spot_img
Home Blog Page 7626

ରାଇରଙ୍ଗପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ବାରିପଦା : ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରେ। ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ୍ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ।

ଗତକାଲି ରାତି ପ୍ରାୟ ସାଢେ଼ ଆଠଟାରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନମ୍ବର ୮ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସର ମାଟ୍ରନ୍ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନଆସିବାରୁ ମାଟ୍ରନ୍ ଓ କିଛି ଛାତ୍ରୀ ମିଶି କବାଟ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

କଲେଜ କର୍ତ୍ତୃପକ୍ଷ ଏନେଇ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କର୍ତ୍ତବ୍ୟରତ ଅଧ୍ୟାପିକା କେଉଁ କାରଣରୁ ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ ।

ମୃତ ଅଧ୍ୟାପିକା ଜଣକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି। କାଳୀପୂଜା ସମୟରେ ନିଜ ସମ୍ପକୀୟଙ୍କ ଘର କେନ୍ଦୁଝରକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ ।

ଏକତରଫା ପ୍ରେମରୁ ଆକ୍ରମଣ, ପ୍ରେମିକା ଓ ତାଙ୍କ ବାପା ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଭଦ୍ରକ : କାଲି ଯାଏଁ ଯିଏ ପ୍ରେମିକ ଥିଲା ହଠାତ୍ ପାଲଟିଗଲା ପିଶାଚ । ଯାହାକୁ ବାହା ହେବ ବୋଲି ସ୍ୱପ୍ନ ଦେଖୁଥିଲା, କେତେ କଣ ସଜବାଜ କରୁଥିଲା ହଠାତ୍ ତାକୁ ଜୀବନରୁ ମାରିଦେବାକୁ କଲା ଉଦ୍ୟମ । କୃରତା ଓ ନିଷ୍ଠୁରତାର ଚରମ ସୀମାରେ ପହଞ୍ଚିଲା ପାଗଳ ପ୍ରେମିକ । ଗତକାଲି ରାତିରେ ଭଦ୍ରକର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ରାତିର ଅନ୍ଧାରରେ ପାଗଳ ପ୍ରେମିକ, ପ୍ରେମିକା ଓ ତାଙ୍କ ବାପାଙ୍କୁ ମାରଣାସ୍ତ୍ରରେ ହାଣି ଜୀବନରୁ ମାରିବାକୁ ଉଦ୍ୟମ କରିଛି । ଉଭୟଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଏକତରଫା ପ୍ରେମରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବ ଗଡିଆ ଛକରେ ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ବନ୍ତ ଥାନା ଅନ୍ତର୍ଗତ ଦୋଳପଦି ଗ୍ରାମର ରବୀନ୍ଦ୍ର ସାହୁ ନିଜର ବି.ଟେକ ପଢୁଆ ଝିଅ ନମିତାଙ୍କୁ ଡାକ୍ତର ଦେଖାଇବା ପାଇଁ କଟକ ଯାଇଥିଲେ । ଗତକାଲି ଡି.ଏମ.ୟୁ ଟ୍ରେନରୁ କେନ୍ଦୁଆପଦା ଷ୍ଟେସନ ରେ ଓହ୍ଲାଇ ଏକ ସ୍କୁଟି ଯୋଗେ ବାପ ଝିଅ ଘରକୁ ଫେରୁଥିଲେ ।  ପ୍ରାୟ ରାତି ୧୦ଟା ସମୟରେ ଡାଳିମ୍ବ ଗଢିଆ ଛକ ନିକଟରେ ଯୁବକ ଜଣଙ୍କ, ଉଭୟଙ୍କ ଉପରେ ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲା ।

ବାପ ଝିଅ ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଗଡୁଥିଲେ । ସ୍ଥାନୀୟ ଲୋକ ଏକ ଗାଡି ଯୋଗେ ଦୁଇଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଦୁଇ ଜଣଙ୍କୁ କଟକ ରେଫର କରାଯାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏକତରଫା ପ୍ରେମରେ ବିଫଳ ହେବାରୁ ପ୍ରେମିକ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଅନୁଧ୍ୟାନ ଚଳାଇଥିବା ବେଳେ, ଅଭିଯୁକ୍ତ ଫେରାର ଅଛି ।

