spot_img
Home Blog Page 7617

ଭାଇରାଲ ହେଲା ରାଜାରାଣୀଙ୍କ ଫଟୋ…

ଦିଲ୍ଳୀ ଏୟାରପୋର୍ଟରେ ସୋମବାର ସକାଳର ଦୃଶ୍ୟ ।  ଭିଡ଼ ଭିତରେ ଅଡ଼ୁଆରେ ପକାଇଥିଲା ଏକ ଅଜବ ଦୃଶ୍ୟ   । ସ୍ୱିଡେନ୍‌ ଷୋଡ଼ଶ ରାଜା କାର୍ଲ ଗୁସ୍ତଫ୍ ଏବଂ ରାଣୀ ସିଲଭିଆ ପାଞ୍ଚଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଷ୍ଟକହୋମରୁ ଏୟାର ଇଣ୍ଡିଆ ଯୋଗେ ଦିଳ୍ଳୀରେ ଆସିପହଞ୍ଚିଥିଲେ ଏହି ରାଜ ଦମ୍ପତି, ତେବେ ଉପସ୍ଥିତ ଜନତାଙ୍କୁ ଏବଂ କର୍ମଚାରୀଙ୍କୁ ଏ କଥା ଆଶ୍ଚର୍ଯ୍ୟଚକିତ କରିଥିଲା ଯେ ଏମାନେ ରାଜାରାଣୀ ହେଲେ ବି ନାହିଁ ରାଜକୀୟ ଠାଣି ।


ଅତ୍ୟନ୍ତ ନମ୍ର ସ୍ୱଭାବଯୁକ୍ତ ଏ ଦମ୍ପତିଙ୍କ ଉଦାରତା ସମସ୍ତଙ୍କୁ କରିଥିଲା ଆକୃଷ୍ଟ । ମଣିଷ ଯେତେ ଉପରକୁ ଯାଏ ତା ଆଖପାଖରେ ବଢିଯାଆନ୍ତି ସହଯୋଗୀ ଏବଂ ପ୍ରତିଟିକ୍ଷେତ୍ରରେ ବଢିଯାଏ ସେବା ପାଇବାର ମନୋବୃତ୍ତି । ହେଲେ ସ୍ୱିଡ଼େନର ରାଜାରାଣୀ ଆସି ପହଞ୍ଚିବା ପରେ ନିଜ ଲଗେଜ୍ ନିଜେ ବୋହୁଥିବା ଦେଖିବାକୁ ମିଳିଥିଲା ।
କେଇଘଣ୍ଟା ଭିତରେ ରାଜଦମ୍ପତିଙ୍କର ଏ ଗେସ୍ଚର ଟ୍ୱିଟ୍‌ରେ ଭାଇରାଲ ହୋଇଥିଲା । ଅନେକ ଏହାକୁ ପ୍ରେରଣାଦାୟୀ କହିବା ସହ ଅନେକ ଏହାକୁ ସ୍ୱତନ୍ତ୍ର ଅତିଥିଙ୍କ ସ୍ୱତନ୍ତ୍ର ଆଚରଣ ବୋଲି ମତ ରଖିଥିଲେ । ତେବେ ସ୍ୱିଡେନର ଏହି ରାଜଦମ୍ପତି ଏବେ ପର୍ଯ୍ୟନ୍ତ ଜାମା ମସ୍‌ଜିଦ, ରେଡ଼ଫର୍ଟ, ଗାନ୍ଧୀସ୍ମୃତିସ୍ତମ୍ଭ ବୁଲିସାରିଥିବା ବେଳେ ଭାରତର ପର୍ଯ୍ୟଟନର ଉଚ୍ଚପ୍ରଶଂସା କରିଛନ୍ତି ।

ଦେଖି ଦେଖି ଶିଖିଗଲେ ସେନବାରି । ବିଭିନ୍ନ ସାମଗ୍ରୀକୁ ଏଭଳି ବାଲାନ୍ସ କରୁଛନ୍ତି ଦେଖିବା ଲୋକ ଦଣ୍ଡେ ଠିଆହୋଇରହୁଛି ।

