ନୟାଗଡ଼: ୪ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଲମ୍ବିତ । ଭତ୍ତା ଟଙ୍କା ହଡ଼ପ ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କଲେ ଜିଲ୍ଲାପାଳ । ଦଶପଲ୍ଲା ବ୍ଲକର ରମେଶ ନାୟକ, ଖଣ୍ଡପଡ଼ା ବ୍ଲକର ରମେଶ ବେହେରା, ନୂଆଗାଁ ବ୍ଲକର ଡମ୍ବରୁଧର ନାୟକ ଓ ପଙ୍କଜିନୀ ମଲ୍ଲିକ ନିଲମ୍ବିତ ।
ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଖୁସ୍ ପଞ୍ଜାବ ପ୍ରତିନିଧି ଦଳ, କହିଲେ ସରକାରଙ୍କୁ ସ୍ୟାଲୁଟ୍
ଭୁବନେଶ୍ୱର : ପୁରୀରେ ଥିବା ମଙ୍ଗୁ ମଠକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଉଚ୍ଛେଦ ପରେ ମଠକୁ ନେଇ ଯେଉଁ ଭୁଲ୍ ଧାରଣା ଥିଲା ସେ ସବୁ ଦୂର ହୋଇଥିବା କହିଛନ୍ତି ପଞ୍ଜାବରୁ ଆସିଥିବା ପ୍ରତିନିଧି ଦଳ ।

ଆଜି ପଞ୍ଜାବର ଏକ ଶିଖ୍ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ମଙ୍ଗୁ ମଠକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପଞ୍ଜାବର ୨ ଜଣ ବିଧାୟକ ଓ SGPCର ଜଣେ ସଦସ୍ୟ ଆବେଗ ପ୍ରକାଶ କରିଥିଲେ । ସେମାନଙ୍କୁ ବିସ୍ତୃତଭାବେ ସରକାରଙ୍କ କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ମଙ୍ଗୁ ମଠ ସହ ୧୨ ଏକର ସ୍ଥାନରେ ଥିବା ଗୁରୁ ନାନକଙ୍କ ମଠର ସୌନ୍ଦର୍ଯ୍ୟକରଣ କରାଯିବ ।

ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପଞ୍ଜାବରୁ ଆସିଥିବା ପ୍ରତିନିଧି ଦଳ ସରକାରଙ୍କୁ ପ୍ରଶଂସା କରିଛନ୍ତି । ମନରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଛି । ଏହା ଦ୍ଵାରା ଓଡିଶା ଓ ପଞ୍ଜାବ ମଧ୍ୟରେ ସମ୍ପର୍କ ସୃଦୁଢ ହେବ ବୋଲି କହିଛନ୍ତି ପ୍ରତିନିଧି ଦଳ ସଦସ୍ୟ ସମରଜିତ୍ ସିଂ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପୂର୍ତ୍ତି ସଚିବ କିଷାନ କୁମାରଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ସେମାନେ କହିଥିଲେ ଯେ, ବିଧାୟକ ତାଙ୍କ ସାନ ଭାଇ ଏବଂ ସଚିବଙ୍କର ସେ ଅଂଚଳରେ ବଡ଼ ଘର ଅଛି । ଓଡ଼ିଶାରେ ଗୁରୁନାନକଙ୍କୁ ଅଧିକ ଶ୍ରଦ୍ଧା କରାଯାଉଛି । ରାଜ୍ୟ ସରକାରଙ୍କୁ ସାଲୁଟ କରିଛନ୍ତି ପ୍ରତିନିଧି ଦଳ । ସାକ୍ଷାତ ଆଲୋଚନା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ସରକାରଙ୍କ ମାଷ୍ଟର ପ୍ଲାନରେ ସେମାନେ ଖୁସି ଅଛନ୍ତି ।
https://nandighoshatv.comeviction-going-on-at-puri-mangu-matha-vandalized/
ଜିଓଠୁ ବି ଅଧିକା ସୁବିଧା, ପ୍ରତିଦିନ ୫ ଜିବି ଡାଟା ସହ ୨୫୦ ମିନିଟ୍ କଲିଂ
ନୂଆଦିଲ୍ଲୀ: ବିଏସଏନଏଲ ଆଣୁଛି ନୂଆ ପ୍ଲାନ୍ । ଏଥର ଆପଣଙ୍କ ନେଟୱର୍କ ଆଉ ପରିବର୍ତ୍ତନ କରିବାକୁ ପଡ଼ିବନି । ଜିଓ ଓ ଏୟାରଟେଲ ଭଳି ବିଏସଏନଏଲ ମଧ୍ୟ ନୂଆ ଅଫର ମାର୍କେଟକୁ ଛାଡ଼ିଛି । ବିଏସଏନଏଲ ତାର ଗ୍ରାହକଙ୍କ ପାଇଁ ୧୦୯ ଟଙ୍କାର ପ୍ରିପେଡ ପ୍ଲାନ ଆଣିଛି । ଏହି ପ୍ଲାନର ନାଁ ରହିଛି ମିତ୍ରମ ପ୍ଲସ । ଏହି ପ୍ଲାନର ବୈଧତା ୯୦ ଦିନ । କେବଳ ସେତିକି ନୁହେଁ ଏହି ପ୍ଲାନରେ ଦିନକୁ ୫ ଜିବି ଡାଟା ସହ ୨୫୦ ମିନିଟ୍ ଭୟସ କଲ ମିଳୁଛି ।