ଆଜିଠାରୁ ୧୦ଟି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, ସବୁ ଜିଲ୍ଲା ପ୍ରଶାସନକୁ ଚିଠି

ଭୁବନେଶ୍ୱର : ଆଜି ଡିସେମ୍ବର ୧ ତାରିଖ । ଟ୍ରାଫିକ୍ ଯାଞ୍ଚ ପାଇଁ କୋହଳ ହୋଇଥିବା ଡେଡ୍ ଲାଇନ୍ ସରିଯାଇଛି । ସରକାର କାଗଜପତ୍ର ପ୍ରସ୍ତୁତି ପାଇଁ ଆଉ ୩ ମାସ ସମୟ ବୃଦ୍ଧି କରିଥିବା ବେଳେ ଆଜିଠାରୁ ୧୦ଟି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରହିଛି ନିର୍ଦ୍ଦେଶ । ପୋଲିସ କମିଶନର ଗତକାଲି ଏ ପ୍ରସଙ୍ଗରେ ସୂଚନା ମଧ୍ୟ ଦେଇସାରିଛନ୍ତିି । ସବୁ ଜିଲ୍ଲା ପ୍ରଶାସନକୁ ଏହାକୁ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ମେଟ୍ରୋ ସହର ଭଳି ଓଡ଼ିଶାରେ ସିସିଟିଭିରେ ନିୟମ ଖିଲାପକାରୀଙ୍କୁ ଚିହ୍ନଟ କରି ଆଜିଠାରୁ ଘରକୁ ଚାଲାଣ ପଠାଇବ ପରିବହନ ବିଭାଗ । ଆଜିଠାରୁ ଭୁବନେଶ୍ୱରରେ ପ୍ରଥମ କରି ଏହି ସେବାର ଆରମ୍ଭ କରାଯାଉଛି । ରାଜଧାନୀର ୮ଟି ପ୍ରମୁଖ ଛକରେ ଲାଗିବ ସିସିଟିଭି କ୍ୟାମେରା । ସବୁ ଟ୍ରାଫିକରେ ସିସିଟିଭି ଥିବା ଟ୍ରାଫିକ୍ ଡିସିପି କହିଥିଲେ । ତେବେ TVDS ବ୍ୟବସ୍ଥା ପ୍ରଥମ କରି ରୂପାଲି ଛକରେ ପରୀକ୍ଷାମୂଳକ ଭାବେ କରାଯାଇଛି । ସିସିଟିଭିରୁ ଚିହ୍ନଟ ହେବ ଗାଡ଼ି ଓ ଗାଡ଼ିର ନମ୍ବର । ଏହାପରେ ନିୟମ ଉଲଙ୍ଘନକାରୀଙ୍କ ଠିକଣାରେ ଡାକଯୋଗେ ପଠାହେବ ଚାଲାଣ ।

ଟ୍ରାଫିକ୍ ପାଇଁ ୩-ଇ ଅନୁଯାୟୀ କମିଶନରେଟ ପୋଲିସ କାର୍ଯ୍ୟ କରୁଥିବା କମିଶନର କହିଛନ୍ତି ।  ଧରପଗଡ଼ ବେଳେ ବଡି କ୍ୟାମେରା କିମ୍ବା ସିସିଟିଭି ଥିବା ସ୍ଥାନରେ ଚାଲାଣ କରାଯିବ । ଜୋରିମାନା ପାଇଁ କମିଶନରେଟ ପୋଲିସ ପଷରୁ ଖୋଲାଯିବ କାଉଣ୍ଟର । ସିସିଟିଭି ସର୍ଭେଲାନ୍ସ ଜରିଆରେ ପ୍ରତିଦିନ ଶହେରୁ ଅଧିକ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି  । ରୂପାଲି ପରେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୮ଟି ସ୍ଥାନରେ ଲାଗୁ ହେବ ଏହି ବ୍ୟବସ୍ଥା ।

https://nandighoshatv.comnew-traffic-rules-implementation-extended-for-more-3-months-but-drink-and-drive-will-not-be-exempted/

୧୦ଟି ନିୟମ ଯାହା କଡ଼ା କଡ଼ି ଲାଗୁ ହୋଇଛି ସେ ସବୁର ତାଲିକା ଓ ଫାଇନ୍ ପରିମାଣ

୧- ମଦ୍ୟପାନ କରି ଗାଡ଼ିଚାଳନା – (୧୦,୦୦୦)

