spot_img
Home Blog Page 7539

ଭୁବନେଶ୍ୱର ଏମ୍ସରେ ନୂଆ ଖୋଲିବ ଓଟି ଏବଂ ଆଇସିୟୁ କମ୍ପ୍ଲେକ୍ସ, ସମ୍ମୁଖରେ ରହିବ ବାଜପେୟୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ଉଚ୍ଚକୋଟିର ହେବ ରାଜ୍ୟ ଏମ୍ସରେ ସ୍ୱାସ୍ଥ୍ୟ ସେବା । ଲୋକାର୍ପଣ ହେବ ୧୦ଟି ମଡ୍ୟୁଲାର ଓଟି । ଏହାସହ ଆଇସିୟୁ କମ୍ପ୍ଳେକ୍ସ, କ୍ୟାଥ ଲ୍ୟାବ୍‌ ଏବଂ ଫ୍ଲୁରୋସ୍କୋପି ସେବା ମଧ୍ୟ ଲୋକାର୍ପିତ ହେବ । ଏହି ସେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଲୋକାର୍ପିତ କରିବେ । ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି ଏମ୍ସ । ଏହି ଅବସରରେ ଭୁବନେଶ୍ୱର ଏମ୍ସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଅନାବରଣ କରାଯିବ ।

ବର୍ତ୍ତମାନ ୭୯୭ ଟି ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ଏମ୍ସରେ ୧୫ଟି ଓଟି କାର୍ଯ୍ୟକ୍ଷମ ରହିଛି । ୧୦ଟି ନୂଆ ଖୋଲିଲେ ତାହା ୨୫ରେ ପହଞ୍ଚିବ । ୬୩ଟି ଆଇସିୟୁ ବେଡ ରହିଥିବା ବେଳେ ୨୭ଟି ବେଡରେ ଭେଣ୍ଟିଲେଟର ସେବା ଉପଲବ୍ଧ ଅଛି  । ୪୧ଟି ବିଭାଗ ରୋଗୀ ସେବାରେ କାର୍ଯ୍ୟ କରୁଛି । ଏଠାରେ ୧୧ଶହ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ୧୫୪ଜଣ ଫ୍ୟାକଲଟି ପାଠ ପଢାଉଛନ୍ତି ।

୧୧୭ ଏକର ଜମି ପରିବର୍ତ୍ତେ ୯୧ ଏକର ଜମିରେ ନିଜର ବିଲଡିଂ ନିର୍ମାଣ କରିପାରିଛି ଏମ୍ସ । ଆଗାମୀ ଦିନରେ ଗାମାନାଇଫ୍‌, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ, ଗ୍ୟାଷ୍ଟ୍ରୋ ସର୍ଜରୀ ସମେତ ସେଣ୍ଟର ଅଫ ଏକ୍ସଲେନ୍ସି ଏବଂ ସୁପର ସ୍ପେଶାଲିଟି ବିଭାଗ ଖୋଲିବାକୁ ଯାଉଥିବା ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

ଦିନକୁ  ୪ହଜାର ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଚିକତ୍ସା ସେବା ଯୋଗାଇବା  ଭୁବନେଶ୍ୱର ଏମ୍ସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

କୁମ୍ଭୀର ଗଣନା ପାଇଁ ନୂଆବର୍ଷରେ ବନ୍ଦ ରହିବ ଭିତରକନିକା

0

ରାଜନଗର : ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ ଭିତରକନିକା । ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଭିତର କନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।


କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଂଜନ ଦାସ । ଡିସେମ୍ୱର ଶେଷ ସପ୍ତାହ ବେଳକୁ ଅଧିକ ବଉଳା କୁମ୍ଭୀର ଉପରକୁ ଆସନ୍ତି ।

ପର୍ଯ୍ୟଟକଙ୍କ ସମାଗମ ହେଲେ କୁମ୍ଭୀର ଗଣନାରେ ସମସ୍ୟା ସୃଷ୍ଟି ହେବ । ଯନ୍ତ୍ର ଚାଳିତ ବୋଟ୍ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ବୋଲି ବନ ବିଭାଗ ପକ୍ଷରୁ ଉଦ୍ୟାନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି ।

