ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର: ସମ୍ବିଧାନରେ ଅହିଂସା ଶବ୍ଦ ଯୋଡ଼ିବାକୁ ପୁଣି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୦ତମ ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଗାନ୍ଧିଜୀଙ୍କୁ ମନେ ପକାଇଛନ୍ତି । ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଛାଡ଼ି ଭାରତ ଫେରିବା ପରେ ସ୍ୱାଧୀନତା ଆନ୍ଦୋଳନକୁ ଦିଗ ମିଳିଥିଲା । ସେ ୬ଟି ଆନ୍ଦୋଳନ କରିଥିଲେ । ସମସ୍ତଙ୍କୁ ସମାନ ଅଧିକାର ଦେବାକୁ ସେ ରଘୁପତି ରାଘବ ଗାଇଥିଲେ । ଏହା ସମସ୍ତଙ୍କୁ ଏତେ ପ୍ରଭାବିତ କରିଥଲା ଯେ, ଇଂରେଜ ଭାରତ ଛାଡ଼ିଲେ । ବିନା ହିଂସାରେ ପ୍ରଥମ ଥର ପାଇଁ କୌଣସି ଦେଶ ସ୍ୱାଧୀନତା ପାଇଥିଲା । ଆମ୍ବେଦକର, ପ୍ରତି ବର୍ଗ ପାଇଁ ସମାନ ଅଧିକାର କଥା ଉଲ୍ଲେଖ କରିଛନ୍ତି । ତାକୁ ଆମେ ପାଳନ କରିଛୁ । ଏହାକୁ ରକ୍ଷା କରିବା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେ ସମ୍ବିଧାନ ପ୍ରଣେତାମାନଙ୍କୁ ମନେ ପକାଇଛନ୍ତି ।
ବିଧାନସଭା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିରେ ଯୋଗଦେଇ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଧନୀ ଗରିବଙ୍କ ଭିତରେ ବହୁତ ବଡ଼ ଦୂରତା ଆସିଛି । ଯାହା ସମ୍ବିଧାନ ଗଠନର ମୂଳ ଉଦେଶ୍ୟ ବିରୋଧୀ । ସମସ୍ତେ ଏହି ଦୂରତା ହଟାଇବାକୁ ଶପଥ ନେବା ପାଇଁ ମତ ଦେଇଛନ୍ତି ନରସିଂହ ମିଶ୍ର ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ତ୍ୟାଗ ଓ ଅହିଂସାକୁ ପାଥେୟ କରି ବାପୁଜୀଙ୍କ ଆଦର୍ଶରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ଆମକୁ ସାଧାରଣ ଲୋକଙ୍କୁ ସେବା ଦେବାର ସୁଯୋଗ ମିଳିଛି । ସମ୍ବିଧାନରେ ଯାହା ଅଛି, ତାକୁ ପାଳନ କରିବାକୁ ଆମେ ମାଧ୍ୟମ ।
ନେହେରୁ କପ୍ ଫାଇନାଲ ପାଲଟିଲା ରଣକ୍ଷେତ୍ର: ପଡ଼ିଆ ଭିତରେ ହକି ଷ୍ଟିକ୍ ଧରି ବାଡ଼ିଆବାଡ଼ି ହେଲେ ଖେଳାଳି
ନୂଆଦିଲ୍ଲୀ: ଖେଳ ବେଳେ ଆଗ୍ରେସନ ପ୍ରାୟତଃ ଖୁବ୍ ସାଧାରଣ କଥା । କିନ୍ତୁ ଏହି ଆଗ୍ରାସନକୁ କଣ୍ଟ୍ରୋଲ କରି ସଠିକ ଭାବେ ଖେଳିବା ହିଁ ପ୍ରକୃତ ଖେଳିଳାର ପରିଚୟ । ତେବେ ଖେଳ ଖେଳିବା ବେଳେ ଅନେକ ସମୟରେ ଆପଣ ଦୁଇ ଦଳ ମଧ୍ୟରେ ନୋକଝୋକ ତ ଦେଖିଥିବେ କିନ୍ତୁ ଏକ ହକି ମ୍ୟାଚରେ ଏଭଳି କିଛି ଘଟଣା ଘଟିଛି ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ହକି ମ୍ୟାଚ ଚାଲିଥିବାବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳି ଗୋଷ୍ଠୀ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ ଖେଳାଯାଇଥିବା ନେହେରୁ କପ ହକି ଫାଇନାଲରେ । ଗତକାଲି ପଞ୍ଜାବ ପୁଲିସ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟରେ ନେହରୁ କପ୍ ଫାଇନାଲ ଖେଳା ଯାଉଥିବା ବେଲେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଏହି ଗଣ୍ଡଗୋଳର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଦୁଇ ପକ୍ଷର ଖେଳାଳି ପରସ୍ପରକୁ ଜୋରଦାର ଆକ୍ରମଣ କରୁଛନ୍ତି । ପଞ୍ଜାବ ପୁଲିସର ଖେଳାଳି ଲାଲ ଜର୍ସିରେ ଥିବାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଖେଳାଳି ଧଳା ଜର୍ସିରେ ଅଛନ୍ତି ।

ହାତରେ ହକିଷ୍ଟକ ପଞ୍ଜାବ ପୋଲିସର ଖେଳି ମାନେ ପି.ଏନ.ବି ଖେଳାଳିଙ୍କୁ ଗୋଡାଉଛନ୍ତି । ପି.ଏନ.ବିର ଜଣେ ଖେଳାଳି ପଡିଆରେ ପଡିଯାଉ ଥିବାବେଳେ ତାଙ୍କୁ ହକି ଷ୍ଟିକରେ ପିଟାଯାଉଛି । ଏହି ଗଣ୍ଡଗୋଳରେ ଜଣେ ଓଡ଼ିଆ ଖେଳାଳି ସୁନୀଲ ଟପ୍ପୋ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସଂପୃକ୍ତ ଟିମ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଲମ୍ପିକ ସଂଘର ଅଧ୍ୟକ୍ଷ ଦାବି କରିଛନ୍ତି । ଏ ନେଇ ଟୁର୍ଣ୍ଣାମେଂଟର ଅଧିକାରୀଙ୍କରୁ ରିପୋର୍ଟ ଦେବା ପାଇଁ କୁହାଯାଇଛି ।
ଡାଇବେଟିସ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ ଏହି ମହୌଷଧୀ ଫଳ: ଜାଣନ୍ତୁ ଏହାର ଔଷଧୀୟ ଗୁଣ
ଏଇ କିଛିଦିନତଳେ ବିଶ୍ୱ ପାଳିଛି ୱାର୍ଲଡ ଡାଇବେଟିସ ଡେ । ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ କିଛି ଜଣ ଡାଇବେଟିସ ନିୟନ୍ତ୍ରଣ ପାଇଁ ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦିଇନ୍ତି ତ ଆଉ କିଏ ମେଡିସିନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ଡାଇବେଟିସ ମଣିଷକୁ ଦୁର୍ବଳ କରିଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନଷ୍ଟ କରିଦିଏ । ତେବେ ଏ ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ସର୍ବ ପ୍ରଥମେ ଖାଦ୍ୟପ୍ରକ୍ରିୟା ପ୍ରତି ଧ୍ୟାନ ଦେବାକୁ ହେବ । ଆଜି ଆାମେ ଆପଣଙ୍କୁ କହିବୁ ଡାଇବେଟିସଠୁ ଦୂରେଇ ରହିବାର ଏକ ଟିପସ୍ ।

ଆମ ଆଖପାଖରେ ଏମିତି ଅନେକ ଜିନିଷ ଅଛି ଯାହା ମହୈାଷଧିର କାମ ଦେଇଥାଏ, ତେବେ କିଛିଟା ଅନଭିଜ୍ଞତା ଏବଂ ସଚେତନତା ଅଭାବ ହେତୁ ଆମେ ଏହାର ଦ୍ରବ୍ୟର ଚମତ୍କାରିତା ଜାଣିପାରିନଥାଉ । ସେମିତି ଏକ ଉପକାରୀ ସୃଷ୍ଟି ହେଉଛି ଏଭୋକାଡୋ ଫଳ ।

ଆପଣ ଜାଣିରଖିବା ଉଚିତ ଯେ ଏ ଫଳ ମଧୁମେହ ରୋଗୀଙ୍କ ପାଇଁ ମହୈାଷଧି । ପ୍ରୋଫେସର ପଲ ସ୍ପାଙ୍ଗୁଲୋ ଗବେଷଣା ମାଧ୍ୟମରେ ପ୍ରଥମେ ଏହା ଜାଣିବାକୁ ପାଇଥିଲେ ଏବଂ ଲୋକଲୋଚନକୁ ଆଣିଥିଲେ ।