୨-ଦୃତ ଗତିରେ ଗାଡ଼ି ଚାଳନା – (୫,୦୦୦)

୩-ଟ୍ରାଫିକର ବୀପରିତ ଦିଗରେ ଗାଡ଼ି ଚାଳନା – (୫,୦୦୦)

୪- ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର – (୫,୦୦୦)

୫- ବିପଦପୂର୍ଣ୍ଣ ଗାଡ଼ିଚାଳନା – (୫,୦୦୦)

୬- ଦୁଇ ଚକିଆ ଯାନରେ ୩ ଜଣ ଯାତ୍ରାକଲେ – (୧,୦୦୦)

୭- ଅତ୍ୟଧିକ ଭାର ପରିବହନ – (୨,୦୦୦)

୮- ନାଲି ସଙ୍କେତକୁ ଅବମାନନା – (୫,୦୦୦)

୯- ହେଲମେଟ୍ ପରିଧାନ ନକଲେ -(୧,୦୦୦)

୧୦-ଗାଡ଼ିର ସୁରକ୍ଷା ପେଟି ନପିନ୍ଧିଲେ -(୧,୦୦୦)

ଆଜିର ରାଶିଫଳ (୦୧.୧୨.୨୦୧୯) ରବିବାର

ଆଜିର ପଞ୍ଚାଙ୍ଗ

ଆଜି ୨୦୧୯ ମସିହା ଡିସେମ୍ବର ୧ ତାରିଖ, ରବିବାର, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ବିଛା ଦି୧୫ନ, ପଞ୍ଚମୀ ତିଥି, ଭ: ଷାଢା ନକ୍ଷତ୍ର ଦିବା ୯/୪୦ଗତେ ଶ୍ରବଣା, ମକରଚନ୍ଦ୍ର, ବୃଦ୍ଧିଯୋଗ, ବନ କରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିର ।

ଘାତଚନ୍ଦ୍ର- ସିଂହ ରାଶିର

ଘାତବାର- ମେଷ ରାଶିର

ରାହୁକାଳ- ଦିବା ୩/୪୦ମି.ରୁ ୫/୦୧ମି.

କାଳବେଳା- ଦିବା୧୧/୩୫ମି.ରୁ ୧୨/୫୬ମି.

ଶୁଭବେଳା- ପ୍ରାତଃ ୬/୫୨ମି.ରୁ ୯/୦୩ମି.

ପର୍ବପର୍ବାଣି- ନାଗ ପଞ୍ଚମୀ, କୁରାଳ ପଞ୍ଚମୀ, ବିଶ୍ୱ ଏଡସ୍ ଦିବସ

ଆଜିର ରାଶିଫଳ

ମେଷ- ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ବିବାଦୀୟ ହେବେ । ବନ୍ଧୁ ସହଯୋଗ ପ୍ରାପ୍ତି ହେବେ । ବ୍ୟବସାୟରେ ଆଶାନୁରୁପ ଫଳ ପ୍ରାପ୍ତି ହେବ ।

ବୃଷ- ମାନସିକ ପୂରଣ ହେବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳ ହେବେ । ଗୃହରେ ମାଂଗଳିକ କାର୍ଯ୍ୟ ସଂଗଠିତ ହେବ । ପାରିବାରିକ ଜୀବନରେ ସମୃଦ୍ଧି ହେବେ ।

ମିଥୁନ- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ନିଜ ଲୋକମାନେ ଶତ୍ରୁତା ଆଚରଣ କରିବେ । ପଡୋଶୀ ମାନଙ୍କ ସହିତ ବିବାଦୀୟ ପରିସ୍ଥିତି ଉପୁଜିପାରେ ।

କର୍କଟ- କର୍ମ କ୍ଷେତ୍ରରେ ନିଜର ପ୍ରତିଭା ବଳରେ ଯଶ ଖ୍ୟାତି ସମ୍ପର୍ଣ୍ଣ ହେବ । ନୂତନ ଯାନବାହନ ପ୍ରାପ୍ତି ଯୋଗ ରହୁଛି । ଦାନ ସୂତ୍ରରେ ଅର୍ଥପ୍ରାପ୍ତି ହୋଇପାରେ । ବ୍ୟକ୍ତିଗତ ଓ ପାରିବାରିକ ଜୀବନ ସୁଖମୟ ହେବ ।

