ଉଚ୍ଚ ଶିକ୍ଷା ବିଭାଗ ପାଇଁ 5-T ଆକ୍ସନ ପ୍ଳାନ: ଏଣିକି ଶିକ୍ଷକମାନଙ୍କ ପାଇଁ ୭ଘଣ୍ଟାର ଉପସ୍ଥାନ ବାଧ୍ୟତାମୂଳକ
ଭୁବନେଶ୍ୱର: ସରକାରଙ୍କ 5-T କାର୍ଯ୍ୟକ୍ରମରେ ସାମିଲ ହେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ପ୍ରସ୍ତୁତି ହୋଇଛି ଆକ୍ସନ ପ୍ଳାନ୍ । ଆଉ ଚୂଡ଼ାନ୍ତ ଆକ୍ସନ ପ୍ଳାନ୍ର କାର୍ଯ୍ୟକାରୀ ନେଇ ଯୋଜନା ଓ ସଂଯୋଜନା ବିଭାଗକୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ଡେପୁଟୀ ସେକ୍ରଟେରୀ ।

ଚୂଡ଼ାନ୍ତ ଆକ୍ସନ ପ୍ଳାନ ଅନୁଯାୟୀ ଉଚ୍ଚ ଶିକ୍ଷା ବିଭାଗରେ ଗଠନ ହେବ ସ୍କାଲାରସିପ୍ କାଉନସିଲ । ଶିକ୍ଷକମାନଙ୍କ ୭ ଘଣ୍ଟା ଉପସ୍ଥାନ ବାଧ୍ୟତାମୂଳକ ହେବ ଆଉ ଏହାକୁ ବାୟୋମେଟ୍ରିକସ୍ ଦ୍ୱାରା ସୁନିଶ୍ଚିତ କରାଯିବ । ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ । ଲାପଟପ୍ ବାଣ୍ଟିବା ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲାପଟପ୍ ବଣ୍ଟାଯିବ ।
SMASରେ ଛାତ୍ରଛାତ୍ରୀମାନେ ଫିଡ୍ବ୍ୟାକ ଦେଇପାରିବେ । ରାଜ୍ୟ ତଥା ଦେଶ ବାହାରର ଶିକ୍ଷା ଶୈଳୀକୁ ଅନୁଧ୍ୟାନ ଶିକ୍ଷକମାନଙ୍କୁ ବାହାରକୁ ପଠାଯିବ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ । ସର୍ବଭାରତୀୟ ସେବା ପରୀକ୍ଷାର ପ୍ରସ୍ତୁତି ନେଇ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯିବ । ବାହାର ରାଜ୍ୟରେ କୋଚିଂ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସହଯୋଗ କରାଯିବ ।
ନୂଆ ଆକ୍ସନ ପ୍ଲାନ୍ ଅନୁସାରେ ‘ମୋ କଲେଜ’ର ଗଠନ କରାଯିବ । ଯାହାଦ୍ୱାରା କଲେଜର ପୁରାତନ ଛାତ୍ରଛାତ୍ରୀ କିମ୍ୱା ଅନ୍ୟ ଅଗ୍ରହୀ ବ୍ୟକ୍ତି କଲେଜର ଉନ୍ନତି ନେଇ ସହଯୋଗ କରିପାରିବେ ।
ଋତୁସ୍ରାବ ସମୟରେ ୪ଟି ମିଛ କଥାକୁ ବିଶ୍ୱାସ କରନ୍ତୁ ନାହିଁ
ଭାରତରେ ଋତୁସ୍ରାବକୁ ନେଇ ଅନେକ ଅନ୍ଧବିଶ୍ୱାସ ଦେଖାଦିଏ । ବହୁ ଲୋକ ଏହାକୁ ନେଇ ଆଲୋଚନା କରନ୍ତି ନାହିଁ । ଏହାକୁ ଏକ ଲଜ୍ଜାଜନକ କଥା ଭଳି ମାନିଥାନ୍ତି । ତେଣୁ ଏହାକୁ ନେଇ ବେଶି ଲୋକ କିଛି ଜାଣନ୍ତି ନାହିଁ କହିଲେ ଚଳେ । ତେବେ ଯେ କେହି ବି ବୟସ୍କ ଲୋକଙ୍କୁ ପଚାରିଲେ ସେମାନେ କୁହନ୍ତି ଘରର ପୁରୁଷ ଲୋକଙ୍କ ଠାରୁ ଏହାକୁ ଲୁଚେଇ ରଖିବା ପାଇଁ । ଏହା ବିଷୟରେ ବେଶିକେହି ଜାଣିନଥିବାରୁ ଏହାକୁ ନେଇ ଅନେକ ମିଥ୍ୟା ତଥ୍ୟକୁ ସତକରି ଲୋକେ ପ୍ରସାର କରନ୍ତି ।