ଚାରିଗୋଡ଼ିଆ ଚଉକିକୁ ଆପଣ ଗୋଟେ ଗୋଡରେ ଠିଆ କରାଇପାରିବେ ? ଅଧଲିଟରିଆ ପାଣି ବୋତଲ ଉପରେ ନିଜ ଟିଭିକୁ ରଖିଦେଇପାରିବେ ? ପାରିବେନି ନା । ଏସବୁ ଅତି ଅସମ୍ଭବ କଥା । ଏଭଳି କରିପାରିବେ ପାଲେଷ୍ଟାଇନ୍‌ର ମହମ୍ମଦ ଅଲ ସେନବାରି । ସେ ଏଭଳି ସାମଗ୍ରୀକୁ ବାଲାନ୍ସ କରି ଗୋଟାକ ଉପରେ ଗୋଟେ ରଖିଦେବେ ଯେ, ଦେଖୁଦେଖୁ ଆପଣଙ୍କ ମୁହଁରୁ ହଠାତ୍‌ ବାହାରିପଡ଼ିବ ବାଃରେ ବାଲାନ୍ସ ।

ତଳେ ଦେଖନ୍ତୁ ମହମ୍ମଦ ଅଲ ସେନବାରି କେଉଁସବୁ ଜିନିଷକୁ ବାଲାନ୍ସ କରିଛନ୍ତି । ସେ କୁହନ୍ତି, କୌଣସି ଜିନିଷକୁ ଦେଖିବା ପରେ ତାର ବାଲାନ୍ସ ପଏଣ୍ଟକୁ ପ୍ରଥମେ ଖୋଜନ୍ତି । ବାଲାନ୍ସ ପଏଣ୍ଟକୁ ଠାବ କରିବା ପରେ ନିଜ କାମରେ ଲାଗିପଡ଼ନ୍ତି ଓ ସଫଳତା ହାସଲ କରନ୍ତି । ନିଜା ବୁଦ୍ଧି ଓ ଶରୀର ସହାୟତାରେ ସବୁ ଜିନିଷକୁ ବାଲାନ୍ସ କରିପାରନ୍ତି ବୋଲି ଦାବି କରନ୍ତି ୨୪ ବର୍ଷୀୟ ସେନବାରି ।

ଉତ୍ତର ଗାଜାରେ ରହୁଥିବା ମହମ୍ମଦ ସେନବାରି ପେସାରେ ଜଣେ ଫିଟ୍‌ନେସ କୋଚ୍‌ । ଏହି ପେସା ତାଙ୍କୁ ବିଭିନ୍ନ ଜିନିଷକୁ ବାଲାନ୍ସ କରାଇବାରେ ଅନେକ ସାହାଯ୍ୟ କରିଛି । ଅତି ଅସମ୍ଭବ ଲାଗୁଥିବା କୌଣସି ସାମଗ୍ରୀକୁ ବାଲାନ୍ସ କରିଦେବା ପରେ ତାଙ୍କର ମନୋବଳ ବଢ଼ିଥାଏ । ସେ ପୁଣି ଏକ ଅସମ୍ଭବକୁ ସମ୍ଭବ କରାଇବା କାମରେ ଲାଗିପଡ଼ନ୍ତି ।

ୟୁଟ୍ୟୁବ୍‌ରେ ଏକ ଭିଡିଓ ହିଁ ତାଙ୍କୁ ଏଭଳି କରାଇବାକୁ ପ୍ରେରଣା ଦେଇଛି । କିଛି ବର୍ଷ ତଳେ କୋରିଆ କଳାକାର ନେମ ସେ୍ୟାକ ୟୁନ୍‌ଙ୍କ ଏକ ଭିଡିଓ ଦେଖିଥିଲେ । ତାହା ଦେଖି ସେ ନିଜେ ଏଭଳି କରିବାକୁ ପଣ କରିଥିଲେ ଓ କାମରେ ଆଗେଇ ଚାଲିଥିଲେ । ନିଜର ଏହି କଳାକୁ ସେ କୌଣସି ରିଅଲିଟି ସୋ’ରେ ଦେଖାଇବାକୁ ଚାହାନ୍ତି । ଭବିଷ୍ୟତରେ ଫ୍ରିଜ ବା ଓ୍ୱାଶିଂ ମେସିନ ଭଳି ବଡ଼ ସାମଗ୍ରୀକୁ ବାଲାନ୍ସ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

ଡିସେମ୍ବର ୫ରୁ ପ୍ରଦର୍ଶନୀ ପଡ଼ିଆରେ ମିଶନ୍ ଶକ୍ତି ମେଳା

ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ସୃଷ୍ଟି ଉଦ୍ଦେଶ୍ୟରେ ଏବଂ ସେମାନଙ୍କର କାମକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ମିଶନ୍ ଶକ୍ତି ମେଳା ପରିକଳ୍ପନା କରାଯାଇଛି ।

