ବିଲେଇକୁ ଗୁଳି ଘଟଣାରେ କଲେଜ ଛାତ୍ର ଗିରଫ, ଲାଗିଲା ଆର୍ମ୍ସ ଆକ୍ଟ
ଭୁବନେଶ୍ୱର: ବିଲେଇ ହତ୍ୟାକାରୀ ଗିରଫ । ନିରୀହ ପ୍ରାଣୀକୁ ଗୁଳି କରି ହତ୍ୟା ଅଭିଯୋଗରେ ପୋଲିସ କଲେଜ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରିଛି । ଆଶୁତୋଷଙ୍କ ବିରୋଧରେ ଘରୋଇ ପଶୁଙ୍କୁ ହତ୍ୟା ଓ ଆର୍ମ୍ସ ଆକ୍ଟ ଆଦି ଲାଗିଛି ।

ବୁଧବାର ୟୁନିଟ୍-୪ ପୋଷ୍ଟାଲ କଲୋନୀର ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇ ‘ପୁଷି’କୁ ଗୁଳି କରାଯାଇଥିଲା । ଏନେଇ ସୁଶାନ୍ତ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ସୁଶାନ୍ତଙ୍କ ପଡ଼ୋଶୀ ଆଶୁତୋଷ ନାୟକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ତେବେ, ଆଶୁତୋଷଙ୍କ ପାଖକୁ ଛର୍ରା ବନ୍ଧୁକ କେଉଁଠୁ ଆସିଲା । ତାହା ଲାଇସେନ୍ସପ୍ରାପ୍ତ କି ନୁହେଁ ? କେଉଁ କାରଣରୁ ସେ ନିରୀହ ପ୍ରାଣୀ ଉପରକୁ ଗୁଳି ଚଳାଇଲେ ? ଏବେ ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ସୁଶାନ୍ତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପଡ଼ୋଶୀ ପୂର୍ବରୁ ତାଙ୍କର ଆଉ ୭ଟି ବିଲେଇକୁ ସମାନ ଢଙ୍ଗରେ ହତ୍ୟା କରିଛନ୍ତି ।
ଗତକାଲି ବିଲେଇଟି କ୍ଷୀର ପିଇ ଖେଳୁଥିବା ବେଳେ ହଠାତ୍ ଗୁଳି ଶବ୍ଦ ଶୁଭିଥିଲା । ସୁଶାନ୍ତ ଓ ତାଙ୍କ ମାଆ ଦୌଡ଼ି ଆସି ଦେଖିଲା ବେଳକୁ ବିଲେଇଟି ପାଚେରୀ ତଳକୁ ପଡ଼ିବା ସହ ଶରୀର ରକ୍ତାକ୍ତ ହୋଇଥିଲା । ତାକୁ ତୁରନ୍ତ ଓୟୁଏଟି ନିଆଯାଇଥିଲା । ହେଲେ, ବିଲେଇର ମୁଣ୍ଡରେ ୨ଟି ଗୁଳି ବାଜିଥିବାରୁ ତାର ମୃତ୍ୟୁ ହୋଇଥିଲା ।
https://nandighoshatv.comunknown-person-fired-to-a-cat-in-capital-city/
କିଛିଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ଜଣେ କ୍ୟାବ୍ ଡ୍ରାଇଭର ଗିରଫ ମଧ୍ୟ ହୋଇଥିଲେ ।
https://nandighoshatv.compolice-arrested-dog-killer/
ଓଲିଉଡ୍ ହିରୋ ବାବୁସାନଙ୍କ ଚାଲାଣ କାଟିଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ବିନା ହେଲମେଟରେ ବାଇକ୍ ଡ୍ରାଇଭିଂ । ପୁଣି ନିଜ ଫେସବୁକ ପେଜରେ ଭିଡିଓ ପୋଷ୍ଟ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କମିଶନରେଟ୍ ପୋଲିସ ବାବୁସାନଙ୍କ ଚାଲାଣ କାଟିଛି । ଏନେଇ ଖୋଦ୍ କମିଶନରେଟ୍ ପୋଲିସ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।
We adore our actors. But, when Tanmay, better known as Babushan, was found to be riding a bike without a helmet, a challan was issued.