ପ୍ରଶୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ବରିଷ୍ଠ ପରାମର୍ଶଦାତା ଡଃ.ସ୍ମିତା ବୈଦି ଏବଂ ଡଃ.ଜ୍ୟୋତି ଖତ୍ରିଙ୍କ କହିବାନୁଯାୟୀ ନିମ୍ନଲିଖିତ କଥା ଗୁଡିକ ପ୍ରତି ଆମର ଦୃଷ୍ଟିହେବା ଜରୁରୀ । ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ସେମାନେ..
୧. ଯଦି ଆପଣଙ୍କର ୨୮ଦିନରେ ନିୟମିତ ଋତୁସ୍ରାବ ହେଉନାହିଁ-
ଡ. ସ୍ମିତାଙ୍କ କହିବାନୁଯାୟୀ ଋତୁସ୍ରାବ ହେବା ମଧ୍ୟରେ ନିୟମିତ ଅନ୍ତରାଳ ନରହିବା ଶରୀର ପ୍ରତି ହାନିକାରକ । ବୟସ୍କ ମାନଙ୍କ ପାଇଁ ଏହି ଅନ୍ତରାଳ ୨୧ରୁ ୩୭ ଦିନ ରହିବା ଆବଶ୍ୟକ ଏବଂ କିଶୋରୀ ମାନଙ୍କ ପାଇଁ ଏହା ୨୧ରୁ ୪୫ ଦିନ ପର୍ଯ୍ୟନ୍ତ ରହିବା ଆବଶ୍ୟକ । ଏହାକୁ ପ୍ରଥମ ଦିନ ଋତୁସ୍ରାବ ଠାରୁ ଆଗକୁ ହେବାକୁ ଥିବା ଋତୁସ୍ରାବର ପ୍ରଥମ ଦିନ ପର୍ଯ୍ୟନ୍ତ ଗଣନା କରାଯାଏ । ତେବେ ଯଦି ଆପଣଙ୍କର ପ୍ରତି ୨୮ ଦିନରେ ନ ହୋଇ ବି ୩୭ଦିନ ଭିତରେ ଋତୁସ୍ରାବ ହୋଇଯାଉଛି ତେବେ ତାହାକୁ ସାଧାରଣ ବୋଲି ମନାଯାଏ । ସାଧରଣତଃ ଲୋକେ ନିଜର ମାସିକ ଋତୁସ୍ରାବ ୨୮ ଦିନରୁ ୩୫ ଦିନ ପର୍ଯ୍ୟନ୍ତ ଘୁଞ୍ଚିଲେ ତାହା ଶରୀର ପ୍ରତି ହାନିକାରକ ବୋଲି ମାନିଥାନ୍ତି । କିନ୍ତୁ ଏଥିରେ କୌଣସି ଅସୁବିଧା ନଥିବାର ଡ. ସ୍ମିତା ବୈଦି କହିଛନ୍ତି । ଏହା କାମରେ ପ୍ରେସର୍, ଖାଦ୍ୟ ପାନୀୟରେ ଅନିୟନ୍ତ୍ରଣ, ମାନସିକ ଚାପଗ୍ରସ୍ତ , ହରମୋନରେ ପରିବର୍ତ୍ତନ କାରଣରୁ ହୋଇପାରେ । ଯଦି ଏହି ବ୍ୟବଧାନ ୩୭ ଦିନରୁ ଅଧିକ ହୁଏ ତେବେ ତାହା ବିପଦ ଜନକ ବୋଲି ଡାକ୍ତର କହିଛନ୍ତି ।
୨.ଋତୁସ୍ରାବ ସମୟରେ ପେଟ କାଟିବା-
ଡଃ. ଜ୍ୟୋତି ଖତ୍ରୀଙ୍କ କହିବାନୁଯାୟୀ ଋତୁସ୍ରାବ ପାଇଁ ପେଟ କାଟିବା ଓ ପାକସ୍ଥଳୀରେ ଯନ୍ତ୍ରଣା ଦୁଇଟି ଭିନ୍ନ ଭିନ୍ନ । ଏହାକୁ ସମାନ ଭାବି ଅଣଦେଖା କରିବା ଉଚିତ ନୁହେଁ । ପାକସ୍ଥଳୀରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇପାରେ । ହେଲେ ଋତୁସ୍ରାବ ପାଇଁ ପେଟ କାଟିବା ଆପଣଙ୍କ ଗର୍ଭାଶୟରେ ହେଉଥିବା ଅସୁବିଧାକୁ ସୂଚାଏ । ଏହା କିଛି ସମୟ ପର୍ଯ୍ୟନ୍ତ ହୋଇ ପରେ ଭଲ ମଧ୍ୟ ହୋଇଯାଇଥାଏ । ଏହା ରକ୍ତସ୍ରାବର ଅନୀୟମିତତା କାରଣରୁ ହୋଇପାରେ ।