ବରଗଡ଼ରେ ଚାଞ୍ଚଲ୍ୟ, ଶୌଚ ପାଇଁ ଯାଇଥିବାବେଳେ ଘୋଷାରିନେଲେ ଯୌନ ପୀପାସୁ

0

ସମ୍ବଲପୁର: ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଟେମରୀମାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେହି ଗ୍ରାମର ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତ ଶରୀର ଉଦ୍ଧାର ହୋଇଛି । ଶବଟି ଅର୍ଦ୍ଧ ନଗ୍ନ ଅବସ୍ଥାରେ ପଡି ରହିଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଟେମରୀମାଲ ଗାଁର ଜଣେ  ଯୁବତୀ ଶୁକ୍ରବାର ଦିନ ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ। ଏ ନେଇ ତାଙ୍କ ଘର ଲୋକ ପାଇକମାଲ ଥାନାରେ ଗତ ସୋମବାର ଦିନ ଅଭିଯୋଗ କରିଥିଲେ।

ଆଜି ସକାଳୁ ଗାଁର କିଛି ଲୋକ ସେଇ ରାସ୍ତା ଦେଇ ଶୌଚ ହେବା ପାଇଁ ଯାଉଥିବାବେଳେ ଯୁବତୀଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ । ପରେ ଗାଁ ଲୋକଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।

ଗୁଜୁରାଣ ମେଣ୍ଟାଇବାକୁ ରାସ୍ତା କଡ଼ରେ ବିକୁଥିଲେ ଗୁପ୍‌ଚୁପ୍‌ , ଆଜି କୋଟିପତି କ୍ରିକେଟର

0

ମୁମ୍ୱାଇ: ପ୍ରତିଭା କେବେ ଲୁଚି ରହିପାରେନି । ସୁଯୋଗ ମିଳିଲେ ରସାତଳରୁ ଦୀପ୍ତିମାନ ହୋଇ ବାହାରିଉଠେ । ଏହିକଥା ପୁଣି ଥରେ ପ୍ରମାଣିତ ହୋଇଛି କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ କ୍ଷେତ୍ରରେ । ଯଶସ୍ୱୀ ଦିନେ ଗୁଜୁରାଣ ମେଣ୍ଟାଇବାକୁ ମୁମ୍ବାଇର ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକୁଥିଲେ । ଆଜି ଯୁବ ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ ହୋଇପାରିଛନ୍ତି ।

ଆସନ୍ତାବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଯୁବ ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରିବେ । କେବଳ ସେତିକି ନୁହେଁ, ଆଇପିଏଲ୍‌ରେ ବି ତାଙ୍କ ବ୍ୟାଟିଂ ଚମକ ଦେଖିବାକୁ ମିଳିପାରେ । ଏହି ଯୁବ ଖେଳାଳିଙ୍କୁ ୨.୪କୋଟିରେ କିଣିଛି ରାଜସ୍ଥାନ ରୟାଲସ୍‌ ଦଳ ।

୧୭ ବର୍ଷୀୟ ଉଦୀୟମାନ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ । ଘର ଉତ୍ତର ପ୍ରଦେଶ ଭଦୋହି ଜିଲ୍ଲାର ସୁରିଆ ଗାଁ । ୧୧ ବର୍ଷ ବୟସରେ ଉତ୍ତର ପ୍ରଦେଶରୁ ଚାଲିଆସିଥିଲେ ମୁମ୍ବାଇ । ଲକ୍ଷ୍ୟ ଥିଲା ବଡ଼ କ୍ରିକେଟର ହେବା । ମୁମ୍ବାଇରେ ରହିବାକୁ ଘର ନଥିଲା, ପେଟ ପାଇଁ ଖାଦ୍ୟ ନଥିଲା । ଏଥିପାଇଁ ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଓ ଫଳ ବିକିବାକୁ ପଡ଼ିଥିଲା । ଏସବୁ ଭିତରେ କ୍ରିକେଟ ଠାରୁ ଦୂରେଇ ଯାଇନଥିଲେ ସେ । ଖାଦ୍ୟ ଓ ରହିବା ପାଇଁ ସଂଘର୍ଷ ଭିତରେ ମୁସଲିମ ୟୁନାଇଟେଡ୍‌ ସେ୍ପାର୍ଟସ କ୍ଲବ ଗ୍ରାଉଣ୍ଡ ତାଙ୍କୁ ଦେଇଥିଲା ଆଶ୍ରୟ । ୩ ବର୍ଷ ଧରି ଟେଣ୍ଟ ହିଁ ଥିଲା ତାଙ୍କ ଘର । ଏହି ଟେଣ୍ଟର ଅନେକ ସମସ୍ୟା ଭିତରେ ତାଙ୍କ ପ୍ରତିଭାର ନବୋଦୟ ହୋଇଥିଲା ।

