ଭୁବନେଶ୍ୱର: 5Tରେ ସାମିଲ ହେଲା ଆଉ ୨ଟି ବିଭାଗ । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମମତା ଯୋଜନାରେ ବି କାର୍ଯ୍ୟକାରୀ ହେବ 5T । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ନଗର ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସାମିଲ କରାଯାଇଛି । ଆଜି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାମିଲ ହେବା ମାତ୍ରେ, ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।
5T ଯୋଗୁ ସରକାରୀ ବାବୁ ଛାନିଆ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାମିଲ ହେବା କ୍ଷଣି ରାଡାରେ ବିଡିଓ ଓ ସରପଞ୍ଚ । କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତି ନାହାନ୍ତି । ଦୁର୍ନୀତି ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଡିଓ ରବୀନ୍ଦ୍ର ଶତପଥୀ ନିଲମ୍ବିତ ହୋଇଛନ୍ତି । ସେହିପରି ଆର୍ଥିକ ଅନିୟମିତତା ଅଭିଯୋଗରେ ୨ ଜଣ ସରପଞ୍ଚଙ୍କୁ ବି ନିଲମ୍ବନ କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ସେମାନେ ହେଲେ ସୋର ବ୍ଲକ କେଦାରପୁର ସରପଞ୍ଚ ଅଭିମନ୍ୟୁ ଜେନା ଓ ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ ସାହୁ । ଏଣିକି ଫୋନ ଯୋଗେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ପାନୀୟ ଜଳ ସମସ୍ୟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କାର୍ଯ୍ୟକାରିତା ନେଇ ଲୋକଙ୍କ ଫିଡବ୍ୟାକ ନେବେ ।
ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମମତା ଯୋଜନା ବି ସାମିଲ ହୋଇଛି । ଗର୍ଭବତୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି କି ନାହିଁ, ପୁଷ୍ଟିକର ଖାଦ୍ୟ ମିଳୁଛି କି ନାହିଁ, ଏ ସବୁ ନେଇ ମାଆମାନଙ୍କ ସହ ଆଲୋଚନା କରିବ ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଖୁବ୍ଶୀଘ୍ର ଏଥିରେ ମମତା ଯୋଜନା ବି ସାମିଲ ହେବ ।
5T ପ୍ରଥମେ ସ୍ୱରାଷ୍ଟ ଓ ସ୍ୱାସ୍ଥ୍ୟ ବିଭାଗରେ ଲାଗୁ ହୋଇଥିଲା । ଡିସେମ୍ବର ପହିଲାରୁ ଆଉ ୬ଟି ସରକାରୀ ବିଭାଗର କିଛି ଯୋଜନା ସାମିଲ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଥିଲା । ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 5Tରେ ସମସ୍ତ ସରକାରୀ ବିଭାଗକୁ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।


କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକୁଥିବା ପ୍ରଚାର ହେବା ପରେ ସ୍ଥିତି ପରଖିବାକୁ ଆମ ଟିମ୍ ପହଞ୍ଚିଥିଲା ସେଠାରେ ଆଉ ଯାହା ଦେଖିଲା ତାହା ବିଲକୁଲ ଲୋକହସା କଥା । ଯେତିକି ପିଆଜ ଆସିଛି ୪୦ ଟଙ୍କାରେ ବିକିଲେ ଚାରି ଛଅ ଘଣ୍ଟା ଭିତରେ ଖତମ୍ ହେଇଯିବ । ମାନେ କ’ଣ କେବଳ ରାଜନୀତି କରିବାକୁ ପିଆଜ ମଗାଯାଇଛି । କଂଗ୍ରେସ ୪୦ ଟଙ୍କାରେ ଦିନକ ପାଇଁ ପିଆଜ ବିକିଲେ ପିଆଜ ଦର କମିଯିବନି କି ଲୋକଙ୍କ ଆବଶ୍ୟକତା ବି ମେଣ୍ଟିବନି । ରାଜଧାନୀରେ ଲୋକଙ୍କ ପାଖରେ ପଇସା ଅଛି, ଏଠି ଲୋକେ ୧୦୦ ଟଙ୍କା ଦେଇ ପିଆଜ ଖାଇପାରିବେ । କିନ୍ତୁ ଯେଉଁମାନଙ୍କ ପଖାଳ କଂସାରୁ ପିଆଜ ହଜିଯାଇଛି, ସେମାନଙ୍କ ଦୁଃଖ ବୁଝୁଛି କିଏ ?
କ’ଣ ଏଠି କ୍ୟାମେରା ସଜ ହୋଇଛି ରହିଛି ବୋଲି ପିଆଜ ଆସିଛି ନା ବାସ୍ତବରେ କଂଗ୍ରେସ ଲୋକଙ୍କ ଦୁଃଖ ସହିପାରୁନି। ବର୍ଷ ବର୍ଷ ହେଲାଣି କଂଗ୍ରେସ ନିଜ ଘରକୁ ସଜାଡ଼ୁ ପାରୁ ନ ଥିବା ବେଳେ ପିଆଜ ପ୍ରତିବାଦ କରି ନିଜ ଭାବମୂର୍ତ୍ତିରେ କ’ଣ ସୁଧାର ଆଣିପାରିବ ।