୩.ରକ୍ତସ୍ରାବରେ ଯାଉଥିବା ରକ୍ତ ଅପରିଷ୍କାର ରକ୍ତ ଭାବିବା ଏକ ଭୁଲ୍ ଧାରଣା-
ରକ୍ତସ୍ରାବରେ ଯାଉଥିବା ରକ୍ତ ଅପରିଷ୍କାର ରକ୍ତ ନୁହେଁ । ହଁ’ ଏହା ସତ୍ୟ ଯେ ଏହା ଆମ ଶରୀରର ଭେନ୍ ରେ ପ୍ରବାହିତ ରକ୍ତଠାରୁ ଭିନ୍ନ । ତେବେ ଏହି ରକ୍ତରେ ସାଧାରଣ ରକ୍ତ ତୁଳନାରେ କମ୍ ରକ୍ତ କଣିକା ଥାଏ ।

୪.ଋତୁସ୍ରାବ ସମୟରେ ଗର୍ଭବତୀ ହୋଇପାରିବ ନାହିଁ-
ଅନେକଙ୍କ ଭୁଲ୍ ଧାରଣା ଥାଏ କି ଋତୁସ୍ରାବ ସମୟରେ ଗର୍ଭବତୀ ହୋଇପାରିବ ନାହିଁ ବୋଲି । ହେଲେ ଡାକ୍ତରଙ୍କ କହିବାନୁଯାୟୀ ସପ୍ତାହର ମଝାମଝି ସମୟରେ ଗର୍ଭବତୀ ହେବାର ଅଧିକ ଆଶଂକା ରହିଥାଏ । କାରଣ ଏହି ସମୟରେ ଡିମ୍ବାଶୟ ଅଧିକ ଶକ୍ରିୟ ଥାଏ । କିନ୍ତୁ ଏଭଳି ଘଟଣା ବହୁତ କ୍ୱଚିତ୍ ଦେଖିବାକୁ ମିଳିଥାଏ ।

ଦୂର ହେବ ଚାଷୀଙ୍କ ସମସ୍ୟା…ଏଣିକି ଦୁଇଗୁଣ ହେବ ଚାଷୀଙ୍କ ଆୟ । ମୋ ସରକାର କାର୍ଯକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ।
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମୋ-ସରକାର କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୯୯୯ ମହାବାତ୍ୟା ସମୟରେ ରିଲଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି । ଏହାର ଶ୍ରେୟ ହେଉଛି ଆମର ଚାଷୀ ଭାଇମାନଙ୍କର । ସେହିପରି ଓଡ଼ିଶାକୁ ୫ ଥର କୃଷିକର୍ମଣ ପୁରସ୍କାର ମିଳିବାର ଶ୍ରେୟ ମଧ୍ୟ ଆମର ଚାଷୀ ଭାଇମାନଙ୍କର । ଆମର ଚାଷୀଭାଇମାନଙ୍କ କାର୍ଯ୍ୟ ଆମକୁ ସବୁବେଳେ ଗର୍ବିତ କରିଆସିଛି । ତେଣୁ ଚାଷ ଓ ଚାଷୀଙ୍କ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଚାଷୀଭାଇଙ୍କର ସଶକ୍ତି ଏକ ବଳିଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କର ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୃଷି ବିଭାଗ କାର୍ଯ୍ୟରେ ଚାଷୀମାନେ କେତେ ଦୂର ସନ୍ତୁଷ୍ଟ ହେଉଛନ୍ତି ଏବଂ ଆମେ କେତେ ସଫଳ ଭାବେ ସେମାନଙ୍କୁ ସେବା ଯୋଗାଇ ଦେଉଛେ , ତାହା ହେଉଛି ମୋ ସରକାରର ମୁଖ୍ୟ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରିବେ ଏବଂ ସେମାନେ ପାଉଥିବା ସେବା ସମ୍ପର୍କରେ ପଚାରି ବୁଝିବେ । ଯଦି ସରକାରୀ ସେବା ସମ୍ପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହେ ତେବେ କର୍ମଚାରୀମାନଙ୍କୁ ପ୍ରଶଂସା ପତ୍ର ସହିତ ପ୍ରୋତ୍ସାହନ ଦିଆଯିବ ଏବଂ ନକରାତ୍ମକ ପ୍ରତିକ୍ରିୟା ସମ୍ପର୍କରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ।

କୃଷି ବିଭାଗର ପ୍ରମୁଖ୍ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇ ବିଭାଗରେ ମୋ ସରକାରର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ । 5-ଟି ସଚିବ ଭି.କେ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଓ ଭିଡ଼ିଓ କନଫରେନସରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ଥରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ନିର୍ଧୁମ ସେକିଲେ ସ୍ଥାନୀୟ ଲୋକେ, କାହାକୁ କଣ ପାଇଁ ?
ସୋର: ଢ଼ୋ ଢ଼ା କରି ନିର୍ଧୁମ ସେକିଲେ । ହାତ ବାନ୍ଧି ପିଟିଦେଇ ଗଲେ ଉତ୍ୟକ୍ତ ଲୋକେ । ବିଚ୍ ରାସ୍ତାରେ ଚୋରକୁ ଉଲଗ୍ନ କରି ଚଲାଇ ଚଲାଇ ଚାରିଆଡ଼େ ବୁଲାଇଲେ । ଏଭଳି ଆକ୍ରୋଶର ଶିକାର ହୋଇଛି ଜଣେ ଚୋର । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା କାନାରା ବ୍ୟାଙ୍କ୍ ସମ୍ମୁଖରେ । ଗୋଟିଏ ସାଇକେଲ ଚୋରକୁ ଧରି ସ୍ଥାନୀୟ ଲୋକେ ମାଡ଼ ମାରିଥିଲେ। ଫଳରେ ଚୋରକୁ ଗୁରୁତର ଅବସ୍ଥାରେ ସିମୁଳିଆ ମେଡିକାଲରେ ଭର୍ତ୍ତି କରିିଥିଲା ପୋଲିସ ।

ସୂଚନା ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ପ୍ରତାପ କୁମାର ସାହୁ ଓ ତାଙ୍କ ପୁଅ ମାର୍କୋଣା କାନାରା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଇଥିଲେ । ପ୍ରତାପ ବ୍ୟାଙ୍କ୍ ସାମ୍ନାରେ ସାଇକେଲ ରଖି ଯାଇଥିଲେ ବ୍ୟାଙ୍କ୍ ଭିତରକୁ । ଏହି ସମୟରେ ଚୋର ଜଣକ ନଜର