ଆଭୋକାଡ଼ୋ ଖାଇବା ଦ୍ୱାରା ଡ଼ାଇବେଟିସ ନିୟନ୍ତ୍ରଣରେ ରହିବ କେବଳ ତାହା ନୁଁହେ, ବରଂ ଆପଣ ନିରୋଗ ବ୍ୟକ୍ତିଟିଏ ହୋଇଥିଲେ ବି ଭବିଷ୍ୟତରେ ମଧ୍ୟ ଡ଼ାଇବେଟିସର ଡ଼ର ରହିବ ନାହିଁ । ଆପଣଙ୍କ ଶରୀରରେ ମେଦବହୁଳତାକୁ କମ୍ କରିବାରେ ପ୍ରମୁଖ ଭୂମିକା ବହନ କରେ ଆଭାକାଡ଼ୋ ।
ଏହି ଦେଶରେ ଆରମ୍ଭ ହେବ ପ୍ରି-ୱେଡିଂ କୋର୍ସ: ଫେଲ ହେଲେ ସରକାର ଛଡ଼ାଇ ନେବେ ବାହା ହେବାର ଅଧିକାର
ଇଣ୍ଡୋନେସିଆ: ବାହାଘର ନାଁ ଶୁଣିଲେ ଅନେକଙ୍କ ହୋସ ଉଡ଼ିଯାଏ । କେହି ବାହଘରରୁ ପିଛା ଛୁଡ଼ାନ୍ତି ତ ଆଉ କିଏ କିଏ ବାହାଘର ନାଆରୁ ହିଁ ଦୂରେଇ ରୁହନ୍ତି । ତେବେ କୁହାଯାଏ କି ‘ଶାଦି କା ଲଡ୍ଡୁ ଯୋ ଖାଏ ପଛତାଏ, ଯୋ ନା ଖାଏ ୟୋ ଭି ପଛତାଏ’ । ଏହି ଋଢ଼ିଟି ଆଜି ବି ଖୁବ ପ୍ରଚଳିତ । କିନ୍ତୁ କଣ ହେବ ଯେତେବେଳେ ବାହଘର ପାଇଁ ସ୍ପେଶାଲ କୋର୍ସ ଦିଆ ହେବ । ଏହି କୋର୍ସରେ ଏକ ସଫଳ ବାହାଘରର ସିକ୍ରେଟ କୁହାଯିବ । ଆଜ୍ଞା ହଁ ! ଏସିଆର ଏକ ଦେଶ ପ୍ରି-ୱେଡ଼ିଂ କୋର୍ସ ( Pre-Wedding Course) ଆରମ୍ଭ କରିବା ପାଇଁ ଯୋଜନା କରୁଛି । ଯେଉଁଥିରେ କପଲ୍ସ ମାନଙ୍କୁ ବାହାଘର ପରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଶିକ୍ଷା ଦିଆଯିବ ।

ଏହି କୋର୍ସ ସାଉଥ-ୱେଷ୍ଟ ଏସିଆର ଇଣ୍ଡୋନେସିଆ ଦେଶରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରି-ୱେଡିଂ କୋର୍ସ କରିବାକୁ ଯାଉଥିବା କପଲ୍ସଙ୍କୁ ସ୍ୱାସ୍ଥ୍ୟର କିପରି ଧ୍ୟାନ ରଖିବେ, ରୋଗ ବୈରାଗ୍ୟରୁ କେମିତି ବଞ୍ଚିବେ, ଶିଶୁ ମାନଙ୍କର ଯତ୍ନ କିପରି ନେବେ ଇତ୍ୟାଦିର ଟ୍ରେନିଂ ଦିଆଯିବ, ଯାହା ସାହାଯ୍ୟରେ ଦମ୍ପତି ନିଜର ଏକ ସଫଳ ଦାମ୍ପତ୍ୟ ଜୀବନ ଆରମ୍ଭ କରିପାରିବେ ।

ଜାକର୍ତ୍ତା ପୋଷ୍ଟ ମୁତାବକ, ଏହି କୋର୍ସ ୨୦୨୦ ମସିହାରେ ଆରମ୍ଭ ହେବାକୁ ଯାଉଛି ଏବଂ ଏହି କୋର୍ସ ମାଗଣାରେ ଦିଆଯିବ । ଏହି କୋର୍ସରୁ ଇଣ୍ଡୋନେସିଆର Human Development And Culture Affaire ଏବଂ Ministry Of Religion And Health ମିଳିତ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି । Religion Affaires ର ଜଣେ ଅଫିସର କହିଛନ୍ତି ଯେ, ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ ଯଦି କପଲ୍ସ ଏହି କୋର୍ସରେ ପାସ ନକରିପାରିଲେ ତେବେ କଣ ହେବ ? ତେବେ ଏହାର ଉତ୍ତରରେ ଅଫିସର ଜଣଙ୍କ କହିଛନ୍ତି ଯେ ଯେଉଁ କପଲ୍ସ ଏହି କୋର୍ସରେ ଫେଲ୍ ହେବେ ସେମାନେ ପରସ୍ପରକୁ ବାହା ହୋଇପାରିବେ ନାହିଁ ।
