ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାଇକେଲରେ ଆସି କର୍ଣ୍ଣଲର ଏକ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବାକୁ ଖଟ୍ଟର ଶତାବ୍ଦୀ ଏକ୍ସପ୍ରେସରେ ଚଣ୍ଡିଗଡ଼ରୁ କର୍ଣ୍ଣଲ ଆସିଥିଲେ । ସେଠାରୁ ସାଇକେଲ ଯୋଗେ କର୍ଣ୍ଣଲର ଏକ ବୁଥକୁ ଆସି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରିଛନ୍ତି । ନିଜେ ଭୋଟ୍ ଦେବା ସହ ମତଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆପଣଙ୍କ ଗୋଟିଏ ଭୋଟ୍ ଗଣତନ୍ତ୍ରକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଭୋଟ୍ ଦେବା ପରେ ଖଟ୍ଟର କହିଛନ୍ତି । କର୍ଣ୍ଣଲ ସିଟରୁ ମନୋହର ଖଟ୍ଟର ଦ୍ଵିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ୨୦୧୪ରେ ସେ ୬୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚଳିତଥର ଖଟ୍ଟରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ତ୍ରିଲୋଚନ ସିଂ ନିର୍ବାଚନ ଲଢ଼ୁଛନ୍ତି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ । ')}
ଝିଅ ଚାକିରୀ ନଛାଡ଼ିବାରୁ ବାପା ମାଙ୍କୁ ବାସନ୍ଦ
ଆମକୁ ଏ ଗାଁରୁ ବାସନ୍ଦ କରନାହିଁ । ଆମକୁ ଆମ ବିଲ ଚାଷ କରିବା ପାଇଁ ଦିଅ । ଗାଁରୁ ବାହାର କଲେ ଆମେ କୋଉଠି ଯାଇ ରହିବୁ । ଏଭଳି ଆକୁଳ ନିବେଦ କରିଛନ୍ତି ଗାଁରୁ ବାସନ୍ଦ ହୋଇଥିବା ପରିବାର । ଝିଅ ଚାକିରୀ ନଛାଡ଼ିବାରୁ ବାପା ମାଙ୍କୁ ବାସନ୍ଦ କରିଛନ୍ତି ଗାଁ ଲୋକେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳଛି । ଗାଁର ଏନ୍. ଭଗବାନଙ୍କ ସାନ ଝିଅ ମମତା ଗଜପତି ଜିଲ୍ଲା ଲକ୍ଷ୍ମୀପୁର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ବଡ଼ଖଣ୍ଡିରେ ହିଁ ମମତା ବିବାହ କରିଥିଲେ। କୌଣସି କାରଣରୁ ତାଙ୍କର ସ୍ୱାମୀଙ୍କ ସହ ମନାନ୍ତର ହୋଇଥିଲା।
ଏହାପରଠୁ ସେ ଗଜପତିରେ ରହୁଛନ୍ତି। ତେବେ ଝିଅକୁ ଚାକିରୀ ଛାଡ଼ିବା ପାଇଁ ଏନ୍. ଭଗବାନଙ୍କ ପରିବାର ଉପରେ ଚାପ ପକାଉଥିଲେ ଗାଁଲୋକେ। ହେଲେ ଝିଅ ଚାକିରୀ ନଛାଡ଼ିବାରୁ ଗ୍ରାମସଭାରେ ତାଙ୍କ ପରିବାରକୁ ବାସନ୍ଦ କରିଛନ୍ତି। ସେବେଠାରୁ ଏନ୍. ଭଗବାନ ଓ ତାଙ୍କ ପତ୍ନୀ ଝିଅ ପାଖରେ ରହୁଥିବା ବେଳେ ରାଜ୍ୟ ବାହାରେ ପୁଅ ରହୁଛି। ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ସେପଟେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଗାଁରେ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ')}
