ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ତଥା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଆଜିଠାରୁ ଖୋଲିବ ପଞ୍ଜାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ଶିକ୍ଷା ପ୍ରତିଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ହରଜୋତ ସିଂ ବୈନସ। ବିଶେଷ କରି ସୀମାରେ ଉତ୍ତେଜନା ପ୍ରକାଶ ପାଇବା ସହ ଭାରତ- ପାକିସ୍ତାନ ଆକ୍ରମଣ-ପ୍ରତିଆକ୍ରମଣ ପରେ ବନ୍ଦ ହୋଇଯାଇଥିଲା ଶିକ୍ଷାନୁଷ୍ଠାନ। ତେବ ସୀମାନ୍ତ ଅନ୍ତର୍ଗତ ଫିରୋଜପୁର, ପଠାନକୋଟ, ଅମୃତସର, ଗୁରୁଦାସପୁର ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ। ସୀମାନ୍ତ ଜିଲ୍ଲା ଫାଜିଲକାରେ ଖୋଲିବ ସ୍କୁଲ। ଗତ ମେ ୮ରୁ ରାଜ୍ୟରେ ୩ ଦିନ ଲାଗି ବନ୍ଦ ଘୋଷଣା କରାଯାଇଥିଲା ଶିକ୍ଷା ପ୍ରତିଷ୍ଠାନ।
ୱେଷ୍ଟର୍ଣ୍ଣ କମାଣ୍ଡକୁ ସେନାମୁଖ୍ୟ ଦେଲେ ସମ୍ପୂର୍ଣ୍ଣ ସ୍ବାଧୀନତା
ନନ୍ଦିଘୋଷ ବ୍ୟୁରୋ: ୱେଷ୍ଟର୍ଣ୍ଣ କମାଣ୍ଡକୁ ଆର୍ମି ଚିଫ୍ ଦେଲେ ପୂର୍ଣ୍ଣ ସ୍ଵାଧୀନତା । ସୀମା ଆରପଟରୁ ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ, ତେବେ କଡ଼ା ଜବାବ ଦିଆଯିବ । କମାଣ୍ଡରମାନେ ଏଥିପାଇଁ ନିଜେ ନିଷ୍ପତ୍ତି ନେଇପାରିବେ । କମାଣ୍ଡରମାନଙ୍କୁ ଏହି କ୍ଷମତା ଦେଇଛନ୍ତି ସେନାମୁଖ୍ୟ ।
ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ସତ୍ତ୍ଵେ ଗତରାତିରେ ସୀମାରେ ଏହାର ଉଲ୍ଲଂଘନ ହୋଇଥିଲା । ପାକିସ୍ତାନ ପଟରୁ ଗୁଳିଗୋଳା ବର୍ଷଣ ହୋଇଥିଲା । ଏପରିକି ଆକାଶ ସୀମା ମଧ୍ୟ ଉଲ୍ଲଂଘନ କରାଯାଇଥିଲା । ଏହା ପରେ ସୁରକ୍ଷାର ସମୀକ୍ଷା କରିଥିଲେ ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ଏବଂ କାଉଣ୍ଟର ଆକ୍ସନ ନେବା ପାଇଁ କମାଣ୍ଡରମାନଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା ।
ମହାପ୍ରଭୁଙ୍କ ସେବାରୁ ରାମକୃଷ୍ଣ ଦାସ ମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ
ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣକୁ ନେଇ ବିବାଦରେ ଥିବା ଦଇତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ । ଏହି ସମୟରେ ତାଙ୍କର ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ଦିଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣକୁ ନେଇ ବିବାଦୀୟ ହୋଇଥିଲେ ରାମକୃଷ୍ଣ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ କମିଟି ଦଇତାପତି ନିଯୋଗ ସମ୍ପାଦକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । କମିଟି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏକମାସ ଯାଏଁ ସେ ଶ୍ରୀମନ୍ଦିରର କୌଣସି ସେବାପୂଜାରେ ସାମିଲ ହୋଇପାରିବେନି କି ନିଲମ୍ବନ ଅବଧି ସମୟରେ ସେ ଅନ୍ୟ ନିଯୋଗର କୌଣସି ସେବାୟତଙ୍କୁ ପ୍ରଲୋଭିତ କି ଧମକ ଚମକ ଦେଇପାରିବେ ନାହିଁ । ଏହାସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବାଧା ସୃଷ୍ଟି କରିବେନି । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ନିୟମିତ ତାଙ୍କ ଆଚାର ବ୍ୟବହାର ଉପରେ ନଜର ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇବେ ।
ଜମ୍ମୁ ଓ କାଶ୍ମୀର ଲୋକଙ୍କୁ ସ୍ଥାନୀୟ ପୋଲିସର ଅପିଲ୍; ବିପଦ ଟଳିନି, ଘରକୁ ନ ଫେରି ସୁରକ୍ଷିତ ସ୍ଥାନରେ ରୁହନ୍ତୁ
ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ପରେ ସୀମାରେ ସ୍ଥିତି ସୁଧୁରିବାରେ ଲାଗିଛି । ଗୁଳିଗୋଳା ମାଡ଼ ବନ୍ଦ ହୋଇଛି, ବିସ୍ଫୋରଣର ଶବ୍ଦ ଆଉ ଶୁଭୁନି । ତଥାପି ବିପଦ ଟଳିନି । ଏଥିପାଇଁ ଯୁଦ୍ଧ ସ୍ଥିତି ବେଳେ ଘର ଛାଡ଼ିଥିବା ଲୋକଙ୍କୁ ଏବେ ନ ଫେରିବାକୁ ସ୍ଥାନୀୟ ପୋଲିସ ଅନୁରୋଧ କରିଛି । ପୋଲିସ ପକ୍ଷରୁ କୁହାଯାଇଛି, ପାକିସ୍ତାନୀ ଗୋଳା, ବାରୁଦ ଏବେ ବି ବିଭିନ୍ନ ସ୍ଥାନରେ ପଡ଼ିଛି । ତେଣୁ ଯେଉଁ ସୁରକ୍ଷିତ ସ୍ଥାନରେ ଅଛ ସେଇଠି ରହିଥାଅ । ସୂଚନାଯୋଗ୍ୟ, ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ପରେ ସୀମାନ୍ତ ବାରାମୁଲା, ବାନ୍ଦିପୋରା ଓ କପଓ୍ବାଡ଼ା ଜିଲ୍ଲାର ଗାଁ ଗୁଡିକରୁ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି, ସୀମାନ୍ତ ଗାଁ ଲୋକେ ଏବେ ନିଜ ଘରକୁ ନଫେରନ୍ତୁ । ପାକିସ୍ତାନ ପକ୍ଷରୁ ଛଡ଼ା ଯାଇଥବା କିଛି ଗୋଳା, ବାରୁଦ ଏବେ ବି ନଫୁଟି ବିଭିନ୍ନ ସ୍ଥାନରେ ପଡ଼ି ରହିଛି । ତେଣୁ, ଏବେ ଘରକୁ ଫେରିବା ଜୀବନ ପ୍ରତି ବିପଦ ହୋଇପାରେ । ବୋମା ନିଷ୍କ୍ରିୟକାରୀ ଦଳ ଏସବୁ ଅଞ୍ଚଳକୁ ଯାଇ ଯାଞ୍ଚ କରିବା ସହ ଜୀବନ୍ତ ଗୋଳାବାରୁଦ ନିଷ୍କ୍ରିୟ କରାଯିବ ।