ସିଂହ- ଆପଣଙ୍କ ଆଜି ଦିନଟି ସୁଖରେ କଟିବ । ସାମାଜିକ କର୍ମରେ ଲିପ୍ତ ରହିବେ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବନ୍ଧୁ ବର୍ଗଙ୍କ ସହଯୋଗ ପ୍ରାପ୍ତି ହେବ ।

କନ୍ୟା- ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସଫଳ ହେବ । ସ୍ୱାସ୍ଥ୍ୟଗତ ସମସ୍ୟାରେ ସୁଧାର ଆସିବ । ଦେବ ଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହୁଛି । ସାଙ୍ଗ ସାଥିଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ ହେବ ।

ତୁଳା- ମାନସିକ ଅସ୍ଥିରତା ଦେଖାଦେବ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଚିନ୍ତିତ ରହିବେ । କଠୋର ସତ୍ୟ କହି ଅପ୍ରିୟ ହେବେ । ପାରିବାରିକ ଶୃଙ୍ଖଳା ବ୍ୟାହତ ହେବ ।

ବିଛା- ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଯଶ ବୃଦ୍ଧି ହେବ । ଗୃହରେ ମାଂଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଅଚାନକ ଧନ ପ୍ରାପ୍ତି ଯୋଗ । ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରିଯିବ ।

ଧନୁ- ସାମାଜିକ କର୍ମରେ ତତ୍ପରତା ପ୍ରକାଶ ପାଇବ । ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି ।

ମକର- ଅତି ଭ୍ରମଣ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ସମୟ ଅତିବାହିତ ହେବ । ବ୍ୟୟଭାର ବୃଦ୍ଧି ପାଇପାରେ । ଜୀବନ ସାଥିଙ୍କ ସହ ହସଖୁସିରେ ସମୟ କାଟିବେ ।

କୁମ୍ଭ- ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ମାନସିକ ଶାନ୍ତି ବ୍ୟାହତ ହୋଇପାରେ । କୌଣସି ମହିଳାଙ୍କ ଦ୍ୱାରା ଲାଭବାନ ହେବେ ।

ମୀନ- ଅଶାନ୍ତି ମଧ୍ୟରେ ଦିନଟି କଟିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଛୋଟ କଥାକୁ କେନ୍ଦ୍ରକରି ମାନସିକ ସ୍ଥରରେ ଅସ୍ଥିର ରହିବେ । ରହସ୍ୟ ବିଦ୍ୟା ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

ଯୋଗାଯୋଗ- ୯୮୬୧୨୭୧୫୫୭

ଆଜି ବିଶ୍ୱ ଏଡ୍ସ ଦିବସ, ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଡ଼ିସେମ୍ବର ୧, ବିଶ୍ୱ ଏଡ଼ସ୍ ଦିବସ । ଏଡ଼ସ୍ ଭଳି ଏକ ମାରାତ୍ମକ ରୋଗ କବଳରୁ ବର୍ତ୍ତିବା ପାଇଁ ଅନେକ ପ୍ରୟାସ, ଅନେକ ପଦକ୍ଷେପ ଏବଂ ଅନେକ ସକାରାତ୍ମକ କଥା ଚିନ୍ତା କରାଯାଉଛି । ୧୯୮୮ରୁ ଆଜି ପର୍ଯ୍ୟନ୍ତ ଏଡ଼ସକୁ ନେଇ ସଚେତନତା ପରିପ୍ରେକ୍ଷୀରେ ଏଭଳି ଏକ ଦିନକୁ ବଛାଯାଇଛି । ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଏଚଆଇଭି ଆକ୍ରାନ୍ତ । ତେବେ ସଚେତନତା ଓ ଜ୍ଞାନ ବୃଦ୍ଧି ସହ ଯେଉଁମାନେ ଏଥିରେ ପୀଡିତ ସେମାନଙ୍କୁ ସାହସ ଦେବାକୁ ବିଭିନ୍ନ ସ୍ଥାନରେ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ।