କିସ୍ମତର ଚାବିକାଠି କିଚେନରେ…
ଘରର ରୋଷେଇ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଆମ ଶରୀର ସୁସ୍ଥ ରୁହେ । କିନ୍ତୁ ଆପଣ ଜାଣନ୍ତି କି ଏହି ରୋଷେଇ ଘର ସହ ଯୋଡି ହୋଇ ରହିଛି ଆମ ସୁଖ ସମୃଦ୍ଧି ଓ ଧନ ସମ୍ପଦର ଭାଗ୍ୟ । ଏମିତିକି ରୋଜଗାର ଓ କ୍ୟାରିୟର ଦିଶା ଓ ଦଶା ମଧ୍ୟ ନିର୍ଧାରଣ କରେ ଏହି କିଚେନ । ଯଦି ଘରର କିଚେନ ଖରାପ ହୁଏ ତେବେ ଏହାର ସିଧାସଳଖ ପ୍ରଭାବ ପଡେ ବ୍ୟକ୍ତିର ରୋଜଗାର ଓ ସ୍ୱାସ୍ଥ୍ୟ ଉପରେ । ଯଦି ମହିଳାମାନେ ସାମାନ୍ୟ ଏହା ଉପରେ ଧ୍ୟାନ ଦେବେ ତା ହେଲେ କିସମତ ଚମକିବାକୁ ବେଶି ସମୟ ଲାଗିବନି ।
ରୋଷେଇ ଘର ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ
-କିଚେନକୁ ଘରର ଆଗ୍ନେୟ(ଦକ୍ଷିଣ-ପୂର୍ବ) କୋଣରେ ରଖିଲେ ବେଶୀ ଭଲ
-ଏଠାକୁ ସୁର୍ଯ୍ୟକିରଣ ଆସିବା ଦରକାର
-ଅନାବଶ୍ୟକ ଜିନିଷକୁ କିଚେନେର ରଖି ଅଯଥା ଭିଡ କରନ୍ତୁ ନାହିଁ
-ନିଆଁ ଓ ପାଣିର ସ୍ରୋତ କେବେ ବି ଏକା ସଙ୍ଗେ ହେବା କଥା ନୁହେଁ
-ରୋଷେଇ ଘରେ କଳାପଥର ବ୍ୟବହାର କରନ୍ତୁ ନାହିଁ
-ରାତିରେ ଶୋଇବା ପୂବର୍ରୁ କିଚେନକୁ ସଫା କରନ୍ତୁ
-ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରୋଷେଇ ଘରେ ଲଗାନ୍ତୁ ନାହିଁ
ଯଦି ରୋଷେଇ କିଛି ସମସ୍ୟା ଅଛି ତେବେ ଫେଲୋ କରନ୍ତୁ ଏହି ଟିପସ୍
-କିଚେନ୍ ଯଦି ଭୂଲ କୋଣରେ ରହିଛି ତେବେ ଏହାର ରଙ୍ଗ ହାଳକା ହଳଦୀ କିମ୍ବା ନାରଙ୍ଗୀ ରଖନ୍ତୁ
-ଯେମିତି ବି ହେଉ ରୋଷେଇ ଘରେ ସୂର୍ଯ୍ୟକିରଣ ପଡୁଥିବା ଆବଶ୍ୟକ
-ରୋଷେଇ ଘରର ଚାରି କାନ୍ଥରେ ଲାଲରଙ୍ଗର ସ୍ୱସ୍ତିକ ଆଙ୍କନ୍ତୁ
-କିଚେନର ଚାଉଳରେ ଏକ ରୁପା ମୁଦ୍ରା ରଖନ୍ତୁ ଏହା ଦ୍ୱାରା ଧନ ବଂଚିବା ସହଜ ହେବ
–
')}
ପ୍ରତ୍ୟକ୍ଷ ରାଜନୀତିରେ ‘ଶିବସେନା’ର ପ୍ରଥମ ସେନାନୀ, ଆଜି ଆଦିତ୍ୟଙ୍କ ଭାଗ୍ୟ ପରୀକ୍ଷା