ଥରେ ସୁଯୋଗଟିଏ ଜୁଟିଗଲା । ପ୍ରଥମ ସୁଯୋଗରେ ସେ ନିଜ ଦକ୍ଷତା ଦେଖାଇଦେଲେ । ପ୍ରଶିକ୍ଷକ ସେହି ପ୍ରଥମ ପରୀକ୍ଷାରୁ ଜାଣିଗଲେ ତାଙ୍କ ପ୍ରତିଭା ସମ୍ପର୍କରେ । ଜଣେ ନୀତିନିଷ୍ଠ ଛାତ୍ର ଭାବେ ଗୁରୁଙ୍କ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ  ହେଲେ ଯଶସ୍ୱୀ । କ୍ରିକେଟ ପ୍ରତି ସେ ଥିଲେ ପୂର୍ଣ୍ଣ ସମର୍ପିତ । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ସେ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ । ୨୦୧୫ରେ ବିଦ୍ୟାଳୟସ୍ତରୀୟ ଗାଇଲ୍ସ ସିଲ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେ ପ୍ରତିଭା ଦେଖାଇଥିଲେ ।

୩୧୯ ରନ୍‌ର ଅପରାଜିତ ସ୍କୋର୍‌ ସହ ୯୯ ରନ୍‌ରେ ୧୩ଟି ଓ୍ୱିକେଟ ନେଇ ସଭିଙ୍କ ନଜରକୁ ଆସିଥିଲେ । ମୁମ୍ବାଇ ପାଇଁ ବିଜୟ ହଜାରେ ଟ୍ରଫିରେ ଖେଳିବା ସୁଯୋଗ ପାଇଥିଲେ । ୧୫୪ ବଲରୁ ୨୦୩ ରନ୍‌ କରିଥିଲେ ଯେଉଁଥିରେ ୧୨ ଛକା ଓ ୧୭ ଚୌକା ରହିଥିଲା । ଘରୋଇ କ୍ରିକେଟରେ ଦୃଢ଼ ପ୍ରଦର୍ଶନ ପରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ଜଣେ ଅଲରାଉଣ୍ଡର ଭାବେ ତାଙ୍କୁ ସ୍ଥାନ ମିଳିଛି ।

ବିଶ୍ୱକପ୍‌ରେ ନିଜ ପ୍ରତିଭା ଦେଖାଇବା ପୂର୍ବରୁ ତାଙ୍କୁ ଆଉ ଏକ ବଡ଼ ସୁଯୋଗ ମିଳିଛି । ସଦ୍ୟ ଶେଷ ହୋଇଥିବା ଆଇପିଏଲ୍‌ ନିଲାମରେ ତାଙ୍କୁ କିଣିଛି ରାଜସ୍ଥାନ ରୟାଲସ ଦଳ । ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଥିବା ବେଳେ ୨.୪୦ କୋଟିରେ କିଣିଛି ରାଜସ୍ଥାନ । ତାଙ୍କୁ ନେବାକୁ ମୁମ୍ବାଇ ଇଣ୍ଡିଆନ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟ ଆଗ୍ରହୀ ଥିଲେ । ମାତ୍ର ସମସ୍ତଙ୍କୁ ପଛରେ ପକାଇ ଦେଇଥିଲା ରାଜସ୍ଥାନ ରୟାଲ୍ସ ।