୨୦୧୮ ଶେଷ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ରିପୋର୍ଟ ଆଧାରରେ ବିଶ୍ୱର ୩୭.୯ ମିଲିଅନ ଲୋକ ଏଡ଼ସ୍ ଆକ୍ରାନ୍ତ ଅଛନ୍ତି । ସେ ମଧ୍ୟରୁ ୬୨ % ରୋଗୀ ଚିକିତ୍ସାର ସୁଯୋଗ ପାଇଥିବା ବେଳେ ୫୩ ପ୍ରତିଶତ ରୋଗୀ ଏଡ଼ସ୍ କୁ ହରାଇବାରେ ସକ୍ଷମ ହୋଇଛନ୍ତି । ଏ ସଫଳତାକୁ ଆହୁରି ଅଧିକ ଆଗକୁ ନେବା ଏବଂ ବିଶ୍ୱକୁ ଏଡ଼ସ୍ ମୁକ୍ତ କରିବା ଲକ୍ଷ୍ୟ ନେଇ ୨୦୧୯ରେ ନିଜ ପ୍ରଚେଷ୍ଟାକୁ ଦ୍ୱିଗୁଣିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ସୂଚନା ଅନୁସାରେ ବିଶ୍ୱରେ ଏଡସ୍ ରୋଗୀଙ୍କ ତୁଳନାରେ ଭାରତରେ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ତୃତୀୟ ସର୍ବୋଚ୍ଚ । ଓଡ଼ିଶାରେ ଯଦଗି ଦେଖିବା ତେବେ ଦକ୍ଷିଣ ଓଡ଼ିଶାକୁ ଏଡ଼ସ୍ ରୋଗୀଙ୍କ ପେଣ୍ଠସ୍ଥଳୀ ବୋଲି କୁହାଯାଏ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଏଡସ ରୋଗୀ ଅଛନ୍ତି । ତେବେ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ଫ୍ରି କ୍ଲିନିକ୍ ସହ ଏସଡର ନିରାକରଣ ପାଇଁ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ଖୁସିର କଥାଯେ ପ୍ରତି ବର୍ଷ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ରାଜ୍ୟରେ କମିଚାଲିଛି । ୨୦୧୪-୧୫ ବର୍ଷରେ ଓଡ଼ିଶାରେଏଡ଼ସ୍ ରୋଗୀଙ୍କ ହାର ୦.୭% ଥିବାବେଳେ ବର୍ଷ ୨୦୧୮-୧୯ରେ ଏହା ୦.୩ % କୁ ହ୍ରାସପାଇଛି । ତେବେ ଏତିକିରେ ହାତରେ ହାତ ବାନ୍ଧି ବସିଗଲେ ସଚେତନତାରେ ସୃଷ୍ଟି ହେବ ପ୍ରତିବନ୍ଧକ ।

ଏଡ଼ସ୍ ମୁକ୍ତ ଓଡ଼ିଶା ପାଇଁ ଏଡ଼ସ୍ ସଚେତନତାର କିଛି ଉଚିତ ବାର୍ତ୍ତା ସଂପର୍କରେ ଅବଗତ ହେବା ଦରକାର । 

୧. ଏଡସ୍ ଏମିତି ଏକ ମାରାତ୍ମକ ରୋଗ, ଯାହା ଆପଣଙ୍କ ଭିତରେ ବର୍ଷ ବର୍ଷରୁ ରହିପାରେ । ଏଥିପାଇଁ ଉତ୍ତମ ଚିକିତ୍ସାର ପ୍ରୟୋଜନ ଅଛି ।
୨. HIV ପଜିଟିଭ୍ ଯେତେ ଶୀଘ୍ର ଷ୍ଟେଜରେ ଜଣାପଡ଼ିଯିବ, ସେତେ ଶୀଘ୍ର ଆପଣ ଏହାକୁ ଜିତିବାରେ ସଫଳ ହେବେ ।
୩.ଏହା ପରବର୍ତ୍ତୀ ମୂହୁର୍ତ୍ତରେ କର୍କଟକୁ ଜନ୍ମ ଦେଇପାରେ ।
୪. ଏଡ଼ସ୍ ଚିକିତ୍ସା ଜାରିରହିଥିବା ସମୟରେ ନିଶାସେବନ କରୁଥିବା ବ୍ୟକ୍ତି ସୁଫଳ ପାଇବା ଆଶା କ୍ଷୀଣ ।
୫. ଶରୀରରେ ଜ୍ୱର ଏବଂ ସଂକ୍ରମଣ ଲାଗିରହିଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୬. ହଠାତ ଓଜନ କମିଯାଇ ଶରୀର ଦୁର୍ବଳ ହେଲେ ରକ୍ତପରୀକ୍ଷା କରନ୍ତୁ ।
୭.ଶାରୀରିକ ସମ୍ପର୍କ ରଖିବାବେଳେ ସ୍ୱଚ୍ଛତା ପ୍ରତି ସତର୍କ ରୁହନ୍ତୁ ଏବଂ ନିରୋଧକ ବ୍ୟବହାର କରନ୍ତୁ ।
୮. ଏକାଧିକ ବ୍ୟକ୍ତିଙ୍କ ସହ ଶାରୀରିକ ଅନ୍ତରଙ୍ଗ ହେବା ଆପଣଙ୍କ ପାଇଁ ବିପଦ ସୃଷ୍ଟିକରିପାରେ ।

