ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।
ନୃଶଂସ ନୁହେଁ ମାନବ ସମାଜ, ଏଠି କୁକୁରକୁ ବି ମିଳେ ଚାରି କାନ୍ଧ
ଅନୁଗୁଳ: ବେଳେ ବେଳେ ହଜି ଯାଉଛି ମାନବିକତା । ମଲା ପରେ ମଣିଷକୁ ମଶାଣିକୁ ନେବା ପାଇଁ ମିଳୁନି ଚାରି କାନ୍ଧ । କିନ୍ତୁ ଏଠି ଏକ କୁକୁରକୁ ଚାରିକାନ୍ଧ ମିଳିଛି । ମଲା ପରେ ମଣିଷକୁ ସମ୍ମାନର ସହ କୋକେଇରେ ଶ୍ମଶାନକୁ ନେଲା ଭଳି, ଗୋଟିଏ କୁକୁରର ସେମିତି ସଂସ୍କାର କରାଯାଇଛି ।

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖିଣ୍ଡା ତ୍ରିବେଣୀ ଛକରେ ଗୋଟିଏ ବିଶ୍ୱସ୍ତ କୁକୁର ରାତିରେ ଦୋକାନ ଜଗିଥାଏ । ଦୋକାନୀ ବିନା ଚିନ୍ତାରେ ଘରକୁ ଯାଇଥାନ୍ତି । କିନ୍ତୁ ହଠାତ୍ ଏକ ଗାଡ଼ି ଧକ୍କାରେ କୁକୁରଟି ପ୍ରାଣ ହରାଇଥିଲା ।

ତେବେ ଦୋକାନୀମାନେ ତା’ ଋଣ ଶୁଝିବାକୁ ଚେଷ୍ଟା କରିଛନ୍ତି । ତାକୁ କୋକେଇରେ ନେଇ ରୀତିନୀତି ଅନୁସାରେ ଶବ ସଂସ୍କାର କରିଛନ୍ତି । ବାଜା ବଜାଇ କୁକୁର ଶବକୁ ମଶାଣିକୁ ନେଇ ସଂସ୍କାର କରାଯାଇଛି ।
ଶୋଇଥିବା ବେଳେ ୨ଶିଶୁଙ୍କ ଦେହରେ ଡିବିରିରୁ ଲାଗିଲା ନିଆଁ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଡିବିରିରୁ ନିଆଁ ଲାଗି ଭାଇ-ଭଉଣୀ ଗୁରୁତର । ଗୁରୁତର ଭାଇର ବୟସ ୮ ବର୍ଷ ଓ ଭଉଣୀର ବୟସ ୨ ବର୍ଷ ।

ସୂଚନା ମୁତାବକ ଭାଇ-ଭଉଣୀ ଘରେ ଶୋଇଥିବା ବେଳେ ପାଖରେ ଜଳୁଥିବା ଡିବିରିରୁ କମ୍ବଳରେ ନିଆଁ ଲାଗି ଯାଇଥିଲା । ଘରେ ଆଉ କେହି ନଥିଲେ । ନିଆଁ ଜଳୁଥିବା ଅବସ୍ଥାରେ ଭାଇ-ଭଉଣୀ ଘରୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । ଦୁଇଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି ।
ଆକ୍ସନ ମୋଡ଼ରେ ଓ୍ୱେସ୍କୋ, ବିଲ୍ ବାକି ଥିବା ଉପଭୋକ୍ତାଙ୍କ କାଟୁଛି ବିଦ୍ୟୁତ
ରାଉରକେଲା: ପଶ୍ଚିମ ଓଡ଼ିଶାରେ ଆକ୍ସନ ମୋଡ଼ରେ ଓ୍ୱେସ୍କୋ । ବିଲ୍ ବାକି ଥିବା ଉପଭୋକ୍ତାଙ୍କ ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନରୁ ଓ୍ୱେସ୍କୋ ପକ୍ଷରୁ ଆଜିଠାରୁ ବିଦ୍ୟୁତ୍ ବିଚ୍ଛିନ୍ନ ଅଭିଯାନ ଆରମ୍ଭ ହୋଇଛି ।

୨୫ ହଜାରରୁ ଅଧିକ ଟଙ୍କାର ବିଲ୍ ପଇଠ କରିନଥିବା ସୁନ୍ଦରଗଡ଼ ଜିଲ୍ଲାର ୪୯ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ନୋଟିସ୍ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଲ୍ ପଇଠ କରିନଥିବାରୁ ଆଜିଠାରୁ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଏଥିପାଇଁ ୪୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ସେପଟେ ନୂଆପଡ଼ାରେ ଲାଇନ୍ କାଟ ବେଳେ ଉତ୍ତେଜନା ଦେଖାଦେଇଛି । କିସ୍ତିରେ ବିଲ୍ ଆଦାୟ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି ।
ପେସା ଆଇନ ସଂଶୋଧନର ଆବଶ୍ୟକତା ରାଜ୍ୟ ସରକାର ଉପଲବ୍ଧି କରୁନାହାନ୍ତି: ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: ପେସା ଆଇନ ୧୪ଟି ଜିଲ୍ଲାର ୧୨୯ ବ୍ଲକ୍ର ସଂପୂର୍ଣ୍ଣ ଅଞ୍ଚଳରେ ଓ ୩ଟି ବ୍ଲକ୍ର ଆଂଶିକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ୧୧ଟି ବିଭାଗର ୨୧ ବିଷୟକୁ ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି ।