ଦେଶର ପଶ୍ଚିମ ପ୍ରାନ୍ତରେ ଥିବା ତୃତୀୟ ବଡ଼ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏଠାକାର ସତ୍ତା ମରାଠା-କୁନବି କମ୍ୟୁନିଟି ଉପରେ ନିର୍ଭରଶୀଳ । ମହାରାଷ୍ଟ୍ରର ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମରାଠା-କୁନବି ସମ୍ପ୍ରଦାୟର । ୫୩ ବର୍ଷ ପୂର୍ବେ ମରାଠାଙ୍କ ହକ୍ ପାଇଁ ବାଲ ଠାକରେଙ୍କ ଦ୍ୱାରା ୧୯୬୬ରେ ଗଠନ ହୋଇଥିଲା ଶିବସେନା । ବିଜେପି ସହ ମେଣ୍ଟ କରି ଶିବସେନା ପ୍ରଥମ ଥର ପାଇଁ ୧୯୯୫ ମସିହାରେ ମହାରାଷ୍ଟ୍ରରେ ସରକାର ଗଢ଼ିଥିଲା । ୧୯୯୯ ମସିହାରେ ବିଜେପି-ଶିବସେନା ମେଣ୍ଟ ସରକାର କିଛି ମାସ ଚାଲିବା ପରେ ପୁଣି ଥରେ କ୍ଷମତା ଦଖଲ କରିଥିଲା କଂଗ୍ରେସ-ଏନସିପି ମେଣ୍ଟ । ଏହାପରେ କ୍ରମାଗତ ଭାବେ ସତ୍ତାରେ ରହିଲା କଂଗ୍ରେସ ଓ ଏନସିପି । ୨୦୧୪ ମସିହାରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟାଗରିଷ୍ଠତା ପାଇ ସରକାରରେ ବସିଲେ ।

ଶିବସେନା ଗଠନ ପରଠାରୁ ଯଦିବା ଠାକରେ ପରିବାର ଏହାର ନେତୃତ୍ୱ ନେଇ ଆସିଛି ମାତ୍ର କେବେବି ପ୍ରତ୍ୟକ୍ଷ ରାଜନୀତିରେ ଏମାନଙ୍କର ସଂପୃକ୍ତି ରହିନାହିଁ । ବାଲ୍ ଠାକରେଙ୍କ ଦେହାନ୍ତ ପରେ ଏବେ ଦଳର ନେତୃତ୍ୱ ନେଉଛନ୍ତି ତାଙ୍କ ସାନପୁଅ ଉଦ୍ଧବ ଠାକରେ । ରାଜ୍ ଠାକରେ ଏକ ପ୍ରକାର ଶିବସେନାରୁ ଅଲଗା ରହିଛନ୍ତି । ୨୦୧୯ରେ ପ୍ରଥମ ଥର ପାଇଁ ଠାକରେ ପରିବାର ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛି । ମହାରାଷ୍ଟ୍ରର ୱର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଉଦ୍ଧବ ଠାକରେଙ୍କ ସାନପୁଅ ଆଦିତ୍ୟ ଠାକରେ ।

ସର୍ବଦା ମହାରାଷ୍ଟ୍ରରେ ମେଣ୍ଟ ସରକାର କ୍ଷମତାରେ ରହି ଆସୁଥିବା ବେଳେ ଏବେ କଂଗ୍ରେସ-ଏନସିପି ମେଣ୍ଟରେ ନେତୃତ୍ୱ ନେଇ ସଂକଟ ଦେଖା ଦେଇଛି । କେବଳ ମେଣ୍ଟ କାହିଁକି ଦଳ ଭିତରେ ନେତାଙ୍କ ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ ଭାଗ ଭାଗ ହୋଇଯାଇଛି । ମହାରାଷ୍ଟ୍ରରେ ଏକାଧିକ କଂଗ୍ରେସ ନେତାଙ୍କ ମତ ମନ୍ତବ୍ୟ ଦଳକୁ ଅଡୁଆ ପରିସ୍ଥିତିରେ ପକାଉଛି । ଏଭଳି ସ୍ଥିତିରେ ୮୦ ବର୍ଷୀୟ ଶରଦ ପାୱାର ନିଜେ ଗଢ଼ିଥିବା ଦଳକୁ କାନ୍ଧ ଦେବାରେ ଜୋର୍ ଲଗାଇଛନ୍ତି । ଏନସିପିରେ ସବୁକିଛି ଠିକଠାକ୍ ଥିଲେ ହେଁ ଶରଦ ପାୱାରଙ୍କ ପରେ ଦଳର ନେତୃତ୍ୱ କିଏ ନେବ ସେ ନେଇ କିଛି ସ୍ପଷ୍ଟ ହେଉନି । ରାଜନୈତିକ ବିଶେଷଜ୍ଞ ଓ ଏନସିପିର ଅନ୍ୟ ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଦଳର ପରବର୍ତ୍ତୀ ଦାବିଦାର କହୁଥିଲେ ହେଁ ରାଜନୀତିରେ ସୁପ୍ରିୟାଙ୍କ ସେମିତି କିଛି ପ୍ରଭାବ ପରିଲକ୍ଷିତ ହେଉନି । ୨୦୦୯ରୁ ପିତାଙ୍କ ଆସନ ବାରମାଟିରୁ ସୁପ୍ରିୟା ଲଗାତାର ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ଜାତୀୟ ସ୍ତରରେ ବଡ଼ ଚେହେରା ଭାବେ ନିଜକୁ ଉପସ୍ଥାପିତ କରିବାରେ ବିଫଳ ହୋଇଛନ୍ତି ।

ସରକାରରେ ଅଧିକ ଦିନ ଧରି ତିଷ୍ଠି ରହିଥିବା କଂଗ୍ରେସ-ଏନସିପି ମେଣ୍ଟ ଓ ୨ ଦଳରେ ଲାଗି ରହିଥିବା ନେତୃତ୍ୱ ସଂକଟର ଫାଇଦା ନେବାକୁ ଗୋଟି ଚାଳନା କରିଛି ଚତୁର ଶିବସେନା । ପ୍ରଥମ ଥର ଲାଗି ଦଳର ଉତ୍ତରାଧିକାରୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ଆଦିତ୍ୟ ଠାକରେ । ବିଜେପି ସହ ମେଣ୍ଟ କରି ମହାରାଷ୍ଟ୍ର ନିର୍ବାଚନ ଲଢ଼ୁଥିବା ଶିବସେନା ଆଦିତ୍ୟଙ୍କୁ ଦଳର ଫେସ୍ କରିବାକୁ ଚାହୁଁଛି ।

ବିଭିନ୍ନ ହୋର୍ଡିଂରେ ତାଙ୍କର ଫଟୋ ଏବଂ ବିଜ୍ଞାପନରେ ତାଙ୍କର ଚେହେରା ଶିବସେନାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ଯଦି ଏଥର ଶିବସେନା ବିଜେପିଠାରୁ ଅଧିକ ଆସନ ପାଏ କିମ୍ବା ପାଖାପାଖି ଆସନ ପାଏ ତେବେ ସରକାର ଗଢିବାକୁ କିଛି ସର୍ତ୍ତ ରଖିପାରେ । ଆଉ ଏତେ ବଡ଼ ରାଜ୍ୟରେ ଶାସନ କରିବାକୁ ବିଜେପି ମଧ୍ୟ ସର୍ତ୍ତରେ ରାଜି ହେବ ନହେବ କହି ହେବନି । ଏ ସର୍ତ୍ତ ଆଦିତ୍ୟଙ୍କ ପାଇଁ କରିପାରେ ସେନା । ଏପରି ସ୍ଥଳେ ମହାରାଷ୍ଟ୍ରର ରାଜନୈତିକ ଭବିଷ୍ୟତ କହିଲେ ବିଜେପି ଓ ଶିବସେନାକୁ ବୁଝିବା ଥୟ ଭଳି ମନେହେଉଛି । ')}
ହିଟ୍ ମ୍ୟାନଙ୍କ ହିଟ୍ ‘ଶୋ’: ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ବିଶ୍ୱ ଇତିହାସରେ ସୃଷ୍ଟି କଲେ ନୂଆ ଇତିହାସ
ଦିନିକିଆ ହେଉ କି ଟି-20 କିମ୍ବା ଟେଷ୍ଟ, ସବୁ ଫର୍ମାଟରେ ରୋହିତ ଅତୁଳନୀୟ, ଅଦ୍ଵତୀୟ। ନିଜ ପ୍ରଦର୍ଶନ ବଳରେ ସେ ସବୁ ଫର୍ମାଟରେ ବାଦଶାହା ପାଲଟିଛନ୍ତି। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ତଥା ୩ୟ ଟେଷ୍ଟରେ ୨୧୨ ରନ୍ର ଇନିଂସ ଖେଳି ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍ ରହିଛନ୍ତି। ସୂଚନାଯୋଗ୍ୟ ଯେ, ରୋହିତଙ୍କ ନାମରେ ୩ଟି ଦିନିକିଆ ଦ୍ୱିଶତକ ରହିଛି। ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪ ରନ୍)ର ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି ।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ରୋହିତ ୨୪୯ଟି ବଲ ଖେଳି ଦ୍ଵିଶତକ ହାସଲ କରିଛନ୍ତି। ଏଥିସହ ସେ ୫ମ ଭାରତୀୟ ଓପନର ଭାବେ ଗୋଟିଏ ସିରିଜ୍ରେ ୫୦୦ ରନ୍ କରିବାର ସଫଳତା ପାଇଛନ୍ତି । ଏହି ତାଲିକାରେ ଭିନୁ ମଙ୍କଡ, ବୁଦ୍ଧି କୁଣ୍ଡେରାନ, ସୁନିଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ୱାଗ ରହିଛନ୍ତି। କେବଳ ଏତିକି ନୁହେଁ ଟେଷ୍ଟ କ୍ରିକେଟରେ ମହାନ ବ୍ୟାଟ୍ସମ୍ୟାନ ବ୍ରାଡମ୍ୟାନଙ୍କ ରେକର୍ଡ ମଧ୍ୟ ରୋହିତ ଭାଙ୍ଗିଛନ୍ତି। ଘରୋଇ ପରିବେଶରେ ରୋହିତ ଏଯାଏଁ ୧୨ଟି ଟେଷ୍ଟ ମ୍ୟାଚ ଖେଳି ୯୯.୮୪ ଆଭରେଜରେ ୧୨୯୮ ରନ କରିଛନ୍ତି। ଯେଉଁଥିରେ ୬ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ। ଅନ୍ୟପଟେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ବ୍ରାଡ୍ସମ୍ୟାନ ଘରୋଇ ପରିବେଶରେ ୫୦ଟି ମ୍ୟାଚ ଖେଳିଛନ୍ତି। ତାଙ୍କର ବ୍ୟାଟିଂ ଅଭରେଜ କିନ୍ତୁ ୯୮.୨୨ ରହିଛି। ଯାହା ରୋହିତ ଶର୍ମାଙ୍କ ଠାରୁ ସାମାନ୍ୟ କମ। ')}
ମାଟିରେ ମିଶିଲା ପୁରୀ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ
ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । କିଛିଦିନର ବ୍ୟବଧାନ ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସହରର କେନ୍ଦ୍ର ସ୍ଥଳରେ ଥିବା ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସକୁ ଅସୁରକ୍ଷିତ ଦର୍ଶାଯାଇଥିବା ବେଳେ ଆଜି ତାହାକୁ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ କରାଯାଇଛି |

ଆଜିର ଉଚ୍ଛେଦ ପ୍ରକ୍ରିୟାରେ ଏକ ଏକର ୭୨ଡ଼ିସିମିଲ ପରିଧିରେ ନିର୍ମାଣ ହୋଇଥିବା ୧୫୯ଟି ଦୋକାନ ଗୃହକୁ ୯ଟି ବୁଲଡୋଜର ଲଗାଇ ସମ୍ପୂର୍ଣ ଉଚ୍ଛେଦ କରିଛି ପ୍ରଶାସନ । ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କରିଛନ୍ତି ବ୍ୟବସାୟୀ। ଏଥିସହିତ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଦୋକାନୀ । ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ଯୋଗୁଁ କ୍ଷତିଗ୍ରସ୍ତଙ୍କୁ ମିଳୁଥିବା କ୍ଷତିପୂରଣ ଥଇଥାନ ବ୍ୟବସ୍ଥାକୁ ସେମନଙ୍କ ପାଇଁ ଲାଗୁ କରିବାକୁ ଦାବି ହୋଇଛି । ଦୋକାନ ଖାଲି କରିବା ବାବଦକୁ ୫୦ହାଜର, ଦୋକାନ ଘର ନମିଳିବା ଯାଏ ମାସିକ ଭତ୍ତା ଯୋଗାଇଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଦୋକାନ ଉଚ୍ଛେଦ ହୋଇଥିବା ସ୍ଥାନରେ ତିନିତାଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ସହ ପ୍ରାୟ ୪୭୫ଟି ଦୋକାନ ଘର ନିର୍ମାଣ ଏବଂ ପ୍ରାୟ ୧୦୦ଟି ଚାରିଚକିଆ ଯାନ ରହିବା ପାଇଁ ପାର୍କିଙ୍ଗ ବ୍ୟବସ୍ଥା କରାଯିବ। ଏନେଇ ୩୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର ପ୍ରସ୍ତୁତ ସରିଛି । ଆସନ୍ତା ୨୩ ତାରିଖରୁ ନଭେମ୍ବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ ପ୍ରାୟ ୧୮ମାସ ମଧ୍ୟରେ ଏହା ନିର୍ମାଣ ଶେଷ ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ତେବେ ଆଜି ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ')}
ମାଛ ଫାସରେ ଫସିଲା ସାପ
ସାପ ବେକରେ ପଶିଲା ବଇଁଶୀ କଣ୍ଟା । ମାଛ ଧରିବାକୁ ପକାଯାଇଥିଲା କଣ୍ଟା । ହେଲେ ଏହି କଣ୍ଟାରେ ଫସିଯାଇଥିଲା ସାପ । ଏସଂପର୍କରେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଂପାଦକ ଶୁଭେନ୍ଦୁ ମଲ୍ଲିକ ସେଠାରେ ପହଞ୍ଚିଥିଲେ। ପୋଖରୀରୁ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ଭୁବନେଶ୍ୱର ଓୟୁଏଟିକୁ ଅଣାଯାଇଥିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନଛିମପୁରରେ ଘଟିଠି ଏଭଳି ଘଟଣା ।

ବନିସି କଣ୍ଟା ଲାଖିବା ପରେ ସାପଟିର ତଣ୍ଟିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ସାପକୁ ବାଲେଶ୍ୱରରୁ ଭୁବନେଶ୍ୱର ଆଣାଯାଥିଲା। ସ୍ନେକ ହେଲ୍ପ ଲାଇନର ସଂପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ଓୟୁଏଟିର ପ୍ରାଣୀ ଶଲ୍ୟ ଓ ରଞ୍ଜନ ରଶ୍ମି ବିଶେଷଜ୍ଞଙ୍କ ଉପସ୍ଥିତିରେ ଅପରେସନ ହୋଇଥିଲା। ଏକ୍ସରେ କରିବା ପରେ ସାପଟିର ତଣ୍ଡିରେ କଣ୍ଟାଟି କିଭଳି ରହଛି ତାହା ସ୍ପଷ୍ଟ ହୋଇଥିଲା। 40 ମିନିଟର ଅପରେସନ ପରେ ତମ୍ପ ତଣ୍ଟିରୁ ବାହାରିଥିଲା କଣ୍ଟା। ଷ୍ଟିଚ୍ ପରେ ସାପଟି ଏବେ ସୁସ୍ଥ ଅଛି
')}
ରାତି ପାହିଲେ ବିଜେପୁର ଭୋଟ୍; ଉତ୍ସାହିତ ଭୋଟର, ନେତାଙ୍କ ଛାତିରେ ଶଙ୍କା