That’s our duty. Do follow traffic safety norms always. @SarangiSudhansu@sagarika_nath pic.twitter.com/Mcu0b4RVMi— COMMISSIONERATE POLICE (@cpbbsrctc) December 18, 2019
ବିନା ହେଲମେଟରେ ଡ୍ରାଇଭିଂ ପାଇଁ ପୋଲିସ ତନ୍ମୟ ମହାନ୍ତି ଓରଫ୍ ବାବୁସାନଙ୍କ ନାଁରେ ଏକ ହଜାର ଟଙ୍କା ଚାଲାଣ କାଟିଛି । ଏଥିସହ ହେଲମେଟ୍ ପିନ୍ଧି ବାଇକ୍ ଚଳାଇବାକୁ କମିଶନରେଟ୍ ପୋଲିସ ବାବୁସାନଙ୍କୁ ପରାମର୍ଶ ଦେଇଛି ।
କଳିଙ୍ଗ ନଗର ଅଞ୍ଚଳରେ ବିନା ହେଲମେଟରେ ବାବୁସାନ ବାଇକ୍ ଚଲାଇ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୋଟିଏ ମିନିଟ୍ ୧୫ ସେକେଣ୍ଡର ଭିଡିଓଟିକୁ ଫିଲ୍ମ ସୁଟିଂ ଭଳି କରିଥିଲେ ବାବୁସାନ୍ । କେତେବେଳେ ଟ୍ରାଫିକ୍ କ୍ରସ କରୁଥିଲେ ତ କେତେବେଳେ ସାଇଡ୍ ପୋଜ୍ ଦେଉଥିଲେ । ଲୋକଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ନିଜେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । 
ପୋଲିସ ଚାଲାଣ କାଟିବା ପରେ ବାବୁସାନ ନିଜ ପେଜରୁ ଭିଡିଓଟିକୁ ଡିଲିଟ୍ କରି ଦେଇଛନ୍ତି । ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ
ନୂଆଦିଲ୍ଲୀ : ଟାଟା ଗ୍ରୁପର ଅଧ୍ୟକ୍ଷ ପଦକୁ ଫେରିବେ ବିଶିଷ୍ଟ ବ୍ୟବସାୟୀ ସାଇରସ୍ ପି. ମିସ୍ତ୍ରୀ । ଦେଶରେ ବୃହତ୍ତମ କର୍ପୋରେଟ୍ ଯୁଦ୍ଧ କୁହାଯାଉଥିବା ଟାଟା ସନ୍ସ ଓ ମିସ୍ତ୍ରୀ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦରେ ମିସ୍ତ୍ରୀ ପରିବାର ବିଜୟୀ ହୋଇଛି । ଜାତୀୟ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ ଆଜି ସାଇରସ୍ ପି. ମିସ୍ତ୍ରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । NCLT ବମ୍ବେ ବେଞ୍ଚର ରାୟକୁ ଭୁଲ୍ ଦର୍ଶାଇଛନ୍ତି ଆପିଲେଟ୍ ଟ୍ରିବୁନାଲ । ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ପୁଣିଥରେ ସାଇରସ୍ ପି ମିସ୍ତ୍ରୀଙ୍କୁ ଅବସ୍ଥାପିତ କରିଛନ୍ତି କୋର୍ଟ ।

୨୦୧୬ ଅକ୍ଟୋବରରେ ଟାଟା ସନ୍ସ ଓ ବୋର୍ଡ ନିର୍ଦ୍ଦେଶକରୁ ସାଇରସଙ୍କୁ ହଟାଇ ଦିଆଯାଇଥିଲା । ଏହାପରେ ୨୦୧୭ ଫେବୃଆରୀ ମାସରେ ଟାଟା କନସଲଟାନ୍ସି ଲିମିଟେଡର ଅଧ୍ୟକ୍ଷ ଥିବା ଏନ. ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା । ତେବେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତିକୁ ବେଆଇନ୍ ଦର୍ଶାଇଛନ୍ତି ଟ୍ରିବୁନାଲ ।

କମ୍ ଅଂଶଧନ ଥିବା ସେୟାର ହୋଲ୍ଡରଙ୍କ କଥାକୁ ବିଚାରକୁ ନିଆଯାଇନଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ୨୦୧୬ରେ ଅଧ୍ୟକ୍ଷ ପଦରୁ ବରଖାସ୍ତ ହେବା ପରେ ସାଇରସ୍ ଏନସିଏଲଟିର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପରିବାର ଦ୍ୱାରା ପରିଚାଳିତ ଦୁଇଟି ଫାର୍ମ ଫକ୍ଷରୁ ଟାଟା ସନ୍ସ ବିରୋଧରେ ମାମଲା ଦାଖଲ ହୋଇଥିଲା । ବମ୍ବେ ବେଞ୍ଚ ସାଇରସଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଆଜି ଆପିଲେଟ୍ ଟ୍ରିବୁନାଲ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