ଏହି କୋର୍ସ ୩ମାସ ପାଇଁ ଏବଂ ଯେଉଁ କପଲ୍ସ ଏହି କୋର୍ସରେ ଫେଲ ହେବେ ସେମାନଙ୍କୁ ବାହା ହେବା ପାଇଁ ଇଣ୍ଡୋନେସିଆ ସରକାର ଅନୁମତି ଦେବେ ନାହିଁ ।
୧୨ ବର୍ଷ ବୟସରେ କରିଛନ୍ତି ଲକ୍ଷେ ଟଙ୍କାର ଚାକିରି, ଜଣନ୍ତୁ କିଏ ସେ ବିସ୍ମୟ ବାଳକ
ହାଇଦ୍ରାବାଦ : ୧୨ ବର୍ଷର ବାଳକ । ବୁଦ୍ଧିରେ କାହାକୁ ବି ମାତ୍ ଦେବାର ରହିଛି କ୍ଷମତା । ବଡ଼ ବଡ଼ ଆନାଲିଷ୍ଟ ଦୀର୍ଘ ବର୍ଷ ପରେ ଯେଉଁ କାମ କରନ୍ତୁ ସେ ଏତେ କମ୍ ବୟସରେ ତାହାକୁ କରି ଦେଖାଉଛନ୍ତି । ଘଟଣାଟି ହାଇଦ୍ରାବାର ।
ହାଇଦ୍ରାବାଦର ଏକ ସଫ୍ଟ ୱେୟାର କମ୍ପାନୀରେ Data Scientist ପଦବୀରେ ଜଣେ ୧୨ ବର୍ଷର ବାଳକକୁ ନିଯୁକ୍ତ କରାଯାଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଏହି ବାଳକ ଜଣଙ୍କ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ସେ ବାଳକଙ୍କ ନାଁ ହେଉଛି, ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲୀ ଓ ସେ ସପ୍ତମ ଶ୍ରେଣୀର ଛାତ୍ର । ଚୌତନ୍ୟା ସ୍କଲରେ ସେ ପାଠ ପଢ଼ୁଛନ୍ତି । ତାଙ୍କୁ ହାଇଦ୍ରାବାଦର ମୋଣ୍ଟିଜେନି ସ୍ମାର୍ଟ ବିଜନେସ୍ ସଲ୍ୟୁସନ୍ ନାମକ ସଫ୍ଟୱେୟାର କମ୍ପାନୀର Data Scientist ପଦରେ ନିଯୁକ୍ତି ଦିଆଯାଇଛି ।

ସିଦ୍ଧାର୍ଥଙ୍କ କହିବା ଅନୁସାରେ, ‘ମୋ ବୟସ ୧୨ ବର୍ଷ ଏବଂ ମୁଁ Montaigne Smart Business Solutions କମ୍ପାନୀରେ Data Scientist ଭାବେ କାମ କରୁଛି । ମୁଁ ଶ୍ରୀ ଚୌତନ୍ୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛି ଏବଂ ଏତେ କମ ବର୍ଷ ବୟସରୁ ସଫ୍ଟ ୱେୟାର କମ୍ପାନୀର ଜଣେ କର୍ମଚାରୀ ହେବା ପାଇଁ ମୋର ସବୁଠୁ ବଡ଼ ପ୍ରେରଣା ହେଉଛନ୍ତି ତନ୍ମୟ ବକ୍ସି । ସେ ଗୁଗୁଲ କମ୍ପାନୀରେ ଖୁବ କମ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲେ ଏବଂ କୃତ୍ରିମ କାରିଗରୀ (ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସ) ବିପ୍ଳବରେ ଅଗ୍ରଣୀ ଭୂମିକା ନେଇଥିଲେ । ତାଙ୍କର କାମରେ ବେଶ୍ ଅନୁପ୍ରାଣିତ ହୋଇଥିଲେ ସିଦ୍ଧାର୍ଥ ।

ସିଦ୍ଧାର୍ଥ ତାଙ୍କ ବାପାଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ସେ, ଖୁବ କମ ବୟସରୁ ହିଁ କୋଡିଂ, ଡିକୋଡଂ ତାଙ୍କୁ ଶିଖାଇବାରେ ସକ୍ଷମ ହୋଇଛନ୍ତି । ଏତେ କମ ବୟସରୁ ତାଙ୍କୁ ଚାକିରି କରିବା ପାଇଁ ଯଦି କେହି ସାହାଯ୍ୟ କରିଛନ୍ତି ତେବେ ସେ ତାଙ୍କ ବାପା ବୋଲି ସିଦ୍ଧାର୍ଥ ଗର୍ବର ସହ କହିଛନ୍ତି । ସବୁ ଉପଲବ୍ଧିର ଶ୍ରେୟ ସେ ତାଙ୍କ ବାପାଙ୍କୁ ଦେଇଛନ୍ତି ।
ଶେଷଥର ପାଇଁ କେବେ ଖୋଲାଯାଇଥିଲା ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ? କେତେ ଅଳଙ୍କାର ଅଛି ମହାପ୍ରଭୁଙ୍କର ?