ପୂର୍ବରୁ ବିଏସେନଏଲ ଏହି ମିତ୍ରମ ପ୍ଲାନ ମାର୍କେଟରେ ଲଞ୍ଚ ହୋଇଛି । ୪୯ଟଙ୍କାର ଏହି ପ୍ଲାନରେ ୪୦ଟଙ୍କାର ଟକଟାଇମ ଏବଂ ୫୦୦ଏମବି ଡାଟା ରହିଛି । ଏହି ପ୍ଲାନj ବୈଧତା ୧୫ ଦିନ ରହିଛି ।

୧୦୯ ଟଙ୍କାର ପ୍ଲାନରେ ଗ୍ରାହକ ଦେଶର ସମସ୍ତ ନେଟୱର୍କକୁ କଲ କରିପାରିବେ । ୨୫୦ ମିନିଟର ଫ୍ରି କଲିଂ ଶେଷ ହେବାପରେ ଅନ୍ ନେଟ କଲିଂ ସେକେଣ୍ଡ ପ୍ରତି ୧.୨ ପଇସା ପଡ଼ିବ । ସେହିପରି ଅଫ ନେଟ୍ କଲିଂ ସେକେଣ୍ଡ ପ୍ରତି ୧.୫ ପଇସା କଟିବ । ୯୦ ଦିନର ବୈଧତାର ଏହି ପ୍ଲାନରେ କଲିଂ ଓ ଡାଟା ୨୦ ଦିନ ପର୍ଯ୍ୟନ୍ତ ମିଳିବ ।

ଉପଭୋକ୍ତା, ଜିଓ ନେଟୱର୍କକୁ ପ୍ରଥମେ ବେଶ୍ ପସନ୍ଦ କରୁଥିବା ବେଳେ ଏବେ ଜିଓ ତାର ପ୍ଲାନରେ ପରିବର୍ତ୍ତନ ପରେ ପରିବର୍ତ୍ତନ ଆଣିଛି । ପ୍ରଥମେ ଜିଓ ୩୪୯ଟଙ୍କାରେ ପ୍ରତିଦିନ ୧ଜିବି ଡାଟା ସହ ଅଲ-ଲିମିଟେଡ୍ ଭଏସ କଲର ସୁବିଧା ଦେଉଥିଲା । ସେ ଏହାକୁ କିଛିଦିନରେ ପରିବର୍ତ୍ତନ କରାଇ ୩୯୯ ପରେ ୫୫୫ କରିଛି । ପ୍ରଥମେ ଏୟାରଟେଲ ନେଟୱାର୍କ ଅନୁସରଣ କରିଥିଲା ଏବଂ ଜିଓ ଭଳି ସୁବିଧା ମଧ୍ୟ ଦେଉଛି । ଯଦିଓ ଜିଓର ପ୍ଲାନ ଗୁଡ଼ିକଠାରୁ ଏୟାରଟେଲର ପ୍ଲାନ ଅଧିକ ବ୍ୟୟ ବହୁଳ ।
ତେବେ ଏହି ପ୍ଲାନଟିର ଲାଭ କେରଳ ସର୍କଲର ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ରହିଛି । କିନ୍ତୁ ଯଦି ଏ ପ୍ଲାନ ଦେଶସାରା କରାଯାଏ ତେବେ ଉପଭୋକ୍ତାଙ୍କୁ ଯଥେଷ୍ଟ ସୁବିଧା ମିଳିପାରିବ ।
ପାହାଡ଼ରେ ପିଟିଲା ଯାତ୍ରୀବାହୀ ବସ୍, ୩୫ ଆହତ ୨ ଗୁରୁତର
ବାଲିଗୁଡା: କନ୍ଧମାଳ ତୁମୁଡିବନ୍ଧ ଥାନା ବୁଲିପଦର ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ । ଦୁର୍ଘଟଣାରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର ହୋଇଛନ୍ତି । ବାଲିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଭୋର ୪ଟା ବେଳେ ଭୁବନେଶ୍ୱରରୁ ଲାଞ୍ଜିଗଡ଼ ଯାଉଥିବା ଶାରଳା ବସ୍ ବୁଦୁଲିପଦର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଯାତ୍ରୀ ମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇଥିଲା ।
୩ ଦଫା ଦାବି ନେଇ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ
ବଲାଙ୍ଗିର: ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ । ୩ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ଓ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ତରଫରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହାର ପ୍ରଭାବରେ ଠପ୍ ହୋଇଯାଇଛି ଗାଡି ଚଳାଚଳ ।

