spot_img
Home Blog Page 7535

ବିରୋଧୀ ଦଳ ଉପନେତାଙ୍କ ମନ୍ତବ୍ୟ ପ୍ରତ୍ୟାହାର ଦାବି କଲା ବିଜେଡି

0

ଭୁବନେଶ୍ୱର : ବିରୋଧୀଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିଜେଡି । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଧାୟକ ଶ୍ରୀ ସେଠୀ ଶାଳୀନତାର ସୀମା ଟପିଛନ୍ତି । ବିଧାୟକ ହିସାବରେ ନିଜର ପଦ ମର୍ଯ୍ୟାଦା ସହିତ ଗାରିମା ରକ୍ଷା ଦୃଷ୍ଟିରୁ ଶ୍ରୀ ସେଠି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ଦଳ ଦାବି କରିଛି ।

ଦୀର୍ଘବର୍ଷ ଧରି ଓଡ଼ିଶା ରାଜନୀତିରେ ଏଭଳି ଅଶାଳୀନ ଶବ୍ଦ ବ୍ୟବହାର ଆଦୌ ଲକ୍ଷ୍ୟ କରାଯାଇନଥିଲା କିମ୍ୱା କୌଣସି ସ୍ଥିତିରେ ଜଣେ ବିଧାୟକଙ୍କଠାରୁ ଏଭଳି ଆଶା କରାଯାଏ ନାହିଁ । ବିଧାୟକ ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେଦିନ ବିଧାନସଭାରେ ମଧ୍ୟ ତାହା ଉଠାଇପାରିଥାନ୍ତେ ବୋଲି ଡ. ପାତ୍ର କହିଛନ୍ତି । ତେବେ ବିଧାନସଭା ଅଧିବେଶନ ସମୟରେ ଏଭଳି ନକରି ମୁଲତବୀ ପରେ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

ସେହିପରି ଧାନ ସଂଗ୍ରହ ପାଇଁ ମଣ୍ଡିରେ ଦଲାଲଙ୍କ ପ୍ରାଦୃଭାବ ହ୍ରାସ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀ ସେଠୀ ଏହାକୁ ବିରୋଧ କରିଥିବା ବିଜେଡି କହିଛି । ଏହାଫଳରେ ଧାନ ବିକ୍ରୀରେ ଦଲାଲ ବ୍ୟବସ୍ଥାକୁ ବିରୋଧୀ ଦଳ ଉପନେତା ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହେଉଛି ବୋଲି ଡ. ପାତ୍ର କହିଛନ୍ତି ।

 

ଶୀତ ଦିନ ପାଇଁ ‘କ୍ରୁଟ’ର ନିଷ୍ପତ୍ତି, କମିଲା ‘ମୋ ବସ୍’ ଭଡ଼ା

0

ଭୁବନେଶ୍ୱର: ‘ମୋ ବସ’ ଯାତ୍ରୀଙ୍କ ଲାଗି ଖୁସି ଖବର । ଶୀତ ଦିନ ପାଇଁ କମିଲା ଏସି ବସ୍ ଭଡ଼ା । ଆଗାମୀ ୨ ମାସ ପାଇଁ ଏସି ବସ ଭଡ଼ାରେ ରିହାତି ଦେବ କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) । ମୂଳ ଭଡ଼ାରୁ ପ୍ରାୟ ୩୮ ପ୍ରତିଶତ କମାଯାଇଛି । ନୂତନ ରିହାତି ଭଡ଼ା ଆସନ୍ତା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ । ରିହାତି ଭଡ଼ା ଲାଗୁ ହେଲେ ପ୍ରତି ୨ କିଲୋମିଟର ପିଛା ୮ଟଙ୍କା ଥିବା ଦର ୫ଟଙ୍କାକୁ ଖସି ଆସିବ ।ସେହିପରି ଏସି ବସର ସର୍ବାଧିକ ଭଡ଼ା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା ଦେବାକୁ ପଡ଼ିବ । ଖୁଚୁରା ପଇସା ଲାଗି ଯାତ୍ରୀ ଓ ଗାଇଡ୍ ବିଭିନ୍ନ ସମୟରେ ସମସ୍ୟାରେ ପଡ଼ୁଥିଲେ । ତେଣୁ, ଭଡ଼ାକୁ ସୁବ୍ୟବସ୍ଥିତ କରିବା ଲାଗି ୫ ମଲ୍ଟିପୁଲ୍ ବ୍ୟବସ୍ଥା ଲାଗୁ କରାଯିବ । କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର

ନୂଆଦିଲ୍ଲୀ: ମାନ୍ଦା ଅର୍ଥନୀତିକୁ ନେଇ ଜୁଝୁଥିବା ଭାରତକୁ ଆଉ ଏକ ଝଟକା । ପୁଣି ଖସିଲା ବିକାଶ ଅଭିବୃଦ୍ଧି ହାର । ୨୦୧୯-୨୦ ପ୍ରଥମ ତୈମାସିକରେ ଅଭିବୃଦ୍ଧି ହାର ୫ ପ୍ରତିଶତ ଥିଲା । ଏହା ଦ୍ୱିତୀୟ ତୈମାସିକରେ ୪.୫ ପ୍ରତିଶତକୁ ଖସି ଆସିଛି । ବିଗତ ୭ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ହ୍ରାସ ସର୍ବାଧିକ ।୨୦୧୩ ମସିହାରେ ଦେଶର ଅଭିବୃଦ୍ଧି ହାର ୪.୫ ପ୍ରତିଶତ ଥିଲା । ଗତ ତୈମାସରେ ଜିଡିପି ୫% ଥିବା ବେଳେ ୩ ମାସ ମଧ୍ୟରେ ୦.୫ ପ୍ରତିଶତ ଖସି ୪.୫%ରେ ପହଞ୍ଚିଛି । ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ସବୁଠୁ ଧିମା ବିକାଶ ଦର । ବର୍ଷକ ତଳେ ଜିଡିପି ୭ ପ୍ରତିଶତ ଥିଲା ।

ଏହା ବାଦ୍ ଅକ୍ଟୋବର ମାସରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୫.୮ ପ୍ରତିଶତ ରହିଛି । ୨୦୧୮-୧୯ ବର୍ଷର ପ୍ରଥମ ୭ ମାସରେ ରାଜକୋଷକୁ ୭.୨ ଟ୍ରିଲିୟନ ଟଙ୍କା (୧୦୦.୩୨ ଆରବ ଡଲାର) କ୍ଷତି ସହିବାକୁ ପଡ଼ିଥିଲା । ଯାହା ବଜେଟ୍ ଟାର୍ଗେଟର ୧୦୨.୪ ପ୍ରତିଶତ ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସରକାର ୬.୮୩ ଟ୍ରିଲିୟନ ଟଙ୍କା ରାଜସ୍ୱ ପାଇଛନ୍ତି । ଯେତେବେଳେ କି ୧୬.୫୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ ହୋଇଛି ।

ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଗୁରୁତର

ପୁରୀ : ବ୍ୟାଙ୍କରେ ଗୁଳିମାଡ଼ । ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ଶାଖାରେ ଫୁଟିଛି ଗୁଳି । ବ୍ୟାଙ୍କରେ ଗ୍ରାହକଙ୍କ ଗହଳି ଲାଗିଥିବା ବେଳେ ଗୁଳି ଫୁଟିଛି । ବ୍ୟାଙ୍କରେ ନିୟୋଜିତ ସୁରକ୍ଷା କର୍ମୀ ଅଜୟ ମହାରଣାଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି ।ଆହତ ଗ୍ରାହକ ମନାନ ଖାଁଙ୍କୁ ପ୍ରଥମେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମନାନଙ୍କ ବାମ ଗୋଡ଼ରେ ଗୁଳି ବାଜିଛି ।

ବ୍ୟାଙ୍କରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି, ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛନ୍ତି । ସୁରକ୍ଷା କର୍ମୀ ଅଜୟଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ବନ୍ଧୁକ ଜବତ କରାଯାଇଛି । କେଉଁ ପରିସ୍ଥିତିରେ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିଲା ପୋଲିସ ଅନୁସନ୍ଧାନ କରୁଛି ।

ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଅସାବଧାନତା ବଶତଃ ସୁରକ୍ଷା କର୍ମୀଙ୍କ ହାତରୁ ବନ୍ଧୁକ ଖସିପଡ଼ି ଗୁଳି ଫୁଟିଥିଲା । ବନ୍ଧୁକ କାଗଜପତ୍ର ଓ ଲାଇସେନ୍ସ ନେଇ ପୋଲିସ ତଦନ୍ତ କରୁଛି । ଆହତଙ୍କ ସମସ୍ତ ଖର୍ଚ୍ଚ ବ୍ୟାଙ୍କ ବହନ କରିବ ବୋଲି ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ଶାଖା ମ୍ୟାନେଜର ସୂଚନା ଦେଇଛନ୍ତି ।