ସରିଛି ପ୍ରଚାର । ବିଜେପୁର ଛାଡ଼ିଛନ୍ତି ମାସେ ହେଲା ଡେରା ପକାଇଥିବା ନେତା । ସୋମବାର ସକାଳ ୭ଟାରୁ ଆରମ୍ଭ ହେବ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ବିଜେପୁର ନିର୍ବାଚନ ମଣ୍ଡଳୀର ୨୮୫ଟି ବୁଥରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ୧୨୯ଟି ଉତ୍ତେଜନାପ୍ରବଣ ଓ ୬ଟି ଅତି ସମ୍ବେଦନଶୀଳ ଏବଂ ନକ୍ସଲ ପ୍ରବଣ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ପ୍ରାୟ ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଉପନିର୍ବାଚନ ପାଇଁ ବିଜେପୁର ନିର୍ବାଚନ ମଣ୍ଡଳୀର ୬ଟି ମତଦାନ କେନ୍ଦ୍ରରେ ମଡେଲ ବୁଥ୍ ସହ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଥିବା ବେଳେ ୭୭ଟି ବୁଥରେ ମାଇକ୍ରୋ ଅବଜରଭର ରହିବେ । ଭୋଟ୍ ଗ୍ରହଣର ସୁପରିଚାଳନା ପାଇଁ ୩୨ ଜଣ ସେକ୍ସନ ଅଫିସର ଓ ୧୦ ଜଣ ଟେକ୍ନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ।
ଭୋଟ୍ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବିଜେପୁରରେ ବସା ବାନ୍ଧିଥିବା ନେତା ଗତକାଲି ସନ୍ଧ୍ୟାରୁ ବାହୁଡ଼ିଛନ୍ତି । ଜିତିବା ପାଇଁ ୩ ଦଳ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଭୋଟ୍ ଗ୍ରହଣ ପୂର୍ବରୁ ଆଜି ଶେଷ ରାତିରେ ଅନ୍ଧାରୀ ବିଜେ ହେବାର ସମ୍ଭାବନା ରହିଛି । ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସବୁ ପ୍ରାର୍ଥୀ ଯଥାସମ୍ଭବ ପ୍ରୟାସ କରିବେ ।
ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ବିଜେପିର ସନତ ଗଡ଼ତିଆଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥିନୀ ରୀତାରାଣୀ ସାହୁ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଛନ୍ତି । କାଲି ଭୋଟ୍ ଗ୍ରହଣ ପରେ ଆସନ୍ତା ୨୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ')}
ସାବଧାନ ! ଦୈତାରୀରେ ବୁଲୁଛି କଲରାପତରିଆ