ରାଜ୍ୟରୁ ଏଡ଼ସ୍ ହଟାଇବା ପାଇଁ ଖାଲି ରାଜ୍ୟ ସରକାର ବା ଗଣମାଧ୍ୟମ ନୁହଁ ଅନେକ ସାମାଜିକ ସଂଗଠନ ଏବଂ ସ୍ୱେଚ୍ଛାସେବୀ ମଧ୍ୟ ଏ ଦିଗରେ ଆଗ୍ରହ ଦେଖାଇଛନ୍ତି ଯାହା ବାସ୍ତବିକ ରୂପେ ସ୍ୱଗତଯୋଗ୍ୟ ।

ପ୍ରାୟଶ୍ଚିତ କରୁନାହାନ୍ତି ତ ପପ୍ପୁ ? ସୋସିଆଲ୍ ମିଡିଆରେ ଧୁମ୍ ବୁଲୁଛି ପପ୍ପୁଙ୍କ ପ୍ରବଚନ

0

ଭୁବନେଶ୍ୱର : ଗାଡ଼ି ଭିତରେ ଥିବା ଲୋକଟି ଦେଖୁଥିଲା ବାହାରେ ବର୍ଷା ହେଉଥିଲା । ଇଚ୍ଛା ହେଉଥିଲା ବାହାରକୁ ଯାଇ ଖୁବ୍ ଭିଜିବାକୁ । କିନ୍ତୁ ପକେଟ ଭର୍ତ୍ତି ଟଙ୍କା ଓ ଦାମି ଜୋତା ଭିଜିଯିବ ଭାବି ବର୍ଷାକୁ ଓହ୍ଲାଇ ନଥିଲା ଲୋକଟି ।

ଗାଁରେ ୪ ଦିନ ରହିଥିଲେ, ଘରେ ଥିବା ମଣିଷଙ୍କ ପାଖରେ ସମୟ ନଥିଲା । ହଠାତ୍ କରେଣ୍ଟ ଚାଲିଗଲା, ସମସ୍ତେ ଏକାଠି ହେଲେ, ଭଲମନ୍ଦ କଥାହେଲେ । ଭାବିଲେ କରେଣ୍ଟ କଟିଗଲେ ସମସ୍ତେ ଖରାପ କହନ୍ତି, କିନ୍ତୁ ବେଳେ ବେଳେ କରେଣ୍ଟ କଟିବା ଭଲ ।

କିଛି ଏହିପରି ଭଲକଥା ଭର୍ତ୍ତି ଭିଡିଓ ସୋସିଆଲ୍ ମିଡିଆରେ ଧୁମ୍ ମଚାଇଛି । ୩ ମିନିଟରେ ଭିଡିଓ କ୍ଲିପକୁ ପ୍ରସ୍ତୁତ କରିଛି ପପ୍ପୁ ପମପମ୍ କ୍ରିଏସନ୍ସ । ଏଥିରେ ନୀତିବାଣୀ କମ୍ ସାମାଜିକ ବାସ୍ତବତା ଅଧିକ ରହିଛି । ଓଡ଼ିଶାର ନାଁ କରା କମେଡିଆନ୍ ତଥା ଅଭିନେତା ପପ୍ପୁ ଏହାକୁ ନିଜେ କହିବା ସହ ଅଭିନୟ ମଧ୍ୟ କରିଛନ୍ତି । ତେବେ ପପ୍ପୁ ସବୁ କଥାକୁ ନେଇ ଆଗରୁ ବିବାଦୀୟ ହେଉଥିବା ବେଳେ ଏବେ ଏହାକୁ ମିଳିଛି ବେଶ୍ ପ୍ରଶଂସା ।