ଡିସେମ୍ବର ୫ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମିଶନ୍ ଶକ୍ତି ମେଳା । ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ମେଳାରେ ୩୦ ଜିଲ୍ଲାରୁ ୨୫୧ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେବେ । ସେମାନଙ୍କର ସାମଗ୍ରୀ ଏଥିରେ ପ୍ରଦର୍ଶିତ ହେବ । ଡିସେମ୍ୱର ୧୬ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ମିଶନ୍ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

ବଢ଼ିବାକୁ ଯାଉଛି କାର ଦର, କିଣିବାର ଅଛି ଯଦି ଏବେ କିଣି ଦିଅନ୍ତୁ କାର

ଆପଣଙ୍କୁ କାର କିଣିବାର ଅଛି କି ? ଯଦି କାର କିଣିବାକୁ ଚାହୁଁଛନ୍ତି ବର୍ଷ ଶେଷ ସୁଦ୍ଧା କିଣି ଦିଅନ୍ତୁ । କାରଣ ଆଗକୁ ବଢ଼ିବାକୁ ଯାଉଛି କାର ଦର । ୨୦୨୦ରେ ଭାରତର ସବୁଠାରୁ ବଡ଼ କାର କମ୍ପାନୀ ମାରୁତି ସୁଜୁକି ତାର ଦର ବଢ଼ାଇବାକୁ ଯାଉଛି । ମାରୁତି ତାର କାରର ମଡେଲକୁ ନେଇ ଟଙ୍କା ବୃଦ୍ଧି କରିବ ବୋଲି ସୂଚନା ଦେଇଛି । ଏବେ ମାରୁତି କମ୍ପାନିର ୨.୮୯ ଲକ୍ଷ ଟଙ୍କାର ଅଲଟୋ କାର ଠାରୁ ଆରମ୍ଭ କରି ୧୧.୪୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରର ରହିଛି । ଭାରତରେ ମାରୁତି ସୁଜୁକି କମ୍ପାନିର କାରକୁ ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି । ଏହି କମ୍ପାନିର କାର ମୂଲ୍ୟ ସାଧରଣ ଲୋକଙ୍କୁ ସୁହାଇଥାଏ । କିନ୍ତୁ, ଯଦି କାର କିଣିବାରେ ଆଉ ଟିକେ ଡେରି କରନ୍ତି ତେବେ, କାରର ମୂଲ୍ୟ ବଢ଼ି ଯାଇପାରେ ।

ମାରୁତି ସୁଜୁକି ତାର ଦର ୨୦୨୦ ଜାନୁଆରି ପହିଲାରୁ ବଢ଼ାଇବ ବୋଲି ଘୋଷଣା କରିଛି । ଏହାର କାରଣ ହେଉଛି କାର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶର ଦର ବୃଦ୍ଧି । କମ୍ପାନିର କହିବା ଅନୁଯାୟୀ ପୂର୍ବାପେକ୍ଷା ଯନ୍ତ୍ରାଂଶ ଓ ସରଞ୍ଜାମ କିଣିବାରେ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଯାହା ପାଇଁ କମ୍ପାନି ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛି ।୨୦୧୮ ନଭେମ୍ବରରେ କମ୍ପାନି ୧, ୪୬, ୦୧୮ ଯୁନିଟ୍ କାର ବିକ୍ରି କରିଥିବା ବେଳେ ୨୦୧୯ ନଭେମ୍ବର ମାସରେ ଏହା ୧.୬ ପ୍ରତିଶତ ଖସି ୧, ୪୩, ୬୮୬ ଯୁନିଟରେ ପହଞ୍ଚିଛି ।

ମାରୁତି ସୁଜୁକି ଅନ୍ୟ କମ୍ପାନି ତୁଳନାରେ ଅଧିକ ଗାଡ଼ି ବିକ୍ରି କରିଥିବା ଦାବି କରିଛି । ଆଗକୁ ମାରୁତି ୨ଟି ନୂଆ ମଡେଲ କାର ମାର୍କେଟକୁ ଆଣିବ । ବ୍ରେଜା ଏବଂ ଏସ୍‌-କ୍ଲାସ୍‌ ର ବିଏସ୍‌-୬(ପେଟ୍ରୋଲ) ମଡେଲ ଆସିବ । ପୂର୍ବରୁ ବଜାରରେ ଏହାର ଡିଜେଲ ଭର୍ସନ ଉପଲବ୍ଧ ଅଛି । ତୈମାସିକ ବିକ୍ରିରେ କମ୍ପାନୀ ୩୯ ପ୍ରତିଶତ କ୍ଷତି ସହିଛି । ତେବେ, ନୂଆବର୍ଷରୁ ମାର୍କେଟକୁ ଆସୁଥିବା ମାରୁତି ସୁଜୁକି କାର ମହଙ୍ଗା ହେବ ।