ଟାଟା ସନ୍ସ ପକ୍ଷରୁ ଟ୍ରିବୁନାଲଙ୍କ ରାୟ ପରେ ପ୍ରତିକ୍ରିୟା ଆସିଛି । କୁହାଯାଇଛି ଯେ, ନିଜର ନିଷ୍ପତ୍ତି ଓ ମାମଲା ସଂପର୍କରେ ଟାଟା ଗ୍ରୁପ୍ ପାଖରେ ବଳିଷ୍ଠ ପ୍ରମାଣ ଅଛି । ଟ୍ରିବୁନାଲଙ୍କ ରାୟକୁ ତର୍ଜମା ପରେ ଟାଟା ସନ୍ସ ପରବର୍ତ୍ତୀ ନ୍ୟାୟିକ ପଦକ୍ଷେପ ନେବ । ଏଥିରେ ଟାଟାର ଷ୍ଟେକ୍ ହୋଲଡର ବ୍ୟଥିତ ହେବାର ଆବଶ୍ୟକତା ନାହିଁ । ଆଜି ଟ୍ରିବୁନାଲରେ ଏସ.ଜେ ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ତେବେ ଟାଟା ଫାଉଣ୍ଡେସନର ଅଧ୍ୟକ୍ଷ ରତନ ଟାଟାଙ୍କ ପାଇଁ ଏହା ଶକ୍ତ ଧକ୍କା ବୋଲି କୁହାଯାଉଛି । ସେପଟେ ଟାଟା ସୁପ୍ରିମକୋର୍ଟରେ ଟ୍ରିବୁନାଲଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର: ବିମାନ ଚଳାଚଳ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସତ୍ତ୍ୱେ ଓଡ଼ିଶାକୁ ମିଳୁନି ପ୍ରାଥମିକତା । ଭୁବନେଶ୍ୱର, ଝାରସୁଗୁଡ଼ାରୁ ଦେଶ ଭିତରେ ବିମାନ ଚଳାଚଳରେ ଉନ୍ନତି ଆସିଛି । କିନ୍ତୁ, ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ସୁଯୋଗ ଥାଇ ବିମାନ ଉଡ଼ୁନି । ଫଳରେ ଓଡ଼ିଶାବାସୀଙ୍କୁ ଦିଲ୍ଲୀ ଓ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଣୁ, ଓଡ଼ିଶାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଗୁରୁତ୍ୱ ଦିଆଯାଉ । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଅନ୍ତର୍ଜାତୀୟ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଦାବି କରିଛନ୍ତି । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଓଡ଼ିଶାରେ ଭରପୂର ସୁଯୋଗ ରହିଛି । ମୁଖ୍ୟମନ୍ତ୍ରୀ, ହରଦୀପ ସିଂ ପୁରୀ ଓ ମନ୍ତ୍ରାଳୟର ଅଧିକାରୀ ଓ ଏୟାରଲାଇନ୍ସର ସିଇଓଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି ।
ଓଡ଼ିଶାର ଲୋକ ଆମେରିକା, ୟୁରୋପ ଓ ମଧ୍ୟ ପୂର୍ବ ଦେଶରେ ରହୁଛନ୍ତି । ସ୍କିଲ୍ଡ ଓଡ଼ିଶା ମାଧ୍ୟମରେ ସୃଷ୍ଟ କୁଶଳୀ ଓଡ଼ିଆ କାରିଗର ବିଦେଶରେ ନିଯୁକ୍ତି ପାଇଛନ୍ତି । ତେଣୁ, ଭୁବନେଶ୍ୱରରୁ ଏହି ସବୁ ଦେଶକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଲେ ଓଡ଼ିଆ ଉପକୃତ ହେବା ସହ କମ୍ ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଓଡ଼ିଶାରେ ପର୍ଯ୍ୟଟନର ଭରପୂର ସୁଯୋଗ ରହିଛି । ଚିଲିକା, ଶିମିଳିପାଳ, ଭିତରକନିକା, ସାତକୋଶିଆ ଭଳି ପର୍ଯ୍ୟଟନ ସ୍ଥଳୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜ୍ୟରେ ବୌଦ୍ଧ ତୀର୍ଥସ୍ଥଳୀ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ପାଇଛି । ତେଣୁ, ଅନ୍ତର୍ଜାତୀୟ ବିମାନ ଚଳାଚଳ ହେଲେ ବିଦେଶୀ ପର୍ଯ୍ୟଟକ ସହଜରେ ଆସିପାରିବେ ।
ଏହାଛଡ଼ା ଓଡ଼ିଶା ୨୦୨୩ରେ ୱାର୍ଲଡକପ୍ ହକି ଆୟୋଜନ କରିବାକୁ ଯାଉଛି । ଏହା ପୂର୍ବରୁ ଉଡ଼ାଣ ଯୋଜନାରେ ଜୟପୁର ଓ ରାଉରକେଲାରୁ ବିମାନ ଚଳାଚଳ ଆରମ୍ଭ କରିବାକୁ ନବୀନ ଦାବି କରିଛନ୍ତି । ସୂଚନାଯୋଗ୍ୟ ୨୦୨୩ ହକି ବିଶ୍ୱକପ୍ ଭୁବନେଶ୍ୱର ସମେତ ରାଉରକେଲାରେ ଖେଳାଯିବ । ସେହିଭଳି ଓଡ଼ିଶା ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଆଗେଇଛି । ସବୁକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଉ । ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