ସରକାରୀ, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରିହଛି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ୫ତାରିଖରେ ମଞ୍ଚ ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନହେବାରୁ ନାଗରିକ ମଞ୍ଚ ବନ୍ଦ ଡାକରା ଦେଇଛି । ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ବଙ୍ଗୋମୁଣ୍ଡା ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ସହ ମୁକୁନ୍ଦ ସାଗରରୁ ପଙ୍କ ଉଦ୍ଧାର କରିବାକୁ ଦାବି କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଛି ବନ୍ଦ ଡାକରା ।

ଝାଡ଼ଖଣ୍ଡ ରେଜଲ୍ଟ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ମହାରାଷ୍ଟ୍ର ପରେ କଂଗ୍ରେସ ଦଖଲରେ ଝାଡ଼ଖଣ୍ଡ ! ଏକାକୀ ନହେଲା ନାଇଁ ମେଣ୍ଟ କରି କଂଗ୍ରେସ, ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ଗଢ଼ିପାରେ ସରକାର । ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ବହୁମତ ଛୁଇଁବା ପରେ ରାଜ୍ୟ କଂଗ୍ରେସରେ ଦେଖାଦେଇଛି ଉତ୍ସାହ ।
https://nandighoshatv.comjmm-congress-alliance-crossed-majority-in-trends/
କଂଗ୍ରେସ ବିଧାୟକ ସୁରେଶ ରାଉରତରାୟ ଝାଡ଼ଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାରାଷ୍ଟ୍ର ପରେ କଂଗ୍ରେସ ଝାଡ଼ଖଣ୍ଡରେ ସରକାର କରୁଥିବା କହିଛନ୍ତି । ଏଥିସହ ସୁର କହିଛନ୍ତି, ଦିଲ୍ଲୀରୁ ବିଜେପି ବିଦା ହେବ କଂଗ୍ରେସ ସରକାର ଗଢ଼ିବ ।
ସବୁଠି କଂଗ୍ରେସ ସରକାର ହେବ । ଏପରିକି ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ମାଟି କାମୁଡ଼ି ପଡ଼ିଥିବା ହାତ ଉଠିବ ବୋଲି ସୁର କହିଛନ୍ତି ।
ପାଇଖାନାରୁ ମିଳିଲା ଝୁଲନ୍ତା ମୃତଦେହ, ପରିବାର ଲୋକ କହିଲେ ଯୌତୁକ ପାଇଁ କରାଯାଇଛି ହତ୍ୟା
ସୁବର୍ଣ୍ଣପୁର: ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ମହିଳା ପ୍ରିୟବତୀ ମହାଲିକ । ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମହିଳାଙ୍କ ପରିବାର ଲୋକେ ଆଣିଲେ ଯୌତୁକ ଜନିତ ହତ୍ୟା ଅଭିଯୋଗ ।