ସ୍ୱେଚ୍ଛାକୃତ ଜମି ପ୍ରଦାନର ସମୟସୀମା ବୃଦ୍ଧି

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟସୀମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୭ଦିନ ବୃଦ୍ଧି କରିଛନ୍ତି । ଡିସେମ୍ବର ୨ରେ ଏହି ସମୟ ଶେଷ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଆଗ୍ରହକୁ ଦେଖି ଏହି ସମୟ ସୀମା ଆଉ ୭ ଦିନ, ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଶ୍ରୀମନ୍ଦିରର ନିରାପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଶ୍ରୀମନ୍ଦିର ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସେମାନେ ସ୍ୱେଚ୍ଛାକୃତ ଭାବେ ପ୍ରଶାସନକୁ ଜମି ବିକିଛନ୍ତି ।

ଗତ ୨ ତାରିଖ ସୁଦ୍ଧା ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ୍‌ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ଲୋକମାନେ ସ୍ୱେଚ୍ଛାକୃତ ଭାବେ ବିକ୍ରି କରିଛନ୍ତି ।

ନୂଆ ସର୍ତ୍ତ ସହ ପୁଣି ହେବ ଖଣି ନିଲାମ

ଭୁବନେଶ୍ୱର: ନୂଆ ସର୍ତ୍ତ ସହ ହେବ ଖଣି ନିଲାମ । ଆସନ୍ତା ୬ ତାରିଖରେ ୨୦ଟି ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିରେ ଗୋଟିଏ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ଭାଗ ନେଇପାରିବେ ନାହିଁ ବୋଲି ସର୍ତ୍ତ ରହିବ । ଏନେଇ ଖଣି ବିଭାଗ ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି । ଏ ସମସ୍ତ ନିଲାମ ପ୍ରକ୍ରିୟା ମାର୍ଚ୍ଚ ୩୧ ସୁଦ୍ଧା ସରିବ ।

ଗତ ଅକ୍ଟୋବରରେ ୩ଟି ପର୍ଯ୍ୟାୟରେ ନିଲାମ ଡାକିଥିଲେ । ବିଡିଂ ବେଳେ ଟେକ୍ନିନାଲ ତ୍ରୁଟି, ଅନିୟମିତତା ଅଭିଯୋଗ ପରେ ସରକାର ଖଣି ନିଲାମ ବାତିଲ୍ କରିଥିଲେ । ସେତେବେଳେ ୧୭୭ଟି ଆବେଦନ ଆସିଥିଲା । ମୂଳ କମ୍ପାନୀ ଓ ସବସିଡିଆରି କମ୍ପାନୀ ନାଁରେ ଟେଣ୍ଡର ଆବେଦନ କରିଥିଲେ ।

ପିଲାଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ ପାଇଁ ଆପଣଙ୍କୁ ଡାଉନଲୋଡ୍ କରିବାକୁ ହେବ ଏହି ଆପ୍

ଭୁବନେଶ୍ୱର : ସ୍କୁଲରେ ଯଦି ଆପଣଙ୍କ ପିଲା ପାଠ ବୁଝିପାରୁନାହିଁ ତେବେ ଆଉ ଚିନ୍ତା କରିବାର ନାହିଁ । ଏ ନେଇ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଘରେ ବସି ମଧ୍ୟ ସ୍କୁଲ ପାଠର ଅଭ୍ୟାସ କରିହେବ ଏବଂ ଅବୁଝା ପାଠକୁ ସହଜରେ ବୁଝିହେବ । ଏଥିପାଇଁ କେବଳ ଆପଣଙ୍କୁ ଗୋଟିଏ ଆପ୍ ଡାଉନଲୋଡ୍ କରିବାକୁ ହେବ ।

ପିଲାଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍’ । ଛାତ୍ରଛାତ୍ରୀମାନେ ‘ମଧୁ ଆପ୍’କୁ ମୋବାଇଲ୍ ଫୋନରେ ଡାଇନଲୋଡ୍ କରି ସେଥିରୁ ଭିଡିଓ ଦ୍ୱାରା ଶ୍ରେଣୀରେ ପଢ଼ାଯାଇଥିବା ପାଠ ବୁଝିପାରିବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍’କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଭିଡିଓ କନଫେରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍’ ସଂପର୍କରେ କଥାବାର୍ତ୍ତା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ତେଣୁ ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବଙ୍କ ତ୍ୟାଗ ବିଷୟରେ ଆଲୋଚନା କରି, ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ତିହାର ଜେଲରେ ନାହାନ୍ତି ଘାତକ, ‘ନିର୍ଭୟା’ ଦୋଷୀଙ୍କୁ କେମିତି ଦିଆଯିବ ଫାଶୀ ?