ରାସ୍ତା ଉପରେ ବୁଲୁଛି ବାଘ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ସଂରକ୍ଷିତ ଜଙ୍ଗଲ ଘାଟି ରାସ୍ତାରେ କଲରାପତରିଆ ବାଘ ବୁଲୁଛି । ଓଏମସି ଲିଜ୍ ଅଧୀନ ବଳି ପର୍ବତ ୱେଲକମ୍ ଗେଟରୁ ଦୈତାରୀ ଟାଉନ୍ ସିପକୁ ଲମ୍ବିଥିବା ଘାଟି ରାସ୍ତାରେ ବାଘ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଘାଟିର ମଧ୍ୟବର୍ତ୍ତୀ ସ୍ଥାନରେ ବାଘକୁ ଦେଖିଛନ୍ତି ଓଆଇସିଏଫ୍ ଯବାନ । ଓଏମସି ଖଣି ନିରାପତ୍ତା ଦାୟିତ୍ୱରେ ଥିବା ଓଆଇସିଏଫ୍ ଯବାନମାନେ ରାତିରେ ଘାଟି ଦେଇ ଯାଉଥିବା ବେଳେ ବାଘକୁ ଦେଖି ତାର ଭିଡିଓ ସୁଟ୍ କରିଛନ୍ତି । ଘାଟିରେ କଲରାପତରିଆ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ')}
ବାବୁ ଶୁଣୁନାହାନ୍ତି ବିଧାୟକଙ୍କ କଥା
ଆକ୍ଟିଭ୍ ମୋଡରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସରକାରୀ ସ୍କୁଲକୁ କରିଛନ୍ତି ସରପ୍ରାଇଜ୍ ଭିଜିଟ୍ । ପାଠ ପଢ଼ା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବରେ ଦିଆଯାଉଛି କି ନାହିଁ ତାହାର ତଦାରଖ କରିଛନ୍ତି ବିଧାୟକ । ଗତକାଲି ବିଧାୟକ ମନୋହର ରାନ୍ଧାରୀ ପାପଡାହାଣ୍ଡି ବ୍ଲକ ମାନି ଗାଁ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ସ୍କୁଲ ପିଲାଙ୍କ ଉପସ୍ଥାନ ସମ୍ପର୍କରେ ପଚାରି ବୁଝିଥିଲେ । ହେଲେ ସ୍କୁଲରେ ୨୬୮ ଜଣ ପିଲା ଥିବା ବେଳେ ୫୮ ଜଣ ପିଲା ଉପସ୍ଥିତ ରହିଥିଲେ । କିନ୍ତୁ ରନ୍ଧା ଯାଇଥିବା ଖାଦ୍ୟ ମଧ୍ୟ ସେହି ୫୮ ଜଣ ପିଲାଙ୍କୁ ଅଣ୍ଟି ନଥିବା ଦେଖିବାକୁ ପାଇଥିଲେ ବିଧାୟକ । ଫଳରେ ନିଜେ ପିଲାଙ୍କୁ ବିସ୍କୁଟ କିଣି ଖାଇବାକୁ ଦେଇଥିଲେ । ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ ବିଧାୟକ । ଶିକ୍ଷୟିତ୍ରୀ ଙ୍କୁ ବିଧାୟକ ଫୋନ୍ କରି ଡାକିଥିଲେ ମଧ୍ୟ ଆସିନଥିଲେ । ଏହି ଘଟଣାର କିଛିଦିନ ପୂର୍ବରୁ ମଧ୍ୟ ଧନସୁଲି ଆଶ୍ରମ ସ୍କୁଲରେ ପହଞ୍ଚି ସ୍ଥିତି ପରଖିଥିଲେ ବିଧାୟକ ମନୋହର ରାନ୍ଧାରୀ । ସେଠାରେ ମଧ୍ୟ ୬୬ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳିନଥିବା ନେଇ ବିଡିଓ ଏବଂ ଡିଇଓଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏନେଇ ସମ୍ପୃକ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଜିଲ୍ଲା ପରିଷଦ ବୈଠକରେ ଏହି କଥା ଉଠାଇଥିଲେ ବିଧାୟକ । ଏହାପରେ ସଙ୍ଗେ ସଙ୍ଗେ ତିନି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।
')}

