ ଶାସକ ବିଜେପି କହିଛି ରାଜ୍ୟ ସ୍ବାର୍ଥକୁ ଗୁରୁତ୍ବ ଦେଇ ସରକାର କାମ କରୁଛନ୍ତି। ବିଶେଷଜ୍ଞ ଆକଳନ ହେଉଛି ପୋଲାଭମର ପ୍ରକଳ୍ପ ଯୋଗୁଁ ୧୦ ହଜାର ହେକ୍ଟର ଜମି ଜଳମଗ୍ନ ହେବ। ୭୦ ପ୍ରତିଶତ ଆଦିବାସୀ ଜନବସତି ପ୍ରଭାବିତ ହେବ। ମୋଟୁ ଅଚଳ ସହ ଅନେକ ଗାଁ ବୁଡିଯିବ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଓଡିଶାକୁ ନ୍ୟାୟ ମିଳିବ କି ନାହିଁ ତାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି।