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଜନଗଣନା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବ ଜନଗଣନା  । ଏପ୍ରିଲ୍‌ ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହେବ । ଏନେଇ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମିଳିଛି ମଞ୍ଜୁରୀ । ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌) ତାଲିକାରେ ନୂଆ ବଦଳି କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୦ ଏପ୍ରିଲ୍‌ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନା ଅଧିକାରୀ ।  ଏହି ଜନଗଣନା ପ୍ରତି ୧୦ ବର୍ଷକୁ ଥରେ ହେଉଥିବା ବେଳେ ୨୦୧୧ ମସିହାରେ ଶେଷ ଜନଗଣନା ପ୍ରକାଶ ପାଇଥିଲା  ।

ନିଯୁକ୍ତି ପ୍ରସଙ୍ଗକୁ ନେଇ ପାରାଦୀପରେ ତୁମୁଳକାଣ୍ଡ, ଛାତ୍ରଙ୍କ ଉପରେ ପୋଲିସର ଲାଠିଚାର୍ଜ

ପାରାଦୀପ : ନିଯୁକ୍ତିକୁ ନେଇ ପାରାଦୀପରେ ଲଙ୍କା କାଣ୍ଡ । JSW କାରଖାନାର ପାରାଦୀପ ସ୍ଥିତ ଅଫିସରେ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଅଫ୍ ବିଜୁପଟ୍ଟନାୟକ ୟୁନିଭର୍ସିଟିର ଛାତ୍ରମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହାପରେ କମ୍ପାନୀ ନାଁରେ ଏତଲା ଦେବାକୁ ଥାନାକୁ ଯାଉଥିବା ବେଳେ ଥାନା ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଛାତ୍ର । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା ।


୧୦ରୁ ଅଧିକ ଛାତ୍ରଙ୍କୁ ଅଟକ ରଖିଛି ପୋଲିସ । ଗତ ଅକ୍ଟୋବର ୧୫ ତାରିଖରେ (ସୋବୁ)ର ଛାତ୍ର ଛାତ୍ରୀ ନିଯୁକ୍ତିକୁ ନେଇ ଧାରଣା ଦେଇଥିଲେ । ଏହି ସମୟରେ JSW ପକ୍ଷରୁ ନିଯୁକ୍ତିକୁ ନେଇ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏ ଘଟଣାକୁ ନେଇ ପାରାଦୀପ ଏଡିଏମଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଆଜି ସକାଳେ ସୋବୁ ଛାତ୍ର ସଙ୍ଗଠନ ର କିଛି ଛାତ୍ର JSW  ଅଫିସରେ ପହଞ୍ଚି ନିଯୁକ୍ତି କାହିଁକି ଦିଆ ଯାଉନାହିଁ ବୋଲି ପ୍ରଶ୍ନ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। କମ୍ପାନୀର କମ୍ପ୍ୟୁଟର, ଏସି, ଚେୟାର, ଟେବୁଲ ପ୍ରଭୃତି ଭଙ୍ଗାରୁଜା କରିଥିଲେ । ପରେ ଥାନାରେ କମ୍ପାନୀ ବିରୋଧରେ ଏତଲା ଦେବାକୁ ଯାଇଥିଲେ । ମାତ୍ର ସେଠାରେ ପୋଲିସ ସେମାନଙ୍କୁ ଅଟକ ରଖିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଫଳରେ ପୋଲିସ ବାଧ୍ୟ ହୋଇ ମୃଦୁ ଲାଠି ଚାଳନା କରିବା ସହିତ କିଛି ଛାତ୍ରଙ୍କୁ ଅଟକ ରଖିଛି । ଛାତ୍ର ମାନଙ୍କର ୪୦ରୁ ଅଧିକ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ। ତେବେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ପୋଲିସ ନିକଟରେ କରାଯାଇନାହିଁ ।

ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି ଘୋଷଣା

0

ଆସନ୍ତା ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା । ଏବେ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି  କରାଯାଇଛି ।

୨୫ରେ ବଡ଼ ଦିନ ପଡୁଥିବାରୁ ସେଦିନ ସରକାରୀ ଛୁଟି ରହିଥିବା ବେଳେ ଏବେ ୨୬ରେ ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା ହେବା ପରେ ସରକାରୀ କର୍ମଚାରୀ ଏବେ ଦୁଇଦିନ ଛୁଟି ପାଇଛନ୍ତି ।

ସୂଚନା ଅନୁସାରେ, ୨୬ତାରିଖ ସକାଳେ ବିରଳ ସୂର୍ଯ୍ୟପରାଗ ସଂଘଠିତ ହେବାକୁ ଯାଉଛି। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟରେ ସର୍ବାଧିକ ପରାଗ ଦେଖାଯିବ। ଉକ୍ତ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରାୟ ୫୫-୬୫% ଘୋଡ଼ାଇଦେବ ଏବଂ ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ।

ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ, ଲୋକେ ଆର୍‌ଟିଓ କୁ ଡାକି ୨୫ ହଜାର ଟଙ୍କାର ଫାଇନ କଟାଇଲେ

0

ରାୟଗଡ଼ା: ପୁଅ ପାଇଁ ବାପାଙ୍କୁ କାଟିବାକୁ ପଡ଼ିଲା ୨୫ ହଜାର ଟଙ୍କାର ଚାଲାଣ । ନୂଆ ଟ୍ରାଫିକ୍‌ ନିୟମର ଶିକାର ହେଲେ ଏହି ବ୍ୟକ୍ତି । ୧୩ ବର୍ଷର ବାଳକ ରାସ୍ତା ଉପରେ ଦ୍ରୁତଗତିରେ କାର ଚଳାଇବାକୁ ଯାଇ କାଟିବାକୁ ପଡ଼ିଛି ଚାଲାଣ । ଏଭଳି ଘଟଣା ଦେଖିବକୁ ମିଳିଛି ରାୟଗଡା ସଦର ରିଂ ରୋଡ଼ଠାରେ ।

ସୂଚନା ଅନୁଯାୟୀ, ଆଜି ଦୁଇଜଣ ନାବାଳକ  ଏକ ସେଣ୍ଟ୍ରୋ କାର ଯୋଗେ ସଦର ରିଂ ରୋଡ଼ରେ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକେ କାରଟିକୁ ଅଟକାଇ ଆର୍‌ଟିଓ ଏବଂ ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଆର୍‌ଟିଓ ଏବଂ ପୋଲିସ ପହଞ୍ଚିବାପରେ ନାବାଳକଙ୍କ ପରିବାର ଲୋକେ ପହଞ୍ଚିଥିଲେ । କାର ସହିତ ନାବାଳକ ଚାଳକ ଏବଂ ବାପାଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ  ନାବାଳକ ଚାଳକଙ୍କ ବାପା ୨୫ ହଜାର ଟଙ୍କା ଜରିମାନା ଦେଇଥିଲେ ।

୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ତା’ପରେ ବଢ଼ିବ ଶୀତ

0

ଭୁବନେଶ୍ୱର: ଆସନ୍ତା୨୬ରୁ ଆରମ୍ଭ ହେବ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା । ଏହା ପରେ ସାରା ରାଜ୍ୟରେ ବଢ଼ିପାରେ ଶୀତର ଲହରୀ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା କାଲି ସୁନ୍ଦରଗଡ଼, କେନ୍ଦୁଝରରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏଥିସହ ୨୬ ତାରିଖ ପରେ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରି ପଯ୍ୟନ୍ତ ତାପମାତ୍ରାରେ ହ୍ରାସ ଘଟିବ  । ଯାହା ଫଳରେ ଶୀତ ବଢିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ଥିଲା ୧୧ଂ,  ଦାରିଗିବାଡି ରେ ୧୧.୫ଂ ରେକର୍ଡ କରାଯାଇଛି ।