ସୁବର୍ଣ୍ଣପୁର ଜିଲ୍ଲା କୁକିଆ ଗାଁର ପ୍ରିୟବତୀ ମହାଲିକଙ୍କ ଝୁଲନ୍ତା ମୃତଦେହ ପାଇଖାନା ଭିତରୁ ଉଦ୍ଧାର କରାଯାଇଛି । ଗତ ୪ବର୍ଷ ତଳେ ପ୍ରିୟବତୀ, କୁକିଆ ଗାଁର ବାବୁଲା ତରିଆଙ୍କୁ ବିବାହ କରିଥିଲେ । ଆଜି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ, ଶ୍ୱଶୁର ଘର ବିରୋଧରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ମୃତ ପ୍ରିୟବତୀଙ୍କ ବାପା ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି ।

୨୦୨୦ ଜାନୁଆରୀରୁ ଶ୍ରମ ବିଭାଗରେ ଲାଗୁ ହେବ ମୋ ସରକାର, ଦାଦନ ରୋକିବାକୁ ହେବ ବଡ଼ ଘୋଷଣା
ଭୁବନେଶ୍ୱର : ୨୦୨୦ ଜାନୁଆରୀ ମାସରେ ମୋ ସରକାରରେ ସାମିଲ ହେବ ଶ୍ରମ ବିଭାଗ । ଯେଉଁ ସରକାରୀ ଅଧିକାରୀ ଚଂଚକତା କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।

ସେ ଆହୁରି କହିଛନ୍ତି ଯେ, କେହି ବି ଚାହୁଁନାହାନ୍ତି ସରକାରୀ ଅଧିକାରୀ ଦଣ୍ଡିତ ହୁଅନ୍ତୁ । ସେଥିପାଇଁ ସେମାନଙ୍କୁ ଭଲ କାମ କରିବାକୁ ପଡ଼ିବ । ଦଲାଲଙ୍କ ହାବୁଡ଼ରେ ଯେମିତି ଶ୍ରମିକ ନ ପଡ଼ନ୍ତୁ, ସେ ନେଇ ବିଭାଗ ସଚେତନ ଅଛି । ଦଲାଲଙ୍କ ଖବର ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ୫ଟି ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି । ଏହି ୫ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ।

ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ୱତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଦାଦନ ରୋକିବାକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ । ହେଲେ ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି, କାରଣ ସଚେତନତାର ଅଭାବ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳାରେ ଯୋଗଦେଇ କହିଛନ୍ତି । ଏଥିରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାଷ ସିଂ, ଶ୍ରମ କମିଶନର ନିରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଥାନା ଓ ଡାକ୍ତରଖାନାରେ ଲାଗୁ ହୋଇଥିବା ମୋ-ସରକାର ଧିରେ ଧିରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ପଞ୍ଚାୟତି ରାଜ ବିଭାଗରେ ମଧ୍ୟ ଲାଗୁ କରାଯାଇଛି । ଲୋକଙ୍କୁ ଉତ୍ତମ ସରକାରୀ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହାର ଆରମ୍ଭ କରିଛନ୍ତି ।