ଭୁବନେଶ୍ୱର : ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ୧୩ ମେ ୧୯୭୮ରୁ ୨୩ ଜୁଲାଇ ୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୯୮୫ ଜୁଲାଇ ୧୪ ତାରିଖରେ ଶେଷଥର ପାଇଁ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଗଣତି ହୋଇଥିଲା । ତେବେ ଏହାର ପରିମାଣ ୧୨ ହଜାର ୮୩୮ ଭରି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।

୨୩୬ଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ରତ୍ନ ଭଣ୍ଡାରରେ ରହିଥିବା ଆଇନ ମନ୍ତ୍ରୀ କହିଛନ୍ତି । ଏ ଅଳଙ୍କାର ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ରୂପା ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବାରୁ ଏହାର ପରିମାଣ ଆକଳନ କରାଯାଇପାରି ନାହିଁ । ଏଗୁଡ଼ିକ ମୋଟ୍ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ଗୃହକୁ ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଶେଷଥର ପାଇଁ କେବେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ଓ ସେ ସମୟରେ କଣ କଣ ରତ୍ନ କେତେ ପରିମାଣର ଥିଲା ବୋଲି ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ।
ଆଜିର ରାଶିଫଳ (୨୬/୧୧/୨୦୧୯)
ଆଜି ୨୦୧୯ ମସିହା ନଭେମ୍ବର ୨୬ ତାରିଖ, ମଙ୍ଗଳବାର ସୌର ମାସ ବିଛା ଦି ୧୦ ନ
ଆମାବାସ୍ୟା ତିଥି, ବିଶାଖା ନକ୍ଷତ୍ର ଦିବା ୯/୨୨ ଗତେ ଅନୁସଧା, ବିଛା ଚନ୍ଦ୍ର, ଅତିଗଣ୍ଡ ଯୋଗ ଚଦୁଷ୍ପଦ କରଣ ।
ଚନ୍ଦ୍ର ଶୁଦ୍ଧି- ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିର
ଘାତବାର- ମକର ରାଶିର
ଘାତଚନ୍ଦ୍ର – ନାସ୍ତି
ରାହୁକାଳ- ଦିବା ୨/୧୭ ମିନିଟରୁ ଦିବା ୩/୩୯ ମିନିଟ
କାଳବେଳା- ଦିବା ୧୨/୫୫ ମିନିଟରୁ ଦିବା ୨/୧୭ ମିନିଟ
ଶୁଭବେଳା- ଦିବା ୮/୪୯ ମିନିଟରୁ ଦିବା ୧୧/୧୨ ମିନିଟ
ଅନ୍ୟ ପର୍ବପର୍ବାଣୀ- ମହୋଦଧି ଅମାବାସ୍ୟା, ଚନ୍ଦ୍ର ଉପବାସ ଓ ନିଶା ପାଳନ; ମଧ୍ୟ ଦେବ ଦିପାବଳୀ ଗୋସ ହସ୍ରି ଗଙ୍ଗା ସ୍ନାନ
ଆଜିର ରାଶିଫଳ
ମେଷ- ମାନସିକ ଅସ୍ତିରତା ଦେଇ ଗତି କରିବେ । ଜମିବାଡ଼ିକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ ।
ବୃଷ- ବହୁ ପ୍ରତିକ୍ଷିତ କାର୍ଯ୍ୟ ଆଜି ସଫଳ ହେବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ପାରିବାରିକ ଜୀବନ ସୁଖ, ସମୃଦ୍ଧିରେ ଭରି ଉଠିବ । ବିଭିନ୍ନ ସୁତ୍ରରୁ ସୁଖ ଆଗମନ ହେବ । ପୁଞ୍ଜି ବିନିଯୋଗ ଆଜି ଶୁଭପ୍ରଦ ହେବ ।