ଆଢୁଆଳରେ ସାଇକେଲଟିକୁ ଚୋରି କରୁଥିଲେ । କିନ୍ତୁ ଚୋରକୁ ଦେଖି ତାଙ୍କର ପୁଅ ଚିଲାଇବାକୁ ଲାଗିଥିଲେ । ପୁଅର ଚିତ୍କାର ଶୁଣି ଚୋରକୁ ଧରିଥିଲେ ସ୍ଥାନୀୟ ଲୋକେ । କଣ ପାଇଁ ସାଇକେଲ ନେଉଥିଲୁ ପଚାରିବା ପରେ ହାତ ବାନ୍ଧି ବହେ ଛେଚିଥିଲେ । ଖାଲି ସେତିକି ନୁହେଁ, ଚୋରକୁ ପୁରା ଉଲଗ୍ନ କରି ରାସ୍ତା ଉପରେ ଚଲାଇ ଚଲାଇ ମାଡ଼ ମାରିଥିଲେ ।

ଘଟଣା ସ୍ଥଳରେ ପୋଲିସ ଅଟକାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ମାଡ଼ ମାରିବାବେଳେ ଅଜାଣତରେ ଚୋରର ଗୁପ୍ତାଙ୍ଗରେ ଆଘାତ ଲାଗିଥିଲା । ଯାହାଫଳରେ ଚୋର ଜଣକ ଗୁରୁତର ହୋଇପଡ଼ିଥଲେ । ଏନେଇ ସିମୁଳିଆ ପୋଲିସ ଚୋରକୁ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସିମୁଳିଆ ମେଡିକାଲରେ ଚୋରର ଚିକିତ୍ସା ଚାଲିଛି । ଅନ୍ୟପଟେ ଚୋର ଜଣଙ୍କ ଘର ସହଦପଦା ଏବଂ ସେ ପଦୁ ସେଠୀଙ୍କ ପୁଅ ସଂକରା ସେଠୀ ବୋଲି ଜଣାପଡିଛି ।
ଏବେବି ଚାଲିଛି ପଲିଥିନ୍ ବ୍ୟବହାର, ଗୋଦାମରେ ଅଚାନକ ଚଢ଼ାଉ କଲେ ବିଏମସି ଅଧିକାରୀ
ଭୁବନେଶ୍ୱର: ରାଜଧାନୀରେ ପଲିଥିନ ବ୍ୟବହାରକୁ ସରକାର ସଂପୂର୍ଣ୍ଣ ନିଷେଧ କରିବା ସତ୍ୱେ ଏହାର ବ୍ୟବହାର ବନ୍ଦ ହୋଇ ନାହିଁ । ଅନେକ ସ୍ଥାନରେ ବେପାରି ପଲିଥିନର ବହୁଳ ଭାବେ ବ୍ୟବହାର ଜାରି ରଖିଛନ୍ତି ।

ତେବେ ସହିଦନଗରରେ ଥିବା ଏକ ପଲିଥିନ୍ ଗୋଦାମରେ ଆଜି ଚଢ଼ାଉ ହୋଇଛି । ସହିଦନଗର ଥାନା ପୋଲିସର ଏକ ସ୍ପେଶାଲ ସ୍କ୍ୱାଡ୍ ଏହି ଗୋଦାମରେ ଚଢ଼ାଉ କରିଥିବା ଜଣାପଡ଼ିଛି । ଚଳିତ ବର୍ଷ ଅକ୍ଟୋବର ୨ରୁ ପଲିଥିନ ସମ୍ପୂର୍ଣ ଭାବେ ନିଷେଧ ହୋଇଥିବା ବେଳେ ବେଆଇନ୍ ଭାବରେ ଏହି ଗୋଦାମ ଚାଲିଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା ।

ଏହି ଗୋଦାମରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ୨ ଟ୍ରକ୍ ପଲିଥିନ ଜବତ ହୋଇଥିବା ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଚଢ଼ାଉରେ ବିପୁଳ ପରିମାଣରେ ପ୍ଲାଷ୍ଟିକ୍ ଚାମଚ, ପ୍ଲେଟ୍ , ଦୋନା ଓ ପଲିଥିନ ଜବତ ହୋଇଛି। ସହିଦନଗର ଥାନା ପୋଲିସ୍ ଗୋଦାମର ଜଣେ ସପ୍ଲାଏରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଖବର ଦିଆଯାଇଥିବା ସୂଚନା ଦେଇଥିଲେ ଅଧିକାରୀ ।