ନୂଆଦିଲ୍ଲୀ: ତେଲଙ୍ଗାନା ଘଟଣା ପରେ ଦେଶବାସୀଙ୍କ ହୃଦୟରେ ଗଭୀର ଆଘାତ ଲାଗିଛି । ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ଆଜି ପର୍ଯ୍ୟନ୍ତ ଫାଶୀ ପାଇ ନ ଥିବା ବେଳେ ତେଲଙ୍ଗାନାରେ ପୁଣି ଏକ ହୃଦୟ ବିଦାରକ ଘଟଣା ଘଟିଛି । ସେମାନଙ୍କୁ କେବେ ଫାଶୀ ଦିଆଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯାହା ଖବର ମିଳିଛି, ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କ ଫାଶୀର ତାରିଖ ପାଖେଇ ଆସୁଛି । ସୂତ୍ର କହୁଛି ଏକ ମାସ ଭିତରେ ଫାଶୀ ଦିଆଯିବା ତାରିଖ ଆସିପାରେ । 

କେବେ ମିଳିବ ଫାଶୀ ?

ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରାଯାଇଥିବା ସର୍ବକ୍ଷମା ଅଗ୍ରାହ୍ୟ ହେଲେ କୋର୍ଟ ଡେଥ ୱାରେଣ୍ଟ ବା ବ୍ଲାକ ୱାରେଣ୍ଟ ଜାରି କରିବେ । ଏହାପରେ ନିର୍ଦ୍ଧାରିତ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରେ । ତେବେ, ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ଅଭୟ କ୍ଷମା ପାଇଁ ଆବେଦନ କରିଛି । ୪ ଦୋଷୀଙ୍କୁ କ୍ଷମା ନଦେବାକୁ ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାର ନିବେଦନ କରିଛନ୍ତି। ରାଷ୍ଟ୍ରପତି ସର୍ବକ୍ଷମା ଆବେଦନ ଅଗ୍ରାହ୍ୟ କରିବା ପରେ ସେମାନଙ୍କୁ ଫାଶୀ ଦିଆଯିବ । କିନ୍ତୁ ଫାଶୀ ଖୁଣ୍ଟରେ ସେମାନଙ୍କୁ ଝୁଲାଇବ କିଏ? କାରଣ ତିହାର ଜେଲ୍‌ରେ ଘାତକ ହିଁ ନାହାନ୍ତି ।

ଦିନକ ପାଇଁ ବାହାରୁ ଆସିବେ ଘାତକ

ଜେଲ୍ ପ୍ରଶାସକଙ୍କ ସୂଚନା ମୁତାବକ, ଅନ୍ୟ ଜେଲ୍‌ରୁ ଘାତକ ମଗାଯାଇ ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଏହା ପୂର୍ବରୁ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବା ବେଳେ ଅନ୍ୟ ଜେଲ୍‌ରୁ ଘାତକ ମଗାଯାଇଥିଲା ଓ ଫାଶୀ ଦିଆଯିବା ପରେ ପୁଣି ସେ ଫେରିଯାଇଥିଲେ । ତେଣୁ ଏଥର ମଧ୍ୟ ତାହା ହିଁ ହେବ ବୋଲି କୁହାଯାଉଛି । 

୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀର ମୁନିର୍କା ଅଞ୍ଚଳରେ ଡାକ୍ତରୀ ଛାତ୍ର ‘ନିର୍ଭୟା’ ତାଙ୍କ ବନ୍ଧୁଙ୍କ ସହ ବସରେ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଚଳନ୍ତା ବସରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ ପରେ ତାଙ୍କୁ ଗାଡ଼ିରୁ ଠେଲି ଦେଇଥିଲେ । ମେଡିକାଲରେ ପ୍ରାୟ ୧୩ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଥିଲେ ପୀଡ଼ିତା । ଯାହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଯାଏ ପ୍ରତିବାଦର ସ୍ୱର ଉଠିଥିଲା ।

୭ ବର୍ଷର ଘଟଣାକୁ ପୁଣି ହାଇଦ୍ରାବାଦ ନିର୍ଭୟା ମାମଲା ତାଜା କରିଛି । ପୁଣି ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ସବୁଠି ଦାବି ହେଉଛି । ତଳୁ ଉପର କୋର୍ଟର ଚକ୍କର ଭିତରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ସବୁ ମହଲରେ ଦାବି ଜୋର ଧରିଛି ।