ମିଥୁନ- ପାରିବାରିକ ଜୀବନ ଶୁଭମୟ ହେବ । କୌଣସି ସାଙ୍ଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଆକଷ୍ମିକ ଧନପ୍ରାପ୍ତି ଯୋଗ ରହିଛି ।
କର୍କଟ- ନିଜ ସରଳ ସ୍ୱଭାବ ଯୋଗୁଁ ହଇରାଣ ହୋଇପାରନ୍ତି । ଯେତେ ଠିକ କଥା କହିଲେ ମଧ୍ୟ ଲୋକ ମାନେ ଭୁଲ ବୁଝିବେ । ଅଯଥା ବାର୍ତ୍ତାଳାପରେ ସମୟ ଅତିବାହିତ ହେବ। ଘାତବାର ଓ ଘାତଚନ୍ଦ୍ର ହେତୁ କୌଣସି ଶୁଭ କାମ କରନ୍ତୁ ନାହିଁ ।
ସିଂହ- ବିଭିନ୍ନ ସୁତ୍ରରୁ ଆୟ ହେବ । ବନ୍ଧୁ ବାନ୍ଧବଙ୍କ ଗହଣରେ ଆଜି ଦିନଟି ହସ, ଖୁସିରେ କଟିବ । କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ ।
କନ୍ୟା- ଆଧ୍ୟାତ୍ମିକ ଭାବନାରେ ଦିନଟି କଟିବ । ସାମାଜିକ ସ୍ତରରେ ପ୍ରତିଷ୍ଠାବାନ ହେବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । କୌଣସି ବ୍ୟବସାୟ ନିମନ୍ତେ ଆଜି ପୁଞ୍ଜି ବିନିଯୋଗ କଲେ ଶୁଭଫଳ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ ।
ତୁଳା- ଅଜଣା ବ୍ୟକ୍ତିଙ୍କ କାରଣରୁ ଲାଭବାନ ହେବେ । ଯଶ, କୀର୍ତ୍ତି ବୃଦ୍ଧି ହେବ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ଜୟଯୁକ୍ତ ହେବେ । ପାରିବାରିକ ଓ ବ୍ୟକ୍ତିଗତ ଜୀବନ ସୁଖ ଶାନ୍ତିରେ କଟିବ ।
ବିଛା- ଭବିଷ୍ୟତ ପାଇଁ ନୂତନ ଯୋଜନା ମାନ ପ୍ରସ୍ତୁତ କରିବେ । କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବିବାଦୀୟ ପରିସ୍ଥିତିର ଅନ୍ତ ଘଟିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
ଧନୁ- ପଡ଼ୋଶୀଙ୍କ ସହିତ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ସ୍ୱାସ୍ଥ୍ୟଗତ କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ନିଜ ଲୋକମାନେ କ୍ଷତି ସାଧନ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ମକର- ସାମାନ୍ୟ ଭାବେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମହିଳାଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ସମାଲୋଚିତ ହେବେ । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ ।
କୁମ୍ଭ- ସୁସାମର୍ଥ୍ୟ ବଳରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବେ । କର୍ମ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖମୟ ହେବ ।
ମୀନ- କ୍ଷତି ସାଧନ କରୁଥିବା ବ୍ୟକ୍ତି ମାନଙ୍କର ପରାଜୟ ହେବ । ଦେବ ଦର୍ଶନ ବା ତୀର୍ଥ ଭ୍ରମଣ ଯୋଗ ରହିଛି । କର୍ମ କ୍ଷେତ୍ରରେ ସୁମାନ ଅର୍ଜନ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
ଯୋଗାଯୋଗ- ୯୮୬୧୨୭୧୫୫