ହ୍ୟୁମାନ୍ ଦେଲେ ନିର୍ଦ୍ଦେଶନା । ଛଅ ରାତିର ପରିଶ୍ରମ ପରେ ହୋଇଗଲେ ଆଗଧାଡିର ନିର୍ଦ୍ଦେଶକ ।
ଭୁବନେଶ୍ୱର : ହ୍ୟୁମାନ୍ ସାଗର। ଭିନ୍ନ ପରିଚୟ, ଭିନ୍ନ ପ୍ରତିଭା । ସୁମଧୁର କଣ୍ଠ ଆଉ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ଆଜି ଓଡିଶାର ଘରେ ଘରେ ପରିଚିତ । ଜଣେ ଆଗ ଧାଡିର କଣ୍ଠଶିଳ୍ପୀ ଭାବରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସବୁ ପ୍ରକାର ଗୀତକୁ ସେ ସୁନ୍ଦର ଭାବେ ଉପସ୍ଥାପନା କରି ବେଶ୍ ଚର୍ଚ୍ଚା ସାଉଣ୍ଟିଛନ୍ତି ।
ଏଯାବତ୍ ପାଖାପାଖି ସେ କୋଡିଏ ହଜାରରୁ ଅଧିକ ଗୀତରେ ତାଙ୍କ କଣ୍ଠର ଯାଦୁ ଦେଖାଇ ସାରିଛନ୍ତି । ଆଉ ସମସ୍ତ ଗୀତ ତାଙ୍କର ସୁପର୍ ଡୁପର୍ ହିଟ୍ ସାବ୍ୟସ୍ତ ହୋଇଛି । ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କର ହେ ନବୀନ…ଆମେ ତୁମ ଫ୍ୟାନ୍ …ଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଧୁମ୍ ମଚାଇଥିଲା । ବିଭିନ୍ନ ପ୍ରକାର ଗୀତରେ ନିଜକୁ ପ୍ରମାଣ କରିସାରିବା ପରେ ଏବେ ନିର୍ଦ୍ଦେଶନାରେ ପାଦ ଦେଇଛନ୍ତି ହ୍ୟୁମାନ୍ ।

ଅକ୍ଟୋବର ମାସରେ ରିଲିଜ୍ ହୋଇଥିବା ଇ-ନ୍ୟୁଜ୍ ୟୁଟ୍ୟୁବ୍ ଚ୍ୟାନେଲ୍ର ଏକ ମ୍ୟୁଜିକ୍ ଭିଡିଓ “ମଦରେ ମଦରେ ତୁ ସାହାରା.. ରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ଗୀତଟି ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ଭିଉଅର୍ସ ଅତିକ୍ରମ କରିସାରିଲାଣି । ଗୀତଟିର ଡ୍ରାମା ସୁଟିଂ ପାଇଁ ଚାରିଦିନ ରଖାଯାଇଥିଲେ ମଧ୍ୟ ତାହା ନିର୍ଦ୍ଧାରିତ ସମୟରେ ନ ସରି ଆହୁରି ଦୁଇ ଦିନ ବଢ଼ି ଯାଇଥିଲା । ସେହି ଗୀତରେ ଓଲିଉଡ୍ର ଖ୍ୟାତାନାମା ନିର୍ଦ୍ଦେଶକ ଓ ଅଭିନେତା ଚୌଧୁରୀ ବିକାଶ ଦାସଙ୍କ ସହ ଓମ୍, ମୋନାଲି, ଗୋଲ୍ଡି, ଦୀପା ପ୍ରମୁଖ ଅଭିନୟ କରିଛନ୍ତି । କନ୍ସେପ୍ଟ ଅନୁସାରେ ସେ ଯାହା ଗୀତରେ କରିବା ପାଇଁ ଇଛା ପ୍ରକାଶ କରିଥିଲେ ସେସବୁକୁ ପ୍ରଯୋଜକ ଦୀପକ କୁମୀର ଜେନା ଓ ଲାଇନ୍ ପ୍ରଡ୍ୟୁସର୍ ରାଜା ଡି ସବୁ ପ୍ରକାର ପୁରଣ କରିଥିବା ହ୍ୟୁମାନ୍ କହିଛନ୍ତି ।