ଏବେ ପେସା ଆଇନ ସଂଶୋଧନର ଆବଶ୍ୟକତା ରାଜ୍ୟ ସରକାର ଉପଲବ୍ଧି କରୁନାହାନ୍ତି । ବିଧାନସଭାରେ ପେସା ଆଇନର କାର୍ଯ୍ୟକାରିତା ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଏହି ଆଇନ ଜରିଆରେ ୬୯ଟି ଲଘୁ ବନଜାତ ମାଲିକାନା ବ୍ୟବସାୟ ନିୟନ୍ତ୍ରଣ, ମାଇନର ଓ୍ୱାଟର ପଡି, ମାଇନର ମିନେରାଲ ଲାଇସେନ୍ସ, ଖଣି ଉତ୍ତୋଳନ ଓ ନିଲାମ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ମାଓ ଦମନ ପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସହାୟତାର ହାତ ବଢାଇଛି ବିଏସ୍ଏଫ୍
ମାଲକାନାଗିରି: ନକ୍ସଲ ଦମନ କରିବା ପାଇଁ ଦିନ ରାତି କାର୍ଯ୍ୟରତ ରହିଛି ବିଏସଏଫ୍ । ନକ୍ସଲ ମୁକାବିଲା କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସହାୟତାର ହାତ ବଢାଇଛି ବିଏସ୍ଏଫ୍ ।

ମାଲକାନଗିରିର ମାଥିଲି ବ୍ଲକ୍ର ଟେମୁରପାଲି ଗାଁର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ନିଆରା ପଦକ୍ଷେପ ନେଇଛି ବିଏସ୍ଏଫ୍ । ଗାଁର ଯୁବାବର୍ଗଙ୍କୁ କମ୍ପ୍ୟୁଟର ଶିକ୍ଷା ଦାନ କରାଇବା ପାଇଁ ବ୍ୟବସ୍ଥା କରିଛି ବିଏସ୍ଏଫ୍ ।

ଏହାସହ ଯୁବତୀ ଓ ମହିଳାଙ୍କୁ ଆତ୍ମନିର୍ଭଶୀଳ କରିବା ପାଇଁ ବଣ୍ଟାଯାଇଛି ସିଲେଇ ମେସିନ । ଆଉ ଖେଳକୁଦ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ବି ବଣ୍ଟାଯାଇଛି ।

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ
ବାଲେଶ୍ୱର: ୧୦୦ ଗ୍ରାମ୍ ବ୍ରାଉନ୍ ସୁଗର ସହିତ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଓ ଏକ କାର୍ ଜବତ, ୩ ଜଣ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସେଖ୍ସରାଇ ଛକ ନିକଟରୁ ପୋଲିସ ଚଢ଼ାଉ କରି ଏସବୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିମାନେ ହେଲେ ପୁରୀ କୁମ୍ଭାରସାହି ଥାନା ଅନ୍ତର୍ଖତ ନରେନ୍ଦ୍ରକୋଣର ଶ୍ରୀଧର ନାୟକ, ଲିଟୁ ଦୋରା ଏବଂ ଦେବାଶିଷ ମହାନ୍ତି । ଏମାନେ ଜଳେଶ୍ୱରରୁ କାର୍ ଯୋଗେ ପୁରୀକୁ ବ୍ରାଉନ୍ ସୁଗର ଚୋରା ଚାଲାଣ କରିବା ବେଳେ ପୋଲିସ ଚଢ଼ାଉ କରି ଧରିଥିଲା । ଜବତ ବ୍ରାଉନ୍ ସୁଗରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।
୩ଦିନ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ଖରାରେ କୋହଳ, ଆଗକୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଯାଏଁ ରହିବ ଘନ କୁହୁଡ଼ିର ଆସ୍ତରଣ । ବିଶେଷକରି ଓଡ଼ିଶାର ଉପକୁଳବର୍ତ୍ତି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ରହିବ ଘନକୁହୁଡି ।

୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଦିନ ଓ ରାତି ତାପମାତ୍ରାରେ କିଛି ପ୍ରଭାବ ପଡ଼ିବନି । ଆହୁରି ୨ରୁ ୪ ଦିନ ଏଭଳି ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । ଓଡ଼ିଶାର ବିଭିନ୍ନ ସ୍ଥାନରେ କେଉଁଠି କେଉଁଠି ୨ ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଉଛି । ସେହିପରି ପୂର୍ବାନୁମାନ ଅନୁଯାୟୀ ଗତକାଲିଠାରୁ ଶୀତ କମିବା ସହ ଓଡ଼ିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ପାରାଦୀପ, ପୁରୀ, ଛତ୍ରପୁର, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି ।