ପ୍ରଥମେ କାଷ୍ଟିଂ କାଉଚ, ପରେ ପୁରୀ ବିବାଦ ଏବଂ ତା ପରେ ଦେହ ଖରାପ । ଏସବୁ ପରେ ରାନୁ ମଣ୍ଡଳଙ୍କୁ ନେଇ ପପୁଙ୍କ ଅଭିନୟ ପୁଣି ବିବାଦୀୟ ହୋଇଥିଲା । ସମସ୍ତେ କହୁଥିଲେ ବିବାଦ ବୋଧହୁଏ ପପ୍ପୁଙ୍କର ପିଛା ଛାଡ଼ିବନି ।

ଏବେ ପପ୍ପୁଙ୍କ ଏ ଭିଡିଓ ସୋସିଆଲ୍ ମିଡିଆରେ ଖାସ୍ କରି ଫେସବୁକରେ ଖୁବ୍ ଧମାଲ୍ ମଚାଇଛି । ଲୋକେ ଏହାକୁ ସେୟାର କରିବା ସହ ଲାଇକ୍ ମଧ୍ୟ କରୁଛନ୍ତି । ବହୁଦିନ ପରେ ପପ୍ପୁଙ୍କର ପୁଣି ଏକ ଭିଡିଓ ବେଶ୍ ପସନ୍ଦ ଆସିଛି ଓଡ଼ିଶାର ଦର୍ଶକଙ୍କୁ ।

ଭଣ୍ଡ ସାରଥି କେମିତି ବନିଥିଲେ ଭଗବାନ? ଆଇପିଏସ୍ ଅରୁଣ ବୋଥ୍ରା ଦେଲେ ରୋଚକ ତଥ୍ୟ

ଭୁବନେଶ୍ୱର: ମାନ୍ୟବର ମାନ୍ୟବର କହି ଲୋକଙ୍କୁ ଭୂଆଁ ବୁଲାଇ ଚାଲିଥିବା ସାରଥି ବାବା ଭଲଭାବେ ଜାଣିଥିଲେ ସେ ଭଗବାନ ନୁହଁନ୍ତି। କିନ୍ତୁ ଲୋକେ ତାଙ୍କୁ ଭଗବାନଙ୍କ ଅବତାର ବନାଇଦେଇଥିଲେ । ସମ୍ଭବତଃ ସାରଥି ନିଜର ମିଛ ଭଗବାନ ଅବତାରକୁ ଭରପୂର ଉପଭୋଗ କରୁଥିଲେ । ଏମିତି କିଛି ରୋଚକ କଥା ଏବେ ଏବେ ପଦାକୁ ଆସିଛି ।

ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଆଜି ସାରଥିଙ୍କୁ ନେଇ କରିଥିବା ଏକ ଟ୍ୱିଟ୍‌ରୁ ଏମିତି କିଛି କଥା ଜାଣିବାକୁ ମିଳିଛି । ବୋଥ୍ରା ଲେଖିଛନ୍ତି ଯେ, ଭକ୍ତମାନେ ସେମାନଙ୍କ ଜୀବନରେ ଘଟୁଥିବା କିଛି ଭଲ ଘଟଣାର ଶ୍ରେୟ ସାରଥିଙ୍କୁ ଦେବାସହ ଏହାକୁ ବାବାଙ୍କ ଚମତ୍କାର ବୋଲି କହୁଥିଲେ । ଏଥିସହ ଭଗବାନଙ୍କ ଅବତାରଭାବେ ତାଙ୍କୁ ଅଭିହିତ କରାଇଥିଲେ ।