ଜଣେ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକଙ୍କର ସ୍କ୍ରିନ୍ପ୍ଲେ ଏତେ ସୁନ୍ଦର ହେଇପାରେ, ତାହା ଅବିଶ୍ୱାସ ଲାଗୁଥିଲେ ବି କଥାଟା ନିଛକ ସତ ବୋଲି ନିଜେ ଚୌଧୁରୀ ବିକାଶ ଦାସ କହିଛନ୍ତି । ଗୀତଟି ମଦ ଉପରେ ହେଇଥିଲେ ବି ଗୀତ ମାଧ୍ୟମରେ ମଦର କିଛି ପ୍ରମୋଟ୍ କରାଯାଇ ନାହିଁ ବରଂ ଏହା ଏକ ସ୍ୟାଡ୍ ସଙ୍ଗ ବୋଲି ହ୍ୟୁମାନ୍ ସାଗର କହିଛନ୍ତି ।

ବଲାଙ୍ଗିରରେ ପୁଣି ଉଦ୍ଧାର ହେଲେ ୩୩ ଦାଦନ ଶ୍ରମିକ
ବଲାଙ୍ଗିର : ପୁଣି ଉଦ୍ଧାର ହେଲେ ୩୩ ଜଣ ଦାଦନ ଶ୍ରମିକ । ଜିଲ୍ଲାରେ ବେଆଇନ ଶ୍ରମିକ ଚାଲାଣ ଥମିବାର ନାଁ ଧରୁନାହିଁ । ଶ୍ରମିକ ଚାଲାଣ ରୋକିବାକୁ ସରକାରୀ ସ୍ତରରେ ଜୋରଦାର ଉଦ୍ୟମ କରାଯାଉଛି । କିନ୍ତୁ ସବୁପ୍ରକାର ପ୍ରୟାସ ଫେଲ୍ ମାରୁଛି । ଦାଦନ ଦଲାଲମାନେ ଅତି ଚତୁରତାର ସହ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ କରିବାରେ ସଫଳ ହେଉଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ତୁରକେଲା ପୋଲିସ ବେଆଇନ ଭାବେ କିଛି ଦଲାଲ, ଶ୍ରମିକ ଚାଲାଣ କରୁଥିବା ଖବର ପାଇ ତୁରକେଲା ରେଳଷ୍ଟେସନ ଚଢ଼ାଉ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ଥାନା ଅଧିକାରୀ କେ.ଏଲ ବେହେରା । ପୋଲିସର ଚଢ଼ାଉ ସମୟରେ ଦାଦନ ଦଲାଲମାନେ ଫେରାର ହୋଇଯାଇଥିବା ବେଳେ ୩୩ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରି ଥାନାକୁ ଆଣିଥିଲା । ତେବେ ସମୁଦାୟ ୩୩ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ, ୯ଜଣ ମହିଳା ଓ ୧୪ଜଣ ଶିଶୁ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।
ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଚାଲାଣ କରାଯାଉଥିବା ବେଳେ କାଁ ଭାଁ କିଛି ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରୁଛି । ଜିଲ୍ଲାରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବାବେଳେ ଜିଲ୍ଲା ଶ୍ରମ ବିଭାଗର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