ମାଲକାନଗିରିର ତାପମାତ୍ରା ପୂର୍ବଭଳି ୩୫ ଡିଗ୍ରି ରହିଥିବା ବେଳେ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି। ମଙ୍ଗଳବାରଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ ।
କମ୍ପାନୀର କର୍ମଚାରୀଙ୍କୁ ଦଉଡିରେ ବାନ୍ଧି ଲୁଟିନେଲେ ୩୦କେଜିର ସୁନା
ଆଖି ପିଛୁଳାକେ ନେଇଗଲେ ୧୨କୋଟି ଟଙ୍କାର ସୁନା । ୨୦ମିନିଟରେ ଉଠାଇନେଲେ ୩୦କେଜିର ସୁନା ଗାଏବ କଲେ ଦୁର୍ବୃତ୍ତ । ଘଟଣାଟି ହେଉଛି ପଞ୍ଜାବର ଯେଉଁଠି ୪ ଜଣ ସଶସ୍ତ୍ର ଡକାୟତ ଦିନ ଦ୍ୱିପ୍ରହରରେ ଏକ ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ଠାରୁ ବନ୍ଧୁକ ଦେଖାଇ ୩୦ କିଲୋଗ୍ରାମ ସୁନା ଲୁଟି ନେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ତେବେ ଏନେଇ ପୋଲିସ ସୋମବାର ଦିନ ଏହି ସୂଚନା ଦେଇଛି । ପୋଲିସ କହିଛି, ଚଣ୍ଡିଗଡ଼ର ଗିଲ ରୋଡରେ ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ କମ୍ପାନୀରୁ ପୂର୍ବାହ୍ନ ୧୧ଟାରେ ଏହି ଡକାୟତି ହୋଇଛି । ସୁନା ଲୁଟ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।
ଦୁର୍ବୃତ୍ତମାନେ କମ୍ପାନୀର କର୍ମଚାରୀଙ୍କୁ ପ୍ରଥମେ ଦଉଡିରେ ବାନ୍ଧିଦେଇଥିଲେ । ମାତ୍ର ୨୦ ମିନିଟରେ ଏହି ଲୁଟ ହୋଇଥିବା ପୋଲିସ କହିଛି । ଲୁଟ ହୋଇଥିବା ସୁନାର ମୂଲ୍ୟ ୧୨ କୋଟି ଟଙ୍କା । ଏହି ଅଫିସ ନିକଟରେ ଅପରାଧ ତଦନ୍ତ କାର୍ଯ୍ୟାଳୟ ଅଛି । ପୋଲିସ କମିସନର ରାକେଶ ଅଗ୍ରୱାଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଦୁର୍ବୃତ୍ତମାନେ ଆଇଆଇଏଫଏଲ କର୍ମଚାରୀଙ୍କ ଆଲାରାମ ବଜାଇଥିଲେ । ଏହା ପରେ ସେମାନେ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ଘଟଣା ସମୟରେ ୫ ଜଣ କର୍ମଚାରୀ ଥିଲେ ଏବଂ କୌଣସି ଗ୍ରାହକ ନ ଥିଲେ ।
ଅପରେସନ ପରେ ଅବହେଳା ଏବଂ ମୃୃତ୍ୟୁର ଅଭିଯୋଗ, ଛେଚା ଖାଇଲେ ଡାକ୍ତର
ବ୍ରହ୍ମପୁର: ବୈଦନାଥପୁର ଗୁରୁଦେବ ହସ୍ପିଟାଲରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଚିକିତ୍ସା ଆବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ।

ଘଟଣାକୁ ନେଇ ରାତି ତମାମ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ତେବେ ଖବର ପାଇ ପୋଲିସ ପହଞ୍ଚି ହସ୍ପିଟାଲ ମାଲିକ ଓ ଡାକ୍ତର ପ୍ରଭାତ ପାଣିଗ୍ରାହୀଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଗତକାଲି ମହିଳା ଜଣକ ତାଙ୍କର ଆପେଣ୍ଡିକ୍ସ ଅପରେସନ ପାଇଁ ଗୁରୁଦେବ ହସ୍ପିଟାଲକୁ ଆସିଥିଲେ । ସେଠାରେ ତାଙ୍କର ଅପରେସନ ମଧ୍ୟ ହୋଇଥିଲା ।

କିନ୍ତୁ ଅପରେସନ ପରେ ହଠାତ ତାଙ୍କର ଦେହ କୋଲାପ୍ସ ହୋଇଯାଇଥିଲା । ଏବଂ ପରବର୍ତ୍ତି ସମୟରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏନେଇ ଚିକିତ୍ସା ଅବହେଳାରୁ ମହିଳାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ହସ୍ପିଟାଲର ମାଲିକ ଏବଂ ଡାକ୍ତରଙ୍କୁ ମାଡ଼ ମାରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି ।