ଆଜିର ରାଶିଫଳ(୨୩.୧୨.୨୦୧୯) ସୋମବାର
ଆଜିର ପଞ୍ଚାଙ୍ଗ(୨୩.୧୨.୨୦୧୯)ସୋମବାର
ଆଜି ୨୦୧୯ମସିହା ଡିସେମ୍ବର ୧୩ ତାରିଖ, ସୋମବାର, ପୌଷ କୃଷ୍ଣ ପକ୍ଷ, ସୌରମାସ, ଧନୁ, ୮ଦିନ ଦ୍ୱାଦଶୀ ତିଥି ଦିବା ୧/୪୧ଗତେ ତ୍ରୟୋଦଶୀ, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଦିବା ୧୧/୫୨ ଗତେ ବିଛା, ଧୃତିଯୋଗ, ତୈତିଳ କରଣ ।
ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିର ।
ଦିବା ୧୧/୫୨ଗତେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିର
ଘାତବାର- ମିଥୁନ ରାଶିର
ଘାତଚନ୍ଦ୍ର- ନାସ୍ତି
ରାହୁକାଳ- ପ୍ରାତଃ ୭/୪୨ମି.ରୁ ଦିବା ୯/୦୩ମି.
କାଳବେଳା- ପ୍ରାତଃ ୭/୪୨ମି.ରୁ ଦିବା ୯/୦୩ମି.
ଶୁଭବେଳା- ଦିବା ୯/୨୪ମି.ରୁ ଦିବା ୧୧/୨୩ମି.
ଆଜିର ରାଶିଫଳ
ମେଷ-ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ । ଆତ୍ମୀୟ ପରିଜନଙ୍କ ଗହଣରେ ସମୟ ଅତିବାହିତ କରିବେ । ପୂରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପାରିବାରିକ ଜୀବନ ସୁଖମୟ ହେବ ।
ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ବିଭିନ୍ନ ସୂତ୍ରରୁ ଅର୍ଥାଗମନ ହେବ । ମାନସିକ ସ୍ଥିତି ଦୃଢ ରହିବ । ସାମାଜିକ ସ୍ତରରେ ତତ୍ପରତା ପ୍ରକାଶ ପାଇବ ।
ମିଥୁନ- ମାନସିକ ଅସ୍ଥିରତା ଦେଖାଦେବ । କର୍ମ କ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ଆୟ ବ୍ୟୟର ସ୍ଥିତି ସମାନ ରହିବ । ପାରିବାରିକ ଜୀବନ ଅଶାନ୍ତ ରହିବ ।
କର୍କଟ- କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଅଯଥା ବାର୍ତ୍ତାଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ ସମ୍ପୁର୍ଣ୍ଣତା ମିଳିବ । ପାରିବାରିକ ଜୀବନରେ ସୁଖୀ ହେବେ ।
ସିଂହ- କର୍ମକ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ । ସାମାଜିକ ସ୍ତରରେ ଯଶଖ୍ୟାତି ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
କନ୍ୟା- ଆର୍ଥିକ ଅଭାବରେ ପଡି ଚାପଗ୍ରସ୍ଥ ହୋଇପାରନ୍ତି । ପଡ଼ୋଶୀଙ୍କ ସହିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ହଠାତ କାହାକୁ ବିଶ୍ୱାସ କରନ୍ତୁ ନାହିଁ । ପାରିବାରିକ ଜୀବନ ସମସ୍ୟା ବହୁଳ ରହିବ ।
ତୁଳା- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳ ହେବେ । ପୁଞ୍ଜି ବିନିଯୋଗ କରିବା ପାଇଁ ଦିନଟି ଶୁଭପ୍ରଦ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନରେ ସନ୍ତୋଷଲାଭ କରିବେ ।
ବିଛା- ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତିହେବେ । ଦେବ ଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହୁଛି । ପାରିବାରିକ ଜୀବନ ସୁଖମୟ ହେବ ।
ଧନୁ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ଆର୍ଥିକ କ୍ଷେତ୍ରରେ ସମ୍ପୁର୍ଣ୍ଣତା ମିଳିବ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ । କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।
ମକର- ମାନସିକ ଅସ୍ଥିରତା ଦେଖାଦେବ । ବନ୍ଧୁବର୍ଗମାନେ ଅସହଯୋଗ କରିବେ । ଆୟ ଅପେକ୍ଷା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ଶାରୀରିକ ଅସୁସ୍ଥତା କାରଣରୁ ବିବ୍ରତ ହୋଇ ପଡିବେ ।
କୁମ୍ଭ- ଅର୍ଥଚିନ୍ତା ମନକୁ ଭାରାକ୍ରାନ୍ତ କରିବ । କର୍ମକ୍ଷେତ୍ର ରେ ସମାଲୋଚନାର ଶିକାର ହେବେ । ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନ ସମସ୍ୟାବହୁଳ ରହିବ ।
ମୀନ- ଅଯଥା କାର୍ଯ୍ୟ ସଂପୃକ୍ତ ହୋଇ ବ୍ୟସ୍ତ ବିବ୍ରତ ହୋଇ ପଡିବେ । କର୍ମକ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖିନ ହୋଇ ପାରନ୍ତି । ସନ୍ତାନ ବର୍ଗଙ୍କୁ ନେଇ ଚିନ୍ତିତ ରହିବେ । ଗୃହସ୍ଥ ଜୀବନରେ ଅଶାନ୍ତି ଲାଗି ରହିବ ।
ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ
ଯୋଗଯୋଗ- ୯୮୬୧୨୭୧୫୫୭