ଏଭଳି କି ତାଙ୍କ ଆଶ୍ରମରେ ଥିବା ଏକ ସିମେଣ୍ଟ ଗାଇର କ୍ଷୀର ଦେଉଥିବା ନେଇ ମଧ୍ୟ ତାଙ୍କର ଜଣେ ଭକ୍ତ ପ୍ରଚାର କରିଥିଲେ । ଏଇ ଖବର ନେଇ ଖୋଦ୍‌ ସାରଥି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ବୋଲି ଟ୍ୱିଟ୍‌ କରି କହିଛନ୍ତି ଅରୁଣ ବୋଥ୍ରା । ଗିରଫ ହେଲା ପରେ ସାରଥି ତାଙ୍କୁ ଏଭଳି କହିଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ ଜଣେ ଯୁବତୀଙ୍କୁ ନେଇ ହାଇଦ୍ରାବାଦର ବଞ୍ଜାରା ହୋଟେଲରେ ରହୁଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିବାଦକୁ ଆସିଥିଲେ ବାବା । ତା’ ପରେ ସାରଥିଙ୍କ ଗୋଟିକ ପରେ ଗୋଟିକ କାରନାମା ପଦାକୁ ଆସିଥିଲା ଆଉ ସେ ଗିରଫ ହୋଇଥିଲେ ।

ନିଆଁ ଆଁରେ କଅଁଳା କାନ୍ଦ, ଖେଳୁଖେଳୁ ଜଳିଗଲେ ୩ କୋମଳମତି କନ୍ୟା

କଳାହାଣ୍ଡି : ଶୀତୁଆ ଅପରାହ୍ନ । ଗାଁରେ ଖେଳରେ ମାତିଥିଲେ ୩ କୋମଳମତି କନ୍ୟା । ପାଖରେ ଥିଲା ପାଳ ଗଦା । ସେମାନେ ବା କେମିତି ଜାଣିବେ ପାଳଗଦାରେ ନିଆଁ ଧରିଲେ ଜୀବନ ଚାଲିଯିବା ବୋଲି । ଏ ଖେଳ ଯେ, ସେମାନଙ୍କ ପାଇଁ କାଳ ହେବ ତାହା ମଧ୍ୟ ପରିବାର ଲୋକ ଜାଣିନଥିବେ ।

ସତକୁ ସତ ଏଭଳି ଏକ ଚାଞ୍ଚଲ୍ୟକର ତଥା ଲୋମହର୍ଷକ ଘଟଣା କଳାହାଣ୍ଡିର ଧର୍ମଗଡ଼ରେ ଦେଖିବାକୁ ମିଳିଛି । କୋକସରା ବ୍ଲକ ବିଜମରା ଗାଁର ୩ ଜଣ ଶିଶୁ ଆଜି ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ହୋଇ ଯାଇଥିଲା । ପ୍ରଥମେ ଧର୍ମଗଡ଼ ଏବଂ ପରେ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ୩ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିଜମରା ପଞ୍ଚାୟତ ଡେଙ୍ଗାଗୁଡ଼ା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ ଏବଂ ତାଙ୍କ ମାମୁଁ ଝିଅ ରଚନା ରାଉତ ବୋଲି ଜଣାପଡିଛି। ସମସ୍ତଙ୍କର ବୟସ ୪ରୁ ୫ ବର୍ଷ ହେବ । ଗତକାଲିରାତିରେ ଧାନ ଖଳାରେ ଶୋଇଥିବା ବେଳେ ସଂପୃକ୍ତ ଖଳା ମାଲିକ ନିଆଁ ଲଗାଇ ଶୋଇଥିଲା । ଏହି ନିଆଁ ସକାଳେ ମଧ୍ୟ ଥିଲା । ଏହି ସମୟରେ ଖଳାରେ କେହିନଥିବା ବେଳେ ଆଜି ମଧ୍ୟାହ୍ନରେ ୩ ଶିଶୁ ଖେଳିବାକୁ ଆସି ନିଆଁ ଉପରେ ପାଳ ପକାଇ ନିଆଁ ଜାଳି ଖେଳୁଥିଲେ । ଏହି ସମୟରେ ନିଆଁ ହୁତୁ ହୁତୁ ହୋଇ ଜଳିବାସହ ଏହି ନିଆଁରେ ୩ ଜଣ ଶିଶୁ ଜଳିଯାଇଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ମାନେ ଶିଶୁ ମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନା ଆଣିଥିଲେ । ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇଛି । ଶିଶୁଙ୍କ ମୃତ୍ୟୁ ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।